Unknown

 

 

 

 

 

 

 

 

ତାପସୀ

କାହ୍ନୁ ଚରଣ ମହାନ୍ତି

 

ସୂଚନା

 

ଝିଲ୍‍ ସେପାଖେ ରାଉତପଡ଼ା, ଏପାଖେ ଉତ୍ତରରେ ନାୟକ ସାହି । ଗାଁ ନାଁ ରାଉତପାଟଣା । ଗାଁ’ର ପୂର୍ବ ପାଖରେ ହାତୀ ଉଚ୍ଚର ନଈବନ୍ଧ । ପଡ଼ା ଦିଓଟି ସେହି ବନ୍ଧର ଗଡ଼ାଣିତଳକୁ ଅଳପ ଦୂର ଛାଡ଼ିଛି ।

 

ଦେବଦାରୁ, ଓଉ, ଗୋଟିଏ କେଳି-କଦମ୍ବ ଓ କେତୋଟି ତାଳଗଛ, ନାୟକସାହିର ଗଡ଼ାଣିଆ ଅଞ୍ଚଳକୁ ଛାୟାଶୀତଳ କରିଛି । ଠାଏ ଠାଏ ଛାଡ଼ି ଛାଡ଼ିକା ନିଘଞ୍ଚ ବେତସବଣ । ସେହି ଅନାବାଦୀ ଅରମାର ଉତ୍ତର ସୀମାରେ ଗହଳିଆ କିଆବୁଦାଗୁଡ଼ିଏ । ଛାଡ଼ି ଛାଡ଼ିକା । କେତୋଟି ଗୋଟି ଗୋଟିକା ଆମ୍ବଗଛ । ତାହାରି ପଶ୍ଚିମରେ ଅବସ୍ଥିତ ନାୟକ ସାହି ।

 

ଝିଲ ବା ଦହର ଦକ୍ଷିଣପଟର ଅନାବାଦୀ ଭୂମି ଆୟତନରେ ଛୋଟ ଓ ବାଲିଆ । ରାଉତପଡ଼ାର ପୂର୍ବପଟରେ ନଦୀବନ୍ଧ ଯାଏ ଲମ୍ବିଯାଇଛି । କେବଳ କିଆବୁଦା, ବେତଝାଡ଼ରେ ଆଚ୍ଛାଦିତ ।

 

ନଦୀବନ୍ଧର ଗଡ଼ାଣି ଶେଷରେ କେଉଁ କାଳର ବଡ଼ ବରଗଛ । ଓହଳଗୁଡ଼ିଏ କାଳକ୍ରମେ ନୂଆ ନୂଆ ଗଛରେ ପରିଣତ ହୋଇଛି । ମାଆଗଛର ଗୋଲେଇକୁ ଦୁଇଟି ଯୋଡ଼ିଲା ଲଙ୍ଗଳଦଉଡ଼ି ବେଢ଼ାଇ ପାରିବ ନାହିଁ । ମୂଳଗଛ, ଓହଳଗଛ ଓ ସେମାନଙ୍କୁ ଯୋଗ କରୁଥିବା ଶାଖା ପ୍ରଶାଖା ମାଣେଭୂମି ଆବୋରିଛି ।

 

ମୂଳଗଛର ଗଣ୍ଡିକୁ ଲାଗି ଛୋଟ ଶିବ ମନ୍ଦିରଟିଏ । କେଉଁ ପୁରୁଷରେ ନାୟକସାହିର କେଉଁ ଶିବଭକ୍ତ ପୁରୁଷ ସେହି ମନ୍ଦିରଟିକୁ ମାଙ୍କଡ଼ା ପଥରରେ ତୋଳାଇ ଦେଇଥିଲେ । ମନ୍ଦିର ଭିତରକୁ କେବଳ ଜଣେ ଲୋକ ମୁଣ୍ଡ ନୁଆଇଁ ପ୍ରବେଶ କରିପାରିବ ।

 

ଶିବଚତୁର୍ଦ୍ଦଶୀ ଦିନ ସେଠାରେ ବହୁ ନରନାରୀଙ୍କର ସମାବେଶ ହୁଏ । ଅନ୍ୟଦିନମାନଙ୍କରେ କେବେ କେମିତି କେହି କେହି ସେଠାକୁ ପୂଜା କରିବାକୁ ଯାଆନ୍ତି । କିଛି ବେଲପତ୍ର ଶିବଲିଙ୍ଗଙ୍କର ଶକ୍ତିରେ ଓ ମୁଣ୍ଡରେ ଦେଇ ମନକାମନା ଜଣାଇ ମାନସିକ କରି ଓଳଗି ହୁଅନ୍ତି । ଡର ଡର ଦୃଷ୍ଟି ଚାରିଆଡ଼କୁ ନିକ୍ଷେପି ତରବର ହୋଇ ବାହୁଡ଼ନ୍ତି ।

 

କେତେଥର କେହି କେହି ମନ୍ଦିର ଭିତରେ, ଅବା ବାହାରେ, ଖଣ୍ଡ ଦୂରରେ ଫଣାଟେକା ନାଗସାପ ଦେଖିଛନ୍ତି । ଅନ୍ୟଜାତିର ବିଷାକ୍ତ ସାପମାନେ ବି କାହାରି କାହାରି ହାବୁଡ଼େ ପଡ଼ନ୍ତି ।

 

ସେହି ଅନାବାଦୀ ବାଲିଆ ଭୂମିଖଣ୍ଡିର ପଶ୍ଚିମ ସୀମାରେ ଦହର ଦକ୍ଷିଣ ପରିସୀମାରେ କିଆ ଓ ବେତସ ବୁଦାମାନ ଗୋଟିଏ ଧାଡ଼ିରେ ଲମ୍ବିଯାଇଛି । ମଝିରେ ମଝିରେ ଡିମ୍ବିରି, ସାହାଡ଼ା, କନିଅର ଓ ଜଜାଙ୍ଗ । ଠାଏ ଠାଏ ଗୋଦା ମେଲା । ବଡ଼ ବଡ଼ କେତେ ଉଇହୁଙ୍କା । ତହିଁରେ ନାଗଫେଣିଆବୁଦାର ଫଣାଗୁଡ଼ିକ ଉପରକୁ ଓ କଡ଼ମାନଙ୍କୁ କଣ୍ଟାଳିଆ ଫଣା ମେଲାଇ ରହିଥାଏ ।

 

ସେହି ହୁଙ୍କାଗୁଡ଼ିକର ଗାତମାନଙ୍କରେ ବୁଢ଼ାନାଗ ତା’ର ସାଙ୍ଗସାଥୀ, ପିଲାକୁଟୁମ୍ବ, ଭାଇବିରାଦର ନିର୍ଭୟରେ ବାସ କରନ୍ତି । ପଶ୍ଚିମକୁ ଲମ୍ବିଯାଇଥିବା ବିଲମାଳର ମୂଷା, ଝିଲକୁଳର ବିସ୍ତୀର୍ଣ୍ଣ ଅରମା-ଭୂଇଁର ଗହଳ ଘାସ ଓ ପାଣିଶିଉଳି ତଳର ବେଙ୍ଗମାନେ ତାଙ୍କର ଆହାର । ସେମାନଙ୍କର ମହାଶତ୍ରୁ ନେଉଳମାନେ ବାଡ଼ କଡ଼େ କଡ଼େ, ଅବା ଶିବଙ୍କ ଆସ୍ଥାନ ପାଖରେ କେବେ କେବେ ଦେଖଣାହାରୀଙ୍କର ଆଖିରେ ପଡ଼ନ୍ତି । ବରଗଛରେ କଟାଶମାନେ ରହୁଥିବାର ଲୋକେ କହନ୍ତି ।

 

କେତେ ଜାତିର ଅସଂଖ୍ୟ ଚଢ଼େଇ ସେହି ବିରାଟ ବରଗଛରେ ରହନ୍ତି । ବସା ବାନ୍ଧନ୍ତି ଅବା କୋରଡ଼ମାନଙ୍କରେ ରହନ୍ତି । ପଲପଲ ବଗ, ଚିଲ ଓ ମାଛରଙ୍କାଙ୍କର ଆଶ୍ରୟ ସ୍ଥଳ । ଝିଲ୍‍ର ଓ ତା’ କୂଳର ଅରମାର ଚୁନାମାଛ, ପୋକଜୋକ ସେମାନଙ୍କର ଆକର୍ଷଣ ।

 

ପଲପଲ ଶାଗୁଣା ବି ସେହି ନିଘଞ୍ଚ ବରଗଛର ସବୁଜ ମଥାନ ଉପରେ ଆଶ୍ରା ନେଇ ଆହାର ଉଣ୍ଡନ୍ତି । ରାଉତପାଟଣା ଗାଆଁର ଶିବସୁଳିର ଦକ୍ଷିଣରେ ଅବସ୍ଥିତ ନଦୀବନ୍ଧର କଡ଼େ କଡ଼େ, ଦକ୍ଷିଣ-ପଶ୍ଚିମକୁ ଲମ୍ବିଯାଇଛି ସଂକୀର୍ତ୍ତି ମଶାଣି ଭୂଇଁ । ବାଲିବନ୍ତିଆ, ଖାଲଖମାଣିଆ । ଛାଡ଼ିଛାଡ଼ିକା ଖରିବୁଦାମାନ ଅଛି । ତାଳଗଛ, ଖଜୁରିଗଛ, ଦେବଦାରୁ ଓ ଝଙ୍କାଳିଆ କୁଜିବର ପାଖରେ ଛୋଟ ଝଙ୍କାଳିଆ ଗଜା ଓସ୍ତଗଛଟିଏ ବି ଅଛି ।

 

ସେହି ବାଲିଆ ଭୂଇଁଟି ରାଉତପାଟଣା ଗ୍ରାମର ଦୁଇଟି ସାହିର ମଶାଣି । କେବଳ ମଣିଷଙ୍କ ପାଇଁ ନୁହେଁ, ମଲାପଶୁଙ୍କର ମଢ଼କୁ ବି ଲୋକେ ସେଇଠି ଫୋପାଡ଼ି ଦିଅନ୍ତି । ଶାଗୁଣା ଦଳର ଦୃଷ୍ଟି ସେହି ମଶାଣି ଭୂଇଁରେ ବିଚରେ ।

 

ଶିବମନ୍ଦିର ଆଗରୁ ଛାଡ଼ିଛାଡ଼ିକା କିଆବୁଦାର ଫାଙ୍କଦେଇ ଚଲାବାଟମାନ ଦହର ଘାସ, ଶିଉଳି ଅରମା ମଝିରେ ଦହର ଠାକୁର ଘାଟଯାଏ ପଡ଼ିଛି । କୂଳରେ ପଡ଼ିଛି ଖଣ୍ଡେ କାଠଗଡ଼ । ଦୁଇଟି ମୋଟାମୋଟା ଖଜୁରିଗଛର ଗଣ୍ଡି ଏକାଠି ଯୋଡ଼ାହେଇ ପାଣିଭିତରେ କାଠଗଡ଼କୁ ଲାଗି ଅଧେ ଭାସି ଅଧେ ବୁଡ଼ି ରହିଛି । ପାଖରେ ପୋତାହୋଇଛି ନାଲିକନାର ଚିରାଳଲଗା ଲୟ ବାଉଁଶ-। ନାୟକସାହିର ଲୋକମାନଙ୍କୁ ଶିବସ୍ଥଳ ସୂଚାଇ ଦେବାର ସୂଚନା ।

 

ଦହଟି ଏହି ସ୍ଥଳରେ ଅଧିକ ଚଉଡ଼ା । ହେଲେ ସେ ପାଖର ଲୋକେ ଏ ପାଖକୁ ଅଦୃଶ୍ୟ ନୁହଁନ୍ତି । ଚିହ୍ନି ନ ହେଲେ ବି ଦିଶନ୍ତି । କଥାଭାଷା, ହସକାନ୍ଦର ଶବଦ ଶୁଭେ । ଜାଣି ତ ବାଇଦ ବାଜଣାର । ସେ ପାଖର ଆମ୍ବତୋଟା ଗହଳି ଭିତରର ରାଧାଶ୍ୟାମଙ୍କ ମନ୍ଦିରରେ ହେଉଥିବା ପୂଜା-ନୀରାଜନାର ।

 

ବର୍ଷାଋତୁରେ ଦହ ଫୁଲିଉଠେ । କାୟା ବିସ୍ତାର କରେ । ଉତ୍ତରରେ ଠାକୁର ତୋଟାରେ ଆଣ୍ଠୁଆଣି ପାଣି ହୁଏ । ବିଲମାଳ ଓ ନାୟକ ସାହିର ଗଡ଼ିଆ ପୋଖରୀରେ ପାଣି ପଶେ । ରାଉତପଡ଼ା ବସ୍ତି ଓ ସଂଲଗ୍ନ ଅଞ୍ଚଳ ନଦୀବନ୍ଧର ଉଞ୍ଚାଳିଆ ଗଡ଼ାଣିରେ ଅବସ୍ଥିତ । ସେଠାରେ ଗଡ଼ିଆ-ପୋଖରୀ ନାହିଁ । ଦହଟି ରାଉତପଡ଼ା ବସ୍ତିଆଡ଼କୁ ଢେଲେଇ ଆସିଛି । ତେଣୁ, ବସ୍ତିର ପଚିଶ-ତିରିଶ ଘର କୁଟୁମ୍ବ ଦହର ପାଣି ସବୁ ଋତୁରେ ବ୍ୟବହାର କରନ୍ତି । ଗ୍ରୀଷ୍ମଋତୁର ନିରାଟ ତାତିରେ ଜଳ ସଂକୁଚିତ ହେଲେ ଦହର ଭିତରକୁ ପାଣିଥିବା ସ୍ଥାନକୁ ସେମାନଙ୍କୁ ଯିବାକୁ ପଡ଼େ । ପାଣି କୂଳଯାଏ ବାଟ ଫିଟିଯାଏ ।

 

ନଦୀବନ୍ଧ ଅତିକ୍ରମ କରି କଣ୍ଡିଆ ବା ପାଳଭୂମି ପାରିହୋଇ ସରଯୂନଦୀକୁ ଗଡ଼ିଲେ ଖଣ୍ଡିପାଖରୁ ଅଳପ ଦୂରରେ କାଚକେନ୍ଦୁ ପରି କାତବୁଡ଼ା ଜଳ । ସକାଳପହରୁ ନ ଗଲେ ଖଇଫୁଟା ତତଲା ବାଲିରେ ପାଦ ଥୋଇବା କଷ୍ଟ । ସେହି ଜଳ ମଧ୍ୟ ଆବଦ୍ଧ । ତଥାପି ରାଉତପଡ଼ାର ସ୍ତ୍ରୀ ଓ ପୁରୁଷ ସେହି ଆବଦ୍ଧ ଜଳରେ କେହି କେହି ନିତ୍ୟକର୍ମ ସାରନ୍ତି । ପିଇବା ଉଦେଶ୍ୟରେ ଗରା, ମାଠିଆ, କଳସ ଭରି ଆଣନ୍ତି ।

 

ନାୟକସାହିଆଙ୍କୁ ବେଶି ଦୂର ପଡ଼େ । ତଥାପି, ଦହର ଜଳପରି ସେହି ଜଳ ଆବଦ୍ଧ ହୋଇଥିଲେ ମଧ୍ୟ କେହି କେହି ଆସନ୍ତି । ବିଶେଷତଃ ମିଣିପେ ଓ ତରୁଣମାନେ । କାଚକେନ୍ଦୁପରି ନିର୍ମଳ ଜଳର ଲୋଭ ସମ୍ବରଣ କରିପାରନ୍ତି ନାହିଁ ।

 

ପୂର୍ବକାଳରେ ରାଉତପାଟଣା ଗ୍ରାମଟି ଦୁଇଟି ଅଲଗା ପଡ଼ା ବା ବସ୍ତିରେ ବିଭକ୍ତ ହୋଇ ନ ଥିଲା । ଯେଉଁଟି ଏବେ ବିରାଟ ଦହ ତାହା ଥିଲା ଉର୍ବର ଚାଷଭୂମି, ଗହୀର ବିଲ । କହନ୍ତି, ସୁନା ଫଳୁଥିଲା..... ।

 

ସରଯୂନଦୀ ସୁଗଭୀର ଥିଲା । ତାର କୁଳଭୂମି, ଯାହା କଣ୍ଡିଆ ନାମରେ ଲୋକମୁଖରେ ପ୍ରଚାରିତ, ତାହା ଥିଲା ବିସ୍ତୀର୍ଣ୍ଣ । ରାଉତପଡ଼ା ପାଖର ଅନେକ ଅଣଓସାରିଆ ନଦୀବନ୍ଧ ଉପରେ ଠିଆ ହୋଇ ଦକ୍ଷିଣ-ପୂର୍ବ ଦିଗକୁ ଚାହିଁଲେ ଗଛଗହଳିର ଫାଙ୍କରେ ବହୁ ଦୂରରେ ଦିଶେ ନଦୀଖଣ୍ଡି । ସୁଗଭୀରା, ସଂକୀର୍ଣ୍ଣ ସରଯୂ ଆର ପାଖର ଖଣ୍ଡି ଓ କୂଳଭୂମି ଉପରର ଆମ୍ବତୋଟା, ନଡ଼ିଆ ବଗିଚାମାନ ଦେଖାଯାଉଥିଲା ।

 

ବଞ୍ଚିରହିଥିବା ସେ କାଳର ଅତି ବୃଦ୍ଧମାନେ ସେମାନଙ୍କର ବାପଅଜାମାନଙ୍କଠାରୁ ଶୁଣିଲେ କଥା କହନ୍ତି । କାଳକ୍ରମେ ସଂକୀର୍ଣ୍ଣ ନଦୀଟି ତାର ବପୁ ବିସ୍ତାରିଲା । ନିଜେ ହେଲା ବାଲୁକାରେ ପୂର୍ଣ୍ଣ; ଦୁଇତଟର ଉର୍ବରଭୂମି ଗ୍ରାସକରି ହେଲା ଶ୍ରୀହୀନ ।

 

ତା’ରି କୋପରେ କେତେଥର ତା’ର ବନ୍ୟାଜଳ ରାଉତପାଟଣାର କୂଳ ଲଙ୍ଘିଛି । ବନ୍ଧବାଡ଼ି, ଘରଦ୍ୱାର ଭାଙ୍ଗିଛି । ମଣିଷ ଓ ପଶୁ ନାଶିଛି । ସୁନାଥାଳି ଗହୀରମାଳର ଫସଲ ଚାଟିଛି । କେଉଁଠି ବାଲି ଅଜାଡ଼ିଛି ଓ କେଉଁଠି ପଟୁ ପାରିଛି ତାର କଳନା ନାହିଁ ।

 

କହନ୍ତି ସେହି ବୁଢ଼ାମାନେ, ତାଙ୍କର ଶୁଣିଲା କଥା, ତାଙ୍କ ମାନଙ୍କର ବାଳୁତବେଳର ଶୁଣିଲା ଜାଣିଲା ଘଟଣା ଯାହା ତାଙ୍କର ଜେଜେମାନେ; ଅଜାମାନେ ସେମାନଙ୍କର ବାଳୁତକାଳରେ ଅଙ୍ଗେ ନିଭାଇଥିଲେ–

 

କେଉଁ କୈଳାସ ପର୍ବତରେ ମାନସରୋବର । ସେଥିରୁ ନଈଟିଏ ବାହାରି ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟା ଦେଶରେ ପ୍ରବାହିତ ହେଉଥିଲା । ତ୍ରେତୟା ଯୁଗର କଥା । ସେ ଯୁଗ ଯାଇ ଦ୍ଵାପର ବିତିଲା । କଳିଯୁଗ ଆସି ସରିବାକୁ ହେଲାଣି । କେବେ ଏଇ ସରଯୂ କଳିଙ୍ଗ ଭୂଇଁକୁ ଆସିଲା କାହାକୁ ଜଣାନାହିଁ ।

 

ଆମେ ଜାଣୁରେ ପିଲାଏ । ଏହି ନଦୀ ମହାନଦୀର ଗୋଟିଏ ଶାଖାନଦୀରୁ ବାହାରି ଅନ୍ୟ ଏକ ଶାଖାନଦୀରେ ମିଶିଛି । ବାଟ ତିନିକୋଶ ଲମ୍ବ । ଆମ ଗାଁ ଏଇ ରାଉତପାଟଣା ତା’ ବାଟର ମଝିଆମଝି ।

 

ଥରକର ପ୍ରବଳ ବଢ଼ିରେ, ରକ୍ଷା ହେଲା ଯେ ଦିନ ଦି ପହରେ,ଲୋକଙ୍କର ଜାଣତରେ ବନ୍ଧ ଭାଙ୍ଗିଲା । ଦୁର୍ବଳ ଜାଗାଟା ଆଗରୁ ଜଣାଥିଲା । ସବୁ ଚେଷ୍ଟା ବିଫଳ ହେଲା । ଛୋଟ ବନ୍ଧଟିକୁ କାଟିଦେଲେ ସେହି ନାହିଁ ନ ଥିବା ପ୍ରଳୟକାରୀ ବନ୍ୟା ।

 

ରାଉତପାଟଣାର ଗ୍ରାମଲୋକେ ଆଗରୁ ଏପରି ବିପଦର ଆଶଙ୍କା କରୁଥିଲେ । ସେମାନେ ସାବଧାନ ହୋଇଥିଲେ । ଗ୍ରାମର ଉତ୍ତରପଟରେ ନଦୀଖଣ୍ଡିକୁ ଲାଗି ଯେଉଁ ପାହାଡ଼ିଆ ଭୂମି ପଶ୍ଚିମକୁ ମାଡ଼ିଯାଇଛି ପାଏ ବାଟ ଗଡ଼ାଣିଆ ହୋଇ ତିନିଆଡ଼ର ଚାଷଭୂମିରେ ମିଶିଯାଇଛି । ସେ କାଳେ ସେଇଟି ଅଧିକ ଉଚ୍ଚ ଥିଲା । ତା’ ଉପରେ ଥିଲା ଘଞ୍ଚ ଅରଣ୍ୟ ।

ସେଇଠି ଥିଲା ବିଳାସୁଣୀ ଠାକୁରଣୀଙ୍କ ଆସ୍ଥାନ । ପଳାଶବଣ ଭିତରେ । ଦିନକ ଆଗରୁ ଗ୍ରାମର ଲୋକେ, କୋକୁଆଭୟ ତ ଲାଗିଥିଲା, ଛାନିଆ ହୋଇ, ପିଲାକୁଟୁମ୍ବ ଧରି, ଗାଈଗୋରୁ ଓ ଆସବାବ ନେଇ ସେଠାକୁ ଚାଲିଯାଇଥିଲେ । ତଥାପି ଘରକରଣା ଚିଜମାନ ବୁହାଚାଲିଥିଲା । ବନ୍ଧରେ ଘଳିଆ ପଡ଼ିଲା । ପାଣି ବନ୍ଧ ଟପିଲା ।

କୁଆଁରପୁନେଇଁ ବଢ଼ି ତା’ ନାଁ । ଆନନ୍ଦ ବଦଳରେ ଦୁଃଖ ଅଜାଡ଼ିଦେଲା ଜମିର ଠିଆ ଫସଲ ସମୂଳେ ଗଲା । ସୁନାଥାଳି ଗହୀରଭୂମି ତାଡ଼ି ସର୍ଜନା କଲା ଏହି ସମୁଦ୍ର, ଯାହାକୁ ଏବେ ଦହ ବୋଲି କୁହାଯାଉଛି ।

ଏଡ଼େବଡ଼ ଗ୍ରାମର ଚିହ୍ନବର୍ଣ୍ଣ ରହିଲା ନାହିଁ । ଭିଟାମାଟି ଘାଇର ପାଣିତୋଡ଼ରେ ତାଡ଼ିହୋଇ ଦହର ପେଟରେ ଲୁଚିଲା । ଅଚଳନ୍ତି ସମ୍ପତ୍ତିର କ୍ଷୟକ୍ଷତିର କଳନା କରିବାକୁ କିଏ ସମର୍ଥ ହୁଅନ୍ତା ।

ବୁଢ଼ାମାନେ ସେମାନଙ୍କର ବାଳୁତବେଳର ଶୁଣିଲା କଥା କହନ୍ତି, ସେମାନଙ୍କର ବୁଢ଼ା ବୁଢ଼ା ଜେଜେମାନଙ୍କର ସେହି ଶୈଶବକାଳର ପ୍ରଳୟଙ୍କରୀ ବନ୍ୟାର ଅଙ୍ଗେ ଲିଭାଇଲା ଦୁଃଖଦୁର୍ଦ୍ଦଶାର କାହାଣୀ ।

ବିଳାସୁଣୀ ଠାକୁରଣୀଙ୍କ ପାହାଡ଼ ଉପରେ ଥାଇ କେଉଁ ପଥର ଚଟାଣ ଉପରୁ ଡେଙ୍ଗା ଡେଙ୍ଗା ଗଛଗହଳି ଭିତରୁ, ଜୁଳୁଜୁଳୁ କରି ଚାହିଁ ଦେଖିଥିଲେ ବିସ୍ମୟ, କୁତୁହଳ ଓ ଭୟମିଶା ଚାହାଣିରେ ସୀମାହୀନ ଦିଗହଜା ଆବିଳ ଜଳର ପ୍ରବାହକୁ । ଦେଖୁଥିଲେ ସେହି ପ୍ରବାହର ପାଗଳ ନାଚକୁ । ଶୁଣୁଥିଲେ ତା’ର ଗର୍ଜନ ।

ପାହାଡ଼ ଉପରେ କେଉଁଠି ପିଲା ଓ ମାଇପିଙ୍କର କାନ୍ଦବୋବାଳି, କେଉଁଠି ଆତୁରିଆ ମିଶାମିଶି ହରିବୋଲ, ଡାକ, ମା-ବିଳାସୁଣୀଙ୍କୁ ଗୁହାରି କାନ୍ଦଣା, ସବୁର ମିଶାମିଶି ଏକାକାର ଶବ୍ଦ କାନରେ ବାଜୁଥିଲା । ସେକାଳର ଶିଶୁ, ଯେଉଁମାନେ ଅଙ୍ଗେ ଲିଭାଇଥିଲେ, ସେମାନଙ୍କର ସୁମରଣାରେ ବୁଢ଼ାକାଳଯାଏ ଲାଖି ରହିଥିଲା ।

ଉତ୍ତର ପୁରୁଷଙ୍କର ଶୁଣିବାର କଥା । ସେମାନେ ବୁଢ଼ା ବୟସଯାଏ କାହାଣୀରୂପେ ପରବର୍ତ୍ତୀ ପୁରୁଷର ଦାୟାଦଙ୍କ ଆଗରେ ବର୍ଣ୍ଣନା କରନ୍ତି । ପ୍ରକୃତ ଘଟଣାରୁ କେତେ ଅତିରଞ୍ଜିତ, ଅବା କେତେ ଊଣା କାହାର ପରଖିବାର ଶକ୍ୟ ଅଛି ।

ଏତିକି ନିଶ୍ଚିତ ଯେ ରାଉତପାଟଣା ଦିନେ ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ପ୍ରାକୃତିକ ବିପର୍ଯ୍ୟୟରୁ ସେ ଗ୍ରାମ ଧ୍ୱଂସ ହେଲା । ଦୁର୍ଜେୟ ମଣିଷର ଉଦ୍ୟମ ଦିନେ ପୁଣି ତା’ର ବିଲୁପ୍ତ ସତ୍ତାକୁ ନୂତନ ଜୀବନ ଦେଲା । କିନ୍ତୁ ଗ୍ରାମଟି ଦୁଇଭାଗରେ ବିଭକ୍ତ ହେଲା । ବିଭକ୍ତ କଲା ଏହି ଦହଟି ।

ସାହି ଦିଓଟିର ନାମକରଣ ସଙ୍ଗେ ସେଠାରେ ବାସ କରି ରହିଥିବା କୁଟୁମ୍ବଗୁଡ଼ିକୁ ଚିହ୍ନି ହେବ ନାହିଁ । ଦୁଇଟି ପଡ଼ାରେ ବିଭିନ୍ନ ପଦବୀ ଓ ଜାତିର ଲୋକେ ବସବାସ କରନ୍ତି ।

ସରଯୂନଦୀର ଉତ୍ତରପଟରେ ଉଚ୍ଚ ଓ ସୁଦୃଢ଼ ନଦୀବନ୍ଧ ନିର୍ମାଣ ହେଲା । ଗଭୀର ଓ ଚଉଡ଼ା ଘାଇର ମୁହଁ ବନ୍ଦ ହେଲା । ଦହର ଦୁଇପାଖରେ କାଳକ୍ରମେ ଦୁଇଟି ବସ୍ତି ଧୀରେ ଧୀରେ ଗଢ଼ି ହୋଇ ଉଠିଲା ।

 

ବନ୍ୟାରେ ସମସ୍ତେ ସର୍ବସ୍ୱାନ୍ତ ହୋଇସାରିଥିଲେ । ଧନୀଦରିଦ୍ରର ଭେଦ ପ୍ରାୟ ଲୋପ ହୋଇଥିଲା । ସବୁ କୁଟୁମ୍ବ ହୋଇଥିଲେ ସମଦଶାପନ୍ନ । ତେବେ ଭୂସମ୍ପତ୍ତି ପଡ଼ିରହିଥିଲା । କାହାର କେଉଁ ଭୂମି ଦହର ମଝିରେ ପଡ଼ି ସତ୍ତା ହରାଇଥିଲା । କାହାର କେଉଁ ଭୂମିରେ ବାଲି ଚରିଥିଲା ଓ କାହାର କେଉଁ ଭୂମିରେ ପୁଣି ପଟୁ ପଡ଼ିଥିଲା ।

 

ନାୟକପଦବୀଧାରୀ କେତେ କୁଟୁମ୍ବ ଯେଉଁମାନଙ୍କର ଅଧିକ ଭୂମି ଦହର ଉତ୍ତର ପାଖରେ ଥିଲା, ସେହିମାନେ ଆଗ ଯେଉଁଠି ଘର କରି ରହିଲେ ସେହି ବସ୍ତି ନାୟକସାହି ନାମରେ ପରିଚିତ ହେଲା । ଠିକ୍ ସେହି ରୀତିରେ ନାମିତ ହେଲା ରାଉତପଡ଼ା ।

 

ଗ୍ରାମଟି ଠାକୁରରାଜା ଗଜପତିମାନଙ୍କ ଅମଳରୁ ଯାହା ନାମିତ ହୋଇଥିଲା, ମୋଗଲ ମରହଟ୍ଟା ଅମଳ, ପୁଣି ଫିରିଙ୍ଗ ଅମଳରେ ସେମିତି ରହିଲା, ରାଉତପାଟଣା ।

 

ଫିରିଙ୍ଗ-ଇଂରେଜମାନେ, ଜାଣ ନିମନ୍ତ୍ରିତ ହୋଇ, ଏଇ ପବିତ୍ର ଦେଶରେ ରାଜୁତି କରିବାକୁ ଆସିଲେ । ମୋଗଲ ଓ ମରହଟ୍ଟାଙ୍କ ଅତ୍ୟାଚାର ସହି, ବଢ଼ି ମରୁଡ଼ି ଲାଗି ଦୁର୍ଭିକ୍ଷର ଦାଉ ଭୋଗି କଙ୍କାଳସାର ଅଧପ୍ରାଣ ହୋଇ ସାରିଥିଲେ ତ ଏ ରାଇଜର ଲୋକେ ।

 

କେବେ ଏ ଜାତି ବୀର ଥିଲା, ସାହସୀ ଥିଲା, ଗଙ୍ଗାରୁ ଗୋଦାବରୀର ଆହୁରି ଦକ୍ଷିଣରେ ପ୍ରବାହିତ କାବେରୀ ନଦୀଯାଏ ଗଜପତିଙ୍କ ରାଇଜର ସୀମା ବଢ଼ାଇଥିଲା, ସେ ସବୁ ଘଟଣା କଥା, କାହାଣୀ ଓ କିମ୍ବଦନ୍ତୀ ହୋଇ ରହିଗଲା ।

 

କହିବାକୁ ମଜାଲାଗେ । ଆଈବୁଢ଼ୀଙ୍କ ଦେହଶିହରା ପକ୍ଷୀରାଜ ଘୋଡ଼ା, କୁହୁକମଣ୍ଡଳ ଚଢ଼େଇ, କେଶବତୀ କନ୍ୟା ଗପ ପରି ଲାଗେ ।

 

ଠାକୁରରାଜା ଗଜପତି ବୀର କପିଳେନ୍ଦ୍ରଙ୍କ ପୁଅ ପୁରୁଷୋତ୍ତମ ଦେବ ରାଜା ହେଲା ପରେ କାଞ୍ଚିରାଜାଙ୍କ ଜେମାଙ୍କୁ ଦେଖି ତାଙ୍କ ପ୍ରେମରେ ପଡ଼ିଲେ ଜଗନ୍ନାଥ ଧାମରେ ରଥଟଣା ଯାତ୍ରାବେଳେ । ତାଙ୍କୁ ବାହାହେବାକୁ ମନକରି ପରେ ସେ କାଞ୍ଚି ରାଜାଙ୍କ ପାଖକୁ ସନ୍ଦେଶ ପଠାଇଲେ ।

 

କାଞ୍ଚିରାଜା ମନା କରିଦେଲେ । କହିଲେ, “ଗଜପତି ଛେରାପହଁରା କରନ୍ତି ଠାକୁରଙ୍କ ରଥ ଉପରେ । ମେହେନ୍ତରର କାମ ଯିଏ କରନ୍ତି ତାଙ୍କ ହାତରେ ଝିଅ ଦେବି ନାହିଁ ।’’

 

ଠାକୁରଙ୍କୁ ହେୟ ମଣିଲା ସେ ଗର୍ବୀ କାଞ୍ଚିରାଜନ । ତା’ ଝିଅକୁ ଆଣି ମେହେନ୍ତରକୁ ବାହା କରାଇବି, ଏହି ପଣ ପୁରୁଷୋତ୍ତମ କଲେ ।

 

ସୈନ୍ୟସାମନ୍ତ ଧରି କାଞ୍ଚି ଅଭିଯାନ କଲେ । କାଳିଆ-ବଳିଆ ଦିହେଁ ଗଜପତିଙ୍କୁ ଜିତେଇ ନିଜର ସମ୍ମାନ ରକ୍ଷା କରିବାକୁ କଳାଘୋଡ଼ା ଧଳାଘୋଡା ଚଢ଼ି ଗୋପନରେ ମାଣିକପାଟଣା ବାଟେ କାଞ୍ଚି ଯାଇଥିଲେ ।

 

କାଞ୍ଚି ଅଭିଯାନ ଏବଂ ତା’ର ପୂର୍ବ ଓ ପରବର୍ତ୍ତୀ ଘଟଣାମାନ ପିଲାରୁ ବୁଢ଼ାଯାଏ ଅଳ୍ପବହୁତେ ସମସ୍ତେ ଜାଣନ୍ତି । ଖାଲି ଏଇ ଓଡ଼ିଶା ରାଇଜର ଲୋକେ ନୁହଁନ୍ତି, ଭରତବର୍ଷର ଅନ୍ୟାନ୍ୟ ରାଇଜର ବହୁ ଲୋକେ ବି ଜାଣନ୍ତି ।

 

ଜଗନ୍ନାଥ ଧାମରେ ଦିଅଙ୍କୁ ଦର୍ଶନ କରି ଓ ରଥଟଣା ଯାତ ଦେଖି ରଥର ଦଉଡ଼ି ଟାଣି ମୁକ୍ତି ଲଭିବାକୁ ଯେଉଁମାନେ ବହୁ ଶ୍ରମ ସ୍ୱୀକାର କରି ଧନଜୀବନ ବିପନ୍ନ କରି ଶ୍ରୀକ୍ଷେତ୍ରକୁ ଆସନ୍ତି, ସେମାନେ ସମସ୍ତେ ଅବଗତ ହୁଅନ୍ତି ।

 

କେତେ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି ଏ ଦେଶ । ପ୍ରାକୃତିକ ଓ ମଣିଷକୃତ । ଧନ, ଜୀବନ, ମାନସଂଭ୍ରମ ଲୁଣ୍ଠିତ ହୋଇଛି । ଦେବତା ଓ ଦେବୀମାନଙ୍କର ପ୍ରତୀକାମୂର୍ତ୍ତି ଓ ମନ୍ଦିରମାନ ଆତତାୟୀମାନଙ୍କଦ୍ୱାରା ଭଙ୍ଗାହୋଇ ମାଟିରେ ମିଶିଛି ।

 

କାହିଁ, ବଳିଆ ଓ କାଳିଆ ଆଉଥରେ ଧଳାଘୋଡ଼ା କଳାଘୋଡ଼ା ଚଢ଼ି ଆସି କେବେ ତା’ର ପ୍ରତିରୋଧ କରିବାକୁ ଗଜପତିଙ୍କର ଦାୟାଦମାନଙ୍କୁ ସାହା ହୋଇନାହାଁନ୍ତି ।

 

ଯେଉଁ ପ୍ରଳୟଙ୍କରୀ ବନ୍ୟାରେ କେବଳ ରାଉତପାଟଣା ନୁହେଁ, ପଚାଶ ଖଣ୍ଡ ଗ୍ରାମର ଏତେ କ୍ଷୟକ୍ଷତି ହେଲା, କୌଣସି ଦେବତା ବା ଦେବୀ ମଣିଷକୁ ସାହା ହୋଇ ନ ଥିଲେ । ତା’ର କେତେବର୍ଷ ପୂର୍ବେ ଯେଉଁ ଦୁର୍ଭିକ୍ଷ ପଡ଼ିଥିଲା, ଯାହା ନ-ଅଙ୍କ ଦୁର୍ଭିକ୍ଷ ନାମରେ ଲୋକମୁଖରେ ପ୍ରଚାରିତ, ତହିଁରେ ଲୋକେ, ଆବାଳବୃଦ୍ଧବନିତା ପୋକମାଛି ପରି ଖାଦ୍ୟାଭାବରେ ଟଳିପଡ଼ିଲେ ।

 

ଏହା ତ ଇଂରେଜ ଅମଳର ଘଟଣା । କୌଣସି ଠାକୁର ଠାକୁରଣୀ ସାହା ହୋଇ ନ ଥିଲେ । ପ୍ରକୃତିର ବିରୁଦ୍ଧରେ ଠିଆ ହୋଇ ଦୁଃଖଦୁର୍ଦ୍ଦଶାକୁ କେହି ବାରଣ କରିପାରି ନ ଥିଲେ ।

 

କିବା ଶକ୍ତି ମଣିଷର ? ଦେବତାମାନଙ୍କ ପାଖରେ ଆକୁଳ ନିବେଦନ, ପୂଜା ଆରାଧନା, କେବଳ ବିକଳ ବିଶ୍ୱାସ ବାଆକୁ ବତା । କର୍ତ୍ତବ୍ୟକୁ ଆଖିଠରା । ମରଣକୁ ‘ତୋ ବୋପା ରାଣ, ତୁ ଆ-ନା’ ନିବେଦନ ।

 

ମଣିଷ ଭିତରେ ବୁଦ୍ଧିବିବେକ ଅଛି । ତାକୁ ପ୍ରୟୋଗ କରି ସବୁ ପ୍ରାକୃତିକ ବିପଦକୁ ବାରଣ କରିବାକୁ, ତା’ ବିରୁଦ୍ଧରେ ସଂଗ୍ରାମ କରି ମଣିଷ ଜାତିକୁ ଧ୍ୱଂସମୁଖରୁ ବଞ୍ଚାଇବାକୁ ତା’ର ଅନ୍ତର୍ନିହିତ ଅମାପ ଶକ୍ତି ଅଛି । ପ୍ରୟୋଗ କରିବାର କୌଶଳ ଉଦ୍ଭାବନ ତା’ରି ସଂକଳ୍ପ ଓ ଉଦ୍ୟମ ଉପରେ ନିର୍ଭର କରେ ।

 

ଅନ୍ଧବିଶ୍ୱାସର ଅନ୍ଧାର ଭିତରେ ଅଣ୍ଡାଳି ହେଲେ, ଅଦୃଶ୍ୟ କେଉଁ ଦେବଦେବୀଙ୍କ ଉପରେ ନିର୍ଭର କଲେ, ସେମାନଙ୍କର ଅଗଣନ ସ୍ଵାର୍ଥନ୍ୱେଷୀ ସେବକ ପୂଜକଙ୍କର ମନଗଢ଼ା ଅବା, ପୋଥିପଢ଼ା କାହାଣୀମାନଙ୍କୁ ସତ ବୋଲି ଗ୍ରହଣ କରି ନିଜର ନିର୍ଭୀକ ମନର ଅମାପ ଶକ୍ତି ହରାଇ ନିରୁଦ୍‌ଯୋଗ ଓ ନିଶ୍ଚେଷ୍ଟ ହେଲେ, ବଞ୍ଚିବା ମରିବା ଆକସ୍ମିକତା ଉପରେ ନିର୍ଭର କରିବ ।

 

ଏହିପରି ବୁଝାଇ କହନ୍ତି ବୁଢ଼ା ଜେଜେମାନେ । ସେମାନଙ୍କର ଜେଜେମାନଙ୍କଠାରୁ ଶୁଣିଲା କଥା ଅଙ୍ଗେନିଭା, ଭେଟିଲା କାହାଣୀ । ସେହି ପ୍ରଳୟଙ୍କରୀ ସରଯୂ ବନ୍ୟାର ସେମାନେ ମୂକ ସାକ୍ଷୀ ଥିଲେ ।

 

ସେମାନେ କହନ୍ତି, ବନ୍ୟାଫନ୍ୟା ହେବ ତ ହେଉ, ପାଣି ଆଉ ବନ୍ଧ ଟପିବ ନାହିଁ । ସେକାଳର କୀର୍ତ୍ତି ୟେ । ସାତ ସମୁଦ୍ର ତେର ନଈ ପାରିହୋଇ ଆସିଥିଲେ ଯେଉଁ ଇଂରେଜ ଲୋକ, ତାଙ୍କରି କାମ ୟେ ହାତୀଉଚ୍ଚର ନଦୀବନ୍ଧ । ସେହିମାନଙ୍କ ଯୋଜନା ।

 

ସେହିମାନଙ୍କର କରାମତି ଯୋଗୁଁ ନଦୀ ଓ ଶାଖାନଦୀମାନଙ୍କରେ ଜଳ ଅଟକାଇରଖି ତାକୁ ନିୟନ୍ତ୍ରଣ କରାଗଲା । ଅଧିକା ଜଳକୁ ନିଷ୍କାସନ କରିବାର ବ୍ୟବସ୍ଥା କରିହେଲା । ସଞ୍ଚିତ ଜଳକୁ ନାଳିମାନଙ୍କରେ ଆଣି ବିଲମାନଙ୍କରେ ମଡ଼ାଗଲା ।

 

ଧୋଇ ନାହିଁ, ମରୁଡ଼ି ନାହିଁ । ଅକର୍ମଣ୍ୟ ପତିତ ପରିତ୍ୟକ୍ତ ଯେଉଁ ଭୂମି ଥିଲା, ସେଥିରେ, ଯାହା କହନ୍ତି, ସୁନା ଫଳୁଛି । ଲୋକେ ସୁସ୍ଥରେ ଅଛନ୍ତି ।

 

ସେହି ବିଧର୍ମୀ ବିଦେଶୀମାନେ କେବେ କୋଡ଼ି, କାଙ୍କ, ଟାଙ୍ଗିଆ, କଟୁରୀ ଧରି, ଦେହରୁ ଝାଳ ନିଗାଡ଼ି, ଦେହମିହନ୍ତ କରି ଏସବୁ କାମ କରି ନ ଥିଲେ । କରିଥିଲେ ଏଇ ଦେଶର ଚାଷୀ-ମୂଲିଆ । କରାଇଥିଲେ ସେହିମାନେ ସୁ-ପରିକଳ୍ପିତ ଯୋଜନା । ଲୋକଙ୍କୁ ନିଯୁକ୍ତି ଦେଇ ପରିଶ୍ରମର ମୂଲ ଦେଇଥିଲେ ।

 

ମରହଟ୍ଟା, ମୋଗଲ, ଏପରିକି ଗଜପତି ରଜାମାନେ ଓ ସେମାନଙ୍କର ପୂର୍ବବର୍ତ୍ତୀ ରାଜବଂଶର ରାଜାମାନଙ୍କ ଅମଳରେ ଯେତେବେଳେ କେବେ ଗଙ୍ଗାରୁ ଗୋଦାବରୀ ବା କାବେରୀ ଯାଏ ଭୂଖଣ୍ଡ ତତ୍କାଳୀନ ରାଜବଂଶର କେଉଁ ନରପତିଙ୍କର ଅଧୀନରେ ଥିଲା, ସେତେବେଳେ କ’ଣ ସାଧାରଣ ଜନତା କେବଳ ସୁଖ ସ୍ଵାଛନ୍ଦ୍ୟରେ ଜୀବନ ବିତାଉଥିଲା ? ସେତେବେଳେ କ’ଣ ପ୍ରାକୃତିକ ବିପର୍ଯୟରେ ମନୁଷ୍ୟ ଦୁଃଖ-ଦୁର୍ଦ୍ଦଶାର ସମ୍ମୁଖୀନ ହେଉ ନ ଥିଲା ?

 

ହୁଏତ ହେଉଥିଲା । ହୁଏତ ତତ୍କାଳିନ ଶାସକମାନେ ସାମୟିକ ଦୁଃଖଦୁର୍ଦ୍ଦଶାବେଳେ ଦୟାପରବଶ ହୋଇ ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା କରୁଥିଲେ କିନ୍ତୁ, ବନ୍ୟା ଆୟତ୍ତ କରିବା, ନଦୀ ଜଳକୁ ଭୂମିରେ ମଡ଼ାଇ ତା’ର ବିନିଯୋଗ କରିବାର ଉପାୟ ଉଦ୍ଭାବନ କରି ନ ଥିଲେ କାହିଁକି ?

 

ବୁଦ୍ଧିମାନ, କୌଶଳୀ, ବିଚାରବାନ ଓ ସୁଦକ୍ଷମାନଙ୍କର ଅଭାବ ନ ଥିଲା । ସେମାନେ ସଭ୍ୟତାର ଉନ୍ମେଷକାଳରୁ ବହୁ ଦୂର୍ଗ, ପ୍ରାସାଦ, ପ୍ରାଚୀର, ସରୋବର, କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ନଦୀସ୍ରୋତର ବେଗରୁ ନଗର ରକ୍ଷା କରିବାକୁ ସୁପରିକଳ୍ପତ ଅତିଦୃଢ଼ କାଳଜୟୀ ବନ୍ଧମାନ ନିର୍ମାଣ କରାଉଥିଲେ । କାହିଁକି ?

 

ମୃତ୍ୟୁପରେ କେଉଁ କଳ୍ପିତ ସ୍ୱର୍ଗରେ ବାସ କରିବାପାଇଁ ? ଏହି ମର୍ତ୍ତ୍ୟପୁରରେ କୀର୍ତ୍ତି ସାଇତି ନାମଟିକୁ ଚିରସ୍ମରଣୀୟ କରି, ଦେହ ନୁହେଁ ତ ସେହି ନାମକୁ ଅଗଣନ ବୁଭୁକ୍ଷୁ ଓ ଦୁଃସ୍ଥଙ୍କ ମୁଖରେ ଅମର କରିବାକୁ ?

 

ତାଙ୍କରି ନାମ, ଯିଏ ରାଜ୍ୟ ବିସ୍ତାର ପାଇଁ ଧନ ମାନ ପ୍ରତିପତ୍ତି, କେଉଁ ସୁନ୍ଦରୀ ନାରୀର ଲୋଭରେ ଅବା ଅତୀତର କେଉଁ ପରାଜୟର ପ୍ରତିଶୋଧ ନେବାପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ବଳି ଦେଇ କେତେ ଲକ୍ଷଙ୍କର ଜୀବନ ନେଇଥିଲେ ।

 

ସେହି ଧନ, ମାନ, କ୍ଷମତା ଓ ରୂପଲାଳସା ବିଳାସୀ ସ୍ତାବକ କଣ୍ଠର ଚଳନ୍ତି-ବିଷ୍ଣୁମାନେ ସ୍ୱର୍ଗରେ ନିଶ୍ଚିତ ସ୍ଥାନ ଅଧିକାର କରିବାପାଇଁ ଯାଗଯଜ୍ଞମାନ ସମ୍ପାଦନ କରିଥିଲେ । ଲୁଣ୍ଠିତ ଧନ ଓ ଦରିଦ୍ର ଜନତାର ସଞ୍ଚିତ ସମ୍ବଳ ଅପହରଣ କରି ଗଚ୍ଛିତ ଅର୍ଥ ସ୍ତାବକ ପୂଜକମାନଙ୍କୁ ଅର୍ପଣ କରିଯାଇଥିଲେ । ସେହିମାନଙ୍କୁ, ଯେଉଁମାନେ ଅତୀତ ପରମ୍ପରାର ସତର୍କ ପ୍ରହରୀ ଓ ସ୍ୱର୍ଗବାସକାମୀମାନଙ୍କର ପଥପ୍ରଦର୍ଶକ ।

 

ତଥାପି ବନ୍ୟା, ଦୁର୍ଭିକ୍ଷ ଓ ବିସୂଚିକାର ଧାପ ସମସ୍ତେ ସହୁଥିଲେ । ହୋମ, ଯଜ୍ଞ, ସଂକୀର୍ତ୍ତନ, ଦେବୀମାନଙ୍କ ପାଖରେ କାଳସିନାଟ, ବଳି, ପଣାପାଣି ଇତ୍ୟାଦି ସତ୍ତ୍ୱେ ନିର୍ଦ୍ଦୋଷ ନିରୀହ, ନିଜର ଦେହର ପରିଶ୍ରମସମ୍ବଳ ଜନତା ଟଳିପଡ଼ୁଥିଲେ ମରଣ ମୁହଁରେ ।

 

ଦେଶର ଏହିପରି ଅବସ୍ଥାର ଦୁଃଖଦ-ଦୁଃସହ ବେଳରେ ପ୍ରାୟ ବିନା ବାଧାରେ, ଅଳ୍ପ ସଂଘର୍ଷ ଓ ଜନକ୍ଷୟ ପରେ ଗତି ନେଇଥିଲେ ସାତ ସମୁଦ୍ର ସେପାରିର ବଣିକ ଜାତି । ଶୃଙ୍ଖଳିତ ଶାସନ ପ୍ରତିଷ୍ଠିତ ହୋଇଥିଲା ।

 

ରାଜୁତିର ଅଳ୍ପ କେତେବର୍ଷ ପରେ ବିଦେଶୀ ଶାସକଙ୍କର ଅଜ୍ଞତାର ସୁଯୋଗ ନେଇ ସେ ବେଳର ଆଇନର ଫାଙ୍କରେ ପଡ଼ୋଶୀ ପ୍ରଦେଶରୁ ଆଗତ କର୍ମଚାରୀମାନେ ଚକ୍ରାନ୍ତ କଲେ; ବହୁ ଜମିଦାରୀ ନିଜ ହାତକୁ ଓଟାରି ନେଲେ ।

 

ସେମାନଙ୍କର ଲୋଭୀ, ଅନୁଦାର, ଅନର୍ଥକ ବିଦ୍ୱେଷପରାୟଣ କର୍ମଚାରୀମାନେ ଲୋକଙ୍କ ଉପରେ ଅତ୍ୟାଚାର କଲେ । ସେମାନଙ୍କୁ ପଶୁତୁଲ୍ୟ ମଣିଥିଲେ । ଯେଉଁମାନଙ୍କର ପୂର୍ବପୁରୁଷେ ନିଜର ଶକ୍ତି ଓ ପରାକ୍ରମରେ ଗଙ୍ଗାରୁ ଗୋଦାବରୀ ଯାଏ ଅଞ୍ଚଳ ବହେ ଶତାବ୍ଦୀ କାଳ ଗୋଟିଏ ଶାସନାଧୀନ କରି ରଖାଇ ପାରିଥିଲେ ସେମାନେ ଇଂରେଜ ଶାସନକୁ ସ୍ୱାଗତ କଲେ ସିନା, ମୋଗଲ ଓ ମରହଟ୍ଟା ବର୍ଗୀଦଳର ଅତ୍ୟାଚାରରୁ ରକ୍ଷା ପାଇବାକୁ, କିନ୍ତୁ ପଡ଼ୋଶୀ ରାଜ୍ୟର କର୍ମଚାରୀଙ୍କର ଚକ୍ରାନ୍ତ ଓ ପରେ ସେମାନଙ୍କର ଅତ୍ୟାଚାର ସହି, ନୀରବ ନିଶ୍ଚଳ ରହିଲେ କିପରି ?

 

ଯେଉଁ ଠାକୁରେ କଳାଘୋଡ଼ା ଧଳାଘୋଡ଼ା ଚଢ଼ି କାଞ୍ଚି ଯୁଦ୍ଧରେ ଯୋଗ ଦେବାକୁ ବାହାରି ଯାଇଥିଲେ ବୋଲି ପ୍ରଚଳିତ ବିଶ୍ୱାସ ଅଛି, ସେଇ ଦୁହେଁ କାହିଁକି ଲୋକଙ୍କୁ ସାହା ନ ହେଲେ ?

 

ସେମାନେ କ’ଣ ବ୍ରିଟିଶ ରାଜର ଆଇନ୍‌କାନୁନ୍ ପଛରେ ଯେଉଁ ବିପୁଳ ମାରଣ-ଶକ୍ତି ଥିଲା ତାକୁ ଭୟ କଲେ ? ଚାରୋଟି ପ୍ରଦେଶରେ ଅନ୍ତର୍ଭୁକ୍ତ ବିଖଣ୍ଡିତ ତାଙ୍କର କଳିଙ୍ଗ ଦେଶ, ସେହି ବ୍ରିଟିଶରାଜର ଅଧୀନରେ ଚାରୋଟି ପ୍ରାଦେଶିକ ଶାସନାଧୀନରେ ରହି ସତ୍ତା ହରାଉଥିବାର ଦେଖି ମଧ୍ୟ ଚାରି ପ୍ରଦେଶର ଅସଂଖ୍ୟ ମନ୍ଦିରରେ ପୂଜିତ ହୋଇ ଜଗାକାଳିଆ ଶୋଇ ରହିଥିଲେ କିପରି ?

 

ଠାକୁରେ କ’ଣ ବ୍ରିଟିଶର କମାଣ ମୁହଁକୁ ଡରିଲେ ? ଭାବିଲେ, ପୁଣି କାହିଁ ପଳାଇ ନିଜେ କେଉଁ ହ୍ରଦ, ବଣ, କାନ୍ତାରର ଗିରିଗହ୍ୱର, ନଦୀମଝିର ଅଗମ୍ୟ ପଥରଖୋଲ, ଅନ୍ୟ ସମୁଦ୍ରକୂଳର କେଉଁ ଗ୍ରାମର କୁଡ଼ିଆରେ ଲୁଚି ଆତ୍ମରକ୍ଷା କରିଥାନ୍ତେ ?

 

ତେଣୁ ଶିକ୍ଷା ଦେଲେ ପରା, ସହିଯିବା, ତୁଣ୍ଡ ନ ଖୋଲି ପିଠିପାତି ରହିଯିବା ଭଲ । ମନ ଭିତରେ ସେକାଳ ଲୋକଙ୍କ କାନରେ ସାନ୍ତ୍ୱନା ଦେଲା ତାଙ୍କ ଭକତଙ୍କ ବାଣୀ: ‘କର୍ମକଷଣ ଦେହ ସହେ, ଅରଣ୍ୟ ଅଜଗର ପ୍ରାୟେ ?’

 

ଯାହାହେଉ, ଇଂରେଜ ସରକାରର ଅଜ୍ଞତା ପାଇଁ ଯାହା ଘଟିଗଲା, ତାକୁ ଆଉ ବଦଳାଇ ହେଲା ନାହିଁ । କିପରି ଲୋକଙ୍କର ଦୁଃଖ ଲାଘବ କରାହେବ ସେହି ଯୋଜନା ସେମାନେ କଲେ ବିଳମ୍ବରେ । ବର୍ଷା ନ ହେବାରୁ ଫସଲହାନି, ପରେ ପ୍ରବଳ ବର୍ଷା ପାଇଁ ନଦୀଗୁଡ଼ିକରେ ନାହିଁ ନ ଥିବା ପ୍ରଳୟଙ୍କରୀ ବନ୍ୟା, ଦୁର୍ଭିକ୍ଷ ପଡ଼ିଲା । ଦେଶର ଏକତୃତୀୟାଂଶ ଲୋକ ଖାଦ୍ୟ ଅଭାବରେ ମରଣ ବରଣ କରିସାରିଥିଲେ ।

 

ନଦୀଗୁଡ଼ିକର ବନ୍ଧ ସୁଦୃଢ଼ କରାଗଲା । ସରଯୂନଦୀର ପଶ୍ଚିମ ପାଖର ବନ୍ଧ ମଧ୍ୟ । ବନ୍ୟାରେ ଯେଉଁ ଗଭୀର ଘାଇ ହେଇଥିଲା ତାହା ବନ୍ଦ କରାଗଲା । ବନ୍ଧ ଉଚ୍ଚ କରାଗଲା ।

 

ରାଉତପାଟଣା ଗ୍ରାମର ଲୋକେ, ଯେଉଁମାନେ ବନ୍ୟା, ଦୁର୍ଭିକ୍ଷ ଓ ଖାଦ୍ୟାଭାବଜନିତ ବିଭିନ୍ନ ପ୍ରକାର ରୋଗର କରାଳ କବଳରୁ କୌଣସିମତେ ରକ୍ଷା ପାଇଥିଲେ ସେମାନେ ଦହର ଦୁଇ ପାଖରେ ରହିଯାଇଥିବା ଅନାବାଦୀ ଗୋଚର ଓ ବାଲିଆ ପତିତ ଭୂମି ଉପରେ ଧୀରେ ଧୀରେ ଘର ତୋଳି ରହିଲେ ।

 

ସୁନାଥାଳି ଗହୀର ଭୂମି, ଯାହାର ବିସ୍ତୃତି, ଯୁଆଡ଼େ ଚାହିଁଲେ ବି ଆଖି ପାଏ ନାହିଁ, ସେଥିରୁ ଅଧେ ପଶିଲା ଘାଇରେ । ବାକି ତକରେ ବାଲି ଗଦାହେଲା । ନୂଆ ବନ୍ଧ ପଡ଼ିଲାବେଳେ ବନ୍ଧ ମାଡ଼ିବସିଲା ବହେ ଜମି । କେତେ ନଈପଠାରେ ସାମିଲ ହେଲା ।

 

ସବୁଜାତିର କେତେ ଗରିବ କୁଟୁମ୍ବ କାଳକ୍ରମେ ଅନ୍ୟଆଡ଼କୁ ଚାଲିଗଲେ । କେତେ ନିଆଶୀ କୁଟୁମ୍ବ ଲୋପ ପାଇଗଲେ । ଯେବେ ବଡ଼ କେନାଲରୁ ଶାଖା କେନାଲ ରାଉତପାଟଣା ଗ୍ରାମର ଉତ୍ତର ଓ ପଶ୍ଚିମର ଗହୀର ମଝିରେ ଖୋଳା ହୋଇ ପାଖଗ୍ରାମଆଡ଼େ ଲମ୍ବିଗଲା, କେତେ ଅନୁର୍ବର ଜମି ଅବଶ୍ୟ ସେହି ବଡ଼ ଶାଖା କେନାଲ ଓ ତା’ର ନାଳଗୁଡ଼ିକର ପେଟରେ ପଶିଲା । ଯାହା ରହିଲା, ନାଳ ପାଣି ମାଡ଼ି ସେତକ ସୁନାଥାଳିରେ ପରିଣତ ହେଲା ।

 

ବୁଢ଼ାବୁଢ଼ୀଙ୍କର ବାଳୁତ କାଳର ଶୁଣିଲା କଥା ସେମାନେ ଗପନ୍ତି–ଜମିଦାରଙ୍କର ପୁଅନାତିଏ ରହିଲେ କଲିକତାରେ । ଆମେ ତାଙ୍କୁ ଦେଖିନାହୁଁ । ତାଙ୍କର କୁଆଡ଼େ ପୁରୀ ସମୁଦ୍ରକୂଳରେ ବଡ଼ ବଡ଼ କୋଠାବାଡ଼ି ଅଛି । କେବେ କେବେ ହାଓ୍ୱା ଶୋଷିବାକୁ ଓ ଠାକୁର ଦର୍ଶନ କରିବାକୁ ସେମାନେ ପୁରୀ ଆସି, ସେହି କୋଠାରେ ରହନ୍ତି ।

 

ତାଙ୍କ ନାଏବବାବୁ ପାଞ୍ଚ ମାଇଲ ଦୂର ହରିପୁର କଚିରିରେ ରହନ୍ତି । ତାଙ୍କୁ ଠାକୁର ମଣି ପୂଜା କଲେ, ଫଳେପୁଷ୍ପେ ଦେଇ ଖୁସି କଲେ, ହାତଯୋଡ଼ି ଜଣାଣ କଲେ ଅନାବାଦୀ ଅକର୍ମା ଭୂମି, ଗୋଚର, ଦଣ୍ଡାର ପଟ୍ଟା ମିଳିଯାଏ । କରଯୋଡ଼ି ଜଣାଣ କରିବ, ଦରକାରବେଳେ ସାଷ୍ଟାଙ୍ଗ ପ୍ରଣିପାତ ।

 

ସେହି ରୀତିରେ ଦହର ଦୁଇ ପାଖର ଅନାବାଦୀ, ଗୋଚର, ଅନୁର୍ବର ଜମି ଉପରେ ଯିଏ ଯେଉଁଠି ଭୂମିରେ ଘର କରି ରହିବାକୁ ନାଏବଙ୍କଠାରୁ ଅନୁମତି ଆଣିଥିଲା, ସେ ସେଇଠି ରହିଗଲା-। ଯିଏ ବେଶି ପାରିଲାର, ନିଜର ପାରିଲାପଣରେ ଯେ ଯେତେ ଆବୋରି ପାରିଲା, ଦେହ ମିହନ୍ତରେ ନିବୁଜ କରି ଘେରାଇ ପାରିଲା, କାଳକ୍ରମେ ସେ ହେଲା ତା’ର ଅଧିକାରୀ ।

 

ଦହର ଉତ୍ତର ପାଖରେ ଯେଉଁଠି ଆଗ ନାୟକ ସାଙ୍ଗିଆଧାରୀ କେତେଘର ଖଣ୍ଡାଏତ ଘର କରି ରହିଲେ, ତାହା ନାୟକସାହି ନାମରେ ପରିଚିତ ହେଲା । ସେହିପରି ଦକ୍ଷିଣ ପାଖର ନାମ ହେଲା ରାଉତପଡ଼ା ।

 

ଦୁଇଟିଯାକ ବସ୍ତିରେ ବିଭିନ୍ନ ଜାତି ଓ ସାଙ୍ଗିଆର ଲୋକଙ୍କ ଘର । ନାୟକସାହି ତୁଳନାରେ ରାଉତପଡ଼ା ଅତି ଛୋଟ । କୋଡ଼ିଏ ପଚିଶ ଘର ଲୋକ ବାସ କରନ୍ତି । ସେମାନେ ସମସ୍ତେ ଗରିବ ଚାଷୀମୂଲିଆ, ଅବା ସେବକଗୋଷ୍ଠୀର କୁଟୁମ୍ବ: ଗଉଡ଼, ଭଣ୍ଡାରୀ, ଧୋବା, ବାଉରି ଓ ତାଡ଼ି ବେପାରୀ ଶିଅଳ ।

 

ନାୟକ ସାହିରେ ପଚାଶ ଷାଠିଏ କୁଟୁମ୍ବର ବାସ । ବିସ୍ତୀର୍ଣ୍ଣ ଗୋଚରପତିତ ଉପରେ ମନଇଚ୍ଛା ଭୂମି ଆବୋରି ନେବାକୁ ସେକାଳେ ସୁବିଧା ଓ ସୁଯୋଗ ମିଳିଥିଲା । କାଳକ୍ରମେ ଗୋଟିଏ କୁଟୁମ୍ବ ଏକାଧିକ କୁଟୁମ୍ବରେ ବିଭକ୍ତ ହେଲା । ସ୍ୱତନ୍ତ୍ର ହେବାରୁ ଆଗର ଘରବାରି ସ୍ୱତନ୍ତ୍ରତା ପାଇଁ ଖଣ୍ଡ ଖଣ୍ଡ ହୋଇଗଲା ।

 

ବନ୍ଧପାଖରୁ ଖଣ୍ଡେଦୂର ଛାଡ଼ି ଦହର ଉତ୍ତର ପାଖରେ ପଶ୍ଚିମ ଦିଗକୁ ପଡ଼ିଛି ଯେଉଁ ରାସ୍ତା ତାହାରି ଉତ୍ତରରେ ରାସ୍ତା ପାଖକୁ ପ୍ରାୟ ଦୁଇଶ ହାତ ଛାଡ଼ି ସେମାନଙ୍କର ଖାନାବାଡ଼ି । ସେହି ରାସ୍ତାଟି ପୂର୍ବେ ଗୋଚର ମଝିରେ ଗୋ-ଦଣ୍ଡା ଥିଲା । ଶଗଡ଼ଗୁଳା । ଦୂରର ଅନ୍ୟାନ୍ୟ ଗ୍ରାମ ସଙ୍ଗେ ସଂଯୋଗକାରୀ ପଥ । ଗହୀରମାଳ ମଝିରେ ତାର ଅଷ୍ଟବକ୍ର ସର୍ପିଳ ଗତି ।

 

ନାୟକ ସାହିର ପୂର୍ବପାଖର ନଦୀବନ୍ଧର ଗଡ଼ାଣିଠାରୁ ବସ୍ତିର ଶେଷମୁଣ୍ଡଯାଏ ଅଂଶ କାଳକ୍ରମେ ନିଜର ସୁବିଧାପାଇଁ ଗ୍ରାମବାସୀ ଉଚ୍ଚ କରିଛନ୍ତି । ତେଣିକି ଶଗଡ଼ଗୁଳାର ଖାଲଖମା । ଦୁଇକଡ଼ରେ ଅରମା । ଗଇଶ, କୋଇଲିଖିଆ କଣ୍ଟା, କାନକୋଳି ଇତ୍ୟାଦି ବୁଦାର ମଝିରେ ଠାଏ ଠାଏ ହୁଙ୍କା, ଯହିଁରେ ବିଭିନ୍ନ ଜାତିର ସାପ ବାସ କରନ୍ତି ।

 

ସେହି ଦଣ୍ଡାରୁ ବାହାରି ଦହର ପଶ୍ଚିମ ଦିଗରେ ଅବସ୍ଥିତ ଗହୀର ବିଲ ମଝିରେ ଦକ୍ଷିଣ-ପୂର୍ବମୁହାଁ ପଡ଼ିଛି ଶଗଡ଼ଗୁଳା । ଉର୍ବର ଗହୀରବିଲ ମଝିରେ । ମଶାଣି ଭୂଇଁର ଦକ୍ଷିଣ କଡ଼ରେ । ସରଯୂନଦୀର ବନ୍ଧଯାଏ । ସେହି ସ୍ଥାନରୁ ମଶାଣିର ଉତ୍ତରରେ ଅବସ୍ଥିତ ପୁରୁଣା ବରଗଛ ତଳର ଶିବମନ୍ଦିର ବେଶି ଦୂର ନୁହେଁ ।

 

ସେଠାରେ ବନ୍ଧତଳର ପଠା ନଦୀକୂଳଯାଏ ବିସ୍ତୃତ । ସରଯୂର ଜଳଧାର ଏବଂ ଦ୍ୱିତୀୟ ଗଣ୍ଡ, ଅକାତକାତ ଜଳ ଗ୍ରୀଷ୍ମକାଳରେ ବି ଥାଏ । ପୂର୍ବପଟର ଖଣ୍ଡିତଳେ ରହେ । ରାଉତପାଟଣାର ଦୁଇଟି ପଡ଼ାର ଲୋକେ ତା’ର ବିଶେଷ ଉପଯୋଗ କରିପାରନ୍ତି ନାହିଁ । ତେଣ୍ଡାପାଣି ତ ସାଉଁଟିଲେ କାଣ୍ଡ ସଙ୍ଗେ ସରି ।

 

(୨)

ଆଖ୍ୟାନ

 

ପଣା ସଂକ୍ରାନ୍ତି ଯିବାର ଦୁଇଦିନ ପରେ । ସେଦିନ ସୋମବାର । ଚୈତ୍ର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ସୂର୍ଯ୍ୟ ବୁଡ଼ି ନ ଥାନ୍ତି । ଆଖି ଅପହଞ୍ଚ ଦହର ଉତ୍ତର-ପଶ୍ଚିମ କୋଣର ଗଛଗହଳି ସେପାଖେ ଅଦୃଶ୍ୟ ହୋଇଛନ୍ତି । ପଟାଳିଆ କିରଣଜାଳ ପଶ୍ଚିମ ଆକାଶର ଖଣ୍ଡେଦୂରଯାଏ ଲେପି ହୋଇଛି । ବେଶି ବେଳ ଚାହିଁ ହେଉନାହିଁ ।

 

ଜେମାଦେଈ ଦୃଷ୍ଟି ଫେରାଇଲେ । ସେ ତାଙ୍କର ଉଚ୍ଚ ଡିହ ଉପରେ ନୂଆହୋଇ ତୋଳା ହୋଇଥିବା ଖଞ୍ଜାଟିର ଦାଣ୍ଡ ପିଣ୍ଡାରେ ବସି ଦହ ଉପରକୁ ଓ ଚଉଡ଼ା ବିସ୍ତୃତିରୁ ଆରପାଖ ନାୟକସାହିର ଗଛଗହଳି ଆଡ଼କୁ ବାରମ୍ବାର ଚାହୁଁଥିଲେ ।

 

ପିଣ୍ଡା ତଳରୁ ପ୍ରାୟ କୋଡ଼ିଏ ହାତ ଛାଡ଼ି ରାଉତପଡ଼ାର ଗାଁ-ଦାଣ୍ଡ । ସେଇଟା ବି ସେତିକି ଓସାର । ଦହର ଗଡ଼ାଣି କଡ଼େ କଡ଼େ, ଅନ୍ୟମାନଙ୍କର ଘର ଆଗପଟେ ଅଙ୍କାବଙ୍କା ହୋଇ ଦୂରରେ ଅବସ୍ଥିତ ବୁଢ଼ା ବରଗଛ ତଳର ବଟେଶ୍ୱର ମହାଦେବଙ୍କ ମନ୍ଦିର ଆଡ଼କୁ ପଡ଼ିଛି ।

 

ଡିହଗୁଡ଼ିକ ଉଚ୍ଚ କରି ହୋଇଥିଲେ ମଧ୍ୟ ଯେଉଁ ବର୍ଷ ଅଧିକ ବର୍ଷା ହୁଏ, ଦହର ପାଣି ଦଣ୍ଡା ବୁଡ଼ାଇ ଘରର ପିଣ୍ଡାଗୁଡ଼ିକୁ ଲାଗେ ।

 

ଥରେ ତ ପଛୁଆଣି ପାଣି ବାରିପଟେ ଆସି ନଳାବାଟେ ଅଗଣାରେ ପଶିଥିଲା । ବଳାଗଣ୍ଠିଏ ହୋଇଥିଲା । ମନରେ ଛାତିଥରା ଛନକା ଆଣିଥିଲା ।

 

ଦୁଃଖନ ଟି ପେଟରେ ଥାଏ । ସେ ବର୍ଷ ନାହିଁ ନ ଥିବା ବର୍ଷା ଓ ତୋଫାନରେ ପୃଥ୍ୱୀ ପ୍ରଳୟ ହେଲାପରି ଆଶଙ୍କା ହେଉଥାଏ । ସରଯୂନଦୀ ପ୍ରବଳ ବଢ଼ିଥାଏ । ପାଣି ବନ୍ଧର ମୁଣ୍ଡପତ୍ତନରୁ ଦୁଇ ହାତ ତଳେ ଅତି ପ୍ରବଳ ବେଗରେ ପ୍ରବାହିତ ହେଉଥାଏ ।

 

ଛାତି ଦୁଡ଼୍‍ଗୁଡ଼୍‍ । ତାଙ୍କର ଅଭିଶପ୍ତ ନିଉଁଛଣା ଜୀବନଟା ପାଇଁ ନୁହେଁ, ହତଭଗିନୀ ଲକ୍ଷ୍ମୀପ୍ରତିମା ସବୁ ଭଲଗୁଣରେ ପରିପୂର୍ଣ୍ଣା ସଦ୍ୟ ବିଧବା ଭାଉଜ ରଙ୍ଗଲତା ପାଇଁ । ସେ ପେଟରେ ଆଠମାସର ପିଲା ଧରିଥିଲା ।

 

ପୁଅଟିଏ ହେବ ବୋଲି ଜେମାଦେଈ ଆଶା କରୁଥିଲେ । ବଡ଼ ରାଉତ ବଂଶର ସେହି ଏକମାତ୍ର ସମ୍ଭାବ୍ୟ ସନ୍ତକ ହୋଇ ରହିବାର ଭରସା ରଖିଥିଲେ । ଜେମାଦେଈ ତାଙ୍କର ସୁନାକଣ୍ଢେଇ ସାନଭାଉଜକୁ କୋଳେଇ ଧରି ମୁଣ୍ଡ ଆଉଁସି ଦେଉଥିଲେ । ସାନ୍ତ୍ୱନା ଦେଉଥିଲେ ଡରନା ଲୋ ଲତା, ବାଆବତାସ ଆସୁ, ଘଡ଼ଘଡ଼ିର ରଡ଼ି ପୃଥୀ ଦୋଲକାଉ, କେଉଁଠି ଚଡ଼କ ପଡ଼ିଲେ ପଡ଼ୁ, ତୋର କିଛି ହେବନାହିଁ । କାଳିଆ ଠାକୁରକୁ ସୁମରଣା କରୁଥା’ । ମୁଁ ବି କରୁଛି । ଆମର କିଛି ହେବ ନାହିଁ ।

 

ମହାଦେବଙ୍କ ପାଖରେ ମୁଁ ମାନସିକ କରିଛି । ପୁଅଟିଏ ହେଲେ ତାଙ୍କରି ନାମ ଦେବି । ଝିଅ ହେଲେ ତାଙ୍କ ଘରଣୀଙ୍କ ନାମ ଦେବି ‘ପାର୍ବତୀ’ । ସେ ତତେ ରକ୍ଷାକରତା । ତୁ ଛାନିଆଁ ହଅନା ।

 

ବର୍ଷା ଥମିଲା । ତୋଫାନ କମିଲା । ରାତିଅଧକୁ ପାଣି ବି କମିଲା । ରାତି ପାହିଲାବେଳକୁ ଅଗଣା ଭିତରୁ ପାଣି ଖସିଲା । ସଫେଇନାଳରେ ଦହର ଫୁଲିଲା ପାଣି ଖଲାସ ହେଲା ପରା ।

 

ଗହୀରମାଳ ମଝିରେ ହୋଇଥିବା ଜଳନିଷ୍କାସନୀ ସଫେଇନାଳ । କେଉଁଠୁ ବାହାରି କେତେ ଗ୍ରାମର ମଧ୍ୟଦେଇ ବହୁ ଦୂରରେ କେଉଁଠି ବଡ଼ ନଦୀରେ ମିଶିଛି । ଛୋଟ ନଈଟିଏ ପରି ।

 

ବରଷଣା ପାଣିରେ ସେ ଆପେ ହୋଇଛି, ଅବା ଗହୀରମାଳରେ ଜଳ ମଡ଼ାଇବାକୁ ନାଳ କଲାବେଳେ ଖୋଳା ହେଇଛି, ଜେମାଦେଈ ନିଜେ ଜାଣନ୍ତି ନାହିଁ । ଦୁଃଖନ ତ କାଲିକା ମେଞ୍ଚଡ଼ । ତାକୁ ଗୋଚର ହେବ କିପରି ।

 

ଜେମାଦେଈ ଦହ ସେପାରି ପଶ୍ଚିମ ଆକାଶରୁ ଭାବନା ବାହୁଡ଼ାଇଲେ । ରାଉତରାୟ ଘରର ବିତିଲା ଅତୀତ ଓ ତା’ ସଙ୍ଗରେ ଓତଃପ୍ରୋତ ଭାବରେ ଜଡ଼ିତ ଥିଲା ଯେଉଁ ପରିବେଶ, ତହିଁରେ ବିଚରଣ କରାଉଥିଲେ, ସୁମରୁଥିଲେ ଘଟଣାବଳୀ ।

 

ସୂର୍ଯ୍ୟ ଦୂରଦିଗ୍‍ବଳୟର ଗଛଗହଳି ତଳେ ଛପିଗଲେ । କେବଳ ଆକାଶରେ ଦିଗ୍‍ବଳୟର ଅଳପ ଉପରେ ଭାସନ୍ତା ପାତଳ ଜୀମୂତମାଳରେ ଫଗୁଆ ଲାଲିମା ଲେସି ହୋଇଥିଲା ।

 

ଦୁଃଖନ ଆଜି କେତେବେଳେ ଜେନାଙ୍କ ଘରୁ ଫେରିବ କେଜାଣି ।

 

ସେ ନ ଫେରିବାଯାଏ ମନ ଦକଦକ । ପ୍ରାଣ ଛଟପଟ । ଜନମରୁ ଦୁଃଖୀ ସେ । ପେଟରଣ୍ଡା । ବାପର ମୁହଁ ଦେଖି ନ ଥିଲା । ମା’-କ୍ଷୀର ମାସ ଦୁଇଟା ଶୋଷି ଥିଲା । ପେଟରେ ବୋହିବା ଛଡ଼ା ତା’ ମା’ ରଙ୍ଗଲତାର ସେତିକି ସେ ଛୁଆ ଧାରିଥିଲା ।

 

ନା, ସେତିକି ନୁହେଁ । ତା’ର ନାମଟି, ଯାହାରି ଦେହରେ କେତେ ବ୍ୟାକୁଳତା, ଆଗ୍ରହ ଓ ଆଶା ସେହି ସୁନାଖଡ଼ିକା ଭାଉଜ ଭରିଦେଇଥିଲ । ଶିବଙ୍କର ବେଲପତ୍ର ପାଦୁକ ଓ ଅଙ୍ଗଲାଗୀ ଜଳ ପାଇ ସେ ଶୂଳଖିଆ ଯନ୍ତ୍ରଣାରୁ ରକ୍ଷା ପାଇଥିଲା ।

 

ଦେଢ଼ଦିନ ମରଣଯନ୍ତ୍ରଣା ଅଙ୍ଗେ ଲିଭଇଲା ପରେ ସେ ଆକୁଳ-ବିକଳ ହୋଇ ଯେମିତି ମହାଦେବଙ୍କ ବେଲପତ୍ର ପାଣି ପାଟିରେ ଥୋଇଛି, ଆସିଲା ଗୋଟାଏ ତୋଫାନିଆ ଶୂଳ । ପିଲା ଆସି ତଳେ । ପ୍ରାଣବିକଳରେ ଲତା ତାକୁ କୁଣ୍ଢାଇ ଧରିଥିଲା ।

 

ଆହା, କେତେଦିନ ବା ଛୁଆର ମୁହଁ ଦେଖିଥିଲା ସେ ହତଭାଗିନୀ । ବହୁ ଦୁଃଖ ଭୋଗି, ଯନ୍ତ୍ରଣାରେ କାନ୍ଦି କାନ୍ଦି ମାସ ଦୁଇଟା ନ ପୂରୁଣୁ ମଲାନାହିଁ ଯେ, ଜାଣ ତରିଗଲା । ତାଙ୍କରି ନିଃସାହା ମୁଣ୍ଡଉପରେ ଲଦି ଦେଇଗଲେ ଗୁରୁ ଦାୟିତ୍ୱର ବୋଝ..ବଡ଼ ରାଉତ କୁଳର ଶେଷ ସମ୍ବଳର ଜୀବନ ଏ ଦୁନିଆରେ ତା’ର ଥାଇତି ।

 

ଶଶୁରଘର ଗ୍ରାମକୁ ତାଙ୍କର ଆଉ ଫେରିବାର ପ୍ରଶ୍ନ ଉଠିନାହିଁ । ସେମାନେ, ସେହି ଦିଅରମାନେ, ଜାଆମାନେ ସେଇଆ ଚାହାନ୍ତି । ରାଣ୍ଡ ମାଇପିଟା, ମୁଠିଏ ଖାଇ ଖଣ୍ଡେ ପିନ୍ଧି ବଞ୍ଚି ରହିବାର କଥା । ଦୁଇ ଜାଆଙ୍କର ପୁଅଝିଅଙ୍କର ଅଭାବ ନାହିଁ । ସେମାନଙ୍କର ସେବା କରି, ଯତ୍ନନେଇ, କୋଳାଇ-ଖେଳାଇ ଆପଣାର କଲେ ବେଳ ବିତିଯିବ ।

 

ମହାପାତ୍ର ଘରର ବଡ଼ ବୋହୂ । ଭୂମିବାଡ଼ିର ଅଭାବ ନାହିଁ । ସେ କାହିଁକି ଦୁତିଅ ହୋଇ ଅନ୍ୟ ସଂସାର କରିବାକୁ ଯିବ ?

 

ଦୁଇକୁଳର ସମ୍ମାନ ବଢ଼ିବ ।

 

ବଡ଼ ରାଉତ ଘର ଦଇବି ଦୁର୍ଯ୍ୟୋଗରୁ ଦି’ ପୁରୁଷ ହେଲା ଦବିଗଲେ ସିନା, ଆଗରୁ ସନମାନର ଊଣା ନ ଥିଲା । ସେ କୁଟୁମ୍ବର କେହି ଚାଲିଯାଉଥିଲେ ଗର୍ଭିଣୀ ଗାଈ ବାଟ ଛାଡ଼ୁଥିଲା । ଜେମା ସେ ଘରର ଝିଅ । ଭଗ୍ୟଦୋଷରୁ କପାଳରୁ ସିନ୍ଦୁର ଲିଭିଲା ବୋଲି ଦ୍ୱିତୀୟ ସଂସାର କରିବ-

 

ସେ ଚିନ୍ତା ଜେମାଦେଈ କେବେ ମନକୁ ଆଣି ନ ଥିଲେ ।

 

ନିଜ ନିଜ ମଧ୍ୟରେ ଖୁରିଖଳବ ଲଗାଇ, ମନ ଫଟାଫଟି ହେଉଥିଲେ ଯେଉଁ ସାନ ଜାଆ ଦିହେଁ ସେମାନଙ୍କ ମଧ୍ୟରେ ଶାନ୍ତି ସର୍ଜନା କରିବାର ଉଦ୍ୟମରେ ସମୟ କଟିଗଲା ।

 

ଝିଆରୀମାନେ ପରଘରୀ ହେଲେଣି । ପୁତୁରାମାନେ ନିଜ ନିଜ ମଧ୍ୟରେ ତୋର-ମୋର ଭାବ ପ୍ରକାଶି ମନଫଟାଫଟି ହେଲେଣି ।

 

ଝିଅମାନଙ୍କର ବାହାଘର ପାଇଁ ବାଦବୁଦିଆ ପଣରେ କେତେ ଜମି ବିକ୍ରି ହୋଇଥିଲା । ବଡ଼ ଭାଉଜ ସେ, ସମସ୍ତେ ତାଙ୍କର ଝିଅ । ବଡ଼ଟି ଯାହା ନେଇ ପରଘରକୁ ଗଲା, ଅନ୍ୟମାନେ ସେଥିରୁ ଉଣା ନିଅନ୍ତେ କିପରି ।

 

ସମ୍ପତ୍ତି କପୂର ଯାଇ କନାରେ ରହିଲା । ସେତକ ବି ଦି’ ଭାଗରେ ନିଜ ନିଜ ମଧ୍ୟରେ ବୁଝାମଣା କରି ବାଣ୍ଟ କରିନେଲେ । ଜେମାଦେଈଙ୍କର ଭରଣା ପୋଷଣ ଓ ଚଳନ ପାଇଁ ଜମି ତିନିମାଣ ଓ ଘର ବଖରାଏ ଛାଡ଼ିଦେଲେ ।

 

ଏବଯାଏ ସେ ଜମି ତାଙ୍କର ଅଛି । ବଡ଼ ପୁତୁରା ଚାଷବାସ କରାଇ ଭାଗ ଫସଲ ବିକି କିଛି କିଛି ଟଙ୍କା ଅମଳ ପରେ ପଠାଇ ଦିଏ, ଅବା କେବେ ନିଜେ ଦେଇଯାଏ । ନିହତ ଜଗିଛି । ତା’ର ଦୟା । ସେ ବି ପୁଅଝିଅଙ୍କର ବାପ ହେଲାଣି ।

 

ଘରକୁ ଫେରିଯିବାକୁ ସେ ଡାକେ । ଗୋଡ଼ଧରି ଅଳି କରେ ସେ, ପିଲାଦିନେ ଯେମିତି କରୁଥିଲା ।

 

କହେ, “ତମ ଗୋଡ଼ଧରୁଛି ବଡ଼ବୋଉ, ନିଜ ଘରକୁ ଆସ । ବାପଘରଟାରେ ଆଉ କେତେବର୍ଷ ବିତାଇବ ?’’

 

ଜେମାଦେଈଙ୍କର ସେହି ଏକାପରିକା ଉତ୍ତର, ‘ବାପରେ, ରାଜୀବ; ଝିଅ ପରଘରୀ ହେଲେ ସେଇ ପରଘର ହୁଏ ନିଜର । ଯେଉଁଠି ଦିନେ ଜନମିଥିଲା, ଖେଳକୌତୁକରେ ଆତ୍ମୀୟଙ୍କ ମେଳରେ ବେଳ ବିତାଇଥିଲାରେ ବାପ, ବିଦାବିଦି ହୋଇ ଆସିଲାବେଳେ କାନ୍ଦି କାନ୍ଦି ଆକାଶ ପାତାଳ ଦୋହଲାଇଥିଲା, ସେ ପୁଣି ହୁଏ ପର ।’

 

ସତ, ବଡ଼ବୋଉ, ଏବେ ଘରକୁ ଚାଲ । ବୋହୂମାନେ ତମର ସେବା କରିବେ । ନାତିନାତୁଣୀଙ୍କ ସଙ୍ଗେ ଖେଳି, ପୁରାଣ ଶୁଣି, ଠାକୁର ପୂଜି ବେଳ କଟାଇବ । ସୁଖରେ ରହିବ ।

 

ଜାଆଟିମାନେ ତ ମୋ ଆଖିରେ ନାଚୁଛନ୍ତି, ଯେମିତି ରୂପରେ ସେମାନଙ୍କୁ କୋଡ଼ିଏ ବର୍ଷ ତଳେ ଦେଖି ଆସିଥିଲି, ସେମିତି । ସେମାନଙ୍କୁ ଖାଲି ସପନରେ ଦେଖେଁ । ବୋହୂଟିମାନଙ୍କୁ ବି ।

 

କହନ୍ତି, ପୁଣି ଯିବିରେ ପୁଅ, ନିଶ୍ଚେ ଯିବି । ସେଇ ସିଂହପୁର ପାତ୍ରପଡ଼ା ଗାଁରେ, ବିଖ୍ୟାତ ମହାପାତ୍ର ବଂଶର ମଶାଣିରେ, ତୋ’ରି ହାତରେ ନିଆଁ ଘିନିଲେ ମୁଁ ମୁକ୍ତି ଲଭିବି ।

 

ଆରେ ରାଜୀବ, ଏତିକି ମୋର ଆଶା । ଯେଉଁ ଦୁଃଖନଟିକୁ ଉଣେଇଶ ବର୍ଷ ହେଲା, ମୁଁ ତାକୁ ଜାଣ ତ ଜନମ ଆଗରୁ, ମା’ ପେଟର ପାଣିହାଣ୍ଡି ଭିତରେ ଖେଳିଲା ଦିନରୁ, ବଞ୍ଚାଇ ଆସିଛି । ଆରଥର ତ ଆଇଲାବେଳେ, ଚାରି କି ପାଞ୍ଚ ବର୍ଷ ତଳେ ହେବ ପରା, ତା’ ଜନମ ବୃତ୍ତାନ୍ତ କହୁଥିଲି-। ଭୁଲି ଯାଇଥିବୁ ।

 

-ମନେଅଛି, ବଡ଼ବୋଉ ।

 

-କ’ଣ କି ବାପ, ତମ ଘରକୁ ବଡ଼ବୋହୁ ହୋଇ ଯାଇଥିଲି । ତମ ଜେଜେ ବଞ୍ଚିଥିଲେ । ତମ ଜେଜେମା’, ତମ ବଡ଼ବାପାଙ୍କ ତଳେ ଜନମିଥିବା ଦୁଇ ଝିଅଙ୍କର ବାହାଘର ସାରି ସେ ପୁରକୁ ଯାଇସାରିଥିଲେ । ତୋ ବାପ ଓ ଦାଦି ସେମାନଙ୍କ ତଳେ ଜନମ । ସାତବର୍ଷ ଲେଖାଏଁ ସାନ ବଡ଼ । ମୋଠୁଁ ବୟସରେ ସାନ ।

 

ତୋ ବୋଉ ଓ ଖୁଡ଼ୀଙ୍କୁ ମୁଇଁ ବନ୍ଦାପନା କରି, ନୂଆବୋହୁ କରି ଘରକୁ ଆଣିଥିଲି । ଆମର ସୁଖର ସଂସାର । ସେମାନେ ଆସିବା ଆଗରୁ, ବୁଢ଼ା ଶଶୁର ବଞ୍ଚିଥିବାବେଳେ, ମୋ ପେଟରୁ ଜନମିଥିଲା ମଲା ପୁଅଟିଏ । ଶଶୁର ତାକୁ ଦେଖିଛନ୍ତି । ମୁଁ ବି ସେବେ ମରୁମରୁ ବଞ୍ଚିଗଲି-

 

ମାଇପି ଜନମ ବଡ଼ କଲବଲ, ବଡ଼ ହୀନିମାନରେ ଧନ । ଶଶୁରଙ୍କ ମନରେ କି ଦୁଃଖ ହେଲା କେଜାଣି ସେ ଖାଲି ଗୁମ୍ ହୋଇ ବସିଲେ । ଆଉ ଗୋଟିଏ ଛୁଆ ବରଷକ ପରେ ମୋ ପେଟରେ ବୁଲିଲା । ଶଶୁରେ ଜାଣିଲେ । ତାଙ୍କର ମୌନପଣ ଭଙ୍ଗିଲା ।

 

ଅତି ଦୁର୍ବଳ ସେ ହୋଇପଡ଼ିଥାନ୍ତି । ତାଙ୍କର ପାଦ ମଞ୍ଚାଳିଲେ ସେ ଖାଲି ଠାକୁର ଠାକୁରାଣୀଙ୍କ ନାମ ଧରି ଆଶୀର୍ବାଦ କରନ୍ତି । ମନ୍ଦିରମାନଙ୍କରେ ପୂଜା କରାଉଥାନ୍ତି । ଠାକୁରାଣୀମାନଙ୍କ ପାଖରେ କେତେ ମାନସିକ । ବାଇଦ ବାଜଣା, ସ୍ନାହାନ...

 

ନାତି ବା ନାତୁଣୀଟିଏ ଦେଖିବାକୁ ତାଙ୍କର କି ବ୍ୟାକୁଳତା । ପଣି ଦିନେ ସେ ହତାଶ୍‍ ହେଲେରେ ବାପ । ମୁଁ ନିଆଁଲାଗୀଟା ତାଙ୍କର ଆଶା ପୂରଣ କରିପାରିଲି ନାହିଁ । ସାତମାସର ଯେଉଁ ପୁଅଟି ଜୀଅନ୍ତା ଜନମ ହେଲା ଆଖିଡୋଳା ଖୋଲି ଚଢ଼େଇଛୁଆ ପରି ଚିଁ ଚିଁ କେତେଥର ବୋବାଇଥିଲା, ସେ ଆଖି ବୁଜି ଦେଲା, କାଠ ହୋଇଗଲା, ସେହି ଏନ୍ତୁଡ଼ି ଘରେ ।

 

ମୁଁ ମୂର୍ଚ୍ଛା ହୋଇଗଲି ।

ତୋ ଜେଜେ ଆଉ ବେଶୀଦିନ ବଞ୍ଚିଲେ ନାହିଁରେ ପୁଅ । କେତେଦିନ ପରେ ବସିଲାଠେଇଁ ସେ ଢଳିପଡ଼ିଲେ । ଏଇ ଦୁଃଖରେ ମଲେ, ଅବା ଆଉ କେଉଁ ଦୁଃଖ ମନଭିତରେ ଗୁମୁରୁଥିଲା, ସେକଥା କିଏ କହିବ ?

ମଣିଷ ମନରେ ଦୁଃଖ ବେଶୀଦିନ ରହେ ନାହିଁ । ପୁଣି ସ୍ୱାଭାବିକ ସୁଖଦୁଃଖର ଜୀବନ ଫେରିଆସେ । ସେ ପୁଣି ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଖୋଜିବୁଲେ ।

ପୁଅରେ, ତାଙ୍କ ମରଣର ଦୁଇଟି ବର୍ଷ ପୁରୁଣୁ ମୋ ଛଟପଟ ଝୁରିଲା ଜୀବନରେ ଶାନ୍ତି ଆଣିବାକୁ, ତୋ ବଡ଼ବାପାଙ୍କ ମୁହଁର ଲିଭିଲା ହସକୁ ପୁଣି ଉଜ୍ଜ୍ୱଳ କରିବାକୁ, ବାରଜାଗାରେ କେତେ ଝିଅଙ୍କୁ ଦେଖି, ମୋ ମନ ଲାଖୀ ସାନ ଜାଆଟିଏ ବାଛି ଘରକୁ ଆଣିଲି ।

ତୋ’ରି ବୋଉ ମ । ରୂପଗୁଣ କିଏ ଖୁଣିବ? ସ୍ୱାସ୍ଥ୍ୟ ଯେମିତି ଭଲ, କାମ ସେମିତି ସୁତୁରା-। ଲୋଟଣୀପାରା । ଅଳସ ହୋଇ ବସିବାକୁ, ଖଳ ଲୋକଙ୍କ କଥା ଶୁଣିବାକୁ ସେ ତର ପାଏ ନାହିଁ ।

ହେଲେ, ତା’ଠାରୁ ଆମେ ଯାହା ଖୋଜୁଥିଲୁଁ ପାଞ୍ଚବର୍ଷ ଯାଏ ପାଇ ନ ଥିଲୁଁ । ତୋ’ ବଡ଼ବାପା ତୋ ବାପାଠାରୁ ସାତ ବର୍ଷ ବଡ଼ । ତାଙ୍କର ପେଟ ବେମାରି ଥିଲା । ଅମଳ କିଛି ଧରି ନ ଥିଲେ । ନିମିତ୍ୟ ପର୍ବରେ ପାନ ଖଣ୍ଡ ବି ପାଟିରେ ଥୁଅନ୍ତି ନାହିଁ । ଦିନେ ସେ ଭୀମ ପରି ବଳୁଆ ଥିଲେ । ଚାଷକାମରେ କେହି ତାଙ୍କର ସମସରି ନ ଥିଲେ ।

ଜେମାଦେଈ ବୁଢ଼ୀଙ୍କ ଶୁଖିଲା ଆଖିରୁ ମୁକ୍ତାବିନ୍ଦୁ ପରି କେତେ ଠୋପା ଲୁହ ଝରିପଡ଼େ । କହନ୍ତି, ‘ଗାଁ ପଞ୍ଚାୟତରେ ସେ ନିକିତି ଧରି ବସନ୍ତି । ଧର୍ମ ଯୁଜେଷ୍ଠି ।’

ତାଙ୍କ ପେଟର ବେମାରି ଅସହ୍ୟ ହେଲା । ହାତଗୋଡ଼ ଦିନୁଦିନ ସରୁ ହେବାକୁ ଲାଗିଲା ।

କି କଷ୍ଟ ତାଙ୍କୁ ହେଉଥିଲା, କିଏ ଜାଣେ ? କେତେ ପ୍ରକାର ଔଷଧ ଖାଇଲେ । ଫଳ ହେଲା ନାହିଁ । କିଏ କହିଲା ପାଣିର ଦୋଷ । କିଏ କହିଲା ଗ୍ରହର ଦୋଷ । ଆଉ କିଏ କହିଲା ତାଙ୍କର ଅଜାଣତରେ, ମାଈଅନ୍ଧାରବେଳେ, କେଉଁ ଠାକୁର ବା ଠାକୁରାଣୀ ଯ।ଉଥିଲାବେଳେ, ସେଇ ଆଡ଼କୁ ମୁହଁ କରି ପ୍ରସା କରିଛନ୍ତି । ଅମାନ୍ୟ ଦୋଷରୁ ଭିତରଟା କୋରି ହୋଇଯାଉଛି । ପ୍ରତିକାର କଲେ ଭଲ ହୋଇଯିବ ।

ତୋ ବଡ଼ ବାପା ଏସବୁ କଥା ଶୁଣି ହସି ଉଡ଼ାଇ ଦିଅନ୍ତି । କହନ୍ତି, ତୋ’ର ବାପାକୁ, ମତେ, ଆଉ ତୋ ବୋଉକୁ ଶୁଣାଇ, ‘ଏସବୁ କଥାରେ ବିଶ୍ୱାସ କର ନାହିଁ । ପୂର୍ବ ଜନ୍ମର କେଉଁସବୁ ପାପର ଫଳ ମୁଁ ଭୋଗୁଛି । ଉଧାର ସେରକ ତିନି ପା ହେବ ନାହିଁ । ପାଞ୍ଚ ପା ବି ହେବ ନାହିଁ । ଅବଶ୍ୟ ଭୋଗତମାନ ହେବ । ସବୁ ଦୁଃଖଯନ୍ତ୍ରଣା ମୁଁ ସହିଯାଏଁ । ଏଇ ଜନମରେ ସରୁ; ଆର ଜନମକୁ ବାକିଆ ନ ଥାଉ ।’

ପୁଣି କହନ୍ତିରେ ବାପ, ‘ମୋ’ର ଆଶା ଥିଲା, ଏଇ ମହାପାତ୍ର କୁଳର ଆସନ୍ତା ପୁରୁଷର ମଙ୍ଗୁଆଳଟିକୁ ଦେଖିଯାଇଥାନ୍ତି, ଯିଏ ଦିନେ ଏଇ କୁଟୁମ୍ବର ନାଆଁକୁ ସବୁ ମଳିମାଳି କଟାଇ, ଝଡ଼ତୋଫାନରେ ବି ଠିକଣା ବାଟରେ ନାବ ସୁରୁଖୁରୁରେ ଚଳାଇବ । କେଜାଣି, ମୋ ମନକାମନା କାଳିଆ ଠାକୁର ପୂରଣ କରିବେ କି ନାହିଁ ।

ତାଙ୍କ ଆଶା ପୂରଣ ହୋଇଥିଲା । ହେଲେ, ଯେଉଁ ନାମ ତୋର ଦେବାପାଇଁ ବାଛିଥିଲେ, ସେତକ ସେ କାନରେ କହିଯିବାକୁ ଏକୋଇଶା ଯାଏ, ସହି ପାରିଲେ ନାହିଁ ।

 

ତୁ ଏନ୍ତୁଡ଼ିଶାଳରେ ଥିଲୁ । ଚାରିଦିନର ଛୁଆ । ସେ ମନଖୁସିରେ ଆଖି ବୁଜିଲେ । ତେବେ ତୋ ମୁହଁ ସେ ଦେଖିଛନ୍ତି । କୁଆଁରଡ଼ି ଶୁଣିଛନ୍ତି । ତାଙ୍କର ଆଶା ପୂରଣ ହୋଇଥିଲା । ସେତିକି ଆମର ମନକୁ ସାନ୍ତ୍ୱନା ଦେଇଥିଲା ।

 

...ତୋ ଜନମର ବର୍ଷକ ପରେ ତୋ ଦାଦାଙ୍କର ବାହାଘର ହେଲା, ପାଖ ଗାଁର ଖୁସିବାସିଆ ଚାଷୀଘରେ । ନିଶ୍ଚୟ ତାଙ୍କର ବହୁକୁଟୁମ୍ବୀ ଘର ।

 

ଟିକିଏ ନିଅଣ୍ଟିଆ ଅଭାବୀ ହୋଇଥିବ । କାରଣ, ତୋ ଖୁଡ଼ୀ ବେଶ୍ ସୁନ୍ଦରୀ, ସ୍ୱାସ୍ଥ୍ୟବତୀ ଓ କାମିକା । ହେଲେ କି ହେବ, ସେ ଟିକିଏ ଛୋଟ ନଜରୀ ।

 

...ମୁଁ ତୋ’ର ସାତବର୍ଷଯାଏ ଖେଳକୌତୁକ ଦେଖିଥିଲି । ତୋ ତଳେ ରଥିଆ ଓ ରଙ୍ଗଣୀ ଜନ୍ମ ହୋଇସାରିଥିଲେ । ତୋ ଖୁଡ଼ୀର ବି ଦିଓଟି ଝିଅ ଜନମି ସାରିଥିଲେ ।

 

...ସବୁଗୁଡ଼ିକ ଛୁଆଙ୍କୁ ଭେଳାଇ, କୋଳାଇ, ଖେଳାଇ ମୋ’ର ଦିନ ଖୁସିରେ କଟୁଥାଏ । ସାନଜାଆ ଦିହେଁ ମୋତେ ମାନୁଥିଲେ । ଦୁଇ ଜାଆଙ୍କ ଭିତରେ କୌଣସି କଥାରେ ମତଭେଦ ହେଲେ ବୁଝାଇ ଶୁଝାଇ ମୁଁ ତା’ର ସମାଧାନ କରେ ।

 

...ଘରକଜିଆ ସବୁ ସେଇ ଛୁଆଙ୍କ ପାଇଁ ଉପୁଜେ । ମୋ ପିଲା ତୋ’ ପିଲା ସବୁ ସେପରି କଜିଆ ଜନମାଏ । ମୁଁ ସେ ଦୁହିଁଙ୍କୁ ବୁଝାଇ କହେ, “ମୁଁ ବଡ଼ । ଏ ଘରର ସବୁ ପିଲାଙ୍କର ମା’ ଯେ ମୁଇଁ । ତମୁକୁ ଆଣିଛି ସେମାନଙ୍କୁ ଜନମ କରି ମୋ କୋଳରେ ଛାଡ଼ିବ । ତମେ ଦିହେଁ ସେମାନଙ୍କର ସେବାକାରିଣୀ । ତୋ’ର-ମୋର-ତା’ର ଭବନା କାହିଁକି ? –’’

 

...ମୋ’ ଦୁଇ ଜାଆଙ୍କର ମନ ସୁନାରେ ରାଜୀବ । କେତେ ମନ୍ଥରା ଗାଁ ନାନ୍ଦୁରୀଏ, ଆହା-ଉହୁ-ଜୁହା, ସ୍ୱର ହଲାଇ ଫୁସ୍‌ଫୁସ୍‌ କରି କହିଲାବାଲୀ ଗୋଟାଛାଏଁ ଆପଣାର ହୋଇ କାନରେ ପଦ୍ମତୋଳା ବୋଲି ମନରେ ଛପି ରହିଥିବା ସାପର ଫଣା ଟେକନ୍ତି ।

 

..ସାପ କ’ଣ ଜାଣିଛ କି ପୁଅ ? ପରଆପଣା ଭେଦଭାବ ।

 

...ସେଇଆ ମୁଁ କରାଇ ଦେଇ ନ ଥିଲି । ମୋ ଜାଆମାନଙ୍କୁ ମୁଁ ପଦ ପଦ କରି ବୁଝାଇ ଦେଉଥିଲି, ଯିଏ ଯେତେ ଜନମ ଦେଉଛ, ଦିଅ । ମୁଁ ବଡ଼ ବୋହୁ । ସମସ୍ତଙ୍କୁ ମୋ କୋଳରେ ଥୋଇଦିଅ । ସମସ୍ତେ ମୋ’ର । ଆମ ଘରର ଦୂହାଁଳୀ-ଗାଈଙ୍କ ପରି ତମେ ଖାଲି ତାଙ୍କୁ କ୍ଷୀର ଖୋଇବ ।

 

...ମୋ ଜାଆ ଦିହେଁ ଭାରି ଭଲ । କଥା ମାନିଥିଲେ । କୁଟୁମ୍ବ ବଢ଼ିଲେ ଭଲରେ ଭଲରେ ହସଖୁସିରେ ଭିନେ ହେବା ଭାରି ଭଲ ।

 

...ଗୁହାଳରେ ଜାଗା ନ ହେଲେ ଧସେଇ ପଶିଲେ କେଡ଼େ ଅସୁବିଧା, ନୂଆ ଗୁହାଳ ପରି ନୂଆଘର ଲୋଡ଼ା ।

 

...ନୂଆ ସଂସ୍ଥା । ଦାୟିତ୍ୱ ବଢ଼ିବ । କର୍ତ୍ତବ୍ୟ-ଜ୍ଞାନ ବଢ଼ିବ । ପରସ୍ପର ପ୍ରତି ସ୍ନେହ ଓ ସହାନୁଭୂତି ବଢ଼ିବ ।

 

...ମୁଁ କହିବିରେ ବାପ, ମନରେ ଟିକିଏ ବାଦବୁଦିଆ ଭାବ ବି ଆସିବ, ଯେଉଁଥିପାଇଁ ସମ୍ପତ୍ତି ବଢ଼ିବ, ପିଲାଙ୍କୁ ତହିଁ ବଳି ତହୁଁ ବଳି ମଣିଷ କରି ଗଢ଼ିବାକୁ ଆଗ୍ରହ ଓ ଚେଷ୍ଟା ବି ବଢ଼ିବ ।

 

ଜେମାଦେଈ ଭାବୁଥିଲେ, ସେହି ଆସନ୍ନ-ସଞ୍ଜର ମହଳ ଆଲୁଅରେ । କଳରବ କରି କେତେ ଜାତିର ପକ୍ଷୀ ସରଯୂନଦୀଆଡ଼େ ଉଡ଼ିଯାଉଥାନ୍ତି, ନାୟକସାହିର ଅସ୍ପଷ୍ଟ ହୋଇଆସୁଥିବା ଗଛ ଗହଳି ଆଡ଼େ ଶୀଘ୍ର ରାତି ହେବ ।

 

ଦୁଃଖନ ବାହୁଡ଼ିଲା ନାହିଁ ।

 

ନୂଆ କଥା ନୁହେଁ । ଦିନେ ଦିନେ କେବେ ରାତିଅଧ କରେ, ହେଉ ପଛେ ଉଆଁସୀ ଅନ୍ଧାର ରାତି । ତାଳି ମାରି ମାରି ଫେରେ । କାନ୍ଧରେ ଟାଙ୍ଗିଆ । ଅଣ୍ଟାରେ ଗୁଡ଼ାଇଥିବା ଲମ୍ୱ ଗାମୁଛାରେ ଖୋସିଥାଏ ଦା’, ବା କଟୁରୀ । ଦୁମୁ ଦୁମୁ ଚାଲି । ତା’ ପାହୁଣ୍ଡ ପକା ନାଦ...ପାଏ ବାଟରୁ ସେ ଜାଣିପାରନ୍ତି ।

 

ମନ କୁରୁଳି ଉଠେ । ଉଲ୍ଲସି ଉଠି ନିଜକୁ ନିଜେ କହିଉଠନ୍ତି, ଆସୁଛି ଗୋ ମୋ’ର ଗୁଣ୍ଠୁଣା ହାତୀ । ଠାକୁରେ କୋଟି ପରମାୟୁ ଦେଉନ୍ତୁ ।

 

ସେ ତତ୍‍ପର ହୋଇ ଉଠନ୍ତି । ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅକୁ ତେଜି ହେଂସରୁ ଉଠି ପିଣ୍ଡାକୁ ଆସନ୍ତି । ପିଣ୍ଡା ଉପରେ ଥାଇ ରାସ୍ତାଆଡ଼କୁ ଆଲୁଅ ଟେକନ୍ତି । ଛ।ତି ଦୁଡ଼୍‍ଗୁଡ଼୍‍ । ଦହର ଗଡ଼ାଣି ଉପର ଦଣ୍ଡା ତ । ନଁ-ନୁଆଁଣି ଉଠି ନ ଥିବେ, ଗସ୍ତା ଉପରକୁ ଆସି ନ ଥିବେ, ଏକଥା କିଏ ନାହିଁ କରିବ । ଦେହରେ ଗୋଡ଼ ବାଜିଲେ ଚୋଟ ହାଣିବେ ।

 

ଦୁଃଖନ ପିଣ୍ଡାକୁ ଉଠିଲେ ଜେମାଦେଈଙ୍କର ପିଣ୍ଡରେ ପ୍ରାଣ ପଶେ ।

 

ପିଲଟା କ’ଣ ଆଜି ସେମିତି ଉଛର କରିବ କି ? ସକାଳେ, କଅଁଳଖରା ପଡ଼ିଲାବେଳେ ପଖାଳଗଣ୍ଡିଏ ଖାଇ ପରଶୁ ଜେନାଙ୍କ ଘରକୁ ଯାଇଥିଲା । ତାଙ୍କରି ଘରେ ସେ କାମ କରେ । କାମ ଶିଖେ । ଦୁଇବର୍ଷ ହେଲା ରହିଛି । ଗତବର୍ଷ ଜେନାଏ ତାକୁ ପଚସ୍ତରି ଟଙ୍କା ମୂଲ ଦେଉଥିଲେ । ତା’ କାମରେ ଖୁସିହୋଇ ଏ ବର୍ଷ କରିଛନ୍ତି ଶହେଟଙ୍କା । ଜେନାଏ ବି ତାଙ୍କର ମୂଲିଆ, କୋଠିଆ ଥିଲେ-। ଏବେ ତ ଭାଗ ଚାଷୀ ।

 

ଦୁଇବର୍ଷର ବର୍‌ତନ ଟଙ୍କାରୁ ଟଙ୍କା ଦିକୋଡ଼ି ଖରଚ ହୋଇଥିଲା । ବାକିତକ ଜେମା ସାଇତି ରଖିଥିଲେ । ଘରଛୁଆଣିବେଳେ ସାଙ୍ଗରେ ମିଶି କାମ କରିଥିବା ଗାଆଁ ମୂଲିଆଙ୍କୁ ମଜୁରି ଦିଆହୋଇଥିଲା ।

 

ବଟେଶ୍ୱର ଶିବଙ୍କ ଆସ୍ଥାନ ପାଖରୁ ଅଳ୍ପବାଟ ଛାଡ଼ି ନଦୀବନ୍ଧର ଆରପାଖରେ ଦକ୍ଷିଣପୂର୍ବ କୋଣରେ, ନଦୀଖଣ୍ଡି ଉପର କଣ୍ଡିଆ ଜମି ମଝିରେ କେଉଁ ଅମଳରୁ ଠିଆ ହୋଇଛି କୋଚିଳାଗଛ-। ଡାଳଗୁଡ଼ିକ ଚାରିଆଡ଼କୁ ଓହଳି ମାଟି ଉପରେ ଲାଗିଛି । ତା’ରି ଖୋଲରେ କୋଚିଳେଶ୍ୱରୀ ଠାକୁରାଣୀଙ୍କ ସିନ୍ଦୂରବୋଳା ପଥରମୁର୍ତ୍ତି । କେଉଁ ମହାତ୍ମା ସ୍ଥାପନ କରିଯାଇଥିଲେ ଜଣାନାହିଁ ।

 

କେଉଁ ପୁରୁଷରେ, କାହାରିକୁ ବିଦିତ ନାହିଁ । କିନ୍ତୁ, କିମ୍ବଦନ୍ତୀଟିଏ ଲୋକମୁଖରେ ପ୍ରଚାରିତ ହୋଇଆସୁଛି । ପୁରୁଷରୁ ପୁରୁଷ ।

 

ଠାକୁରାଣୀ ଯେ ସ୍ୱୟଂ ପାର୍ବତୀ । ବହୁ ପୁରାକାଳରେ ବିଳାସୁଣୀ ପର୍ବତ ଉପରେ ବାସ କରୁଥିଲେ । ବିଳାସୁଣୀର ଶୃଙ୍ଗ ସେବେ କୈଳାସ ପର୍ବତକୁ ସ୍ପର୍ଶ କରୁଥିଲା ।

 

ଦ୍ଵାପର ଯୁଗ ଶେଷ ହେଲାବେଳକୁ ସ୍ୱର୍ଗରେ ବିଚାର ପଡ଼ିଲା; ଜାଣ, ଭାଳେଣି ପଡ଼ିଲା କି ରାକ୍ଷସମାନଙ୍କୁ ନିଧନ କରିବାକୁ ବିଷ୍ଣୁ ବାରମ୍ବାର ମର୍ତ୍ତ୍ୟରେ ଅବତାର ଲଭୁଛନ୍ତି । ଫେରିଲାବେଳକୁ ବିଷ୍ଣୁଅଂଶୀ ସନ୍ତାନମାନଙ୍କୁ ଛାଡ଼ି ଆସୁଛନ୍ତି । ପ୍ରମାଣ ମିଳୁଛି ଯେ ମିଶ୍ରିତ ରକ୍ତର ସନ୍ତାନମାନେ । ବିଦ୍ୟାବୁଦ୍ଧିରେ ପିତାମାତାଙ୍କୁ ବଳିପଡ଼ନ୍ତି । ସେମାନେ କୁଚକ୍ରୀ ହୁଅନ୍ତି । ଅତି ବିଶ୍ୱାସୀ ପଣରେ ବିଶ୍ୱାସଘାତକ ହୁଅନ୍ତି ।

 

ମର୍ତ୍ତ୍ୟପୁରର ଏହି ପର୍ବତବାଟେ ବହୁ କଷ୍ଟ ସହି ଭେଳାନାଥଙ୍କର ଭକ୍ତମାନେ କୈଳାସପର୍ବତକୁ ଆସି ତପସ୍ୟା କରନ୍ତି । ଶିବଙ୍କୁ ଖୁସି କରି ବର ମାଗି ନିଅନ୍ତି । ସେଇଠୁ ଖାଲି ମର୍ତ୍ତ୍ୟପୁର ନୁହେଁ, ସ୍ଵର୍ଗପୁରରେ ବି ଆସି ଉତ୍ପାତ ଭିଆନ୍ତି । ସୁନ୍ଦରୀ ମାନବୀ ଓ ଅପ୍‌ସରାଙ୍କୁ ହରଣ କରିନିଅନ୍ତି । ବହୁ ଅତ୍ୟାଚାର କରି ଇନ୍ଦ୍ରପଦ ନିଜେ ନେବାକୁ ସ୍ୱର୍ଗକୁ ଧାଉଡ଼ କରନ୍ତି ।

 

ଶିବଙ୍କ ବର ଓ ଅସ୍ତ୍ରରେ ସେମାନେ ବଳୀୟାନ୍‌ । କିଏ ତାଙ୍କୁ ମାରିପାରିବ । ଦେବତାମାନେ ତରଛ ହୋଇ ବିଷ୍ଣୁଙ୍କ ପାଖକୁ ଧାଇଁଲେ, ସେ ଦୟା ବହି ପୃଥ୍ୱୀରେ ଅବତାର ହୁଅନ୍ତି-। ସେହି ଦୁର୍ବୃତ୍ତମାନଙ୍କୁ ନିଧନ କରନ୍ତି । ଶାନ୍ତି ପୁଣି ପ୍ରତିଷ୍ଠା କରନ୍ତି ।

 

ଏତେ ହରବରର ପ୍ରୟୋଜନ କ’ଣ ? କୈଳାସକୁ ବାଟ ବାରଣ କରିବାର ଉପାୟ ଖଞ୍ଜିଲେ ଭଲ । ମର୍ତ୍ତ୍ୟକୁ ସଂଯୋଗ କରୁଥିବା ଯେଉଁ ସୁନ୍ଦର ପର୍ବତ ଉପରେ ଶିବପାର୍ବତୀ ବେଳେବେଳେ ବିଳାସ କରୁଥିଲେ ତାକୁ ତଳକୁ ନୁଆଁଇଲେ କୈଳାସପୁରରୁ ସଂଯୋଗ ଛିଣ୍ଡିବ ।

 

ଶିବ ଓ ପାର୍ବତୀ ଶୂନ୍ୟଚାରୀ । ବିଳାସୁଣୀ ପର୍ବତଶିଖରେ ବିହାର କରିବାକୁ ତାଙ୍କୁ କିଛି ଅସୁବିଧା ହେବ ନାହିଁ । ତାଙ୍କର ବୃଷଭ ବି ସେଇଆ ।

 

ଇନ୍ଦ୍ରଙ୍କ ଉପରେ ସେହି ଗୁରୁଦାୟିତ୍ୱ ଲଦି ଦିଆଗଲା । ଦ୍ଵାପରଯୁଗ ସରନ୍ତେ ଯେମିତି କଳିଯୁଗ ଆରମ୍ଭ ହେଲା, ସେହି ଘଡ଼ିସନ୍ଧିବେଳେ ଇନ୍ଦ୍ର ଆଗ ମେଘମାନଙ୍କୁ ପଠାଇଲେ । ତିନିପୁର ଅନ୍ଧାର କଲେ । ସଙ୍ଗେ ସଙ୍ଗେ ବଜ୍ର ପ୍ରହାରି ବିଳାସୁଣୀକୁ କୈଳାସରୁ ଛିନ୍ନ କଲେ । ତଳକୁ ଦାବିଦେଲେ ।

 

ଘୋର କଳିକାଳ ହେଲାରୁ ଲୋକେ ଅନାଚାରୀ ହେଲେ । ଅଖାଦ୍ୟ ଭକ୍ଷିଲେ । ନୀତିଭ୍ରଷ୍ଟ ହେଲେ । ଗୋବ୍ରାହ୍ମଣ ମାନିଲେ ନାହିଁ । ତେଣୁ, ଶିବପାର୍ବତୀ ଆଉ ବିଳାସ ମାନସରେ ତାଙ୍କର ସେହି ପ୍ରିୟ ପର୍ବତ ଉପରକୁ ଆସିଲେ ନାହିଁ । ଭକତ ନିଷ୍ଠାରେ ଡାକିଲେ, ତାଙ୍କର ମନ ତଟିଲେ, ଅଦୃଶ୍ୟଭାବରେ ଆସନ୍ତି । ମନକାମନା ପୂରଣ କରନ୍ତି ।

 

ସେହିପରି ମା’ ପାର୍ବତୀ । କିନ୍ତୁ, ସେ ଅଧିକାଂଶ ସମୟରେ ଶାନ୍ତମୂର୍ତ୍ତି ନ ଧରି ପ୍ରଚଣ୍ଡ-ମୂର୍ତ୍ତି ଧାରଣ କରନ୍ତି । ବହୁ ସ୍ଥାନରେ ଏକ ସମୟରେ ବିଜେ କରନ୍ତି । ରକ୍ତ ପାନ କରନ୍ତି ଚଣ୍ଡିକା, କାଳିକା ଓ ଅନ୍ୟାନ୍ୟ ଅଗଣନ ରୂପରେ । ମନବାଞ୍ଛା ପୂରଣ କରନ୍ତି ।

 

ଯିଏ ପାର୍ବତୀ ସେହି ମା’ ବିଳାସୁଣୀ । ସେହି ପୁଣି କ୍ରୁଦ୍ଧମୂର୍ତ୍ତି, ପ୍ରଚଣ୍ଡିକା । କୋଚିଳାବୃକ୍ଷର ଗୁହାରେ ରହି କୋଚିଳେଶ୍ୱରୀ ନାମରେ ପୂଜା ପାଆନ୍ତି ।

 

ଜେମାଦେଈ ପିଲାଟି ଦିନରୁ ଏହି ଉପାଖ୍ୟାନଟି ବହୁମୁଖରୁ ବହୁବାର ଶୁଣି ଆସିଛନ୍ତି । କୋଚିଳେଶ୍ଵରୀ ତାଙ୍କ କୁଟୁମ୍ବର ଆଶ୍ରୟଦାୟିନୀ ଅଧିଷ୍ଠାତ୍ରୀ ଦେବୀ । ଏହା ପୁରୁଷାନୁକ୍ରମେ ବିଶ୍ୱାସ କରି ଆସିଛନ୍ତି । ସବୁ ମଙ୍ଗଳ କର୍ମରେ, ପୁଣି ଅମଙ୍ଗଳ କର୍ମରେ ତାଙ୍କୁ ଆଗ ଲୋଡ଼ାଯାଏ । ଆଦିବିଧିରେ ପୂଜା କରାଯାଏ ।

 

ମଙ୍ଗଳ ହେଲେ ତାଙ୍କରି କରୁଣା । ଆପଦ ବିପଦ ପଡ଼ି ଅମଙ୍ଗଳ ଘୋଟିଲେ ଭଗ୍ୟର ଦୋଷ । ମଥା ନୁଆଁଇ ସମସ୍ତେ ଏହା ଗ୍ରହଣ କରନ୍ତି । ଜଣା ଓ ଅଜଣା କେଉଁ ଅପରାଧ ପାଇଁ, ଅବା ଆଧୀନ୍ୟରେ ଅଭାବ ହେଲା ବୋଲି, ସେ କରୁଣା ନ କରି ଦୃଷ୍ଟି ଫେରାଇଲେ । ଏହି ବିଶ୍ୱାସ କେବଳ ରାଉତ ବଂଶର ଲୋକେ ନୁହଁନ୍ତି, ଗ୍ରାମର ସବୁଲୋକ କରନ୍ତି ।

 

ଜେମାଦେଈଙ୍କର ପୂର୍ବପୁରୁଷର କେହି କର୍ତ୍ତା କେବେ ଦେବୀଙ୍କର ପୂଜା ପାଇଁ ଭୂମି ଖଞ୍ଜି ଦେଇଥିଲେ । ସେଥିରୁ ଅଧେ ଦହର ପେଟରେ ପଶିଲା । ବାକିତକ ବାଲିଗଦାରେ ପରିଣତ ହେଲା । ଜାଗିରୀ-ଭୂମି-ଭୋଗକାରୀ ପୂଜକ ଆଉ କେହି ରହିଲେ ନାହିଁ । ଦେବୀଙ୍କୁ ରୀତିମତ କେହି ଆଉ ସେବାପୂଜା କରନ୍ତି ନାହିଁ ।

 

ଭଲମନ୍ଦ କେଉଁ କାମରେ ସମ୍ପୃକ୍ତ ଲୋକେ କେବେ କେବେ ପୂଜା କରନ୍ତି, ହଇଜା, ଅବା ବସନ୍ତ ରୋଗ ଗ୍ରାମରେ ପଶିଲେ, ଦୁଇଟି ପଡ଼ାର ଲୋକେ ଭେଦା କରି ଭୟରେ ଦେବୀଙ୍କୁ ଲୋଡ଼ନ୍ତି, ପୂଜନ୍ତି ।

 

ରାଉତ ବଂଶର ଅଟଳ ବିଶ୍ଵାସ, ଆନୁଗତ୍ୟ ଓ ସେବାପୂଜାର ସୁବ୍ୟବସ୍ଥା ପାଇଁ କୋଚିଳେଶ୍ଵରୀ ଦେବୀ କି ଦୟା କଲେ ? ପାଞ୍ଚ ଭାଇର କୁଟୁମ୍ବ ଜେଜେବାପଙ୍କ ଅମଳରେ, କିଏ କୁଆଡ଼େ ଯାଇଁ ରହିଲେ ।

 

କେହି କାହାରି ଖବର ରଖିନାହିଁ । ବଡ଼ଅଂଶ ପୂର୍ବପୁରୁଷଙ୍କର ଘରଡ଼ିହ ଓ ପରିବେଶ ଛାଡ଼ି ଯାଇ ନ ଥିଲେ ।

 

ଝିଅମାନେ ପରଘରୀ ହେଲେ । କାହାର ଭାଗ୍ୟ କେଉଁଠି ନେଇ କାହାକୁ ଥୋଇଥିବ । ସେମାନଙ୍କର ପିଲମାନେ କିଏ କେଉଁଠି କିପରି ଅବସ୍ଥାରେ ନିଜର ଭାଗ୍ୟ ଅନୁରୂପେ ଜୀବନ ବିତାଉଥିବେ । ଜେମାଦେଈଙ୍କୁ ଜଣାନାହିଁ ।

 

ତଥାପି, ସେ ସେହି ସଞ୍ଜରେ କରଯୋଡ଼ି ମୁଣ୍ଡରେ ଲଗାଇଲେ । ମୁଣ୍ଡ ନୋଇଁ ସେହି ଅଜଣା-ଆତ୍ମୀୟମାନଙ୍କର ମଙ୍ଗଳ ମନାସି ଉଚ୍ଚ ବାରଣ୍ଡା ଉପରେ କୋଚିଳେଶ୍ୱରୀଙ୍କୁ ପ୍ରଣତ ହେଲେ-। ଭୂମି ଉପରେ ବାରମ୍ବାର ମୁଣ୍ଡ ଲଗାଇ ଭୁଟୁଭୁଟୁ ହୋଇ ନିଜକୁ ଶୁଣାଇଁ ଜଣାଣ କଲେ, ରାଉତ ବଂଶର ଯିଏ ଯେଉଁଠି ଥାଉନ୍ତୁ ଗୋ ମା’, ତାଙ୍କୁ ଭଲରେ ରଖିଥା’, ଭଲ ବୁଦ୍ଧି ଦେଇଥା’ ।

 

ଜେମାଦେଈ ଶଶୁରଘରର ସମସ୍ତଙ୍କର ମଙ୍ଗଳ ମନାସି ମୁଣ୍ଡ ଟେକିଲେ । ପୁଣି, କୋଚିଳେଇଙ୍କ ଉପରେ ଅଭିମାନ କରି ମନକୁ ମନ କହିହେଲେ, ‘ତୋ ପ୍ରକୃତି ମୁଁ ଭଲକରି ଜଣେ ଲୋ ମା’ । କାହାରି ଜଣାଣରେ ତୁ ଭାସିଯାଉନାହିଁ । ଭୋଗରାଗ ତତେ କିଣିପାରେ ନାହିଁ । ଜଣାଣରେ ଯେତେ ଗୁଣ ଗାଇ ତୋତେ ଟେକାଟେକି କରି ଗୁହାରିଲେ ବି ତୋ ମନ ତଟେ ନାହିଁ ।’

 

...ଗାଳିକୁ ତୁ ଛଳ କରୁନାହିଁ । ତୁ ବାଇଆଣୀ ଝିଅଟା । ତୋ ମନ ଯାହା ସେଇଆ କରୁ ।

 

...ଆମର ତ ମନ ମାନେ ନାହିଁ । ନେହୁରା କରିବାରେ ଆମ ମନରେ ଶାନ୍ତି ଯେ, ତୁ ଦଇନି ଶୁଣିବୁ । ଦୁଃଖ ହରିବୁ । ବଡ଼ତି କରିବୁ । ମା’ ଗୋ, ମୋ’ର ଏତିକି ଦଇନି-ନିଆଶ୍ରା ପିଲାଟିଏ ଶିବଦାସ । ଅତି ଦୁଃଖୀଟିଏ ମୋର ଦୁଃଖନ । ତାକୁ ତୋ’ର ଘଣ୍ଟ ଘୋଡ଼ାଇ ରଖିଥା’ ।

 

...ବୁଦ୍ଧିଆ ପିଲାଟିଏ ବୋଲି ସମସ୍ତେ କହୁଥିଲେ । କ’ଣ କରନ୍ତା ସିଏ ? କେବଳ ବିଦ୍ୟାଳୟର ଶିକ୍ଷକମାନେ ନୁହଁନ୍ତି, ରାଉତପାଟଣାର କେତେ ମାନ୍ୟବର ଲୋକ, ଏପରିକି କଅଁଳକୁହୀ ଘରଣୀମାନେ, ସେମାନଙ୍କ ଗେଲବସର ପୁଅଝିଅମାନେ ତାକୁ ଧରମ-ବେଠିଆ ମଣି ନିଜର ବୋଲକରା କରିଥିଲେ ।

 

...ଯିଏ ଯାହ। କାମ କରିବାକୁ ତାକୁ କହନ୍ତି, ସେହି ଗାଁ ଭିତରେ ଯଦି କୁଆଡ଼େ ବରଗନ୍ତି ସେ କରେ ଓ ଯାଏ । ପଢ଼ିବ କେତେବେଳେ ? ହାଲିଆ ହେ।ଇ ଡେରି କରି ଘରେ ପହଞ୍ଚେ । କ’ଣ ଟିକିଏ ଖାଇଦେଇ ଲଣ୍ଠଣ ଜଳାଇ ପଢ଼ିବସେ ଯେ ଟିକିଏ ବେଳ ପଢ଼ୁଣୁ ଆଖିକୁ ନିଦ ଘୋଟିଆସେ-। କି ପାଠ ପଢ଼ିବ ।

 

.... ଶୋଇପଡ଼େ । ଯାହା ହେଉ, ତମରି ଦୟାରୁ ଗୋ ମା’ କୋଚିଳେଶ୍ଵରୀ, ସେ ପିଲା ପାସ୍ କରି କରିକା, କିଲାସ ଉଠି ଉଠିକା ନାୟକସାହିର ମାଇନର ଇସ୍କଲରୁ ଶେଷ ପାସ୍‍ କଲା ।

 

...ଆଉ ଏ ଗାଁରେ ପାଠ ନାହିଁ । ଏଣିକି ପାଠ ଯାଇଁ ବଡ଼ ସହରରେ । ସେଠି ଯାଇଁ କେଉଁଠି ରହିବ ? କେତେ ଖରଚ ପଡ଼ିବ ? ଟଙ୍କା ଆସିବ କେଉଁଠୁ ? ଗଚ୍ଛିତ ଗହଣାରେ ହାତ ଦେବ ?

 

...ମା’ଗୋ କୋଚିଳେଶ୍ୱରୀ, ତୁ ମତେ କେତେଥର ମିଛରେ ଭଣ୍ଡେଇ ପରିଶ୍ରମ କରାଇଲୁ-। ସପନ ଦେଖାଇଲୁ । କାଳିଆବୋଦାର ତତଲା ରକତ ପିଇଲେ ଶୂନ୍ୟରୂପରେ ମୋ ମୁଣ୍ଡଭିତରେ ପଶି ଠିକ୍ ସେହି ଜାଗାଟି କେଉଁଠି ମତେ ସପନରେ କହିଦେବୁ ବୋଲି ଜବାବ ଦେଲୁ-। ସପନରେ ଚଣ୍ଡିକେଇ ରୂପରେ ମୋ ଆଗରେ ଠିଆ ହୋଇଥିଲୁ ।

 

...ଅଗଣା ଭିତରେ, ଅଗଣା ବାହାରେ ବାରିରେ କେତେ ଜାଗାରେ ଆଣ୍ଠୁଏ ଗହିଡ଼ାଯାଏ ଚଉଡ଼ା କରି ଗାତମାନ ଖୋଳିଲି । କାହିଁ କେଉଁଠି ପୋତାଧନ ସୁନା, ରୁପା ଅବା ସେ କାଳର ଟଙ୍କାପଇସା ପାଇଲି ନାହିଁ ।

 

...ମୋତେ ଥରକୁ ଥର ସପନରେ ଲୋଭ ଦେଖାଇ ତୁ ଭଣ୍ଡିଛୁ । ହନ୍ତସନ୍ତ ଡହଳ ବିକଳ କରାଇଛୁ । କହିଥିଲୁ, କେଉଁ ପୁରୁଷରେ କେଉଁ ଗଜପତି ମହାରଜାଙ୍କ ସଙ୍ଗେ, ଉତ୍ତର କି ଦକ୍ଷିଣକୁ, ରାଉତରାଏ ତାଙ୍କୁ ପାଇକଦଳକୁ ନେଇ ଯୁଦ୍ଧ କରିବାକୁ ଯାଇଥିଲେ । ସେମାନେ ତ ରାଜବଂଶୀ । ନ ଯାନ୍ତେ କିପରି ।

 

...ରାଜ୍ୟ ଜିଣିଲେ । ରାଜ୍ୟଭୋଗ କଲେ ଗଜପତି ରାଜା । ଆଉ ରାଇଜର ନଅରମାନ ଲୁଟି କରି ରାଉତମାନେ ଅମୂଲ୍ୟ ଦରବ ଘେନି ଆସିଥିଲେ । ଗଜପତି ସେହିସବୁ ଦରବ ରାଉତମାନଙ୍କୁ ଦେଲେ । ରାୟ ପଦବୀ ଦେଲେ । ତା’ ସାଙ୍ଗକୁ ଗ୍ରାମର ଅଧିକାର, ଭୂମିବାଡ଼ି ।

 

ଥିଲା, ସବୁ ଥିଲା । କିନ୍ତୁ ମୋଗଲ, ପଠାଣ ଅମଳରେ, ବିଶେଷରେ ମରହଟ୍ଟା ଲୁଣ୍ଠନକାରୀ ଲୋକଙ୍କ ଡରରେ, ରାଉତରାୟଙ୍କ ନାତି ଅଣନାତିଏ ବଳକା ଧନ ମାଟି ତଳେ ପୋତି ରଖିଥିଲେ ।

 

ବିଦେଶୀ ସାହାବ ସରକାର ଅମଳରେ ଦେଶରେ ଶାନ୍ତି ଆସିଲା । ବାଘଛେଳି ଏକ ଘାଟରେ ନିର୍ଭୟରେ ପାଣି ପିଇଲେ ।

 

ଖଣ୍ଡାର ଶାସନ ଯାଇ କଲମର ଶାସନ ଚାଲିଲା । ବଢ଼ି, ମରୁଡ଼ି, ନଅଙ୍କ ପରିକା ବିପଦମାନ ଖଣ୍ଡାଚାଳକ ଓ ଖଣ୍ଡମଣ୍ଡଳର ଅଧିକାରୀଙ୍କୁ ଦୁର୍ବଳ, ପ୍ରାଣବିକଳିଆ, ଡରୁଆ ଛେରୁଆ, ଛେଳି ମେଣ୍ଢା କରିଥିଲା ।

 

କଲମଗାର ଖଣ୍ଡା ବଲମକୁ ଅକାମି କଲା । ଜମିଦାରୀ ଗଲା ପଡ଼ୋଶୀ ରାଜ୍ୟର ଗୁମାସ୍ତାମାନଙ୍କ ହାତକୁ । ସେମାନଙ୍କ ଜୁଲମ୍ ମରହଟ୍ଟା ବର୍ଗୀଙ୍କ ଲୁଟିଲା କାମକୁ ବଳେଇ ପଡ଼ିଲା ।

 

ଦେଢ଼ଶହ ବର୍ଷରୁ ଅଳପ ଊଣା କେତେବର୍ଷ ପରେ ଦେଶର ଶାସନ ଆସିଲା ଲୋକଙ୍କ ହାତକୁ, ଗାଁରୁ ଆରମ୍ଭ କରି ରାଜ୍ୟଯାକେ, ପୁଣି, କେତେ ରାଜ୍ୟ ମିଶି ହିମାଳୟରୁ କୁମାରିକା ଯାଏ, ପୂର୍ବ ପାଖର ସମୁଦ୍ରକୂଳରୁ ପଶ୍ଚିମପାଖର ସମୁଦ୍ର ଯାଏ ।

 

ଶୁଣିବା କଥା ତ, କୋଉ ଏବେ ଜେମାଦେଈ ଦେଖିଛନ୍ତି । ଦୁଃଖନର ମୁହଁରୁ ଖାଲି ଶୁଣିଛନ୍ତି, କେଉଁମାନେ ସବୁ ଶାସନ କରିବେ ।

 

ସେଥିପାଇଁ ଲଗିରହିଛି କନ୍ଦଳ । କିଏ ରାଜ୍ୟ ଶାସନ କରିବ ସେହି କଥା । କାହା ମୁଣ୍ଡରେ ଶିରିପି ଭିଡ଼ା ହେବ ସେଥିପାଇଁ ଲଢ଼େଇ ପାଲା । ଖାଲି ଭୋଟ ଦିଅ, ଭୋଟ ଦିଅ ରଡ଼ି । କାନ ଅତଡ଼ା ପଡ଼ିଲାଣି ।

 

ସେ ଯାହାହେଉ, ରାଜାରାଜୋଡ଼ା ଗଲା । ଜମିଦାରୀ ଗଲା । ପଡ଼ୋଶୀ ରଜ୍ୟର ଲୋକଙ୍କ ବଡ଼ିମା ତୁଟିଲା । ଲୋକେ ବେଶି ବେଶି କୂଟକପଟିଆ ହେଲେ । ଧନ ଅରଜିଲେ ନାନା କୌଶଳରେ । କିନ୍ତୁ, ଦୁଃଖନଟି ଯୋଉ ଦୁଃଖୀକୁ ସେଇ ଦୁଃଖୀ । ରାଉତରାୟ ଘରର ଶେଷ ସମ୍ବଳ-। ସାଙ୍ଗିଆଟି ରାଉତ ହେଲାଣି । ହେଉ ଯାହା ହେଉଛି, କେମିତି ମଣିଷ ହୋଇ ଦାଣ୍ଡରେ ଚାଲୁ ।

 

ଅଧିକ ପାଠ ନ ପଢ଼ିଲେ ହେବ କିପରି ? ପିଲାଟି ଦିନରୁ ଧରମବେଠିଆ ହେଲାଣି । ପରର ବୋଲକରା । ଅଲଣା ପ୍ରଶଂସାରୁ ମିଳିବ କ’ଣ ? ସହରକୁ ଯାଇ ଅଧିକ ପାଠ ପଢ଼ିଲେ ସିନା ହୁଅନ୍ତା । କିନ୍ତୁ, ଧନ କ।ହିଁ ? ।

 

ଦୋ’ଫସଲି ଶାରଦ ଧାନ ଫଳିଲାର ଭୂମି ଚାରିମାଣରୁ ଊଣା । ତହିଁରୁ ଚେନାଏ ବିକିଲେ ଧନ ମିଳନ୍ତା । ପୁଅ ପାଠ ପଢ଼ନ୍ତା । କିଣିବାକୁ ଲୋକ ଧରାପରା ।

 

ଦୁଃଖନକୁ ପଚାରିଲାରୁ କହିଲା, “ତୋ ମନ ଯାହ ତୁ କର । ହେଲେ, ସେତିକି ଧନରେ ସହର ବଜାର ଜାଗାରେ କେତେଦିନ ଚଳିବ ? ସେଇଠି ବସ୍ତାନିରେ ଡୋର ବାନ୍ଧି, କାନ ମୋଡ଼ିହୋଇ ଫେରିବା କଥା । ସେଇଠି କେମିତି ଢୋକ ଚଳିବ ?

 

-ତେବେରେ ପୁଅ... ?

 

-ଯେତିକି ପାଠ ହେଲା ସେତିକି । ଲେଖିପଢ଼ି ଜାଣିଲି । ହିସାବ କିତାବ ଶିଖିଲି । ଲଙ୍ଗଳକଣ୍ଟିରେ ହାତ ଦେବା ଶିଖିଲେ କାମରେ ଲାଗିବ ।

 

...ଅପା ଲୋ, କୋଚିଳେଶ୍ୱରୀ ଠାକୁରାଣୀ ଆସ୍ଥାନ ତଳର ଆମ କଣ୍ଡିଆ ଜମି କୁଆଡ଼େ ପାଞ୍ଚମାଣ ହେବ ପଟୁ ପଡ଼ିଛି । ବେଶି ଭାଗ ତ ଘୁଅପଡ଼ିଆ ହେଉଛି । ବିଲ ଦି’ ଖଣ୍ଡିରେ ଭାଗରେ ଜଗୁଆ କେଉଟ କୋଳଥ ଛାଟୁଛି ।

 

-ତ କ’ଣ ହେଲା ? ସେ ନିହତ ଜଗି ଅଧକୁ ଅଧ ଫସଲ ଦେଉଛି । ଜଗୁଟି ଭଲ ମଣିଷ-। ଧର୍ମକୁ ତା’ର ଡର ।

 

-ମୁଁ ମନା କରୁନାହିଁ । ମୁଁ ଶୁଣିଲି, ଜଗୁଭାଇ ଆମକୁ ବରାବର ଠକୁଛି । ପରଶୁ ଜେନାଏ ସେଇଆ କହୁଥିଲେ । ମୁଁ ଚାଷକାମ କରିବି । ଶିଖିବି । ପରଶୁ ଜେନାଙ୍କୁ ମୁଁ ମୋର ମୁରବି ମାନିଛି-। ତାଙ୍କୁ ମୁଁ ଦାଦି କରିଛି । ସେହି ମତେ କାମ ଶିଖାଇବେ । ମୋ ଦେଇ ଆଉ ଅଧିକ ପାଠ ହେବ ନାହିଁ । ଲେଡ଼ା ବି ନାହିଁ ।

 

-କାହିଁକିରେ ? ସେମିତି କହନା । ଧନର ଅଭାବ ହେବ ନାହିଁ । ସେହି କୋଚିଳେଶ୍ୱରୀ ଠାକୁରାଣୀ ଦୟା କଲେ ଧନର ଅଭାବ ରହିବ ନାହିଁ । ସେ ମତେ ପୁଣି ସପନେଇଛନ୍ତି । କେତେବର୍ଷ ହେଲା ବରାବର ସପନଉଛନ୍ତ । ଦିନେ ସେ ସପନ ସଫଳ ହେବ ।

 

-ସପନେଇଛନ୍ତି, ଅପା ? କି ସପନ ଦେଖିଲୁ ?

 

-କାହାରିକୁ କହିବାକୁ ମନା କରିଛନ୍ତି । ମୁଁ କାଳିଆ ବୋଦା ବଳି ଦେବି ବୋଲି ମାନସିକ କରିଛି । ସପନ ଯଦି ସତ ହୁଏ ତେବେ...

 

ଭାବୁଥିଲେ ଜେମାଦେଈ, ସପନ ଆଜିଯାଏ ସଫଳ ହୋଇନାହିଁ । କେତେବର୍ଷ କଟିଗଲଣି । ପୁରୁଣା ଗାତମାନଙ୍କରେ ଖତ ମାଟି ଭରି ଯେଉଁ କାଠିଆ କଦଳୀ ଓ ବନ୍ତଳ କଦଳୀ ପୁଆମାନ ରୋପିଥିଲେ ସେସବୁ ବୁଦା ପାଲଟି କେବଠୁ ଫଳିଲାଣି । କଲମୀ ଆମ୍ବ, କାଗେଜି ଲେମ୍ବୁ ଗଛଗୁଡ଼ିକ ବି ଧୋକା ଦେଇନାହାଁନ୍ତି । ଦୁଇବର୍ଷ ହେଲା ଫଳିବାକୁ ଆରମ୍ଭ କଲେଣି । ଛାଇ ତଳେ ତଳେ ସପୁରି ପଣସ । ତା’ର ଆକାର ଦେଖିଲେ ତାଜୁବ୍ ଲାଗେ । ଯେମିତି ରସୁଆଳ, ସେମିତି ସୁଆଦ ।

 

ଲୋକେ କହନ୍ତି, ପୋତାଧନ କେତେରେ କେତେ ? ହାତକୁ ଆଇଲେ କେମିତି ସେ ଉଡ଼ିଯିବ ଆପେ ଛଟପଟ ହୁଏ । ପାଇଲା ଲୋକକୁ ଛଟପଟ କରେ । ଦିହେଁ ଠେଲା ଠେଲି । ଦୁହିଁଙ୍କର କାଳ ପୂରେ ।

 

ଧରିତ୍ରୀ ମାତାର ଅକଳନ ଦେହ ରତ୍ନର ଭଣ୍ଡାର । କାଢ଼ିପାରିଲେ ହେଲା । ଦେବାକୁ ତା’ର କୁଣ୍ଠା ନାହିଁ ।

 

ଦେଖ, ରାଉତରା ଘରର ସେରନ୍ତୀ ଝିଅ, ମହାପାତ୍ର ଘରର ବଡ଼ବୋହୁ, ଜେମାଦେଈ ସାଆନ୍ତାଣୀଙ୍କୁ । ରାଜରାଣୀ ଯିଏ, ବାପଘର ଡିହରେ ନୂଆ ସଂସ୍ଥାନ କରିବାକୁ ସବୁ ଅସୁବିଧା ସହି ମୁଣ୍ଡ ନୋଇଁଲେ ।

 

ମୂଲିଆଣୀ ବ୍ରତ ସେ ପାଳନ କରୁଛନ୍ତି । ସେଇ ଯମଅଇଁଠା, ଏକୋଇରବଳା ବିଶିକେଶନ ଦୁଃଖନଟି ପାଇଁ ଏ ବୟସରେ ଧରିତ୍ରୀର ପେଟରୁ କାଢ଼ିଛନ୍ତି ଜିଅନ୍ତା ରତନ, ଜୀବନଦାୟକ କେତେ ଜାତିର ଅମୃତ ଫଳ ।

 

ଜେମାଦେଈଙ୍କ ମୁହଁ ଉପରେ କେତେ ଚାଟୁକାର ଏମିତି ପ୍ରଶଂସନ୍ତି । ତାଙ୍କର ଗଛଗୁଡ଼ିକୁ ଓ ଅମୃତ ପରିକା ଫଳଗୁଡ଼ିକୁ । ଜେମାଦେଈ କିନ୍ତୁ ବିନାମୂଲ୍ୟରେ କାହାକୁ କିଛି ଦେବାକୁ ମନ କରନ୍ତି ନାହିଁ । ତେବେ, ତାଙ୍କରି ପିଣ୍ଡାରେ ସେ ବିନାମୂଲ୍ୟରେ ରଖିବାକୁ ଦିଅନ୍ତି ।

 

ଉପଦେଶ ଦିଅନ୍ତି, ତମର ବାରିରେ ଏମିତି ଫଳାଅ । ବହୁତ ଜାଗା ଅଛି । ନିଜ ପିଲାଙ୍କ ପରି ଗଛମାନେ ବି ହେପାଜତ ଲୋଡ଼ନ୍ତି । ଭଲ ଖାଇବାକୁ ଦିଅ, ଭଲ ପିନ୍ଧିବାକୁ ଦିଅ । ତାଙ୍କ ଶତ୍ରୁମାନଙ୍କୁ ପତର ଛୁଆଇଁ ଦିଅନା । ଦେଖିବ, କେମିତି ସେମାନେ ତମ ଋଣର କେତେଗୁଣ ଶୁଝାଇବେ । ଧାରୁଆ ତ ରହିବେ ନାହିଁ ।

 

ଉପଦେଶ ଶୁଣିଯାଆନ୍ତି ସେମାନେ । ଅଳସୁଆ, ଠାଉକାଗୁଡ଼ାକ । ବେଳ ମିଳିଲେ ତାଆସ, ପଶା, କଉଡ଼ି ଖେଳି ରାତି ଅଧ କରନ୍ତି । ମାଇପିଙ୍କର ତ ପରନିନ୍ଦା, ପରଚର୍ଚ୍ଚା । ସେଇଠୁ କଜିଆ, ରାଣ୍ଡ ଲୋ, ଆଣ୍ଠୁକୁଡ଼ୀ ଲୋ, ସବାଖାଇ ଲୋ; ଆଉ ଯାହା ସବୁ କହନ୍ତି ଅଶ୍ରାବ୍ୟ ।

 

କି ମିଳିବ । ସେଥିରୁ ? ମା’ କୋଚିଳେଶ୍ଵରୀ ଯେଉଁ ସପନ ଦେଖାଇଥିଲେ, ବୁଝିଲେ, ସେ ମିଛ ନୁହେଁ ।

 

ନିଜକୁ ନିଜେ ବୁଝାଇ କହନ୍ତି ଜେମାଦେଈ, ପୋତାଦରବ ସବୁକୁ ଯକ୍ଷ ନେଇ କୁବେର ଭଣ୍ଡାରରେ ଥୋଇବଣି । ଯେଉଁ ଅମୂଲ୍ୟଧନ ଧରିତ୍ରୀ ତା’ ଅକଳନ୍ତା ଦେହରେ ସଞ୍ଚି ରଖିଛି, ତାକୁ ଚିହ୍ନିଲେ ହେଲା । କାମଧେନୁ ସେ, କାମଧେନୁ ।

 

ଠିକ୍ କହିଥିଲେ ପରଶୁ ଜେନାଏ-ଅପା, ଆଉଗୁଡ଼ାଏ ପାଠ ପଢ଼ି ଦୁଃଖନ କ’ଣ କରିବ ? ଓଡ଼ିଆ ପଢ଼ିଲା । ସୁନ୍ଦର ଅକ୍ଷର, ପୁଣି ଭାରି ବେଗି ବେଗି ଲେଖେ । ଚାରିଅକ୍ଷର ଇଂରେଜି ପଢ଼ିଲା, ଲେଖୁଛି ବି । ହିସାବପତ୍ର । ତା’ର ଦୋରସ୍ତ ।

 

..ଆଉ ଶୁଣ, ତୁଚ୍ଛାକୁ ତା’ର ପ୍ରଶଂସା କରୁନାହିଁ । ତା’ ଆଗରେ ତ କହିବି ନାହିଁ । ସେ ମନମୋଟା ହୋଇଯିବ । ମୁଁ ତମୁକୁ କହୁଛି । ଗାଆଁର ଦି’ପଡ଼ାର ଅପାଠୁଆ, ଦରପାଠୁଆଙ୍କର ଯେତେ ଚିଠି ରେଙ୍ଗୁନୁ, ଆସାମ, କଲିକତା, କାଳିମାଟି ବୋଇଲେ ଟାଟାରୁ ଆସେ ସବୁ ସେ ପଢ଼ି ଦିଏ ।

 

-ହଁରେ ବାବୁ ପରଶୁ, ଆମରି ଏଇ ଦାଣ୍ଡଘରେ କେବେକେବେ ରାତିଅଧ ହୁଏ । ପଢ଼େ । କାହିଁରେ କାହିଁରେ ଖରାପ ଖବର ବି ଥାଏ । ଯେଉଁ ବିକଳ କାନ୍ଦଣା, ବାହୁନା, ମୁଣ୍ଡକୋଡ଼ା । ମୁଁ କେତେ ସମ୍ଭାଳିବି ? ସହି ସହି ମୋ ମନ, ମୋ ଜୀବନ ପଥର ପାଲଟିଛି । କାହାକୁ କ’ଣ ବୁଝାଇବି-? କାହାକୁ କ’ଣ ସାନ୍ତ୍ୱନା ଦେବି ?

 

...ଡାକେ ସେହି କାଲୁଣୀ କୋଚିଳେଶ୍ଵରୀକୁ, ଆଉ ତା’ ବର ଭୋଳା ଶିବକୁ । କହେ, ତମରି ଆଶ୍ରାରେ ଗାଁର ସବୁ କୁଟୁମ୍ବ । କେହି ତମକୁ ଅମାନ୍ୟ କରିନାହାଁନ୍ତି ।

 

...ଏମିତିକି ନାୟକସାହି ଉତ୍ତର ପାଖରେ ହେବ ପରା, ଅଧପାଏ ବାଟ ଛାଡ଼ି ବଡ଼ବଡ଼ ବାଉଁଶଗଛର ଉହାଡ଼ ଭିତରେ ଯେଉଁ କେତେଘର ପଠାଣ ରହନ୍ତି, ସେମାନେ ବି ମାନସିକ କରି କେତେଥର ଠାକୁରାଣୀଙ୍କ ପାଖରେ ବୋଦା ବଳି ଦିଆଇଛନ୍ତି । ମାଂସ ପ୍ରସାଦ ଗାଁ ସାରା ବଣ୍ଟାଇଛନ୍ତି ।

 

...ସମସ୍ତଙ୍କର ବିଶ୍ୱାସ ଅଛିରେ ପରଶୁ । କୋଚିଳେଶ୍ୱରୀଙ୍କୁ ଅମାନ୍ୟ କରିନାହିଁ, କି କରୁନାହିଁ । ଡହରୀଟା । କାହାର ଗୁହାରି ଶୁଣିଲେ ଶୁଣୁଥିବ । ସେମାନଙ୍କର ଗୁହାରି ଶୁଣିଲା ନାହିଁ । ମୋ ଗୁହାରି କେବେ ଶୁଣିନାହିଁ... ।

 

...ହଁ, କ’ଣ କହୁଥିଲିଟି, କୁଆଡ଼ିକି ପୁଣି ଭାସିଗଲି । ଦୁଃଖ ପରେ ଦୁଃଖ । ତା’ରି ଭିତରେ, କଳାଘୁମର ମେଘ ଭିତରେ ବିଜୁଳି ଛିରିକା ପରି, ସୁଖ କହିବି ନାହିଁ, କହିବି, ଟିକିଏ ଆନନ୍ଦର ଆଲୁଅଝଲକ ଦିଶିଯାଏ, ପୁଣି ଲିଭିଯାଏ । ଏ ମନ ଅନୁଭୋଗିଛି । କହି ହୋଇଯାଏ ।

 

..ଆଉ ଆଶା ନାହିଁ । ହତାଶା ଭିତରେ ବିଜୁଳିର ଝଲକ ପରି ଟିକିଏ ତୃପ୍ତି, ଟିକିଏ ଆନନ୍ଦ-

 

କହିବାକୁ ଜିଭ ଓଲଟୁନାହିଁ । ତୋରି ଆଶ୍ରାରେ ନିଧଡ଼କ ହୋଇ ଛାଡ଼ିଦେଇଛି ଏ କୁଳର, ଏ ଡିହର, (ନହର, ନାଁ ତୁଣ୍ଡକୁ ନ ଆସୁ) ଶେଷ ସମ୍ବଳଟିକୁରେ ପରଶୁ । ତୁ ଯାହା କହିବୁ ସେଇଆ ହେବ ।

 

..ଶୁଣ, ରାତିଅଧଯାଏ ସେଇ ଟୋକା ବକଟକ, ତାଙ୍କୁ ବୁଝାଶୁଝା କରେ । ତାଙ୍କ ପାଇଁ ଚିଟାଉ ଲେଖେ । ତା’ ଭୋକିଲା ପେଟର ଗର୍ଜନ ମୁଁ ଶୁଣେ । ମୋ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ପରି ଲାଗେ । ହେଲେ, ବାଧା ଦେବି କେମିତି । ପ୍ରଜାର ଗୁହାରି ରାଜାପୁଅ ଶୁଣୁଛି । ମସୁଧା ଦେଉଛି । ତାଙ୍କ ଦୁଃଖ ହରିବାକୁ ବେଉରା ଚିଟାଉ ଲେଖୁଛି କୁଆଡ଼େ କୁଆଡ଼େ ଯିବ । ହଉ ଡେରି । ଗୋଟାଏ ରାତି ତ ।

 

...ରାତିଅଧରେ ସେମାନଙ୍କୁ ଆଗେଇ ଦେଇ ଫେରିଆସେ । ଆଗ ମୋ ଗୋଡ଼ ଧରି କହେ, ରାଗିଲୁ କି, ଅପା ? ମୋ ପାଇଁ କେତେ ଦୁଃଖକଷ୍ଟ ସହିଲୁ ।

 

...ମୁଁ କାନ୍ଦିପକାଏରେ ପରଶୁ । ତାକୁ କୁଣ୍ଢାଇ ଧରେ । କହେ, କାଶିଆକପିଳା ଗପ ତୁ ଶୁଣିଛୁରେ ଧନ ?

 

–ଖାଲି ଶୁଣିଛି ? ଆମ ବିଦ୍ୟାଳୟରେ ନାଟକ ହୋଇଥିଲ।, ମତେ କରିଥିଲେ କପିଳା । ହାତୀ ସୁନା କଳସ...

 

-ଜାଣେରେ ଧନ, ମୋ ବାପା ଅଜା ସମସ୍ତେ ଜାଣିଥିଲେ । ସେହି କପିଳା ବଂଶରେ ତୋର ଜନମ । ସେହି ବଂଶର ଉଦାରତା ତୋ ରକ୍ତରେ ଖେଳୁଛି । ଆଜି ମୁଁ ତୋ’ରି ଭିତରେ ଗାଈଜଗା ଟୋକା କପିଳାକୁ ଦେଖୁଥିଲି ।

 

...ହଁ,ରେ ବାପ, ତୁ ପଛେ ସେଇଆ ରହ । ଯାହା କରୁଛୁ ସେଇଆ କର । କପିଳା ଗାଈ ଜଗୁଣୁ ରାଜାଚକ୍ରବର୍ତ୍ତୀ ହେଲା । ଏ ପୁରୁଷରେ ସେଇ ତୋ’ରି ରୂପରେ ଫେରିଆସିଛି ତା’ ପୁରୁଣା ଥାନକୁ ।

 

..ଚିନ୍ତା ନାହିଁ ।

 

ଜେମାଦେଈଙ୍କ ଆଖିରେ ଲୁହ ଦେଖି ପରଶୁ ଜେନା କାନ୍ଦି ଉଠିଥିଲେ । ତାଙ୍କର ପାଦ ସ୍ପର୍ଶ କରି କହିଥିଲେ, ସେ ପିଲା ଏ ଗ୍ରାମର ଆଖି ଆଉ କାନ ।

 

ସେ ଚାଷକାମ ଶିଖୁ, ଅପା । ଭଗବାନ ତମୁକୁ ପରମାୟୁ ଦେଲେ ଦେଖିବ, ଦିନେ ସେହି ଦୁଃଖନ ହେବ ରାଉତପାଟଣା ଚାଷୀ କୁଳର ଅଗ୍ରଣୀ, ଯାହା କହନ୍ତି, ସେନାପତି । ଆଉ ବେଶୀ ପୋଥିପାଠରୁ କ’ଣ ମିଳିବ ?

 

...ସତେ, ଅପା ସାନ୍ତାଣୀ, ମୋ କଥା ବିଚାରଣା କର । ଆମ ଚାଷୀ ଓ ମୂଲିଆଦଳର ପାଠ ବିଞ୍ଚିହୋଇ ପଡ଼ିଛି ଗହୀରମାଳରେ । ତାକୁ ଆଖି, କାନ, ନାକରେ ଦେଖି ଶୁଣି ଶୁଙ୍ଘି ବାରି ବିଚାରିବାକୁ ହେବ । ଖରାବରଷା ଶୀତ ସବୁ ଋତୁରେ । ସକାଳୁ ପୁଣି ଆର ସକାଳ ଯାଏ । ଥରେ ନୁହେଁ, କେତେ ଥର । ତେବେ ଯାଇଁ କହିବ ପୁଅ କିଛି ପଢ଼ିଲା, ଶିଖିଲା, ଜାଣିଲା ।

 

-ଓହୋ, ଭାରି କଠନ, ଭାରି ଗହନରେ ପରଶୁ । ତେବେ, ସେଇଆ ଭଲ । କି ଲାଭ ମିଳିବ ପାଠପଢ଼ି ପରଘରେ ମୁଣ୍ଡ ବିକିବାରୁ ?

 

-ଛି, ଅପା । ଯେତିକି ରୋଜଗାର, ତା’ଠୁ ଅଧିକ ଖରଚ । ସଦାବେଳେ ଉପୁରି ଚାରିପଇସା ଉପରେ ନଜର । ନ ହେଲେ, ବଢ଼ନ୍ତି ନଈ ପରି ବଢ଼ନ୍ତା ଖରଚକୁ ଭେଟିବ କେମିତି ?

 

ଆଗକାଳେ, ଡରି ଡରି ହାତ ପାତି ନେହୁରା କରି ଇନାମ୍‍ରୂପେ ମାଗିନେଉଥିଲେ, ଏବକାଳେ ମନ୍ତ୍ରୀମେଳ ଅମଳରେ, ଯନ୍ତ୍ରଯନ୍ତ୍ରୀ ବେଳରେ ନାଲି ଆଖି ଦେଖାଇ, ବିଧାଉଞ୍ଚାଇ ରକ୍ଷକେ ଭକ୍ଷକ ହୋଇ ପାଉଣା ନେଉଛନ୍ତି । କି ମିଳିବ ଚୋରିଚମାରି ଅଧର୍ମ ଅକର୍ମରୁ ? ଦେବାକୁ ଚାଷୀର ଜନମ । ନେବାକୁ ନୁହେଁ ଗୋ ଅପା ।

 

-ତେବେ

 

-ସେ ଚାଷ କରିବ । ଅପରାନ୍ତରେ ଝାଳ ଢାଳିବ । ସୁନା ଫଳାଇବ । ସାରା ଗାଁ ତା’ ପଛରେ ଥିବେ । ପାଣ ପଠାଣ ବାହ୍ମଣ ଯାଏ । ଛୁଆରୁ ବୁଢ଼ା ଯାଏ ସମସ୍ତେ । ସେ ଆ କହିଲେ ଆଇବେ, ଯା କହିଲେ ଯିବେ । ଡରିହରି କରି ନୁହେଁ ଗୋ ଜେମାଦେଈ ଅପା, ତା’ ସ୍ନେହ, ଭକ୍ତି, ନିଉପଣ ପୁଣି ପାରିଲାପଣିଆ ଯୋଗୁଁ । ନା ପଦେ ତା’ ତୁଣ୍ଡରେ ନାହିଁ ।

 

ଦୁଃଖନର ଆଉ ଅଧିକ ପ୍ରଶଂସା ସେ ଶୁଣିବାକୁ ମନ କଲେ ନାହିଁ । ଗଜପତିବଂଶର ଅବଶ୍ୟ କଣିକାଏ ରକତ ତା’ ଭିତରେ ଅଛି । ସେଇଥିପାଇଁ ସେ ଟୋକାଟା ଏମିତି ସାହାସିଆ, ଦାତାକର୍ଣ୍ଣ, ଉଦାର, ‘ସମସ୍ତେ ମୋର’ ଏପରି ଧାରଣାଧାରୀ ହୋଇଛି । ହେଉ । ଠକିଲେ ବଳେ ଠିକିବ । ଶିଖିବ । ଝୁଣ୍ଟିଲେ ବାଟ ଚିହ୍ନବ । ବଳେ ସେ ସାବଧାନ ହେବ ।

 

ସହର ବଜାରରେ ରହି, ଅଜବ ଅସୁବିଧାରେ ଚଳି ଅଧିକ ପାଠପଢ଼ା ନ ହେଉ । ସେ ଘର, ବଗିଚା, ସଂସ୍ଥା ଛାଡ଼ି ପାଖରେ ନ ରହିଲେ ସବୁ ତ ଏଠାରେ ଉଜୁଡ଼ି ଯିବ । ପୁଣି, ଆଉ ଯେଉଁ ସ୍ଥାନଗୁଡ଼ିକ ଖୋଳିବାକୁ ସେ ସପନ ଦେଖୁଛନ୍ତି, ସେତକ ସେ ନିଜ ହାତରେ ଗଛଚାରା ପୋତିବା ବାହାନାରେ ହାଉଲେ ହାଉଲେ ନ ଖୋଳିବେ କାହିଁକି ? ପୁଣି ବଳଦ ହଳିକ, ଦୁହାଁଳୀ ଗାଈ ଓ ତା’ ବାଛୁରୀଟି ?

 

ଦୁଃଖନ ଆଉ ବହିପାଠ ନ ପଢ଼ୁ । ଦୁନିଆକୁ ପଢ଼ୁ । ବିଲବାଡ଼ି, ନଈପୋଖରୀ, ଗାଈବଳଦ, ଜୀବଜନ୍ତୁ, ଗଛବୃଛ ଲଟାଗୁଳ୍ମ, ଆଉ ମଣିଷ ସମସ୍ତଙ୍କୁ ପଢ଼ୁ । ଯାହା କହିଲେ ପରଶୁ ଜେନାଏ ଠିକଣା କଥା । ଏଇସବୁ ପାଠ ଅସଲ କାମରେ ଲାଗେ ।

 

ଆଗେ ଏଇସବୁ ପାଠ, ସେଇଠୁ, ପୋଥିପାଠ ଯେ ଅଧିକରୁ ଅଧିକ ।

 

ଦୁଃଖନର ସହରିଆ ପାଠ ପଢ଼ିବାକୁ ମନ ଡାକୁନାହିଁ । ଦିନେ ସେ ସେଇଆ କହୁଥିଲା । ପୁଣି କହିଲା, କେମିତି ତତେ ଏକୁଟିଆ ଛାଡ଼ି ମୁଁ ନିଶ୍ଚିନ୍ତରେ ରହିପାରିବି ? ତତେ ତ ମୁଁ ସପନ ଦେଖୁଥିବି ...ମୋ ମନ ଦକଦକ ହେଉଥିବ ଲୋ ଅପା, ଏଇଠି ଭ୍ରମୁଥିବି । ପାଠରେ ମନ ପଶିବ ନାହିଁ । ପରଶୁ ଦାଦି ଯାହା କହୁଛନ୍ତି, ସତ । ସେଇ ମୋର ମାଲିକ । ସେ ମୋର ମୂଲିଆ କୋଠିଆ-

ସେଇ ପୁଣି ମୋର ଶିକ୍ଷକ ।

ଜେମାଦେଈ ଆଉ ବଳେଇ ନ ଥିଲେ । ଅଧିକ ଇଂରେଜି ପାଠ ପଢ଼ିଲେ ଦିନେ ଦୁଃଖନକୁ ଏ ଘର, ଏଇ ଗାଁ ଛାଡ଼ିବାକୁ ପଡ଼ନ୍ତା । ବଡ଼ ହେଉ ସାନ ହେଉ, କେଉଁଠି ଯାଇ ଚାକିରି କରି ରହନ୍ତା-। ଘର ସମ୍ପତ୍ତି ଉଜୁଡ଼ନ୍ତା । ପର ଭୋଗ କରନ୍ତେ । ବରଂ ବିଲମାଟି ହିଡ଼ରେ ଲଦି, ଡିହ ଆବୋରି, ଗ୍ରାମବାସୀଙ୍କ ମେଳରେ ସେମାନଙ୍କର ସୁଖଦୁଃଖରେ ଭାଗୀ ହୋଇ ଚଳିଲେ ଭଲ ।

ସେଇଆ ସେ କରିଛି । ସମସ୍ତଙ୍କର ସ୍ନେହ, ସୋହାଗ, ସହାନୁଭୂତି ପାଇଛି । ତାଙ୍କ ଘରେ କୋଠିଆ କାମ କରୁଛି, ଶିଖୁଛି ।

ଜେମାଦେଈଙ୍କ ତୁଣ୍ଡରୁ ଏକଥା ଶୁଣି ପରଶୁ ଜେନାଏ ମନଦୁଃଖ କରି କହିଲେ, “ସେପରି ଧାରଣା କେବେ ମୋ ମନରେ ପଶିନାହିଁ, ଅପା-ସାନ୍ତାଣୀ ।’’

ମୋ ସାଙ୍ଗରେ ମିଶି ସେ ମୋତେ କାମରେ ସାହାଯ୍ୟ କରୁଛି । ପରିଶ୍ରମର ମୂଲ ତ ପୁଣି ଅଛି । ସେଇଆ ତାକୁ ମୁଁ ଦେଉଛି । ଧାରୁଆ ରହିବି କାହିଁକି ?

ପୁଣି ଜେନାଏ କହିଲେ, “ମୁଁ ବି ତମର ମୂଲିଆ ଥିଲି, କୋଠିଆ ଥିଲି । ଏବେ ବି ତମର ଘରଛୁଆଣି କରେ । ତମ ବିଲରେ ଦୁଃଖନ ଓ ଅନ୍ୟ ମୂଲିଆଙ୍କ ସଙ୍ଗରେ ମିଶି ଲୋଡ଼ା ପଡ଼ିଲେ କାମ କରେଁ । ମୂଲ ନିଏଁ, ଅବା ଦୁଃଖନର ପ।ଉଣାରୁ ମଜୁରା କରେଁ... ।’’

....ତମେ ସେମିତି ଭାବ ନାହିଁ । ମୋ ସ୍ତିରୀ ଦୁଃଖନକୁ ଯେମିତି ପୁଅ ପୁତୁରା ପରି ସ୍ନେହ କରେ । ସେ ବି ସେମିତି କୁସୁମକୁ ମାନେ, ଭକ୍ତି କରେ । ନହୁଲୀ ତାକୁ ତା ମା’ ପେଟର ଭାଇ ପରି ମଣେ । ସେମିତି ସେ ନଅ ବର୍ଷର ପୁଅ ନକୁଳ । ଭାରି ଚଗଲା । ତା’ର ସବୁ ଅଳି ଅଲିଅଳପଣ ସେହି ଦୁଃଖନ ପାଖରେ । ପିଠିରେ ନାଉ ହୁଏ । କାନ୍ଧରେ ଚଢ଼େ । ଦୁଃଖନ କିରି କିରି ହସୁଥାଏ । ନକୁଳ ପାଠରେ ମନ ଦେଉ ନ ଥିଲା । ବହି ଛୁଉଁ ନ ଥିଲା । ମାଷ୍ଟ୍ରେ ତାକୁ ଶାସନ କରୁଥିଲେ । ଦୁଃଖନ ଖେଳାଇ ଖେଳାଇ ତାକୁ ଏମିତି ବାଗରେ ପଢ଼ାଇଲା ଯେ ଏବେ ସେହି ମାଷ୍ଟ୍ରେ ତାକୁ ପ୍ରଶଂସା କଲେଣି । ତା’ ହାତରେ ଅନ୍ୟ ପିଲାଙ୍କର କାନ ମୋଡ଼ାଇଲେଣି ।

 

-ସତେ ?

 

-ହଁ, ଅପା । ଦୁଃଖନ ମନ୍ତ୍ର ଜାଣେ । ପଚିଶିକ ଗୁଣନଖନ୍ଦା ନକୁଳର ତୁଣ୍ଡରେ ପରା । ଦୁଃଖନ କାମ କଲାବେଳେ ନକୁଳ ତାକୁ ସାହାଯ୍ୟ କରେ ।

 

-ପିଲଟା କ’ଣ ସାହାଯ୍ୟ କରିବ, ପରଶୁ ?

-ଗୁଣ୍ଡୁଚିମୂଷା ଯେମିତି ଭଗବାନ ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିଥିଲା, ସେମିତି ।

 

ନିରୋଳା ନିକାଞ୍ଚନ ବେଳରେ କେଉଁ ପ୍ରିୟଜନର ପ୍ରତୀକ୍ଷାରେ ନୀରବରେ ବସି ଅଳସ ସମୟ ବିତାଇଲେ ଏପରି କେତେ କେତେ ଭାବନା ମନରେ ଢେଉ ଭାଙ୍ଗେ । ଅତୀତ ଆଡ଼କୁ ସୁମରଣା ତଡ଼ି ହୋଇଯାଏ । ପୁଣି, ବର୍ତ୍ତମାନକୁ ଫେରି ଉଜାଣି ଉଠେ ସେ ଭାବନା ଭବିଷ୍ୟକୁ । ଅନିଶ୍ଚିତତାର ଆଘାତ ପାଇ ପୁଣି ଫେରିଆସେ ବର୍ତ୍ତମାନକୁ । ଜେମାଦେଈଙ୍କର ସେଇଆ ହେଲା ।

 

ଆକାଶ କୋଣରେ ଦୃଷ୍ଟି ପଡ଼ନ୍ତେ ସେ ଦେଖିଲେ, ଚତୁର୍ଦ୍ଦଶୀର ଉଜ୍ଜ୍ୱଳ ଜହ୍ନ ନଦୀବନ୍ଧ ତଳର ଝଙ୍କାଳିଆ ଗଜା ଜାମୁକୋଳି ଗଛର ପତ୍ର ଉହାଡ଼ ଅତିକ୍ରମି ନିର୍ମେଘ ଆକାଶ କୋଣକୁ ଉଠିଆସୁଛି ।

ସେ ଚିହିଁକି ଉଠିଲେ । ଦୁଇହାତ ଯୋଡ଼ି କପାଳରେ ଲଗାଇଲେ । ପୁରୁଷୋତ୍ତମ କ୍ଷେତ୍ରର କାଳିଆ ଠାକୁର, ପୁଣି ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କୁ ସ୍ମରଣ କରି ମନେ ମନେ କହିଲେ, ଆଜି ଦମନକ ଚତୁର୍ଦ୍ଦଶୀ । ଏଇଠି ମୁଁ ଓଳଗି ହେଉଛି ।

...ମୁଁ କିଛି ମାଗୁନାହିଁ । ମୋ ନିଜର ଆଉ ଲୋଡ଼ା କ’ଣ ? ମୋ ମାଗୁଣି ସେହି ହତଭାଗ୍ୟ ଦୁଃଖନ ପାଇଁ । ତାକୁ ଘଣ୍ଟ ଘୋଡ଼ାଇ ରଖ ।

ଜେମାଦେଈ ମୁଣ୍ଡ ନୁଆଇଁ ଭୂଇଁରେ ଲଗାଇ ପ୍ରଣିତ ହେଲେ । ମୁଣ୍ଡ ଉଠାଇ ମନକୁ ବୁଝାଇ ସାନ୍ତ୍ୱନା ଦେଲେ-ଦିନେ ଦିନେ ଦୁଃଖନ ବହୁତ ଡେରିରେ ଫେରେ । ଅରକ୍ଷିତକୁ ଦଇବ ସାହା । ତା’ ପାଇଁ ଏତେ ଭାବି ଛଟପଟ ହେଲେ କି ଲାଭ ମିଳିବ ? ଏତେବେଳଯାଏ ଘରେ ଆଲୁଅ ଜଳିନାହିଁ । ରାତିର ଭେଜନ ପାଇଁ ପୁଣି ଭାତ ଦି’ ମୁଠା ଫଟାଇବାକୁ ହେବ...’’

ତା’ ପାଖରେ ଯାହା ଥୋଇଦେଲେ ତା’ର ଖୁସି । ଅଧାସିଝା, ଅଲଣା, ଲୁଣିଆ ବାରେ ନାହିଁ ସେ ଟୋକା । ତା’ ପାଟି ସିଠିମିଠି ଖୋଜେ ନାହିଁ ।

ଶାଗ ଖରଡ଼ା, ଛତୁ ରାଇତା, ହିଡ଼ିମିଚି, ନିମ, ପିତାଶାଗରେ କଷି ବାଇଗଣ, ଅବା ଦରପାକଳ ବନ୍ତଳ କଦଳୀ ଚୁନିଚୁନି କାଟି ପକାଇ ଧାପେ ତେଲରେ ରସୁଣ ଦି କୋଲା ଦେଇ ବଘାରି ସନ୍ତୁଳା କଲେ ଦୁଃଖନର କେଡ଼େ ଆନନ୍ଦ ।

ପିଲାଦିନରୁ ସେ ସେଇଆ । ଖାଇବାପାଇଁ କେବେ ଅଝଟ ହୋଇନାହିଁ । ବେଶି ରୋଗ ବଇରାଗରେ ପଡ଼ିନାହିଁ । ଖରାଦିନେ ଗାଁ ପିଲାଙ୍କ ସଙ୍ଗେ ମିଶି ଦହର ପାଣିରେ ବେଶୀବେଳ ପହଁରି ଆଖି କୁମ୍ଭାଟୁଆ ଆଖି ପରି ନାଲି ନାଲି କରିଥାଏ ।

 

ପଙ୍କ ସରସର ଅଣ୍ଟିରେ ଅଧଅଣ୍ଟିଏ ଖିଅରେ ଧରି ଚୁନା ମାଛ ଆଣିଥାଏ । ଚେଙ୍ଗ, ଗଡ଼ିଶା, ଶେଉଳ କଷି, କଉ, କରାଣ୍ଡି, ମହୁରାଡ଼ି ଖିଅ ଦେଇ ଧରିଥାଏ । ଆଉ କେଉଁ ପିଲା ସାଙ୍ଗରେ ।

 

ଅଳି କରେ, ଅପା ଲୋ, ଆରଥର ପରି ପତରପୋଡ଼ା କରିବୁ । ସେଥିରେ କଞ୍ଚା ମରିଚ, ରସୁଣ, କଅଁଳିଆ ପୁରୁଣିଶାଗ ପକାଇବୁ ।

 

ଜେମାଦେଈ ତା’ର ଆଗ୍ରହ ଭାଙ୍ଗନ୍ତି ନାହିଁ । ଦୁଃଖନକୁ ଆଉଥରେ ନିଜେ ଧୋଇଧାଇ ସଫାସୁତୁରା କରନ୍ତି । ବୁଝାଇ କହନ୍ତି, ସେ ବିପଦିଆ କ।ମରେ କାହିଁକି ମାତିଛୁ ଧନ । ସେଇ ବାଉରି, ପଠାଣ, କଣ୍ଡରା, ଚଷା ପିଲାଙ୍କୁ ପଇସା ଦେଇଥିଲେ ସେମାନେ କ’ଣ ମାଛ ଆଞ୍ଜୁଳାଏ ଦେଇ ନ ଥାନ୍ତେ ।

 

...ଦହରେ କେତେ ସାପ ଅଛନ୍ତି । ତୁ ଆଉ ପହଁରିବୁ ନାହିଁ । ଗାତ ଭିତରେ ହାତ ପୂରାଇ କଙ୍କଡ଼ା ଓଟାରିବୁ ନାହିଁ ।

 

ସେ କହେ, “ତୋ କଥା ସତ ଯେ, ମୁଁ କେମିତି ମାନିବି, ଅପା । ମତେ ଲାଜ, ମୋ ବଂଶକୁ ଲାଜ । ବଡ଼ ରାଉତରାୟ ଘରର ପୁଅଟି ମୁଁ । ତୁ କହ, ମୁଁ ଆଗରେ ଚାଲି ବାଟ କଢ଼ାଇବି, ନା ପଛରେ ଗୋଡ଼ାଇବି ? ତୁ କହୁଥିଲୁ, ଗାଁ ଲୋକେ ବି କୁହାକୁହି ହୁଅନ୍ତି, ମୁଁ ଶୁଣିଛି, ଏ ଦହତଳ ଭୂମିର ଦଶଣା ଅଂଶ ଆମ ବଂଶର ନିଷ୍କର ଜାଗିରି । କାଗଜପତ୍ରରେ ସେଇଆ ଲେଖା ?

 

-ସତରେ ଧନ ।

 

-ମୁଁ ଆଗୁଆଳ, ମୋ ଦହର ପାଣି ପହଁରାରେ । ପହଁରି ପହଁରି ଦିନେ ମୁଁ ନିଶ୍ଚେ ଆର ପାଖକୁ ଯିବି ।

 

-ମୁଁ ମରିସାରେ ।

-ତୁ ମଲେ ମୁଁ ମୋ ପାରିପଣିଆ ଆଉ କାହାକୁ ଦେଖାଇବି ?

 

ଜେମାଦେଈ କାକୁସ୍ଥ ହୋଇଥିଲେ । ସିଂହଛୁଆ ଗରଜୁଛି । କିଏ ବାରଣ କରିବ ? ସେ ତୁନି ରହନ୍ତି ।

 

ଦୁଃଖନ ସର୍ଦ୍ଦି କାଶ ଭୋଗେ । କେବେ ପୁଣି ଜରରେ ଛଟପଟ ହୁଏ । ଅନିଦ୍ରା ରହି ଜେମାଦେଈ ତା’ର ସେବା କରନ୍ତି । ଗୁଣିଆ ଡକାଇ ଝଡ଼ାନ୍ତି । ମନ୍ତୁରା ପାଣି ପିଆନ୍ତି ।

 

କେଶବ ବେହେରା, ଜାତିରେ ସେ କୈବର୍ତ୍ତ, ବୟସ ଚାରିକୋଡ଼ି ପାଖ । ବେଶ୍ ଦମ୍ଭିଲା ଅଛନ୍ତି । ତେବେ, ଦେଖିବା ଶୁଣିବାର ଶକ୍ତି କମିଥିଲେ ବି ଏକାଥରେ ନଷ୍ଟ ହୋଇନାହିଁ ।

 

ଠେଙ୍ଗା ଧରି ଧୀରେ ଧୀରେ ଚାଲନ୍ତି । ସେ ଆସି ଝଡ଼ାଫୁଙ୍କା କରନ୍ତି । ଭୁଟୁର୍‌ ଭୁଟୁର୍‍ ହୋଇ ମନ୍ତର ପଢ଼ନ୍ତି । ମନ୍ତୁରା ପାଣିରେ ଚେରମୂଳ ଘୋଟି ପିଆନ୍ତି ।

 

ନିଜେ ଜେମାଦେଈ ଉହ୍ମେଇରେ ରଡ଼ନିଆଁ ଭରି କନାପୁଡ଼ାରେ ସେକନ୍ତି । ଜର ସରଦ କମେ, ଭଲ ହୁଏ ।

 

କେଡ଼େ କଷ୍ଟରେ ପିଲାଟିଦିନରୁ ସେବା କରି ଯତ୍ନ ନେଇ ଠାକୁରଠାକୁରଣୀମାନଙ୍କ କଲ୍ୟାଣରୁ ବଢ଼ାଇଛନ୍ତି । ତା’ ପାଇଁ ସବୁବେଳେ ମନ ଦକଦକ । ସେ ଯଦି ମୁଣ୍ଡରେ ଆପଦବିପଦ ବୋଝେଇ କରି ବାହାଦୂରୀ ଦେଖାଇବାକୁ ହୁଣ୍ଡାଳିଆ କାମ କରିବ କିପରି ସେ ବାଧା ଦେଇପାରିବେ ?

 

ଯେତେ ବୁଝାଇଲେ ସେ ବୁଝୁନାହିଁ । ଓଲଟା ପିଲଟା ଜାଣୁନାହିଁ ଯେ ଲୋକଙ୍କର ଟେକାଟେକି କଥା ଓ ବାହାବାହା ଟିହାଣରେ ମାତିଗଲେ ଆପଣାର କ୍ଷତି । ଆପଦ ବିପଦବେଳେ ପିଠିରେ ପଡ଼ିବାକୁ କେହି ଆଗେଇ ଆସିବେ ନାହିଁ ।

 

ଆପଣା କର୍ମର ଫଳ ନିଜକୁ ଭୋଗିବାକୁ ପଡ଼ିବ । କେହି ଆସି ସାହା ହେବେ ନାହିଁ । ତୁଣ୍ଡରେ ଅଲଣା ଆହା-ଆହା ପଦ । ମନରେ, କେଞ୍ଚାଏ ପାଇଲାରେ ପୁଅ, ବାହାଦୂରପଣିଆ ଭାଙ୍ଗିଲାର ଉଲ୍ଲାସ-କୁହାଟ ।

 

ସମସ୍ତେ ସେଗୁଡ଼ାକ ଆପଣା ସାର୍ଥିକା । ମୁହଁରେ ମହୁ, ମନରେ ମହୁରା । ଘୋର କଳିକାଳ ଘୋଟିଛି । ଅଣ୍ଟିରେ ପଶି ତଣ୍ଟି କାଟିବା ଯୁଗ ଏ ।

 

ଯେତେ ବୁଝାଇଲେ ପିଲଟା ବୁଝୁନାହିଁ । ସଭିଙ୍କୁ ଆପଣାର ମଣିଛି । ଠକରେ ପଡ଼ିଲେ ବଳେ ଠିକିବ । ସେଇଠୁ ଶିଖିବ । ଏବକାର ଦୁନିଆଁକୁ ପଢ଼ି ହାଡ଼େ ହାଡ଼େ ଚିହ୍ନିଲେ, ନେଡ଼ିଗୁଡ଼ କହୁଣିକୁ ବୋହିଗଲେ ଆଉ ଚାଟି ଚାଖିବାକୁ ବେଳ ନ ଥିବ, ବହପ ନ ଥିବ । ନି-ସାହା ହୋଇ ବେଡ଼ାଙ୍କ ପରି ବଲବଲ କରି ଚାହିଁ ରହିବା ସାର ହେବ ।

 

ଜେମାଦେଈ ଚିନ୍ତିତ ହୋଇ ବସିଲା ଠଉଁ ଉଠିଲେ । ଦୀର୍ଘଶ୍ୱାସ ଛାଡ଼ିଲେ । ନିଜକୁ କହିଲେ, ଟୋକା ଆଜି କେତେ ଡେରି କରୁଛି କରୁଥାଉ । ମନ ସିନା ଦକଦକ ହୁଏ, କାମ ତ କରିବାକୁ ହେବ ।

 

ସଞ୍ଜ ହେଲା ।

 

ଚତୁର୍ଦ୍ଦଶୀର ଜହ୍ନ ଉଇଁଲା । କଅଁଳ ଶୀତଳ ସୁନେଲି ଜୋଛନାରେ ଦୁନିଆ ସିହ୍ନାନ କଲାଣି-। ଭାଗବତ ଗାଦି ପାଖରେ ଦୀପ ଜାଳିବାକୁ ହେବ । କେତେ ପୁରୁଷର କି କି ପୋଥିସବୁ ରହିଛି । ତାଳପତ୍ରରେ ଲେଖନମୁନରେ ଲେଖା । କ’ଣ ସବୁ ଲେଖା ହୋଇଛି ଜେମାଦେଈ ଜାଣନ୍ତି ନାହିଁ । କେବେ କେବେ ଦୁଃଖନ ଖୋଲେ, ଝାଡ଼େ, ସଜାଡ଼ି ରଖେ ।

 

କାଗଜ-କଲମ ଯୁଗରେ ତାଳପତ୍ର, ଲେଖନ, ପୋଥି ଅକାମୀ ହେଲାଣି । ତେବେ, ପୂର୍ବ-ପୁରୁଷଙ୍କ ହାତଲେଖା ପୋଥି ସେ ଯତ୍ନରେ ରଖିଛି । ତା’ରି ଭିତରେ ବାପ, ଅଜା, ପଣଅଜାଙ୍କର ଆତ୍ମାର ଆଗ୍ରହ ବଞ୍ଚିରହିଛି । ଦୀପ ଜାଳି, ଭକତି ଢାଳି ମୁଣ୍ଡ ନୋଇଁବା କର୍ତ୍ତବ୍ୟକୁ ସେ ଭୁଲିବେ କିପରି ।

 

ଦୁଃଖନ ବି ଶିଖିଲାଣି । ନ ଖୋଲୁ, ନ ପଢ଼ୁ, ପୋଥିସବୁ ଝାଡ଼ିଝୁଡ଼ି ମୁଣ୍ଡରେ ଲଗାଇ ଅତି ଯତ୍ନରେ ଖଟୁଲିମାନଙ୍କରେ ସଜାଡ଼ି ରଖିବାର ଦାୟିତ୍ୱ ବୁଝିଲାଣି ।

 

ଫେରିବାକୁ ତା’ର ଏତେ ବିଳମ୍ବ ହେଉଛି କାହିଁକି ? ଏହି ଚିନ୍ତାରେ ବିବ୍ରତ ଜେମାଦେଈ ଅଗଣା ଭିତରେ ପାଦ ଦେଉଣୁ ଅଟକି ଠିଆ ହେଲେ । ମନରେ ପଶିଲା ଆଉ ଗୋଟିଏ ଭାବନା-ଏଡ଼େ ସୁନ୍ଦର ଜହ୍ନିଫୁଲିଆ ଉଜ୍ଜ୍ୱଳ ସଞ୍ଜରେ ଆଜି ରାଉତପଡ଼ାର ଗାଁ-ଦାଣ୍ଡ ନିଶୂନ କାହିଁକି ? କାହାରି ଦେଖା ମିଳିଲା ନାହିଁ । ଗାଁ ବସତିଆଡ଼ୁ ମଣିଷଙ୍କର ଶବଦ ଶୁଭୁନାହିଁ । ବେଳେ ବେଳେ ପଶୁଙ୍କର ବୋବାଳି ଶୁଭୁଛି ।

 

କେଉଁଠି କ’ଣ ଅସ୍ୱାଭାବିକ ଘଟଣା ଘଟିଛି; ଅବା ତାଙ୍କର ମଥିତ ମନରେ ଉଦ୍‍ବେଗର ତାଡ଼ନା ତାଙ୍କୁ ଜଡ଼ କରିଛି ?

 

ଅଗଣାର ଗୋଟିଏ କୋଣରେ କଲମୀ ଆମ୍ବଗଛ କଡ଼ରେ ଗୁହାଳ ଘର । ସେଥିରେ ରହେ ଦୁହାଁଳୀ ଗାଈ ବଉଳା, ତାର କଅଁଳା ବାଛୁରୀ ଝୁମୁରୀ, ଆଉ ବଉଳାର ପହିଲି ଝିଅ ମୋତି । ଝୁମୁରୀ ତ ତା’ର ତୃତୀୟ ଗର୍ଭର ଅଲିଅଳୀ । ମୋତି ଫଳ ଯାଇଛି । ଦ୍ୱିତୀୟଟି ଅଣ୍ଡିରା ହେଲାରୁ ତାକୁ ପରଶୁ ଜେନାଙ୍କୁ ଦୁଃଖନ ଦେଲା । ତାଙ୍କର ଗାଈପୁଅ ସାଙ୍ଗକୁ ସେ ଯୋଡ଼ିହେବ । ମଣ ହେଲେ ହଳ କରିବ । ଶଗଡ଼ରେ ବି ଯୋଚାହେବ ।

 

ଜେମାଦେଈ ଦାଣ୍ଡଘର ବାଟେ ପଥର ପାହାଚ ଓହ୍ଲାଇ ଅଗଣାକୁ ଆସନ୍ତେ ଗାଈବାଛୁରୀ ତାଙ୍କର ମନେପଡ଼ିଲେ । ଗୁହାଳ ଆଡ଼କୁ ଆଗେଇ ଯାଉଣୁ ସଣସଣ ଶବଦ ଶୁଣିଲେ । ବିଚାରିଲେ,ଏ କି ଆଚମ୍ବିତ କଥା । ଗୋଠ ଜଗୁଆଳ ଗନ୍ଧର୍ବ ବେହେରା ବାରିବାଟେ ଆସି ଅଗଣାର ପଛଦ୍ୱାର ବାଟେ ଖଞ୍ଜା ଭିତରେ ପଶି ଗୋଟିଏ ଘରେ ସେମାନଙ୍କୁ ବାନ୍ଧିଛି । ସତେ ତ, ଗୁହାଳର ଆର ବଖରାରେ ବଳଦ ଦିଓଟିଙ୍କୁ ବି ବାନ୍ଧିଛି । ସମସ୍ତଙ୍କ ଆଗରେ ପୁଳାଏ ପୁଳାଏ ପୁଆଳ ପକାଇ ଛୁ କରିଛି । ପଛପାଖରେ କବାଟ ଦି ଫାଳ ଠିଆ ମେଲା ।

 

ସେ ବନ୍ଦ କରିବାକୁ ନିଜେ ଭୁଲିଯାଇଥିଲେ । ଦୁଃଖନର ଚିନ୍ତାରେ ସେ ଆନମନା ହୋଇଥିଲେ । ନିତିଦିନିଆ କର୍ତ୍ତବ୍ୟ କାମ ଭୁଲିଥିଲେ । ଗନ୍ଧର୍ବକୁ ସେ ଦୋଷ ଦେବେ କାହିଁକି ।

 

ଗରିବ ଗନ୍ଧର୍ବ ବେହେରାଟି ସଚ୍ଚୋଟ ମଣିଷ । ଘରଡ଼ିହ ଓ ତା’ ଉପର ଚାଳ ଛଡ଼ା ତା’ର ସମ୍ପତ୍ତି ଭିତରେ ଦୁହାଁଳୀ ଗାଈଟିଏ, ବାଛୁରୀଟିଏ । ଘରେ ଭୁଆସୁଣୀ ଭାରିଜା କମଳୀ ଓ ଥାକୁଲିଆ ଆବରଣର ଗୋରା ତକତକ ଦି ବରଷର କୌତୁକିଆ ପୁଅ ବକଟେ ଯେ ଦେଖିଲେ କାଖ କରିବାକୁ ମନ ହେବ । ଦୃଷ୍ଟି ପଡ଼ିବ ବୋଲି ତା’ ହାତରେ, ବେକରେ କେତେ ଡେଉଁରିଆ ବନ୍ଧା ।

 

ରାଉତପଡ଼ାର ଶେଷମୁଣ୍ଡଆଡ଼କୁ ମହାଦେବଙ୍କର ଆସ୍ଥାନ-ବରଗଛ ପାଖରୁ ଅଳପ ଦୂରରେ ବନ୍ଧର ଗଡ଼ାଣିତଳେ ତା’ ଘର । ବାସଙ୍ଗ ଓ ବାଇଗବା ଗଛର ବାଡ଼ାବନ୍ଦି ଭିତରେ ତୋଳା-। ପାଠ ପଢ଼ିଛି ଯେ କ-ବ-ଚ କରି ଚିହ୍ନି ଚିହ୍ନି ଗୀତ ପଢ଼େ ।

 

ସବୁଦିନେ ସେ ଡାକେ । ଆଜି କାହିଁକି ସ୍ୱରଶବଦ ନ କରି ନିଜର କାମ ନିଜେ ତୁନିତାନି ସମ୍ପାଦି ଛୁ କଲା ? କାଳେ କ’ଣ ବୋଲହାକ ବତାଇବି, ଆଉ କୁଆଡ଼େ ବରଗିବି ବୋଲି ସେ ଏପରି ଲୁଚି ଲୁଚି ଆସି ଛପିଛପି ଚାଲିଗଲା । ଛୁଆଟିର ଦେହପା ଭଲ ଅଛି ତ ? କମଳୀକୁ କେତେଦିନ ହେଲା ଜେମାଦେଈ ଦେଖି ନ ଥିଲେ । ତା’ ଦେହ ବିଷୟରେ ବି ଚିନ୍ତିତ ହେଲେ ।

 

ସେମାନଙ୍କର ଶୁଭ ମନାସିଲେ । ନିଜକୁ ସେ ମନେ ମନେ ତିଆରି ଶାସନ କରିବାକୁ କହିହେଲେ, ତୁ’ଟା ଏଡ଼େ ଜାଣତ ବୋଲି ନିଜକୁ ମଣି, ଦୁଇକୋଡ଼ି ଅଠର ବର୍ଷ ଡେଇଁ, ନିର୍ବୋଧଙ୍କ ପରି ଏଣୁତେଣୁ ଭବନାର ଢେଉରେ ନିଜକୁ ଭସାଇ ଦେଉଛୁ ଲୋ ଜେମୀ ।

 

ଜେମାଦେଈ ଆକାଶକୁ ଚାହିଁଲେ । ଉଜ୍ଜ୍ୱଳ ଜୋଛନାରେ ଜ୍ୟୋତିହରା ତାରକାଗୁଡ଼ିକ ପ୍ରଭାହୀନ ଦିଶୁଛନ୍ତି । ଖଣ୍ଡିଖଣ୍ଡିକା ରୂପେଲି ବାଦଲର ପରଦା ତଳେ ମିଟିମିଟି ହେଉଛନ୍ତି । ଉପହାସ କରି ଚେତାଇ ଦେବାକୁ ତାଙ୍କର ମନେପକାଇ ଦେଉଛନ୍ତି ଅଭୁଲା ବାଣୀ-

 

‘ତୁ ଏଡ଼ିକି ଗୁଆଁର ଲୋ ଜେମୀ ? ହେତୁ ହେଲା ଦିନରୁ ତୁ ଯାହା ଦେଖି ଆସିଛୁ, ଜାଣି ଆସିଛୁ, ଅଙ୍ଗେ ଲିଭାଉଛୁ, କଳିଷଠା ଷାଠିଏ ତୋ’ର ହାତ ପହଞ୍ଚରେ, କେମିତି ତୁ ପାସୋରି ଯାଉଛୁ ସୃଷ୍ଟି କରତାର ଅମୂଲ୍ୟ ଅମର ବାଣୀ ‘କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ-?’

 

ସତେ ତ । କେଡ଼େ ମୂର୍ଖ ମୁଁ । ବିଧିର ବିଧାନ କିଏ ଆନ କରିପାରିବ ? ଏହା ବିଚାରି ଜେମାଦେଈ ଥରିଲା ହାତ ଦୁଇଟି ଯୋଡ଼ି କପାଳରେ ନିହିଲେ । ଆଖି ବୁଜି ଚକାଡୋଳା କାଳିଆକୁ ସୁମରି ଜଣାଇଲେ, “ତୋରି ଇଚ୍ଛା ପୂରଣ ହେଉ । ଆହୁରି ଦୁଃଖ ଯନ୍ତ୍ରଣାର ନିଆଁରେ ଦହିବାକୁ ତୋ’ର ମନ ହେଉଛି ତ ସେଇଆ କର । ଖାଲି ଏତିକି ମୋର ମାଗୁଣି-ଦେଲେ ଦେ, ନ ଦେଲେ ନାଇଁ; ସହିବାକୁ ମୋ ମନରେ ବଳ ଦେ । ବଞ୍ଚିଥିବାଯାଏ ମୋ କର୍ତ୍ତବ୍ୟ ମୁଁ କରିଯାଉଥାଏଁ ?’’

 

ଜେମାଦେଈ କପାଳରୁ ଯୋଡ଼ିଲା ହାତ ଖସାଇଲେ । ମନରେ ନୂଆବଳ ସଞ୍ଚରିଲା । ସେ ତତ୍‌ପର ହୋଇଉଠିଲେ । କେତେ କାମ ବାକି ପଡ଼ିଛି । ନିଷ୍ଫଳ ନିଶ୍ଚଳ ଭାବନାରେ ଦୋହଲା ଦୁର୍ବଳ ମନକୁ ଭସାଇଦେଇ ସେ ବୃଥାରେ ବେଳ ବିତାଉଛନ୍ତି ।

 

ଏତେବେଳଯାଏ ସଞ୍ଜବତୀ ଦିଆହୋଇ ନାହିଁ, ଆଲୁଅ ଜଳିନାହିଁ । ଦୁଃଖନ ପାରିଲାର ପିଲା । ଯେତେବେଳେ କାମ ସରିବ ଫେରିବ । ତା’ ପାଇଁ ଆଉ ଅଳସ ଚିନ୍ତାରେ ବେଳ ବିତାଇବେ ନାହିଁ ।

 

ସେ ଅଗଣାର ପଛପାଖ କବାଟରେ ଶିକୁଳି ଦେବାକୁ ଆଗେଇ ଗଲେ ।

 

(୩)

 

ଭୂମିବାଡ଼ି ଯାହା ଥିଲା ସେଥିରୁ ଅଧେରୁ ଅଧିକ ଭଉଣୀ ତିନୋଟିଙ୍କ ବାହାଘରର ଖରଚ ତୁଲଇବାକୁ ନିଜେ ପରଶୁ ଜେନା ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ । କେତେଦିନ ଆଉ ସେମାନେ ଘରେ ରହନ୍ତେ ?

ଗାଁ ଲୋକେ ବାର ନିନ୍ଦା ରଟାଇଲେ । ମୁହଁ ଉପରେ ଟାଉଁ ଟ।ଉଁ କରି କହିଲେ., “କିହୋ ପରଶୁ, ତମେ କ’ଣ ଅନ୍ଧ ହୋଇଛ ? ବୟସ କ’ଣ ଅଟକି ରହେ ? ତମ ଘରକୁ ନିନ୍ଦା । ତମେ କ’ଣ ଆଖି ଥାଉ ଥାଉ ଅନ୍ଧ ?

ତିନୋଟିଯାକ ପରଶୁଙ୍କର ତଳେ ଜନମିଥିଲେ । ବାପେ ଜଣେ ବାବାଜିଙ୍କର ଚେଲା ହୋଇ ତାଙ୍କୁ ଗଞ୍ଜେଇ ଚିଲମ ସଜାଡ଼ି ଦେଉଣୁ ଆପେ କାଳକ୍ରମେ ପକ୍‌କା ଗଞ୍ଜୋଡ଼ ହୋଇ ସେଇଥିରେ ମଲେ । କେତେ ଅଉଲ କିସମର ଜମି ବନ୍ଧା ପକାଇଥିଲେ । ସେତକ ଫେରିଲା ନାହିଁ-। ବସନ୍ତରୋଗରେ ମା’ ଆଗରୁ ବାହୁଡ଼ିଥିଲେ ।

ଗାଁ ଲୋକଙ୍କର ଟାଉଁ ଟାଉଁଆ କଥା-ହଇହୋ ପରଶୁ, ଶୁଣାଶୁଣିରେ ତମେ ବଡ଼ ବୁଧିଆ । ଏଇ ତମର ବୁଦ୍ଧି ? ପୁଅ ହୋଇ ଜନମିଥିଲେ ସେମାନେ ସମ୍ପତ୍ତିରୁ ଭାଗ ନିଅନ୍ତେ କି ନାହିଁ, କହ ।

ପରଶୁଙ୍କର ସେହି ଗୋଟିଏ ଉତ୍ତର, ବରପାତ୍ର ଠିକଣା ହେଲେ ତ । ତମେ ହିଂସୁକା ଗାଁ ଲୋକେ ମତେ ନିନ୍ଦୁଛ । ତେଣେ ଯାହାକୁ ଠିକ୍ କଲି, ଟଙ୍କା ନଗଦ ଦେବି ବୋଲି ରାଜି ହେଲି, କି ଏସବୁ ବାରନିନ୍ଦା କରି ବାହାଘର ଭାଙ୍ଗୁଛ । ଝିଅଗୁଡ଼ା କୁଆଡ଼େ କୋଇଲି-କଳା, ମୁଖଦାନ୍ତୁରୀ, ଉଚ୍ଚକପାଳୀ, ଟେରକ ଆଖିଆ ।’’ ।

-ନୁହେଁ କି ? ସେମାନେ ଦାଣ୍ଡକୁ ଯାଉଛନ୍ତି, ବିଲରେ କାମ କରୁଛନ୍ତି । ସମସ୍ତେ ଦେଖୁଛନ୍ତି ।

-ଆଉ କ’ଣ କାଞ୍ଜିହାଣ୍ଡି ଭିତରେ ଲୁଚି ରହନ୍ତେ? ସେମାନେ ପରଘରୀ ନ ହେଲେ ମୋତେ ନିନ୍ଦା ହେବ ଏହା ମୁଁ ମାନୁଛି । ହେଲେ, ଖଣ୍ଡାଏତ କୁଳର କ’ଣ ନିନ୍ଦା ହେବ ନ।ହିଁ ? ରାଉତପାଟଣା ଗାଁର କ’ଣ ପ୍ରଶଂସା ହେବ ?

 

...ଭାବୁଛ କି, ଧନ ଦେବାକୁ ମୁଁ ପଛାଉଛି ? ନାଇଁ ହୋ । ଭଉଣୀ ନ ହୋଇ ଭାଇ ହେଇ ଜନମିଥିଲେ ସମ୍ପତ୍ତିରୁ ଭାଗ ନିଅନ୍ତେ ତ । ସେଥିକୁ ମୁଁ କୁଣ୍ଠିତ ନୁହେଁ । ତମେ ଗାଁ ଭାଇଏ ସାହା ହେଲେ ନିମିତ୍ୟ ଉଠିବ ।

 

ଗାଁ ଲୋକେ ପରଶୁ ଜେନାଙ୍କ ତୁଣ୍ଡରୁ ଏତିକି ଶୁଣିବାକୁ ଟାକି ରହିଥିଲେ । ତାଙ୍କର ସୁନାଥାଳି ସାରଦ-ଧାନ-ଫଳିଲା ଦୋ-ଫସଲି ଅଉଲ୍ ନମ୍ବର ଭୂମି ଉପରେ ସେମାନଙ୍କର ଡାଆଣା ଦୃଷ୍ଟି ପଡ଼ିଥିଲା ।

 

ଝିଅ ତିନୋଟି ଅତି କାମିକା । କେହି କେବେ ବାଛିବ ନାହିଁ । କେହି ନିନ୍ଦିବ ନାହିଁ ଯେ କେବେ ବେଆଡ଼ା ଢଙ୍ଗ, ହେରେସିପଣିଆ ସେମାନଙ୍କଠେଇଁ କିଏ ଦେଖିଛି ।

 

କେତେ ଜମି ବିକ୍ରୀ ହେଲା । ଆଉ କେତେ ବନ୍ଧା ପଡ଼ିଲା । ଗୋଟିକ ପରେ ଗୋଟିଏ, ତିନୋଟି ନିମିତ୍ୟ ଉଠିଗଲା । ଦେଢ଼ ବରଷ, ଦୁଇ ବରଷ ଅନ୍ତରରେ । ସାନ ରାଉତରା, ଯିଏ ସାନ ସାଆନ୍ତ ନାଁ’ରେ ଖଣ୍ଡମଣ୍ଡଳରେ ବିଦିତ, ଗରିବ ହେଲେ ମଧ୍ୟ ଯାହାଙ୍କୁ ଲୋକେ ସନ୍‌ମାନ ଦେଖାଉଥିଲେ, ସେହି ଆସି, ଯାହା କହନ୍ତି, ତାଙ୍କର ପିଠିରେ ପଡ଼ିଲେ ।

 

ଶୋଇଲା ସିଂହ ଗରଜି ଉଠିଲେ । ନାୟକ ସାହିର ମଝିରେ ଥିବା ବଡ଼ କଦମ୍ବଗଛ ମୂଳରେ ସିନ୍ଦୂରବୋଳା ହନୁମାନଙ୍କର ଖରା-ବରଷା-ଶୀତ-ସହା ହାତେ ଉଚ୍ଚର ପଥର ମୂର୍ତ୍ତି ଆଗରେ ଠିଆହୋଇ ସେ ଗରଜି କହିଲେ...

 

ହେଇଟି ଦେଖ ଏ ତଲୁଆର । ସବୁ ଆମର ଯାଇଛି । ହେଲେ ରାଉତରାୟ ବଂଶର ରକ୍ତ ତ ଦିହରେ ଅଛି । ଅଛି ପୁଣି ଏ କଳଙ୍କିଲଗା ରକତଚଖା ଅସ୍ତ୍ର । ହାଣିଛି ବହୁତ । ସେ ଶୋଷିଲା ।

 

ରାଉତପାଟଣା ଗ୍ରାମର, ଏ ସାହି ହେଉ ବା ସେ ସାହି ହେଉ, କେଉଁ କୁଟୁମ୍ବର ଝିଅବୋହୂଙ୍କର, ସେ ଯେଉଁ ଧର୍ମ ଓ ଜାତିର ହେଉ, ଯିଏ ନିନ୍ଦା ରଟାଇବ, ଏ ତଲୁଆର ଆଗ ତା’ ରକତ ପିଇବ । ସେଇଠୁ ମୋ’ର । ଏହା ମୋ’ର ତ୍ରିବାର ପ୍ରତିଜ୍ଞା ।

 

ବେଶ୍, ସେତିକି ସେ ବଡ଼ ପାଟିରେ କହିଥିଲେ । ମହାବୀର ହନୁମାନଙ୍କୁ ଚାହିଁ ମୁଣ୍ଡ ନୋଇଁ ସେ ଫେରିଯାଇଥିଲେ । ମୁଣ୍ଡର କଳା ମିଚିମିଚି ବାବୁରୁ କେଶ, ଚଉଡ଼ା କପାଳ, ଗହଳକେଶର ବହଳ ଭ୍ରୂଲତା ତଳେ ଉଜ୍ଜ୍ୱଳ କଳା ଭଅଁରିଆ ଆଖି, ପସନ୍ଦିଆ ବଡ଼ ବଡ଼ କାନର ମଝିଯାଏ ଲମ୍ବିଆସିଥିବା ଗାଲମୋଚା ଦୁଇଟି ମଝିରେ ସ୍ଫୀତ ନାସିକା ଲୋକଙ୍କ ମନରେ ବିଶ୍ୱାସ ଜନମାଇଁଥିଲେ ଯେ ତାଙ୍କ ତୁଣ୍ଡର କଥା ସେ ନିଶ୍ଚୟ ପାଳନ କରିବେ । ପରିଣାମ ଯାହା ହେବାର ହେଉଥାଉ ।

 

ସାନ ରାଉତ, ସାନ ସାଆନ୍ତ, ଯାହାଙ୍କ ନାମ ବିଶ୍ଵର ରାଉତରାୟ, ତାଙ୍କର ଶତ୍ରୁଶଙ୍କା ବଳିଷ୍ଠ ସାବନା ଦେହ । ଦରକାର ନ ଥିଲେ କ୍ୱଚିତ୍ ସେ ଗ୍ରାମ ଭିତରକୁ ଏବେ ଆସନ୍ତି, ଅବା ଅନ୍ୟ କୁଆଡ଼କୁ ଯାଆନ୍ତି । ତାଙ୍କ ଉପରେ ଜନମିଥିଲେ ଯେଉଁ ଭାଇ ଦିହେଁ, ମା’ ସ୍ୱର୍ଗକୁ ଗଲା ପରେ, ସେମାନେ ଭେଣ୍ଡା ବୟସରେ ତାଙ୍କ ପଛେ ପଛେ ଯାଇଥିଲେ । ରହିଲେ ବୁଢ଼ାବାପ, ବୟସ୍କା ଭଉଣୀ ପରଘରୀ ଜେମାଦେଈ ଓ ଚଉଦ ବର୍ଷର ପୁଅ ବିକ୍ରମ ରାଉତରା । ଦାସଦାସୀ ଦିଓଟି ସେବାକାରୀ ।

 

ଗ୍ରାମରେ ପ୍ରଚାରିତ ହୋଇଥିଲା ଯେ ଜଣେ ସନ୍ନ୍ୟାସୀ ଉଦୁଉଦିଆ ଦ୍ୱିପ୍ରହରେ ତାଙ୍କ ଘରକୁ ଆସି ତାଙ୍କର ବାପାଙ୍କଠାରୁ ଅପମାନ ପାଇଥିଲେ । ବୁଢ଼ା ପଶାଖେଳରେ ମତ୍ତ ଥିଲେ ।

 

ପଶ୍ଚିମା ବାବାଜି କଟାଳ କଲା । ଅସମୟରେ ଖାଇବାକୁ ମାଗିଲା । ବୁଢ଼ା ରାଉତରା ଅତି ବଦ୍‌ରାଗୀ ଥିଲେ । ଅଫିମଖୋର ବି ଥିଲେ । ଖେଳରେ ଡାକିଲା ଦାନ ପଡ଼ି ନ ଥିବାରୁ ସେ ହାରୁଥିଲେ । ମିଜାଜ୍ ଗରମ ଥିଲ। ।

 

ବୁଢ଼ା ଦାଢ଼ିଆ ବାବାଜି ରାଗିଯାଇ କ’ଣ କଟୁକଥା କହିଲାରୁ ରାଉତରା ବିରକ୍ତ ହୋଇଉଠିଲେ । ପାଖକୁ ଉଠିଯାଇ ବାବାଜିଙ୍କର ଦାଢ଼ି ଝୁଙ୍କାଇ କହିଲେ, ଅପେକ୍ଷା କର, ଖେଳ ସରୁ ।

 

ବାବାଜିଙ୍କ ଆଖିରୁ ଲୁହ ଝରିପଡ଼ିଲା । ସେ ବାରଣ୍ଡା ଉପରୁ ତଳକୁ ଓହ୍ଲାଇ କହିଲେ, ଏ ଗରବ ରହିବ ନାହିଁରେ, ଗରବ କରିବାକୁ ଏ ଘରେ କେହି ରହିବେ ନାହିଁ ।

 

ଖେଳ ଶେଷରେ ବୁଢ଼ାଙ୍କ ମନରେ ଚେତା ପଶିଲା । ସେ ବ୍ୟାକୁଳ ହୋଇଉଠିଲେ । ସେ ଓ ତାଙ୍କର ଖେଳସାଥୀମାନେ ଯେତେ ଖୋଜିଲେ, ଆଉ ବାବାଜିଙ୍କର ଭେଟ ପାଇଲେ ନାହିଁ ।

 

ସେହି ମହାପାପ ଖଣ୍ଡନ କରିବାକୁ ରାଉତରାଏ କେତେ ପୂଜା କରାଇଲେ । ହୋମ, ଯଜ୍ଞ, ଠାକୁର ଠାକୁରଣୀମାନଙ୍କର ଅର୍ଚ୍ଚନା, ଅତିଥିଅଭ୍ୟାଗତଙ୍କର ଚର୍ଚ୍ଚା...

 

ବହୁ ବର୍ଷଯାଏ ସେ ବଞ୍ଚିଥିଲେ । ବଡ଼ ଝିଅ ସୁବର୍ଣ୍ଣପ୍ରତିମା ସବୁ ସଣ୍ଠଣା ଓ ଭଲଗୁଣରେ ପରିପୂର୍ଣ୍ଣ । ଜେମାଦେଈଙ୍କୁ ଅତି ଆଡ଼ମ୍ବରରେ ତ ଆଗରୁ ସିଂହପୁର-ପାତ୍ରପଡ଼ା ମହାପାତ୍ରଙ୍କର ବଡ଼ ପୁଅଙ୍କୁ ବାହା କରାଇଥିଲେ । ଝିଅ ତଳେ ତିନିପୁଅ । ନା-ବାଳକ ଥିଲେ । ତିନିହେଁ ଅଧା-ପାଠୁଆ । ଚଗଲା ଓ ହୁଣ୍ଡାଳିଆ ହେଲେ । ସାନଟି ଟିକିଏ ବାଗର । ବାପଙ୍କର ବୋଲ ମାନେ ।

 

ହେଲେ, ବୁଢ଼ା ରାଉତରାଏ ସେମାନଙ୍କୁ କିଛି ଆକଟନ୍ତି ନାହିଁ । ବାବାଜିଙ୍କର ଅଭିଶାପ ତାଙ୍କର ମନେପଡ଼ିଯାଏ । ଅଭିଶାପ ପାଇଁ ନୁହେଁ, ତାଙ୍କର ମନ ଦୁଡ଼୍‍ଗୁଡ଼୍‍ ପାଇଁ, ନୈଶ୍ଚେଷ୍ଟତା ପାଇଁ ଓ ଦିନୁଦିନ ବଢ଼ୁଥିବା ନିଶାଦ୍ରବ୍ୟ ସେବନ ପାଇଁ । ସମ୍ପତ୍ତି ଧ୍ୱଂସ ହେଲା । ପିଲା ତିନୋଟି ବାଳୁଙ୍ଗା ହେଲେ ।

 

ଦୁଃଖରୁ ପରିତ୍ରାଣ କରିବାକୁ ବୁଢ଼ୀ ରାଉତରାଣୀଙ୍କୁ ଠାକୁରେ ଆଗ ନିଜ ପାଖକୁ ନେଇଥିଲେ ।

 

ତା’ପରେ ବଡ଼ ପୁଅଙ୍କର ପାଳି । ସରଯୂନଦୀ ଦି’କୂଳ ଖାଉଥିଲାବେଳେ, ଟୋକାମାନଙ୍କ ସଙ୍ଗରେ ବାଜି ପକାଇ ନାଗମୁଣ୍ଡ ଦି’ଖଣ୍ଡ ହେଲା ଭଳି ପ୍ରବଳ କଳକଳ ଜଳର ତୋଡ଼କୁ ସେ ଡେଇଁଲେ । ନଈର ଆରପାରିରେ ଲାଗିବା ପରିବର୍ତ୍ତେ ସେ ମଣିଷ-ଜୀବନର ସେ ପାରିରେ କେଉଁଠି ଲାଗିଲେ କେହି ଜାଣିଲେ ନାହିଁ ।

 

ଏତେବର୍ଷ ପରେ ବୁଢ଼ା ରାଉତେ କାନ୍ଦିଲେ । ବାବାଜିର କଥା ହେଜିଲେ । ଆଉ ଦିଓଟି ଅଛନ୍ତି । କେମିତି ତାଙ୍କର ଜୀବନ ବାବାଜିର କୋପରୁ ସେ ବଞ୍ଚାଇପାରିବେ ସେହି ଭାବନାରେ ସେ ଅସ୍ଥିର ହେଲେ ।

 

ମଝିଆଁଟା ଅତି ଚଣ୍ଡାଳ । ଅମାନିଆ ପଣକୁ ସରିଛି । ଚାଲିଗଲା ଶଗଡ଼ରେ ହାତ ପୂରାଏ-। ମାଡ଼ ହାତିଆ । ସବୁ ଅମଳରେ ପାରଙ୍ଗମ । ଗଞ୍ଜେଇ ଚିଲମ ଅଣ୍ଟାରେ ଖୋସା । ଖଜୁରୀଗଛରେ ଚଢ଼ି ଠେକି କାଢ଼ି ତଣ୍ଟିଯାଏ ତାଡ଼ି ପିଇ ବନ୍ଧତଳେ ଗଡ଼େ ।

 

ଖବର ପାଇଲେ ସାନପୁଅ ଯାଇ ତାଙ୍କୁ ଧରିଆଣେ ଯେ ଆସିବା ବାଟରେ ମଦୁଆର ବିଧା-ଚାପୁଡ଼ା ମାଡ଼ରେ ସେ କଇଁଥା ହୁଏ । ଆତ୍ମରକ୍ଷା କରିବାକୁ ସାନ ଯେଉଁ ଚିମୁଟା ଦିଏ, ବା ଜାବୁଡ଼ା କଷେ ସେଥିପାଇଁ ମାନ୍ୟତା ହାନି କଲା ବୋଲି କେହି ଖୁଣିପାରିବେ ନାହିଁ ।

 

ଉପରତଳ ଭାଇ, ବାଳୀ ସୁଗ୍ରୀ ପରି । ଧରାପରା ହେଲେ ଦୋଷ ଲେଖିବ ନାହିଁ । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା ।

 

ରାଉତରା ବୁଢ଼ା ଦିନୁଦିନ ଅକର୍ମଣ୍ୟ ହେବାକୁ ଲାଗିଲେ । ନଇଁଲେ । ବାଡ଼ି ଆଶ୍ରା କରି ପାହୁଣ୍ଡ ଗଣି ଚାଲିଲେ । ଦେହ ଥରଥର । ଗୋଡ଼ ଟଳମଳ ।

Unknown

 

ପରଶୁ ଜେନା ଏବଯାଏ ତାଙ୍କୁ ମନେପକାନ୍ତି, ବିଶେଷତଃ ତାଙ୍କର ସାନ ପୁଅଙ୍କୁ । ତାଙ୍କୁ ସମସ୍ତେ ସାନରାଉତ ବୋଲି ଡାକନ୍ତି । ତାଙ୍କରି ଘରେ ପିଲାଦିନେ ପରଶୁ ବୋଲହାକ କରିବାକୁ ରହିଥିଲେ । ସେଇଠୁ ହେଲେ କୋଠିଆ । ବେଶୀଦିନ ନୁହେଁ । ନିଜ ଘର କାମ ବଳେଇଲା । ଜମି ପଡ଼ିଆ ପଡ଼ିଲା ।

 

ବୁଢ଼ା ରାଉତରା ଧର୍ମକର୍ମରେ ମନ ବଳାଇଲେ । ପୁଣି ଚାଲିଲା ପୂଜା, ପାଲା, ଶିବଙ୍କ ପାଖରେ ଜଣାଣ ଓ ତାଙ୍କ ମୁଣ୍ଡରେ ସହସ୍ର ବେଲପତ୍ର ଚଢ଼ାଇବାର ବ୍ୟବସ୍ଥା । କୋଚିଳେଶ୍ୱରୀ ଠାକୁରଣୀଙ୍କୁ ବାଇଦବାଜଣା ଗାଧୁଆ ତାଙ୍କ ଆଗରେ କାଳିଆ-ଗାରଡ଼ ବଳି । ବାଳକବାଳିକାଙ୍କ ମଉଚ୍ଛବ ।

 

ପୀରଙ୍କ ପାଖରେ ଶିରଣି ଭୋଗ ଯେ ଏମିତି ସେମିତି ନୁହେଁ । ଅଘରଦୁଆରୀ ବାହ୍ମଣରୁ ଚଣ୍ଡାଳଯାଏ ସମସ୍ତେ ମନଖୁସିଆ ପାଇବେ ନାହିଁ ଯେ ଭୁଞ୍ଜିବେ ।

 

ସଂକୀର୍ତ୍ତନିଆଏ, ସେମାନେ ଓଡ଼ିଶୀ-କୀର୍ତ୍ତନ-ପାରଗ, ସେମାନେ ଚେକା ପକାଇ ବସିବେ-। ରାଉତରାଙ୍କର ଓ ତାଙ୍କ ବଂଶର ଶୁଭକାମନା କରି ପୀରଙ୍କୁ ଜଣାଇ ହରିବୋଲ ଦେବେ । ସେଇଠୁ ଯାହା ମିଳିଲା ପ୍ରସାଦସେବନ । ତୁଳସୀ ପତ୍ରଟିଏ ପଡ଼ିଲେ ସବୁ ହୁଏ ଶୁଦ୍ଧ ।

 

ରାଉତରା ବୁଢ଼ା ବେଶିଦିନ ଥକିଲେ ନାହିଁ । ନିଜେ ବିଶାଶହେବର୍ଷ ବଞ୍ଚିବେ ବୋଲି ଆଶା କରିଥିଲେ । ତାଙ୍କ ଜାତକରେ ସେଇଆ ଲେଖା ହୋଇଥିଲା । କେତେ ଜ୍ୟୋତିଷ ବାରମ୍ବାର ଗଣନା କରି, ଯାହା ପାଉଣା ନେବାର ପଛେ ନେଉନ୍ତୁ,, ସେହି ବିଶାଶହେ ବର୍ଷ କଥା କହୁଥିଲେ । ମୋଟେ ଚାରିକୋଡ଼ି ବର୍ଷ ପୂରିଛି । ବିଶାଶହେ ବହୁଦୂରରେ ଅଛି ।

 

ସେହି ପଶ୍ଚିମା ବାବାଜିର କୋପ ?

 

ଯେତେ ଯାହା କଲେ ଖଣ୍ଡିଲା ନାହିଁ । ସେ କ’ଣ ସ୍ୱୟଂ ଶିବମହାଦେବ ? ଭକ୍ତର ଭକ୍ତ କଳିବାକୁ ଗୋଟିଏ ମାଗନ୍ତା ବୁଢ଼ା ବାବାଜି ବେଶରେ ଆସିଥିଲେ ? ପରୀକ୍ଷା କରି, ଗୁମର ବୁଝି, ଚେତାଇ ଦେଇଛୁ କହିଥିଲେ ? ଏ ଜନମର ବେପାର, ଏ ଜୀବନର ବେଭାର ସରିଛି ।

 

ସରିବ ଏଡ଼େ ଜଲଦି ? ଉଁ ହୁଁ ।

 

ପୁଅ ଦିହେଁ ସେଇଆ ଚାହୁଁଥିଲେ । ମଝିଆଁଙ୍କୁ ଗଞ୍ଜେଇ ଚିଲମ୍ ଟାଣିବାକୁ, ଅନ୍ୟାନ୍ୟ ଅନୀତି କାମରେ ପଇସା ଉଡ଼ାଇବାକୁ ବାଗ ମିଳୁନାହିଁ ।

 

ବାପ ବଞ୍ଚିଥାଉଣୁ ଭୂମିବାଡ଼ି ଯାହା ଅଛି ସେଥିରୁ କିଛି ବିକ୍ରି କରି ଧନ ଆହରି ପାରିବେ ନାହିଁ । ସାନ ଭାଇ ବାଧା ଦେବ ।

 

ରାଉତରା ବୁଢ଼ା ମଝିଁଆ ପୁଅକୁ ଦେଖିପାରନ୍ତି ନାହିଁ । ପୁଅଙ୍କ ଗୁଣରୁ । ତଥାପି ପୁଅଙ୍କର ବାହାଘର କରିଦେବାକୁ ସେ ମଧ୍ୟସ୍ଥ ଡକାଇ ଭଲ ପାତ୍ରୀଟିଏ ଖୋଜାଇଥିଲେ ।

 

କାହା ଘରେ ଏମିତି ଝିଅ ସଢ଼ି ଯାଉଛି ଯେ ଲଫଙ୍ଗା ମଦୁଆଟାର ହାତକୁ ଟେକିଦେବ । ସାନପୁଅ କଥା ନିଆରା । ମଝିଆଁଙ୍କର ଗୁଣଗ୍ରାମ ଖଣ୍ଡମଣ୍ଡଳରେ ସଭିଙ୍କୁ ଜଣାଥିଲା ।

 

ଭଗବାନ ତାଙ୍କୁ ସବୁ ନିନ୍ଦା, ଅପମାନ ଓ ଘୃଣାରୁ ପରିତ୍ରାଣ କରିନେଲେ । ମନଇଚ୍ଛା ଅଫିମ ସେବନ ପରେ ସେ ଶୋଇ ଛଟପଟ ହେଲେ ।

 

ସେ ସଉକରେ ଏହା କରିଥିଲେ, କି ଜାଣି ଜାଣି ଆତ୍ମଘାତୀ ହେବାକୁ ଏପରି କଲେ କେହି କହିପାରିଲେ ନାହିଁ । ମାର୍ଜାରମଳ ଖୁଆଇ ଯେତେ ବାନ୍ତି ଉଚ୍ଛଳନ କରାଇଲେ ମଧ୍ୟ ସେ ବଞ୍ଚିଲେ ନାହିଁ । ସବୁନିନ୍ଦା, ଅପବାଦ, ଘୃଣା, ଅପମାନକୁ ପଛରେ ପକାଇ ସେ ମୁକ୍ତିଲାଭ କରି ସେ ପୁରକୁ ଚାଲିଗଲେ ।

 

ଯେଉଁ କୁଳାଙ୍ଗାର ପୁଅ ପାଇଁ ବୁଢ଼ା ରାଉତରା କେତେ ଅପମାନ ପାଇଛନ୍ତି, ଲୋକନିନ୍ଦା ସହିଛନ୍ତି, ବଂଶର କଳଙ୍କଟା ମରିଗଲେ ରକ୍ଷା ମିଳନ୍ତା ବୋଲି ବାରମ୍ବାର ବ୍ୟସ୍ତ ହୋଇ କହିଛନ୍ତି, ତା’ର ତିରୋଧାନ ପରେ ସେ ଏକାଥରେ ଭାଙ୍ଗିପଡ଼ିଲେ ଆଖିରୁ ଅବିରଳ ଲୋତକ ବହିଲା । ତୁଣ୍ଡରେ କେବଳ ଆହା ଆହା ପଦ । ସେ ବିଛଣାଲାଗି ହେଲେ ।

 

ସାନପୁଅ ତାଙ୍କୁ ସାନ୍ତ୍ୱନା ଦେଇପାରି ନ ଥିଲେ । ବରଂ, ପରଶୁ ଜେନା, ତାଙ୍କର ଘରେ ଆଉ କୋଠିଆ ନ ଥିଲେ ବି ଜମି ଦି’ମାଣ ଭାଗରେ ଚାଷ କରୁଥିଲେ ତ, ଘରେ ପୁଅପରି କାରବାର ହେଉଥିଲେ । ବେଳ ଅବେଳରେ ଚାରି ପାଇଟି କରିଦେଉଥିଲେ । ସେହି ତାଙ୍କର ମନ ଜାଣି ସେବା କରେ ।

ସାନପୁଅ ବୟସର ସେ । ତଥାପି ବୁଢ଼ା ରାଉତଙ୍କ ପାଖରେ ଜେନାପୁଅର କଥାର ମୂଲ୍ୟ ଥିଲା । ସେଇ ଏକା ତାଙ୍କୁ ସାନ୍ତ୍ୱନା ଦେଇପାରୁଥିଲା । ମହାପାତ୍ରଙ୍କ ଘରକୁ ଖବର ପଠାଇ ସେ ଜେମାଦେଈଙ୍କୁ ଡକାଇ ଆଣିଲା ।

ଆଧିବିଧିରେ ମହାପାତ୍ର ଘର ଭାରି ଟାଣୁଆ । ତାଙ୍କର ବଂଶ ପରମ୍ପରାରେ ସେମାନେ ଗର୍ବିତ । ପୃଥ୍ୱୀ ପ୍ରଳୟ ହେଲେ ହେଉ ,ବଂଶର ମର୍ଯ୍ୟାଦାରେ ଆଞ୍ଚ୍‌ ନ ଆସୁ । ଆଗରୁ କଣ୍ଟ କରି ବାରିକ ଚିଟାଉ ନେଇ ଯାଇଥାନ୍ତା । ସମ୍ମତି ମିଳିଲେ କେହି ଜଣେ ଆତ୍ମୀୟ କୁଣିଆ ହୋଇ ଯାଇଥାନ୍ତେ । ମହାପାତ୍ର ଘରର ବୋହୂ ତାଙ୍କରି ସଙ୍ଗେ ଆସନ୍ତେ । ବାପଘରୁ ଫେରିଲାବେଳେ ପ୍ରଥମ ପୁଆଣୀ ବେଳର ବିଧି ପାଳନ ।

ଜେମାଦେଈ ଆଗରୁ କେତେଥର ସେହି ରୀତିରେ ଆସି, ଅଳପ ଦିନ ରହି ଫେରିଥିଲେ । ଏବେ ମଣିଷର ଅଭାବ ସମ୍ପତ୍ତି ଅବ୍ୟାଜରେ ବିନର୍ବ୍ୟୟ ହୋଇସାରିଛି । ବିଧିବିଧାନ ପାଳନ କରିବାକୁ ମନ ଥିଲେ ବି ଧନ କାହିଁ ?

ଖବର ପାଇ ଜେମାଦେଈ ଶାଶୁଘରର ସବୁ ବାଧାବିଘ୍ନ ଆଡ଼େଇ ଆସିଲେ । କାନ୍ଦିଲେ ତ ବହୁତ । ବାପଘରର ଦୂରବସ୍ଥା ଓ ବୃଦ୍ଧ ପିତାଙ୍କର ଅବସ୍ଥା ଦେଖି ସେ ବ୍ୟଥିତ ହେଲେ । ତାଙ୍କ ତଳର ଦୁଇଭାଇଙ୍କର ମରଣର ଦୁଃଖ ମନରେ ସାଇତି ନିକାଞ୍ଚନ ସ୍ଥାନରେ ଲୁହ ଗଡ଼ାଇ, ବୃଦ୍ଧ ପିତାଙ୍କୁ ସାନ୍ତ୍ୱନା ଦେଲେ ।

ଦିନ କେଇଟାରେ ବୁଢ଼ା ରାଉତେ ବିଛଣା ଛାଡ଼ି ଉଠିଲେ । ଗଣକକୁ ଡକାଇ ପୁଣି ଜାତକ ଦେଖାଇଲେ । ସେ ଆହୁରି ଥରେ ଗଣନା କରି ଦୃଢ଼ତାର ସହିତ କହିଲା ଯେ ଆଗର ଗଣନାରେ ପ୍ରମାଦ ନାହିଁ । ପରମାୟୁ ବିଶାଶହେ ବର୍ଷ ଡାକୁଛି । ମାରକଦଶଟା କଟିଯାଇଛି । ତେବେ ମାଦକଦ୍ରବ୍ୟ, ଯଥାସମ୍ଭବ ପରିହାର କରନ୍ତୁ ।

 

ଶଶୁରଘରୁ ବାରମ୍ବାର ଲୋକ ଆସି ଜେମାଦେଇଙ୍କୁ ଖବର ଦେଲା ଯେ ତାଙ୍କ ବିନା ଘର ଅଚଳ ଓ ବିଶୃଙ୍ଖଳା ହେଉଛି । ବାପାଙ୍କର ଦେହ ଟିକିଏ ବାଗେଇଲେ ଫେରି ଚାଲନ୍ତୁ ।

 

ସବୁଥର ପରି ଜେମାଦେଈ କାନ୍ଦିକାନ୍ଦି ଶଶୁରଘରକୁ ବାହୁଡ଼ିଲେ । ସାନ ଭାଇଟିର ବାହାଘର ଶୀଘ୍ର କରାଇଦେଲେ ବୋହୁଟି ଆସି ଘର ଚଳାଇବ, ଏ ଧାରଣା ବୃଦ୍ଧଙ୍କୁ ଦେଇଗଲେ ।

 

ଜେମାଦେଈଙ୍କର ଉପଦେଶ ରାଉତରା ବୁଢ଼ାଙ୍କର ମନକୁ ପାଇଲା । ସତେ ତ, ଏ କୁଳର ନାଁ ରଖିବାକୁ, ଏଇ ପବିତ୍ର ଡିହରେ ପୁଣି ନୂଆ ଜୀବନ ସଞ୍ଚାରିବାକୁ ସନ୍ତାନ ଲୋଡ଼ା । ସାନ ପୁଅ ବିଶ୍ୱମ୍ଭରର ହାତକ ଦି’ ହାତ କଲେ, କୋଚିଳେଶ୍ୱରୀଙ୍କର ଦୟା ଥିଲେ ଆସନ୍ତା ପୁରୁଷର ମୁହଁ ଦେଖି ସେ ନିଶ୍ଚିନ୍ତ ହୁଅନ୍ତେ ।

 

ପୁଅର ସ୍ୱାସ୍ଥ୍ୟ ଭଲ । ବେଶିଗୁଡ଼ାଏ ପାଠ ନ ପଢ଼ିଲେ ନାହିଁ । ମୂର୍ଖ ବୋଲି କେହି କହିବେ ନାହିଁ । ସୁନ୍ଦର ବଳିଷ୍ଠ ଟୋକା । ଗ୍ରାମର ଲୋକେ ତାକୁ ପସନ୍ଦ କରନ୍ତି ।

 

ମନଖୁସି ପାଇଁ ସାଙ୍ଗ ମେଳରେ କେବେ କେମିତି ତାଳରସ, କି ଖଜୁରୀରସ ପିଇଲେ ପିଉଥିବ । ହେଲେ, ସେ କେବେ ମାତାଲ ହୋଇ ନାଁ ପକାଇନାହିଁ । ଅନ୍ୟାନ୍ୟ ନିଶାର ପାଖ ପଶେ ନାହିଁ । ଗାଁ ଲୋକେ ତାକୁ ଭୟ କରନ୍ତି ଯେତିକି, ଭକ୍ତି କରନ୍ତି ସେତିକି ।

 

ସବୁ କାମରେ ଆଗୁଆ । ଖେଳ କସରତ୍‌ରେ ପାରଙ୍ଗମ । ବୃଦ୍ଧ, ନିଜେ ଆଖିରେ କେତେଥର ବିଶ୍ୱମ୍ଭରର ବାଡ଼ିବୁଲା, ତଲ୍‌ଓ୍ୱାର ଖେଳା ଏବଂ ବନାଟ ବୁଲା ଦେଖିଛନ୍ତି । ଦୂରରୁ ଢେଲା ଫିଙ୍ଗିଲେ ତା’ ଦେହରେ ବାଜେ ନାହିଁ । ଲୋକେ ବିସ୍ମିତ ହୁଅନ୍ତି । ସେସବୁ ଯୋଗ୍ୟତାର ମୂଲ୍ୟ ଏବକାଳକୁ ଦି’କଡ଼ା । ଯଦି ଗଜପତି ଅମଳ ହୋଇଥାନ୍ତା...

 

କହନ୍ତି ବୁଢ଼ା ରାଉତରା, ‘ଆମ ଅଯୋଗ୍ୟପଣ, ଦାତାପଣିଆ ଓ ଅଏସ ପାଇଁ ସମ୍ପତ୍ତି ଯାହା ପ୍ରଳୟଙ୍କରୀ ବନ୍ୟାର କବଳରୁ ରକ୍ଷା ପାଇଥିଲା, ସବୁ ଉଡ଼ିଗଲା । ସାହସ ବୁଡ଼ିଲା । ରକତର ତେଜ କିନ୍ତୁ ଏବଯାଏ ରହିଛି ।

 

...ଖୋଜରେ ସମସ୍ତେ ମୋର ଯୋଗ୍ୟ ବନ୍ଧୁ । ବିଶ୍ୱମ୍ଭରର ବାହାଘର କରିବି । ମୋର ଯାନିଯୌତୁକ, ଧନସମ୍ପତ୍ତି କିଛି ଲୋଡ଼ା ନାହିଁ । ସୁବର୍ଣ୍ଣ ପ୍ରତିମା ବୋହୂଟିଏ ମୋର ଲୋଡ଼ା, ସେ ଗରିବ ଘରର ଝିଅ ହେଲେ ହେଉ, ଚିନ୍ତା ନାହିଁ । ସେ ଗୁଣର ହୋଇଥାଉ ।

 

...ଭାଗବତ ପୋଥି ପଢ଼ିପାରୁଥିବ । ବୋଲି ପାରୁଥିବ । ମୁହେଁ ମୁହେଁ ହିସାବ କରିପାରୁଥିବ । ସେ ଆସିଲେ ଏ ଘର ସମ୍ଭାଳିବଟି ।

 

..ରାଉତରା ଘରର ମର୍ଯ୍ୟାଦା ରଖିବ । ଆମେ ମରିବା ଆଗରୁ, ଅଣଚାଶ ପବନ ବହିଲାବେଳେ ପାଟିରେ ମାହାର୍ଦପାଣି ମନ୍ଦାଏ ଦେବ । କାନରେ ମହାମନ୍ତ୍ର ପଦେ କହିବ । ସେ କୁଳଲକ୍ଷ୍ମୀଟି ।

 

ଶୁଣିବା ଲୋକଙ୍କ ମଧ୍ୟରୁ ତିନିକୋଡ଼ି ବରଷ ଡେଇଁଆସିଥିବା ସାହାସିଆ, ଚାଟୁକାରିଆ, ପଦନ ସାହୁ କିଛି ଲାଭ ଆଶାରେ ଅନୁସରଣିଆ ଜିଭ କାମୁଡ଼ି, ମୁଣ୍ଡ ହଲେଇ କହିଲେ, ଅଶୁଭ ଚିନ୍ତା ଶୁଭକାମର ବିଚାରବେଳେ ତୁଣ୍ଡକୁ ଆଣିବା ଅବିଧି ନୁହେଁ କି ସାମନ୍ତେ ? ବିଶାଶହେ ବର୍ଷ ଯାଇ କେଉଁଠି । ସାନ ରାଉତଙ୍କ ବାହାଘର କଥା ଏବେ ପଡ଼ିଛି ।

 

ତାଙ୍କ ପୁଅର ବାହାଘରବେଳେ ତୁଣ୍ଡରେ ନାତୁଣୀବୋହୁର ମାହାର୍ଦ ଦେବା ବିଚାର କର ।

 

ଗଜାବୟସିଆ ପରଶୁ ଜେନାଏ ରାଉତରାୟଙ୍କ ସାନପୁଅଙ୍କଠାରୁ ବି ତିନି ଚାରିବର୍ଷ ସାନ-। ବୁଢ଼ାଙ୍କ ଆଗରେ ଦାଣ୍ଡ ଘରର ଗୋଟିଏ ପାଖରେ ଅନ୍ୟ କେତେକଙ୍କ ସାଙ୍ଗରେ ବସିଥିଲେ-। ସେ ରାଉତରାୟଙ୍କର ଚାକର, କୋଠିଆ ନୁହଁନ୍ତି । ସେ କାହାରି ବୋଲକରା ବି ନୁହଁନ୍ତି-

 

ସେ ରାଉତରାୟଙ୍କର ଜଣେ ବିଶ୍ୱାସୀ ଭାଗଚାଷୀ । ଆଗରୁ ସେଇଠି କେତେବର୍ଷ କୋଠିଆ ଥିଲେ । ରାଉତରା ଘରର ଜମିବାଡ଼ି, ଗଛବୁରୁଛ, ହିଡ଼ବାଡ଼, ଦହ-ପୋଖରୀ-କଟା ଯେଉଁଠି ଯାହା ଅଛି ସବୁରି ସଙ୍ଗେ ପରିଚିତ ।

 

ନଈ ଉପର କୋଚିଳେଶ୍ଵରୀଙ୍କ ଆସ୍ଥାନର ଚଉକତି ବିସ୍ତୀର୍ଣ୍ଣ ପଠାର ଭାଗଦିଆ, ଜଳସମ୍ପଦର ମାଛଦିଆ, ପୁଣି ଖରାଦିନେ ତେଣ୍ଡାରେ ପାଣି ଉଠାଇ ବିଭିନ୍ନ କିସମର ଫସଲ କରିବାପାଇଁ ଅନୁମତି ଦେବାକୁ କର, ଗୋଟିଗୋଟିକା ଗଛ ଅବା, ତିନିଗଛିଆ, ପାଞ୍ଚଗଛିଆ ଆମ୍ବତୋଟର କୁତ ଦେବାବେଳେ ସାନ ରାଉତଙ୍କ ପାଖରେ ପରଶୁ ଜେନା ନ ବସିଲେ ବୁଢ଼ା ‘ତିନି’ ନ କରନ୍ତି ।

 

ପାରିଲାର ସାନପୁଅ, ବୁଦ୍ଧିଆ, ବିବେକୀ ପୁଅ ହେଲେ ବି ଏପରି ସବୁ ତାକ୍‌ ତରକିଆ କାମରେ ଠକରେ ପଡ଼ିବାର ସମ୍ଭାବନା ବେଶୀ ।

 

ରାଉତରା ଘର ପୁଅ, ରାଜାର ଆଖି, ସେମିତି ବଡ଼ ମିଞ୍ଜାସ, କିଏ ନିନ୍ଦିପାରିବ ? ତେଣୁ ତାଙ୍କୁ ସାହା ହେବାକୁ ସାତତରକା ପୋଳୁଅଘଣ୍ଟା ଅତି ବିଶ୍ୱାସୀ ଜେନାପୁଅ ପାଖରେ ବସିଲେ ସେ ନିଧଡ଼କ ।

 

ପରଶୁ ଚାଟୁକାର ପଦନ ସାହୁ ଗୁଡ଼ିଆଙ୍କ କଥାରେ ସମ୍ମତି ସୂଚାଇଲେ । ମୁଣ୍ଡ ହଲାଇ ରାଉତରାଙ୍କୁ ଜଣାଇଲେ, ଯାହା ସାହୁଏ କହିଲେ ସେତକ ମିଛ ନୁହେଁ । ଠାକୁରେ ସେଇଆ କରନ୍ତୁ-

 

ସାଆନ୍ତଙ୍କ ମନରେ ସାନ ରାଉତଙ୍କ ବାହାଘର କଥା ପଶିଛି । ନାଁକରା ନୁହେଁ । ଯମକୁ ମାନ କରି ଜାଣୁ ଜାଣୁ କ’ଣ ବୈରାଗୀ ହୋଇ, ସଂସାର ଛାଡ଼ି କିଏ ବଣଜଙ୍ଗଲରେ ପଶେ ? ଯମର ଆଖି କ’ଣ ସେଠିକି ପାଇବ ନାହିଁ ? ତା’ ଦୂତମାନେ ସେଠିକି ଯାଇପାରିବେ ନାହିଁ ?

 

‘ସେକଥା ନୁହେଁ, ସାହୁଏ । ଏ ଘର ହତଲକ୍ଷ୍ମା ହୋଇଛି । ସାଆନ୍ତେ ଯାହା କହିଲେ, ସେଇଆ ହେବ । ସାନ ରାଉତଙ୍କର ବାହାଘର ହେବ । ଲକ୍ଷ୍ମୀ ପ୍ରତିମା ବୋହୂ ଆସିବେ । ସାଆନ୍ତେ ନିଧାର୍ଯ୍ୟ କହିଲେ ଝିଅପାତ୍ର ଅଭାବ ହେବେ ନାହିଁ ।

 

“ବୁଝିଲ ନା, ଅୟସରେ ବେଳ ବିତାଇ, ଦାନ-ଖଏରାତ୍ ମନଖୁସିରେ କରି ରଜାଘର ସମ୍ପତ୍ତି ରାଉତରା ବଂଶର ପିଲାଏ ଉଡ଼ାଇଲେ । କପୂର ଯାଇ କନା ରହିଛି ।

କ’ଣ ବୁଝିଲ ? ଛାର ଶୁଖିଲା ଆମ୍ବଗଛଟା କ’ଣ ସାଆନ୍ତେ ସେମିତି ତମକୁ ଦେଇ ନ ଥାନ୍ତେ ? ସମୟ ବଦଳିଛି । ମୋ ଜାଣିବାରେ, ପୁଅଙ୍କ ବାହାଘର ଆସନ୍ତା ତିଥିରେ ନିଶ୍ଚୟ ହେବ । କେତେ ପ୍ରସ୍ତାବକୁ ଛାଆଁକୁ ଆସିଲାଣି ।

ଚାଟୁକାର ପଦନ ସାହୁ ପରଶୁ ଜେନାଙ୍କ କଥାର ମରମ ବୁଝିଲେ । ସେ ଜାଣନ୍ତି, ଜେନାପୁଅ ଭାରି ତରକା । ତମେ ପତରେ ପତରେ ଗଲେ ସେ ଶିରାଏ ଶିରାଏ ଯିବେ । କାଲିକାର ଟୋକାଖଣ୍ଡକ ମଧୁରକୁହା ହେଲେ ବି ଭାରି ଚାଇଁ ।

କହିଲେ, ‘ମୁଁ ମାହାଳିଆ ନେବାକୁ ଆସିନାହିଁ, ପରଶୁ । ଗରିବଟା ତ, ଅବଶ୍ୟ ଦି’ଟଙ୍କା ସଲାମି ଦେବି । ସାନ୍ତଙ୍କୁ ବେଶୀ ଦେବାକୁ ମୋର ଶକ୍ୟ ନାହିଁ ।’

ରାଉତରାୟ କହିଲେ, ‘ପଦନ ନିଜର ଲୋକ । ଯାହା ପାରୁଛି, ଦେଲେ ଦେଉ, ପରଶୁ, ନ ଦେଲେ ନ ଦେଉ ।’

ପରଶୁ କରଯୋଡ଼ି କହିଲା, ସେଇଆ ହେଉ, ସାଆନ୍ତେ । ସାହୁଏ ଜାଣନ୍ତୁ, ଦାଣ୍ଡମୂଲ ପାଞ୍ଚଟଙ୍କାରୁ ଊଣା ନୁହେଁ । ଧରାପରା ?

ସାହୁଏ କହିଲେ, “ହୋଇଥିବ । ମୁଁ ମାନୁଛି । ପୁଅଙ୍କ ବାହାଘରକୁ ମୁଁ ଆସି ଖଟିବି । ଶୁଝି ଦେବି ।’’

ବୁଢ଼ା ସାଆନ୍ତେ କହିଲେ, “ହଉ, ହେଲାରେ ପରଶୁ । ପଦନ ସେହି ମଲା ଗଛଟା ସେମିତି ନେଉ । ଭଲ ଘରର ଝିଅଟିଏ ମିଳିଲେ ଆସନ୍ତା ତିଥିରେ ନିମିତ୍ୟ କରିବା । ମିଷ୍ଟାନ୍ନ-ତିଆରି ଦାୟିତ୍ୱ ତମକୁ ଦିଆଗଲା, ସାହୁପୁଅ ।’’

 

ଆଧୀନ୍ୟ ହୋଇ ପଦନ ହାତ ମଳିମଳି କହିଲେ, “ସେଥିକି ମୁଁ ପଛେଇବି ନାହିଁ । ହେଳା କରିବି ନାହିଁ ସାଆନ୍ତେ ।’’

 

ପରଶୁ ଜେନାଙ୍କୁ ଚାହିଁ ସାହୁଏ ମୁହଁ ନ ଖୋଲି ପାକୁଆ ପାଟିରେ ହସ କୁଳି କରି ଜଣାଇଦେଲେ, ତୁ ବାଜି ହାରିଲୁରେ କାଲିକା ମେଞ୍ଚଡ଼, ନୂଆ ମାମଲତକାର, ଜେନାଘର ପୁଅ । ହେଲେ, ଅକସ ରଖିବୁ ନାହିଁ । ଶ୍ରୀମୁଖରୁ ଯେଉଁ ବଚନ ଖସିଲା ସେ ପାଣିର ଗାର ନୁହେଁ, ଲୁହାର ଗାରରେ ସିହଣିଆ ଟୋକା ।

 

ଜେନାଘର ପୁଅ ଦାନ୍ତ ନିକୁଟି ମୁଣ୍ଡ ହଲାଇଲେ । ତାଙ୍କର ଛଳ ନ ଥାଏ । ପିଲାଟିଦିନରୁ ସେ ବୁଝିସାରିଲେଣି ଯେ ଜାବୁଡ଼ାର ଜବାବ୍ ବିଧାଗୋଇଠାରେ ଦେବାର ବାଗ ନ ମିଳିଲେ, ଫୁଲଟେ ପଡ଼ିଲା ରୀତିରେ ଗାଲ ଆଉଁସି ବେଖାତିରିଆ ହସଟିଏ ଫୋପାଡ଼ିବା ଭଲ । ସେ ହସ ଟେକାର କାମ କରିବ ।

 

ଜେନାଏ ଜାଣନ୍ତି, ରାଉତରା ଘରର ଲୋକେ ଏମିତି ବେ-ହିସାବୀ । ପ୍ରଶଂସା-ଲୋଭୀ । କାଲିକା ବିଚାର ଆଜି ନାହିଁ । ସେଇଥିପାଇଁ ଏତେବଡ଼ ସମ୍ପତ୍ତି ଚୂର ହୋଇଛି । ଚଳିବାମାନିଆ ଯେତିକି ଅଛି ସେତକ ବଦଖରଚୀ ସାନରାଉତଙ୍କ ହାତକୁ ଆସିଲେ ସବୁ ସରିବ । ତୁନି ହୋଇ ବସି ସେ ସବୁ ଶୁଣୁଛନ୍ତି । ତୁଣ୍ଡ ଖୋଲୁ ନାହାଁନ୍ତି ।

 

ଆପଣା ହାତରେ ନିଜର ଜିଭ କାଟିଲେ କାହାକୁ ଦୋଷୀ କରିବ ? ହେଲା, ଦୁନିଆ ଲୋକଙ୍କୁ ଯେତେ ଦୋଷିବ ଦୋଷୁଥା, ଜିଭ ଆଉ ଲାଗିବ ନାହିଁ । ସେଇଠୁ ବସି ଭାଗ୍ୟକୁ ନିନ୍ଦିବା ସାର ହେବ ।

 

ଯାହାପାଇଁ ଯିଏ ଜନମ ଲଭିଛି ସିଏ ପାଖରେ ଥିଲେ ବି ଯୋଗ ନ ପଡ଼ିଲେ ଆଖିକୁ ଦିଶେ ନାହିଁ । ସରଯୂନଦୀର ଆରପାରି ବନ୍ଧତଳର ଅନ୍ଧାରିଆ ଆମ୍ବତୋଟା ସେପାଖେ କନକପୂର ଗାଁ । ନାନା ଜାତିର ଲୋକଙ୍କର ବାସଭୂଇଁ ।

 

ସେହି ଗ୍ରାମରେ ଚଉଧୁରୀଙ୍କ ଘର । କେଉଁ ପୁରୁଷରେ ସେ କୁଟୁମ୍ବର ନାମ ଡାକ ଥିଲା । ଏ ପୁରୁଷକୁ ନ ନୀରଂ ନ ତୀରଂ ଅବସ୍ଥା ।

 

ବନ୍ଧ ଭାଙ୍ଗି ସମ୍ପତ୍ତି ହସ୍ତାନ୍ତର କରି ଗରଜ ମେଣ୍ଟଣ କରିବା କଥା । ଆଗ ପୁରୁଷର ତିନିଭାଇଙ୍କ କୁଟୁମ୍ବ ଭିନ୍ନ ହୋଇଥିଲେ । ସମ୍ପତ୍ତି ଯାହା ଥିଲା ତାକୁ ତିନିବାଣ୍ଟ କରି ଭିନେ ଘର ଭିନେ ସଂସାର କରିବାକୁ ବାଧ୍ୟ ହୋଇଥିଲେ ।

 

ବଡ଼ଙ୍କର ଛ ଝିଅ । ପୁଅଘରେ ଶୂନ୍ । ସାନଙ୍କର ପାଞ୍ଚ ପୁଅ । ଦେଢ଼ ବର୍ଷ, ଦି ବର୍ଷ ଛାଡ଼ିଛାଡ଼ିକା । ମଝିଆଁୟଙ୍କର ବଡ଼ ଡେରିରେ ସନ୍ତାନ ହେଲେ । ଆଗ ଜନମିଲା ଝିଅ । ସାତବର୍ଷ ଛାଡ଼ି ପରେ ପୁଅଟିଏ ।

 

ତିନି ଜାଆ ତିନି ଆଡ଼ର । ତାଙ୍କର ଭିନେ ଭିନେ ଢଙ୍ଗ । ଯିଏ ଯେମିତି ବାପଘରେ ଶିକ୍ଷା ପାଇଥିଲେ, ବଢ଼ିଥିଲେ । “ସର୍ପରେ ଜନ୍ମ ଦେଲୁ ମୋତେ, ସ୍ୱଭାବ ଛାଡ଼ିବି କେମନ୍ତେ ରୀତି ।’’ ଘର ଭାଙ୍ଗିବାର ରୀତି । କିଛି ନୂଆ କଥା ନୁହେଁ ।

 

ଏ ପୁରୁଷରେ, ନାଁ-ଡାକ ହେଲେହେଁ ଚଉଧୁରୀଘରର ବଡ଼ପୁଅଙ୍କ ଅଂଶରେ, କନକପୂରରେ ଆଉ କେହି ନାହାଁନ୍ତି । ଝିଅମାନେ ପରଘରୀ । ସେମାନଙ୍କ ଅଂଶରେ କିଏ କେଉଁଠି ଅଛନ୍ତି, କ’ଣ କରୁଛନ୍ତି, କନକପୁରିଆଙ୍କୁ ଗୋଚର ନ ଥିବ । ରାଉତପାଟଣିଆ ଜାଣନ୍ତେ କିପରି ?

 

ସାନ ଅଂଶର ପୁଅମାନେ ବୁଢ଼ା ଦରବୁଢ଼ା ହେଲେଣି । ସମସ୍ତଙ୍କର ଭିନେ ସଂସାର । ସେମାନଙ୍କ ଅଂଶର ପୁଏ ନିତି ନ ଖଟିଲେ ଚୁଲିରେ କୁହୁଳା ପଡ଼େ ନାହିଁ ।

 

ପେଟରେ ପେଜ, ହେଲେ, ବଂଶର ମହତପଣର ହେଜ କରି, ମୁହଁରେ ତେଜ । ଦିନେ ଚଉଧୁରୀ ଘରର ଅସ୍ତାବଲ୍‌ରେ ଘୋଡ଼ା, ହାତୀ ଶାଳରେ ହାତୀ ଝୁଲୁଥିଲେ । ଏବକାଳକୁ ଛେଳିମେଣ୍ଢା ପୋଷିବାକୁ କାଢ଼ ନାହିଁ; କି କୁଡ଼ିଆ ନାହିଁ ।

 

ମଝିଅଂଶର ଚଉଧୁରୀ ବଂଶର ଗରବକୁ ସରଯୂନଦୀର ପାଣିକି ପକାଇ କହୁଥିଲେ ଡାକି ବଜ।ଇ, ‘ଆରେ ୟେ ଯେତେବେଳେ ଯିଏ ।’ ପେଟ ପୋଷିବାକୁ, ଟିକିଏ ଭଲରେ ଚଳିବାକୁ, ଯେଉଁ ଧନ୍ଦା କଲେ ଲାଜ ଲାଗେ ନାହିଁ ।

 

ଯେଉଁ ହାତ ତରବାରି ଧରିପାରେ, ବେଳ ବଦଳରେ ସେ ହାତ କଲମ ବି ଚଳାଇପାରେ, ଲଙ୍ଗଳ କଣ୍ଟିରେ ହାତ ଦେଇ ବିଲରେ ଚାଷ କରିପାରେ ।

 

ସବୁ କାମ ବଡ଼ । ସବୁ କାମ ସରସ । ମହତ ସରେ ନାହିଁ ।

 

ଏହିପରି ସେମାନେ ମୁହଁଟାଣପଣରେ କହୁଥିଲେ । ଅଭାବ ସଙ୍ଗେ ବଂଶ ବଢ଼ିବାରୁ ତୁଣ୍ଡକଥା କ’ଣ ଢଙ୍ଗରେ ମିଳିଲା ? କେତେ ଚୋରିଚମାରି, ମାଡ଼ଫୌଜଦାରୀ, ଠକାମି ଓ ଧପ୍‌ପାବାଜିରେ ଲିପ୍ତ ହେଲେ । ମାଡ଼ ଖାଇଲେ, ଅପମାନ ପାଇଲେ । କେହି କେହି କାରବରଣ କଲେ । ବଂଶ ଅପୋଷା ରହିବାରୁ ବିଦେଶରେ ମଜୁରି ଲାଗିଲେ । ଦୁଃଖରେ ଚଳି ଘରକୁ ଧନ ପଠାଇବା ଉଦ୍ଦେଶ୍ୟରେ ଗଲେ ।

 

ସେହି ବଂଶର ବୃନ୍ଦାବନ ଚଉଧୁରୀ ନିର୍ମାୟା ପୁରୁଷ ଥିଲେ । ସଚୋଟ ଲୋକ । ବିଲମାଟି ହିଡ଼ରେ ଲଦି, ତାଙ୍କ ଭାଗରେ ପଡ଼ିଥିବା ଜମି କେଇମାଣ ଉପରେ ନିର୍ଭର କରି ସେ ସଂସାର ଚଳାଉଥିଲେ ।

 

ତାଙ୍କରି ଗୋଟିଏ ବୋଲି ସନ୍ତାନ । ସେଇଟି କନ୍ୟାଟିଏ । ତନୁପାତଳୀ ସୁବର୍ଣ୍ଣପ୍ରତିମା । ଗ୍ରାମ ଚାଟଶାଳୀରେ ପଢ଼ି ଲେଖାପଢ଼ା ଶିଖିଥିଲା । ସଣ୍ଠଣାର ଝିଅ । କାମିକା, ସ୍ନେହଶୀଳା ବୋଲି ଗ୍ରାମରେ ତା’ର ପ୍ରଶଂସା ଥିଲା ।

 

ବିକାଭଙ୍ଗା କରି ଯାନିଯୌତୁକ ଦେଇ, ଝିଅକୁ କେଉଁ ପାଖ ଗ୍ରାମରେ ବାହା କରାଇବାକୁ ବୃନ୍ଦାବନଙ୍କର ଆଗ୍ରହ ଥିଲା ।

 

ବୃନ୍ଦାବନ ଚଉଧୁରୀଙ୍କୁ ରାଉତପାଟଣାର କେଉଁ ଖବର ବା ଅଜଣା ଥିଲା ? କାର୍ଯ୍ୟ ଉପଲକ୍ଷରେ, ଦୋଳମେଳଣ, ନାଟତାମସା ଦେଖିବାକୁ, କେଉଁ କର୍ମୀ ଓ ନେତାମାନଙ୍କ ସଭାସମିତିରେ ଯୋଗ ଦେଇ ତାଳି ମାରିବାକୁ, ଜୟଜୟକାର ଧ୍ୱନିରେ ନିଜର ଡାକ ମିଶାଇବାକୁ ଗାଁଲୋକଙ୍କ ସଙ୍ଗରେ ପିଲାଟି ଦିନରୁ ସେହି ଗ୍ରାମକୁ ସେ ଅନେକଥର ଯାଇଛନ୍ତି । ଦହ ଉପରେ ବିଖ୍ୟାତ ରାଉତରାଙ୍କର ପୁରୁଣା ଡିହ ଉପରେ ନୂଆ ଘରଟି ଦେଖିଛନ୍ତି ।

 

ସେ ଘରର ଚଳଣି, ସେହି ରାଉତରା ଘରର ସମସ୍ତଙ୍କର କରଣି ସମ୍ବନ୍ଧରେ ସେ ବିଭିନ୍ନ ଲୋକଙ୍କ ମୁହଁରୁ ଶୁଣିଛନ୍ତି । ତାଙ୍କ ଧାରଣାରେ ସେ ଘର ଗୋଟିଏ ବିସ୍ମୟ । ଅପ୍ରକାଶ୍ୟ କେଉଁ ସମ୍ମାନ ଓ ଭୟର ଜୀବନ୍ତ ଅନୁଷ୍ଠାନ । ସେ ଘରେ ପାଦ ଦେବାକୁ ବୃନ୍ଦାବନ ଚଉଧୁରୀ କେବେ ଆଗ୍ରହୀ ହୋଇ ନ ଥିଲେ ।

 

ଯୋଗ କଢ଼ାଉଛି । ସେ କ’ଣ କରିବେ ?

 

ପରଶୁ ଜେନାଏ ବାଳୁତକାଳରୁ ତାଙ୍କୁ ଦେଖିଆସିଛନ୍ତି । କେତେ ଜାଗାରେ ରାଉତପାଟଣାରେ ଓ କେଉଁ କାମ ପାଇଁ ମୂଲିଆ-କୋଠିଆ ଜୀବନରେ କନକପୂର ଗଲେ ସେଠାରେ ଚଉଧୁରୀଙ୍କର ରୂପ, ରଙ୍ଗ, ସ୍ୱାସ୍ଥ୍ୟ ଓ ହାତୀପରି ଦୋହଲା ଚାଲି ସଭିଙ୍କର ଆଖି ଓଟାରେ ।

 

କିଏ ସେ, ଏହା ଜାଣିବାକୁ ଆଗ୍ରହ ବଳେ । ଅନ୍ୟମାନେ ଆଲୋଚନା କଲାବେଳେ ପରଶୁ ଶୁଣିଛନ୍ତି । ଚଉଧୁରୀ ଘରର ତିନି ପୁରୁଷର ସମାଚାର, ବେଶୀ ତ ବୃନ୍ଦାବନଙ୍କ ଘରର ଗୁମର କଥା । ନିଜେ ପରଶୁ ପିଲାଟି ଦିନରୁ ବିନୟୀ, ଭଦ୍ର ଓ ବିଶ୍ୱାସୀ । କୁହାର-ବୋଲାର ହୋଇଥିବାରୁ ଯୁଆଡ଼େ ପାଇଟି ଉପଲକ୍ଷରେ ଗଲେ ଲୋକଙ୍କର ସେ ବିଶ୍ୱାସୀ ଓ ସ୍ନେହଭାଜନ ହେଉଥିଲେ ।

 

ବୃନ୍ଦାବନଙ୍କ ଘର ତାଙ୍କର ଅଜଣା, ଅମଡ଼ା ନ ଥିଲା । ତାଙ୍କର ଘରଣୀ ତ ନିଜେ କାମିକା, ସ୍ନେହଶୀଳା । ସୁନାଡଙ୍ଗା ପରି ପାତଳା । ପରପୁଅକୁ ନିଜର ମଣନ୍ତି । ଝିଅ ରତ୍ନମଣି ଯାହାକୁ ଡାକନ୍ତି ରତନ, ରତନା, ରତନୀ, ରତ୍ନା ବୋଲି, ଯେତେବେଳେ ଯାହା ତୁଣ୍ଡକୁ ଆସିଲ । ବେଶ୍ ସୁନ୍ଦର ।

 

ସେହି ପିଲାଟି ଯେମିତି କାମିକା, ସେମିତି ବୁଦ୍ଧିଆ । ସଣ୍ଠଣାକୁ କିଏ ବାଛିବ ନାହିଁ । କାଳକ୍ରମେ ଝିଅଟି ବଡ଼ ହେଲା । ତାଙ୍କ ବୋଉ ପେଟମରା ରୋଗରେ ଅଥୟ ହୋଇ ଝିଅକୁ ପରଘରକୁ ପଠାଇବାକୁ ଜିଦି ଧରିଲେ ।

 

କୌଣସି ଔଷଧ କାଟୁ କଲା ନାହିଁ । ଦିନରାତି ଛଟପଟ ହେଲେ । କନ୍ଦାବୋବା କଲେ । ବୃନ୍ଦାବନ ଚଉଧୁରୀ ପ୍ରମାଦ ଗଣିଲେ । ଜୋଇଁ ଖୋଜିଲେ । ପଣ କଲେ, ବିକାଭଙ୍ଗା କରି ଯୋଗ୍ୟପାତ୍ରକୁ ସେ ସବୁ ଦେବେ । ନିଜେ ବରଂ ମୂଲ ଲାଗି ଚଳିବେ ।

 

ଏ ଖବର ନଈ ଏପାରି ରାଉତପାଟଣାର ବୁଢ଼ା ରାଉତରାଙ୍କ କାନରେ ପଡ଼ିଲା । ପରଶୁ ଜେନାଏ ପିଲାବେଳ କଥା ହେତୁ କଲେ । ବୁଢ଼ା ସାଆନ୍ତଙ୍କୁ ପ୍ରବର୍ତ୍ତାଇଲେ । ସାନ ରାଉତରା ବିଶ୍ୱମ୍ବରଙ୍କୁ ମଙ୍ଗାଇଲେ ।

 

ଜାତକ ଭଲ ଶୁଝିଲା । ଆଡ଼ମ୍ବରରେ ବାହାଘର ହେଲା । ଆଉ କେତେ ଜମି ବିକ୍ରି ହେଲା, କେତେ ବନ୍ଧା ପଡ଼ିଲା । ସୁବର୍ଣ୍ଣପ୍ରତିମା ବୋହୁ ଘରକୁ ଆସିଲା ।

 

ରାଉତପାଟଣାର ଗାଁଯାକର ଲୋକ । ଜାତିଧର୍ମ ନିର୍ବିଶେଷରେ ନଈ ସେପାରି କନକପୂରକୁ କୁଣିଆ ହୋଇ ଯାଇଥିଲେ । ଆଗରୁ ଖବର ପାଇ ସର୍ବସ୍ୱାନ୍ତ ହୋଇ ଚଉଧୁରୀଏ ସେମାନଙ୍କର ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହୋଇଥିଲେ ।

 

ରାଉତରାୟ ବଂଶ ଓ ଚଉଧୁରୀ ବଂଶର ମହତ୍ୱର ଲଢ଼େଇ । ଉଭୟ ପକ୍ଷଙ୍କ ଟେହିଦେବାକୁ ସ୍ୱାର୍ଥନ୍ୱେଷୀଙ୍କର ଅଭାବ ନ ଥିଲା । ପୁଅ ବୟସର ପରଶୁ ଜେନା ବିନର୍ବ୍ୟୟ ବିରୁଦ୍ଧରେ ବୁଢ଼ା ରାଉତଙ୍କୁ ଯେତେ କହିଲେ ସେ ଶୁଣି ନ ଥିଲେ ।

 

ଜବାବ ଦେଇଥିଲେ, ହଇରେ ପୁଅ, ଦୂରସମ୍ପତ୍ତି ବଦଳରେ ଆମର ଟେକ ରହୁ । ମର୍ଯ୍ୟାଦା ବୁଡ଼ିଲେ ସବୁ ସରିବ । ଲୋକନିନ୍ଦାକୁ ମୁଣ୍ଡରେ ବୋହି ସେପୁରକୁ ଯିବି ?

 

ସାନ ରାଉତଙ୍କ ଆଗରେ ଗୁହାରି କଲେ ସେ କ’ଣ ବାଧା ଦେଇପାରିବେ ? ସେ ବି କହୁଥିଲେ, ଦୂରର ଜମିବାଡ଼ିର ତତ୍ତ୍ୱ ନେବା କଷ୍ଟକର । ତୁ ପାରିବୁ ନାହିଁରେ ପରଶୁ । ତୁ ଏକୁଟିଆ ମଣିଷ । ନିଜ ଭୂମିବାଡ଼ି କଥା ବୁଝିବୁ, ନା ଆମର ଦୂର ଜମିବାଡ଼ିର ତତ୍ତ୍ୱ ନେବୁ ? ମାଳୀ ଘରର ଛେଳିପରି ସେ ସବୁ ଆମକୁ ଅଡ଼ୁଆ ?

 

ପରକୁ ପର ପରଶୁ ଜେନାଏ କାହିଁକି ସେଥିରେ ମୁଣ୍ଡ ଖେଳାନ୍ତେ ? ସେ ବି ତାଙ୍କର ପାରୁପର୍ଯ୍ୟନ୍ତ ବୁଢ଼ାସାଆନ୍ତଙ୍କ କହିବାମତେ ବିନର୍ବ୍ୟୟ କାମରେ ଲାଗିପଡ଼ିଥିଲେ ।

 

ବାହାଘର ସରିଲା । ଦୁଇପକ୍ଷର ଆନ୍ ଓ ମାନ ରହିଲା । ଆତସବାଜିରେ ଆକାଶ ହାଲୋଳମୟ ହେଲା । ଧନ୍ୟ ଧନ୍ୟ ପ୍ରଶଂସା କରି ଲୋକେ ତେଲିଆ ଓଠ ପୋଛି, ହାକୁଟି ମାରି ଯେଝା ଘରକୁ ବାହୁଡ଼ିଲେ ।

 

ବିଦାବିଦିବେଳେ ରତ୍ନମଣି ଯେତେ କାନ୍ଦିଲେ, ବୋଉଙ୍କୁ ଖୋଜିଲେ, ତାଙ୍କ ସଙ୍ଗେ ଦେଖା ହେଲା ନାହିଁ । ବୃନ୍ଦାବନ କାନ୍ଦ କାନ୍ଦ ହେଉଥାନ୍ତି । ମୁହଁ ଖୋଲୁ ନ ଥାନ୍ତି । ଚଉଧୁରୀ ବଂଶର ଭିନେ ହେଲା କୁଟୁମ୍ବମାନଙ୍କର ବୋହୁଭୁଆସୁଣୀମାନେ କୁରରୀ ପରି ରଡ଼ି ଛାଡ଼ିଥିବା ସୁନାଖଡ଼ିକା ଝିଅକୁ ଏଣୁତେଣୁ ବୁଝାଇ, ସବାରିରେ ବସାଇ ବିଦା କରିଥିଲେ ।

 

ଏବେଯାଏ ଜେନାଙ୍କ ମନରେ ସେବେଳର ଦୃଶ୍ୟ ଜିଇଁ ରହିଛି । ଧନ୍ୟ କହିବ ବୃନ୍ଦାବନରେ ଚଉଧୁରୀଙ୍କ ଧୈର୍ଯ୍ୟକୁ । ଏତେବଡ଼ ଘଟଣା, ଯାହା ତାଙ୍କର ସଂସାରକୁ ଉଚ୍ଛନ୍ନ କରିଥିଲ, ଏବଂ ପରେ ତାଙ୍କର ଧୈର୍ଯ୍ୟ ଭାଙ୍ଗି ଟାଣପଣକୁ ଧୂଳିରେ ମିଶାଇଲ, ତାଙ୍କର ଅନୁତପ୍ତ ଝୁରିଲା-ଜୀବନକୁ ଫୁଙ୍କି ଉଡ଼ାଇଦେଲ, ତାକୁ ସେ ତାଙ୍କ ପ୍ରାଣରୁ ଅଧିକ ଝିଅ ଋତୁର ବିଦାବିଦିବେଳେ ଗୋପ୍ୟ ରଖିଥିଲେ । କଟୁମ୍ୱର ଅନ୍ୟାନ୍ୟ ଘରଣୀମାନଙ୍କୁ ପ୍ରକାଶ ନ କରିବାକୁ ସାବଧାନ କରିଦେଇଥିଲେ ।

 

ଝିଅର ବିଦାବିଦି ପରେ, କନକପୂର ନିଶ୍ଚଳ ହେଲା । ସେଇଠୁ କଥାଟି ପ୍ରଘଟ ହେଲ । ଚାରିପାଞ୍ଚ ଘଣ୍ଟା ପରେ ଚଉଧୁରୀଙ୍କ ଖଞ୍ଜାଭିତରୁ କାନ୍ଦ-ବୋବାଳି ଶୁଭିଲା । ସନ୍ଧ୍ୟାବେଳକୁ ବାଜିଲା ଅହ୍ୟ-ଡେଙ୍ଗୁରା । ଲୋକେ ହାହାକାର କଲେ ।

 

ଘଟଣା କ’ଣ ବୁଝିଲାରୁ ଜଣାପଡ଼ିଲା ଯେ ଯେତେବେଳେ ରତ୍ନାର ବେଦି ଉପରେ ହାତଗଣ୍ଠି ପଡ଼ୁଥିଲା, ଠିକ୍‍ ସେତିକିବେଳେ ତଳଖଞ୍ଜାର ଠାକୁରଘରେ ତାର ମା’ଙ୍କର ହେକ୍‌କା ଉଠୁଥିଲ।

 

ତାଙ୍କ ପାଖରେ ଥିଲେ ବୈଦ୍ୟରାଜ ଓ କୁଟୁମ୍ୱର ଅନ୍ୟସାହିର ବଡ଼ଜାଆ ହେବେ ଦୁଇଜଣ ବୃଦ୍ଧା । ସେହିମାନେ ରତନୀବୋଉଙ୍କର ପେଟମରା ଯନ୍ତ୍ରଣାର ଉପଶମନ ପାଇଁ ବୈଦ୍ୟଙ୍କର ଔଷଧ ଖୁଆଉ ଥିଲେ । ରୋଗିଣୀର ଚେତା ବୁଡ଼ିଥିଲା ।

 

ପେଟମରା ଦୁଃସହ ଯନ୍ତ୍ରଣାରେ ସେ ମରଣ ବରଣ କଲେ । ଏ ଘଟଣା ଝିଅର ବାହାଘର ପରଦିନ ରାଷ୍ଟ୍ର ହୋଇଗଲା । ତୁଣ୍ଡରୁ ତୁଣ୍ଡ ଡେଉଁଣୁ ପ୍ରକୃତ ଘଟଣାର ରୂପ, ରଙ୍ଗ, କାରଣ, ଦିନବାର ଓ ବେଳକାଳ ବଦଳି ବଦଳିଗଲା ।

 

ରାଉତପାଟଣାର କେତେ ଆଗ୍ରହୀ ପୁରୁଷ ଓ ସ୍ତ୍ରୀଙ୍କର ମନରେ ଜାଗ୍ରତ କୌତୁହଳ ମେଣ୍ଟଣପାଇଁ ଦୁଇଟି କୁଟୁମ୍ବର ବିଶ୍ୱାସୀ ପରଶୁ ଜେନାଙ୍କଠାରୁ ଘଟଣାଟି ବୁଝିବାକୁ, ନିଜ ଶୁଣିଲା କଥାର ସତ୍ୟାସତ୍ୟ ବୁଝିବାକୁ ପଚାରିଥିଲେ–

 

ନ ବୁଝି ନ ଶୁଝି, ଛତରା, ବାଳୁଙ୍ଗା, ହୁଣ୍ଡା, ହୁଡ଼ମା ଟୋକାଟା ହାତରେ ଲବଣିପିତୁଳା ଗେଲବସରୀ ଲକ୍ଷ୍ମୀ ପ୍ରତିମା ଝିଅକୁ ଚଉଧୁରୀଏ ଟେକି ଦେଲେ ବୋଲି, ମହୁରା ଖାଇ ରତନୀର ମା’ ସୁକୁମାରୀ ଜୀବନ ହାରିଲେ ?

 

-ତାହା ମିଛ ଗପ । ସବୁ ପୁରାଣଶାସ୍ତ୍ର ପଢ଼ିଥିଲେ ସେ ସୁକୁମାରୀ । ଖୋଲାମନ ଖୋଲାହାତ । ଧର୍ମକର୍ମରେ ମତି ଥିଲା ।

 

...ସେପରି ପାପକାମ କରି ନରକ ଯିବାକୁ ନିଜ ବାଟ ନିଜେ ଓଳାଇ ସଫା କରନ୍ତେ ?

 

ଶୁଦ୍ଧି କାମ ସରିଲା ପରେ, ଶୁଣାଶୁଣିରେ, ସମ୍ପତ୍ତିବାଡ଼ି ଯାହା ଥିଲା ଗ୍ରାମ ଦେବତାଙ୍କ ନାମରେ ଲେଖିଦେଇ ପ୍ରାୟଶ୍ଚିତ୍ତ କରିବାକୁ ବୃନ୍ଦାବନ ଚଉଧୁରୀ ବୃନ୍ଦାବନଧାମକୁ ଖସି ପଳାଇଲେ ।

 

-କାହିଁକିରେ ପରଶୁଆ । ତୁ ସବୁଜାଣନ୍ତା ପତରଗଳିବା ଗୁଣ୍ଡୁଚିମୂଷା । କହ ଏହାର ଭେଦ-

 

-ମତେ ଅଜଣାଲୋ ବଡ଼ ମା’ । ମୁଁ ମୂଲିଆ କୋଠିଆ ମୁଣ୍ଡ । କାହା କାହା ଘରର ଗହନ ବେପାରରେ ମୁଁ କାହିଁକି ମୁଣ୍ଡ ଗଳାନ୍ତି ?

 

...କୁହାକୁହିରେ ଏତିକି ଜାଣିଛି ବୃନ୍ଦାବନ ଚଉଧୁରୀ ଧର୍ମାତ୍ମା ପୁରୁଷ । ତାଙ୍କର ବଂଶ ବୁଡ଼ିଲା । ସେ ତୀର୍ଥବାସ କଲେ । ତାଙ୍କର ସମ୍ପତ୍ତି ଦେଲେ ଠାକୁରଙ୍କୁ । ଘରଡିହ, ଜମିବାଡ଼ି ସବୁ ଲେଖି ଦେଲେ ସାନଭାଇ ଅଂଶର ପିଲାଙ୍କ ନାମରେ । ନଈ ସେପାରି ସତରଗଛିଆ ଆମ୍ବତୋଟାଟି କୁଆଡ଼େ ଜୋଇଁଙ୍କ ନାମରେ ଲେଖିଦେଇ ଯାଇଛନ୍ତି ।

 

ପରଶୁ କେତେ ଲୋକଙ୍କ ତୁଣ୍ଡରୁ କେତେ କଥା ଶୁଣନ୍ତି । ସେଥିରେ ମୁଣ୍ଡ ଖେଳାଇବାକୁ, ଯେତେ ସମ୍ପର୍କ ଥିଲେ ବି, ସେ ମନ ବଳାନ୍ତି ନାହିଁ । ନିଜ ଘରର ବେପାର ନିଜକୁ ବଳେଇଛି । ଘରେ ବୁଢ଼ୀ ମା’, ବାହାହେବା ବୟସର ତିନି ଭଉଣୀ । ସମସ୍ତେ କାର୍ଯ୍ୟବ୍ୟସ୍ତ । ଗପ କରି ପରଘରର ଚର୍ଚ୍ଚା କରିବାକୁ ବେଳ କାହିଁ ?

 

ତେବେ ବୁଢ଼ା ରାଉତ ସାମନ୍ତେ, ଜେମାଦେଈ ଅପା, ସାନଭାଇର ବାହାଘରକୁ ସାତଦିନ କଣ୍ଟରେ ଆସି ଯେ ମାସାଧିକ କାଳ ରହିଲେଣି ସେ ଓ ସାନ ରାଉତେ ବିଶ୍ୱମ୍ବର କାର୍ଯ୍ୟ ପାଇଁ, ଅବା ଖାଲି ସେମିତି ଡକାଇଲେ ସେ ସେଠାକୁ ଯାନ୍ତି ।

 

ଜେମାଦେଈ ସାନ ଭାଉଜ ରତ୍ନାଙ୍କୁ ଅଧିକ ସ୍ନେହ କରନ୍ତି, ସତେ କି ସେ ତାଙ୍କରି ମା’ପେଟର ସାନଭଉଣୀ । କାମ ଶିଖାନ୍ତି । ଘରର ସବୁ କଥା କହନ୍ତି, ବତାଇ ଦିଅନ୍ତି । ବୁଢ଼ା ବାପାଙ୍କର ମନ ଜାଣି ସେବା କରନ୍ତି । ରାଉତରାଙ୍କୁ ବତାଇ ଦିଅନ୍ତି । ଗେହ୍ଲାରେ ତାଙ୍କୁ ଶଶୁରେ ଡାକନ୍ତି ରଙ୍ଗଲତା ।

 

ବଡ଼ଭାଉଜ ଲେଖାରେ ପରଶୁ ଜେନାଏ ଅଳପ ବୟସ ହେଲେ ବି, ରଙ୍ଗଲତା ରତ୍ନାଙ୍କୁ ମାନ୍ୟତା ଦେଖାଇ ପ୍ରଣତ ହୁଅନ୍ତି ।

 

ରହୁରହୁ ଜେମା ବାପଘରେ ଛଅଟି ମାସ ଅଟକି ଯାଇଥିଲେ । ମହାପାତ୍ରଙ୍କ ଘରୁ ଖବର ନେଇ ଚିଠି ଧରି ତାଙ୍କୁ ନେବାକୁ ବାରମ୍ବାର ଲୋକ ଆସି ଫେରିଲେ । କେମିତି ସେ ଯାଆନ୍ତେ ।

 

ଘରେ ରୋଗଣା ବାପ । ନୂଆବୋହୂ ରତ୍ନା ପିଲା । କୁଳର ପ୍ରଥା ଅନୁରୂପେ ଶାଶୂଘରକୁ ବୋହୂ ଆସିଲେ ବାପଘରେ ଦିଆହୋଇଥିବା ନାମଟି ବଦଳାଇ ଦିଆଯାଏ ।

 

ସୁନ୍ଦର ରୂପ । ଅଳତା ବୋଳିଲା ପରି ବୋହୁର ଓଠପତା ଦିଓଟି ରଙ୍ଗଣୀ ଫୁଲ ପରି ନାଲି ଦିଶେ । ମୁହଁ, ହାତର ପାପୁଲି ଫିକା ଗୋଲାପର ରଙ୍ଗରେ ଚହଟେ । ଖୁସି ହୋଇ ଗେଲବସରୀ ସୁକୁମାରୀ ଟିକି ବୋହୁର ନାମ ବଦଳାଇ ଶଶୁରେ ଦେଲେ ରଙ୍ଗଲତା ।

 

ଜେମାଦେଈ ସେହି ନାମଟିକୁ ପସନ୍ଦ କରିଥିଲେ । ଭାଉଜକୁ ଝିଅପରି ଭଲ ପାଉଥିଲେ । ଗେହ୍ଲାରେ ଡାକୁଥିଲେ “ଲତା ।’’ କେଡ଼େ ବେଗି ସେ ଲୋଟଣୀ ପାରାଟି ଘରର କାମ ଆଦରି ନେଇଛି । ବୁଢ଼ା ଶଶୁରଙ୍କର ସେବା କରୁଛି । ମନଜାଣି ତାଙ୍କ ପାଇଁ ସବୁ ଯୋଗାଡ଼ି ଦେଉଛି । ପୋଥି ପଢ଼ି ଶୁଣାଉଛି । ପାଦ ମଞ୍ଚାଳୁଛି ।

 

ଚାକରାଣୀ ତ ରହିଛନ୍ତି, ସେ ନିଜ କର୍ମଭୂମିରେ ଆପଣାର ଘର ସମ୍ଭାଳି ପାରିବ । ସେ ଘରେ ପାଦ ଦେଲାରୁ ସାନଭାଇଟିର ବାରବୁଲା ଢଙ୍ଗ, ହୁଣ୍ଡା ପଣିଆ କମିଲାଣି । ସେ ବୋଲ ମାନିଲାଣି ।

 

ପରଶୁ ଜେନାଙ୍କୁ ଦିନେ ଜେମାଦେଈ କହୁଥିଲେ, “ତୁ ତ ଦେଖୁଛୁ ତା’ର ଢଙ୍ଗ । କପୂର ଯାଇ କନା ରହିଲାଣି । ତୋ’ଠାରୁ ସେ ଅଳପ ବଡ଼ । ହେଲେ ଦାୟିତ୍ଵ ବୁଝିବାରେ, ଘରଚଳା ବୁଦ୍ଧିବିଚାରରେ ମୁଁ କହିବି ସେ ସାତ ସାନ ।’’

 

ପରଶୁ ସେଦିନ ଉତ୍ତର ଦେଇଥିଲେ, ତାଙ୍କୁ ସେମିତି ମଣ ନାହିଁ, ଅପା । ବେକରେ ପଡ଼ିଲେ ବଳେ ସେ ବଜାଇବେ । ଗାଁ ଲୋକେ ତାଙ୍କୁ ସମ୍ମାନ ଦେଖାନ୍ତି ଯେତିକି, ଡରନ୍ତି ତହୁଁ ଅଧିକ । କୂଟକପଟିଆ ବୁଦ୍ଧି ତ ନ ଥାଏ । ସେ ନ୍ୟାୟକଥା କହନ୍ତି । ତେଢ଼ିଲେ ଜାବୁଡ଼ା ଉଚ୍ଚା । ଗାଲରେ ନ ବାଜୁଣୁ କାମ ହାସଲ । ସେ ଠିକ୍ ଘର ସମ୍ଭାଳିବେ ।

 

ବୋଧହୁଏ ଜେମା ଏମିତି ନିର୍ଭର ଜବାବ ତାଙ୍କ ମୁହଁରୁ ଶୁଣିବାକୁ ଅପେକ୍ଷା କରିଥିଲେ । ବାପାଙ୍କଠାରୁ ଅନୁମତି ନେଇ, ରଙ୍ଗଲତାଙ୍କ ଆଖିରୁ ଲୁହ ପୋଛି, ଯମଅଇଁଠା କୁଳର ପ୍ରଦୀପ ସାନଭାଇର ଚିବୁକ ଧରି ନିଜେ କାନ୍ଦି କାନ୍ଦି ତାଙ୍କର କର୍ମଭୂମି ଶାଶୁଘରକୁ ଫେରିଗଲେ ।

 

ତାଟଲଗା ବଳଦଗାଡ଼ିର ପଛେ ପଛେ ପରଶୁ ଜେନା ଖଣ୍ଡେଦୂର ତାଙ୍କୁ ବଳାଇଦେବାକୁ ଯାଇଥିଲେ । ଏବଯାଏ ଜେନାଙ୍କର ମନେଅଛି ଜେମାଦେଈଙ୍କ ଲୁହଝରା ଥରିଲା କଥା-

 

‘ପରଶୁରେ, ସବୁ ଥିଲା । ଏବେ ତ ରାଉତରା ବଂଶର କିଛି ନାହିଁ କହିଲେ ଚଳେ । ବାପା ସବୁ ସମ୍ପତ୍ତି ଜୁର କଲେ । ଭୂମିବାଡ଼ି ଦୂରରେ ଯାହା ଥିଲା, ସେସବୁ ବିକ୍ରି କଲେ । କେତେ ବନ୍ଧାପଡ଼ିଛି । ଆଉ ମୁକୁଳିବାର ଆଶା ନାହିଁ ।

 

...ତୋ କାମ ତତେ ବଳେଇଛି । ତଥାପି ଟିକିଏ ଭଲବୁଦ୍ଧି ଦେଉଥିବୁ ସେ ଅବୋଧ ଟୋକାକୁ । ତୋ’ଠାରୁ ସେ ମୋ’ ଜାଣିବାରେ କେତେବର୍ଷ ବଡ଼ । ହେଲେ, ବିଚାରବୁଦ୍ଧିରେ ସାତସାନ । କାଲିକା ବିଚାର ତା’ ମନରେ ପଶେ ନାହିଁ ।

 

ଜେନାଏ ଉତ୍ତର ଦେଇଥିଲେ, “ବଡ଼ଘର ପୁଅ । ବଡ଼ ମନ, ବଡ଼ ଆଖି । ପରର ଦୁଃଖ ଦେଖିଲେ ତରଳି ଯାଆନ୍ତି । ଚରଣ ଚୁଟିଆ, ଗାଲୁଆ, ପାଣିରେ ସରପକା, କୁହାଳିଆଙ୍କର ନାକ ସୁକୁସୁକୁ ଛଟାଗଳା କାନ୍ଦଣାରେ ଦାତାକର୍ଣ୍ଣ ହୁଅନ୍ତି । କହାକୁ କେବେ କେତେ ଦେଲେ ମନେରଖନ୍ତି ନାହିଁ ।’’

 

ଜେମାଦେଈ ଗାଁ ଗହୀର ସେମୁଣ୍ଡରେ ଶଗଡ଼ଗୁଳାର ବାଁ’କଡ଼ର ତିନିଗଛିଆ ଆମ୍ବର ଛାଇତଳେ ଗାଡ଼ି ଅଟକାଇଲେ । ପଛରେ ଦଣ୍ଡା ଧରି ଚାଲିଥିବା ପରଶୁଙ୍କୁ କହିଲେ, “ଆଉ କେତେବାଟ ତୁ ପଛରେ ଧାଇଁ ଆସୁଥିବେରେ ଭାଇ ? କୋଶେ ବାଟ ଆସିଲୁଣି । କଥା ଲହସରେ ଜାଣିହେଲା ନାହିଁ । ନଦୀକୂଳ ପାଖ ହେଲା ?’’

 

-ବିଳାସୁଣୀ କୁଦ ପାଖେଇ ଆସିଲା, ଅପା । ସେଇଯାଏ ତମ ସାଙ୍ଗେ ଆସିବି ବୋଲି ବିଚାରିଥିଲି । ସେଇଠି ଶଗଡ଼ଗୁଳା ବଙ୍କେଇ ଗହୀରରେ ପଶିବ । ମୁଁ କୁଦ ଉପରର କଣ୍ଟାବୁଦା ଦେଖି ଫେରିବି । ବାଡ଼ ବୁଜିବାକୁ ଝାଟି ଦରକାର ?

 

ଜେମାଦେଈ କହିଲେ, “ବିଶ୍ୱମ୍ଭର ଲକ୍ଷ୍ମୀପ୍ରତିମା ଝିଅଟିର ହାତଧରିଛି । ବାପ ମା’ ସମସ୍ତଙ୍କୁ ହରାଇ ବିଚାରୀ କେଡ଼େ ଦୁଃଖିନୀ । ଶଶୁର ଓ ସ୍ୱାମୀର ପ୍ରାଣପଣେ ସେବା କରୁଛି । ବିଚକ୍ଷଣା ଝିଅ । ସେ ଘର ସମ୍ଭାଳିବ । ବିଶ୍ୱମ୍ବର ଭଲ ବୁଦ୍ଧି କଲେ ସବୁ ଭଲରେ ଚଳିବ ।’’

 

...ପରଶୁରେ, ମାଇପି ଜନମ ଏଇଆ । ତୁ ତ ପୁଅ ପିଲା, କାହୁଁ ବୁଝିବୁ ତା’ର କଲବଲପଣ । ଏଣେ ବାପଘର, ତେଣେ ଶଶୁରଘର । ଯେଉଁଠି ରହିଲେ ଆରଘର ପାଇଁ ଦକା ମନ ଘାଣ୍ଟୁଥାଏ ।

 

...‘କେବେ ପୁଣି ଏଇ ଜନମମାଟି ଦେଖିବାର ସୁଯୋଗ ମିଳିବ । କେଜାଣି ।’

 

ଜେମାଦେଈଙ୍କର ଆଖିଦୁଇଟିରୁ ଲୁହ ଦି’ଧାର ଝରିଆସିଥିଲା । ଏବଯାଏ ପରଶୁ ଜେନାଙ୍କର ମନେଅଛି । ସେହି ଲୁହ ଦି’ଧାର ସତେ ବା ତାଙ୍କ ପ୍ରଶ୍ନର ଉତ୍ତର ।

 

ତିନିବର୍ଷ ପରେ ଜରୁରୀ ଖବର ପାଇ ଜେମାଦେଈ କାନ୍ଦି କାନ୍ଦି, ଆଖିରୁ ଲୁହ ଝରାଇ ବାପଘରେ ପାଦ ଦେଲେ । ବାପଙ୍କର ମୃତ ଦେହଟିକୁ ବି ସେ ଦେଖିପାରି ନ ଥିଲେ ।

 

ଚାରୋଟି ଦିନ ସେ ପ୍ରାୟ ଅଚଳ ହୋଇ ବିଛଣାରେ ପଡ଼ିରହିଥିଲେ । କେବେ କେବେ ଚେତନା ଫେରିଲେ ଦେଖୁଥିଲେ ତାଙ୍କର ସେବାକାରିଣୀ ବଧୂଟିକୁ ।

 

ପାଖରେ ଥାଇ ସେ ଦେହ ଆଉଁସୁଛି । ପାଦ ମଞ୍ଚାଳୁଛି । ତୁଣ୍ଡରେ ଔଷଧ, ଅବା ତରଳ ଖାଦ୍ୟ ଦେଉଛି ।

 

ସାନ ରାଉତେ ବିଶ୍ୱମ୍ଭର ନିଜେ ରହିପାରୁ ନାହାଁନ୍ତି । ଚିକିତ୍ସା ପାଇଁ ବାରମ୍ବାର ଗାଁ-ବୈଦ୍ୟଙ୍କ ପାଖକୁ ଲୋକ ବରଗୁଛନ୍ତି । ନିଜେ ବି ଧାଉଁଛନ୍ତି ।

 

ଡକରା ପାଇ ଜରୁରୀ ଘରକାମ ଛାଡ଼ି ପରଶୁ ଆସିଥିଲେ । ସବୁ ଦେଖିଲେ, ସବୁ ଶୁଣିଲେ । ସାନ ରାଉତେ ଯହିଁ ବରଗିଲେ ସେ ଧପାଳିଲେ । ସେ ବା କି ବୁଦ୍ଧି ଦେବେ ?

 

ଦି’କୋଶ ଦୂରରେ ଡାକ୍ତରଖାନା । ବଡ଼ ରାଉତରାଙ୍କୁ ସେଠାକୁ ନେଇହେବ ନାହିଁ । ଡାକ୍ତରଙ୍କୁ ଡକାଇଲେ, ସେ ଥିଲେ ଅବଶ୍ୟ ଆସିବେ । ଯଦି ନ ଥିବେ ତ...

 

ଯାହାହେଉ, ତାଙ୍କ ପାଖକୁ ଚିଠି ଓ ଟଙ୍କା ଦେଇ ପରଶୁଙ୍କର କହିବାମତେ ଲୋକ ପଠାଗଲା ।

 

ପରଶୁ କହିଲେ, ଯାହା ଦେଖାଯାଉଛି, ଉଷୁନାଧାନ ଗଜାହେବା କଥା, ସାନ ସାଆନ୍ତେ । ତେବେ ଚିକିତ୍ସା ତ କରାହେବ ।

 

ଜ୍ୟୋତିଷ ବୁଢ଼ା କହିଗଲେ, “ଦୁହାଁଳୀ ଗାଈ, ଭୂମି ଓ ସୁନା ବ୍ରାହ୍ମଣଙ୍କୁ ଦାନ କଲେ ରିଷ୍ଟ ଖଣ୍ଡନ ହେବ । ବାପା ଉଠିବେ । ନିଶ୍ଚୟ ବିଶାଶହେ ବର୍ଷ ଥାକିବେ ।’

 

-ମନ ଦୁଃଖ କରିବ ନାହିଁ, ସାନ ସାନ୍ତେ ? ଏମିତି ଶରଶଯ୍ୟାରେ ଅଚଳ ହୋଇପଡ଼ି ବଞ୍ଚିରହି, ଦୁଃଖକଷ୍ଟ ନିଜେ ଭୋଗି, ଅନ୍ୟମାନଙ୍କୁ ଦୁଃଖ ଭୋଗାଇବାକୁ ସେ ଆଉ ଚାହିବେ ନାହିଁ ।

 

...ଜ୍ୟୋତିଷଙ୍କର ଦଶଟା ଗଣନାରୁ ସାତଟା ଫଳେ ନାହିଁ । ଆଉ ତିନିଟାରୁ ଦୁଇଟାରେ ଫଳ ହେଲା କି ନ ହେଲା ଜାଣିହୁଏ ନାହିଁ । ଯେଉଁଟା ବାଆକୁ ବତା ପରି କ’ଣ ଘଟେ । ଜ୍ୟୋତିଷେ କହିଥିଲେ ତ ବୋଲି ଲୋକେ ପ୍ରଚାର କରନ୍ତି ।

 

-ତେବେ ?

 

-ଆଜି ସବାରିଗଉଡ଼ ପଠାଇ ଅପାଙ୍କୁ ନେଇଆସ । ସେ ଯାହା କହିବେ ସେଇଆ ହେବ-। ଲତା ଭାଉଜ ଚିଠି ଦି’ ଧାଡ଼ି ଲେଖନ୍ତୁ । ମୁଁ ସବାରି ନ ହେଲେ ବଳଦଗାଡ଼ି ଯୋଗାଡ଼ କରୁଛି ।

 

ବିଶୁ ସାଆନ୍ତେ ରାଜି ହେଲେ ।

 

ରାତି ଦି’ ଘଡ଼ି ସରିକି ଜେମାଦେଈ ପହଞ୍ଚିଲେ । ଦୁଇକୋଶ ଦୂର ନାରଙ୍ଗ ଗାଁରୁ ଡାକ୍ତର ଆସି, ମୁହଁ ନେଫେଡ଼ି ମୁଣ୍ଡ ହଲାଇ ‘ସେ ଆଉ ନାହାଁନ୍ତି? କହି ନିଜର ସାଇକଲ୍‌ରେ ଫେରିଯାଇଥିଲେ । ତାଙ୍କର ପାଉଣା ଟଙ୍କା ତ ନେଲେ ନାହିଁ । ପାଣି ଢୋକେ ବି ପିଇଲେ ନାହିଁ ।

 

ଶୁଦ୍ଧିଘର ଖୁବ୍ ଆଡ଼ମ୍ବରରେ କରାଗଲା । ରାଉତପାଟଣାରୁ ଏଡ଼େବଡ଼ ମୁଣ୍ଡ ଖସିଗଲେ । ମନରେ ନ ହେଲେ ତୁଣ୍ଡରେ ଲୋକେ ଗୁଣ ବାହୁନି ହାହାକାର କଲେ । ସେ ଥିଲେ ସେ ଅଞ୍ଚଳରେ ସବୁଠାରୁ ଅଧିକ ବୟସର ଲୋକ । ଗଙ୍ଗାରୁ ଗୋଦାବରୀ ଯାଏ ବ୍ୟାପିଥିଲା ଯେଉଁ ଗଜପତି କପିଳେନ୍ଦ୍ରଙ୍କର ରାଜ୍ୟ, ତାଙ୍କରି ଅଂଶବଶଂର ।

 

ଶୁଦ୍ଧିଘରକୁ ହଜାରେ ବ୍ରାହ୍ମଣ ଭୋଜନ ନ କରିବେ କିପରି ? ରାଉତପାଟଣା ଗ୍ରାମରେ ପିଲାରୁ ବୁଢ଼ାଯାଏ ତ ଅବଶ୍ୟ ପତର ପକାଇବେ । ନଈ ସେପାରି କନକପୂରର ଚଉଧୁରୀ ବଂଶର ଲୋକେ, ପୁଣି ଜେମାଦେଈଙ୍କର ଶାଶୁଘର ଗାଁ ସିଂହପୁରର ମହାପାତ୍ରମାନେ ନିଶ୍ଚୟ ଆସିବାର କଥା ।

 

ରାଉତରାଙ୍କ ଘରର ପାଖ ଓ ଅଳପ ଦୂରରେ ଥିବା କେତେ ଦୋଫସଲୀ ଜମି, ପୋଖରୀ, ବାଗ ବଗିଚା ଉପରେ ଯେଉଁମାନଙ୍କର ଆଖି ଥିଲା, ସେମାନଙ୍କର ଚରମାନେ ସାନ ସା’ନ୍ତଙ୍କୁ ମତାଇ ଦେଇଥିଲେ । ସେମାନେ ଜାଣିଥିଲେ ଯେ ତାଙ୍କର ପ୍ରଚୁର ଧନ ଲୋଡ଼ା ହେବ । ସମ୍ପତ୍ତିଗୁଡ଼ିକ ବିକ୍ରି କରି ଖରଚ ତୁଲାଇବାକୁ ହେବ । ବିକ୍ରି ନ କଲେ ନାହିଁ, ବନ୍ଧକ ପଡ଼ିବ । ତା’ପରେ ଦେଖାଯିବ ।

 

ବିଶ୍ୱମ୍ବର ରାଉତେ ସେମାନଙ୍କର ପଦ୍ମତୋଳାରେ ଭୁଲିଲେ । ପତ୍ନୀ ରତ୍ନମଣି କ’ଣ ଜାଣନ୍ତି ଯେ ପ୍ରତିବାଦ କରନ୍ତେ ? ତିନିବର୍ଷର ବୋହୁଟି ତ । ଜେମାଦେଈ ସାନଭାଇକୁ ବୁଝାଇ ଏତିକି ପ୍ରବର୍ତ୍ତାଇପାରିଲେ ଯେ ଜଳ ମାଡ଼ୁଥିବା ପାଖଗହୀରର ଜମି ଓ କୋଚିଳେଶ୍ୱରୀଙ୍କ ପାଖରେ ନଦୀ ଉପର ପଠାଜମି ବନ୍ଧକ ପଡ଼ିବ ନାହିଁ ।

 

ପରଶୁ ଜେନାଙ୍କର ଗୁପ୍ତ ମନ୍ତ୍ରଣାରେ ଜେମାଦେଈ ଏତକ କରିପାରିଥିଲେ । ସାନ ସାଆନ୍ତେ ଯେତିକି ଭଲ ସେତିକି ଆଣ୍ଡୁଆ । ଏତେ ଲୋକଙ୍କର ଚକ୍ରବ୍ୟୁହ ଭେଦ କରି ତାଙ୍କୁ ନିରୋଳାରେ ଭେଟି ସେ ପ୍ରକାରାନ୍ତରେ ଯେମିତି ପ୍ରତିବାଦର ସ୍ୱର ଉଠାଇବାକୁ ଚେଷ୍ଟା କରିଛନ୍ତି । ବିଶ୍ୱମ୍ବର ସାଆନ୍ତେ ଉତ୍ତର ଦେଲେ, ସେ ତାଙ୍କ ବାପାଙ୍କର ଇଚ୍ଛା ପୂରଣ କରୁଛନ୍ତି ।

 

ଧନ ସମ୍ପତ୍ତି ବଡ଼ ନୁହେଁ । ଯିବ ଓ ଆସିବ । କିନ୍ତୁ, ସମ୍ମାନ ଗଲେ, ମର୍ଯ୍ୟାଦା ବୁଡ଼ିଲେ ଆଉ ଫେରିବ ନାହିଁ । ବାପାଙ୍କର ଅତୃପ୍ତ ଆତ୍ମା ସେପୁରରେ ଛଟପଟ କଲବଲ ହେଉଥିବ ।

 

-କ’ଣ, ବୁଝିଲ ନା ପରଶୁ, ପୋଥିପୁରଣରୁ ସେଇଆ ମୁଁ ପଢ଼ିଛି । ଚିନ୍ତା ନାହିଁ । ଧୀରେ ଧୀରେ ଏ ସବୁ ବନ୍ଧକଦିଆ ସମ୍ପତ୍ତି ମୁକାଳି ଆଣିବି । ବାପାଙ୍କ ପରି ମୋର ତ ଅଫିମଖିଆ ପ୍ରକୃତି ନାହିଁ । କୌଣସି ବଦ ଖରଚ ବି ନାହିଁ ।

 

ପରଶୁ ଆଲୋଚନାରୁ ନିରସ୍ତ ହୋଇଥିଲେ । ନିଜେ ଅକ୍ଲାନ୍ତ ପରିଶ୍ରମ କରି ଶୁଦ୍ଧିଘରର ଆୟୋଜନରେ ଲାଗିପଡ଼ିଲେ । କାମ ସରିଲା । ରାଉତରାଙ୍କର ଧନ, ଜନ, ସମ୍ମାନ ଓ ପ୍ରତିପତ୍ତି ବଢ଼ି ବିଶ୍ୱମ୍ଭର ରାଉତରାଙ୍କର ଆଇଷ ବିଶଶହେ ବର୍ଷ ହେଉ । ସେ ସାତୋଟି ପୁତ୍ର ଓ ଗୋଟିଏ ଲକ୍ଷ୍ମୀଙ୍କ ପରି ବୁଦ୍ଧିମତୀ କନ୍ୟା ଲାଭ କରନ୍ତୁ ବୋଲି ବହୁ ମୁଖରୁ କଲ୍ୟାଣ ଲାଭ କଲେ ।

 

ପରଶୁ ହାତ ଯୋଡ଼ି ମୁଣ୍ଡରେ ଲଗାଇଥିଲେ । ସବୁ ଶୁଣୁଥିଲେ । କଣେଇଁ ଚାହିଁଥିଲେ ଅଧା ବୟସୀ ଜେମାଦେଈଙ୍କୁ । ସେ ଘରର ପିଣ୍ଡା ଉପରେ ଠିଆ ହୋଇ କଲ୍ୟାଣ କରୁଥିବା ଲୋକମାନଙ୍କୁ ଚାହଁରହିଥିଲେ । ଆଖିରେ ଲୁହ ଛଳଛଳ ।

 

ବାପାଙ୍କୁ ସୁମରି ଅବା କାଲିକା ବିଚାର ଭୁଲି, ସାନଭାଇ ବିଶ୍ୱମ୍ଭରଙ୍କର ଅଯଥା ବିନର୍ବ୍ୟୟ ପାଇଁ, କେଜାଣି ବା ସେ ନିଜର ନିଉଁଛୁଣା ଜୀବନର କଥା ବିଚାରି ଦୁଃଖ କରୁଥିଲେ ।

 

ସେ ଏହିପରି କେତେ କଲ୍ୟାଣ ଗ୍ରହଣ କରିଥିବେ । କିନ୍ତୁ କିଏ ତାଙ୍କର ଭାଗ୍ୟ ବଦଳାଇ ପାରିଲା ? ସେ ବିଧବା, ସେ ସନ୍ତାନହୀନା ।

 

ଏଥର ସେ ପ୍ରାୟ ଛଅଟି ମାସ ବାପଘରେ ରହିଥିଲେ । ସାନ ଭାଉଜ ସାତସାନ ଝିଅବୟସର ରଙ୍ଗଲତାଙ୍କୁ ଘରର ଦାୟିତ୍ୱ ତୁଲାଇବାର ଦେଖି ସେ ସନ୍ତୁଷ୍ଟ ହୋଇଥିଲେ ।

 

ସେ ଜାଣିସାରିଥିଲେ ଯେ ସବୁକାମରେ ସେ କୁଶଳା ହେଲାଣି । ଦେହରେ ଅଳସ ନାହିଁ । ବୁଝି ବିଚାରି, ଆଗପଛ ଭାବି କାମ କରିବାକୁ ଚେଷ୍ଟା କଲାଣି ।

 

ଅରଣା ମଇଁଷି ପରି ଅମାନିଆ ଦୁର୍ଦ୍ଦାନ୍ତ ବିଶ୍ୱମ୍ଭରଙ୍କୁ ଲତା ନିଜର କଅଁଳ ପ୍ରକୃତିର ନିବେଦିଲା ଡୋରରେ ବାନ୍ଧିବାକୁ କ୍ଷମ ହେଲାଣି । ଅରମା ଅମଡ଼ା ବାଟରେ ଆଖିବୁଜି ଧାଇଁବା ଢଙ୍ଗରୁ ତ ତାଙ୍କୁ ନବର୍ତ୍ତାଇ ପାରିଲାଣି ।

 

ଦିନେ ଜେମାଦେଈ କହୁଥିଲେ, ‘ପରଶୁରେ, କେତେଦିନ ପରେ ଆଜି ତୋର ଦେଖାପାଇଛି । ଶୁଣିଲୁଟି ମୋ ଟିକି ଭାଉଜର ଚାଲ ?’

 

ତମରି ଶିକ୍ଷା । ଗାଁରେ ଘରେ ଘରେ ତାଙ୍କର ପ୍ରଶଂସା । ସାନ ରାଉତେ, ଆଗପରି ନ ବୁଝି ନ ଶୁଝି ହୁ-ହସ୍ତ ଗୋଟାଏ ଜବାବ ଦେଉନାହାଁନ୍ତି । ‘ହଉ ବୁଝିବା କହି ଚାଇଁଆ ଚାଟୁକାରିଆଙ୍କୁ ବିଦା କରୁଛନ୍ତି । ମୁଁ ଠଉଁରାଏଁ, ସେ ତମକୁ ପଚାରିବାକୁ ବେଳ ବିତାନ୍ତି । ସାନ୍ତାଣୀକୁ ବି ପଚାରୁଥିବେ ।

 

-ସତ । ସୁନାଥାଳି ଭୂମିସବୁ ଯାଇଛିରେ ପରଶୁ । ଯାଉ । ଯେତିକି ଅଛି, ସେତିକିରେ ସାବଧାନ ହୋଇ ଚଳିଲେ ସମୟ କଟିବ ।

 

...ମୋ କାମ ସରିଲା । ତେଣେ ସିଂହପୁର-ପାତ୍ରପଡ଼ାରେ ମୋ ଶାଶୁଘରେ ପୁଣି କ’ଣ ସବୁ ଗଣ୍ଡଗୋଳ ଲାଗିଲାଣି । କୁଟୁମ୍ୱ ଭିତରେ ଅତି ଛୋଟ ଛୋଟ କଥାରେ ବାଦଛେଦ । ଅଶାନ୍ତି । ମୁଁ ଚିଠି ପାଇଥିଲି ।

 

...ଭାଇରେ, ମୋର ପେଟରୁ ଜନମ ହେଲାର କେହି ନାହିଁ । ବିଧବାଟାଏ ମୁଁ । ଉପରଠାଉର ବିଚାରଣାରେ ଯିଏ ହେଲେ କହିବ, ସେଠି କିଏ ଅଛି କି ?

 

...ତୁ ବୁଝ୍‌, କେହି ନ ବୁଝିଲେ ନାହିଁ । ସେଠି ମୋର ଆତ୍ମାପୁରୁଷକୁ ଛାଡ଼ିଆସିଛି । ସେଇପରା ମୋ’ର ତୀର୍ଥଭୂମି । ଏଠି ଖାଲି ମୋ ଜୀବନଟା ଛଟପଟ ହେଉଛି । ସେଠାକୁ ଯିବାକୁ ମୋ ଆତ୍ମା ଓଟାରି ହେଉଛି ।

 

...ତାଟଗାଡ଼ିଟିକୁ ସଜାଡ଼ କର । ବଳଦ ହଳେ ଠିକଣା କର । ଶଗଡ଼ିଆ ହୋଇ ଯିବାକୁ ତୋ’ର ଯଦି ବେଳ ଅଛି ତ ଚାଲ, ନଇଲେ ଆମଘରର କୋଠିଆ ଯିବ ।

 

-ସାନ ସାଆନ୍ତେ ଜାଣନ୍ତି ?

 

-ଜାଣନ୍ତି ଯେ, ଆଧିବିଧିରେ ମତେ ବିଦା କରିବାକୁ ସେ ବାଇଆ ହୋଇଛି । କହୁଛି, ରାଉତରା ଘରର ସମ୍ମାନ ସେ ଊଣା କରିବ ନାହିଁ । ଲତା ବି ସେଇଆ ବିଚାରୁଛି । କହିଲି, “ମୁଁ ଚଉଧୁରୀ ଘରର ଝିଅ; କେମିତି ମନ କରିବି ?’’

 

-ତେବେ, ଅପା ସାନ୍ତାଣୀ... ?

 

-ମଙ୍ଗଳରାତି-ବୁଧପାହାନ୍ତି ମୁଁ ନିଶ୍ଚୟ ସିଂହପୁର ଯିବି । ତୁ ଦୟାକରି ଗାଡ଼ିବଳଦ ଯୋଗାଡ଼ କରିଥା । ଯାହା ଦରକାର, ଲତା ଭାଉଜଙ୍କ ପାଇଁ ମୁଁ ସଜାଡ଼ିଦେବି । କହିବି, ଦେ, ବିଦାକର ।

 

...ମୁଁ ତ ସିଂହପୁର ଯାଇ ନିଶ୍ଚିନ୍ତ ହୋଇ ରହିପାରିବି ନାହିଁରେ ପରଶୁ, ମୋ ଜନମମାଟିକୁ ଝୁରି ହେଉଥିବି ।

 

ଏଠି ଥାଇ କ’ଣ ମୋର କରମଭୂଇଁ ସେହି ସିଂହପୁରକୁ ଭୁଲିପାରିଛି ? ଯେଉଁମାନେ ପର ଥିଲେ, ଦିନେ ଆପଣାର ହେଲେ । ଯେଉଁମାନଙ୍କର ମୁଁ ସେବା ପାଇଛି, ସମ୍ମାନ ପାଇଛି, ଯାହାଙ୍କର ଦୁଃଖରେ ଦୁଃଖୀ, ସୁଖରେ ସୁଖୀ ହୋଇ ଏତେକାଳ ବିତାଇ ଦରବୁଢ଼ୀ ହେଲି, ସେମାନେ ମତେ ସପନଉଛନ୍ତି, ଝୁରୁଛନ୍ତି ।

 

...ଝରିଲା ଆଖିରେ ପଚାରୁଛନ୍ତି, ‘କି ଦୋଷ କଲୁ ଯେ ମୁରୁଛି ଦେଲ ?’

 

ପରଶୁ ଜେନା ସବୁ ଶୁଣି ହାତଯୋଡ଼ି ଜୁହାର କରି କହିଲେ, “ମୋ ଦୋଷ କ୍ଷମିବ, ଅପା-। ମୁଁ ଭାଗଚାଷୀଟା, କାଲିକା ହଳିଆ । ମୋର ବୃଦ୍ଧି କାଣିଚାଏ । ତମର ବିଚାର ଉପରେ କଥା କହିବାକୁ ମୋର ବୁଦ୍ଧିବିବେକ ନାହିଁ । ସବୁ ଯୋଗାଡ଼ ହେବ ଯେ ସାନ ସାଆନ୍ତେ ନିଜେ ମତେ ନ କହିଲେ...’’

 

ଜେମାଦେଈ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ, ‘ନ କହିବ, କାହିଁକି ? ବିଶୁ ମୋ କଥାରୁ ବାହାରିଯିବ ନାହିଁ ।’

 

ସତ କଥା । ସେଇଆ ହେଲା । ଜେମାଦେଈ ଆଖିରୁ ଲୁହ ଝରାଇ ରଙ୍ଗଲତାକୁ କନ୍ଦାଇ, ଶୀଘ୍ର ଫେରିଆସିବାର ସାନ୍ତ୍ୱନା ଦେଇ ଶାଶୁ ଘରକୁ ଯାତ୍ରା କରିଥିଲେ ।

 

ଏବେ ସେକାଳର କଥା ଜେନାଙ୍କର ବେଶ୍‍ ମନେଅଛି । ପରଘରର ବ୍ୟାପାର ହେଲେ ମଧ୍ୟ ସେହି ବିଖ୍ୟାତ କୁଟୁମ୍ବ ସଙ୍ଗେ ପିଲାଟି ଦିନରୁ ସମ୍ପୃକ୍ତ, ଭୁଲନ୍ତେ କିପରି ?

 

ବିବିଧ କାରଣରୁ ସମସ୍ତଙ୍କର ଅବସ୍ଥା, ଏହି ବହୁବର୍ଷର ବ୍ୟବଧାନରେ ବଦଳିଛି । କାହାର ଅଳପ, କାହାର ବା ଅଧିକ । ବିଖ୍ୟାତ ରାଉତରାୟ ଘର ସୁନାର ସିଂହାସନରୁ ଖସିଖସିକା ଆସି ତଳ ପାହାଚରେ ଉଭା । ରହିଯାଇଛି ସେତିକି ଭାଗ୍ୟର କଥା । ଲୁଚି ଯାଇନାହିଁ, ଠାବ ହରାଇନାହିଁ-। ସେତକ କାଳିଆର ଦୟା ।

 

ଚକ ପରି ବୁଲିଯାଉଛି ତା’ ଆଖି ଦିଓଟି । ତା’ ସଙ୍ଗେ ସଙ୍ଗେ ସୂର୍ଯ୍ୟ, ଚନ୍ଦ୍ରକୁ, ଗ୍ରହମଣ୍ଡଳ । ସମୟ ବି ଘୁରିଯାଉଛି । ମଣିଷ ବଂଶର ଭାଗ୍ୟ ନ ବଦଳନ୍ତା କେମିତି ? ଯେଉଁ ରାଉତରା ବଂଶ ମଣିଷ ଚରାଉଥିଲେ ସେହି ବଂଶର କଣିକାଟିଏ ଶେଷସମ୍ବଳଟି ଶିବଦାସ, କପିଳେନ୍ଦ୍ର ପରି ଜାଣ, ଗୋରୁ ଚରାଉଛି ।

 

ନୁହେଁ ଆଉ କ’ଣ ? ଦୁଃଖରେ ଜନମ ବୋଲି ତାକୁ ଡାକନ୍ତି ଦୁଃଖନ ।

 

ପରଶୁ ଜେନାଏ ଯେଉଁ ଘରର ମୂଲିଆ, କୋଠିଆ, ଭାଗଚାଷୀ ଥିଲେ, ସେଇ ଘରର ପୁଅ ସେ । ପେଟ ପାଇଁ ସେ କଣ୍ଟିଧରି କୋଠିଆ ହୋଇନ।ହିଁ । ସଉକ ପାଇଁ ବି ନୁହେଁ । ନିଜକୁ ଯୋଗ୍ୟ କରିବାକୁ ହୋଇଛି ।

 

ଯୁଗର ଚଳଣ ସଙ୍ଗରେ ପାଦ ମିଳାଇ ସେ ଚାଲିବାକୁ ଚାହେଁ । ସେଇଥିପାଇଁ ନିଜ କାମ ନିଜେ କରିବାରେ ଲାଜସରମ ନ ଥାଏ ।

 

ପିଲା ବକଟେ, କି ତେଜ ତା’ର ଆଖିରେ । ତା’ର ଦେହର ବଳ ଯେମିତି ଶତ୍ରୁଶଙ୍କା ମନର ବଳ ତହୁଁ ବଳି ଅଧିକ । କେତେଥର ଲୋକେ ଦେଖି ତାଟଙ୍ଗା ହୋଇଛନ୍ତି ।

 

କି କାମ ଆଜି ସେ ନ କଲା ଟି । ଏତେ ଲୋକମରଦ, ମାଇପେ, ଅନ୍ୟ ଟୋକାଏ ମନ୍ଦିର ନିକଟରୁ ଦହିଖଣ୍ଡି ଉପରେ ଠିଆ ହୋଇ ହାଉ ହାଉ ହେଉଥିଲେ । କାନ୍ଦ ବୋବାଳି ଛାଡ଼ିଥିଲେ । ପାଣିକୁ ଡେଇଁ ପିଲା ଦିଟାଙ୍କୁ ମରଣମୁହଁରୁ ରକ୍ଷା କରିବାକୁ କେହି ଭରସି ପାରିଲେ ନାହିଁ ।

 

ସେତିକିବେଳେ, କାହିଁ ଥିଲା, ଆସି ପହଞ୍ଚି ଗଲା ଦୁଃଖନ । ପନ୍ଦର ଷୋଳ ବର୍ଷର ବଳୁଆ ଟୋକା । ମରଦ ଓ ମାଇପେ ମନ୍ଦିର କଡ଼ରେ ଖଣ୍ଡି ଉପରେ ଥାଇ ଖାଲି ‘ହାଉ ହାଉ’ ହେଉଥିଲେ ।

 

ଖଣ୍ଡି ଉପରେ ଗଦା ହୋଇଥିଲା ମୋଟା କାଠଗଡ଼ ଖଣ୍ଡିଏ । ଲମ୍ୱ ଦୁଇ ତିନି ହାତ । ସେଇଥିରୁ ଦିଓଟି ସେ ନିଜର ଶକ୍ତିରେ ଦହର ପାଣି ଭିତରକୁ ଗଡ଼ାଇଦେଲା, ନିଜେ ବି ଡେଇଁଲା ।

 

ଗାଧୁଆବେଳେ ପହଁରିବାକୁ ଚେଷ୍ଟା କରୁଥିଲେ ମାଇପିମେଳରେ ଝିଅ ଦିଓଟି । ପରଶୁ ଜେନାଙ୍କର ତେର ବର୍ଷର ଝିଅ ନହୁଲୀ, ଆଉ ସେହି ବୟସର ଆର ଝିଅଟି, ବଟସାହୁ ଗୁଡ଼ିଆଙ୍କର ଝିଅ ଚନ୍ଦୁରୀ । ଆଗରେ ଥିଲା ଚନ୍ଦୁରୀ, ତା’ ପଛରେ ନହୁଲୀ କୋଡ଼ିଏ ପଚିଶ ହାତ ଦୂରରେ ପଦ୍ମବଣ । ଫୁଲ ତୋଳିବାକୁ ଯାଉଥିଲେ ।

 

ଫୁଲ ତ ତୋଳିଲେ । ଆସିଲାବେଳକୁ ଲଟାରେ ଗୋଡ଼ ଛନ୍ଦିହେଲା । ଜଣକୁ ଉଦ୍ଧରିବାକୁ ଆରକ ଯାଉଣୁ ହେଲେ ଧରପରା । ଉବୁଟୁବୁ । ସମସ୍ତେ ହାଉ ହାଉ ହେଲେ । କେହି ପାଖକୁ ଯିବାକୁ ସାହସ କଲେ ନାହିଁ ।

 

ବିଜୁଳି ବେଗରେ ଦୁଃଖନ ପାଣିକୁ କୁଦା ମାରିଲା । କାଠଗଣ୍ଡି ଦିଟା ପାଣି ଉପରେ ସେହି ଆଡ଼କୁ ଠେଲି ଠେଲି ନେଲା । ନିଜେ ପହଁରିଲା ।

 

ଝିଅ ଦିଓଟିଙ୍କୁ ହାବୁକା ମାରି ଅଲଗା କଲା । ଦୁହିଁଙ୍କୁ ଦୁଇଟି କାଠ ପାଖକୁ ହାବୁକେଇ ଆଣିଲା କାଠଗଣ୍ଡି ପାଖକୁ । ପାଣିକୁଆ ପରି ପାଣିରେ ବୁଡ଼ି ଜଙ୍ଘରୁ ଧରି ଜଣକୁ ଟେକି ଗୋଟିକ ଉପରେ ଥାପିଲା । ଠେଲିଦେଲା କୂଳ ଆଡ଼କୁ । ସେ ବଟସାହୁଙ୍କର ଝିଅ ଚନ୍ଦୁରୀ । ଦେଖଣାହାରୀଙ୍କ ଭିତରୁ କେଇଜଣ ଛାତିବୁଡ଼ ପାଣିଯାଏ ପଶିଯାଇଥିଲେ ।

 

ନହୁଲୀ କାହିଁ ? କ୍ଷଣକରେ ସେ ଝିଅଟି ଉବୁଟୁବୁ ହୋଇ କେତେ ଢୋକ ପାଣି ପିଇ ଭିତରକୁ ବୁଡ଼ିଯାଇଛି । ପଦ୍ମନାଡ଼ ଗୋଡ଼ରେ ଛନ୍ଦିହୋଇଛି । ଖସୁନାହିଁ, କି ଛିଣ୍ଡୁନାହିଁ ପରା । ଦେଢ଼ପୁରୁଷ, ଦି’ ପୁରୁଷ ତଳେ, ଅଣ୍ଟାଏ ଅବା ଛାତିଏ ପଙ୍କ ତଳେ ତା’ର କେତେବରଷର ମୂଳ ।

 

ମୁହର୍ତ୍ତକରେ ଦୁଃଖନ ଘଟଣାଟି ବୁଝିଲା । ପାଣିକୁଆ ପରି ପାଣିରେ ବୁଡ଼ି ଗତି କରିବାର ଅଭ୍ୟାସ ସେ କରିଛି । ଦହର ଗୋଟିଏ ପାଖରୁ ଆରପାଖକୁ ସେ ପହଁରିପାରେ । କେଉଁଠି ହାଲିଆ ହେଲେ, ଦମ୍ କମିଲେ, ସେ ଚିତିପହଁରା ଦିଏ ।

 

ସାବାସ୍ ଟୋକାଟି ।

 

କାଳେ ଦିନେ କେବେ ଦଇବି ଯୋଗରୁ କେଉଁ ଦୁର୍ଘଟଣା ହେବ ଦମ୍ ଫାଟିବ, ସେ ମଝି ଦହରେ ବୁଡ଼ି ପ୍ରାଣ ହାରିବ, ଆଉ ବଡ଼ରାଉତ ବଂଶକୁ ଏ ଗ୍ରାମରୁ ନିର୍ମୁଳ କରିବ, ସେଇ ଡରରେ ଦୁଃଖନ ଦହ ପହଁରିଲାବେଳେ ତା’ ପଛେ ପଛେ କେତେଜଣ କୋଠିଆ ଡଙ୍ଗା ନେଉଥାନ୍ତି । କିନ୍ତୁ କିଛି ହୁଏ ନାହିଁ ।

 

ସେଦିନ ସେ ପାଣିରେ ବୁଡ଼ିଲା । ମୁହୂର୍ତ୍ତ କେତୋଟି ପରେ ନହୁଲୀକୁ ଟେକି ଆର କାଠଗଣ୍ଡି ଆଡ଼କୁ ପହଁରି ଆସିଲା । ଝିଅଟି ପେଟେ ପାଣି ପିଇ ଜ୍ଞାନ ହରାଇଥିଲା । ତାକୁ ନିଜ ପିଠିରେ ଥାପି କାଠଗଣ୍ଡିର ଆଶ୍ରା ନେଇ ପାଖକୁ ଆସନ୍ତେ, ଅନ୍ୟମାନେ ନହୁଲୀକୁ ତା’ ପିଠିରୁ ଟେକି ପାଣିରୁ ଉଠାଇଲେ ।

 

ଚନ୍ଦୁରୀ ଦି ଢୋକ ପାଣି ପିଇଥିଲା । ସେ ଛାନିଆରେ ମୂକ ପାଲଟି ବୋକାଙ୍କ ପରି ଚାହୁଁଥିଲା । କିନ୍ତୁ, ତା’ର ଆଉ କିଛି ଅନିଷ୍ଟ ହୋଇ ନ ଥିଲା । ବଟ ସାହୁ ଓ ତାଙ୍କ ଭାରିଜା ସେଠାରେ ପହଞ୍ଚି ସାରିଥିଲେ ।

 

ପରଶୁ ଜେନାଏ ଖବର ପାଇ ଧାଇଁ ଧାଇଁ ଆସି ପହଞ୍ଚିଲେ । ତାଙ୍କ ପଛରେ ଧାଇଁ ଥିଲେ ନହୁଲୀର ବୋଉ କୁସୁମ । ଅସ୍ତବ୍ୟସ୍ତ । ବଟେଶ୍ୱର ଓ କୋଚିଳେଶ୍ୱରୀଙ୍କ ପାଖରେ ମାନସିକ କରି ବୋବାଳି ଛାଡ଼ିଥାନ୍ତି ।

 

ବଟସାହୁ ତାଙ୍କ ଝିଅକୁ ଘରକୁ ନେଇଯାଉଥିଲେ । ରାଧାଶ୍ୟାମ ଠାକୁରଙ୍କ ମନ୍ଦିର ଆଗରେ ଆମ୍ବତୋଟା ସେପାଖରେ, ରାସ୍ତାକଡ଼ରେ ତାଙ୍କର ଘର ଓ ବାରି । ଦହକୂଳରୁ ବେଶୀଦୂର ନୁହେଁ କିନ୍ତୁ ପରଶୁ ଜେନାଙ୍କ ଘର ଉତ୍ତର-ପୂର୍ବ ଦିଗରେ ଗ୍ରାମର ଶେଷଭାଗରେ, ଯେଉଁଠୁ ରାସ୍ତା ପୂର୍ବଦିଗ, ସରଯୂନଦୀର ବନ୍ଧକଡ଼କୁ ବଙ୍କେଇ ଯାଇଛି । ଖବର ପାଇ ସେମାନେ ନଅ ବର୍ଷର ସାନପୁଅ ଅଲେଖକୁ ଛାଡ଼ି ଧାଇଁ ଆସିଥିଲେ ।

 

ମନରେ ସଂଶୟ, ସତେ କ’ଣ ନହୁଲୀ ଦହର ଗଣ୍ଡରୁ ଉଦ୍ଧାର ପାଇଥିବ, ବଞ୍ଚି ଥିବଟି ? ଦେଖିଲେ, ଗଛମୂଳରେ ଝିଅକୁ ଦୁଃଖନ ତଳେ ଶୁଆଇଛି । ତାକୁ ଚେକ ଚେକା ବୁଲାଇ, ପୁଣି ପଢ଼ିଥିବା ପ୍ରକାରେ ଛାତିରେ ଚାପ ଦେଇ ତା’ର ପେଟ ଭିତରୁ ଢୋକିଲାପାଣି ବାହାର କରୁଛି । ଝିଅର ଚେତା ହେଲାଣି । ସେ ଚାହିଁଲାଣି ନିଶ୍ୱାସ ନେଲାଣି ।

 

ନହୁଲୀକୁ ଘରକୁ ଆଣିଲେ ।

 

ବେଳ ଗଡ଼ିଲଣି । ସେ ଚାହିଁଦେଉଛି, ଚାରିକଡ଼ରେ ଭିଡ଼ କରିଥିବା ମରଦ, ମାଇପେ, ଆଖପାଖର ପିଲାମାନେ ଅଗଣା ଭିତରେ ଗୋଳ କରୁଛନ୍ତି । ଯେତେ କହିଲେ ବାହାରକୁ ଯାଉନାହାଁନ୍ତି । ନହୁଲୀ ପୁଣି ଆଖି ବୁଜୁଛି । ଜ୍ଞାନ ହାରୁଛି କି ? ଡାକିଲେ ଜବାବ ନାହିଁ ।

 

ତା’ ବୋଉ କୁସୁମର ଧୈର୍ଯ୍ୟର ସୀମା ନାହିଁ । ରଡ଼ ନିଆଁ କରି କନାପୁଡ଼ାରେ ଝିଅକୁ ସେକୁଛି । କ୍ଷୀର ଗରମ କରି ପାଟିରେ ଦେଲେ ନହୁଲୀ ଢୋକି ପାରୁନି । ଅଧେ ପେଟକୁ ଯାଉଛି କି ନାହିଁ, ପଦାକୁ ଗଳି ପଡ଼ୁଛି ।

 

ଦୁଃଖନ ଉଠିଲା । ବୟସରେ ଛୋଟ ସିନା, ରାଉତରାଘର ପୁଅ, ସନମାନରେ ବଡ଼ । ସିଂହଛୁଆ ଗର୍ଜି ଉଠିଲା, ସମସ୍ତେ ଆଗ ଅଗଣା ଭିତରୁ ବାହାରିଯାଅ । ଭିଡ଼ କରି, ହାଉ ହାଉ ହେଲେ କି ଲାଭ । ପାଟିତୁଣ୍ଡରେ କ’ଣ ନହୁଲୀ ବଞ୍ଚିବ ? ଯାଅ, ଯାଅ ।

 

ସେମାନଙ୍କୁ ପଦାକୁ କାଢ଼ିଲା । କବାଟ କିଳିଲା । କହିଲା, ଦାଦି ମ, ଚେଷ୍ଟା ତ କରାଗଲା, ଏବେ ବି କରାଯାଉଛି । ନହୁଲୀ ବେଶି ଛାନିଆ ହୋଇଛି । ଜ୍ଞାନ ଫେରୁଛି, ପୁଣି ଦୋହଲୁଛି, ପବନରେ ଜଳନ୍ତା ଦୀପଶିଖା ପରି ।

 

ସେଇଆ ହୋଇଥିବ । ଚେଷ୍ଟା କରାହେଉଛି । ଯାହା ତା’ କପାଳରେ ଥିବ । ବଞ୍ଚିଲେ ବଞ୍ଚିବ, ନ ବଞ୍ଚିଲେ ନାହିଁରେ ଦୁଃଖନ ।

 

ସେମିତି କହନା ଦାଦା । ଟଙ୍କା ଦଶଟା ଦିଅ । ନାରଙ୍ଗ ଗାଁ ରସ୍ତାବାଟରେ ଦି’କୋଶ ସିନା, ଗହୀର ମଝିର ଚଲାବାଟରେ ଗଲେ ଦେଢ଼କୋଶରୁ ଅଳପ । ମୁଁ ଧାଇଁଯିବି । ଯେଉଁ ନୂଆ ଡାକ୍ତର ଆସିଛନ୍ତି, ଟୋକାଲୋକ ତ, ତାଙ୍କୁ ଡାକିଆଣିବି । ଟଙ୍କା ଧରିଲେ ସେ ନିଶ୍ଚେ ଆସିବେ ।

 

ପରଶୁ ଜେନାଙ୍କର ବୁଦ୍ଧି ବଣା ହେଲା । କହିଲେ, ଦଶଟଙ୍କା କାହିଁକି, ପଚିଶ କହିଲେ ଦେବି । ହେଲେ, ସେହି ସାପ ବଲବଲ ଚଲା ବାଟରେ ତୋତେ ଯିବାକୁ ମୁଁ ଛାଡ଼ିଦେବି ନାହିଁ । ନହୁଲୀ ମୋର ଝିଅ ସତ, ହେଲେ, ତା’ ଜୀବନଠଉଁ ତୋ ଜୀବନ ଅଧିକ ସେରନ୍ତା । ଯିବୁ ଯଦି, ଆଲୁଅ ଧର, କାନ୍ଧରେ ଠେଙ୍ଗା ପକାଇ ରାସ୍ତା ବାଟରେ ଧଅଁସି ଚାଲିଯା’ ।

 

ସେଇଆ ହେଲା । ଡାକ୍ତର ତାଙ୍କର ସାଇକେଲରେ ଆସି ପହଞ୍ଚିଲାବେଳକୁ ଦୁଃଖନ ବି ଆସି ପହଞ୍ଚିଲା । ନାରଙ୍ଗରୁ ସେ ଠେଙ୍ଗା ଧରି ସିଧାସଳଖ ବିଲବାଟରେ ଧାଇଁ ଆସିଥିଲା । ଅଧାବାଟରେ ଲଣ୍ଠନର ଆଲୁଅ ଲିଭିଯାଇଥିଲା । ଚୈତ୍ରମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀର ଚନ୍ଦ୍ରମା ଆକାଶ କୋଣରେ ଉଠି ସାରିଥିଲେ ।

 

କେବଳ ନହୁଲୀକୁ ନୁହେଁ, ବଟସାହୁଙ୍କର ଝିଅ ଚନ୍ଦୁରୀକୁ ମଧ୍ୟ ଡାକ୍ତର ଦେଖିଲେ । ସେ ସୁଦକ୍ଷ, ମିଷ୍ଟଭାଷୀ ଡାକ୍ତର । ଇଞ୍ଜେକ୍‍ସନ ଦେଲେ । ଔଷଧ ଦେଲେ । ଫେରିଲାବେଳକୁ ରାତି ପ୍ରଥମ ପ୍ରହର ଅତୀତ ହୋଇଥିଲା ।

 

ଆଉ କ’ଣ ନୂଆ ଔଷଧ ଆଣିବାକୁ ନାରଙ୍ଗ ଯିବା ଆବଶ୍ୟକ ପଡ଼ିଲା । ଦୁଃଖନକୁ ନ ପଠାଇ ପରଶୁ ଜେନାଏ ବଟ ସାହୁଙ୍କୁ ସଙ୍ଗରେ ନେଇ ନିଜେ ଯାଇଥିଲେ । ଦୁଃଖନ ଓ କୁସୁମ ଝିଅକୁ ଜଗି ରହିଥିଲେ । ନିଦ ପାଇଁ ଔଷଧ ଦେଇଥିଲେ କି କ’ଣ, ଝିଅଟି ଗାଢ଼ ନିଦରେ ଶୋଇଥିଲା । ଘନଘନ ନିଶ୍ୱାସ ଛାଡ଼ୁଥିଲା ।

 

ପରଶୁ ଜେନା ଔଷଧ ନେଇ ନାରଙ୍ଗରୁ ବଟସାହୁଙ୍କ ସଙ୍ଗେ ଗ୍ରାମକୁ ଫେରିଲାବେଳକୁ ଚତୁର୍ଦ୍ଦଶୀର ଜହ୍ନ ଆକାଶର ମଥା ଉପରକୁ ଉଠିଆସିଥିଲା । ନହୁଲୀର ନିଦ ଭାଙ୍ଗିଥିଲା । ସେ ତା’ର ବୋଉ କୁସୁମର କୋଳକୁ ଆଉଜି ବସିଥିଲା । ତାଙ୍କର ନଅବର୍ଷର ସାନ ପୁଅଟି ତଳେ ମସିଣା ଉପରେ ଶୋଇପଡ଼ିଥିଲା । ପାଖରେ ଦୁଃଖନ ନ ଥିଲା ।

 

କୁସୁମ ଆଗ କହିଲା, “ତମେ ଫେରିବାକୁ ବହୁତ ଡେରି କଲ । ଆଉ କେତେବେଳଯାଏ ଦୁଃଖନ ଚାହିଁ ବସିଥାନ୍ତା ? ଝିଅର ଦେହ ଭଲ ଅଛି । ସେ କେବଳ ଛାନିଆ ହୋଇ ଖାଲି ଚମ୍‌କୁ ଥିଲା । ଶୋଇ ଶୋଇ ବିଳିବିଳାଉଥିଲା ଆପେ ଉଠି ବସିଲା ?

 

-ଦୁଃଖନ କାହିଁ ?

 

-ଥିଲା ତ, ନହୁଲୀକୁ ଉଠିବାର ଦେଖି ସେ ଭାରି ଖୁସି ହେଲା । କହିଲା, “ଆଉ ତୁ ଡରନା, ନହୁଲୀ । ସେ ସାପଟାକୁ ମୁଁ ମାରିଦେଇଛି । ନାଗ ନୁହେଁ ଲୋ, ପାଣିଧଣ୍ଡଟାଏ । ଦହକୁଳର କଦମ୍ବମୂଳରେ ପକାଇଛି । କାଲି ଯାଇ ଦେଖିବୁ । ଏଠିକି କାହୁଁ ଆସିବ ?’

 

-ସାପ

 

-ସେଇଆ ସେ ବିଳିବିଳିଉ ଥିଲା । ଦୁଃଖନକୁ ଚିହ୍ନିଲା । ପୁଣି ପଚାରିଲା ସତରେ ମାରିଦେଇଛ? ଦୁଃଖନ କହିଲା, ‘‘ତା’ ମୁଣ୍ଡ ଛେଚିଛି । ତୁ ଖୁଡ଼ିଙ୍କ କୋଳକୁ ଆଉଜି ଶୁଅ ।”

 

ଦୁଃଖନ ତାକୁ ମୋ କୋଳକୁ ଉଠାଇ ଆଣିଲା । ଶୋଇଛି ।

 

ପରଶୁ ଦେଖିଲେ । ଓଷଧ ବୋତଲ କାନ୍ଥ ଠଣାରେ ରଖିଲେ । ବଟିକାତକର ପୁଡ଼ାଟି ମଧ୍ୟ ରଖିଲେ । କହିଲେ, ତା’ ନିଦ ଭାଙ୍ଗିଲେ ଔଷଧ ଦିଆଯିବ । ହେଲେ, ଦୁଃଖନ କାଇଁ ? ଉପାସରେ ଚାହିଁ ବସିଥିଲା । ସେ ନ ଥିଲେ ଆଜି ତମର ଝଅଟି ପାଣିର ପେଟରେ ଯାଇଥାନ୍ତା ।

 

କୁସମ କହିଲା, ‘ତାକୁ କିଛି ଖାଇବାକୁ ଦେବାକୁ ମୁଁ ଭୁଲିଯାଇଥିଲି । ନିଆଁ ଲଗା ମନ ମୋ’ର । ଜେମାଦେଈ ଅପା ତା’ର ମନେପଡ଼ିଲା । ସେ ଅସ୍ଥିର ହୋଇଉଠିଲା । କହିଲା, ଅପା ତେଣେ ଛଟପଟ ହେଉଥିବେ, ଖୁଡ଼ୀ । ଏ ଦୁର୍ଘଟଣାର ଖବର ତାଙ୍କୁ କିଏ ଦେଇଛି କି ନାହିଁ କି ଜାଣେ ?

 

-ଗାଁଟାଯାକର ଲୋକ ଆସି ଏଇଠି ଜମା ହୋଇଥିଲେ । ଆର ସାହିର କେହି ଯଦି ତାଙ୍କୁ କହିବାକୁ ଭୁଲିଯାଇଥିବେ ସେ ଜାଣିବେ କେମିତି ? ଫେରିବାକୁ ଏତେ ଡେରି କେବେ କରେ ନାହିଁ-। ମୁଁ ଯାଉଛି ।

 

‘ମୁହୂର୍ତ୍ତେ ଅପେକ୍ଷା ନ କରି ସେ ଚାଲିଗଲା । ଝିଅକୁ ଛାଡ଼ି ମୁଁ ଦାଣ୍ଡକୁ ଯାଇ ତାକୁ ଅଟକାଇ ପାରିଲି ନାହିଁ ।”

 

ଜେନାଏ କହିଲେ, “ଅଟକାଇ ଥିଲେ ବି ସେ ରୁହନ୍ତା ନାହିଁ । ଭାରି ଆଣ୍ଟୁଆ ପିଲା ସେ । ଯାହା କରିବାକୁ ସ୍ଥିର କରିବ ସେଇଆ କରିବ । ଆଗ ପଛ, ଭଲମନ୍ଦ ବିଚାର କରିବାକୁ ସେ ସତାର କରିବ ନାହିଁ ।’’

 

-ତମେ ଯିବ, ଦେଖିଆସିବ ? ନିଆଁ ଲଗା ମନ ମୋ’ର, ଆଲୁଅଟା ନେବାକୁ ହେଲେ କହିଥାନ୍ତି । ମୋ ଭିତରେ ହାଉଳି ପଶିଥିଲା । ମୁଁ କ’ଣ କରିବି ?

 

ଜେନାଏ କହିଲେ, ‘ଜହ୍ନିଫୁଲିଆ ଉଜ୍ଜ୍ୱଳ ଜହ୍ନରାତି । ଆଲୁଅ ଓଲଟି ବାଟ ବାଉଳା କରନ୍ତା-। ଚିନ୍ତା ନାହିଁ । ଖାଲି ନ-ନୁଆଣିଙ୍କୁ ଡର; ଠାକୁରେ ସାହା । ସେ ଭଲରେ ପହଞ୍ଚି ସାରିବଣି-। ବାଟ ତ ଅଳପ ।

 

ପରଶୁ ତାଙ୍କ ଘରଣୀଙ୍କୁ ବୁଝାଇଲେ ସିନା, ମନ ଭିତରେ ନିଜେ ଛଟପଟ ହେବାକୁ ଲଗିଲେ । ଦୁଃଖନ ପାଇଁ ଯେତେ ନୁହେଁ, ଜେମାଦେଈଙ୍କ ପାଇଁ ସେତେ ।

 

ଶୋଇବା ଆଗରୁ ତାଙ୍କୁ ଆହୁରି କେତେ କାମ କରିବାକୁ ପଡ଼ିବ । ନିତିଦିନିଆ କାମ ଗାଈ, ବାଛୁରୀ, ବଳଦ ହଳିକ ଗୁହାଳ ଭିତରେ ଛଟପଟ ହେଉଛନ୍ତି । ତାଙ୍କ ମୁହଁରେ କୁଟାକେରାଏ ପକାଇବାକୁ କାହାରିକୁ ତର ହୋଇନାହିଁ । ଜିନିଷପତ୍ର ଅସଜଡ଼ା ଅଲଗା ହୋଇ ପଡ଼ିଛି । ଦି’ ଘଣ୍ଟାର କାମ ।

 

ଦୁଃଖନକୁ ବେଳ ମିଳନ୍ତା କେଉଁଠୁ ? କାମ କରୁଣୁ ସେ ଟୋକା କାମ ଶିଖୁଛି । ନିଜକୁ ପାରଗ କରୁଛି । ଯିଏ ତାଙ୍କ ଘରେ ବୋଲକରା ମୂଲିଆ କୋଠିଆ ହୋଇ କାମ କରୁଥିଲେ, ସେହି ପରଶୁ ଜେନାର ଘରେ ସେ ଯେ କୋଠିଆ ରହିଛି, ଏପରି କରିବା ଠିକ୍‍ ନୁହେଁ ।

 

ଅଧିକାଂଶ ସମ୍ପତ୍ତି ସେହି କୁଟୁମ୍ୱର ଧନରେ ସେ ନିଜର କରିଛନ୍ତି । ଭଉଣୀମାନଙ୍କର ବାହାଘର ପାଇଁ ଅଧେରୁ ଅଧିକ ସମ୍ପତ୍ତି ସେ ବନ୍ଧା ପକାଇଥିଲେ । ସାନ ସାଆନ୍ତଙ୍କ ଦୟାରୁ ପୁଣି ଶାଗପାଣି ପିଇ ଦୁଃଖରେ ଚଳି, ସଞ୍ଚୟ କରି ଧୀରେ ଧୀରେ ସେ ସେଥିରୁ ଅଧେ ମୁକାଳିଲେ । ଗରିବ ଘରର ଝିଅଟି କୁସୁମର ଘରଣୀପଣ ସାହା ହୋଇଥିଲା ।

 

ସେ ଆସିଲବେଳକୁ ସାନ ରାଉତରା ବିଶ୍ୱମ୍ବର ସାଆନ୍ତେ ବଞ୍ଚିଥିଲେ । ଶହେବର୍ଷ ବଞ୍ଚିବେ ବୋଲି ଗଣକମାନେ ଜାତକ ଦେଖି କହିଥିଲେ । ତାଙ୍କର କୁଆଡ଼େ ଚାରି ପୁଅରେ ତିନି ଝିଅ ହୋଇଥାନ୍ତା ।

 

ସେ ତାଙ୍କର ବାପାଙ୍କଠାରୁ ବଳି ଅଧିକ ବଦ୍‌ ଖରଚି ଥିଲେ । ଖୋଲା ହାତ । ଦାତାକର୍ଣ୍ଣ ପରି ଯିଏ ଯାହା ମାଗିଲେ ଦେଉଥିଲେ । ନାହିଁ ପଦ ତୁଣ୍ଡରେ ନାହିଁ ।

 

କେତେ ବାହାନିମିତ୍ୟ, ସ୍ୱ-ନକ୍ଷତ୍ର, ବ୍ରତ ଓ ଗ୍ରାମର ପୁଣ୍ୟପର୍ବ ଯାନିଯାତ୍ରା ପାଇଁ ଚାନ୍ଦାଭେଦା ଯାହା ମାଗିଲେ ସେ ଖୋଲା ହାତରେ ଦାନ କରୁଥିଲେ । କାଲିକା ବିଚାର ନାହିଁ ।

 

ବନ୍ଧା ପଡ଼ିଥିବା ଭୂମିବାଡ଼ି, ତୋଟା, ପୋଖରୀ ତେଣେ ନିଲାମ ହେଉଛି । ଶୁଣି ମଧ୍ୟ ନ ଶୁଣିଲା ପରି ରହନ୍ତି ।

କହିଛି, “ମୋର କି ଚାରାରେ ପରଶୁ ? ଯିବା ସମ୍ପତ୍ତି ନିଶ୍ଚୟ ଯିବ । ଆମେ ଅରଜିନୁ । କେଉଁଠି ସବୁ ଆସି ଏଇଠି କେବେ ଠୁଳ ହୋଇଥିଲା । ତା’ କରାମତି ଏଠି ଦେଖାଇ ଦେଖାଇ ଆସିଲା । ଉଣ୍ଡିଲା, ଭେଳିକି ଲଗାଇଲା । ପୁଣି, ଧୀରେ ଧୀରେ କୁଆଡ଼େ ବିଞ୍ଚି ହେଇଯିବ । କିଏ ଅଟକାଇ ପାରିବ ?

-ସେମିତି କୁହନା ସାନ ସାଆନ୍ତେ, ସମ୍ପତ୍ତି ରକ୍ଷା କରିବାକୁ ଚେଷ୍ଟା କରାଯାଉ । ଭବିଷ୍ୟତ କଥା ଭାବନ୍ତୁ । ପୁଅନାତିଙ୍କ କଥା ବିଚାରନ୍ତୁ ।

ହୋ-ହୋ ହେ, ସେ ହସି ଉଠିଲେ । କହିଲେ, “ହଇରେ ପରଶୁ, ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ମଳିମୁଣ୍ଡିଆ, ନିତି-ମୂଲିଆଙ୍କ ଯାଏ, ଆଉ ନାନା ଶ୍ରେଣୀର ବାବାଜି ଓ ଉପାସିଆ ଭିକାରିଙ୍କ ଯାଏ, କିଏ କେଉଁମାନଙ୍କର ପୁଅନାତି ନୁହଁନ୍ତି କି ? ସମସ୍ତଙ୍କର ସମୟ ସୁଖଦୁଃଖରେ କଟୁଛି । କେତେ ଏଇ ପୁରୁଷରେ ନିଅଂଶିଆ ହେବେ, କେତେ ବି ବାପଅଜା ହେବେ । ବୁଝିଲୁରେ, ଏ ସ୍ଥିତି ଏମିତିକା ?

ପରଶୁ ଜେନା ସେଦିନ କାବା ହୋଇ ବିଶ୍ୱମ୍ଭରଙ୍କର ମୁହଁକୁ ଚାହିଁ ରହିଥିଲେ । ଅଜାଣତରେ ତାଙ୍କ ଆଖିରୁ ଲୁହ ଦି’ ବୁନ୍ଦା ଖସି ପଡ଼ିଥିଲା । ବିଶ୍ୱମ୍ଭର ସାଆନ୍ତଙ୍କ ଦୃଷ୍ଟିରେ ପଡ଼ନ୍ତେ ସେ ହସିଲେ ।

କହିଲେ, ତୁ ଦୁଃଖ କରନା । ମୁଁ ମିଛ କହିନାହିଁ । ଦେଖୁନୁ, ଏହି ବିଖ୍ୟାତ ରାଉତରାୟ ଡିହକୁ । ଇଏ କ’ଣ ଥିଲା, ଏବେ କ’ଣ ହୋଇଛି । କାଲି ପୁଣି କ’ଣ ହେବ କାହାକୁ ଜଣା ? କାହାର କ’ଣ ହେବ, ତୁ କହିପାରିବୁ ?

 

ଜେନାଏ ରାତିର ନିତିଦିନିଆ କାମରେ ଲଗିଥିଲାବେଳେ ସେହି ବିତିଲା ବେଳର ଘଟଣାମାନ ତାଙ୍କ ମନରେ ପଶୁଥିଲା । ସୁମରଣା ସେହି କାଳକୁ ଓ ସ୍ଥାନକୁ ଆପେ ଉଡ଼ି ଯାଉଥିଲା-। ମନକୁ ଘଟଣାଗୁଡ଼ିକ ଜଳଜଳ ହୋଇ ଦେଖାଯାଉଥିଲା । ଥିଲା ନ ଥିଲାମାନଙ୍କର ରୂପ ଆଖିକୁ ଦିଶୁଥିଲା । ବଚନିକା କାନରେ ବାଜୁଥିଲା ।

 

ବିଶ୍ୱମ୍ବର ସାମନ୍ତେ କ’ଣ ଆଗତଭବିଷ୍ୟ କଥା ଜାଣିପାରିଥିଲେ ?

 

ବିବାହର ପାଞ୍ଚଟି ବର୍ଷ କଟିବାକୁ ଯାଉଥିଲା । ଏବଯାଏ ରଙ୍ଗଲତା ଫଳ ଧରିଲେ ନାହିଁ । କାହାକୁ ନ କହିଲେ କ’ଣ ମନରେ ରାଉତରାଏ ସେହି କଥା ବିଚାରି ହତାଶ୍‍ ହେଉଥିଲେ ? ବିଶ୍ୱାସ ଦୋହଲାଥିଲେ ବି ଗଣକଙ୍କ କଥା ମନରେ ଗୁଣି ହେଉଥିଲେ ?

 

କେବେ ଆଉ ସେ କୁଳରକ୍ଷାକାରୀ ପ୍ରଥମ ପୁଅର ମୁହଁ ଦେଖିବେ ? ରଙ୍ଗଲତା ଦେବୀଙ୍କର ପୂଜା ପ୍ରାର୍ଥନା, ବାରବ୍ରତ ସଫଳ ହେବ, ବଡ଼ ରାଉତରା ବଂଶ, ଆଉ ବଡ଼ ଚଉଧୁରୀ ଅଂଶର ସନ୍ତକ ରହିବ ?

 

କେଜାଣି ?

 

ସେ ଶୁଣିଥିବେ ଯେ ତିନିବର୍ଷ ତଳେ ଯେଉଁ ପରଶୁ ଜେନାର ବାହାଘର ହେଲା, ଆପଣା ସନମାନ ଭୁଲି ଯହିଁରେ ରାଉତେ ନିଜେ ଯୋଗ ଦେଇଥିଲେ, ତା’ରି ଭରିଯା କୁସୁମ ମା’ ହେବାକୁ ଯାଉଛି । ଦି’ ମାସ ପରେ ପିଲା ଘର ଉଜ୍ଜ୍ୱଳ କରିବ ।

 

ରତ୍ନାଦେବୀ...ନା, ରାଉତରା କୁଳରେ ସେ ନାମଟା ଶୋଭା ପାଇବ ନାହିଁ । ଶାଶୁଘର ନାମ ରଙ୍ଗଲତା । ଖାଲି ଲତା ଦେବୀ କହିଲେ ଆହୁରି ଭଲ ହେବ । କାହିଁକି ପିପେଇ ଅମାସ୍ୟାରେ ଯେଉଁ ଉପାସିଆ ବଡ଼ବଡ଼ୁଆମାନେ ବ୍ରାହ୍ମଣଙ୍କ ଡାକରେ ସେପୁରରୁ ଅନ୍ଧାରରେ ଆସି ଶ୍ରାଦ୍ଧ ପିଣ୍ଡର ବାସନା ଭୋଗ କରି, ଆଲୁଅରେ ନିଜ ସ୍ଥାନକୁ ଫେରନ୍ତି, ସେମାନଙ୍କ କୁଳର ଗେହ୍ଲା ବୋହୂଟିକୁ ସେମାନେ ସେହି ନାମରେ ଜାଣନ୍ତି ।

 

ସେହି ଲତାଦେବୀ ସାମନ୍ତାଣୀ କୁସୁମର ପିଲା ହେବ, ଏହା ଜାଣିଥିଲେ । ତା’ରି ମୁହଁରୁ ଶୁଣିଥିଲେ । କେତେଥର ସେ କୁସୁମ ପାଇଁ ଭଳିକି ଭଳି ପିଠା ମିଠା, କ୍ଷୀରୀ, ପୁରି, ଜାତିଜାତିକା ଭଜା, ତରକାରି ଜେନାଙ୍କ ହାତରେ ଅବା ଆଉ କାହାରି ହାତରେ ପଠାଇ ଦେଉଥିଲେ ।

 

ସାନ ରାଉତରାଏ ଜାଣି ନ ଥାନ୍ତେ କେମିତି ? ଲତା ଦେବୀ କ’ଣ ବାଞ୍ଝ ହେବେ ? ରାଉତରାୟ ବଂଶର ସ୍ରୋତରେ ଏଇଠି ବନ୍ଧ ପଡ଼ିବ ? ଏପରି ଧାରଣା ତାଙ୍କ ମନରେ ପଶିଥିଲା କି-? ଆତ୍ମାକୁ ଅସ୍ଥିର କରୁଥିଲା ? ନୋହିଲେ ସେ କାହିଁକି ବଂଶଲୋପର ଭୟଙ୍କର ଭାବନା ମନରେ ପୂରାନ୍ତେ ? ହତାଶିଆ କଥାସବୁ ତୁଣ୍ଡକୁ ଆଣନ୍ତେ ?

 

ସାନ ରାଉତେ ଏଡ଼େ ନିର୍ବୋଧ ନୁହଁନ୍ତି । ଲତା ଦେବୀଙ୍କର ଯଦି ପିଲାପିଲି ନ ହେବ, ସେ ଗୋଟାଏ କାହିଁକି, କହିଲେ ଆଉ ପୁଞ୍ଜାଏ ପାଞ୍ଚଟା ଝିଅ ବାହା ହୋଇପାରିବେ । କପୂର ସିନା ଯାଇଛି, କନା ପଡ଼ିରହିଛି । ବାସନା ଏବେ ବି ମହକୁଛି । ଝିଅ ଅଭାବ ହେବେ ?

 

ମୁହଁ ଖୋଲି ତାଙ୍କ ଆଗରେ ସେ ପ୍ରସ୍ତାବ କରିବ କିଏ ? ଲତା ଦେବୀଙ୍କୁ ସେ ଜୀବନରୁ ବଳି ଅଧିକ ଭଲ ପାଆନ୍ତି । ଶୁଣାଶୁଣିରେ, ତାଙ୍କୁ ସେ ଟିକି ଝିଅଟିଏ ପରି ମଣନ୍ତି । ଆହ୍ଲାଦ କରନ୍ତି-। ତାଙ୍କ ମନରେ କୌଣସି ଆଘାତ ଦେବାକୁ ସେ ଚାହିଁବେ ନାହିଁ । ଅନ୍ୟ ବିବାହ କରିବାର ପ୍ରଶ୍ନ ମନକୁ ଆସିବ କିପରି ? ଅନ୍ୟ କିଏ ବା ସେହି ପ୍ରସଙ୍ଗ ଉଠାଇଥାନ୍ତା ।

 

ସେ କ୍ଷଣକୋପୀ ଥିଲେ । କୋପ କଲେ ଭଲମନ୍ଦର ବିଚାର ତାଙ୍କର ରହେ ନାହିଁ । ଦେହରେ ଅମାପ ଶକ୍ତି । ଏବଯାଏ ଲାଠିବୁଲା ଓ ତଲବାର ଚାଳନାର ଅଭ୍ୟାସ ରଖିଛନ୍ତି । ତାଙ୍କୁ ବିରକ୍ତ କରିବାକୁ କିଏ ସାହସ କରନ୍ତା ?

 

କ’ଣ ହେଲା କେଜ।ଣି, କୁସୁମର ଗର୍ଭପାତ ହେଲା । ଆଠମାସର ମଲା ଛୁଆ ପଦାକୁ ଆସିଲା । ଏ ସମ୍ବାଦ ପାଇ ଲତା ଦେବୀ ଅତି ଦୁଃଖରେ ଦିନେ ସଞ୍ଜବେଳେ ଧାଇଁ ଆସିଥିଲେ । ସଙ୍ଗରେ ଅବଶ୍ୟ ରାଉତପଡ଼ାର ଅନ୍ୟ ମାଇପେ ଥିଲେ ।

 

ବିଶୁ ସାଆନ୍ତେ ବି ଆସିଥିଲେ ।

 

କେତେ ବଡ଼କଥା ନ ହେଲା ସତେ । ପରଶୁ ଜେନା କିବା ଲୋକଟାଏ ଯେ, ତା’ ଦୁଆରେ ରାଉତରା ଘରର କୁଳଲକ୍ଷ୍ମୀ । ସେତିକିରେ କୁସୁମ ସବୁ ଦୁଃଖଯନ୍ତ୍ରଣା ଭୁଲିଯାଇଥିଲା । ତେବେ ସେ ବିଛଣାରୁ ଉଠି ପୁଣି ଭଲ ମଣିଷ ହୋଇ ଘରର ପାଇଟି ସମ୍ଭାଳିବାକୁ ମାସଟିଏ ଲାଗିଥିଲା ।

 

ଆପଦ ବିପଦ କେବେ ଆସିବ ମଣିଷ ଯଦି ଆଗରୁ ଜାଣିପାରନ୍ତା କେଡ଼େ ଭଲ ହୁଅନ୍ତା ସତେ । ଭବିଷ୍ୟ କଳିବାର ଶକ୍ତି ଦଇବ ମଣିଷକୁ ଦେଇନାହାଁନ୍ତି । ଦେଇଥିଲେ, ମଣିଷ ଆଜହୁଁ ସାବଧାନ ହୁଅନ୍ତା । ହଟିଆ କାଳିଆ କ’ଣ ସେତକ କରିବ ? ସେତକ କରିଦେଲେ ତା’ ବଡ଼ପଣ ଊଣା ହେବ ପରା ।

 

ଜେନାଏ ଭାବୁଥିଲେ, କିଏ ଜାଣିବ, କେବେ କାହାକୁ ସେ କାହିଁକି କେଉଁ ସୌଭଗ୍ୟ ବା ଦୁର୍ଭାଗ୍ୟ ଦିଏ ?

 

କୁସୁମ ବିଛଣା ଛାଡ଼ି ପୁଣି ସ୍ୱାଭାବିକ ରୀତିରେ ଘରକାମରେ ମନ ଦେଲା । ସେତିକି ନୁହେଁ, ନିଜ ଘର କାମ ପଛ କରି ସେ କେବେ କେବେ ଲତା ଦେବୀଙ୍କ ପାଖକୁ ଯାଏ । ଚାରି ପାଇଟି କରିଦେଇ ଆସେ ।

 

ପରଶୁ କହେ, ଶୁଣ ମ, ସାମନ୍ତାଣୀ ଲତା ଦେଈ ପରା ନିଜେ କାମ କରୁଛନ୍ତି । ଚାକର ଚାକରଣୀ କେହି ନାହାଁନ୍ତି । ସେ ସାହିର ଯେଉଁମାନେ ଠିକାରେ କାମ କରିବାକୁ ଆସୁଛନ୍ତି, ଦିନେ ଆସିଲେ ଦୁଇ ଦିନ କିଛି ଗୋଟାଏ ବାଗରେ ଆସୁନାହାଁନ୍ତି । ସେ କାହାକୁ କ’ଣ କହିବେ ? ନିଜ ହାତରେ ଘରଟାଯାକର ପାଇଟି କରୁଛନ୍ତି । କେଡ଼େ ପାରିଲାର, କେଡ଼େ ଫୁର୍ତ୍ତି । ସବୁବେଳେ ହସ ହସ ।

 

ବିଶୁ ସାଆନ୍ତେ ?

 

ସେ କ’ଣ କରିବେ ? ମୂଲ୍ୟବାନ ସମ୍ପତ୍ତିସବୁ ଗଲାରୁ, ଥିଲାଧନ ସରିଲାରୁ ସେ ନିଦାବିଷ୍ଣୁ ପାଲଟିଛନ୍ତି ।

 

ଭାବିଥିଲେ ଜେନାଏ, ସେହି କେବକାଳର ବିତିଲା ବେଳରେ ଏତେବର୍ଷ ପରେ, ଏବେ ବି ମନେପଡ଼ୁଛି-କ’ଣ ଆଉ କରନ୍ତେ ? ନିଜର ଅପାରଗପଣିଆ ଓ ବଦଖର୍ଚ୍ଚ ପାଇଁ ସମ୍ପତ୍ତିର ଅଧିକାଂଶ ଚାଲିଯାଇଛି । ନେଡ଼ିଗୁଡ଼ ଯାଇ କହୁଣିରେ । ଭାବିହେଲେ କି ଲାଭ ମିଳିବ ? ଅବସ୍ଥା ବାରଣ୍ଡା ଦି’କଡ଼ା ହେବାକୁ ବସିଲାଣି । ତଥାପି, ତେଜ ଊଣା ହୋଇନାହିଁ ।

 

ଦିନେ କୁସୁମ ତାଙ୍କ ଘରୁ ଫେରି ଖବର ଦେଲା, ‘ଶୁଣିଲଣି ଖୁସିର ଖବର । ଦଇବର ଦୟା ହେଲାଣି । ଯେତେ ଲୁଚାଇଲେ କ’ଣ ସେତକ ଲୁଚି ରହନ୍ତା ?’

 

-କ’ଣ କହୁନ ।

 

-ରାଉତରାଣୀଙ୍କ ପେଟରେ ପାଞ୍ଚମାସର ଛୁଆ । ପେଟ ଦିଶିଲାଣି । କେମିତି ସେ ଲୁଚାଇ ପାରନ୍ତେ ? ସେ ଲାଜରା ହେଲେ । ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲେ ।

 

ପରଶୁ ଜେନାଏ ଦୁଇହାତ ଯୋଡ଼ି ସଙ୍ଗେ ସଙ୍ଗେ ସେଦିନ ମୁଣ୍ଡରେ ହାତ ଲଗାଇ କୋଚିଳେଶ୍ୱରୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିଥିଲେ । ମନେ ମନେ ଜଣାଣ କରିଥିଲେ-ପୁଅଟିଏ ବିଶ୍ୱ ରାଉତରାଙ୍କୁ ଦେ ଗୋ ମା’ । କି ଅପରାଧରୁ କେଜାଣି ଏକା ବିଶ୍ଵମ୍ଭରଙ୍କୁ ଛାଡ଼ି, ସେହି ପୁରୁଣା ଡିହରୁ କେତେକଙ୍କୁ ଚାଟିନେଲୁ । ଏବେ ତୋ ଲୋଭ ସମ୍ଭାଳ ।

 

...ବିଶୁ ରାଉତରାଙ୍କୁ ପୁଅଟିଏ ଦେ ମା’, ‘ତାଙ୍କରି ପୂର୍ବପୁରୁଷେ ତତେ ଏଠି ଥାଇତି କରିଥିଲେ । ଭୂମିବାଡ଼ି ଖଞ୍ଜି ଦେଇଥିଲେ । ଏବଯାଏ ତୋ’ର ପୂଜାମାର୍ଜନା ସେଥିରେ ଚାଲିଛି । ଏଣିକି ଘଣ୍ଟ ଘୋଡ଼ାଇ ରଖ ।’

 

ସବୁକାମ ସାରି ଜେନାଏ ତାଙ୍କ ଘରକୁ ଲାଗି ତୋଳା ହୋଇଥିବା ଗୁହାଳ ଘର ପାଖକୁ ଗଲେ । ଦ୍ୱାରରେ ଲାଗିଥିବା ଦି’ଫାଳିଆ କବାଟ କିଳି ଜଞ୍ଜିର ଦେଲେ । ଖଞ୍ଜା ଭିତରର ବାରିପାଖକୁ ଥିବା ଅଧା ଆଉଜା କବାଟର ଫାଙ୍କରେ ଭିତରୁ ଆଲୁଅର ଆଭାସ ଆସୁଥିଲା ।

 

ଜେନାଏ ଭାବିଲେ-ଝିଅଟି ଅବଶ୍ୟ ଭଲ ଅଛି । ତା’ ବୋଉର କୋଳକୁ ଆଉଜି ଶୋଇପଡ଼ିଛି । ନୋହିଲେ, ବାରିରୁ କୁସୁମ ଆସି ତାଙ୍କୁ ସବୁଦିନ ପରି ସାହାଯ୍ୟ କରିଥାନ୍ତା । ଆସିପାରୁ ନାହିଁ ।

 

ନ ଆସୁ, କାମ ସରିଆସିଲ। । ଖାଲି, ରାସ୍ତାକଡ଼ରୁ ଶଗଡ଼ଟାକୁ ବାରିର ଫାଟକବାଟେ ଟାଣି ଭିତରକୁ ଆଣିବାର କଥା ନ ଆଣିଲେ ଚିନ୍ତା ନାହିଁ । ତେବେ କାହିଁକି ସେ କାମଟି ବାକି ରହିବ-? ଯେତେ ହାଲିଆ ହେଲେ ବି ଏତକ କାମ ସେ ବାକି ରଖିବେ ନାହିଁ ।

 

ବାରିର ଫାଟକ ଆଡ଼କୁ ଆଗେଇ ଯାଉଣୁ ଆକାଶ ଉପରେ ଦୃଷ୍ଟି ପଡ଼ିଲା । ଚତୁର୍ଦ୍ଦଶୀର ଚନ୍ଦ୍ରମା ମଥାଉପରକୁ ଉଠିଲେଣି । ଝାଲିଝାଲିଆ ପାତଳା ଖଣ୍ଡ ଖଣ୍ଡ ଛୋଟ ବାଦଲ ରହିରହିକା ତା’ର ମୁହଁ ଉପରେ ଭାସି ଯାଉଛନ୍ତି ।

 

ମନରେ ପଶିଲ ଛେଉଣ୍ଡ ପିଲା ଦୁଃଖନର ଚିନ୍ତା । କେଡ଼େ ନିମକ୍ ହାରମୀ ଅବିବେକୀ କାମ ନିଜେ ସେ ନ କରିଛନ୍ତି ସତେ । ତାଙ୍କର ଅପତିଆଣୀ ସେରନ୍ତୁ ଝିଅ ନହୁଲୀର ଜୀବନ ବଞ୍ଚାଇଛି ସେହି ପେଟରଣ୍ଡା ପୁଅ, ଏକୋଇରବଳା ବିଶିକେଶନକୁ କୁସୁମ କେଉଁ ସାହସରେ ନିଛାଟିଆ ରାତିରେ ଏକୁଟିଆ ଛାଡ଼ିଦେଲା । ଆପଦ ବିପଦ କେବେ ଆଗରୁ କହିବୋଲି ଆସନ୍ତି ନାହିଁ । ଆସିଲେ ବି, ପରାକ୍ରମ ନ ଦେଖାଇବାଯାଏ ଜାଣିହୁଏ ନାହିଁ ।

 

କାଲିପରି ଲାଗୁଛି, ପନ୍ଦରଟି ବର୍ଷ ଆଖିପିଛଡ଼ା ପଡ଼ିଲା ପରି ବିତିଗଲାଣି ଦୁଃଖନ ପେଟରେ ଥାଏ । ପୁରୁଣା ତଲୁଆରଟିକୁ ମାଜି ସଫା ଜରୁଥିଲେ ବିଶ୍ୱମ୍ଭର ରାଉତେ । ସେଥିରେ କଳଙ୍କି ଲାଗିଥିଲା । କେତେକାଳରୁ ବ୍ୟବହାର ହେଉ ନ ଥିଲା ।

 

ମଣିଷ ରକ୍ତ ଦୂରର କଥା, ପଶୁଙ୍କ ରକ୍ତ ବି ସେ ଚାଖି ନ ଥିଲା । ବିଶୁ ସାଆନ୍ତେ ଅକାଳେ ସକାଳେ ଛିଣ୍ଡାଖୋଳରୁ କାଢ଼ି ଆପେ ତାକୁ ବୁଲାଉଥିଲେ । ଅଭ୍ୟାସ ରଖୁଥିଲେ । କାହିଁକି କେଜାଣି-?

 

ସେମିତି ଅଭ୍ୟାସ କରୁଣୁ ନିଜର ଅଗଣାରେ ନିଜ ଗୋଡ଼ର ପେଣ୍ଡାରେ ଚୋଟ ବାଜିଲା । ଆସ୍ତେ । ଖଣ୍ଡିଆ ହେଲା । ବେଶି ଗଭୀର ନୁହେଁ । ବିଶଲ୍ୟକରଣୀ ଗଛର ପତର ବଟାଇ ସେଥିରେ ଲେପିଲେ । ଭାବିଥିଲେ, ସାମାନ୍ୟ କ୍ଷତଟା, ଭଲ ହୋଇଯିବ ।

 

ଶୁଖିବ କ’ଣ, ଓଲଟି ଘାଆ ଦଲଦଲାଇଲା । ବିଷେଇଗଲା । ବିନ୍ଧା ଛିଟିକା ଯେ ଦୁଃସହ ହେଲା । ଅସଜ ମାଇପିଟି ରଙ୍ଗଲତା ରାଉତାଣୀ ଦିନରାତି କେତେ ସେବା କରିବେ । ପେଟ ଭିତରେ ଆଠମାସର ପିଲାଟି ଛଟପଟ । ଅସୁରି ହେଉଛି । କାଳେ କ’ଣ ହେବ ସେଥିକୁ ଡର ।

 

ମନେପଡ଼ୁଛି ସେ କାଳର ସେହି ଉଆଁସୀ-ଅନ୍ଧାର କାଳରାତିର ଘଟଣା । ସାବିତ୍ରୀ ଉଆଁସ ରାତି ପାଞ୍ଚଦିନ ବାକି ଥାଏ । ପ୍ରବଳ ପବନ ସାଙ୍ଗରେ ଅଦିନିଆ ଅସରାଏ ବର୍ଷା କୁଟିଦେଇ ଛାଡ଼ିଯାଇଥାଏ । ମେଘ ତଥାପି ଗରଜୁଥାଏ । ସେବକାର ଦରବୁଢ଼ା, ଥାକୁଲି ଡାକ୍ତର ବଳଦଗାଡ଼ିରେ ନାରଙ୍ଗ ଗ୍ରାମରୁ ଆସି ତୋଫାନ ଆଗରୁ ରାଉତଙ୍କ ଘରେ ପହଞ୍ଚି ଥିଲେ ।

 

ଅମୃତହସ୍ତା ବୋଲି ତାଙ୍କର ସୁଖ୍ୟାତି ଥିଲା । କୁଆଡ଼େ ଯମ ସଙ୍ଗେ ଲଢ଼ି, ତାକୁ ତଡ଼ି ସେ ଗେଗୀକୁ ବଞ୍ଚାଇ ସୁସ୍ଥ କରୁଥିଲେ ।

 

ଦୁଇ ତିନି ଘଣ୍ଟା ଚେଷ୍ଟା କରି ବିଶ୍ୱମ୍ଭର ରାଉତରାୟଙ୍କୁ ସେ ରଖିପାରିଲେ ନାହିଁ । ଯମକୁ କରଯୋଡ଼ି ସେ ବାଟ ଛାଡ଼ିଦେଲେ ।

 

କହିଲେ, “ଧନୁଷ୍ଟଙ୍କାର ବାତ ରୋଗରୁ ବର୍ତ୍ତିବା କେବଳ ଭଗ୍ୟର କଥା, ବହୁ ଆଗରୁ ଚିକିତ୍ସା କରିଥିଲେ ରାଉତରାୟ ହୁଏତ ବଞ୍ଚିଯାଇଥାନ୍ତେ ।’’

 

ଏ କଥା ରାଉତରାଣୀ ରଙ୍ଗଲତାଙ୍କ କାନରେ ବାଜିଯାଇଥିଲା । ସେ ମୂର୍ଚ୍ଛାଯାଇ ତଳେ ପଡ଼ିଣ କୁସୁମ, ଯିଏ ନିଜ ଘରର ଦାୟିତ୍ୱ ଆଉ କାହାକୁ ଦେଇ ସେଠାକୁ ଧାଇଁଯାଇଥିଲା, ତାଙ୍କୁ କୋଳାଇ ଧରିଥିଲେ । ଅନ୍ୟମାନଙ୍କ ସାହାଯ୍ୟରେ ତାଙ୍କୁ ସେ ଅନ୍ୟ ଘରର ପଲଙ୍କ ଉପରକୁ ନେଇଥିଲା ।

 

ଡାକ୍ତର ତାଙ୍କର ମୂର୍ଚ୍ଛା ଭଙ୍ଗାଇଲେ । ତାଙ୍କୁ ଓ ଅନ୍ୟମାନଙ୍କ ଆଗରେ ସେ ସତର୍କବାଣୀ ଶୁଣାଇଲେ, ଯିଏ ସେପୁରକୁ ଯାଏ ନିଜେ ଧନନ୍ୱରୀ ଆସିଲେ ତାକୁ ଔଷଧ ଦେଇପାରିବେ ନାହିଁ । ହର ଓ ବ୍ରହ୍ମା ତା’ ଆତ୍ମାକୁ ଏ ଘଟକୁ ଫେରାଇ ଆଣିପାରିବେ ନାହିଁ ।

 

“ତମେ ଅବୁଝା ହୁଅନା, ମ । ରାଉତରାୟ ଏକା ନୁହଁନ୍ତି, ସେହି ପୁରୁଣା ବଂଶର ସମସ୍ତେ, ଯେଉଁମାନେ ଆଜି ସ୍ୱର୍ଗରେ, ଆକୁଳ ଆଖିରେ ତମକୁ ଚାହିଁ ରହିଛନ୍ତି । ତମରି ଭିତରେ ସେମାନଙ୍କର ସନ୍ତକଟି ବଢ଼ିଛି । ଧୈର୍ଯ୍ୟ ଧର । ତାକୁ ରକ୍ଷା କର ।’’

 

...ତମେ ଅଧୀର ଅସ୍ଥିର ହେଲେ ଗର୍ଭରେ ଥିବା ଶିଶୁର ଅନିଷ୍ଟ ହେବ । କୁସୁମ ନିଜେ ଏହା ଶୁଣିଥିଲେ । ସେହି ପରଶୁ ଜେନାକୁ ଉପଦେଶ ଦେଲି । କହିଲି, ରାତିରେ ଲୋକ ଯୋଗାଡ଼ କର । ବଡ଼ିସକାଳୁ ଉଠି ସେ ପାତ୍ରପଡ଼ା ସିଂହପୁର ଯାଉ । ଜେମାଦେଈ ଅପାଙ୍କୁ ସେ ଖବର ଦେଉ-। ସେ ଆସି ଏଠାରେ ପହଞ୍ଚିଲେ ଯାହା କରିବେ ।

 

ସେଇଆ କରାହୋଇଥିଲା । ଏକା ଜେମାଦେଈ ନୁହଁନ୍ତି, ତାଙ୍କ ସାଙ୍ଗରେ ତାଙ୍କର ଦୁଇ ଦିଅର । ପୁଣି ମହାପାତ୍ର ବଂଶର ଆଉ କେଉଁମାନେ, ଦିନ ପହରେ ସରିକି ସିଂହପୁରରୁ ଆସି ପହଞ୍ଚିଲେ ।

 

ସେତେବେଳଯାଏ ବିଶ୍ୱମ୍ବର ସାଆନ୍ତଙ୍କର ପ୍ରାଣହୀନ ପିଣ୍ଡ ପଲଙ୍କ ଉପରେ ପଡ଼ିଥାଏ । ସେ ଘରର କବାଟ ଆଉଜା ହୋଇଥାଏ । ଘର ଭିତରେ ଆଲୁଅ ଜଳୁଥାଏ । ରାଉତପଡ଼ା ଓ ନାୟକସାହିର କେତେ ଲୋକ ଆସୁଥାନ୍ତି । ମଲା ମୁହଁକୁ ଚାହିଁଦେଇ ଫେରି ଯାଉଥାନ୍ତି । ଆଖିରେ ଲୁହ, ତୁଣ୍ଡରେ ହା ହା କାର ।

 

ଏତେବଡ଼ ସମ୍ମାନିତ କେଉଁ କାଳର ରାଜବଂଶୀ କୁଟୁମ୍ୱର ଶେଷ ସ୍ୱରଙ୍କର ଶେଷ ଦର୍ଶନଟି-। କାହାକୁ କିଏ ମନାକରିବ ? ଯେତେ ହେଲେ ପରଶୁ ଜେନା ମୂଲିଆ-ମୁଣ୍ଡ । ପେଟକାଟି ବଣିଜ କରି, ପାଣି ତୋରାଣି ପିଇ, ଧନ ସଞ୍ଚି ଭୂମିବାଡ଼ି କିଣି ଚାଷୀ ହୋଇଛି । କେଉଁ ବହପରେ କାହାକୁ ସେ ଘର ମନାକରିବ ।

 

ସତ କଥା । ଲତା ସାନ୍ତାଣୀଙ୍କୁ ଜଗି ରହିବାକୁ କେତୋଟି ବିଧବା ବୁଢ଼ୀଙ୍କୁ ଗ୍ରାମରୁ ଆଣିବା କ’ଣ ସହଜ କଥା ? ବିଧବା ହୋଇଥିବା ଅଲକ୍ଷଣୀଟାର ମୁହଁ ଚାହିଁବାକୁ ସଧବା ସୁଲକ୍ଷଣୀମାନେ ଆସନ୍ତେ କିପରି । ନିଜେ କୁସୁମ ତ କାନ୍ଦିକାନ୍ଦି, ଲତା ସାଆନ୍ତାଣୀଙ୍କ ଫଟାକପାଳକୁ ନିନ୍ଦି ମନାକରି ଦେଇଥିଲେ । ଯାହାହେଉ, ଯେଉଁ ଜାତିର ହେଉ ପଛେ, ମାଇପେ ମିଳିଲେ । ସେମାନଙ୍କର ମନ ତଟିଲା ।

 

ଜେମାଦେଈ, ଆଉ ମହାପାତ୍ର ବଂଶିଆମାନେ ଆସି ପହଞ୍ଚିଗଲାରୁ ପରଶୁ ଜେନାଏ ନିଜ ମୁଣ୍ଡକୁ ଆପେ ନେଇଥିବା ଦାୟିତ୍ୱରୁ ମୁକ୍ତି ପାଇଲେ । ସବୁ ଦୁଃଖରେ ଜଳିଯାଇଥିବା ଜେମାଦେଈଙ୍କର ମନ ପଥର ପାଲଟିଥିଲା ।

 

ସବୁ ଘଟଣା ଠିକେ ଠିକେ ଶୁଣି ସେ ଆଖିରୁ ଧାର ଗଡ଼ାଇଥିଲେ । କନ୍ଦାକଟା କରି ବାହୁନି, ମୁଣ୍ଡ କୋଡ଼ି ନ ଥିଲେ । କେଉଁ ଅଜଣା ଝଡ଼ରେ ସେ ଥରି ଉଠିଲେ । ପୁଣି, ଚିହିଁକି ଉଠିଲେ-

 

ଦୀର୍ଘଶ୍ୱାସ ଛାଡ଼ି କହିଲେ, “ପରଶୁରେ, ଦଇବ କେତେବେଳେ କାହାକୁ କେମିତି ଓଟାରିନିଏ କେହି କହିପାରିବେ ନାହିଁ ।’’

 

...କେଇଟା ଦିନର ସଂସାର ମୁଁ କରିଥିଲି ? ମୋ ମୁଣ୍ଡରେ ସେ ବଜ୍ର ହାଣିଲା । ଛାତିରେ ପଥର ଲଦି ଦେଖ୍, ମୁଁ ବଞ୍ଚିଛି । ଖାଲି କାନ୍ଦିନାହିଁ, ହସିଛି ବି । ଦିଅର, ଜାଆ, ପୁତୁରା, ଝିଆରୀମାନଙ୍କ ମେଳରେ ହସଖୁସିରେ ବେଳ କଟିଛି ।

 

...ଏ ପାଖକୁ ଅନାରେ ପରଶୁ, ସାତସାନ ଭାଇ ତିନୋଟି ଗଲେ । ସବା ସାନଟି ବି...

 

ଜେମାଦେଈଙ୍କର କଇଁ ଉଠିଲା । କହିପାରିଲେ ନାହିଁ । କାନିରୁ ପୁଳିଏ ପାଟିରେ ଭାରି କାନ୍ଦ ଅଟକାଇଲେ । ଆଖିର ଅବାଧ୍ୟ ଝରଣା ପୋଛିଲେ ।

 

କଇଁଉଠା କାନ୍ଦୁଆ ସ୍ୱରରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରି କହିଲେ, “ବହୁତ କଷ୍ଟ ତୁ ଭୋଗିଛୁରେ ବିଶ୍ୱମ୍ବର । ସେଥିରୁ ମୁକ୍ତି ପାଇଲୁ । ଯା, ଯା, ତୁ ତୋର ଖୁସିରେ ଚାଲିଯା ।’’

 

ଚାଲିଯାରେ ଦଗାଦିଆ । ଏହି ରାଉତରା ଡିହକୁ ମୁଁ କେବେ ନିଆଶ୍ରୀ କରଇଦେବି ନାହିଁ । ବଟେଶ୍ୱର ମତେ ସାହା ହେବେ । କୋଚିଳେଶ୍ଵରୀ ଘଣ୍ଟ ଘୋଡ଼ାଇବେ । କାଳିଆ ଦୟା କରିବ ।

 

‘‘ତୁ, ନିଶ୍ଚିନ୍ତରେ ଚାଲିଯା’ରେ ବିଶୁଆ । ପଛକୁ ଫେରି ଚାହାଁନା । ଏ ଡିହ ନିଅଂଶୀ ହେବ ନାହିଁ । ତୋ ଆତୁର କଣିକାଟି ରଙ୍ଗଲତାର ପେଟରେ ଅବତାର ଲଭୁଛି ।’’

 

ଜେମାଦେଈ ମୁହଁ ଘୋଡ଼ାଇ କଇଁ କଇଁ ହେଲେ । ତାଙ୍କ ଟାଣପଣ ଭାଙ୍ଗିଗଲା । ଦେହ ଦୋହଲିଲା ।

 

ତଟସ୍ଥ ହୋଇ ପରଶୁ ଜେନାଏ ପାଷାଣ ପ୍ରତିମା ପରି ଠିଆହୋଇ ରହିଲେ । କି ସାନ୍ତ୍ୱନା ସେ ଦେଇପାରିଥାନ୍ତେ । ଆଜ୍ଞାକାରୀ କୋଠିଆ, ମୁଲିଆ, ଭାଗଚାଷୀଟିଏ । ‘କୋଇଲି ଲୋ କେଶବ ଯେ ମଥୁରାକୁ ଗଲା’ ଯାଏ ପାଠ । ପଚିଶିକ ପଣିକିଆ ବୋଲିଲେ କେତେ ଖନ୍ଦାରେ ବାଉଳା ଧରନ୍ତି ।

 

କୁସୁମର ସ୍ୱର ଶୁଣି ସେ ଚମକି ଉଠିଲେ । ଫେରି ଚାହିଁଲେ । କୁସୁମ ପଚାରିଲା, ‘ଫାଟକ ପାଖର ନହରକୋଳି ଗଛମୂଳରେ ? ତୁନି ହୋଇ ତମେ ଠିଆ ହୋଇଛ କାହିଁକି ?’

 

-ଝିଅ ?

 

-ସେ ଭଲ ଅଛି । ଔଷଧ ଖାଇ ଚାଙ୍ଗା ହୋଇଉଠିଲାଣି । ପିଇବାକୁ ଗରମ ଦୁଧ ଗିଲାସେ ଦେଲି । ଢକ ଢକ କରି ଢୋକିଦେଲା । ବୋତଲରୁ ଢାଳି ଆଉ ପାନେ ଔଷଧ ଦେଲି । ବଟିକା ଖୋଇଲି । ତମକୁ ଖୋଜୁଥିଲା । ‘ଦୁଃଖନ ଭାଇ କାହିଁ ବୋଲି ପ୍ରଶ୍ନ କରିଲା । ପୁଣି ଶୋଇ ଘୁଙ୍ଗୁଡ଼ି ମାରିଲାଣି ।’

 

ତାକୁ ଛାଡ଼ି ଆସିଲ କାହିଁକି ?

-ତମର ଏତେ ଡେରି କାହିଁକି ହେଲା ଦେଖିବାକୁ ଆସିଲି । କାମ କ’ଣ ସରିନାହିଁ ?

 

-ସରିଛି ଯେ, ଖାଲି ଶଗଡ଼ଟି ରାସ୍ତାକଡ଼ରୁ ବାରିକୁ ନେବାକୁ ଆସୁଥିଲି । ଝିମ୍‌ଝିମିଆ ନିଝୁମ ରାତିରେ ହେଟାବାଘଟିଏ କୁଆଡ଼ୁ ଆସି ରାସ୍ତା ପାରିହୋଇ ଦହଆଡ଼ର ଅରମାକୁ ଧାଇଁଗଲା-। ନହରକୋଳି ଗଛମୂଳରେ ଅଟକିଗଲି । ଭାବୁଥିଲି...

 

-ଶଗଡ଼ଟା ଥାଉ । କାଲି ସକାଳେ ଆଣିବ । ଏତେ ରାତିରେ କ’ଣ ସେଇଟା କିଏ ନେଇଯିବ ?

 

-ନାଇଁ ଯେ, କାହିଁକି ସେଇଟା ବାଟରୁ ଅଧେ ମାଡ଼ିବସି ରହିବ । ସେଇଥିପାଇଁ ନେଇଥାନ୍ତି-

 

–ଥାଉ, କାଲି ଅଣାହେବ । ଦହଉପର ସନ୍ତସନ୍ତିଆ ଅରମା ଭିତରୁ ବିଷାକ୍ତ ନଁ-ନୁଆଁଣିମାନେ ବାଟ ଉପରକୁ ଉଠିଆସନ୍ତି । ଗୋଡ଼ ପଡ଼ିଗଲେ...

 

-ଆଉ କହନା, କୁସୁମ । ସେଇଆ ମୁଁ ବିଚାରୁଥିଲି । ଯେଡ଼େ ବୁଦ୍ଧିଆ, ବଳୁଆ, ଚଉଆଖିଆ ହେଲେ କି ହେବ, ଦୁର୍ଯୋଗକୁ କିଏ ଘଉଡ଼ାଇ ପାରିବ ? ଅମାନିଆ ଟୋକାଟା ହୁଦସ୍ ଉଠି ଚାଲିଗଲା । ଆଲୁଅ ନେଲା ନାହିଁ । ଠେଙ୍ଗା ନେଇଛି କି ନାହିଁ କେଜାଣି ।

 

-ସେ ପହଞ୍ଚି ସାରିବଣି ।

 

-ଭଲରେ ପହଞ୍ଚିଥିବ ? ମୁଁ ସେଇଆ ବିଚାରୁଛି । ହେଲେ, କୁସୁମ, ବେଜାଣି କାହିଁକି ମୋ ଛାତି ଭିତରଟା ଧଡ଼କୁଛି । ମୁଁ ସେ କୁଟୁମ୍ବର ନୁଣ ଖାଇଛି । ତାଙ୍କରି ପାଇଁ ଥାଇତି ହୋଇଛି । ବିପଦ ଉପରେ ବିପଦ ଆସି ରାଜାଘର ପୁଅଙ୍କୁ ମୂଲିଆ କରିଛି ।

 

‘ଯିବ, ଦେଖିଆସିବ ? ହଉ । ଚାହିଁଦେଇ ଗୋଡ଼େ ଗୋଡ଼େ ଝଅଟ ଫେରିବ । ରୁହ । ଦିଟା ଲଣ୍ଠନରୁ ଗୋଟାଏ ଆଣି ଦିଏ । ବଡ଼ ଠେଙ୍ଗାଟି ବି ନେବ । ଝିଅ ମୋ’ର ଶୋଇଛି । ତମେ ଫେରିବା ଯାଏ ମୁଁ ଚେଇଁ ବସିଥିବି ।’

 

ଗୋଟିଏ ହାତରେ ଠେଙ୍ଗା ଓ ଆର ହାତରେ ଆଲୁଅ ଧରି ପରଶୁ ବାଟ ଚାଲୁଥିଲା । କୁସୁମ କେଡ଼େ ଭଲ, କେଡ଼େ ସ୍ନେହୀ ଓ ବିବେକୀ, ସେହି କଥା ଭାବୁଥିଲା । ଯିଏ ଦୁଃଖ ପରେ ଦୁଃଖ ଅଙ୍ଗରେ ନିଭାଇଛି, ସେ ସବୁର ତାପ ମନରେ ଭେଦାଇଛି, ଜୀବନର ଗନ୍ତାଘରର ଅନ୍ଧାରି କୋଣରେ ସାଇତି ରଖିଛି ସେହିସବୁର ସୁମରଣା, ତା’ ବିନା କିଏ ଆଉ ବୁଝିବା ପରି ପୁଅ ଉପରେ କେଉଁ ସମ୍ଭାବ୍ୟ ଦୁର୍ଘଟଣାର ଭାବନା କେଡ଼େ ଭୀତିପ୍ରଦ, ଯନ୍ତ୍ରଣାଦାୟକ ।

 

କୁସୁମର ପ୍ରଥମ ଗର୍ଭପାତ ପରେ ପାଞ୍ଚଟି ବର୍ଷ କଟିଗଲା ଆଉ ସେ କଷି ଧରିଲା ନାହିଁ । ଲୋକେ କୁହାକୁହି ହେଲେ, ଭଲ କାମିକା ଝିଅଟିଏ, ହେଲେ କି ହେବ, କୁସୁମର କପାଳରେ ସନ୍ତାନ ଯୋଗ ନାହିଁ ।

 

କିନ୍ତୁ, ସେ ଗର୍ଭରେ ସନ୍ତାନ ଧରିଲା ନଅମାସ ନ ପୂରୁଣୁ ଜନମିଲା ପୁଅଟିଏ । ମିଁ-ମିଁ ହେଉଥିଲା । ସବୁ ଚେଷ୍ଟା ବିଫଳ କରି ଉଠିଆରି ନ ଯାଉଣୁ ସେଇ ନିର୍ଜିବା ଛୁଆଟି ଆଖି ବୁଜିଲା ।

 

ସବୁ ଓଷା, ବାରବ୍ରତ, ଠାକୁରାଣୀ ପୂଜା, ପୀର ଗୋସେଇଁଙ୍କ ପାଖେ ଶିରିଣି ଭୋଗ, କୋଚିଳେଶ୍ୱରୀଙ୍କୁ କାଳିଆବୋଦା ବଳି ଦେବା ସତ୍ତ୍ୱେ ତୃତୀୟ ଗର୍ଭ ବି ଛଅ ମାସରେ ନଷ୍ଟ ହେଲା ।

 

ଖଣ୍ଡମଣ୍ଡଳରେ ପ୍ରଚାରିତ ହେଲା, କୁସୁମ ଗୋଟାଏ ଡାକିନୀ । ନିଜର ପେଟର ପିଲାଙ୍କୁ ଖାଉଛି । ଆହୁରି ଖାଇବ । କିଏ ଜାଣେ, ପରଶୁର ରକ୍ତ ତା’ର ଅଜାଣତରେ ଶୋଷି ଖାଉଥିବ କି ନାହିଁ । ତା ରାଶିନକ୍ଷତ୍ର ଭଲ ବୋଲି ଜୀବନଟା ଛଟପଟ କରୁଛି, ଏକାଥରେ ଶୋଷି ନେଇପାରୁନି ।

 

ମୁହଁରୁ ମୁହଁ ଏପରି କୁତ୍ସାରଟନା ଏ କାନ ସେ କାନ ହୋଇ କୁସୁମର କାନରେ ପଡ଼ିଥିଲା-। ସେତିକିରେ ସେ ବିବ୍ରତ ହୋଇଥିଲା, କିନ୍ତୁ ବିଶ୍ଵାସ କରିବାକୁ ଚାହିଁ ନ ଥିଲା । ସେ ଯେତେବେଳେ ଦେଖିଲା ଯେ କେଉଁ କେଉଁ ସନ୍ତାନବତୀମାନେ ତାକୁ ଦେଖିଲେ ନିଜନିଜର ଉତିଆଣି ପିଲାଙ୍କୁ କାନ ମୋଡ଼ି ଆଡ଼େଇଗଲେ, ତା’ର ଛାତିରେ ଛନକା ପଶିଲା । ସତେ କ’ଣ ସେ ଡାକିନୀ ?

 

ସେ ଉପାସ ଭୋକରେ ବେଳ କଟାଇଲା । ଲୁଚେଇ ଲୁଚେଇ କାନ୍ଦିଲା କାରଣ ପଚାରିଲାରୁ କହିଲା ନାହିଁ । ବିଚାରୁଥିଲା ଜୀବନ ହାରିଦେବ ।

 

ଥରେ ଚେଷ୍ଟା କରିଥିଲା । ଦଇବଯୋଗରୁ ପରଶୁଙ୍କ ପାଖରେ ଧରପଡ଼ିଲା । ନେହୁରା କରି ପଚାରିବାରୁ କୁସୁମ ସବୁକଥା ଖୋଲି କହିଲା ।

 

-ମୋ ନିଉଁଛଣା ଜୀବନରେ କି ଲେଡ଼ା ଅଛି ? ସେମାନେ କହୁଛନ୍ତି, ମୁଁ କୁଆଡ଼େ ଡାକିନୀଟାଏ । ମୋ ପେଟରେ ଛୁଆଙ୍କୁ ଖାଇଦେଉଛି । ଆଉ ଯାହା କହୁଛନ୍ତି, ମୁଁ ତୁଣ୍ଡରେ ଧରିବି ନାହିଁ । ଏ ଜୀବନ ରଖିବି କାହିଁକି ?

 

-ସେମାନଙ୍କ କଥାରୁ ତମକୁ ମିଳବ କ’ଣ ? ଅନ୍ୟମାନେ ସିନା ଭୁଲିଯିବେ, ତମେ ତ ଭୁଲି ନ ଥିବ ଦୁଃଖନର ଜନମବେଳର କଥା ?

 

...ଚାରିବର୍ଷ ତଳର ଘଟଣା । ମତେ କାଲିପରି ଲାଗୁଛି । ଜେମାଦେଈଙ୍କ ପାଖେ ପାଖେ ମୁଁ ଥିଲି । ଭାବି ନ ଥିଲି ଯେ ଲତାଦେଈ ବଞ୍ଚିବେ । ପିଲାକୁ ମାସ ଦୁଇଟି ସେ ଦେଖିଥିଲେ । କୋଳରେ କେବେ କେବେ ଧରିଥିଲେ ।

 

...ଛୁତିକାରୋଗରେ ସେ ଘାଣ୍ଟି ହେଇଥିଲେ । ସେ କ’ଣ କରିବେ । ଜଡ଼ିବୁଟି ଔଷଧ, ଅବା ଡାକ୍ତରୀ ଔଷଧ କାମ ଦେଲା ନାହିଁ । ଜେମାଦେଈ ଅପାଙ୍କ ପାଖେ ପାଖେ ମୁଁ ଥାଏ । ପିଲାକୁ କୋଳରେ ଧରି ବସେ ଯେ ରାତି ପାହେ । ଆଖି ମୁଦି ହୁଏ ନାହିଁ । ତମେ କ’ଣ ଭୁଲିଯାଇଛ ?

 

...ଆହା, କି ଶୋଭା ରୂପ । କେଡ଼େ ମିଠା ବଚନ ତାଙ୍କର । ସେ ଚାଲିଗଲେ ସେ ପୁରକୁ-। ସେତେବେଳେ ଦୁଃଖନ ଦି’ମାସର ପିଲା । ମନେ ନାହିଁକି?

 

...ଜେମାଦେଈ ତାକୁ ପାଳିଲେ । ଏବେ ପୁଅକୁ ଚାରିବର୍ଷ ହେବ । ମତେ ଦେଖିଲେ, ମୁଁ ଡାକିଲେ ମୋ କୋଳକୁ ଫକକ୍‌ରି ଡେଇଁପଡ଼େ ।

 

...ବୁଝିଲ କୁସୁମ, ତମେ ଡାକିନୀ ନୁହଁ । ଗରିବ ଚାଷୀର ଘରଣୀ । ସାଆନ୍ତାଣୀ ହୋଇପାରିବ ନାହିଁ । କାହିଁକି ପିଲା ପେଟରେ ନଷ୍ଟ ହେଉଛି ତମେ ଜାଣିଛ, ମୁଁ ଜାଣିଛି । ଜେମାଦେଈଙ୍କୁ ମିଶାଇ ଗାଁ ମାଇପେ ବି କେହି କେହି ଅବଗତ ଥିଲେ ।

 

ହିଂସୁକୀଗୁଡ଼ାକ ଜାଣିଶୁଣି ତମର ଅପବାଦ ରଟାଇଛନ୍ତି । ତମ ମନକୁ ଦୁର୍ବଳ କରିବେ, ଆମ ସଂସାରକୁ ଭାଙ୍ଗିବେ । ଜେମାଦେଈ ସେଇଆ ବୁଝାଇଲେ । ଭୁଲିଗଲ କି ?

 

...ଦହକୂଳରେ ବଡ଼ ଓସ୍ତଗଛର ପତ୍ରସନ୍ଧିରେ କୋଦକ ହନୁମାଙ୍କଡ଼ ଦାନ୍ତ କଡ଼ମଡ଼ କରୁଥିଲା । ତା’ର ରାଗ ଆର ହନୁଟା ଉପରେ ଯେଉଁଟା ତାକୁ ମାଡ଼ମାରି ତା’ ଦଳରୁ ତଡ଼ିଦେଇ ନିଜେ ଦଳପତି ହୋଇଥିଲା । ଦଳଟା ଥିଲା ରାଉତରାୟଙ୍କର ନିଘଞ୍ଚ ଆମ୍ବତୋଟିରେ ଯାହାକୁ ହରି ଦେବତା ମହାଜନ ନିଲାମରେ କିଣି କେତେବର୍ଷ ହେଲା ନିଜର କରିଛନ୍ତି ।

 

...ଲୋକମୁଖରେ ଆଗରୁ ପ୍ରଚାରିତ ହୋଇଥିଲା ଯେ ସେଇ ଶହେ ବର୍ଷର ବୁଢ଼ା ଓସ୍ତଗଛରେ କେତେ ଦେବତା, କେତେ ଦେବୀ, ପ୍ରେତପୁରୁଷ ଓ ଡାକିନୀମାନେ ଅଦୃଶ୍ୟରେ ବାସ କରନ୍ତି । ବେଳେବେଳେ ବ୍ରହ୍ମରାକ୍ଷସ ବି ଆସେ । ସଭା କରନ୍ତି । କଜିଆ କରନ୍ତି । ପିଟାପଟି ହୁଅନ୍ତି-

 

...ଭୁଲି ଯାଇଥିଲା, କୁସୁମ ।

 

ମୁଁ କେତେଥର ତମକୁ ବୁଝାଇ କହିଛି, ଏଇ ଚଳନ୍ତି ପ୍ରଚାର ସତ ନୁହେଁ । ଗପଗୁଡ଼ାକ ମନଗଢ଼ା, ଡାହାମିଛ ।

 

...ତମେ ଭୁଲିଯାଇଥିଲ । ଦହର ଜଳରେ ନିତ୍ୟକର୍ମ ସାରି ମାଇପିମେଳରେ ମାଈସଞ୍ଜବେଳେ ଫେରିଲାବେଳକୁ ଦାନ୍ତ କଡ଼ମଡ଼ କରି ସେହି ମାଡ଼ଖିଆ, ତଡ଼ାଖିଆ ଗେଧଟା ଗୋଟାଏ ଡାଳରୁ ଆଉ ଗୋଟାଏ ଡାଳକୁ ଡେଇଁଲା । ହୁଁ କାର ଛାଡ଼ି ଡାଳ ଦୋହଲାଇଲା ।

 

...ମୋ କଥା ଭୁଲିଲ, ଡରିଲ କାହିଁକି ?

 

କୁସୁମ ଉତ୍ତର ଦେଇଥିଲା, “ମୋର ସେତେବେଳେ ହେଜ ହେଲା ନାହିଁ । ମାଇପି ଧାଡ଼ିର ଆଗରୁ କି ମଝିରୁ କେଉଁମାନେ ‘ବୃଦ୍ଧରାକ୍ଷସ’ ବୋଲି ହୁରି ପକାଇ ଧାଇଁଲେ ।’’

 

...ମୋର କି ଚାରା ଥିଲା ? ମୋ ଛାତିରେ ଛନକା ପଶିଲା । ପେଟ ଭିତରର ସାତମାସିଆ ଛୁଆଟି ଛଟପଟ ହେଲା । ସମସ୍ତେ ଧାଇଁଲେ । ମୁଁ ପଛରେ ପଡ଼ିଲି । ତଥାପି, ଜୀବନ ବିକଳରେ ଧଇଁ ସଇଁ ହୋଇ ଧାଇଁଲି ।

 

... ମାଈ ସଞ୍ଜର ଅନ୍ଧାରିଆ ବେଳ । ହିଡ଼ ବଡ଼ ଛାଇଛାଇଆ ଦିଶୁଥାଏ । ମୋର ମନେହେଉଥାଏ ସେହି ବିକଟାଳ ଚନ୍ଦ୍ରରାକ୍ଷସଟା ହାତ ବଢ଼ାଇ ପଛରେ ଧାଇଁଛି । କଚାଡ଼ି ହୋଇ ରାସ୍ତା ଉପରେ ପଡ଼ିଲି ।

 

ପରଶୁ ଜେନାଏ ରାଉତରାୟଙ୍କ ଘରକୁ ଚୈତ୍ର ଶୁକ୍ଳପକ୍ଷ ଦମନକ ଚତୁର୍ଦ୍ଦଶୀର ଉଜ୍ଜ୍ୱଳ ଜୋତ୍ସ୍ନାଲୋକରେ, ରାତି ଅଧରେ ଯାଉଥିଲେ । ବାମ ହାତରେ ଝୁଲୁଥିଲା ଲଣ୍ଠନ । ଆଲୁଅ ତା’ର ପ୍ରଭା ହରାଇଥିଲା । ଡାହାଣ ହାତରେ ଠେଙ୍ଗା । ଆଉ ଅଳପ ଦୂର ।

 

ତାଙ୍କର ଦ୍ରୁତ ପଦକ୍ଷେପକୁ ଅତୀତ ସ୍ମରଣ ଆପେ ମନ୍ଥର କରିଥିଲା । ସୁଦୂର ଅତୀତ, ମଝି ଅତୀତ ଓ ଆଖିପିଛଡ଼ା ପଡ଼ିସାରିଥିବା ଏହିକ୍ଷଣିର ଅତୀତ ଗୋଟିଏ ସୂତାରେ ଗୁନ୍ଥା ହେଲେ ବି ସତେକି ଅଡ଼ୁଆ ଗୁଳା । ଗୋଟିଏ ଜାଗାରୁ ଓଟାରିଲେ ମିଶା ମିଶିରୁ କେଉଁଟି ମନକୁ ଆସୁଛି । ଜେନାଙ୍କର ସେଇଆ ଘଟିଥିଲା ।

 

ତାଙ୍କର ଫେରନ୍ତା ବାଟକୁ ଚାହିଁ ଅପେକ୍ଷା କରି ରହିଥିବା ସୁଖଦୁଃଖର ସାଥୀ କୁସୁମଟି ମନ ଅଧିକାର କରିଥିଲା । ଦୁଃଖନର ଜନମ ଆଗରୁ ଜନମି ତାଙ୍କରି କୋଳରେ ଖେଳୁଥିଲା ଯେଉଁ ଶିଶୁଟି, ସେ ବାହୁଡ଼ିଲା ପରେ ହତଭାଗିନୀର ପେଟରୁ ଦୁର୍ଘଟଣାରେ ଆଉ ଦିଓଟି ନଷ୍ଟ ହୋଇଥିଲେ-। ଦୁଃଖନ ଜନ୍ମର ଚାରିବର୍ଷ ପରେ ତାଙ୍କ କୋଳରେ ନହୁଲୀ ଖେଳିଲା । ପୁଣି ପାଞ୍ଚବର୍ଷ ପରେ ଅଲେଖ ।

 

ଅଲେଖକୁ ନଅବର୍ଷ ଚାଲିଛି । ନହୁଲୀକୁ ତେର । ତାଙ୍କ ଘର ପୁଅ ଦୁଃଖନକୁ ଷୋଳ ଚାଲିଥିବ । ଯିଏ ଦେଖିଲେ ଆହୁରି ଅଧିକ ମଣିବ । ଲୋକେ ସିନା ଭୁଲିବେ, ସେ ଭୁଲିବେ କିପରି-? ତା’ ଜନମ ତ କାଲିପରି ଲାଗୁଛି । ଆଖିକୁ ଦିଶିଯାଉଛି ।

 

ମନେହେଉଛି, ଜେମାଦେଈ ବିଶ୍ୱମ୍ଭର ରାଉତରାୟଙ୍କର ଅଶୁଭଖବର ପାଇ କାଲି ଆସିଛନ୍ତି । ଜେନାଏ ତାଙ୍କରି ଘରକୁ ଏବେ ଧପାଲି ଚାଲିଛନ୍ତି ।

 

ସେହି କୁଟମ୍ବର ସେ ନିମକ ଖାଇଛନ୍ତି । ଏବେ ଯାଏ ଜମି ଭାଗରେ ଚଷୁଛନ୍ତି । ତାଙ୍କରି ଦୁଆରେ ଦିନେ ମୂଲ ଲାଗୁଥିଲେ । ସେହି ଘରେ ପୁଣି ଦିନେ କେଠିଆ ଥିଲେ । ସେହିମାନେ ସାହା ହେଲାରୁ, ନିଜେ ଦୁଃଖେ କଷ୍ଟେ ଚଳି ଜମି କିଣିଲେ । ସଂସ୍ଥା ଭିଆଇଲେ । ସେମାନଙ୍କ ଉପରେ ନାହିଁ-ନ-ଥିଲା ଦୁଃଖ ପଡ଼ିଛି । ଏତେବେଳେ ଅଣ୍ଟା ଭିଡ଼ି ସାହା ନ ହେଲେ ଆଉ କେବେ ହେବ ?

 

ଜେନାଏ ଡାହାଣହାତର ଠେଙ୍ଗାଟିକୁ କାନ୍ଧରେ ଥାପିଲେ । ବାମହାତର ଲଣ୍ଠନକୁ ଉପରକୁ ଟେକି ଆଲୁଅ ସାମାନ୍ୟ କମାଇଲେ । ଅଧିକ ଆଲୁଅ ଆଖି ଜଳକା କରୁଛି । ଉଜ୍ଜ୍ୱଳ ଆଲୁଅରେ ସବୁ ପରିଷ୍କାର ଦିଶୁଛି ।

 

ରାସ୍ତାରୁ ବାଟ ଭାଙ୍ଗି ସେ ରାଉତରାଙ୍କ ଘରଆଡ଼େ ପଡ଼ିଥିବା ଗୋହିରି ବାଟରେ ପାଦ ଚାଳିଲେ । ରାଉତରାଙ୍କର ଘର ଦିଶୁଛି । ଦାଣ୍ଡ ପାଖର, ମଝିଘରର ହେବ ପରା, ଝରକା ବାଟେ ଆଲୁଅର ଆଭା ଆସୁନାହିଁ, ଆଭାସ ମିଳୁଛି ।

 

ଗୋହିରିର ଡାହାଣପାଖରେ ଦହକୁଳର ଅରମା ଦିଗରୁ ଝିଙ୍କାରିଙ୍କର ଶବ୍ଦ କାନ ଅତଡ଼ା ପକାଉଛି । ଧଣ୍ଡ, ଢାମଣା, ବା ମାଟିବିରାଡ଼ିଆ କେଉଁ ଲହକାର ପାଟିର ଜାବରେ ପଡ଼ି ପ୍ରାଣବିକଳରେ କାକୁସ୍ଥ-ରଡ଼ି ଛାଡ଼ିଛି ଭେକଟିଏ । ଆହା...।

 

ଭାବୁଥିଲେ ପରଶୁ ଜେନାଏ । ଲମ୍ବ ଲମ୍ବ ପାହୁଣ୍ଡ ଚଳାଇ ଜେମାଦେଈଙ୍କର ଉଚ୍ଚ ପିଣ୍ଡାର ପାହାଚଆଡ଼କୁ ଆଗେଇ ଯାଉଣୁ ବିଚାରୁଥିଲେ, ଖରଦିନେ ଟୁବ ପୋଖରୀର ପଙ୍କପାଣି ଚକଟି ଚେଙ୍ଗ, ଗଡ଼ିଶା, ଶେଉଳ, କଉ, କେରାଣ୍ଡି, ତୋଡ଼ି ଧରି ଅଣ୍ଟିରେ ଭରିବାକୁ ତଣ୍ଟି ଚିପିଲାବେଳେ ସେମାନେ କ’ଣ ଶବ୍ଦ କରନ୍ତି ନାହିଁ । ପାଟିଲାଳସା ଓ ପେଟ ଭରଣା ପାଇଁ ଯାହା କଲେ ସେଇଟା ପାପ ନୁହେଁ ।

 

ଆଉ ଦଶ ବାର ପାହୁଣ୍ଡ ଆଗେଇଗଲେ ପିଣ୍ଡା ଉପରକୁ ପାହାଚ । ଦାଣ୍ଡଘର ଆଲୋକିତ ଦିଶୁଛି । ସେ ଘରୁ ନୁହେଁ, ତା’ର ପାଖଘରୁ ଦୁଃଖନର ଧୀର କଣ୍ଠସ୍ୱର ଶୁଭୁଛି । ତା’ର ଏତେ ଡେରି ହେବାର କାରଣ ସେ ଦୟାମୟୀ ଜେମାଦେଈଙ୍କୁ ବୁଝାଇ କହୁଛି ପରା ଧୀର ସ୍ୱର ଶୁଭୁଛି, କଥା ବାରି ହେଉନାହିଁ ।

 

ପରଶୁ ଉଲ୍ଲସି ଉଠିଲେ । ରାଉତରାୟ ବଂଶର ଏକମାତ୍ର ଆଲୋକ, ରାଉତପାଟଣା ଗାଁର ସମସ୍ତଙ୍କର ସେହି ସମ୍ମାନର ପିଲାଟି ଶୁଭରେ ଫେରିଆସିଛି । ଏତିକି ଜାଣିବାପାଇଁ କୁସୁମ ତେଣେ ବାଟ ଚାହିଁ ଦାଣ୍ଡରେ ଟାକି ରହିଥିବ ।

 

ପୁଣି ଭାବିଲେ, କାହିଁକି ରାତି ଅଧରେ ସେମାନଙ୍କୁ ଡାକିବେ ? କଥାଭାଷା ହେଲେ ବିଳମ୍ବ ହେବ । ସେମାନଙ୍କ ନିଦ୍ରାରେ ବ୍ୟାଘାତ ଘଟିବ ।

 

Unknown

ସେ ନିଜେ ବି ଗୁଡ଼ାଏ ଧାଁଧପଡ଼ କରି, ପରିଶ୍ରମ କରି ହାଲିଆ ହୋଇଛନ୍ତି । ଝିଅଟି ମରଣ ମୁହଁରୁ ଉଧୁରି ଏବେ କିପରି ଅଛି ନିଜେ ଦେଖିବାକୁ ମନ ଉଚ୍ଛନ୍ନ ହେଉଛି । ସେ ଫେରିଯିବେ ।

 

ପରଶୁ ଦ୍ରୁତ ପଦରେ ଫେରିଲେ । ଆଲୁଅ କମିକମି ଆସିଲା । ତେଲ ସରିଲା ପରା । ଉପରକୁ ଟେକି ଅଧବାଟରେ ହଲାଇଲେ । ସତେ, ତେଲ ସରି ବତୀ ପୋଡ଼ିଯାଉଛି । ତଳକୁ ଓହଳାନ୍ତେ ଧପ୍ ହୋଇ ଲିଭିଗଲା ।

 

ଲିଭୁ । ବାଟ ସରିଆସିଲା । ଉଜ୍ଜ୍ୱଳ ଜହ୍ନ ରାତି । ତାଙ୍କ ବାରିଭିତରର ଗଛଗୁଡ଼ିକର ଆକୃତି ଦିଶିଲାଣି । ସବୁ ଅସ୍ପଷ୍ଟ ।

 

ଭାବିଲେ, କୁସୁମ ଝିଅ ପାଖରେ ଜଗି, ତାଙ୍କରି ପ୍ରତୀକ୍ଷାରେ ବସିରହିଥିବ । ଦୁଃଖନ ଜେମାଦେଈଙ୍କ ପାଖରେ ପହଞ୍ଚି ସାରିଛି ଏ ଖବର ଜାଣିଲେ ସେ ଆଶ୍ଵସ୍ତ ହେବ ।

 

ବଡ଼ ବଡ଼ ପାହୁଣ୍ଡ ପକାଇ ପରଶୁ ଆଗେଇ ଚାଲିଥିଲେ । ବାମ ହାତରେ ଲିଭିଲା ଲଣ୍ଠନ ଝୁଲି ଦୋହଲୁଥିଲା । ଡାହାଣ ହାତରେ ଧରିଥିବା ଠେଙ୍ଗାଟି ସେହି ପାଖର କାନ୍ଧରେ ଥାପିଥିଲେ । ଜେମାଦେଈଙ୍କ ଘର ଆଗରୁ ବାହୁଡ଼ିଲାବେଳେ ଅଣ୍ଟାରୁ ଫିଟାଇ ଗାମୁଛାଖଣ୍ଡିକ ମୁଣ୍ଡରେ ବାନ୍ଧିଥିଲେ-

 

ଦ୍ରୁତପଦରେ ଆଗଉଥିଲେ । ନିଜ ବାରିର ଫାଟକଟା ଜହ୍ନଆଲୁଅରେ ଦିଶୁଛି । ରାସ୍ତା ଉପରେ ରଖା ହୋଇଥିବା ଶଗଡ଼ ବି । ଡାକଟାଏ ଛାଡ଼ିଲେ କୁସୁମକୁ ଶୁଭିବ ।

 

ନା, ଡାକିବେ ନାହିଁ । ଦାଣ୍ଡପାଖେ ବୁଲିଯିବେ । କବାଟରେ ହାତ ମାରି ଧୀର ପାଟିରେ ଡାକିଲେ କୁସୁମ ଖୋଲିବ । ପିଲାଙ୍କର ନିଦ ଭଙ୍ଗିବା ନାହିଁ । ଆଗେଇ ଗଲେ ।

 

ଦୃଷ୍ଟି ନିହିଥିଲେ ନିଜ ଘରର ଚାଳ ଉପରେ । ସହସା ଯେପରି କିଏ କମାରଶାଳର ତାତିଲା ପାଚିଲା ଲୁହା କଣ୍ଟାଟାଏ ତାଙ୍କର ବାମ ପାଦ ଉପରେ ଗେଞ୍ଜି ଦେଲା ।

 

ଚମକି ଚାହାଁନ୍ତେ ବିଚଳିତ ଆଖିକୁ ଦିଶିଲା ଲହ ଲହ ହୋଇ କିସ ଜନ୍ତୁଟାଏ ଦହଆଡ଼କୁ ଛୁଟି ପଳାଉଛି ।

 

ସେ ବୁଝିଲେ । ମୁଣ୍ଡର ଗାମୁଛା ଓଟାରି ଆଣ୍ଠୁ ଉପରେ ବାନ୍ଧୁଣୁ ଥରଥର ବିକଳ ସ୍ୱରରେ ବଟେଶ୍ୱରଙ୍କୁ ଡାକିଲେ । ସେମିତି ବିକଳିଆ ସ୍ୱରରେ ଡାକ ଛାଡ଼ିଲେ କୁସୁମକୁ । ପାଦ ବୋଦକା କରି ବିଷ ଚରିଯାଉଥାଏ. ଉପରକୁ... ଉପରକୁ ।

 

(୪)

 

ତିନିଦିନ ହେଲା ଶୁଭ କାଉଟିଏ କୁଆଡ଼ୁ ଆସି ଦାଣ୍ଡପାଖ ଘରର ମଥାନ ଉପରେ ବସି ବିକଳ ସ୍ୱରରେ ରାବ ଛାଡ଼ୁଛି । କୁସୁମର ନିଦ ଭଙ୍ଗିଲା ।

 

ନିତି ରାତିଅଧରେ ବିଲୁଆଦଳର ରଡ଼ି ଶୁଣିଲାବେଳକୁ ସେ ବିଛଣା ଧରି ନ ଥାଏ । ଆଲୁଅ ଧରି ସେ ଆହୁରି ଥରେ ଅଗଣା, ଦାଣ୍ଡ ପାଖରୁ ବାଟଘର, ଅମାରଘର ଆଗ ଦେଖିଆସେ-। ସେଇଠି ପଶ୍ଚିମ ପାଖର ଢିଙ୍କିଶାଳ ।

 

ନିଶ୍ଚିନ୍ତ ହୋଇ ଉତ୍ତରପଟର ଘରଭିତରେ ପଶେ । ଚଉଡ଼ା ପଟାଖଟ ଉପରେ ସତରଞ୍ଜି ଉପରେ ଚାଦର ପାରି ଶୋଇଥାଏ ଊଣେଇଶ ବର୍ଷର ପୁଅ ଅଲେଖ । ଘନଘନ ନିଶ୍ଵାସ ଛାଡ଼ି ଥାଏ-। କୁସୁମ ତା’ର ଶୁଭ ମନାସି ବଟେଶ୍ୱର, କୋଚିଳେଶ୍ୱରୀ ଓ ରାଧାଶ୍ୟାମଙ୍କୁ କାନ୍ଥରେ ମୁଣ୍ଡ ଲଗାଇ ଗୁହାରି କରେ ।

 

ସେଇଠୁ, ଅବଶ ଟଳଟଳ ଦେହକୁ ତଳେ ହେଁସ ଉପରେ ପୁରୁଣା କନ୍ଥାଟି ପାରି, କୋଚଟ ମଇଳା ତକିଆ ଉପରେ ମୁଣ୍ଡ ଥାପି ଲମ୍ୱାଇ ଦିଏ ।

 

ସେହି ତକିଆ କଡ଼ରେ ଦିଆସିଲି ରଖି ଆଲୁଅ ଲିଭାଏ । ଥକିଲା ଆଖି ହୋଇଥାଏ । ହାଲିଆ ଦେହକୁ ନିଦମାଉସୀ ଆଦର କରି ଆବୋରିନିଏ ।

 

ଭାତନିଦ ପାତଳ ହେଲେ କେତେକାଳର କେତେ ଘଟଣା ମିଶାମିଶି ହୋଇ ମନରେ ପଶନ୍ତି । ସେ ସବୁର କ୍ରମ ରହେ ନାହିଁ । ବ୍ୟାକୁଳ ମନ ଯାହା ଲୋଡ଼ିଥିଲା ସେତକ ବି ଭାବନାରେ ଫଳିଯାଏ । ଅଫଳିଲା ଚୂତ ଗଛରେ ବ୍ୟାକୁଳ ବିଫଳ ଆଶା ମଳୟ ସଞ୍ଚାରେ । ବଉଳ ଧରେ । ଫଳ ଫଳେ ।

 

ଅତୀତର କଥା । ଗାଁଟାଯାକର କେତେ ଲୋକ ବୁଢ଼ାରୁ ଛୁଆଯାଏ ଅଗଣା ଭିତରେ ରୁଣ୍ଡ ହୋଇଥାନ୍ତି । ମାଇପେ ବି । ଅଗଣା ମଝିରେ ତ ସ୍ୱାମୀ ଚିତ୍ ହୋଇ ଶୋଇଥାନ୍ତି । ସୂର୍ଯ୍ୟ କେତେବେଳୁ ଉଠିଲେଣି । ମଥାନ ଓ ଗଛ ଗହଳି ସେପାଖେ ଥିବାରୁ ଅଗଣାରେ ଖରା ପଡ଼ି ନ ଥାଏ ।

 

ସମସ୍ତେ କ’ଣ ସବୁ କଥାଭାଷା ହେଉଥାନ୍ତି । ହାଉ ହାଉ ଶବଦରେ ଜଣକ କଥା ତା’ ପାଖର ଲୋକଙ୍କୁ ଶୁଭୁଥିବ, ହେଲେ ଅନ୍ୟମାନଙ୍କୁ ଶୁଭୁଛି ସବୁର ମିଶାମିଶି ହାଉ ହାଉ ଶବଦ ।

 

କେଳାର ‘ଜାଲମହୁରା’ ବାମପାଦ ଉପରେ ବସିଥିବା ପାଖାପାଖି ଦୁଇଟି ଦାନ୍ତର କ୍ଷତରେ ମୋଟେ ଲାଗିଲା ନାହିଁ । ତାର ସବୁ ମନ୍ତ୍ରଯନ୍ତ୍ର ବିଫଳ ହେଲା । ଚାମୁଚ ସାହାଯ୍ୟରେ ଅତି କଷ୍ଟରେ ପାଟିର ଜାବ ଅଳପ ମୁକାଳି ଜଡ଼ିବୁଟି ଘୋରା ପାଣି ଯାହା ଟିକିଏ ପାଟିରେ ଦିଆଗଲା, ସେତକ ଗାଲର ଦି’ ପାଖରେ ଗଳିଗଲ ।

 

ଦୁଃଖନ ଧାଇଁ ଯାଇଛି ନାରଙ୍ଗ । ଯେତେ ଟଙ୍କା ନେଲେ ଡାକ୍ତର ତାଙ୍କର ପାଉଣା ନିଅନ୍ତୁ, ବସିଲାଠଉଁ ଉଠି ଆସନ୍ତୁ ।

 

କହିଗଲା, ବ୍ୟସ୍ତ ହୁଅନା, ଖୁଡ଼ୀ । ମୋ ପାଖକୁ ସଙ୍ଗେ ସଙ୍ଗେ ଖବର ପଠାଇଥିଲେ ଭଲ ହୋଇଥାନ୍ତା ।

କିଏ ଆଉ ଥିଲାରେ ବାପ ? ମୋ ନଉଲୀକୁ ଅତି କଷ୍ଟରେ ଘରକୁ ଆଣିଲୁ । ନଉଲୀ ବିକଳ ହୋଇ କାନ୍ଦୁଥାଏ । ତଥାପି, ଗୋଟି ଗୋଟି କରି ନାମ ଧରି ପାଖଲୋକଙ୍କୁ ଡାକୁଥାଏ । ମୋର ବୁଦ୍ଧି ହଜିଥାଏ ।

...ସେ ନିଜେ ତ ଆଉ କଥା ଭଲକରି କହିପାରୁ ନ ଥାନ୍ତି । ତାଙ୍କ କଥାରୁ ତୋ ନାଁ, ଆଉ ନଉଲୀର ନାଁ ଠଉର କଲି । ଘରପିଣ୍ଡାରେ ପହଞ୍ଚିଲାବେଳକୁ ମା-ଝିଅ ଦିହେଁ ଭାରି ହାଲିଆ ହୋଇସାରିଥିଲୁଁ ।

...ମୋର ଆଉ ସେତେବେଳେ ବଳବହପ, ବିଚାରବୁଦ୍ଧି କିଛି ନ ଥିଲା । ବିଚାରବୁଦ୍ଧି କୁଆଡ଼େ ହଜିଯାଇଥିଲା । ସେ କଥାର ଜବାବ ଦେଉ ନ ଥିଲେ । ଖାଲି ବେଗି ବେଗି ନିଶ୍ଵାସ ନେଉଥିଲେ, ଆଉ ଛାଡ଼ୁ ଥିଲେ ।

...ମୋର ଛାତି ଖାଲି ଧଡ଼କୁଥାଏ । ଛାତିର ଛାନିଆରେ ମୁଣ୍ଡ ଭ୍ରମୁଥାଏ । ଗୋଡ଼ ଦି’ଟା ବରଡ଼ା ପତ୍ରପରି ଏମିତି ଥରୁଥାଏ ଯେ, ଦି’ ପାଦ ପକାଇଲାବେଳକୁ ପାଦ ଟଳମଳ ହେଉଥାଏ । କିପରି କୁଆଡ଼େ ଯାଆନ୍ତି । ଡାକ ଛାଡ଼ି କାହାକୁ ଡାକନ୍ତି ।

...ରୋଗଣୀ ନହୁଲୀ ବିଛଣାରୁ ଉଠି ଆଖି ମଳିମଳି ମୋ ସଙ୍ଗରେ ଧାଇଁଥିଲା । ଯାହା ହେବାର ପଛେ ତା’ର ହେଉ, ତାକୁ ବରଗିଲି । କହିଲି, ଯା’ଲୋ, ଘର ଘର କରି ଡାକି ଦେ । ଆସନ୍ତୁ । ତୋ ବାପାକୁ ବଞ୍ଚାନ୍ତୁ ।

ଭେଁ ଭେଁ ରଡ଼ି ଛାଡ଼ି ସେ ଧାଇଁଲାରେ ବାପ । ମୁଁ ତୋ ଦାଦିଙ୍କ ମୁଣ୍ଡକୁ କୋଳରେ ଥାପି ବଡ଼ପାଟିରେ ବାହୁନି ବାହୁନି କାନ୍ଦିଲି ।

ସପନ ଭିତରେ କୁସୁମକୁ ଦିଶିଯାଏ ସେଳାଳର ଦୃଶ୍ୟ । ଗାଁର ପାଖପଡ଼ିଶାମାନେ ଧାଇଁ ଆସିଥିଲେ । ପାଟିତୁଣ୍ଡ କରି ହାଉ ହାଉ ହେଉଥିଲେ । କେହି କେହି ତାଙ୍କର ନାଡ଼ି ଦେଖିଲେ । ନିଶ୍ୱାସ ପରଖିଲେ । ଆଖିପତା ଟେକି ଚାହିଁଲେ ।

ମୁହଁ ନେଫଡ଼ି ଦେଲେ । ନିଜ ନିଜ ଭିତରେ କୁହାକୁହି ହେଲେ, ପରଶୁ ଆଉ ନାହାଁନ୍ତି । କାଳସାପ ତାଙ୍କର ଜୀବନ ଶୋଷିନେଇ ପଳାଇଛି ।

ଡାକ୍ତରଙ୍କୁ ସଙ୍ଗରେ ଧରି ଦୁଃଖନ ପହଞ୍ଚିଲାବେଳକୁ କଅଁଳ ଖରା ଅଗଣାରେ ପଡ଼ିଥିଲା । ଡାକ୍ତର କ’ଣ ସବୁ ପରୀକ୍ଷା କଲେ । ମୁହଁ ନେଫଡ଼ି, ମୁଣ୍ଡ ହଲାଇ, ଚୁ-ଚୁ କରି ଅଗଣା ଭିତରୁ ଦୁଃଖନ ସଙ୍ଗରେ ପଦାକୁ ବାହାରି ଗଲେ ।

କୁସୁମ ବୁଝିଲା, ତାଙ୍କର ସଂସାର ସରିଯାଇଛି । ସେ ତଳେ ଢୁ’ କିରି ମୁଣ୍ଡ ପିଟି ଦେଲା । ତେର ବର୍ଷର ଝିଅ ନହୁଲୀ, ଆଉ ନଅ ବର୍ଷର ପୁଅ ଅଲେଖଟି କୁସୁମର ଦୁଇ କଡ଼ରେ ବସି ଭୋ-ଭୋ ରଡ଼ି ଛାଡ଼ିଥାନ୍ତି । କୁସୁମ ନିଜେ ବାହୁନି ବାହିନି ଗୁଣ ସୁମରି ଭବିଷ୍ୟ ପଚାରି କାନ୍ଦୁଥାଏ । ଠୁଳ ହୋଇଥିବା ମରଦେ ଓ ମାଇପେ ସାନ୍ତ୍ୱନା ଦେଉଥାନ୍ତି ।

ମାଇପିଙ୍କ ଭିତରୁ କିଏ ଜଣେ ଅନୁଦାର, ଡବଡବୀ କୁସୁମର ପଛପଟେ ଥାଇ ଆଉଜଣକୁ କହିଲା, ‘ଫୁଲେଇଟା ବା । ସେ କ’ଣ ଜାଣେ ନାହିଁ, ତା’ ଭିତରର ଡାକିନୀଟା କାଳସାପ ହୋଇ ପରଶୁଆର ପ୍ରାଣକୁ ଶୋଷିନେଲା ?’

ଦୁଃଖନ ପାଖରେ ଥିଲା । ଏ କଥା ତା’ କାନରେ ବାଜିଲା କି କ’ଣ ସେ ସିଂହପରି ଗରଜି ଉଠିଲା, ‘ଭଲ ଦଶା ଥିଲେ ତମେ ଠାକୁରାଣୀଏ ମାନେ ଏଠାରୁ ପଦାକୁ ବାହାରିଯାଅ । ଯାଅ, କହୁଛି ।’

କୁସୁମର ସପନ ଭାଙ୍ଗିଯାଏ । ତା’ ସଙ୍ଗେ ସଙ୍ଗେ ପାତଳ ହେଇଆସୁଥିବା ବଡ଼ି ସକାଳର ନିଦ ବି ଭାଙ୍ଗେ ।

ଦେହ ଥରେ । ଛାତିର ଦୁକୁଦୁକି କାନରେ ବାଜିଲା ପରି ମଣେ । ଆଖି ଖୋଲେ । ଧଡ଼ପଡ଼ ହୋଇ ଉଠିବସେ । ସେ ବୁଝେ, ତା’ର ନିଉଁଛୁଣା ଜୀବନର ଆଉ ଗୋଟିଏ ଦିନ କଟିଯାଇଛି ।

ଶୁଭ କାଉଟିମାନେ ସେହି ଖବର ଜଣାଇ ଦେଉଛନ୍ତି । କହିହେଉଛନ୍ତି, କାମ କେବେ ସରେ ନାହିଁ । ଶିକୁଳୀର ପବ ପରି ତା’ ପଛକୁ ତା’ ପଛ ଲଗି ରହିଥାଏ ମଠ କଲେ ହଟହଟା ।

କୁସୁମ ବିଛଣା ଛାଡ଼େ । କବାଟର ଶିକୁଳୀ ଖୋଲେ । ଦେଖେ ପଲଙ୍କ ଉପରେ ବେଶ୍‍ ନିଶ୍ଚିନ୍ତରେ ଶୋଇଛି ଅଲେଖଟି । ଚିତ୍‍ ହୋଇଛି । ଉଣେଇଶି ବର୍ଷର ବଢ଼ିଆଳ ଛୁଆଟି । ଅବିକଳ ତା’ ବାପ ବରଗ । କପାଳ, ଭ୍ରୁଲତା, ଆଖି, ଥୋମଣି । ଖାଲି ନାକଟା ତା’ ନିଜ ନାକ ପରି, ସତେ ଯେମିତି କିଏ ଟିକିଏ ମାଡ଼ି ଦେଇଛି ।

ଟାଣି ଟାଣି ନିଶ୍ୱାସ ନେଉଛି, ଛାଡ଼ୁଛି । ଭାବିଲା, ଉଠାଇବ ନାହିଁ । ଗତ ସଞ୍ଜଯାଏ ଦହ ଉପର ଡାଳୁଅ ଧାନ କିଆରିଗୁଡ଼ିକରେ ପାଣି ମଡ଼ାଉଣୁ ସମସ୍ତେ ଡେରି କଲେ । ହାଲିଆ ହେଲେ । ଶୋଇଥାଉ । ବଳେ ଉଠିବ ।

ଢିଙ୍କିଶାଳ ଘରେ କୋରଟରେ ବୁଣା ଖଟିଆ ଉପରେ ସତର ବର୍ଷର ମୁଗୁନି ପଥର ପରି କଳା ମିଚିମିଚି ଗୋଖା ପିଲାଟି ଶୋଇଛି । ସ୍ୱାସ୍ଥ୍ୟବାନ ପିଲା । ଦେହରେ ବଳ ଖୁନ୍ଦି ହୋଇଛି । ତା’ ନାମ ବଳରାମ । ଡାକନାମ ବଳିଆ । କେହି କେହି ତାକୁ ବଳୁଆ ବୋଲି ଡାକନ୍ତି । ସେ ସତରେ ବଳୁଆ । ଯେଉଁ କାମରେ ଲଗାଇଦେଲେ ସେ ଲାଗିଥିବ । ଶେଷ ନ କରି ଛାଡ଼ିବ ନାହିଁ । ବେଳ କେତେ ହେଲା ତେଣିକି ତା’ର ନିଘା ରହେ ନାହିଁ । ଯାହା ଦେଲେ ମନଖୁସିରେ ଖାଏ । ସିଝା ଦରସିଝା, ଲୁଣିଆ ଅଲଣା ତା’ ପାଟିକୁ ସବୁ ସୁଆଦ ।

 

ଚାରିକୋଶ ଦୂର କେଉଁ ଧୋଇଆ ମୁଲକର ଜିଗିନିପୁର ଗାଁରେ ତା’ର ଘର । ଘର ନୁହେଁ ତ କୁଡ଼ିଆ । ବାପ-ମା’-ଛେଉଣ୍ଡ ପିଲା ଦିଓଟି, ବଳିଆ, ଆଉ ତା’ ଉପର ଭାଇ କାଳିଆ । ତାଙ୍କ ଲେଖାଯୋଖା କୁଟୁମ୍ୱୀ, ନିଆଶ୍ରୀ ଛୋଟୀ ବଡ଼ ମା’ ତାଙ୍କୁ ପାଳିଥିଲା । ଘରକୁ ଲାଗି ତିନିଗୁଣ୍ଠ ଅରମାଜମି ସେମିତି ପଡ଼ିଥାଏ ।

 

କିଏ ଚାଷ କରିବ ? କୁଳ ବେଉସା ମାଛଧରା । ଉପକରଣ ନାହିଁ । କରିବାକୁ ସମ୍ବଳ ନାହିଁ । କିଏ କେମିତି ଡାକିଲେ ସାଙ୍ଗରେ ଯିବାକଥା । ସେତକ ପୁଣି କେବେ ଅକାଳେ ସକାଳେ । କାକର ଧରିଲେ କ’ଣ ଘଡ଼ା ପୂରିବ ? ତେଣୁ, ମୂଲ ଲାଗିବା ହେଲା ବେଉସା ।

 

ଠାକୁରମାନଙ୍କ ନାଁ ସଙ୍ଗେ କାଳିଆ-ବଳିଆ ମିଶିବ ବୋଲି ଲୋକେ କହିଲେ, ନାଁ ଦି’ଟା ଓଲଟପାଲଟ ହୋଇଛି । ବଡ଼ର ନାମ ବଳିଆ ଦିଆ ହୋଇଥାଆନ୍ତା । ସାନର ନାମ ହେଇଥାନ୍ତା କାଳିଆ । ଷଠୀଦେବୀ ସେହି ମତଲବରେ ବଡ଼ଟିର ରଙ୍ଗ ଟିକିଏ ସୁତୁରା କରିଛି ।

 

କାହାରି କାହାରି ଏପରି ମତାଣରେ ସେମାନଙ୍କର ପାଳିକା-ବଡ଼ ମା’ ମଙ୍ଗିଲେ ନାହିଁ । କହିଲେ, ବାପ ମା’ ଯେଉଁ ନାମ ଦେଇ ସେ ପୁରକୁ ଯାଇଛନ୍ତି, ତାକୁ ବଦଳାଇବ କିଏ ? ନାଁ’ରୁ କି ମିଳିବ ? ଗନ୍ଧିଆ, ଗୋବରା, ଶୁକୁଟା, ହାଡ଼ିଆ, ଅନାମ-ଏମିତିକା ନାଁ ଦେଇଥିଲେ ବି ଚଳନ୍ତା । ଠାକୁରେ ଆଇଷ ନିହତ ଦେଇଥାନ୍ତୁ ।
 

ପଚାରିଲେ, ଏମିତି ଗପେ ସେ ବଳିଆ । ତା’ ଛୋଟୀ ବଡ଼ ମା’କୁ ମନେପକାଏ । ନିଜେ ଲେଖିପଢ଼ି ଜାଣେ ନାହିଁ । ଅଲେଖ ହାତରେ ଚିଠି ଲେଖାଏ । ଚିଠି ଶେଷରେ ସେ ନିଜେ ଗୋଟିଏ ଖାଳେଇର ଚିତ୍ର ଆଙ୍କେ । କହେ, “ୟେ ମୋ ସନ୍ତକ ବୋଲି ମୋ ନାଁ ଲେଖିଦିଅ ।’’

 

କୁସୁମ ଭାବିଲା, ଶୋଇଛି ତ ପିଲାଟି, ଶୋଇ ଶୋଇ ତା’ର ବାପ ମା’ଙ୍କୁ ସପନ ଦେଖୁଥାଉ, ଅବା ତାର ଛୋଟୀ ବଡ଼ ମା’କୁ । ସପନରେ ସୁଖ । ସେଇମାନଙ୍କର ହିତ ପରଷା ପେଜତୋରାଣୀରେ ଯେଉଁ ଶାନ୍ତି, ସନ୍ତୋଷ, ଆନନ୍ଦ ମିଳେ ଅନ୍ୟ କାହାରି ହାତବଢ଼ା କ୍ଷୀରି ପୁରିରେ ସେତକ ମିଳିବ କୁଆଡ଼ୁ ?

 

ଶୋଇଥାଉ ବଳିଆ । ବଳେ ତା’ର ନିଦ ଭାଙ୍ଗିବ, ସେ କାମରେ ଲାଗିବ । ତିନିବର୍ଷ ହେଲା କାମରେ ରହିଛି । ତା’ ବଡ଼ଭାଇ କାଳିଆ ଦୁଃଖନଙ୍କ ଘରେ ଚାରି ବର୍ଷ ତଳେ ରହିଥିଲା ।

 

ଦୁଃଖନ କହେ, କାଳିଆ ବି ବେଶ୍‍ କାମିକା । ଯେମିତି କୁହାର ବୋଲାର, ସେମିତି ପରିଶ୍ରମୀ । ଆଉ, ବିଶ୍ୱାସୀ । ତେବେ ଚେର ଲାଗିଲେ ସେ ପରେ କ’ଣ ହେବ, କିଏ କହିପାରିବ ?

 

ଦୁଃଖନ କହିଥିଲା, ‘ଖୁଡ଼ୀ ମ, ମଣିଷର ସ୍ୱଭାବ ପ୍ରକୃତିକୁ ଏ ଦୁନିଆ ବଦଳାଇ ଦିଏ । ଆପଣାସାର୍ଥିକା ଖଳ ଲୋକେ ଶିଖାଇ ମଣିଷ ଭଲ ମଣିଷକୁ ଭେଲ କରନ୍ତି ।

 

...ମୋ କଥାରେ ବିଶ୍ଵାସ କରି ସେ ତା’ ସାନଭାଇ ବଳିଆକୁ ଆଣିଲା । ତମରି ଘରେ ସେ ରହିବ । ଅଲେଖପରି ପିଲାଟିଏ, ତାକୁ ସାହାଯ୍ୟ କରିବ ।

 

କୁସୁମ କେବଳ ରାଜି ହୋଇ ନ ଥିଲା, ଭାରି ଖୁସି ହୋଇଥିଲା । ନହୁଲୀର ବାହାଘର ପରେ ଆହୁରି ଖାଲି ଖାଲି ଲାଗୁଥିଲା । ଯେତିକି ହେଲା ସେତିକିରେ ପାଠପଢ଼ା ବନ୍ଦ କରି ଅଲେଖ ପୋଥିରେ ଡୋର ବାନ୍ଧିଲା ।

 

ଦୁଃଖନର ସାହସରେ ନିଜେ ଚାଷ କାମରେ ମନଦେଲା । ବଳିଆ ହେଲା ତା’ର ହଳିଆ, ସହାୟକ ମୂଲିଆ, ପୁଣି ସାଙ୍ଗ । ଉପଦେଶ ଦେବାକୁ, ସାହାଯ୍ୟ କରିବ।କୁ, ସାହାହେବାକୁ ସବୁବେଳେ ଶିବ ରାଉତରା ପଛରେ ଅଛନ୍ତି ।

 

ମଥାନ ଉପରେ ଶୁଭକାଉ ଦିଓଟି ରାବ ଛାଡ଼ିଛନ୍ତି । କୁସୁମଆଡ଼କୁ ଚାହିଁ ଚାଳକୁ ଖୁମ୍ପୁଛନ୍ତି-। ଏଠୁ ଉଡ଼ି ସେଠି ବସୁଛନ୍ତି । କ’ଣ ସେମାନେ କହୁଛନ୍ତି ? କି ବାରତା କେଉଁଠୁ ଆଣିଛନ୍ତି କେମିତି ସେ ଜାଣନ୍ତା ?

 

ଚିଠି ଖଣ୍ଡିଏ ଲେଖିଥିଲେ ଲେଖିଥିବ ନଉଲୀ । ତିନିମାସ ତଳେ ଲେଖିଥିଲା ମନେଅଛି । ଯତ୍ନରେ ସାଇତି ରଖିଛି । ନଉଲୀ ମନେପଡ଼ିଲେ, ଅଲେଖକୁ ପଢ଼ିବାକୁ ଦିଏ ।

 

‘ପଢ଼ରେ ବାପ, ମୋ ମନ କାହିଁକି ଉଚ୍ଚାଟ ହେଉଛି । ଝିଅ କ’ଣ ମୋର ସେଠି ଆଉ ଭଲରେ ନାହିଁ ? ଚଣ୍ଡାଳଟାର ହାତଧରିଛି ତ ।’

 

-ଭଲରେ ଅଛି, ଖୁବ୍ ଭଲରେ ଅଛି । ସମସ୍ତେ ତାକୁ ଭାରି ଶରଧା କରୁଛନ୍ତି, ବୋଉ । ବେଶି ଭଲ ପାଉଛି ତା’ର ସେଇ ତିନିବର୍ଷର ଟିକି ପୁଅଟି ।

 

-କ’ଣ ଟି ତା’ର ନାଁ ?

 

-ଭୁଲିଗଲୁ, ବୋଉ ? ତା’ର ନାଁ ଶୋଭନ ବୋଲି ଅପା ଲେଖିଛି । ଅପାର ସେଇଟି ହେଇଛି ଖେଳକଣ୍ଢେଇ । ଲାଙ୍ଗୁଡ଼ ପରି ପଛେ ପଛେ ଲାଗିଥାଏ । କୋଉଠି ଅପା ବସିପଡ଼ିଲେ ସେ ଯାଇ କୋଳରେ ପଶେ । ଆମର କଅଁଳା ବାଛୁରୀ ପରି ତା’ଠୁ କ୍ଷୀର ଶୋଷେ ।

 

-ହଁ,ରେ ପୁଅ । ସଉତୁଣୀ ଥାଉ କି ନ ଥାଉ, ତା’ ପୁଅ ଯେ ଛାତି ତଳର କଣ୍ଟାପରିକା । ତୁ କାହୁଁ ଜାଣିବୁ ? କେମିତି ବୁଝିବୁ ? ଯେତେ କଲେ ଆଖିକୁ ଦିଶେ ନାହିଁ । ଦୁନିଆଯାକର ଅପବାଦ ବେତକଣ୍ଟା ପରି ଛାତିକୁ ବିନ୍ଧେ ।

 

-ସେମିତି କହନା, ବୋଉ । ସାତମାସ, କି ଆଠମାସ ତଳେ ମୁଁ ଯାଇ ତିନିଦିନ ରହି ସବୁ ଦେଖିଆସିଲି ଟି । ସହରତଳି ସେହି ଗାଁଟି ସାମନ୍ତପାଟଣାରେ ଅପାଙ୍କ ଘରର ନାମ ଡାକ ।

 

...ଅପା ମୋର ବେଶ୍‍ ଭଲରେ ଅଛି । ଭିଣୋଇଁଙ୍କର ବାରକାମ । ବହୁ ବଡ଼ବଡ଼ିଆଙ୍କୁ ସଙ୍ଗେ ବଡ଼ ସହରରେ କାରବାର । ଘରକୁ ଫେରନ୍ତି ଭାରି ଡେରିରେ । କହ, ରାତି ଅଧରେ ।

 

...ଅପା ମୋର ଘରର ସର୍ବେସର୍ବା । ବୁଢ଼ୀ ଶାଶୁଙ୍କର ଅଣ୍ଟାରେ କ’ଣ ରୋଗ । ନଇଁ ନଇଁ ଚାଲନ୍ତି । ଚାକର ଚାକରାଣୀ ଆସନ୍ତି, କାମ କରି ଚାଲଯାଆନ୍ତି । ଶୋଭା ବୋଲି ଜଣେ ଦରବୁଢ଼ୀ ଚାକରଣୀ ଅପାର ବୋଲହାକ କରେ । ଶୋଭନକୁ ଖେଳାଏ । ଘରର ଆଉସବୁ କାମ କରେ ।

 

...ଶୋଭନକୁ ଦଣ୍ଡେ ନ ଦେଖିଲେ ଅପା ବାଇଆଣୀ ପରି ହୁଏ ଲୋ, ବୋଉ । ଦେଖିଲେ, ଛାତିକୁ ଟାଣିନିଏ । ଆଉ ସେ ଛୁଆଟା ସେଇଠି ଟିଙ୍କ ପରି ଲାଖିଯାଏ ।

 

...ଅପା ତା’ର ମୁଣ୍ଡ ସାଉଁଳୁଥାଏ । ଦେଖିଛି ଲୋ ବୋଉ, ଅପାର ଆଖିରେ ଲୁହ ଢଳଢଳ ହୁଏ । ଦି’ ବୁନ୍ଦା ପିଲାର କପାଳରେ ଟପ୍ ଟପ୍‌ ହୋଇ ଝରିପଡ଼େ । ମୁଣ୍ଡ ନୁଆଁଇଁ ପିଲାର କପାଳରେ ବୋକ ଦିଏ ।

 

...‘ଅପା ଭଲରେ ନାହିଁ ଆଉ କ’ଣ ମନ୍ଦରେ ଅଛି, ବିଚାରିଛୁ ?’

 

କୁସୁମର ମନରେ ଯେଉଁ ଭାବନା ପଶିଥିଲା ପୁଅଟା ଆଗରେ ପ୍ରକାଶ କରିବାକୁ ସେ କୁଣ୍ଠାବୋଧ କରିଥିଲା । ପିଲା ପୁଅଟା କ’ଣ ସେ ବୁଝନ୍ତା ମାଆର ଛାତିତଳର ବେଦନାର କଥା ।

 

ତିନିମାସ ତଳେ ନଉଲୀ ଖଣ୍ଡେ ବେଶ୍‍ ବଡ଼ ଚିଠି ଦେଇଥିଲା । ଚିଠି ନୁହେଁ ଯେ ମହାଭାରତ ପୋଥି । ଅଲେଖ ଦୁଇଥର ପଢ଼ି ଶୁଣାଇଛି । ଆଉଥରେ ପଢ଼ିବାକୁ କହିଲେ ସେ ଚିଡ଼ିଉଠୁଛି । କହେ, ତତେ ଶୁଣାଇ ଶୁଣାଇ ମୋର ମୁଖସ୍ଥ ହେଲାଣି ।

 

ଲେଖିଥିଲା, ଭଲ ଘର, ଭଲ ବର । ଗଙ୍ଗାରୁ ଗଉତମ ଯାଏ ଭୂମିବାଡ଼ି, ବାଗବଗିଚା । ସବୁ ଖବର ଜାଣିଶୁଣି ବାହା ଦେଇଛୁ । ଭଲରେ ନ ଥିବି କାହିଁକି ?

 

...ଏ ଘରେ ପାଦ ଦେଲାଦିନ ଜାଣିଲି ଯେ ମୋ’ର ଦଶମାସର ମା’ ଛେଉଣ୍ଡ ଦିବ୍ୟ-ସୁନ୍ଦର ପୁଅଟିଏ ଅଛି । ସେ ହତଭଗ୍ୟ ଚାରିମାସର ହୋଇଥିଲାବେଳେ ତା’ ଦୁଃଖିନୀ ମାଆଟି ଜୀବନ ହାରିଲା ।

 

...ଶାଶୁଙ୍କର ଅଣ୍ଟା କେବେ ବଳଦର ନାତରେ ଅଖଞ୍ଜ ହୋଇଥିଲା । ଏବଯାଏ ବୁଢ଼ୀ ନଇଁ ନଇଁ ବାଡ଼ି ଧରି ଚାଲନ୍ତି । ପାଦ ଗଣିଗଣିକା । ଥରେ ବସିଲେ ନ ଉଠାଇଲେ ସେ ଉଠିପାରନ୍ତି ନାହିଁ । ମତେ ଡାକ ଛାଡ଼ନ୍ତି । ଟିକିଏ ଡେରି ହେଲେ କ୍ରୋଧରେ ଥରନ୍ତି । ଶଶୁରଙ୍କୁ ସେପୁରରୁ ଆସି ତାଙ୍କର ହୀନିମାନପଣିଆ ଦେଖିବାକୁ ଡାକନ୍ତି ।

 

...ମୁଁ ଭଲରେ ଅଛି, ବୋଉ, ମୋ ଭାଗ୍ୟ ମୁଁ ଭୁଞ୍ଜୁଛି । ମରିଥିଲେ ଦିନେ ଦହର ପାଣିରେ ବୁଡ଼ି ମରିଥାନ୍ତି । କାହିଁକି ରଜାଘର ପୁଅ ଦୁଃଖନ ସାଆନ୍ତେ ବଞ୍ଚେଇଲେ ? ମୋ’ ବାପର ମରଣ ମୋତେ ଦେଖାଇଲେ ?

 

... ସତର ବର୍ଷର ଝିଅ ଥିଲି ମୁଁ, କି ଦୋଷ ଗାଁଲୋକଙ୍କର ମୁଁ କରିଥିଲି ଯେ ମୋ ନାମରେ ଏଣୁତେଣୁ ଗପି ନିନ୍ଦା ରଟାଇଲେ ? ଜେମାଦେଈ ଆଈଙ୍କୁ ମୁଁ ନିନ୍ଦିବି ନାହିଁ । କ’ଣ ତାଙ୍କ ମନରେ ଥିଲା କିଏ ଜଣେ ? ତୁ ଭୁଲିଗଲୁ କି ?

 

...କହୁଥିଲେ, ମୁଁ ଶୁଣିଛି, “ଆଲେ, ତରତର କାହିଁକି ? ଦେଖିବା, ଶୁଣିବା, ବୁଝିବା, ବିଚାରିବା, ସେଇଠୁ ଯାହା କରିବାର କଥା କରିବା ।’’

 

...ଦୁଃଖନ ସାଆନ୍ତେ ବାହାଘରର ସବୁ ଆୟୋଜନ କରାଇ ସବୁଥିରେ ଯୋଗଦେଇ ସତେ ଯେମିତି ଦୂରେଇ ଦୂରେଇ ହୋଇ ରହୁଥିଲେ । ମୋ ବାପ ତାଙ୍କର ମୂଲିଆ, କେଠିଆ, ପୁଣି ଉପଦେଶଦିଆ ମୁରବି ପରିକା ଥିଲେ । ଦୁଃଖନ ସାଆନ୍ତେ, ଯେଉଁ କାରଣରୁ ହେଉ, ଆମ ଘରେ ପୁଣି ଦିନେ ସେଇଆ ଥିଲେ ତ । କାହିଁକି ସେ ସବୁ କାମ କରାଇ ମନରେ କରଛଡ଼ାପଣିଆ ରଖିଥିଲେ ?

 

...ଜୟୀ ଜ୍ୟୋତିଷ ନିଜେ ମଧ୍ୟସ୍ଥ ହୋଇଥିଲେ । ତାଙ୍କ ଝିଅ ରୁକୁଣା ମୋ ସଙ୍ଗରେ କେଉଁ ତଳ ଶ୍ରେଣୀରେ ପାଠଶାଳାରେ ପଢ଼ୁଥିଲା । ରୁକୁ ମୋ ସାଙ୍ଗରେ ଯେମିତି ଆମ ଘରକୁ ଆସେ, ମୁଁ ବି ତାଙ୍କ ଘରକୁ ଯାଏ । ମୁଁ ତା’ ବାପାଙ୍କୁ ଦାଦି ଡାକେ, ଆଉ ରୁକୁଣାର ବୋଉଙ୍କୁ ଖୁଡ଼ୀ ଡାକେ ।

 

...ଜୟୀଦାଦି ଟିପଣା ଶୁଝାଇଥିଲେ । ମଧ୍ୟସ୍ଥି କରିଥିଲେ । ତମ ସମସ୍ତଙ୍କୁ ମଙ୍ଗାଇଥିଲେ । ଅସଲ କେତେକଥା ସେ ଲୁଚାଇଥିଲେ । ଅଜାଣତରେ ନୁହଁଲୋ ବୋଉ, ସବୁ ଜାଣିଜାଣି କରି ।

 

ଜୟୀଦାଦି ତାଙ୍କ ପିଲା ଦିନରୁ ୟାଙ୍କ ଘର ସଙ୍ଗେ ଘନିଷ୍ଠ । ମୋ ଶଶୁରଙ୍କର ଆଜ୍ଞାକାରୀ, ବୋଲକରା । ଶଶୁରେ ଖାଲି ତାଙ୍କର ଜୀବନସାରା କୋର୍ଟ କଚେରୀକୁ ଧାଇଁଥିଲେ । କି ଟାଉଟରୀ କାମ କରୁଥିଲେ କେଜାଣି, ଲୋକେ ତାଙ୍କୁ ଡରୁଥିଲେ । କୁଆଡ଼େ ଟୋକା ବୟସରେ ଦୁଇଥର ଜେଲରେ ପଶିଥିଲେ ।

 

...ତଥାପି ତାଙ୍କର ପରଘରଭଙ୍ଗା ଖୋଇ ବୁଢ଼ାକାଳଯାଏ ଭାଙ୍ଗି ନ ଥିଲା । କୁଆଡ଼େ ଗାଁ ଲୋକେ ତାଙ୍କୁ କରପତ୍ର ଯୋଡ଼ି ରହୁଥିଲେ । ବଟ ସାନ୍ତରା (ଶଶୁର ବୋଲି ତାଙ୍କ ନାମ ସିନା ତୁଣ୍ଡରେ ଧରିବା ମନା; ଲେଖିଲେ ଦୋଷ ଧରିଯିବ ନାହିଁ ) କୋପ କଲେ କେତେବେଳେ କେଉଁ ଉପାୟରେ ଘରେ କନ୍ଦଳ ପୁରାଇବେ କିଏ ଜାଣେ ?

 

...କୋର୍ଟ କଚେରୀକୁ ଧାଇଁବାକୁ ପଡ଼ିବ । ସେଠି ବି ତ ସେହି ବଟ ସାନ୍ତରା ଏ ପକ୍ଷରେ, ନୋହିଲେ ସେ ପକ୍ଷରେ ମାମଲତକାର, ଟରଣି ବା ଟାଉଟର ଥିବେ । ଆଉ ଥିବେ ତାଙ୍କର ଅନୁସରଣିଆ କୁଆଡ଼େ ନାମଜାଦା ଜ୍ୟୋତିଷ-ଗଣକ ଜୟକୃଷ୍ଣ ନାୟକ । ଜୟୀଦାଦି ଲୋ ବୋଉ ।

 

...ବଟ ସାନ୍ତରାଏ କହିଲେ, ପକ୍ଷର ଗ୍ରହଦୋଷ କଟାଇବାକୁ ରାତିଅଧରେ କେଉଁଠି କେଜାଣି ସେ ପୂଜା କରିବେ । ମକଦ୍ଦମା ନିଶ୍ଚୟ ଜିତ୍ ହେବ । ସେଇଥିପାଇଁ ଜୟୀଦାଦି ୟାଙ୍କ ଘରକୁ, ପୁଣି ସହରକୁ ଧାଇଁଥାନ୍ତି ।

 

...ଶଶୁରଙ୍କ ପାଇଁ ତାଙ୍କ ରୋଜଗାର, ଧନସମ୍ପତ୍ତି, ଆଉ ସମାନ ।

 

...ରାତି ଅଧରେ । ଅନ୍ଧାର ରାତି । ବଡ଼ରାସ୍ତାର ଦୁଇକଡ଼ରେ କେଉଁ କାଳର ବଡ଼ବଡ଼ ଝଙ୍କାଳିଆ ଆମ୍ବଗଛ । ଗୋଟିକର ଡାଳ ଦୁଇପାଖର ଗଛ ଡାଳକୁ ଟପିଥାଏ । ଦୁଇଆଡ଼ର ଡାଳ ରାସ୍ତାକୁ ଆବୋରି ଚାନ୍ଦୁଆପରି ଘୋଡ଼ାଇ ଥାଏ ।

 

...ସେହି ଗଛମାନଙ୍କରେ ନାନାଜାତିର ଚଢ଼େଇ ରହନ୍ତି । ସେମାନଙ୍କ ଭିତରେ ହୁଁ ହୁଁ କା ଚଢ଼େଇ ବି ଥାନ୍ତି । ବୋବାଳି ଛାଡ଼ି ବାଟୋଇମାନଙ୍କୁ ଛାନିଆ କରନ୍ତି । ଭୂତପ୍ରେତ ବି କୁଆଡ଼େ ଥାଆନ୍ତି । ଡରୁଆ ଛେରୁଆ ଲୋକେ, ବେଶୀ ତ ମାଇପେ, ସେମାନଙ୍କର ଦାନ୍ତ ରଗଡ଼ା, କଡ଼ମଡ଼ ଶବ୍ଦ ହୁଙ୍କାର ନାଦ ଶୁଣି ଗଛର ଡାଳ ଦୋହଲା ଜାଣି ତାଟଙ୍ଗା ହୁଅନ୍ତି ।

 

...କେହି କେହି ମୂର୍ଚ୍ଛାଯାନ୍ତି । କାହାର କାହାର ଭେଟଣା ହୁଏ । ଦି’ମୁହଁ ଛୁଟେ । କେଜାଣି, ବଞ୍ଚିଲେ ଭୋଦେବା ବଞ୍ଚିଯାଉଥିବେ, ମରଣ ନିଶ୍ଚିତ ।

 

... ଏବେ ଜଣାପଡ଼ିଲା, ସେହି ସାନ୍ତରାପାଟଣାର ମୋ ଶାଶୁଙ୍କ ବୟସର ବୁଢ଼ୀଙ୍କଠଉଁ ମୋ ବଅସର ବୋହୁ ଓ ଝିଅଯାଏ କେବେ ମୋ ଘରକୁ ଆସିଲେ ଗପ କରନ୍ତି ।

 

...ପାନ ଦିଖଣ୍ଡିରେ ସେମାନେ ବଶ । ଚାହା କପେ ଦେଲେ ତ ସେମାନେ କୃତକୃତ୍ୟ ଲୋ ବୋଉ । ତାଙ୍କର ଛାତି ତଳେ ଛପିଲା ଅନ୍ଧାରି ଘରର ଶିକୁଳୀ ଖୋଲିଯାଏ । ସେମାନେ ମୁଖରା ହୁଅନ୍ତି ।

 

...ଘରକାମରେ ମୋ ହାତ ବ୍ୟସ୍ତ ରହେ । ମୋ ଏକୁଟିଆ ଜୀବନର ସାଥୀ, ମୋ ହନ୍ତସନ୍ତିଆ ଜୀବନର ସାନ୍ତ୍ୱନା, ଆଖିର ଆଲୁଅଟି ଶୋଭନ ପିଠିରେ ନାଉ ହୋଇ ଆପେ ହଲିହଲି ତା’ ଟିକି ମୁଣ୍ଡଟିକୁ ଏ କାନ୍ଧରେ ସେ କାନ୍ଧରେ ଥାପୁଥାଏ ।

 

...ମୋ କାନରେ ପଡ଼ୁଥାଏ ସେମାନଙ୍କର କଥା । କାମରେ ହାତ ଚଳାଉଣୁ ମୁଁ ଶୁଣୁଥାଏ । ମୋ ଶଶୁରଙ୍କର ମରଣ କ’ଣ ସେହିମାନଙ୍କ କଥାରୁ ମୁଁ ଜାଣିଥିଲି ।

 

...କହିଲେ ଜାଣିବୁ, ଟାଉଟରିଆ ଜ୍ୟୋତିଷ ଜୟୀଦାଦିଙ୍କ ମିଛିମିଛିକା ଗଣନା, ଆଉ ଜାତକ ମେଳକରେ ଭୁଲି କେମିତିକା ଇନ୍ଦ୍ରପୁରରେ ତୋ ଝିଅକୁ ଥୋଇଛୁ ।

 

...ଯେଉଁ ବଡ଼ ରାସ୍ତା, ଆଉ ତା’ ଦୁଇ କଡ଼ର ଆମ୍ବଗଛ ଧାଡ଼ି କଥା ଲେଖିଲି, ସେହି ପାଖରୁ ସାଆନ୍ତପାଟଣାଯାଏ ଛୋଟ ରାସ୍ତାଟିଏ ଗହୀର ମଝିରେ ପଡ଼ିଛି । ବାଟ ଅଧକୋଶରୁ କିଛି ବେଶି ହେବ ।

 

...ଅଙ୍କାବଙ୍କା ସେହି ରାସ୍ତାଟି ଆଗେ ଶଗଡ଼ଗୁଳା ଥିଲା । ଏବ ଯାଏ ଦି’ କଡ଼ରେ କେତେ ପୁରୁଣା ଗଛ, ବେତ ବୁଦା, କିଆ ପଣସ ଗଛମାଳ, ବର, ଓସ୍ତ, କଦମ୍ବ ଓ ବର କଣ୍ଟା ଗଛମାନ ରହିଛି ।

 

...ଆଗେ ସେହି ବାଟରେ ଏ ଗାଁ ଓ ପାଖ ଗାଁମାନଙ୍କର ଚଗଲା ଲୋକେ ବଡ଼ ରାସ୍ତାକୁ ଯାଉଥିଲେ । ବାଗ ଉଣ୍ଡି, ଲୋକଙ୍କୁ ଡରାଇ, ମାରପିଟ୍ କରି ସେମାନଙ୍କଠାରୁ ଟଙ୍କାପଇସା, ଜିନିଷପତ୍ର ଲୁଟ୍ କରୁଥିଲେ ।

 

...ଏ ବେପାର କେବଳ ମୋ ଶଶୁର ବଟ ସାନ୍ତରା ନୁହଁନ୍ତି, ତାଙ୍କର ବାପଅଜା ଅମଳରୁ, କେବଠୁ କେଜାଣି ଚାଲିଆସିଥିଲା । କେତେଥର ପୁଲିସ୍‍ ଆସିଛି । କାହାକୁ କାହାକୁ ପିଟାପିଟି କରି ଠିକଣା ଖବର ଜାଣିବାକୁ, ଚୋର ଓ ଚୋରିମାଲ ଧରିବାକୁ ଚେଷ୍ଟା କରିଛି । କିନ୍ତୁ ବିଫଳ ହୋଇଛି-। ସାନ୍ତରାଘରର ଅତିଥି ସତ୍କାରରେ ଖୁସି ହୋଇ ନିପାରିଲାପଣର ଦୁଃଖ ଭୁଲି ବାହୁଡ଼ିଛି ।

 

...ଶଶୁରଙ୍କ ଅମଳରେ କେତେଥର ତାଙ୍କ ପରାମର୍ଶରେ କାହାକୁ ସବୁ ବାନ୍ଧି ନେଇଛନ୍ତି । ହଳିଆ ମୂଲିଆ ଶ୍ରେଣୀର ଲୋକଙ୍କୁ । ଶଶୁରେ କୋର୍ଟ କଚେରୀରେ ତଦ୍‌ବିର କରି ତାଙ୍କୁ ପୁଣି ମୁକାଳି ଆଣିଛନ୍ତି ।

 

...ଶଶୁରଙ୍କୁ କେହି କେହି କୁଚକ୍ରୀ ପରଘରଭଙ୍ଗା ସଇତାନ ବୋଲି ମଣୁଥିଲେ I ଆଉ କେହି କେହି ତାଙ୍କ ଗୁଣ ଓ ପାରିଲାର ପଣକୁ ପ୍ରଶଂସା କରୁଥିଲେ । ତଙ୍କ ଠେଇ କୁଆଡ଼େ ପାଞ୍ଚଟି ଓକିଲର ବୁଦ୍ଧି ଥିଲା । କଳାକୁ ଧଳା, ଧଳାକୁ କଳା କରି, ଦୋଷୀକୁ ନିର୍ଦ୍ଦୋଷ ଓ ନିର୍ଦ୍ଦୋଷକୁ ଦୋଷୀ ପ୍ରମାଣ କରାଇବାକୁ ଡାହମିଛ କୁହା ନିଆଁଗିଳା ସାକ୍ଷୀ ପକ୍ଷଙ୍କ ପାଇଁ ଯୋଗାଡ଼ କରାଇ ଦେଉଥିଲେ-

 

...ଏକା ସଆନ୍ତପାଟଣା ନୁହେଁ । ଆଖପାଖର କେତେ ଗାଁର କେତେ ଲୋକଙ୍କର ଘର ଉଚ୍ଛନ୍ନ କରିଥିଲେ ।

....ସେଇଥିପାଇଁ ହେବ ପରା, ଦିନେ ଅନ୍ଧାର ରାତିରେ ଆଉ କାହାକାହା ସଙ୍ଗେ ସହରରୁ ଫେରିଲାବେଳେ ବଡ଼ ରାସ୍ତା କଡ଼ର ଆମ୍ବଗଛମାନଙ୍କରୁ କିଳିକିଳା ରଡ଼ି ଛାଡ଼ି ଖିଦ୍‌ଖିଦ୍‌ ହୋଇ ତଳକୁ ଡେଇଁଲେ ପ୍ରେତମାନେ ।

 

ସେମାନେ କୁଆଡ଼େ ହାତରେ ଗୋରୁ ହାଡ଼ ସବୁ ଧରିଥିଲେ । ତ୍ରିପଣ୍ଡ କଳା ମୂର୍ତ୍ତିମାନେ । ଆଖିଗୁଡ଼ା କୁଆଡ଼େ କୁଆତରା ପରି ଜଳୁଥାଏ ।

 

...ହେଲା ମାଡ଼ । ପାହାରେ ଲେଖାଏଁ ଖାଇ ସାଙ୍ଗସାଥୀମାନେ ବୋପା ଲୋ ମାଆ ଲୋ ରଡ଼ି ଛାଡ଼ି ଗହୀରମାଳରେ ପଶିଲେ । ଅମଡ଼ା ମାଡ଼ି ଖଣ୍ଡିଆ ଖାବରା ହୋଇ ଯିଏ ଯୁଆଡ଼େ ଛୁ ।

 

...ଖଣ୍ଡିଆ ଖାବରା ଲହୁଲୁହାଣ ହୋଇ ସାଆନ୍ତପାଟଣା ଆଡ଼କୁ ପଡ଼ିଥିବା ରାସ୍ତାକଡ଼ରେ ସେ ପଡ଼ିଥିଲେ । ପିଣ୍ଡରେ ପ୍ରାଣ ଶୁକ୍‌ଶୁକ୍‌ । କେଉଁମାନେ ସବୁ ଗାଁ ଫେରନ୍ତି ତାଙ୍କୁ ଦେଖି ଘରକୁ ବୋହି ଆଣିଥିଲେ ।

 

...ଘରେ ଚାକର ଚାକରଣୀ, ଯିଏ ଶୋଭନର ବୋଉ ମାଧୁରୀଙ୍କ ସଙ୍ଗେ ଧାଈ ହୋଇ ଆସି ଏ ଘରେ ଅଟକି ଯାଇଥିଲେ ସେ, ନୂଆବୋହୁ ତିନିବର୍ଷର ଆଉ ଶାଶୁ ଥିଲେ । ପୁଅ ସେଦିନ ରାତିରେ ସହର ବଜାରରୁ ଫେରି ନ ଥିଲେ ।

 

...ସେ ଫେରିଲାବେଳକୁ ଘରେ କାନ୍ଦବୋବାଳି ପଡ଼ିଥିଲା ।

 

...ଗାଁରୁ କେତେ ଲୋକ, ସ୍ତ୍ରୀ ଓ ପୁରୁଷ ଜମା ହୋଇସାରିଥିଲେ । ସିଏ ମଦପାଣି ପିଇ ଟଳଟଳ ହୋଇ ଆସି ପହଞ୍ଚିଥିଲେ । ତାଙ୍କର ପିନ୍ଧା ଜାମାଲୁଗା ଛିଣ୍ଡି ଭିଣିଭିଣା ହୋଇଥିଲା । କେଉଁଠି ସେ କୁସ୍ତି କସରତ କରୁଥିଲେ । ଅବା ବାଟଯାକ ପଡ଼ିଉଠି ପଡ଼ିଉଠି ଆସିଥିଲେ । କୁଆଡ଼େ ଆଖି ରଙ୍ଗ ଦିଶୁଥିଲା ।

 

...ଶଶୁରଙ୍କ ଦେହରେ ଜୀବନ ଥିଲା । ଶାଶୁ ଓ ନୂଆବୋହୁ ତାଙ୍କର ସେବା କରୁଥିଲେ । ତାଙ୍କ ପୁଅ ପାଖକୁ ଯାଇ ବାପାଙ୍କର ଅବସ୍ଥା ଦେଖି ଭୋ ଭୋ ରଡ଼ି ଛାଡ଼ିଲେ । କହିଲେ, ସେ ଶଳାଏ କେବେଠାରୁ ମସୁଧା କରୁଥିଲେ ଲୋ ବୋଉ, ବାଗ ଉଣ୍ଡିଥିଲେ । ବାପା ଜାଣନ୍ତି । ସାବଧାନ ହେଲେ ନାହିଁ ।

 

....ବୋଉ ଲୋ, ସହରର ବଡ଼ ଡାକ୍ତରଖାନାରେ କେତେଦିନ ପରେ ତାଙ୍କର ବିଷ୍ଣୁପ୍ରାପ୍ତି ହେଲା । ତାଙ୍କର ଯୋଗ୍ୟପୁଅ ବହୁ ଆଡ଼ମ୍ବରରେ ଶୁଦ୍ଧିଘର କଲେ । ସହରରୁ ତାଙ୍କର ସାଙ୍ଗମାନେ ବି ଆସିଥିଲେ । ବିଲାତି ଓ ଦେଶୀ ମଦର ସୁଅ ଛୁଟିଥିଲା ।

 

ଯେଉଁମାନେ ଶଶୁରଙ୍କୁ ପ୍ରେତରୂପରେ ଅନ୍ଧାର ରାତିରେ ଗୋଗୋଛବାଡ଼ିଆ ଦେଇ, ଜାଣ ଶଶୁରଙ୍କ ଉପରେ ଅଦଉତି ସାଧିଥିଲେ, ସେମାନେ ବି ଛାଆଁକୁ ଆସି ପଙ୍ଗତରେ ବସିଥିଲେ । ଶଶୁରଙ୍କ ଗୁଣ ବାହୁନି ସେ ଯେ ସିଧାସଳଖ ସ୍ଵର୍ଗରେ ଯାଇ ପହଞ୍ଚିବେ, ଏହି ମତ ପ୍ରକାଶ କରିଥିଲେ ।

 

...ଜୟୀଦାଦି ଆସି ତୋ ଜୋଇଁ ଆନନ୍ଦ ସାନ୍ତରାଙ୍କୁ ସାହାଯ୍ୟ କରିଥିଲେ । ସେ କେବେ କିପରି କ’ଣ ହେବ ଗଣନା କରି କହିଥିଲେ । ବରାଦ ବି କରୁଥିଲେ । ସବୁ ଖରଚ ତାଙ୍କରି ଜରିଆରେ, ତାଙ୍କରି ଉପଦେଶରେ ହେଉଥିଲା । ସେ ବିଶ୍ୱାସରେ ବିଷ ଦେଲା ପରି ହିସାବର ହେର୍‌ଫେର୍‌ କରି କେତେ ଯେ ହରଣଚାଳ କରୁଥିଲେ ଏ ଗ୍ରାମରେ ବୁଝିବାକୁ କିଏ ଥିଲେ ?

 

...ଶାଶୁ ବିଛଣାଲାଗି ହୋଇ ଦିନରାତି କେବଳ କାନ୍ଦୁଥିଲେ । ସେବା କରୁଥିଲେ ଶୋଭନର ବୋଉ ମାଧୁରୀ ।

 

...ଅତି ଦୁଃଖିନୀ ସେ ମାଧୁରୀ କୁଆଡ଼େ ଲବଣି ପିତୁଳା । ଲକ୍ଷ୍ମୀଙ୍କ ପରି ରୂପ । ଗରିବଘରର ଅଲିଅଳି ଝିଅ । ତାଙ୍କୁ ଦଶବର୍ଷ ପୁରିଥିଲାବେଳେ ସେ ମା’ଙ୍କୁ ହରାଇଥିଲେ । ବାପ ଚଣ୍ଡାଳ ତା’ ପାଇଁ ତା’ ତଳେ ଜନମିଥିବା ଝିଅ ଛଅ ବର୍ଷର ସୁଧାରୀ ପାଇଁ ଆଉ ଗୋଟିଏ ବୋଉ ଆଣିଥିଲେ ।

 

...ସେ ରାହାବାଳୀ ଥିଲା । ନିଅଣ୍ଟିଆ ଚାଷୀ ଘର ତ । ଏଣୁ ଟାଣିଲେ ତେଣେ ଫୁଙ୍ଗୁଳା । ନୂଆ ମାଆଙ୍କର ପୁଣି ଦି’ଦି’ ବରଷ ଛାଡ଼ି ଦୁଇଟି ପୁଅ ହେଲେଣି । ଆଉ କେତେ ହେବେ ଷଠୀ ଠାକୁରଣୀଙ୍କୁ ଜଣା ।

 

...ବାପେ ଆଉବୋଉଙ୍କୁ କରପତ୍ର ଯୋଡ଼ି ରହନ୍ତି । ତାଙ୍କର କିଳିକିଳା ରଡ଼ି ଓ ଅଭଦ୍ର ଅସନା ଗାଳିରେ ସାହି କମ୍ପେ । ଝିଅ ଦିହେଁ ଭୟରେ ଥରୁଥାନ୍ତି । ଆଉବୋଉଙ୍କ ହାତରେ ବଢ଼ିଣା ମୁଠା ତା’ କରାମତି ସେମାନେ କେତେଥର ଦେହରେ ଅନୁଭବ କରିଛନ୍ତି । ବଡ଼ ପାଟି କରି କାନ୍ଦିବାର ସାହସ ତାଙ୍କର ନ ଥିଲା । ନିଜ ମହତକୁ ଜଗି ପରଘରର ମାଇପେ ପାଖ ପଶୁ ନ ଥିଲେ-

 

ସାଆନ୍ତପାଟଣାରେ ପ୍ରତିବର୍ଷ ଦୋଳ ପୂନେଇଁ ଆଗଦିନ ଠାକୁର ମେଳଣ ହୁଏ । ମୋ ଶଶୁରଙ୍କର ଜେଜେବାପଙ୍କ ଅମଳରୁ, ଅବା ତା’ ଆଗରୁ, ଫିରିଙ୍ଗି ରାଜୁତି ପୂର୍ବରୁ ।

 

...ୟାଙ୍କ ଘରବାରିକୁ ଲାଗି ଗୋଟାଏ ବଡ଼ ପଡ଼ିଆ । ଅନାବାଦୀ ପଡ଼ିଥାଏ । ମଝିରେ ଛୋଟ ପୋଖରୀ । ତା’ ହୁଡ଼ାରେ ଗୁଡ଼ିଏ ଫଳନ୍ତି ନଡ଼ିଆ ଗଛ । ମଥା ଆକାଶକୁ ଛୁଇଁଲାଣି । ଫଳେ, ଶୁଖିଲେ ଆପେ ଝଡ଼େ । ଯାହା ହାବୁଡ଼ରେ ପଡ଼େ, ସେ ନିଏ ।

 

...ସେମିତି, ବିଞ୍ଚି ଦେଲା ପରି ଏଠି ସେଠି ହୋଇ ଗୁଡ଼ିଏ ଆମ୍ବଗଛ । କଉଡ଼ି ପରି କଷି ହେଲା ଦିନରୁ ମଣିଷ ଓ ମାଙ୍କଡ଼ପଲ ତାକୁ ଛିଣ୍ଡାଇ ନିଅନ୍ତି, ଅବା ଖାଆନ୍ତି ।

 

...ସେହି ଆମ୍ବତୋଟାର ମଝିରେ ବିନୋଦବିହାରୀ ଠାକୁରଙ୍କର ଛୋଟ ମନ୍ଦିରଟିଏ । କେଉଁ କାଳର କିଏ ଜାଣେ ? ମାଙ୍କଡ଼ା ପଥରର ସେହି ମନ୍ଦିରର ଗୋଟିଏ କାନ୍ଥର ଫାଟରେ କେବେ ଛୋଟ ଓସ୍ତ ଗଛଟିଏ ଉଠିଥିଲା । ସେଇଟା ଚାରିଆଡ଼କୁ ଚେର ମେଲାଇ ବେଶ୍ ବଡ଼ ଗଛଟାଏ ହେଲାଣି । କୁଆଡ଼େ ମୂଳପୋଛ କରି କାଟିଲେ ପୁଣି ଉଠୁଛି, ବଢ଼ୁଛି । ମନ୍ଦିରକୁ ସେ ଗଛ ଫଟାଇ ଦି’ ଫାଳ କଲାଣି । ଆଉକେତେ ଜାଗାରେ ବି ଫାଟ ହେଲାଣି । ସାପମାନେ ରହିଲେଣି ।

 

...ମନ୍ଦିର ଭିତରେ ଦିଅଁ ନାହାଁନ୍ତି । ସେ ଯାଇଁ ବାହ୍ମଣ ଘରେ । ହରିନନାଙ୍କ ବଉଁଶ ତାଙ୍କୁ ପୂଜା କରନ୍ତି । କ’ଣ ସବୁ ତାଙ୍କ ପାଖରେ ଭୋଗରାଗ କରୁଥିବେ । ପ୍ରସାଦ ପାଉଥିବେ । ସାନ୍ତରାଘର କେଉଁ ପୁରୁଷରେ କେତେ ଜମି ଠାକୁରଙ୍କର ସେବାପୂଜା ପାଇଁ ଖଞ୍ଜି ଦେଇଥିଲେ । ହରିନନାଙ୍କ ବାପେ କି ଗୋସାପେ ଠାକୁରଙ୍କ ପୂଜକ ଓ ସେ ଜମିର ମାରଫତ୍‌ଦାର ହୋଇଥିଲେ ।

 

...ଯାହାହେଉ, ସେ ବଉଁଶ ନିହତ ଜଗି ଏବଯାଏ ଠାକୁର ପୂଜା କରନ୍ତି । ଗରିବଙ୍କୁ ପ୍ରସାଦ ବାଣ୍ଟନ୍ତି । ଦୋଳପୂର୍ଣ୍ଣିମା ଆଗଦିନ ମନ୍ଦିର ଆଗରେ ମେଳଣ ହୁଏ । ପୂରୋହିତ ଘର ସବୁ ଆୟୋଜନ କରନ୍ତି ।

 

...ଗ୍ରାମର ଅଘର ଦୁଆରିଙ୍କଠାରୁ ଚାନ୍ଦା ଭିକ୍ଷା କରନ୍ତି । ଠାକୁର ସମସ୍ତଙ୍କର, ଏହି ଧାରଣା ସମସ୍ତଙ୍କ ମନରେ ଜଗାଇବାକୁ କୁଆଡ଼େ ଏପରି କରାଯାଏ ।

 

...କେତେ ଗ୍ରାମରୁ ବିମାନମାନଙ୍କରେ ମହାଆଡ଼ମ୍ବରରେ ଠାକୁରମାନଙ୍କୁ ଗ୍ରାମବାସୀମାନେ ଆସିବେ । ଚାନ୍ଦା ଭେଦା ବଡ଼ କଥା ନୁହେଁ । ଏ ଉଚ୍ଛବ ସମସ୍ତଙ୍କର, ସମସ୍ତେ ଅଣ୍ଟାଭିଡ଼ି ଯୋଗ ଦେବା ଉଚିତ । ସାମନ୍ତପାଟଣା ଗ୍ରାମର ମହତ ରହିବ । ହରିନନାଙ୍କର ଏହାହିଁ ଉଦ୍ଦେଶ୍ୟ ।

 

...ଯେଉଁ ସାନ୍ତରାଏ ଏହି ବୁଦ୍ଧି ଦେଇଥିଲେ, ମେଳଣ ପାଇଁ ସେ ସବୁ ଖରଚ ତୁଲଇବାକୁ ପ୍ରସ୍ତୁତ । ସେଥିପାଇଁ ତାଙ୍କର ଭଣ୍ଡାର ଖୋଲା । କାକର ଧରିଲେ ଘଡ଼ା ପୂରିବ ନାହିଁ । ତେଣୁ, ବଟ ସାନ୍ତାରାଏ ସବୁ ଖର୍ଚ୍ଚ ତୁଲାଉଥିଲେ ।

 

...କେତେ ଗ୍ରାମରୁ ମେଳଣ ଦେଖିବା, ବସିଥିବା ଦୋକାନମାନଙ୍କରୁ ସଉଦା କରିବା, ନାଟ ତାମ୍‍ସା ଦେଖିବା ଓ ଆନନ୍ଦ କରି ନିଜ ନିଜ ଗ୍ରାମମାନଙ୍କୁ ଦିନ ଥାଉଁଣୁ ଫେରିବା ଉଦ୍ଦେଶ୍ୟରେ ସ୍ତ୍ରୀପିଲାଙ୍କୁ ସଙ୍ଗରେ ଧରି ଲୋକେ ଆସନ୍ତି ।

 

ସେ ବର୍ଷ ଅନ୍ୟମାନଙ୍କ ମେଳରେ ବାପ ଓ ସାବତ ମା’ ଯାହାଙ୍କୁ ସେହି ମାଧୁରୀ ଓ ସୁଧାରୀ ଝିଅ ଦିଓଟି ଆଉବୋଉ ବୋଲି ଡାକନ୍ତି, ମେଲଣ ଦେଖିବାକୁ ସାଆନ୍ତପାଟଣା ଆସିଥିଲେ-। ବଢ଼ିଲା ଝିଅ ଦୁଇଟିଙ୍କ କାଖରେ ପାଞ୍ଚବର୍ଷ ଓ ତିନିବର୍ଷର ଛୋଟ ଛୋଟ ପୁଅ ଦିଓଟି ମଧ୍ୟ ଥିଲେ ।

 

...ଦଇବି ଯୋଗ ଲୋ ବୋଉ । ୟାଙ୍କ ଘରର ବେଭାର କଥା କ’ଣ ଲେଖିବି ? ପୁଅଙ୍କର ଢଙ୍ଗ ଢାଙ୍ଗ ଓ ଚଳଣି ଦେଖି ତାଙ୍କ ବାପାବୋଉ ହତାଶ୍‍ ହେବାକୁ ଲାଗିଲେଣି । ଭାବିଲେଣି, କ’ଣ ହେବ ଏ ଧନ ସମ୍ପତ୍ତି, କ’ଣ ହେବ ଫନ୍ଦିଫିକର କରି, ବୁଦ୍ଧି ଖଟାଇ ଆହୁରି ଅଧିକ ଧନ ରୋଜଗାର-? ଏକୋଇରବଳା ବିଶିକେଷନ ଯେ ଆନନ୍ଦ, ସେ ତ ବାଳୁଙ୍ଗା, ଛତରା ହେବାକୁ ବସିଲାଣି ।

 

...ଲେଖୁ ଲେଖୁ ତ ମୁଁ ପୁରାଣ ଲେଖୁଛି । ମୋ’ ଛାତିତଳେ ଟକମକ ହୋଇ ଫୁଟୁଥିବା ଦୁଃଖଗୁଡ଼ାକ କାହା ଆଗରେ ଉଗାରି ମୁଁ ଟିକିଏ ଶାନ୍ତି ପାଇବି କହ ? ଜୟୀଦାଦିଙ୍କ କଅଁଳ କଥାରେ ଭୁଲି, ତାଙ୍କ ସାନ୍ତ୍ୱନାରେ ଆଶ୍ୱସ୍ତ ହୋଇ ମତେ ଯମପୁରର କଦର୍ଥନା ଭିତରକୁ ଠେଲିଦେଲ । କାହା ଆଗରେ ଗୁହାରିବି ? କାହା ଉପରେ ଅଭିମାନ କରିବି ? ଶିବଦାସ ରାଉତରାୟ ସାମନ୍ତେ ମତେ ଦହରୁ ବଞ୍ଚାଇ ଯଶ ଅରଜିଲେ, ସନ୍‌ମାନ ପାଇଲେ । ତାଙ୍କର ପ୍ରଶଂସା ଚାରିଆଡ଼େ ରଟିଲା । ତାଙ୍କରି ପାଇଁ...

 

...ନା, ଯାହା ମୋ ମନରେ ଆସୁଛି, ତତେ ଲେଖିପାରୁନାହିଁ । ତେବେ ଏତିକି ଲେଖୁଛି, ସେହି ଦୁଃଖନଭାଇ ଏଡ଼େ ଚଲାଖ ଚତୁର, ସବୁଜାଣତ ବୋଲି ଲୋକେ କୁହାକୁହି ହୁଅନ୍ତି । ସେ କ’ଣ ଜୟୀଦାଦି ଜ୍ୟୋତିଷୀଙ୍କର ଅସଲ ରୂପ କେବେ ଦେଖି ନ ଥିଲେ ? ସେ ପଦେ ତୋ’ ଆଗରେ ନାହିଁ କରିପାରିଲେ ନାହିଁ ?

 

...ଜେମାଦେଈ ଅପା ସାମନ୍ତାଣୀ ତତେ କ’ଣ କହୁଥିଲେ, ଭାବିଛୁ କି ମୁଁ ଶୁଣି ନ ଥିଲି ? ତୋ ପଛରେ ପରା ମୁଁ ବସି ଅଲେଖ ସାଙ୍ଗରେ ତାଆସ ଖେଳୁଥିଲି । କହିଥିଲେ, ନଉଲୀକୁ ଏବେ ଅଠର ପୂରି ପରା ଉଣେଇଶ ପଶିଲା । ପିଲଟା ତ, ଟିକିଏ ସବୁର କରୁନୁ , ଏଡ଼େ ତରତର କାହିଁକି-? ଜୟୀ ନାୟକ ବାହାପିଆଟିଏ ବୋଲି କ’ଣ ଜାଣୁନାହିଁକି ? ଜାଣେ ବୋଲି ସେ ନିଜେ ପ୍ରଚାର କରେ । ମୋ ମନରେ ଯାହା ଅଛି ବଳେ ତତେ କହିବି ଯେ ।

 

...ଆଉ ଯାହା ସେ ତୁନି ତୁନି କରି ତୋ’ କାନ ପାଖରେ କହିଲେ ମୋ କାନରେ ବି ବାଜିଥିଲା ।

...ଦୁଃଖନଭାଇଙ୍କୁ ସଂସାରୀ କଲେ କୁଆଡ଼େ ଅପା ନିଶ୍ଚିନ୍ତେ ହୁଅନ୍ତେ । ହେଲେ, ସେ କୁଆଡ଼େ ହୋ ହୋ ହୋଇ ହସି ଅପାଙ୍କ କଥାକୁ ଉଡ଼ାଇ ଦେଇଥିଲେ ।

...ଯାହା ମୋ ଭାଗ୍ୟରେ ଥିଲା ହୋଇସାରିଛି । ସେପାଖର କଥା, ଚାରିବର୍ଷ ବିତିଲା ପରେ, ଏ ପାଖରେ ଥାଇ ମନେପଡ଼ୁଛି ସିନା, ବଦଳାଇ ତ ହେବ ନାହିଁ । ଭାବିଲେ ମନ ଖାଲି ଘାଣ୍ଟିଚକଟି ଉଚ୍ଛନ୍ନ ହେବ । ଏ ପାଖର, ମୋ’ର ଭୋଗଭାଗ୍ୟର କଥା ତୋତେ ନ ଲେଖିଲେ ଆଉ କାହାକୁ ଲେଖିବି ଯେ । ମୋ’ର ଦୁଃଖ ଯନ୍ତ୍ରଣାର ଭାରା ଊଣା ହେବ ।

...ଲେଖୁଥିଲି ମୋ ସଉତୁଣୀ, ମୋ’ର ଆଖିର ପିତୁଳା ପୁଅ ଶୋଭନର ବୋଉ ମାଧୁରୀଙ୍କ କଥା । ପଲଙ୍କ ଉପରେ ଶୋଭନ ଶୋଇଛି । ମୋ’ କାନିରୁ ଅଳପ ତାକୁ ଘୋଡ଼ାଇ ଦେଇଛି । ତା’ ବାଁ ହାତର ବୁଢ଼ା ଆଙ୍ଗୁଠଟି ପାଟିରେ ପୂରାଇ ସେ ଚୁଚୁମୁଛି । ମୁଁ ଯଦି ପାଖରେ ଶୋଇଥାନ୍ତି ସେ ମତେ ଝୁଣୁଥାନ୍ତା । ଚାରିବର୍ଷରୁ ଅଧିକ ହେଲାଣି ପୁଅକୁ, ତଥାପି ଛୁଆଟା ତା’ର ଖୋଇ ଛାଡ଼ୁ ନାହିଁ ।

...ଆହା, ହତଭାଗ୍ୟ ଛୁଆଟି । ମୋଟେ ଚାରୋଟି ମାସ ସେ ତା’ ବୋଉର କ୍ଷୀର ଖାଇଥିଲା । ହେଇଟି ଲୋ ବୋଉ, କାନ୍ଥରେ ସେହି ଦୁଃଖିନୀଙ୍କର ବଡ଼କର ଫଟୋଟି କେବକାଳରୁ ଟଙ୍ଗା ହୋଇଛି । ତାଙ୍କର ବାହାବେଳର ଫଟୋ ।

...କେଡ଼େ ଶୋଭାକାର । ପୂନେଇଁ ଜହ୍ନ ପରି ମୁହଁଟି ଲୋ । ଉଜ୍ଜ୍ୱଳ ନିରୀହ ଆଖି ଦିଓଟି କହିଦେଉଛି ମନଟି କେଡ଼େ ନିର୍ମଳ । ଖୁନ୍ଦିଲା ପରି ମୁହଁରେ ଧାର ନାକ । ପାତଳ ଓଠ । ଝିଅଟି ଚାହିଁଲେ ମୋ ଆଖିକୁ ଲକ୍ଷ୍ମୀ ଠାକୁରାଣୀଙ୍କ ପ୍ରତିମାର ମୁହଁପରି ଦିଶିଯାଏ ।

ସେହି ଝିଅଟିର ଚଳନ୍ତି ରୂପ ଶଶୁରେ ମେଲଣ ପଡ଼ିଆରେ ଦେଖିଥିଲେ । ସେ ଗୋଟିଏ ପାଞ୍ଚବର୍ଷର ପୁଅର ହାତଧରିଥିଲା । ତା’ଠୁଁ ଦଇ ତିନି ବର୍ଷ ସାନ ହେବ ଆଉ ଜଣେ ଝିଅ କାଖରେ ତିନିବର୍ଷର ଆଉ ଗୋଟିଏ ପୁଅକୁ ଧରିଥିଲା । ପଛରେ ଥିଲେ ସେମାନଙ୍କର ଆଉବୋଉ ବିମାତା । ଆଗରେ ଥିଲେ ବାପା ।

 

...ଲୋକଗହଳି ବଢ଼ି ନ ଥିଲା । ତେବେ, ଭିଡ଼ ହୋଇଆସିଥିଲା । ଲୋକେ ସେହି ସୁନ୍ଦରୀ ଝିଅ ଦିଓଟିଙ୍କୁ ଆଖି ପୂର୍ଣ୍ଣ କରି ଦେଖୁଥିଲେ ।

 

...ବଡ଼ ସହରରୁ ଆସି ସାନ୍ତରାଙ୍କ ଘରେ ଦୁଇଦିନ ଆଗରୁ ଅତିଥି ହୋଇ ରହିଥିବା ଆନନ୍ଦଙ୍କର ଦୁଇଜଣ ବନ୍ଧୁଙ୍କ ମଝିରେ ସେ କୁଆଡ଼େ ଗହଳି ଭିତରେ ସେମାନଙ୍କର ପାଖେ ପାଖେ ଚାଲିଥିଲେ ।

 

...ସେମାନେ ଅଭଦ୍ର ଭାବରେ ଅସନା ଭଷାରେ କ’ଣ କଥାଭାଷା ହେଉଥିଲେ । ଭାରି ହସୁଥିଲେ । ଲୋକେ ଦେଖୁଥିଲେ, କିନ୍ତୁ କିଛି କହି ନ ଥିଲେ ।

 

...ସାନ୍ତରା ଘରର ବାଳୁଙ୍ଗା ପୁଅ, ଆଉ ତାଙ୍କର ସାଙ୍ଗମାନେ...ଗୋଖର ନୁହଁନ୍ତି, ଅଢ଼େଇ କିଆରିଆ ତମ୍ପମାନେ, କିଏ ତାଙ୍କ ଲାଙ୍ଗୁଡ଼ରେ ହାତ ମାରିବ । ମୁହଁ ଖୋଲିଲେ ମହିତ ସରିବ । ଲୋକେ ଆଲୋଚନା କରୁଥିଲେ ।

 

...ବାପ ଗୋବିନ୍ଦ ପ୍ରଧାନେ ପାଖର କେଉଁ ଗ୍ରାମର ନିଅଣ୍ଟିଆ ଚାଷୀ । ଅଳପ-ପାଠୁଆ, ବେ-ଅକଲିଆ, ମାଇପିବୋଲା । ବଢ଼ିଲା ଝିଅଙ୍କୁ ପରଘରକୁ ନ ପଠାଇ କ’ଣ ରୂପ-ଯଉବନ ଦେଖାଇ, ପ୍ରଚାର କରି, ମହିତ ଦି’ କଡ଼ା କରିବାକୁ ଠାକୁର ମେଲଣ ଦେଖାଇବାକୁ ଗୋଠଖଣ୍ଡିଆଙ୍କ ପରି ଏକୁଟିଆ-ବାଆଁରାଙ୍କ ପରି ଆସିଥିଲା ?

 

...ବଟ ସାନ୍ତରା ଜ୍ୟୋତିଷୀ ଜୟୀ ନାୟକ ଓ ଅନ୍ୟ କେଉଁ ଅନୁସରଣିଆଙ୍କ ଗହଣରେ ବିମାନଗୁଡ଼ିକ ପାଖରେ ବୁଲି-ବୁଲିକା ଦର୍ଶନ କରୁଥିଲେ । ଲୋକଙ୍କର ଆଲୋଚନା ଶୁଣି, ଦୂରରୁ ପୁଅ ଓ ତାଙ୍କ ସହରିଆ ବଡ଼ଲୋକିଆ ଦୁଇବନ୍ଧୁଙ୍କ ଢଙ୍ଗ ଦେଖି, ଠିକ୍ ବୁଝିନେଲେ ଯେ ଟୋକାଙ୍କର ଦୋଷ ଦେଇହେବ ନାହିଁ । ସେମାନଙ୍କ ପେଟରେ ଯେଉଁ ବିଲାତିମଦ ପଡ଼ିଛି ତା’ରି କରାମତି ଏ; ବନ୍ଧୁମାନେ ସହରରୁ ଆଣିଥିଲେ ।

 

...ସେଇଆ ସେ ଜୟୀଦାଦିଙ୍କୁ ସାକ୍ଷାତ୍‍ରେ ଶାଶୁଙ୍କୁ କହିଲେ । ମେଳଣ ପଡ଼ିଆରୁ ସେ ଦୁଃଖରେ ଘରକୁ ସହଳ ସହଳ ଫେରିଆସିଥିଲେ । ସେ ଭାବିଥିଲେ, ତାଙ୍କର ଘରଣୀ ଦୁଃଖ କରିବେ । ବାଳୁଙ୍ଗା ପୁଅଟାଏ ଜନମ ଦେଇଛନ୍ତି ବୋଲି ଅନୁତାପ କରିବେ । କାନ୍ଦିବେ ବୋବେଇବେ ।

 

...ଶାଶୁ କିନ୍ତୁ କହିଲେ, ଆନନ୍ଦ ଆମ ପୁଅ ବୋଲି କ’ଣ ତା’ର ବଅସ ବଢ଼ିବ ନ।ହିଁ ? ସବୁଦିନେ ସିଏ ପିଲା ହୋଇଥିବ ? ସେ ଯେଉଁ ଗଛର ମଞ୍ଜି ସେଇ ଗୁଣ ପ୍ରକାଶିବ କି ନାହିଁ ? ତମେ ବିଚାର କର ।

 

...ସେ ଯୁଆନ ହେଲାଣି । ତା’ ହାତକ ଦି ହାତ କରିଦେଲେ, ତା’ ମନ ଘର ଧରିବ ଯେ । ମୁଁ ବି ଆଉ ତମ ଘର ସମ୍ଭାଳି ପାରୁନାହିଁ ।

 

...ଜୟୀଦାଦି ପାଳି ଧରିଲା ପରି କହିଲେ, ‘ସାମନ୍ତରାଣୀ ଯାହା କହିଲେ ସେଥିରେ ଭୁଲ ନାହିଁ । ମଦପାଣି କଥା କହୁଛ ଯେ, ସେଇଟା ଅବଶ୍ୟ ଭଲ ନୁହେଁ; ତେବେ ସେଇଟା ତ ବଡ଼ଲୋକିଆ ଅଭ୍ୟାସ, ବଡ଼ବଡ଼ିଆଙ୍କ ଆଦତ ହେଲାଣି ।’

 

...ସେ ଝିଅଟି ଲକ୍ଷ୍ମୀଅଂଶୀ ପରି ଲାଗୁଛି, ସାନ୍ତରାଏ । ତା’ କପାଳ, ନାକ, ଆଖି, ଓଠ, ଚିବୁକରୁ ସେମତି ଜଣାଯାଉଛି । ତା’ ଚାହାଣି କେଡ଼େ ନରମ, ଧୀର ଆଉ ଶାନ୍ତ, ସାନ୍ତରାଏ ନିଜେ ଦେଖିଛ ତ ।

 

...ଶଶୁରେ ବଟ ସାନ୍ତରାଏ କହିଲେ, “ମୁଁ ମନା କରୁନାହିଁ । ବେଶ୍ ଲାଜକୁଳୀ । ଆଉ କାହାର ଦୃଷ୍ଟିରେ ତ ଦୃଷ୍ଟି ଅକସ୍ମାତ ହାବୁଡ଼ିଲେ ସେ ତା’ ଦୃଷ୍ଟି ତଳକୁ ଫେରାଉଥିଲା । ଭଲ ଝିଅଟିଏ, ମୁଁ ମାନୁଛି, ହେଲେ ଗରିବ ଚାଷୀ ଘରର ଝିଅ । ଦେଖିଲଟି ତା’ର ଦେହର ପହରଣ, ଆଉ ଭୂଷଣ ।’’

 

...ଶାଶୁ କହିଲେ, ଏଇଆ ? କ’ଣ ମୋର ଘରେ ଅଭାବ, ହଇ ହୋ, ଯାଉଛି ମୁଁ ତାକୁ ଦେଖିବି । ହଉ ସେ ପଛେ ଗରିବ ମୂଲିଆର ଝିଅ । ମୋ ପୁଅର ଯିଏ ପସନ୍ଦ ତାକୁ ମୁଁ ସୁନାର ସାଜରେ ସଜାଇ ଆଣିବି । ହେଲେ ଜୟୀ, ଜାତକ ମେଳ ହେବ ତ ?

 

...ଜୟୀଦାଦି କହିଲେ, ଆନନ୍ଦଙ୍କର ଜାତକର ନକଲ ମୋ ପାଖରେ ଅଛି । ଝିଅର ଜାତକ ଥିଲେ ସେଇଟା କୋଉ ଅନାଡ଼ି କରିଥିବ । ମୁଁ ତାକୁ ସୁଧାରି ଦେବିନାହିଁ ? ଅଷ୍ଟମେଳକ ଶୁଝିବ । ରାଜଯୋଟକ କରାହେବ ।

 

...ଶାଶୁ କହିଲେ, ଝିଅକୁ ମୁଁ ଦେଖିବାକୁ ଯିବି । ତମେ ଦିହେଁ ମୋ ସାଙ୍ଗରେ ଯିବ । ସେମାନେ କ’ଣ ମେଲଣ ଦେଖି ସାରି ଚାଲିଯାଇଥିବେ ? ଯୋଗ ନ ଥିଲେ ନ ହେବ । ତେବେ, ସହଳ ଚାଲ ।

...ଶାଶୁଙ୍କର ଏପରି ଆଗ୍ରହ ଦେଖି ଶଶୁରେ ମନାକରିପାରିଲେ ନାହିଁ । ସମସ୍ତେ ଗଲେ ।

...ବିନୋଦବିହାରୀ ମନ୍ଦିର ଆଗରେ ଠାକୁରମାନଙ୍କ ସାମନାରେ ଭିଡ଼ ଜମିଥିଲା । ମୋ ଶଶୁରଙ୍କ ପଛରେ ଶାଶୁ, ତାଙ୍କ ସଙ୍ଗେ ଶୋଭା, ତାଙ୍କ ପଛରେ ଜୟୀ ନାୟକ ଟାଉଟରଙ୍କୁ ଦେଖି ଲୋକେ ସନ୍‌ମାନରେ ହେଉ, କି ଭୟରେ ହେଉ ଦି’ ଭାଗ ହୋଇ ବାଟ ଛାଡ଼ିଦେଲେ । ପୁରୋହିତେ ସତର୍କ ହେଇ ଆଗେଇ ଆସିଲେ ।

...ସେମାନଙ୍କୁ ଦେଖି ତମ ଜୋଇଁ, ଆଉ ତାଙ୍କ ସାଙ୍ଗମାନେ ବିମାନ ଆଗରୁ କଡ଼େଇ ଆସିଲେ । ସେହି ‘ଧାଡ଼ିର ଅନ୍ୟ ପାଖରେ ନିଅଣ୍ଟିଆ ଚାଷୀ ଗୋବିନ୍ଦ ପ୍ରଧାନ, ତାଙ୍କ ଘରଣୀ ଓ ଝିଅମାନେ ଥିଲେ । ମୋ ଶଶୁର ବଟ ସାଆନ୍ତରା ତାଙ୍କୁ ଚିହ୍ନନ୍ତୁ ବା ନ ଚିହ୍ନନ୍ତୁ ସେ କିନ୍ତୁ ସାନ୍ତରାଙ୍କୁ ଚିହ୍ନ ଥିଲେ । କିଏ ନ ଚିହ୍ନେ ଯେ ।’

...ଅନ୍ୟ କେତେଜଣ ଦେଖଣାହାରୀଙ୍କ ପରି ଗୋବିନ୍ଦ ପ୍ରଧାନେ ହାତଯୋଡ଼ି ନମସ୍କାର କଲେ । ନ କରନ୍ତେ କେମିତି ? ବଟି ସାନ୍ତରା ମାମଲତକାର, ଟାଉଟର, ମୋହରିର । କୌଣସି କାରଣରୁ ବିଗିଡ଼ିଲେ କଳେବଳେ କୌଶଳେ ତଳିତଳାନ୍ତ କରନ୍ତି । ଲୋକେ ଏହା କହନ୍ତି ।

 

...ଶଶୁରେ ମୁଣ୍ଡ ଟୁଙ୍ଗାରି ଅନ୍ୟମାନଙ୍କୁ ସ୍ନେହ ଜଣାଇଥିଲେ । ନିଜେ ଠାକୁରଙ୍କୁ ଆଗ ଓଳଗି ହେଲେ । ପ୍ରଧାନଙ୍କ ହାତଧରିଲେ । ସେ କଣୁଆ ଦୃଷ୍ଟିରେ ଦେଖିସାରିଥିଲେ ଯେ ତାଙ୍କର ଘରଣୀ ଗୋବିନ୍ଦଙ୍କ ଘରଣୀଙ୍କର ସତେ କେଉଁ କାଳରୁ ଚିହ୍ନା ଥିଲା ପରି ହାତଧରି କ’ଣ କହୁଛନ୍ତି ।

ଲୋକେ ଗୋଲକଧନ୍ଦାରେ ପଡ଼ି ଭ୍ରମି ହେଉଥିବେ, କାହିଁକି ଗରିବ ଗୋବିନ୍ଦର ହାତଧରି, ଗୋଜଣା ଅଗର ନିଆଁ ପରି ଫାଲୁକା ମୁହଁରେ ହସ ଉକୁଟାଇ ମେଳଣ ପଡ଼ିଆରୁ ନିଜ ଘରକୁ ବଟ ସାନ୍ତରାଏ ତାଙ୍କୁ ନେଇଯାଉଥିଲେ, ଆଉ ଝିଅମାନଙ୍କୁ ମଝିରେ ରଖି ପଛରେ ଯାଉଥିଲେ ତାଙ୍କର ଘରଣୀ ଓ ଚାକରଣୀ, ଗୋବିନ୍ଦର ରାହାବଳୀ, କଜିଆଖୋରଣୀ ଘରଣୀ ? ତାର ହାତଧରି କ’ଣ ସବୁ ସାମନ୍ତାଣୀ କହୁଥିଲେ ?

ଜୟୀଦାଦି କେମିତିକା ମଣିଷ ଆମ ଗାଆଁର ବାସିନ୍ଦାଏ କ’ଣ ଜାଣନ୍ତି ନାହିଁ ? ଦୁଃଖନ ଭାଇଙ୍କ ଭଳି ଚାଲାକ, ଚତୁର ଲୋକ, ଯିଏ ସବୁ ଘରର ସବୁ ହାଲଚାଲ ଜାଣନ୍ତି, ସମସ୍ତଙ୍କୁ ହାଡ଼େ ହାଡ଼େ ଚିହ୍ନନ୍ତି, ତାଙ୍କ ତୁଣ୍ଡରେ କିଏ ତୁଣ୍ଡି ବାନ୍ଧିଲା ?

...ସେ ମୋ ବାହାଘର ବିଷୟରେ ବାଧା ଦେବାକୁ ମୁହଁ ଖୋଲିପଦେ କହିଲେ ନାହିଁ । ଯିଏ ଦିନେ ନିଜର ଜୀବନକୁ ଉପ୍ରୋଧ ନ କରି ସାପ ସାଲୁବାଲୁ ଦେହର ଅଥଳ ଜଳକୁ ଡେଇଁଲେ, ମୋତେ ଯମପୁରର ଦୁଆରମୁହଁରୁ ଫେରାଇ ଆଣିଲେ, କାହିଁକି ସେ ନରକପୂର ଏଇ ସାନ୍ତରାପାଟଣାକୁ ଆସିବାରେ ବାଧା ଦେଇ ବାଟ ଓଗାଳିଲେ ନାହିଁ ?

...ଜାଣିଛି । ଏବେ ଭଲ କରି ଜାଣଛି ଲୋ ବୋଉ । ଗାଁ ନାନ୍ଦୁରୀଙ୍କର ଅପବାଦିଆ ଭୁଟ୍‌ଭୁଟ୍‌ କଥା ତାଙ୍କ କାନରେ ପଡ଼ିଥିଲା କି ? ସେ କ’ଣ ନିଜକୁ ଚିହ୍ନି ନ ଥିଲେ, ନଉଲୀକୁ ଜାଣି ନ ଥିଲେ ?

...ତୁ କ’ଣ ତୋ ଝିଅକୁ ଆଉ ସେ ପୁଅକୁ ଯାହାକୁ ଏକୋଇଶା ଦିନରୁ ଜଙ୍ଘରେ ପକାଇ ବାପା ଓ ମାଆଛେଉଣ୍ଡ ଛୁଆଟିଏ ବୋଲି ତେଲ ହଳଦୀ ଦେହରେ ବୋଳୁଥିଲୁ ତାକୁ ଚିହ୍ନି ନ ଥିଲୁ-?

 

...ଜନମ ଦେଇ ସୁଖଦୁଃଖରେ ଉଣେଇଶ ବରଷ ପାଳିଥିଲୁ । ଜୟୀଦାଦି ଆଉ ତାଙ୍କ ଭାରିଜାର କଅଁଳ କଥାରେ ଭୁଲି ଯମପୁରକୁ କଂସେଇ ହାତକୁ ଟେକିଦେଲୁ ଲୋ ବୋଉ ?

 

...ଏବଯାଏ ପ୍ରାଣ ହାରିନାହିଁ । ତୋ’ର ଛତରା, ବାଳୁଙ୍ଗା, ମଦୁଆ କୁଆଡ଼େ ରାଜା ପୁଅ-ଘର ଜୋଇଁ ଆନନ୍ଦଙ୍କର ସବୁ ନିର୍ଯ୍ୟାତନା ସହି ଆଜିଯାଏ ମୁଁ କାହିଁକି ବଞ୍ଚି ରହିଛି, ତତେ ନ ଲେଖିଲେ ଆଉ କାହାକୁ ଲେଖିବି ? ଅଲେଖ ତ ପିଲାଟା । ଭଉଣୀ ଘରକୁ ଖୁସିରେ ଆସିଥିଲା । ତାକୁ କ’ଣ କହନ୍ତି । ସେ ବା ବୁଝନ୍ତା କ’ଣ ?

 

...ବଞ୍ଚିଛି, ବଞ୍ଚିବିଲୋ ବୋଉ, ସବୁ ଦୁଃଖ, ସବୁ ଅତ୍ୟାଚାର ସହି ମୁଁ ନିଜକୁ ବଞ୍ଚାଇ ରଖିବି-। ମୋ ନିଜର କେଉଁ ସୁଖ ସଉଭାଗ୍ୟ ପାଇଁ ନୁହେଁ । ମୋ’ର ଆଖିର ପିତୁଳା, ସ୍ୱର୍ଗବାସୀ ସଉତୁଣୀ ମାଧୁରୀ ଦେବୀଙ୍କର ପେଟର ଛୁଆ ଶୋଭନ ପାଇଁ ଆଉ ମୋର ଦୁଃଖିନୀ ଶାଶୁଙ୍କ ପାଇଁ-

 

...ସେ ତ ଅଚଳ । ସେ ଗୁହାଳ ଘରେ ବଳଦର ନାତ ଖାଇ ଅଚଳ ହୋଇଥିଲେ କି ଗହଣା ବାକ୍‌ସ ଚାବି ମାଗିବାରୁ ଓ ତମର ଗୁଣବନ୍ତ ମଦୁଆ ଜୋଇଁଙ୍କୁ ନ ଦେଲେ ବୋଲି ଜୋତାପିନ୍ଧା ଗୋଡ଼ର ଗୋଇଠାମାଡ଼ରେ ଗୁହାଳ ଭିତରେ ବଳଦଙ୍କ ଉପରେ ପଡ଼ିଥିଲେ ?

 

...ଶାଶୁ ତ କହିବେ ନାହିଁ । ବଞ୍ଚିଥିଲେ କହିଥାନ୍ତେ ମାଧୁରୀ ଦି’ ମାସର ଛୁଆ ଶୋଭନ ତାଙ୍କ କୋଳରେ ଥିଲା ।

 

...ଶୋଭା ବୋଲି ଯେଉଁ ନିଆଶ୍ରୀ ଗଉଡ଼ୁଣୀ ଅଧାବୟସିଆ ଚାକରାଣୀଟି କାମଧାମ କରେ, ସେ ମାଧୁରୀଙ୍କର ହାତଧରି ଅଟକାଇ ରଖିଲା ।

 

...ସେଇ ମତେ ଗୁପ୍ତରେ କହୁଥିଲା, ‘ଶୁଣିଲେଣି ଦେଇ, ସାନ ସାଆନ୍ତଙ୍କ ସଙ୍ଗରେ ଫଟଫଟିଆ କୁଟ୍‌ର ଗାଡ଼ିରେ ଯେଉଁ ଲମ୍ବ-କଲିଆ କୁମ୍ଭାଟୁଆ-ଆଖିଆ ମଦୁଆ ଯୁଆନ-ସାଙ୍ଗ ଦି’ଟା ଆଇଛନ୍ତି, ସାନ ସାଆନ୍ତଙ୍କ ବଇଠକ ଘରେ ବସି ହେଁ-ହେଁ ହସୁଛନ୍ତି ଯେ...

 

...ମାଧୁରୀ କହିଲେ, ତୋ’ର କି ଥାଏ ଲୋ ଶୋଭା ?

 

...ବୋଉ ଲୋ, ଶୋଭା ମାଧୁରୀଙ୍କୁ କହିଲା, ‘ସାନ-ସାଆନ୍ତଙ୍କର ସେହି ମଦୁଆ-ସାଙ୍ଗ ଦି’ଟା ତାଙ୍କୁ ମତେଇ ଦେଇଛନ୍ତି । ସେ ସାଆନ୍ତାଣୀଙ୍କୁ କ’ଣ ମାଗିଲେ, ସେ ଦେଲେ ନାହିଁ । ଗୁହାଳ ଭିତରେ ପଶିଲେ । ବାବୁଙ୍କ ଉପରେ ସେ ପାଟି କରୁଥାନ୍ତି ।’

 

...ଶୋଭା ପୁଣି କହିଲେ, “ମୁଁ ଗୋଟାଛାଏଁ ଥରୁଥିଲି । ଧାଇଁଗଲି । ଗୁହାଳ ଭିତରେ ବାବୁ ପଶିଲେ । ଦେଖିଲି, ବାବୁ ମାଆଙ୍କୁ ଗୋଇଠାଏ ଦେଲେ । ସେ ବଳଦଙ୍କ ଉପରେ ପଡ଼ିଲେ । ମା’ଙ୍କ ଅଣ୍ଟାରୁ ଚାବି ପେନ୍ଥା ଓଟାରିନେଇ ବାବୁ ଟଳଟଳ ହୋଇ ମା’ଙ୍କ ଶୋଇବାଘରେ ପଶିଲେ ।’’

 

...ଛାନିଆରେ ମୋ ଗୋଡ଼ ଥରୁଥାଏ ଗୋ ଦେଈ । ତଥାପି, ମା’ଙ୍କୁ ସାହାଯ୍ୟ କରିବାକୁ ଗୁହାଳ ଭିତରେ ପଶିଲି । ବଳଦ ଦୁଇଟାଙ୍କ ମଝିରୁ ତାଙ୍କୁ ଘୋଷାରିଆଣି ଏପାଖ କାନ୍ଥକୁ ଆଉଜାଇ ବସାଇଲି ।

...ମାଧୁରୀ ତାଙ୍କର ଦୁଇମାସର ଛୁଆଟିକୁ କ୍ଷୀର ଦେଉଥିଲେ । ସେ ତଟସ୍ଥ ହୋଇ ପିଲାକୁ ପଲଙ୍କ ଉପରେ ବିଛଣାରେ ଶୁଆଇ ତଳକୁ ଡେଇଁଲେ । କହିଲେ, “ମତେ ତାଙ୍କର ମଦୁଆ ଥରିଲା ରଡ଼ି ଶୁଭୁଥିଲା । ସେଇଟା କିଛି ନୂଆ ଘଟଣା ନୁହଁ ।’’

...‘ତୁ ତ ଆଗରୁ ଜାଣିଥିବୁ, ଶୋଭା । ବୋହୁ ହୋଇ ଏଇ ରଜାଘରେ, ନା ଚୁଲିପାଉଁଶ ଅଲକ୍ଷଣା ଘରେ ପାଦ ଦେବା ଦିନରୁ ଏମିତି କେତେ ଘଟଣା ଘଟିଛି । ତାଙ୍କ ଉତ୍ପାତର ରୂପ ମୁଁ ଦେଖିଛି । ତୁ କ’ଣ ଦେଖିନୁ ?’

...ଶଶୁରେ ବଞ୍ଚିଥିଲାବେଳେ ତାଙ୍କର ଟିକିଏ ଭୟ ଥିଲା । ତଥାପି, ଭଗାରିହସା ଏ କୁଟୁମ୍ବ ହେଉଥିଲା ।

...ଶଶୁରେ ପାଟିତୁଣ୍ଡ କରନ୍ତି । ତାଙ୍କ ପୁଅକୁ ବୁଝାନ୍ତି । ଛତରା ଟୋକାଙ୍କ ସାଙ୍ଗ ହୋଇ ମିଛିମିଛିକା ନୂଆ ନୂଆ ବେପାରରେ ହାତ ଦେବାକୁ ମନା କରନ୍ତି । କିନ୍ତୁ ପୁଅଙ୍କ ନୂଆ ଉତ୍ସାହ ଭାଙ୍ଗି, ତା’ ମନରେ ଦୁଃଖ ନ ଦେବାକୁ ଶଶୁରକୁ ଲୁଚାଇ, ଶାଶୁ ତାଙ୍କୁ ଦିଅନ୍ତି ।

...ସେ ଖୁସି ହୋଇ, ଶାଶୁଙ୍କୁ ଗେଲ କରନ୍ତି ମ । ସେତିକିରେ ଶାଶୁ ସରଗସୁଖ ପଆନ୍ତି ଲୋ, ଶୋଭା । ତିନି ବର୍ଷର ବୋହୁ ମୁଁ ହୋଇସାରିଥାଏ । ମୋ’ ନୂଆ ପଣିଆ ଭାଙ୍ଗି ସାରିଥାଏ । ଶାଶୁଙ୍କ ଉପରେ ଖୁସିରୁ ଅଳପ ମୋ’ପାଖକୁ ବି ଚାଲିଆସିଥାଏ । ପାଖକୁ ବି ଚାଲିଆସେ ।

...ମୁଁ ତାଙ୍କୁ ପଚାରନ୍ତି କ’ଣ ଲୋ ଶୋଭା ? ଓଲଟି କୋରା ଖାଇବାକୁ ? ପୁଣି ଗୋଟିଏ ଗହଣା ହରାଇବାକୁ ? ପିଠିରେ ଦି-ଘୁସା, ଗାଲରେ ଥାପଡ଼ ମୂଲାଇବାକୁ ?

...ମା’ଙ୍କ ପାଖରୁ ଆସି ମତେ ଟିକିଏ ଗେଲ କରନ୍ତି । ଡରରେ ମୋ ଛାତି ଥରୁଥାଏ । କାଳେ ମୋତେ ଆହ୍ଲାଦ କରି ଗେଲରେ ଗେଲରେ ମୋ ଧିଅରୁ ଗହଣା ଖଣ୍ଡିଏ ସଫା କରାଇବାକୁ ମାଗିବେ । ଦେବି କି ନ ଦେବି ସେଥିକୁ ଅପେକ୍ଷା ନ କରି ସେ ନିଜେ ଖୋଲିବେ । ସେଥିକୁ ମୋର ଡର ।

...ବୋଉ ଲୋ, ଶୋଭା ମୋ ଆଗରେ କହେ, ଶୁଣ ନଉଲୀ ଦେଈ, ମୋ ସାନକୁହା ମାନ-। ବାପଘରୁ ଯେଉଁ ଦି ଖଣ୍ଡି ଝିଆଣିଆ ଗହଣା ଆଣିଛ ସେତିକି ଧିଅରେ ପିନ୍ଧ । ତମ ଶାଶୁ ଖାଣ୍ଟି ଜୟୀପୁରୀ ସୁନାରେ ଯେଉଁ ଗହଣାମାନ ଗଢ଼ାଇଲେ, ତାକୁ ଉତାରି ଶାଶୁ ସାନ୍ତାଣୀଙ୍କୁ ଦିଅ ।

...ମାଧୁରୀ ବଞ୍ଚିଥିଲାବେଳେ ମୁଁ ତାଙ୍କୁ ଏହା କହିଲାରୁ ସେ ପଚାରନ୍ତି, ‘‘କାହିଁକି ଲୋ ଶୋଭା । ଯିଏ ମୋର ଏ ଜନ୍ମର, ପୁଣି ଆସନ୍ତା-ଜନ୍ମମାନଙ୍କର ଦେବତା ତାଙ୍କଠେଇଁ କପଟ କରି ନରକକୁ ଯିବି ? ତାଙ୍କରି ଦରବ ତ ।”

...ଶଶୁରେ ବଞ୍ଚିଥିବାଯାଏ ତମ ଜୋଇଁ ମାଧୁରୀଙ୍କ ଦେହରୁ ଗହଣା ନେବାକୁ ସାହସ କରୁ ନ ଥିଲେ । ତାଙ୍କର ଧନର ଅଭାବ ହେଉ ନ ଥିଲା । ବିଭିନ୍ନ ପ୍ରକାର ଫନ୍ଦି କରି ଶଶୁରେ ଯେଉଁ ଧନ ଆଣୁଥିଲେ, ସବୁ ଶାଶୁଙ୍କର ଲୁହା ସିନ୍ଦୁକରେ ରହୁଥିଲା ।

...ବେପାର ଆଗରେ ବୋଉଙ୍କୁ ଏଣୁ ତେଣୁ କହି, ନାଲିଛାଲି ହୋଇ ସେ ଭୁଲାଉଥିଲେ । ବୋଉଙ୍କର ଗୋଡ଼ଧରି ସବୁ ଠାକୁରଙ୍କ ରାଣ ପକାଇ ସେ ପ୍ରତିଜ୍ଞା କରୁଥିଲେ ଯେ ଆଉଦିନେ କେବେ ସାଙ୍ଗଙ୍କ ମେଳରେ ନିଶାପାଣି ଛୁଇଁବେ ନାହିଁ । ସେ କାନ ମୋଡ଼ି ହୁଅନ୍ତି । ନିଜ ଗାଲରେ ନିଜେ ଜାବୁଡ଼ା କଷନ୍ତି ।

...ଶାଶୁଙ୍କର ଧୈର୍ଯ୍ୟ ଟଳେ । ସେ ବିଶ୍ୱାସ କରି ପୁଅ ଯାହା ମାଗେ ଦେଇ ଦିଅନ୍ତି ।

...ଶୋଭା ଗପେ, ଶଶୁର ବଞ୍ଚିଥିବାଯାଏ ଏମିତି ପାଲା ଚାଲିଥିଲା । ଜୟୀଦାଦିଙ୍କୁ ଅଜଣା ନ ଥିଲା । ଯେବେ ସେ ଆସୁଥିଲେ, ତମ ଗୁଣବନ୍ତ ଜୋଇଁଙ୍କୁ ବି ସେ ଟେକାଟେକି କରି କହୁଥିଲେ-। ତାଙ୍କର ହାତ ଦେଖୁଥିଲେ । ବଡ଼ତି କରି କହୁଥିଲେ ।

...ବେପାରରେ ନିଶ୍ଚୟ ଲାଭ ହେବ । ଅଚାନକ ବହୁତ ଧନ ଶୂନ୍ୟରୁ ଗଳିଲା ପରି ହାତକୁ ଆସିବ ।

...ନାହିଁ ନାହିଁ କରି ମୁଣ୍ଡ ହଲାଉଥିଲେ ବି ତମର ନିର୍ବୋଧ ମଦୁଆ ଜୋଇଁ ତାଙ୍କ ହାତରେ ନୋଟ୍, ଟଙ୍କା ଗେଞ୍ଜି ଦିଅନ୍ତି ।

...ଶୋଭା କହେ, କେତେ ଦେଉଥିବେ କିଏ ଜାଣେ ?

...ଦେଖନୁ ବୋଉ, କେଇଟା ବର୍ଷରେ କେମିତି ଜୟୀଦାଦିଙ୍କ ଧନସମ୍ପତ୍ତି ହାଉଲେ ହାଉଲେ ବଢ଼ି ଉଠିଛି । ଏ ଘରର ଅଧର୍ମ ବିତ୍ତ ଧୀରେ ଧୀରେ ବଢ଼ିଥିଲା ପରି । ନାମର ବି ଡାକ ଥିଲା । ଗଲାବେଳେ କେଡ଼େ ବେଗେ ବେଗେ ଯାଉଛି ।

 

...ଶୋଭା ମତେ କହେ, “ମାଧୁରୀଙ୍କ ପେଟରୁ ଜନମିଲା ଛୁଆ ଶୋଭନଟି ଉପରେ ଦୟା ରଖିଥିବ ଗୋ ନଉଲୀ ଦେଈ, ଠାକୁରେ ତମୁକୁ ପାଞ୍ଚ ପୁଅରେ ସୁନାଲାଖୀ ଉଦିଆ ଚାନ୍ଦ ପରି ଝିଅଟିଏ ଦେଉନ୍ତୁ । ୟେ ତମର ସେଇ ତିନିମାସର ବାହୁଡ଼ା ପୁଅ ବୋଲି ମଣିବ ।’’

 

...ଶୋଭା ଆଖି ପୋଛେ । ପୁଣି କହେ, ‘ଦେଈ ଗୋ, ଗାଁ ଲୋକେ, ଅବା ଆଉ କେଉଁମାନେ ୟା ବି କହନ୍ତି ଯେ ବଟ ସାଆନ୍ତରାଙ୍କ ବାଳୁଙ୍ଗା ପୁଅର ଛତରା ସାଙ୍ଗମାନେ ଗୁଣ୍ଡା ଲଗାଇ ସାଆନ୍ତଙ୍କ ଓର ଉଣ୍ଡି ଭୂତ ରୂପରେ ଗୋ ଗୋଠ ବାଡ଼ିଆ କରାଇ ଛୁ କରିଥିଲେ ।’

 

...‘କାହିଁକି ଏପରି କରିବାକୁ ମନକଲେ ? ଏମାନେ କୁହାକୁହି ହୁଅନ୍ତି ଯେ ବୁଢ଼ାଙ୍କୁ ଖତମ କଲେ ଆନ୍ଦଙ୍କ ଟଙ୍କା ପାଇବାରେ ସଜ ହେବ । ସବୁ ଧନ ସମ୍ପତ୍ତିର ସେ ହେବେ ମାଲିକ ।’

 

...ସେଇଆ ସେ ହେଲେ । ଶଶୁର ବଡ଼ ସହରର ବଡ଼ ଡାକ୍ତରଖାନାରେ ରହିଥିଲେ । ଗଲାବେଳେ ଅମାରଘର, ଭଣ୍ଡାରଘର, ତାଙ୍କ ଲୁହାସିନ୍ଦୁକର ଚାବି ସହ ଅନ୍ୟାନ୍ୟ ବାକ୍‌ସ ଚାବିପେନ୍ଥା ତାଙ୍କର ଗେହ୍ଲାବୋହୁ ମାଧୁରୀଙ୍କୁ ଦେଇ ଯାଇଥିଲେ, କାରଣ ପୁଅଙ୍କର ଢଙ୍ଗ ସେ ଭଲକରି ଜାଣିଥିଲେ ।

 

...ବୋଉ ଲୋ,

 

...ନିଆଶ୍ରୀ ନିଅଂଶୀ ଶୋଭା ଉପରେ ଶାଶୁଙ୍କର ଅଟଳ ବିଶ୍ୱାସ ଥିଲା । ଶାବନୀ ଦରବୁଢ଼ୀଟିଏ । ନିଖୁଣ ମୁହଁ । ବେଶ୍ ବଳୁଆ ଦିହ । କାମ ସଫା ସୁତୁରା । ଦେହରେ ଅଳସ ନ ଥାଏ । କେଉଁ କାମକୁ ସେ ଛୋଟ ମଣେ ନାହିଁ, ନାକ ଟେକେ ନାହିଁ । ଶାଗପାଣି, ଅଲଣା-ନୂଣିଆ ତା’ତୁଣ୍ଡକୁ ସବୁ ସୁଆଦ । ସମସ୍ତଙ୍କର ସେ ବିଶ୍ୱାସୀ ।

 

...ଡାକ୍ତରଖାନାରେ ଶାଶୁଙ୍କ ପାଖରେ ରହି ସେ ସେବା କରୁଥିଲା । ତାଙ୍କର ଗେଲବସରୀ ବୋହୁ ମାଧୁରୀ କନ୍ଦାକଟା କରି କେତେଥର ବଳଦଗାଡ଼ିରେ ଗାଁର କାହାକୁ ଜଣେ ସାଙ୍ଗରେ, ଅବା କେବେ ତମ ଜୋଇଁଙ୍କ ସାଙ୍ଗରେ ଯାଆନ୍ତି । ଶାଶୁଙ୍କର କି ସେବା ସେ କରିବେ ? ପାଦ ଆଉଁସି, ଆଖିରୁ ଲୁହ ଗଡ଼ାଇ ଫେରନ୍ତି ।

 

...ଶାଶୁ ତାଙ୍କୁ ପାଖକୁ ଡାକି ନିରୋଳାରେ କହନ୍ତି, ମରିବି ନାହିଁ ଲୋ ମା’ । ତାଙ୍କ କର୍ମଦୋଷରୁ ସେ ଭୂତବାଡ଼ିଆ ଖାଇଲେ । କେଡ଼େ କଲବଲ ହୋଇ ସେ ପୁରକୁ ଗଲେ । ଯାହାକୁ ଦେଖିବେ ବୋଲି ତିନି ବର୍ଷରୁ ଅଧିକ କାଳ ସେ ତୋ ମୁହଁକୁ ଚାହିଁ ରହିଥିଲେ, ସେ ଆସିଲା ନାହିଁ । ହତାଶ୍‍ ହୋଇ ଏଇ ଡାକ୍ତରଖାନାରେ ସେ ଚିରଦିନ ପାଇଁ ଆଖି ବୁଜିଲେ ।

 

ମୁଁ ସହଜରେ ମରିବି ନାହିଁଲୋ, ମା’ ମାଧୁରୀ । ଅଚଳ ହୁଏ ପଛେ ତୋ ଶଶୁରଙ୍କୁ ତୋ’ରି କୋଳରେ ଦେଖିବି । ତାଙ୍କ କଅଁଳ ପାଟିରୁ କୁଆଁ - କୁଆଁ ରଡ଼ି ଶୁଣିବି । ତେବେ ଯାଇଁ ଖୁସିରେ ମରିବି ।

 

‘ତିନିମାସ ହେବ ସେ ଆସି ତୋ ପେଟରେ ରହିଲେଣି । ଶୋଭା ମତେ କହୁଥିଲା । ମୁଁ ତ ଏଠି, ଚାରିମାସ ପୂରିବଟି । ଶୋଭା ବେଶି ବେଳ ମୋ’ ପାଖରେ ରହୁଛି । କିଏ ତୋ’ର ଯତ୍ନ ନେଉଥିବ ? ଆନନ୍ଦଟା ବାଇଆ । ଡହରାପଣକୁ ସରିଛି ଏଠି ସେଠି ହେଉଥିବ ।’

 

...ଶୋଭା କହେ, “ମୋ ଶାଶୁ କାନ୍ଦି ପକାଇଲେ । ମାଧୁରୀ ଦେବୀଙ୍କ ଆଖିରେ ଲୁହ ଢଳ ଢଳ ହେଲା । ଜେତେ ଦେବଦେବୀ ପୂଜା କରାଇ, ଦୁଃଖୀ ଦରିଦ୍ର, ଯୋଗୀ ଭିକାରିଙ୍କୁ ମନଖୁସିରେ ଦାନ ଖଇରାତ କରି, ବ୍ରାହ୍ମଣ ବୈଷ୍ଣବଙ୍କୁ ଆତ୍ମାତୁଷ୍ଟି କରି ଭୋଜନ ଦେଇ, ମନ ସନ୍ତୋଷ କରି ଦକ୍ଷିଣା ଦେଇ, ଶାଶୁ ମାଧୁରୀ ଦେବୀଙ୍କ କୋଳରେ ପୁଅଟିଏ ଦେବାକୁ କଲ୍ୟାଣ ସଂଗ୍ରହ କରିଥିଲେ-। ତିନି ବର୍ଷ କାଳ ।’’

 

‘ଶଶୁରେ ହତାଶ୍‍ ହୋଇଥିଲେ । ଶେଷକୁ କଲବଲ ହୋଇ ଜୀବନ ପଛେ ଛାଡ଼ନ୍ତୁ, ଆସି ବୋହୁର ପେଟରେ ଆଶ୍ରା ନେଲେଣି ।’

 

...ଶୋଭା ମତେ କହୁଣୁ ନିଜେ କାନ୍ଦିପକାଏ । ତରତର ହୋଇ ଅଞ୍ଚଳରେ ଲୁହ ପୋଛେ-। ଏଣେତେଣେ ଦୃଷ୍ଟି ବୁଲାଇ କହେ, ‘ନଉଲୀ ଦେଈ ଗୋ, ଡାକ୍ତରଖାନାର ଖଟ ଉପରେ କେତେ ରୋଗଣୀଙ୍କ ମେଳରେ, ନିଜର ବିଛଣାରେ ତକିଆକୁ ଆଉଜି ଶାଶୁ ବସିଥିଲେ । ଗୋଡ଼ ଆଉଁସୁଥିଲେ ମାଧୁରୀ ଦେଈ । ତାଙ୍କ କପାଳରୁ ଓଢ଼ଣା ଖସି ଆସିଲା ।’

 

‘ମାଧୁରୀ ତାକୁ କପାଳ ଉପରକୁ ଉଠାଇବା ଲାଗି ହାତ ଟେକନ୍ତେ ଶାଶୁ ତାଙ୍କ ହାତଟି ଅଟକାଇଲେ । ହାତ ଉଠାଇ ନିଜେ ମାଧୁରୀଙ୍କର ତାଳୁ ଉପରେ ଆଙ୍ଗୁଠି ମାରିଲେ ।’

 

କୋହ ଅଟକାଇ କହିଲେ, ‘ବୁଝିଲି ମା’, ସେଇ ଚଣ୍ଡାଳ ତତେ ଏ ଦଶା ଦେଇଛି । କପାଳ ଉପରେ ବାଡ଼ିରେ ପାହାର ପିଟିଛି । ମୁଁ ଏଇଆ ଦେଖିବାକୁ ବଞ୍ଚି ରହିଛି । ବଞ୍ଚିବାକୁ ମନ କରିଛି ।’

 

‘ବୁଢ଼ୀ ମା’ଙ୍କ ଆଖିରୁ ଲୁହ ଝରିପଡ଼ୁ ଥାଏଗୋ ନଉଲୀ ଦେଈ, ଭାଗ୍ୟକୁ ନିନ୍ଦି ନିଉଁଛୁଣା ଦଇବକୁ ଗାଳି ଦେଲେ । କହିଲେ ତୁ ଅଲକ୍ଷଣା ନିଷ୍ଠୁର ଦଇବ ଏଇଆ ଦେଖେଇବାକୁ ମତେ ବଞ୍ଚାଇ ରଖିଲୁ ? ନିତି ଏ ଘରୁ ତୁ ଯାହାକୁ ହେଲେ ଓଟାରି ନେଉଛୁ । ମୁଁ କି ଦୋଷ କଲି ଯେ ମତେ ବଞ୍ଚାଇ ରଖି ଏମିତି କଲବଲ କରୁଛୁ ?’

 

ମାଧୁରୀ ସାନ୍ତ୍ୱନା ଦେବାକୁ କହିଲେ, ଏତେ ବ୍ୟସ୍ତ ହୁଅନା, ବୋଉ, ବେଶି କିଛି ହୋଇନାହିଁ । ଚାବିମୁଠାକ ନ ଦେବାରୁ ଛୋଟ ପାଞ୍ଚଣ ବାଡ଼ିରେ...

 

ଆଉ ସେ ମାଡ଼ କଥା କହିଲେ ନାହିଁ ଗୋ ଦେଈ, କହିଲେ, ଚାବିପେନ୍ଥା ମୋ ଠାରୁ ଛଡ଼ାଇ ନେଲେ । ତୁମ ଘରେ ପଶି କବାଟ କିଳିଲେ । ମୋ ରହିବା ଘରର ଶିକୁଳି ବାହାରୁ ଦେଇଥିଲେ । ମୁଁ ବାଧା ଦିଅନ୍ତି କେମିତି ? ପଲଙ୍କ ଉପରେ ବସି ଝରକାର ଫାଙ୍କରେ ଦେଖୁଥିଲି ।

 

 

‘କେତେବେଳେକେ ସେ ଛୋଟ ପୁଡ଼ିଆଟି ଧରି ତୁମ ଘରୁ ବାହାରିଲେ, ବୋଉ, ମଦନିଶାରେ ଟଳଟଳ ହେଉଥିଲେ । ତାଙ୍କର ଚାରା ନ ଥିଲା । ମୋ ଘରର ଶିକୁଳି ଖୋଲି ଚାବିପେନ୍ଥା ଘର ଭିତରକୁ ପକାଇଦେଲେ ।’

 

‘ଅତି କଷ୍ଟରେ ପଲଙ୍କ ଉପରୁ ତଳକୁ ଓହ୍ଲାଇଲି । ତାଙ୍କୁ ବାଧା ଦେଲି । ହେଲେ, ସେ ମତେ ଠେଲି ଦେଲେ । ଦାଣ୍ଡରୁ କିଏ ଜଣେ ତାଙ୍କର ନାମ ଧରି ଡାକ ଛାଡ଼ିଥାଏ । ସେଇ ବେପାରୀପୁଅ ହେବ ପରା, ଅବା ଆର ସାଙ୍ଗ ଜଣକ ହୋଇଥିବ । ସେ ମଟର ସାଇକଲର ତୁରୀ ବଜାଉଥାଏ ।

 

‘ଭାବିଲି, ସେହି ଦୁଇଟା ସାଙ୍ଗ ଏ ଘରର ବୋହୁ କରି ମୋ ପରିକା ଜଣେ ମୂଲିଆ ଝିଅକୁ ଆଣିବା ଆଗରୁ ମେଲଣ ପଡ଼ିଆରେ ଯାହାଙ୍କର ବଜାରିଆ ଢଙ୍ଗର ପରିଚୟ ଏକା ମୁଁ ନୁହେଁ, ବୋଉ, କୋଡ଼ିଏ କି ତିରିଶିଟି ଗାଁର ମାଇପେ ମିଣିପେ ଦେଖିଥିଲେ, ସେମାନେ ଅଳପେଇସା ହେଉନ୍ତୁ ବୋଲି ଠାକୁରମାନଙ୍କ ପାଖରେ ପ୍ରଥମ ମାଗୁଣି ମାଗିଥିଲେ, ସେହି ଦୁଇ ଜଣ ।’

...ଶାଶୁ କୁଆଡ଼େ ମୁହଁ ଆମ୍ବିଳା କଲେ ।

..ଶୋଭା ମୋ ଆଗରେ ନିରୋଳାରେ ଗପେ ତା’ ମନକୁ । ରାଗିଲା ନାଗପରି ସେହି ଡାକ୍ତରଖାନାର ଖଟ ଉପରେ ଫଁ ଫଁ ଗରଜି ତୁମରି ଶାଶୁ ଦୁଖିଃନି ମାଧୁରୀଙ୍କୁ କହିଲେ, “ସେହି ଛତରା ଟୋକା ଦି’ଟାଙ୍କୁ ମୁଁ ବହୁତ ଦିନରୁ ଜାଣେ ଲୋ ମା’, ସେମାନଙ୍କୁ ବାଡ଼ି ଖାଉ ।’’

...ମାଧୁରୀ ପଚାରିଲେ, “ବହୁତ ଦିନରୁ ? ବୁଢ଼ୀ ଜବାବ ଦେଲେ ଆନ୍ଦିଆ ବଡ଼ପାଠ ପଢ଼ିବାକୁ କଲେଜରେ ନାଁ ଲେଖାଇ ପଢ଼ିଲା ପରେ ଜାଣିଲି ।’’

‘ଜଣେ କେଉଁ ରାଜବଂଶୀ ପିଲା । ରାଜୁତି କଲାବେଳେ ରାଜା ତାଙ୍କ ତୃତୀୟ ପୁଅକୁ ଏଠିକା କୋଠି ଓ ସେଠି କ’ଣ ଜମି ଜମିଦାରୀ ଦେଇଥିଲେ । ଏ ପୁଅ ଅଧାବୟସରେ ଅସନା ରୋଗରେ ମରିବା ଆଗରୁ ସମ୍ପତ୍ତି ବାଣ୍ଟି ଦେଇଥିଲେ ।’

‘ଦି ପୁଅ । ସାନପୁଅ ସେଠିକା ସମ୍ପତ୍ତି ଓ ଜମିରୁ ଅଧେ ନେଲେ । ବଡ଼ ନେଲେ ଏଠିକା କୋଠି, କିଛି ସହଜିଆ ଭୂଇଁ, ପୁଣି ପାଖରେ ଯାହା ଥିଲା, ସବୁ ସୁନାରୁପା, ଗହଣାଗାଣ୍ଠି, ନଗଦ ଧନ ।’

‘ସେହି ସାନ ଅଂଶଙ୍କର ଏହି ପିଲାଟି ଚତୁର୍ଥ ସନ୍ତାନ । ନାମ କ’ଣ ମୁଁ ଭୁଲିଗଲି । ପରତାପ ସିଙ୍ଗ, ନା ଆଉ କ’ଣ । ପୁଅ ତାକୁ ସିଙ୍ଗି ବୋଲି ଡାକେ ।

‘କି ସୁନ୍ଦର ରୂପ ଆଉ କେଡ଼େ ବଳୁଆ ଚାରିହାତିଆ ମଣିଷ ଦେଖିଲୁ ତ ? ଆଖି ଦୁଇଟି ଦିଶେ କୁମ୍ଭାଟୁଆର ଆଖି ପରି ରଙ୍ଗିଲା । ଦିନରାତି ମଦ ପିଉଥାଏ କି କ’ଣ । ଗହଳିଆ ନିଶ ହଳକ ଛୁଞ୍ଚି ମୂନ ପରି ଗୋଜା ଗୋଜା କରିଥାଏ ।

‘ଆନ୍ଦ କହୁଥିଲା, ତା’ ଉପର ତିନି ଭାଇ ବାହା ହୋଇନାହାଁନ୍ତି । ତେଣୁ ପ୍ରତାପର ପାଳି ପଡ଼ିନାହିଁ । ସେ ଗୋଟାଏ ସିନେମା ଘର କରୁଛି । ଅଧା କାମ ହୋଇ ଅଟକିଛି । ଟଙ୍କା ସରିଗଲା । ସେଇ ଘରତୋଳା ପାଇଁ ଆଉ ବହୁତ ଟଙ୍କା ଦରକାର ।’

ସେ କେତେଜଣ ଭଗଦାର ଖୋଜୁଥିଲା । ଘରତୋଳା ସରିଲେ, ସିନେମା-ଛବି ଚାଲିଲେ, ଟଙ୍କା, ଯାହା କହନ୍ତି, କୁଆଡ଼େ କୁଆପଥର ପରି ବୃଷ୍ଟି ହେବ ।

‘ବହୁତ ଲାଭ ହେବ । ଭଗଦାରମାନେ ବାଣ୍ଟିନେବେ । ନ ହେଲେ ଯଦି ଋଣ ମିଳେ, ତେବେ ବି ଭଲ । ଚଢ଼ା ହାରରେ ସେ ସୁଧ ଦେବ । ଋଣ ବି ଲାଭ ଧନରୁ ହାଉଲେ ହାଉଲେ ସେ ଶୁଝିଦେବ ।’

‘ଆନନ୍ଦ ମତେ ଏମିତି ବୁଝାଉଥିଲା । ମାଧୁରୀ ଲୋ, ତୋ ଶଶୁର ବଞ୍ଚି ଥିବାଯାଏ ଆନ୍ଦିଆ ଏ ବିଷୟରେ ତାଙ୍କୁ କିଛି କହୁ ନ ଥିଲା । ମତେ ଥରେ କହୁଥିଲା, ବେଶୀ ପାଠ ପଢ଼ି ପରଘରେ, ସରକାର ହେଲେ କି ହେଲା, ଗୋଲାମି କରିବି କାହିଁକି ? ମୁଁ ବେପାର କରିବି ।’’

‘ମୁଁ ତାକୁ କହିଲି, ତୋ ବାପା ରାଜି ହେବେ ନାହିଁ । ତାଙ୍କର ଇଚ୍ଛା ଯେ ତା’ର ପାଠ ଦରକାର ନାହିଁ । ଚାଷବାସରେ ମନ ଦେ । ସହରିଆ ଢଙ୍ଗ ଛାଡ଼େ । ରାଜବଉଁଶିଆ ହେଉ, ଅବା କେଉଁ ବେପାରୀ ମହାଜନ ସାହୁଘରର ତରକା ପୁଅ ହେଉ, ତାଙ୍କର କୁ-ଶିକ୍ଷାରେ ପଡ଼ି ଧନ ବିନର୍ବ୍ୟୟ କରନା ।’

‘ସାହସ କରି ସେ ଟୋକା ଦିନେ ତୋ ଶଶୁରଙ୍କ ଆଗରେ ତା’ ବେପାର କରିବା କଥା କହିଲା । ତା’ ସାଙ୍ଗ ଦିହେଁ ସେହି ଘରେ ବସିଥିଲେ । ଆର ସାଙ୍ଗ କେଉଁ ଲକ୍ଷପତି, ଜଣେ ସାହୁଙ୍କର ମାଳଶ୍ରୀ ପୁଅଙ୍କ ଭିତରୁ ଜଣେ । ଆଗ ନୁହେଁ, ପଛ ନୁହେଁ, ମଝିମଝିକା ଜଣେ । ତା’ ନା ବିବେକ । ପୁଅ ତା’କୁ ଖାଲି ବିକ ବୋଲି ଡାକେ ।’

‘ମା ଲୋ ମାଧୁରୀ, ଦେଖିଥିବୁ ତ ତା’ର ଷଣ୍ଢାଳିଆ କଳା ମିଟିମିଟି ଧିଅ, ଆଉ ବିଲେଇ ପରି ଗୋଲିଆ ମୁହଁ । ମୁଗୁନିପଥରରେ କୁନ୍ଦା ହେଲାପରି ଦିଶେ । ଛୋଟ ଛୋଟ ଆଖି ଦୁଇଟିର ଚାହାଣି କ’ଣ ଯେମିତି କେଉଁଠି ଭଣ୍ଡୁଥାଏ ।’

ତା’ର ବେପାରୀ ବୁଦ୍ଧିକୁ ପ୍ରଶଂସା କରି ଦିନେ ପୁଅ ଆମର ମତେ କହୁଥିଲା, ବୋଉଲୋ ସେ ଗୋଟାଏ ବିଚକ୍ଷଣ ବେପାରୀ । ତା’ ବାପାଠୁଁ ଇଲମ୍ ଶିଖିଛି ।

‘ପଚାରିଲି, ବାପାଠୁଁ, କେମିତି ?’

କହିଲା, ତା’ ବାପା ଜଣେ ପଶ୍ଚିମ ଦେଶର ବେପାରୀ ଘରେ ବାର ବରଶ ଚାକିରି କରିଥିଲା । ଖାଦ୍ୟ ଦରବରେ ଭେଜାଲ ମିଶାଇ ଅଖାଦ୍ୟ କରି ତାକୁ ବିଶୁଦ୍ଧ ବୋଲି ପ୍ରଚାର କରିବା ବିଦ୍ୟା ସେ ଶିଖିଲା । ମୁଁ ବି ଶିଖିଲିଣି କହି ସେ ଟୋକା ଗରବ କରେ ।

‘ମୁଁ ତାକୁ ପଚାରିଲି ବୋଉ-ହଇରେ ବିକ, ଅଖାଦ୍ୟ ଖାଇ ଲୋକେ ବେମାର ହେବେ ଯେ-।’

 

‘ବିକ କହିଲା, ‘ହେଲେ ଭଲରେ ଆନନ୍ଦ । ଡାକ୍ତର, ବଇଦ ଯିଏ ହେଲେ ଡକା ହେବେ । ସେମାନେ ପଇସା ନେବେ । ଓଷଦ-ଦେକାନୀ ଆଉ ଯେ ଓଷଦ ତିଆରି କରାଇଛି ସମସ୍ତେ ସେହି ରୋଗୀର ପଇସାରୁ କିଛି କିଛି ପାଇବେ । ସମସ୍ତଙ୍କର ବେପାର ଚଳିବ ।’

 

‘ପଚାରିଲି, ଠିକ୍ କହିଲୁ ଯେ, ଯଦି ଅଖାଦ୍ୟ ଖାଇ ରୋଗୀର ମରଣ ହୁଏ ?’

 

ବିବେକା କୁଆଡ଼େ ବୁଝାଇ କହିଲା, “ମରୁ । ପୁରୋହିତ, ଭଣ୍ଡାରୀ, ବାଜାବାଲା, କାଠବେପାରୀ ଅଳ୍ପେ ବହୁତେ ସେମାନଙ୍କର ପାଉଣା ପାଇବେ । ତାଙ୍କର ଅଭାବ ମେଣ୍ଟିବ । କୁଟୁମ୍ବ ସୁଖରେ ଚଳିବେ । ସେମାନଙ୍କର ବେପାର ବଢ଼ିବ ।’’

 

‘‘ସନ୍ତାନ-କୁଟୁମ୍ବ, ବନ୍ଧୁବାନ୍ଧବ, ଗ୍ରାମବାସୀ, ହାତ ପାତିଲା ଦୁଃଖୀରଙ୍କୀ, ଅକର୍ମଣ୍ୟ ମାଗନ୍ତା ଭିକାରିଦଳ ବି ଖୁସି । ମରିବା ଲୋକର ଆତ୍ମା ତ ସ୍ୱର୍ଗକୁ ଯିବ, ସେ ଖୁସି ନ ହେବେ କାହିଁକି ? ଉତ୍ତରଧିକାରୀମାନେ ମାଲିକ ହେବେ । ଖୁସି ନ ହେବେ କାହିଁକି ? ସେମାନଙ୍କର ବେପାର ବଢ଼ିବ ।’’

 

‘‘ପୁଣି ସେ ଅଲକ୍ଷଣା ବିକ୍ରମ କୁଆଡ଼େ ଆନନ୍ଦକୁ ବୁଝାଇ କହିଲା ଲୋ ମାଧୁରୀ, ଉତ୍ତରଧିକାରୀଏ ଯଦି ସମ୍ପତ୍ତିର ଭାଗବାଣ୍ଟ ନେଇ ବିବାଦ କରି କୋର୍ଟ କଚେରୀକୁ ଧାଆଁନ୍ତି, ଓକିଲ, ଟରଣୀ, ପେସ୍କାର, ଗାଁ-ଟାଉଟର, ସଭିଙ୍କର ବେପାର ବଢ଼ିବ ।’’

 

‘‘ଖାଦ୍ୟକୁ ଅଖାଦ୍ୟ କଲେ କୁଆଡ଼େ ଏତେ ଲୋକଙ୍କର ବେପାର ଚଳେ । ଆନନ୍ଦକୁ ସେଇ ଚୁଲିପଶା ବିକ୍ରମ ଏମିତି ବୁଝାଏ ଲୋ ମାଧୁରୀ ।’’

 

...ଶାଶୁ କହନ୍ତି ଲୋ ବୋଉ, ବିକ୍ରମ ତାଙ୍କ ଆଗରେ ବି ଦିନେ ଏମିତି ଗପିଲା । ଟୋକାଟା ହେଁ ହେଁ ହୋଇ ହସିଲା । ଶାଶୁ କୁଆଡ଼େ ମାଧୁରୀଙ୍କୁ କହନ୍ତି, “ମୋ ହାଡ଼ରେ ନିଆଁ ଲାଗିଲା ପରି ମଣିଲି । ଭାବିଲି, ସେଇ ମୁହଁଟାରେ ଛାଞ୍ଚୁଣିରେ ଦି’ପାହାର ଦେବି । ଧଇର୍ଯ୍ୟ ଧରିଲି ଲୋ ଝିଅ ।’’

 

‘ଆମ ନିଜ ସୁନା ଭେଣ୍ଡି; ଦୋଷିବି କାହାକୁ ? ପୁଅ ଆନନ୍ଦ ଯଦି କୁହାର ବୋଲାର ହୋଇଥାନ୍ତା, ଆମ କଥା ମାନି ସେଇ ଦୁଇଟା ଚିତାକଟା ଠକ ସାଙ୍ଗଙ୍କ ପାଖ ପଶି ନ ଥାନ୍ତା, ସେ ଦି’ଟା ମଦ ଖାଇ ମତୁଆଲା ହୋଇ କାହିଁକି ଏ ଗାଆଁର ଦାଣ୍ଡ ମାଡ଼ିଥାନ୍ତେ, ଆମର ଲକ୍ଷ୍ମୀ ଘରେ ପାଦ ଥୋଇଥାନ୍ତେ ?’

 

‘ମାଆ ଲୋ, ଗୋଟିଏ ବୋଲି ପୁଅ । ତାକୁ ଆଉ ତୋ ଶଶୁରେ ଶାସନ କରନ୍ତେ କ’ଣ ? ଓଲଟି, ସେ ଯାହା ମାଗୁଥିଲା ଆଖି ବୁଜି ସେଇଆ ତାକୁ ଦେଉଥିଲେ ।’ ଖାଲି ତାକୁ କହୁଥିଲେ, “ଅପବ୍ୟୟ କରିବୁ ନାହିଁ । ପରଙ୍କ ପିଛା ଖରଚ କରିବୁ ନାହିଁ ।’’

 

‘ବାବୁରେ, ଦେ-ବୋଲି କହିବାକୁ ଦୁନିଆରେ ଏତେ ଲୋକ ଯେ କେହି କଳିପାରିବେ ନାହିଁ । ବିନା ଉଦ୍ଦେଶ୍ୟରେ ‘ନେ କହିବା ମଣିଷ ବିରଳ’ ।’

 

‘ତା’ ବାପା ତାକୁ ଖୁବ୍ ସ୍ନେହ କରୁଥିଲେ । ସେ ଯେତେବେଳେ ଯାହା ମାଗୁଥିଲା ଦେଉଥିଲେ । ତାଙ୍କ ସାଙ୍ଗ, ରାଉତପାଟଣାର ଜୟୀ ନାୟକ ଟରଣି ତୋ ଶଶୁରଙ୍କର ବିଶ୍ଵାସୀ । ମତେ ଯାହା ଗୋପ୍ୟ, ତାଙ୍କ ପାଖରେ ତାହା ଖୋଲା । ଗଣନା କରି ସେ ଆଗତଭବିଷ୍ୟ କହନ୍ତି ।’

‘ସେ କହିଥିଲେ, ଆନନ୍ଦ ଦିନେ ତା’ ବାପାଙ୍କୁ ଟପିବ । ବୁଦ୍ଧିରେ, ଧନରେ, ଓ ମାନରେ ।’

ସେ ଟୋକା ଛତରା ବାଳୁଙ୍ଗାଙ୍କ ସଙ୍ଗେ ମିଶି ସେମିତି ହେଉଛି । କେବେ ଆଉ ଜୟୀଙ୍କ କଥା ଠିକ୍ ହେବ ? ପୁଅର ବୁଦ୍ଧି ଫେରିବ ?

‘ଓଧ ସଙ୍ଗେ ବଣଭୁଆ’ ସେ ବାଇ ହେଲାଣି । ସମ୍ପତ୍ତି ଜୁର କଲାଣି । ମୋ ଘରର କୁଳଲକ୍ଷ୍ମୀ, ମୋ ବୋହୂର ଦେହରେ ହାତ ଦେଲାଣି । ତୋତେ ଆଘାତ କରି କପାଳରୁ ରକତ ଝରାଇଲାଣି ।’

‘କପାଳରେ ତାର କ’ଣ ଭଲ ଅଛି ?’

...ବୋଉ ଲୋ,

...ଶୋଭା ଗପେ ମୋ ଆଗରେ । ମୋ’ର ଜୀବନରୁ ବଳି ଅଧିକ ଶୋଇଲା ପିଲାଟି ଶୋଭନର ଗର୍ଭଧାରିଣୀ ସତୀ ଶିରୋମଣି ମୋର ନ ଥିଲା ସଉତୁଣୀ ମାଧୁରୀଙ୍କ କଥା ।

...ରାତି ଅଧ ହେଲାଣି । ମୁଁ ମୋର କଲବଲ ଜୀବନର ଏଠିକା କାହାଣୀ ଚିଠିରେ ଲେଖୁଛି । ସାତକାଣ୍ଡ ରାମାୟଣ ହେଲେ ହେଉ । ମୋ ଉଜନ୍ତି ମନରେ ଟିକକ ହୋଇ ଫୁଟୁଥିବା ଭଲମନ୍ଦ ଘଟଣାଗୁଡ଼ିକ ତୋତେ ଜଣାଇଦେଲେ ଟିକିଏ ଶାନ୍ତି ପାଇବି ।

...ତୋ ଜୋଇଁ ନାହାଁନ୍ତି । କୁଆଡ଼େ ଯାଇଛନ୍ତି, କ’ଣ କରୁଛନ୍ତି, ମତେ ଜଣାନାହିଁ । କେତେବେଳେ ଫେରିବେ ଅବା ନ ଫେରିବେ, କେହି କହିପାରିବେ ନାହିଁ ।

 

...ସେ ଗୋଟିଏ ମଟର ସାଇକେଲ କିଣିଛନ୍ତି । ଆସିଲେ ତା’ର ଶବଦ ଶୁଣି ମୁଁ ଆଗରୁ ସାବଧାନ ରହେ । ମଦ ଖାଇ ସେ ଆସିଥାନ୍ତି । କେବେ କେବେ ଉତ୍ପାତ କରନ୍ତି । ସବୁ ମଳିମଳି ମୁଁ ସହେ । ଦେହସହା ହେଲାଣି ।

 

...କାହା ଆଗରେ ଗୁହାରି କରିବି ? ଶୁଣିବାକୁ ଏକା ଜଣେ ଶୋଭା । ମୋ ମାଉସୀ ପରି ସେହି ଏକା ସାନ୍ତ୍ୱନା ଦିଏ । ମୋ ଦେହରେ ମୁଣ୍ଡରେ ତୋ ଜୋଇଁ ଯେଉଁଠି ଆଘାତ କରିଥାନ୍ତି, ଛାଞ୍ଚୁଣି, ବଢ଼ିଣା, ବାଡ଼ି, ଜୋତା ଯାହା ତାଙ୍କ ହାବୁଡ଼ରେ ପଡ଼ିଲା ସେଥିରେ, ସେହି ସ୍ଥାନମାନଙ୍କରେ ଶୋଭା ତେଲ ମାଲିସି କରେ ।

 

...ମୋ ଦେହ କାଠପଥର ପରି ବୋଦକା ହେଲାଣି ଲୋ ବୋଉ, ମନ ବି ସେମିତି ପଥର ହେଲାଣି । ତୋ ଜୋଇଁଙ୍କର ଅତ୍ୟାଚାରର କାହାଣୀ କାହାକୁ ଶୁଣାଇବି ? କିଏ ମତେ କି ସାନ୍ତ୍ୱନା ଦେବ ? ଅଚଳ ନ ହେଲେ ମଧ୍ୟ ଅକର୍ମଣ୍ୟ ଶାଶୁ ଜାଣିଲେ ଖାଲି ତଳେ ମୁଣ୍ଡ କୋଡ଼ିହେବେ । ବାହୁନି ବାହୁନି ଶଶୁରଙ୍କୁ ସୁମରି କାନ୍ଦିବେ ।

 

...କେବେ ତାଙ୍କର ଆଗବୋହୁ ମାଧୁରୀଙ୍କ ଗୁଣ ସୁମରି ବାହୁନିବେ । ଚଣ୍ଡାଳ ପୁଅଟା ପାଇଁ ସେ ବୋହୂ ଗୁଡ଼ କନିଅର ମଞ୍ଜି ବଟା ପାଣି ପିଇ ଚାରି ମାସର ଟିକି ଦୁଧଶୋଷା ଛୁଆକୁ ମୁରୁଛି କେମିତି ଭୁଲିଗଲେ ସେଇସବୁ ଘଟଣା ।

 

...ବିଛଣାରୁ ଉଠିବେ ନାହିଁ । ପାଣି ଢୋକେ ପିଇବେ ନାହିଁ । ସେଇ ବିଛଣାରେ ପଡ଼ି ଛଟପଟ ହେଉଥିବେ । ଶୋଭାକୁ ପାଖ ପୂରାଇବେ ନାହିଁ ।

 

...ସବୁ ଦୁଃଖକଷ୍ଟକୁ ଦେହରେ ଜରି ମୂଇଁ ତାଙ୍କ ପାଖକୁ ଯାଏ ଲୋ ବୋଉ, ମୋ କାଖରେ ଥାଏ ଶୋଭନ ।

 

...ତାଙ୍କ ପାଦରେ ହାତ ଦେଲେ ସେ ତୁନି ହୁଅନ୍ତି । ଉଠନ୍ତି । ମୋର ଦେହସାରା ଆଉଁସି ପକାନ୍ତି । ଆଖିରୁ ଧାର ଛୁଟିଥାଏ । ଭଲ ମନ୍ଦ କିଛି ପଚାରନ୍ତି ନାହିଁ । ମୋ ମନରେ ସାନ୍ତ୍ୱନା ଦେବାକୁ କି କଥା ସେ ମନରୁ ଫାନ୍ଦି କହନ୍ତେ ?

 

...ଥରେ କାହିଁକି, ଆଗରୁ ସେ କେତେଥର ମତେ ବୁଝାଇ କହିଥିଲେ ‘ମାଆ ଲୋ ନଉଲୀ, ଆମ ବେଳକାଳ ନିଆରା ଥିଲା । ଆମର ମା’ ଖୁଡ଼ୀମାନେ ଆମକୁ ଝିଅଦିନେ ଯେପରି ସଣ୍ଠଣା ଶିଖାଇଥିଲେ ଆମେ ବୋହୂ ହୋଇ ଆସି ସେହି ରୀତିରେ ଚଳୁଥିଲୁଁ ।’

 

‘କ’ଣ କି ଶାଢ଼ି ପିନ୍ଧିଲେ ଦୁଇ ଘେର । ମୁହଁରେ ମୁଠୁଣିଏ ଓଢ଼ଣା ଅନ୍ୟ ମଣିଷ ଦୂରର କଥା, ଗେରସ୍ତ ଦିଅର ବି ନାକ ଉପରୁ ମୁହଁଟି ଦେଖିପାରନ୍ତି ନାହିଁ । ହାତକଟା ସୂତାରେ ତନ୍ତବୁଣା ମୋଟା ଲୁଗା ।’

 

‘ଧୀରେ ଧୀରେ ଲଙ୍ଗୁଳିଆ ବେଲଜ୍ଜିଆ ରୀତି ମାଡ଼ିଆସିଲା । ଶାଢ଼ି ତଳେ ଆଉ ଦି’ଖଣ୍ଡ ନ ପିନ୍ଧିଲେ ମହତ ସାରିବା ସାର ।’

 

‘ଏବକାଳିଆ ଝିଅବୋହୂଏ ଦେଶି ବେଶି ଲଙ୍ଗୁଳିଆ ରୀତି ଧରିଲେଣି । ବେଶି ତ ସହର ବଜାରରେ । ତା’ ଦେଖାଦେଖି ମଫସଲରେ ଯେ, ସହରତଳି ମଫସଲରେ ଅଧିକ । ଦେବୀ ସହରିଆ ଉଚ୍ଛବ ଦେଖିବାକୁ ସହରକୁ ଯାଇ ମୁଁ ଦେଖିଛି ।’

 

‘ଏବକା ଟୋକାଏ ସେମିତିକା ଦରଲଙ୍ଗୁଳିଆ ଚଳନଙ୍କୁ ପସନ୍ଦ କରନ୍ତି । ମୁହଁରୁ ଲାଜପାଣି ପୋଛି ଦେଇଛନ୍ତି ।’

 

‘ଆନ୍ଦିଆ ମୋ ପେଟରୁ ଜନମି ସହରିଆ ଢଙ୍ଗ ଧରିଲା ଲୋ ମା’ । ସେ ଚାହିଁଲା ମୋ ବୋହୁ ମାଧୁରୀ ସହରୀ ଫେସନ ଧରିଥାନ୍ତା, ତା ସାଙ୍ଗରେ ସହରକୁ ଯାଇ ଛବି ଦେଖନ୍ତା ।’

 

ଥରେ ମୁଁ କହିଲି, ଆନ୍ଦିଆଟା ବଦରାଗୀ ମାହାତିଆ ଲୋ ମାଧୁରୀ । ପୁଅର ସଉକ ହୋଇଛି । ତୁ ଥରେ ଯା । ଶୋଭା ତୋ ସାଙ୍ଗରେ ଯାଉ । ନ ଯାଇ ବିଧାଚାପୁଡ଼ା ଖାଇବୁ କାହିଁକି ?

 

...କହିଲେ ପୁଣି, “ମା’ ଲୋ, ତୁ ତୋ ଗେରସ୍ତ ସାଙ୍ଗରେ ଯିବୁଟି । ତୋ ସନମାନ ଯେ ତା’ ସନମାନ, ଏହା ସେ ଜାଣେ । ଡରନା, ଯା ଆ । ମୋ ପାଇଁ ତୁ ଚିନ୍ତା କରନା । ଗଉଡ଼ କୋଠିଆ ଭଜନ ଆଉ ହଳିଆକୁ ମୁଁ ଅଟକାଇ ରଖିବି । ଶୋଭା ଯୋଗିଆ ଖୁଣ୍ଟିଆକୁ କହିଛି, ସେ ଦାଣ୍ଡରେ ଶୋଇବ ?’

 

....ସେଇଆ ହେଲା । ରାତି ଅଧରେ ସେମାନେ ଏକବଳଦିଆ ଗାଡ଼ିରେ ଫେରିଲେ । ମଦ ନିଶାରେ ତୋ ଜୋଇଁ ଟଳମଳ ହେଉଥିଲେ । ଶୋଭା ମତେ କହୁଥିଲା । ତୋ ଜୋଇଁଙ୍କ ସାଙ୍ଗ ଦି’ ଜଣ ଅଳପ ଅଳପ ପିଇଥିଲେ, କିନ୍ତୁ ୟେ ବହୁତ ପିଇଥିଲେ ।

 

..ମାଧୁରୀଙ୍କର ଦି’ ପାଖରେ କୋଉ ସିନେମାଘରେ ଜାଗା ମାଡ଼ି ବସିଥିଲେ ଦି’ ସାଙ୍ଗ । ରଜା ଘରର ବଂଶର ପୁଅ ପରତାପ ପାଖରେ ବସିଥିଲେ ତୋର ଜୋଇଁ । ମଦ ନିଶାରେ ଟଳଟଳ, ବାଚାଳ । ଚାକରାଣୀ ଶୋଭା ମାଧୁରୀଙ୍କ ପଛରେ ବସିଥିଲା । ଆଲୁଅ ଅନ୍ଧାର ଭିତରେ ତୋ ଜୋଇଁଙ୍କର ଖନିମରା ପାଟି ଶୁଭୁଥାଏ ବିଳିବିଳି ପରି । ମାଧୁରୀଙ୍କର ବିରକ୍ତିଆ ଧ୍ୱନି ପଦେ ପଦେ । ଫେରିଲାବେଳେ ବଳଦ ଗାଡ଼ିରେ ତୋ ଜୋଇଁଙ୍କୁ ଧରି ରଖିଥାନ୍ତି ମାଧୁରୀ ଓ ଶୋଭା ।

 

ତଳକୁ ଓହ୍ଲାଇବାକୁ ବେଳେବେଳେ ସେ ଉହୁଁକୁ ଥିଲେ । ଅଧାବାଟରେ ମାଧୁରୀଙ୍କୁ ଆଉଜି ନିସ୍ତେଜ ହୋଇ ବସି ରହି ରହି ହୁଂକାର ଛାଡ଼ୁଥିଲେ ।

 

...କହୁଥିଲା ଶୋଭା, ସେ ଥିଲା ବୋଲି କୁଳବୋହୂର ମହତ ରହିପାରିଥିଲା ଲୋ ବୋଉ, ପଛେ ସେ ରାଜବଂଶୀୟା ପୁଅଟା ଭଦ୍ରତାର ସୀମା ଡେଇଁ...

 

....ସେଇଦିନରୁ ମାଧୁରୀ ଏ ବିଷୟରେ ଶାଶୁଙ୍କର ଅବାଧ୍ୟ ହୋଇଥିଲେ । ମୁହଁ ଖୋଲି ଶାଶୁଙ୍କ ଆଗରେ ଅବା ସ୍ୱାମୀଙ୍କ ଆଗରେ ସେ ଦିନ ସଞ୍ଜର ଅନଭୂତି କେବେ ବର୍ଣ୍ଣିପାରନ୍ତି ନାହିଁ । ସେ ସ୍ୱାମୀଙ୍କର ଅତ୍ୟାଚାର ସହିବାକୁ ସଂକଳ୍ପ କଲେ । ଦେହ କାଠ ହୋଇଥିଲା, ପଥର ହେଉ ।

 

...ଯାହା କରିବେ ବୋଲି ଭାବୁଥିଲେ, ସେତକ ସେ କରି ନ ଥିଲେ । ଅବା କରିପାରୁ ନ ଥିଲେ ।

 

...ଦିନେ ସେ ଶୋଭାକୁ କହିଲେ, ଆଲୋ, ଏମିତିଆ ହୀନିମାନିଆ ଜୀବନ ଧରି କାହିଁକି ବଞ୍ଚି ରହିବି, କହିଲୁ ?

 

ଶେ।ଭା କହିଲା, ସେମିତି କହନା । ଜୟୀ ଜ୍ୟୋତିଷ ସେ ଦିନ ଆସି ନ ଥିଲେ କି ?

 

-ତ କ’ଣ ହେଲା ? ସେଇ ଅଲକ୍ଷଣା ଯେ ମୋ ଦୁଃଖଦୁର୍ଦ୍ଦଶାର କାରଣ । ମୁଁ ମୂଲିଆ ଘରର ଝିଅ । ବାପାଙ୍କର ନିଜର ଅଳପ ଜମିର ଫସଲ ଆମର ଛଅ ମାସକୁ ନିଅଣ୍ଟ । ପାଣି ତୋରାଣି, ପୋଖରୀ ହୁଡ଼ାର ଅନାବନା କନସିରି, ହିଡ଼ିମିଚି ଶାଗରେ ଦିନ କଟୁଥିଲା । ଆଉବୋଉଙ୍କର ବିଧା ଗୋଇଠା ଛାଞ୍ଚୁଣି ମାଡ଼ରେ ଦେହ ଶିଝୁଥିଲା । ତଥାପି ଚିନ୍ତା ନ ଥିଲା ।

 

‘ବାପାଙ୍କର ହାତଆଉଁସା ଗେହ୍ଲା ବଚନରେ ଦୁଃଖକଷ୍ଟ ଦୂର ହେଉଥିଲା ।’

 

‘ଏ ଘରର ଧନମାନର ଖବର ଜାଣି ସେ ଭୁଲିଲେ । କେଉଁ ନିତିମୂଲିଆ ମୋ ପରି ଗୁହାଳିପାଠୁଆ ମୂଲିଆର ଘରକୁ ମତେ ନ ପଠାଇ ଧନୀ ଘରକୁ ବିଦା କଲେ ।’

 

‘କହି ବୁଲିଲେ, ଜୟୀ ଜ୍ୟୋତିଷ କହିଛନ୍ତି, ଝିଅ ତାଙ୍କର ସୁଖରେ ରହିବ । ଘିଅରେ ଖାଇ ଦୁଧରେ ଆଞ୍ଚାଇବ । ଭାଗ ନେବାକୁ ବାଦ କରିବାକୁ କେହି ନାହିଁ ।’

 

‘କେଡ଼େ ଖୁସିରେ ମୋ ବାପା କେତେଥର ମୋତେ ଦେଖିବାକୁ ଏଇ ତିନି ବରଷରୁ ଅଧିକ କାଳ ଏଠାକୁ ଆସିଛନ୍ତି । ଶଶୁରଙ୍କ ମରଣ ଖବର ପାଇ ସେ ଆସି ଶୁଦ୍ଧିଘର ଯାଏ ରହିଲେ-। ତାଙ୍କର ମା’-ଛେଉଣ୍ଡ ଝିଅ ବଡ଼ଘରର ଦୋହୂ ହୋଇ ଭୋଗଭାଗ୍ୟରେ ଅଛି । ସୁଖରେ ତ ଅଛି ।’

 

‘କାହିଁକି ନ ମଣନ୍ତେ ଲୋ ଶୋଭା ? ସେ ଦେଖିଲେ, ତାଙ୍କର ଦୁଃଖିନୀ ଝିଅଟି ଦାମିକା ଚିକିଚିକି ଶାଢ଼ି ପିନ୍ଧିଛି । ସୁନାରୁପାର ଗହଣାରେ ଦେହ ତା’ର ମଣ୍ଡିତ ହୋଇଛି । ଶାଶୁ ସାନ୍ତାଣୀ ପାଖରେ ବସି, ପିଠି ଆଉଁସି ତାକୁ ଭୁଞ୍ଜାଉଛନ୍ତି ।’

 

‘ବିଦାୟ ନେଇ ବାହୁଡ଼ିଲାବେଳେ ତାଙ୍କ ମାଧୁରୀର କଇଁ କଇଁ କାନ୍ଦ ଓ ଆଖିର ଧାର ଧାର ଲୁହକୁ ଦେଖି ସେ ନିଶ୍ଚୟ ବିଚାରିଥିବେ ଯେ ଏହା ପରଘରୀ ଝିଅମାନଙ୍କର ସ୍ୱାଭାବିକ ରୀତି ଓ ପ୍ରକୃତି ।’

 

...ଶୋଭା କହୁ କହୁ କାନ୍ଦିପକାଏ ଲୋ, ବୋଉ ।

 

...ସେ ବି ସମସ୍ତଙ୍କୁ ହରାଇ, କେତେ ଘରେ ରହି ରହି ନାନା କାରଣରୁ ସବୁ ଘର ଛାଡ଼ି ଏଇ ଘରେ ବହୁବର୍ଷରୁ ଆସି ଥାଇତି ହୋଇଛି । କେତେ ଘାଟରେ ପାଣି ପିଇଛି । କେତେ ଜାତିର ମଣିଷଙ୍କର ପ୍ରକୃତି ସଙ୍ଗେ ସେ ପରିଚିତ...ପୁରୁଷ ଓ ସ୍ତ୍ରୀ । କେତେ ସ୍ତରର, କେତେ ବୟସର ।

 

...ମୋ ଆଗରେ ଦିନେ ଶୋଭା କହୁଥିଲା, ‘ନଉଲୀ ଦେଈ ଗୋ, ମୁଁ ଦେଖି ଦେଖି ଆସିଲି-। ବୁଝିଲି ଯେ ଦିଗୋଡ଼ିଆ ଆଉ ଚାରିଗୋଡ଼ିଆଙ୍କ ଚଳଣିରେ ବେଶୀ ପ୍ରଭେଦ ନାହିଁ ।

 

‘ପଶୁ ସିନା ମଣିଷ ହୋଇପାରେନାହିଁ, ମଣିଷ ମନକଲେ ପଶୁ ହୋଇପାରେ । ଦରକାର ପଡ଼ିଲେ, ବାଗ ମିଳିଲେ ସେ “ଆମେ-ଶୁଣି-ଜାଣିଲା?’’ ରାକ୍ଷସ ବି ହୋଇପାରେ ।’

 

ଶୋଭା କହେ, “ସେଇ ନିଉଁଛଣାଗୁଡ଼ାଙ୍କୁ ଧରି ତାଙ୍କରି ସେବା ଖଜିମତ୍ କରି, ତାଙ୍କରି ଛୁଆକୁ ଦଶମାସ ପେଟରେ ବୋହି, ଶୂଳର ଯନ୍ତ୍ରଣା ସହି, ଜନମ ଦେବାକୁ ହେବ । ଦେହର ରକତ ଶୋଷାଇ, ବଞ୍ଚାଇ, ବଢ଼ାଇ ମଣିଷ କରିବାକୁ ପଡ଼ିବ ।’’

 

‘ଖଟୁଥା ଜୀବନମୂର୍ଚ୍ଛା, ଜୀବନସାରା ।’

 

‘ତେବେ ବି ପରିତ୍ରାଣ ନାହିଁ ନଉଲୀ ଦେଈ । କାହାର କେଉଁ ବେ-ଢଙ୍ଗିଆ ଚଳଣ ଦେଖି ମୁଡ଼ୁକେଇ ହସିଲେ କଥା ସରିଗଲା । ତିଳ ହେବ ତାଳ । ଅବିବେକୀ ଗେରସ୍ତର ବିଧା-ଗୋଇଠାର ତାଳ ପଡ଼ିବ ପିଠିରେ । ତମେ କୁଆଡ଼େ ଦୋଚାରୁଣୀ ।’

 

...ବୋଉ ଲୋ, ଶୋଭା କହେ, ମାଧୁରୀ କୁଆଡ଼େ ତମ ଛତରା ଜୋଇଁଙ୍କଠୁ ସେମିତିକା ନିନ୍ଦା ଶୁଣିଥିଲେ, ସେଦିନ କୁଆଡ଼େ ରାଜବଂଶୀ ପୁଅ ସେମିତିକା ମଣିଷଯାକରେ ହୀରା ଖଣ୍ଡେ ବୋଲି ସିନା କୁଳର ମହତ ରହିଲା । ନୋହିଲେ, ମାଧୁରୀର ଯୋଉ ଢଙ୍ଗ... ।

 

...ମୁଣ୍ଡ କୋଡ଼ି ହୋଇ କାନ୍ଦିବା ଛଡ଼ା ସେ ଆଉ କରନ୍ତେ କ’ଣ ? ଲୁଚି ଲୁଚି, ତୁନି ତୁନି କାନ୍ଦନ୍ତି । ବାରିଆଡେ, ଗଡ଼ିଆକଡ଼ର କନିଅର ମୂଳରେ । କେତେଥର ଶୋଭାର ହାବୁଡ଼େ ପଡ଼ି ଆଖିପୋଛି ଲଣ୍ଡ ଭଣ୍ଡ ହୋଇ ଖଞ୍ଜା ଭିତରକୁ ପଶନ୍ତି ।

 

....ସେବଠୁଁ ସେ ଜୀବନ ହାରିବା କଥା ବିଚାରୁଥିଲେ ପରା । ଦୋଦୋପାଞ୍ଚ ହେଉଥିଲେ । କାହିଁକି, ଜାଣୁ ? ମାସ ଗଡ଼ିଥିଲା । ଏବେ ମୋ ଆଖିର ପିତୁଳା ଚାରିମାସ ହେବ ତାଙ୍କ ପେଟରେ ବଢ଼ୁଥିଲା । ସମସ୍ତେ ଜାଣନ୍ତି ।

ସେଇଥିପାଇଁ ଅଖଞ୍ଜ ଶାଶୁ ନଇଁନଇଁକା ଆସି ରୋଷଘରେ ପଶନ୍ତି । ମାଧୁରୀଙ୍କ ପିଠି ଆଉଁସନ୍ତି । ଆଖିର ଲୁହ ପୋଛୁଣୁ ନିଜର ଆଖିରେ ତାଙ୍କର ଲୁହ ଢଳ ଢଳ ହୁଏ ।

କହନ୍ତି, ‘ତୋ ଶଶୁରେ ପରା ତୋ ଭିତରେ ବଢ଼ିଛନ୍ତି ଲୋ ମା’ । ସେଇ ସପନ ମୁଁ କେତେଥର ଦେଖିଲିଣି । ସେ ଜନମିଲେ ଆମେ ସବୁ ଦୁଃଖ ଭୁଲିବା । କପାଳ ଦୋଷରୁ ଆନ୍ଦିଆ ସିନା ଅମଣିଷ ହେଲା ।’

...ବୋଉଲୋ, ଶୋଭା କାନ୍ଦୁଥାଏ । ମାଧୁରୀଙ୍କର ଗୁଣ ଗାଇ ହେଉଥାଏ । କହିଲା, ମାଧୁରୀ ସେଇ ରୋଷଘରେ ଶାଶୁଙ୍କର ପାଦ ଧରି କହିଥିଲେ, “ମୁଁ ବଞ୍ଚି ଥାଉଣୁ ତୁମକୁ କେମିତି ଚୁଲି ଫୁଙ୍କାଇବି ? ମୋର ଅଧର୍ମ ହେବ ।’’

...ମାଧୁରୀ କହିବାକୁ ଲାଗିଲେ, “ସେ ଗହଣାଗଣ୍ଠି ନେଇ କେଉଁ ଖାନଗୀକୁ ଦେଉନ୍ତୁ, ଅବା ରଜାପୁଅ, ମନ୍ତ୍ରୀପୁଅ, କି ସାଧବପୁଅକୁ ଦେଇ ସିନେମା କରନ୍ତୁ, ସେଥିରେ ମୋର କି ଥାଏ ? ଭୂମିବାଡ଼ି ବିକି ମନଇଚ୍ଛା ମଦ ପିଅନ୍ତୁ, ମୁଁ ବାରଣ କରିବି କାହିଁକି, ମାଡ଼ ଖାଇବି କାହିଁକି ?’’

‘ବେଳେବେଳ ଭାବେ ଗୋ ବୋଉ, ଏତେ ଦୁଃଖକଷ୍ଟ ସହି କାହିଁକି ବଞ୍ଚି ରହିବି? କି ସୁଖ ପାଇଁ? ଯେତେ ନେହୁରା, ପାଦ ଧରି ମିନତି କଲେ ବି ସେ ବଦଳିଲେ ନାହିଁ । ଆଉ ବଦଳିବେ ନାହିଁ ଗୋ ବୋଉ ।’

‘ସହର ବଜାରରେ ମୋ’ଠୁଁ ବଳି ବେଶି ସୁନ୍ଦର ବେଶି ଗୁଣର କିଏ ସବୁ ନିଶ୍ଚୟ ତାଙ୍କର ଅଛନ୍ତି । ସେଇମାନଙ୍କ ପାଖରେ ତାଙ୍କର ଗହଣାଗଣ୍ଠି, ଟଙ୍କା କଉଡ଼ି ଗଦା ହେଉଥିବ ।’

 

ସେଥିରେ ମୋର କି ଥାଏ ? ମୁଁ ଏ ଘରର ବୋହୂ ହୋଇ ଆସିବା ଆଗରୁ ତମ ଅଜାଣତରେ ତମର ସେଇ ବୋହୂମାନେ ଥିବେ । ଶଶୁର ଅବଶ୍ୟ ଏହା ଜାଣିଥିଲେ ।

 

ମନଦୁଃଖ କରିବ ନାହିଁ, ବୋଉ, ମୋ ଆତ୍ମାକୁ ବାଧିଛି ବୋଲି ମୁଁ ମୁହଁ ଖୋଲି କହୁଛି । କାହିଁକି ନ ହେଲେ ଶଶୁରେ ତରତର ହୋଇ ମୋ ପରିକା ମୂଲିଆଘରର ଚାଟଶାଳୀ ପାଠ ପଢ଼ିଥିବା ଝିଅଟାକୁ ବୋହୂ କରି ଘରକୁ ଆଣିଲେ ।

 

‘ତମ ମନରେ ଆଘାତ ଦେବାକୁ ମୁଁ ଏହା କହୁ ନାହିଁ । ମୋ’ ମନର ଭାର ଊଣା କରିବାକୁ, ମୋ ଭିତରେ ଘାଣ୍ଟିଚକଟି ହେଉଥିବା ଧାରଣକୁ ତମରି ଗୋଡ଼ତଳେ ଅଜାଡ଼ି ଦେଉଛି, ବୋଉ, ମୋ ଦୋଷଯାକ ଆଗରୁ ମାଗିନେଉଛି ।’

 

‘ମତେ ପଘା କରି ସେଥିରେ ଅମଣିଆ ପୁଅଙ୍କୁ ବାନ୍ଧି ରଖିବାକୁ ବୋହୂ କରି ଆଣିଥିଲ । ତମର ପୁଅଟି ଯେ ଅରଣା । ଏତକ ଭୁଲିଲ କେମିତି ? ତାଙ୍କୁ ଅଟକାଇ ରଖିବା, ମଣକରି ବାନ୍ଧି ରଖିବାର ସାଧ୍ୟ କ’ଣ ଗରିବ ମୂଲିଆର ମୁରୁଖ ଝିଅଟା ପକ୍ଷରେ ସମ୍ଭବ ହୁଅନ୍ତା ?’

 

‘ବୋଉ, ମୋ ମନରେ ଟକମକ ହୋଇ ଫୁଟୁଥିବା ଦୁଃଖରୁ ଅଳପ ତମରି ପାଖରେ ପ୍ରକାଶ କଲି ତା’ର ଭାଗ କମାଇବାକୁ । ତମର ଆଶାକୁ ମୁଁ ମୋ ଭିତରେ ମୂର୍ତ୍ତି କରି ବଢ଼ାଉଛି । ତାକୁ ତମର ପାଦତଳେ ନ ଥୋଇବା ଯାଏ ମୁଁ କିଛି ଅମଙ୍ଗଳିଆ କାମ କରିବି ନାହିଁ ।’

 

“ମୋ ଦୁଃଖ ଓ ମନର କଥା ତମ ଆଗରେ ଓକାଳି ଦେଇଛି । ତମେ ଯାଇ ଘରେ ବସ । ମୋ କର୍ତ୍ତବ୍ୟ ମତେ କରିବାକୁ ଦିଅ ।”

 

...ରୋଷଘରର କବାଟ ଉହାଡ଼ରେ, ଅଗଣା କଡ଼ର ବାରଣ୍ଡା ଉପରେ ଶୋଭା କାନ୍ଥକୁ ଆଉଜି ଠିଆ ହୋଇଥିଲା...ଦରବୁଢ଼ୀ ମାଇପିଟି । ପାଣିତୋରଣି, ଶାଗମୁଗ, ଲୁଣିଆ ଅଲଣା, ସିଝା ଦରସିଝା ଯାହା ତା’ ପାଖରେ ଥୋଇଦେଲେ ସେ ପାଦୁକ ପରି ପାଇଦିଏ । ଅଇଁଠା ସଙ୍ଖୁଡ଼ିକୁ ତା’ର ଘୃଣା ନ ଥାଏ । ଦେହରେ ଦୁଇଟା ମରଦର ବଳ । ମନର ବହପ ଅମାପ ।

 

...ନିଜ ବିଷୟରେ ସେ କାହା ଆଗରେ କିଛି ସେମିତି ଗପେ ନାହିଁ । ପଚାରିଲେ କହେ, ଦଇବ ସବୁ ଦେଇଥିଲେ, ସବୁ ନେଇଗଲେ । କାନ୍ଦିବୋବାଇ ମୁଣ୍ଡ କୋଡ଼ିହେଲେ ଆଉ କାହୁଁ ମିଳିବ ଗୋ, ନହୁଲୀ ଦେଈ ? ତା’ ଖେଳ ସେ ଖେଳୁଛି । ଆମେ କାହୁଁ ବୁଝିବା ?

 

...କହେ, ଦେଈ ଗୋ, ଆମକୁ ଯେଉଁଠି ଯେବେ ଥୋଉଛି, ଯେମିତି ଯେବେ ଖେଳାଉଛି, ସେମିତି ଖେଳିବା ଖେଳଘର ଏ ସଂସାର । ଆମର ନୁହେଁ, ତା’ର, ସେଇ ଦଇବର । ଅମେ ସମସ୍ତେ ତା’ର ଖେଳଣା । ଆମର ପୁଣି ସୁଖ କ’ଣ, ଦୁଃଖ କ’ଣ ? ବୁଝିବିଚାରି କାମ କରିବାକୁ ମନ ଦେଇଛି । ବୁଦ୍ଧି ବି ଦେଇଛି । ପୁଣି ସହିବାକୁ ବହପ ଦେଇଛିଟି । ଆଉ ଅଧିକ କ’ଣ ଦିଅନ୍ତା ?

 

...ସେଇ ଶୋଭା ରୋଷଘରର ଝରକା ପାଖରେ କବାଟ ଉହାଡ଼ରେ ସବୁ ଶୁଣୁଥିଲା-ମୋ ଶାଶୁଙ୍କର ମିନତି, ଆଉ ତାଙ୍କର ଗେଲବସରୀ ସେବାକାରିଣୀ, ସୁନାକଣ୍ଢେଇ, ଦୁଃଖପାସୋରି ଦୁଃଖିନୀ ବୋହୁ ମାଧୁରୀଙ୍କର ଆଲୋଚନା ।

 

...ଶୋଭା ମୋର ପିଠି ଆଉଁସେ, ସତେକି ମୁଁ ତା’ର ପେଟରୁ ଜନମ ଝିଅଟି ଅବା ତା ପେଟରଣ୍ଡା ସାନ ଭଉଣୀଟି, ମତେ ବୁଝାଇ କହେ, “ଧଇର୍ଯ୍ୟ ଧର ଗୋ ନହୁଲୀ ଦେଈ । ଯେଉଁ ବିଧାତା ଜନମ ଦେଇଛି ସେ କେତେ ରଙ୍ଗରେ ନଚାଇ ନିଜେ ଖେଳୁଛି । ସେ ମନକଲେ, ସବୁ ଓଲଟପାଲଟ ହେବ ?’’

 

....ଶୋଭା ପୁଣି ମତେ ସାନ୍ତ୍ୱନା ଦେବାକୁ କହେ, “ଯେଉଁ ନୃଶଂସ ମଦୁଆ ଟୋକାଟା ଆନନ୍ଦ ମତେ ଧକାଟାଏ ମାରି ଏ ଘରେ ପଶିଲା, ମୋ ପିଠିରେ ଆଘାତ କରି ତମ ମୁଣ୍ଡରୁ ମଥାମଣି ସହ ଚେନ୍‌ଟି ଓଟାରି ନେଇଗଲା, ସେଇ ଚଣ୍ଡାଳଟା ଦିନେ ଆସି ଯଦି ତମର ପଦ ନ ଧରିଛି ତମେ ମୋ ନାଁ ଧରିବ ନାହିଁ ।’’

 

...ଆଉ କେତେ ବର୍ଣ୍ଣିବ ତୋ’ ଗୁଣବନ୍ତ ଜୋଇଁଙ୍କ କାହାଣୀ ?

 

ସେଇଦିନ ସଞ୍ଜ ପହରେ, ତାଙ୍କ ସାଙ୍ଗ ଦି ଜଣ ବି ଆସିଥିଲେ, ଦାଣ୍ଡରେ ଥିଲେ । କୁଆଡ଼େ ଗୋଟାଏ ସ୍କୁଟରରେ ତିନିଜଣଯାକ ଆସିଥିଲେ ।

 

...ପୁଣି ଫଟ୍ ଫଟ୍ ଶବଦ କରି ସେମାନେ ଚାଲିଯାଇଥିଲେ, ତାଙ୍କର ସାଙ୍ଗ ଦୁଇଟା ମ ।

 

...ଆଗ ସେ ଶାଶୁଙ୍କ ଘରକୁ ଯାଇଥିଲେ । ତାଙ୍କର କପାଳ ଭଲ ଯେ ଦେହ ଭଲ ନ ଥିବାରୁ ସେ କିଛି ନ ଖାଇ ସହଳ ଶୋଇ ପଡ଼ିଥିଲେ । କବାଟରେ ହାତ ବାଡ଼େଇ ଡାକିଲେ ।

 

...ମୁଁ ଶୁଣିଥିଲି । ଶୋଭନର ପିଠିରେ ଥାପୁଡ଼ାଇ ଧୁଅରେ ବାଇଆ? ବୋଲି ଶୁଆଉଥିଲି-। ସେ ଶୋଇଲାରୁ ମୁଁ ଚଣ୍ଡାଳୁଣୀ ପଲଙ୍କରୁ ଓହ୍ଲାଇ ମୋ ଶୋଇଲା ଘରର କବାଟ ଖୋଲିଲି ।

 

...ଶୋଭାକୁ ଦ୍ଵାରବନ୍ଧରୁ ଠେଲି ସେ ଘର ଭିତରକୁ ପଶିଆସିଲେ । ଚଉଦ ପନ୍ଦର ବର୍ଷର ଗୁଜର ଟୋକାଟି, ଯିଏ ତାଙ୍କୁ ଖଞ୍ଜାର କବାଟ ଖୋଲି ଦେଇଥିଲା, ସେ ଛାନିଆ ହୋଇ ଅଗଣା ଭିତରର ଚଉରାକୁ ଆଉଜି ଠିଆ ହୋଇଥିଲା ପରି ଘର ଭିତରୁ ଦିଶୁଥିଲା ।

 

...ଯାହା ତ ସେ ଜୋଇଁ ତମର କଲେ, ମୋ ରାମାୟଣ ଚିଠିରେ ତତେ ଲେଖିଛି । ଖାଲି ଏତିକି ଆଚମ୍ବିତ କଥା, ତତେ ନ ଲେଖି ରହିପାରୁନାହିଁ ।      

 

...ଏତେ ଅତ୍ୟାଚାର ସେ ମୋ ଉପରେ କରନ୍ତି, ମୋ ଆସିବା ଆଗରୁ ଶେ।ଭନର ବୋଉ ଉପରେ ବି କରୁଥିଲେ; କିନ୍ତୁ ଶୋଭନର ଦେହରେ କେବେ ସେ ଟିପ ଛୋଇଁ ନାହାଁନ୍ତି । ବରଂ ଶୋଇଲା ପିଲଟାକୁ ସେ ଗେଲ କରନ୍ତି ।

 

...ଚେଇଁଥିଲେ ବାପ ଯେତେ ଆହ୍ଲାଦରେ ଡାକିଲେ ବି ସେ ତାଙ୍କ ପାଖ ପଶେ ନାହିଁ । ତାଙ୍କ ଆଖିରେ କ’ଣ ସେ ଦେଖେ କେଜାଣି, ସେ ଯେତେ ଗେହ୍ଲେଇ ଡାକିଲେ ଯାଏ ନାହିଁ ତ ।

 

...ବଳାତ୍କାରରେ ଖେଳିଲା ପିଲାକୁ ତଳୁ ଉଠାଇନେଲେ ଅବା ମୋ ଛାତିରୁ ଓଟାରି ନେଇ ନିଜେ ଧରିଲେ, କି ଆଶ୍ଚର୍ଯ୍ୟ କଥା ଲୋ ବୋଉ, ପିଲଟା ରାହା ଧରି କାନ୍ଦେ । ଓହ୍ଲାଇ ଆସିବାକୁ ଛଟପଟ ହୁଏ ।

 

....ସେ ତାକୁ ତଳେ କଚି ଦିଅନ୍ତି ।

 

...କେବେ କହନ୍ତି, ତୁଇ ଛତରଖାଈ ତାକୁ ତା’ ବାପା ପାଖରୁ ଦୂରେଇ ରହିବାକୁ ଶିଖାଇଛୁ-। କହିବା ସଙ୍ଗେ ସଙ୍ଗେ ପିଲଟା ଆଗରେ ମୋ ଗାଲରେ ବ୍ରହ୍ମ ଜାବୁଡ଼ା କଷନ୍ତି ।

 

...ମୋ’ର ଦେହସହା ହେଇଥିଲେ ବି ଆଖିରୁ ଜୁଳୁଜୁଳା ବାହାରେ । ମୁଣ୍ଡ ଭ୍ରମେ ତିନିପୁର ଅନ୍ଧାର ଦିଶେ । ପିଲାଟି ମୋ ବେକରେ କଅଁଳିଆ ହାତ ଦିଓଟି ବେଢ଼ାଇଦିଏ, ରଡ଼ି ଛାଡ଼େ ।

 

...କାଳେ ଅଖଞ୍ଜ ବୋଉ ବାହୁନି ବାହୁନି ବାଡ଼ିଭାରା ଦେଇ ଧାଇଁ ଆସିବେ, ତଳେ ମୁଣ୍ଡ କୋଡ଼ିବେ, ଏଇ ଡରରେ ସେ ଘର ଛାଡ଼ି ପଳାନ୍ତି । ବୋଉଙ୍କୁ ଡର ନାହିଁ ଯେ, ତାଙ୍କ ଗରଜ, ତାଙ୍କ ଆଗ ବୋହୁ ଲକ୍ଷ୍ମୀଟିର ମରଣର ଯେଉଁ କାରଣ ଏହା ବାହୁନି ବାହୁନି ସେ ଅନ୍ୟମାନଙ୍କୁ ଜଣାଇବେ, ସେଇଥିପାଇଁ ।

 

...କୋଉ ଏବେ ଘରର ଗୁମର ପଦାରେ ନ ପଡ଼ିଛି ଯେ । କାନ୍ଥବାଡ଼ର କାନ ଅଛି । କାଉ, ଚଟିଆ, ବଣି, ଚିମିଣି ସମସ୍ତଙ୍କର ତୁଣ୍ଡ ଅଛି । ନିଜର ଘୁଷା ଅଛି । ଦି ଗୋଡ଼ିଆଙ୍କର ତ ଜାଣି ଦେହର କେଉଁଠି ଅଦେଖା କାନଗୁଡ଼ାକ ଅଛି ।

.

...ଶୋଭା କହେ, କୁଆଡ଼େ କେଉଁ ମଣିଷର ଢଙ୍ଗ ଦେଖିଲେ, ତା ମହଁକୁ ଆଖିକୁ ଚାହିଁଲେ, ଜାଣିବା ଶୁଣିବା ଲୋକେ ବୁଝନ୍ତି ଯେ ଘଟଣାଟିଏ ଘଟିଛି । ଆଉ ସେ ଘଟଣାଟି କ’ଣ ଅନୁମାନ କରିହୁଏ ।

 

...ବୋଉ ଲୋ, ମାଧୁରୀଙ୍କ କଥା ମୁଁ ତତେ ଲେଖୁଥିଲି । ଅନ୍ୟ ଆଡ଼କୁ ମାଡ଼ିଗଲି ।

 

...ସେ ମୋ ସଉତୁଣୀ ପରା । ପିଲାଦିନରୁ ଶୁଣିଥିଲି, ରାମାୟଣ ବହି ପଢ଼ି ତତେ ଶୁଣାଇଲାବେଳେ କୈକେୟୀ କେମିତି ତାଙ୍କ ପୁଅ ଭରତଙ୍କୁ ରାଜା କରିବେ ବୋଲି ବଡ଼ରାଣୀ କୌଶଲ୍ୟାଙ୍କ ପୁଅ ରାମଚନ୍ଦ୍ରଙ୍କୁ ବନବାସ କରାଇବାକୁ ରାଜା ଦଶରଥଙ୍କୁ ପ୍ରବର୍ତ୍ତାଇଲେ ମୁଁ ଜାଣିଥିଲି । ଦି’ ସଉତୁଣୀଙ୍କର ଲୋକହସା ଝଟାପଟା କଳିକଥା ପିଲାଦିନରୁ ଶୁଣିଥିଲି ।

 

...ଦୁନିଆ ଜାଣେ, ମାଧୁରୀ ଅସହ୍ୟ ଶୂଳରୋଗର ଯନ୍ତ୍ରଣାରେ ବହୁ କାଳରୁ, ବେଳେବେଳେ କଷ୍ଟ ପାଉଥିଲେ । ରୀତିମତ କବିରାଜୀ ଔଷଧ ଖାଉଥିଲେ । ରୋଗ ଦବି ଯାଉଥିଲା, ପୁଣି ବେଳେବେଳେ ବାହାରୁ ଥିଲା ।

 

ଡାହା ମିଛ । ମନରୁ ଫାନ୍ଦି, ଗଛରୁ ତୋଳିଲା କଥା । ଶୋଭା ମତେ ଗୁପ୍ତରେ କହେ, ପୋଖରୀ ଉପରେ ଥିବା କନିଅର ଗଛ ମୂଳରୁ କନିଅର ମଞ୍ଜି ଗୋଟାଇନେଇ କେବଠୁଁ ତା’ର ଶସଗୁଡ଼ିଏ ଲୁଚାଇ ରଖିଥିଲେ ।

 

...ଶୋଭା-ମତେ ତୁନି ତୁନି ପୁଣି କହେ, “ଯେଉଁ ରାତିରେ ସେ ଏହି କାଣ୍ଡ ଘଟାଇଲେ, ରାତି ଅଧ ହେଇଥିବ ପରା । ଶିବରାତ୍ରି ଯିବାର ଦୁଇ ତିନି ଦିନ ପରେ, ଆ’ନ୍ଦ ସାନ୍ତେ ଘରକୁ ଫେରି ନ ଥିଲେ । ଆର ଟୋକା ଦୁଇଟାଙ୍କ ସାଙ୍ଗରେ ଯେଉଁ ଜରୁରୀ କାମରେ ସହର ବାହାରକୁ ଆଉ କେଉଁଆଡ଼େ ତାଙ୍କ ବ୍ୟବସାୟ ଉଦ୍ଦେଶ୍ୟରେ ଯିବେ ବୋଲି ସେ ତାଙ୍କ ବୋଉଙ୍କୁ କହିଥିଲେ ।’’

 

‘ସଞ୍ଜ ହୋଇଆସୁଥିଲା । ସେଦିନ ସେ ମଦପାଣି ପିଇ ନ ଥିଲେ । ତାଙ୍କ ବୋଉଙ୍କୁ ଟଙ୍କା କଉଡ଼ି ମାଗି ନ ଥିଲେ । କେତେ ଦିନ ହେଲା, ସେ ସହଳ ଫେରନ୍ତି, ବା ରାତିରେ ଉଛୁରରେ ଫେରନ୍ତି, ସେ ଘରେ ଉତ୍ପାତ ଭିଆଉ ନ ଥିଲେ । ଚାରିମାସର ଟିକି ପିଲାକୁ, ଚେଇଁଥାଉ କି ଶୋଇଥାଉ, ବୋକ ଦେଉଥିଲେ ।’

 

‘ଭଲରେ ଭଲରେ ବେଳ କଟୁଥିଲା । ଏ ଭିତରେ ତାଙ୍କର ବାପଙ୍କ ସାଙ୍ଗ ବିଶ୍ୱାସୀ ଗଣକ ଏବଂ ମନ୍ତ୍ରଣାଦାତା ଟରଣୀ ଜୟୀ ନାୟକ, କ’ଣ ସବୁ କାଗଜପତ୍ର ଧରି ଆସନ୍ତି । ଆ’ନ୍ଦ ସାନ୍ତଙ୍କ ସଙ୍ଗେ ଆଲୋଚନା କରି ଫେରନ୍ତି ।

 

...ଶୋଭା ପୁଣି କହୁଥିଲା, ‘ମାଧୁରୀଙ୍କ ସଙ୍ଗେ ସେ କଟାଳ କରୁ ନ ଥିଲେ ବରଂ ଚାରିମାସର ଟିକିପୁଅକୁ ଗେଲ କରି ବେଳ ଅବେଳ ନ ମାନି, ଆଉ କିଏ ନିକଟରେ ଅଛି ବା ନ ଅଛି ନଜର ନ ଦେଇ, ମାଧୁରୀଙ୍କର ମୁଣ୍ଡଟି ସଳଖି ଧରି ତାକୁ ବି ଗେଲ କରନ୍ତି ଗୋ ।’

 

...ଶୋଭା ଆଖିରୁ ଲୁହ ଗଡ଼ାଇ କହେ, “ମୋ ଆଖିରେ ପଡ଼ିଛି । ଆହ୍ଲାଦରେ ମୋ ଛାତି ଉଲ୍ଲସି ଉଠିଛି । କାନ୍ଥରେ, ଖୁଣ୍ଟରେ, ନଇଲେ ଶୂନ୍ୟରେ ମୁଣ୍ଡ ଟୁଙ୍ଗାରି ଠାକୁରକୁଣୀମାନଙ୍କୁ ଓଳଗି ହୋଇଛି । ଜଣାଣ କରିଛି, ଜଣ ଜଣ କରି, ଏମିତିକା ଭଲବୁଦ୍ଧି ସାଆନ୍ତଙ୍କୁ ଦିଅ ।’’

 

‘କେମିତି ତାଙ୍କୁ ଠାକୁରେ ଭଲ ବୃଦ୍ଧି ଦେଲେ, ହଠାତ୍ ସେ ଏପରି ବଦଳିଗଲେ ମୋ ଭଳିକା ଅପାଠୋଇଟା ନିର୍ବୁଧିଆଟା କେମିତି ବୁଝନ୍ତା ?

 

ତାଙ୍କର ବୋଉ ଗୋଲକଧନ୍ଦାରେ ପଡ଼ିଥିଲେ । ସେ ଅବଶ୍ୟ ତାଙ୍କ ବାପଘର ଗୁହାଳିରେ ଅଳପ ପଢ଼ିଥିଲେ । ଓ..., କେଉଁ ଯୁଗଯୁଗ ତଳେ । ପଚିଶିକ ପଣିକିଆ ସାରିଥିଲେ, ଆଉ ଅକ୍ଷର ଚିହ୍ନ ଚିହ୍ନିକା “ଗୋପୀଭାଷା ଓ ‘କେଶବ କୋଇଲି’ ବୋଲିପାରୁଥିଲେ । ଏବଯାଏ ସେ ‘ଦାଢ଼୍ୟତାଭକ୍ତି ବୋଲି ପାରୁଛନ୍ତି ।’’

 

...ସତେ ଲୋ ବୋଉ । ଏବେଯାଏ ସେ ଚଷମା ପିନ୍ଧି ସେଇଆ କରନ୍ତି । ମତେ ପଢ଼ିବାକୁ କହନ୍ତି । କେବେକେବେ ମୁଁ ପଢ଼େ, ସେ ଶୁଣନ୍ତି । ଶୋଭନ ତାଙ୍କ ପାଖରେ ଖେଳୁ ଖେଳୁ ଶୋଇପଡ଼ିଥାଏ । ତା’ ମୁଣ୍ଡ ଥାପୁଡ଼ାଉ ଥାନ୍ତି ।

 

...ମୁଁ ଦେଖେ, ତାଙ୍କ ଆଖିରୁ ଲୁହ ଝରିଆସେ । ମୁଁ ଦାର୍ଢ଼୍ୟତା ପଢ଼ା ବନ୍ଦ କରି ତାଙ୍କୁ ପଚାରେ, କ’ଣ ହେଲା ବୋଉ, କାନ୍ଦୁଛ କାହିଁକି ?

 

...ସେ ଉତ୍ତର ଦିଅନ୍ତି, ‘ମୁଁ ଜାଣି ଜାଣି କାନ୍ଦି ନାହିଁ, ମା’ । ଆପେ ସେ ନିଆଁ ଲଗା ଲୁହ ଝରିଆସିଲା । ତୋ କଅଁଳିଆ ମଠା ସ୍ୱର ମତେ ମାଧୁରୀର ସ୍ୱରପରିକା ଶୁଭିଗଲା ?

 

....ପଚାରିଲି, “ଭୁଲିପାରୁନା, ବୋଉ ? ମୁଁ ହାତଭାଗୀ କ’ଣ ତୁମର ସେବା କରିବାରେ ହେଳା କରୁଛି ? ମାଧୁରୀଙ୍କ ପରି ମୁଁ ସୁନ୍ଦରୀ ନୁହେଁ, ଗୁଣବତୀ ନୁହେଁ; କିନ୍ତୁ ତମ ପୁଅଙ୍କର ଅତ୍ୟାଚାର କ’ଣ ମୁଁ ମାଧୁରୀଙ୍କୁ ଅପେକ୍ଷା ଅଳପ ସହିଛି ?’

 

...ଶାଶୁ ଚମକି ଉଠିଲେ । ଥରିଲା ହାତରେ ମୋ’ର ହାତଟିଏ ଧରିଲେ । ଥରିଲା ସ୍ୱରରେ କହିଲେ, “ସେଇ ଚଣ୍ଡାଳୁଣୀ ଚାରିମାସର ଏଇ ଛୁଆକୁ ଛାଡ଼ି ରାତିଅଧରେ ନିଜ ହାତରେ ବିଷପାଣି ପିଇ ମଲା । ପୁଅ ସେଦିନ ତାକୁ କିଛି କହିନାହିଁ । ସେ ତା’ ନିଜ କାମରେ କୁଆଡ଼େ ଗଲା ଯେ, ଫେରିଲାବେଳକୁ ତହିଁଆର ଦିନ ଗାଧୁଆବେଳ ।’’

 

“ଯୋଗର କଥା, ମା’ । ସକାଳ ପ୍ରହରକ ବେଳକୁ ଜୟୀ ଟରଣୀ ଆପେ କେମିତି ଜାଣିଲା ପରି ଆସି ପହଞ୍ଚିଲେ । ମୋ’ ନାମରେ ମାଧୁରୀର ବାପ ପାଖକୁ ଲୋକ ପଠାଇ ଖବର ଦେଲେ ଯେ ତାଙ୍କର ଝିଅ ତିନି ଦିନ ହେଲା ଅସହ୍ୟ ପେଟର ବେମାରିରେ ଛଟପଟ ହେଉଛି । ଔଷଧ ମାନୁ ନାହିଁ । ଦେଖିବ ତ ଆସ ।

 

‘ପୁଅ ଆସି ପହଞ୍ଚନ୍ତେ ଅହ୍ୟଡେଙ୍ଗୁରା ବଜାଇ ଶବକୁ ଦାହ କରିବାକୁ ନେଲେ । ଆନ୍ଦିଆ ଖଇକଉଡ଼ି ବିଞ୍ଚି ଆଗେ ଆଗେ ଗଲା । ଗାଁରୁ ଅଧେ ଲୋକ ତ ଉଠିଯାଇଥିଲେ । ଆହା ଆହା କରୁଥିଲେ । ମାଧୁରୀର ବାପ ସାଙ୍ଗରେ ଯାଉଥାଏ । ଭୋ ଭୋ ରଡ଼ି ଛାଡ଼ିଥାଏ ।

 

ଶୋଭା ତତେ କହିନାହିଁ, ମା’ ?

 

‘ପିଲାଟି ଦିନରୁ ମାଧୁରୀର ପେଟମରା ରୋଗ ଥିଲା, ଏଇଆ କହିବାକୁ, ପ୍ରଚାର କରିବାକୁ ମାଧୁରୀର ବାପ ଏକା ତିନି ହଜାର ଟଙ୍କା ନେଇଥିଲା ।

 

“ଆଉ ସବୁ କିଏ କିଏ କ’ଣ ନେଲେ, ଆନ୍ଦିଆ, ଆଉ ଆମର ଉପକାରିଆ ଜୟୀ ନାୟକ ଜାଣିଥିବେ ।’’

 

‘ମୋ ଜାଣିବାରେ ପନ୍ଦର ହଜାର ଟଙ୍କା ଖରଚ ହେଲା । ଟଙ୍କା ତ ଏତେ ନ ଥିଲା । ଗହଣା ମୁଁ ଦେଲି ନାହିଁ । କେତେ ସୁନାଥାଳି ଜମି ପୁଅ ଆମର ବିକିଲେ । ତା’ ସାଙ୍ଗ ଟୋକା ବିବେକାନନ୍ଦର ବେପାରୀ ବାପା କିଣିଲା ?’

 

‘ବିଲୁଆଠୁଁ ବଳି ଚତୁର ସେଇ ପୁଅଟା, ବିକ ନା ଫିକ । ତା’ ମୁହଁ ପୋଡ଼ୁ । ସବୁ ରଙ୍ଗ ଲଗେଇଛି । କି ଗଦ ଶୁଙ୍ଘେଇଛି, କି ମନ୍ତ୍ର ପଢ଼ି ପୁଅକୁ ମୋର ବଶ କରିଛି, କେଜାଣି, ସବୁ ନାଟ ଜାଣ ସେଇ ଲଗେଇଛି ।’

 

ଅତିଭକ୍ତିଆ, କଅଁଳକୁହା ଅଲକ୍ଷଣାଟା ମୋ ପୁଅକୁ କାଠିରେ ନଚାଉଛି ? ସେଇ ଚୁଲିପଶା ଯାହା କହିବ ସେଇଆ । ରଜା ଘରପୁଅ ପରତାପରେ ସେ ମନ୍ତ୍ରୀ ହୋଇଛି ଲୋ ମା’ । ସେ ଟୋକଟା କ’ଣ ଊଣା କି ?

 

କେତେ ଫନ୍ଦି ଫିକର କରି, ସାର ଜୀବନ ଖଟିଖଟି, ତୋ ଶଶୁରେ ସମ୍ପତ୍ତି କରିଥିଲେ । ସେଇଥିପାଇଁ ହିଂସୁକ, ହନ୍ତସନ୍ତିଆ ଲୋକେ ସହିପାରିଲେ ନାହିଁ । ଶୁଣିଥିବୁ ତ, ଯେମିତି ରାତିଅଧରେ ଭୂତବାଡ଼ିଆ ଖାଇ, ବହୁ ଦୁଃଖ ସହି, ଛଟପଟ କଲବଲ ହୋଇ ତୋ ଶଶୁରେ ସେ ପୁରକୁ ଗଲେ ?

 

‘ପରେ କୁହାକୁହି ହେଲେ ଲୋ ମା’, କୁଆଡ଼େ ତୋ ଶଶୁରଙ୍କର ଶତ୍ରୁ ପକ୍ଷର ଲୋକେ ଏପରି ଘଟାଇଥିଲେ । ୟା ବି ଶୁଣାଗଲା-ଆମ ପୁଅଙ୍କ ସାଙ୍ଗମାନେ ତାଙ୍କୁ ହଟାଇ ମଦୁଆ ନିର୍ବୁଧିଆ ପୁଅଙ୍କଠୁଁ ଉପାୟ କରି ସମ୍ପତ୍ତି ଶାଗମାଛ ମୂଲ୍ୟରେ ନେବେ ବୋଲି ଭୂତପ୍ରେତଙ୍କ ଆଳରେ ଏପରି ଭିଆଣ କରାଇଲେ ।

 

‘ମାଆଲେ ନହୁଲୀ, ସପନରେ ହେଲେ ତୋ ଶଶୁର କେବେ ମତେ ଦେଖାଦେଇ ନାହାଁନ୍ତି-।’

 

‘କେମିତି କହନ୍ତେ ? ଧର୍ମାତ୍ମା ପୁରୁଷ । ସେ ପୁଣି ଫେରିଆସିଥିଲେ ତାଙ୍କ ବୋହୁ ମାଧୁରୀର ଗର୍ଭକୁ । ଏଇ ଛୁଆ ବକଟକ, ସେଇ ତୋ ଶଶୁରଟି ଲୋ ମା’ ନଉଲୀ, ମୋ ମନ ମତେ ଜଣାଇ ଦେଇଛି । ’

 

...ସପନରେ ଆଉ ଆସନ୍ତେ କେମିତି ?

 

‘ସେମିତି ଲୋ ଝିଅ, ଭଲ ରାଶିନକ୍ଷତ୍ରରେ, କେଉଁ ଶୁଭ ମୁହୂର୍ତ୍ତରେ ମାଧୁରୀର ପବିତ୍ର ଆତ୍ମାଟି ତୋ’ରି ଭିତରେ ଅଙ୍କୁରି ଉଠିବ ସେଇ ହେବ ମୋ ଅଳିଅଳି ନାତୁଣୀ । ତା’ ପଛେ ପଛେ ମୁଁ ଆସିବି ତୋ କୋଳକୁ । ପୁଅ ହେବି କି ଝିଅ ହେବି କିଏ ଜାଣେ ।

 

‘ଆଜିଯାଏ ମାଧୁରୀ ଅଦୃଶ୍ୟ ହୋଇ ଏଇଠି ରହିଛି ପରା, ମୋତେ ସପନରେ ନିଜ ରୂପରେ କେବେ କେବେ ଦେଖା ଦେଇଛି । କହିଛି, ସେ ତା’ ପୁଅ ଶୋଭନର ଭଉଣୀ ହେବ । ତୋ’ରି ପେଟରୁ ଜନମିବ ।’

 

...ବୋଉଲେ, ମୁଁ ଯଦି ବଞ୍ଚି ରହିଥାଏ କେବେ ସିନା ସେ ମୋର ଝିଅ ହୋଇ ଜନମିବେ, ତାଙ୍କ ପଛରେ ଆସିବେ ଶାଶୁ । କିନ୍ତୁ ଏବେ ତ ସେ ମୋର ଗୁରୁଜନ । ତେଣୁ ତାଙ୍କର ପାଦଧରି ମୁଁ ମାନ୍ୟତା ହୁଡ଼ିଥିବାରୁ କ୍ଷମା ମାଗିଲି ।

 

(୫)

 

...କେତେ ରାତି ଲାଗି ନିରୋଳା ବେଳରେ ଏ ଚିଠି ଲେଖିଛି । ଶୋଭନଟି ମୋ ପାଖରେ ଶୋଇଛି । ତା’ ବୋଉର ଛବିଟି ଅଳପ ଉଚରେ କାନ୍ଥରେ ଝୁଲୁଛି ।

 

...ବାହାଘରର କେଇ ମାସ ପରେ ତମ ଜୋଇଁଙ୍କର ସାଙ୍ଗ ପ୍ରତାପ ଉଠେଇ ଥିଲା ।

 

...ଫଟୋ ଯେବେ ଉଠା ହେଲା ମାଧୁରୀ ହସ ହସ ହେଉଥିଲେ । ବଡ଼କର ଫଟୋଟି ସେମିତି ହସୁଥିଲା । ଆଚମ୍ବିତ କଥା ଲୋ ବୋଉ, ସେ ମତେ କାନ୍ଦିଲା ପରି ଦିଶନ୍ତି, କେବେ କେବେ ସତରେ ହସିଲା ପରି ବି ଲାଗନ୍ତି ।

 

...ଶୋଭା କହେ, ମୁଁ ବି ଏଚୁଲି ପାଉଁଶ ଘରେ ପାଦ ଦେଲା ଦିନରୁ ଦେଖୁଛି ତୋର ମଦୁଆ, ଛତରା, ନିର୍ଦ୍ଦୟ ଜୋଇଁ ଯେତେ ଉପଦ୍ରବ କରନ୍ତୁ, ଜିନିଷପତ୍ର ଫୋପାଡ଼ି କଚାଡ଼ନ୍ତୁ, ଭଙ୍ଗାରୁଜା କରନ୍ତୁ ପଛେ ମାଧୁରୀଙ୍କ ଫଟୋରେ କେବେ ହାତ ଦିଅନ୍ତି ନାହିଁ । ବେହୋବ ହୋଇ କେବେ ତହିଁରେ ହାତ ଛୁଇଁଲେ କଙ୍କଡ଼ାବିଛା ନାହୁଡ଼ ମାରିଲ ପରି ହାତ ଓଟାରି ଆଣନ୍ତି । ଘରୁ ବାହାରକୁ ପଳାନ୍ତି ।

 

...ମୋ ସଉତୁଣୀଙ୍କର ଫଟୋରେ ଥିବା ଆତ୍ମା ସେଦିନ ତୋ ଜୋଇଁଙ୍କର କୋପରୁ ମତେ ରକ୍ଷା କଲେ । ମୁଁ ଦୁଇହାତ ଯୋଡ଼ି ମୋର ରକ୍ଷାକାରିଣୀ ବଡ଼ଭଉଣୀଙ୍କୁ ପ୍ରଣାମ କରେ ।

 

...ଶୋଭାଠାରୁ ଶୁଣିଛି, ଶାଶୁ ବି ବ୍ୟସ୍ତ ହେଇ କହନ୍ତି, ମାଧୁରୀ ମଲା ସିନା, ପୁଅଟା କୋର୍ଟ କଚେରୀକୁ ଓଟାରି ହେଇଗଲା । ହିଂସୁକା କେଇଜଣ ଗାଁ ଲୋକ ଶତ୍ରୁତା କରି କ’ଣ ସବୁ ଥାନାରେ ଫୋଡ଼ିଲେ ।

 

‘ଜୟୀ ନାୟକ ଟରଣୀ ଥିବାରୁ ଲୋକଙ୍କର ସବୁ ଚକ୍ରାନ୍ତ ଏପରିକି ନିଆଁଲଗା ସମୁଦି, ମାଧୁରୀର ବୋପା ମ, ତା’ ସାକ୍ଷୀ ବି ଫସର ଫାଟିଗଲା । ମିଛ କହିବ ବୋଲି ସେ ତିନି ହଜାର ଟଙ୍କା ନେଇଥିଲା ।’

 

‘ସୁଅ ମୁହଁରେ ଟଙ୍କା ଖରଚ ହେଲା । ସେଥିପାଇଁ କୁଳାଙ୍ଗାର ପୁଅ ଜମି କେତେ ମାଣ ବିକିଲା । ଏ କୁଳର ମହତ ରହିଲା ।’

 

...ତୋ ଜୋଇଁ ବେଶ୍ ହଲପଟା ହୋଇଥିଲେ । ପୁଲିସି ତାଙ୍କୁ ଥାନାକୁ ଘୋଷାରି ନେଇଥିଲେ । ଜୟୀଦାଦିଙ୍କ ଚେଷ୍ଟାରେ ସବୁ ଫସର ଫାଟିଗଲା ।

 

...ଶୋଭା ମତେ କହେ, ନଉଲୀ ଦେଈ ଗୋ ଜୟୀ ନାୟକେ ସାହା ଦେଲେ, ହଁ, କିନ୍ତୁ ଗାଁଲୋକଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାକୁ, ମାଧୁରୀଙ୍କ ବାପାଙ୍କୁ ମିଛ କୁହାଇବାକୁ ଯେ ତାଙ୍କ ଝିଅର ପେଟମରା ବେମାରି ବାହା ଆଗରୁ ଥିଲା, ଟଙ୍କା ସୁଅମୁହଁରେ ଖରଚ ହୋଇଥିଲା ।

 

ବୋଉ ଲୋ, ସେଥିରୁ ମତେ କ’ଣ ମିଳିବ ? ମୁଁ ବେଳେବେଳେ ଭାବେ, ଜୟୀଦାଦିଙ୍କର କି ଦୋଷ ମୁଁ କରିଥିଲି ? ତତେ ଭୁଲାଇ, ମୋ ନାଁରେ ମିଛ ଦୁର୍ନାମ ରଟାଇ, ଏ ପାଖରେ ଭଲେଇ ହେଇ ଆଉକିଛି ଧନ ଶାଶୁଙ୍କଠଉଁ ଚିତାକାଟିନେବାକୁ ମତେ ଏଠାକୁ ପଠାଇବାର ଉପାୟ ଖଞ୍ଜିଲେ-?

 

..ତମେମାନେ ସିନା ଜାଣି ନ ଥିଲ, ତାଙ୍କୁ ସବୁ ଘଟଣା ଅବଗତ ଥିଲା । ଏ ଘରର ବୋହୂ ହୋଇ ଆସିବାର ଦିନ କେତୋଟି ପରେ ମୁଁ ଜାଣିଲି, ତୋ’ ଜୋଇଁଙ୍କର ଆଗ ଭାରିଜାର ଦଶ ମାସର ପୁଅ ଅଛି ।

 

...ତା ମା’ ମିଛିମିଛିକା ପେଟମରା ବେମାରିରେ ମଲାବେଳକୁ ସେ ଚାରି ମାସର ହୋଇଥିଲା । ଛେଳି କ୍ଷୀର ଓ ପରେ ଓଖର ଖୁଆଇ ତାକୁ ମୋ ଶାଶୁ ବଢ଼ାଇଥିଲେ । ଶୋଭା ତା’ର ବାହନ ହୋଇଥିଲା ।

 

...ସୁନ୍ଦରିଆ, କୁଲକୁଲିଆ, ସ୍ୱାସ୍ଥ୍ୟବାନ୍ ଛୁଆଟିକୁ ଦେଖି ମୋ ମନ କୁରୁଳି ଉଠିଥିଲା । କାହା ପରିକା ସେ ହୋଇଥିଲା ? ବାପା ପରିକା, ନା, ମା’ ପରିକା ? ଦିହେଁ ଭିନ୍ନ ଭିନ୍ନ ପ୍ରକାର ସୁନ୍ଦର । ଜଣକ ଭିତରେ ଗୋଟାଏ ସଇତାନ ଲୁଚି ରହିଛି । ଆରକଙ୍କ ଭିତରେ ସବୁ ସୁଗୁଣ । ଲକ୍ଷ୍ମୀଠାକୁରଣୀଙ୍କର ଦୟା, ମାୟା, ମମତାରେ ଭରି । ଧରିତ୍ରୀ ମୂରତି ।

 

...ଶୋଭନ ମାଧୁରୀଙ୍କର ଫଟୋଟି ଧରି ଖେଳିବାକୁ ଚାହୁଁଥିଲା । ସେହି ଅପୂର୍ବ ଦରବଟି କାଳେ ସେ ତଳେ ପକାଇ ନଷ୍ଟ କରିଦେବ, ସେଥିପାଇଁ ତାକୁ ଖେଳିବାକୁ ଦିଆଯାଉ ନ ଥିଲା । ଅନ୍ୟ ଛବି ଦେଖାଇ ଖେଳନା ଦେଇ ଭୁଲାଇ ଦେଉଥିଲେ ।

 

...ମୋ ଠେଇଁ କ’ଣ ସେହି ଦଶମାସ ଛୁଆଟା ତା ମା’ର ଫଟୋର ସାଦୃଶ୍ୟ ଦେଖିଲା, କେଜାଣି ? ସ୍ନେହର ବିନ୍ଦୁ ଲତାରେ ମୁଁ ହାତ ପତାଉଣୁ ସେ ଶୋଭାର କାଖରୁ ମୋ କୋଳକୁ ଡେଇଁପଡ଼ିଲା । କ୍ଷୀରଖିଆ ବୋତଲର ରବର ଭୁଣ୍ଡିଟି, ଯାହାକୁ ଛଅ ମାସ ହେବ ଚୁଚୁମି ଚୁଚୁମି ବୋତଲରୁ ଓଖର ଶୋଷେ, ତାକୁ ସେ ପାଟିରୁ ଖସାଇଦେଲା ।

 

...ସେ ମୋ ଛାତିରେ ମୁହଁ ଘଷନ୍ତେ ମୁଁ ଶୋଭା ଆଗରେ ଲାଜରା ହେଲି । ତାକୁ କାନ୍ଧରେ ପକାଇ ପିଠି ଥାପୁଡ଼ିଲି ।

 

...ଶୋଭା କହିଲା, ମାଧୁରୀ ଦେବୀ ସେପୁରକୁ ଆପେ ବାହୁଡ଼ିଲାବେଳେ ଶୋଭନଟି ମୋଟେ ଚାରିମାସର । ସେ ବଅସର ଛୁଆ, ଖାଲି ଚେଇଁଥିଲାବେଳେ ନୁହେଁ, ଶୋଇଲାବେଳେ ବି ଚୁଚୁମି ଚୁଚୁମି ଶୋଇପଡ଼ନ୍ତି ।

 

‘ନଉଲୀ ଦେଈ ଗୋ, ଛୁଆଟି ବୋତଲ ଚୁଚୁମେ । ମତେ କେବେ, ବୁଢ଼ୀ ମା’ଙ୍କୁ ବି ଚୁଚୁମେ । ଚେଇଁଥିଲାବେଳେ, ଖେଳିଲାବେଳେ ରବର ଚୁଚୁମାଟି ଅବା ବାଆଁ ହାତର ବୁଢ଼ା ଆଙ୍ଗୁଠିକୁ ପାଟିରେ ଭରିଥାଏ ।

 

...ମୁଁ ଯେ ତା’ର ବୋଉ । ଆଉ ଯେଉଁ ଫଟୋଟି ଉପରେ ଫୁଲମାଳ ଦିଆହୁଏ, ସେ ଯେ ଠାକୁରଣୀ, ଏତିକ ସେ ପିଲା ଜାଣିବାକୁ ମୋତେ ଓ ଶୋଭାକୁ ତାକୁ ବାରମ୍ବାର ପ୍ରବର୍ତ୍ତାଇବାକୁ ପଡ଼ିଲା । ଶାଶୁଙ୍କର ସେଇ ଶିକ୍ଷା ।

 

Unknown

...ତୋ ଜୋଇଁ ଏଥିରେ ଏକମତ ହୋଇଥିଲେ । ଶୋଭନ ସେଇଆ ଗ୍ରହଣ କରିନେଇଥିଲା । କଥା ମାନି, ତା’ ମା’ର ଫଟୋ ପାଖରେ, ସେ ମୋ ସାଙ୍ଗରେ ଓଳଗି ହେଉଥିଲା-

 

...ୟାଙ୍କ ଘରକୁ ଆସିବାର ତିନିମାସ ପରେ ମୋ ପେଟରେ ଛୁଆ ରହିଲା ଶୋଭାଠାରୁ ଶାଶୁ ଶୁଣିଲେ । ଶାଶୁ ତାଙ୍କ ପୁଅକୁ ଆକଟି, ଗେହ୍ଲେଇ, ପୁଣି ନେହୁରା ହୋଇ ଦିନେ କହିଲେ, ତାଙ୍କରି ଶୋଇଲା ଘରେ, ‘ବାପରେ, ମୋର ତୋ ବିନା ଆଉ କିଏ ଅଛି ? କଥା ତ ମାନିଲୁ ନାହିଁ । ବଜାରୀ, ଛତରା, ଲଫଙ୍ଗାଙ୍କ ସଙ୍ଗେ ମିଶି କେତେ ସମ୍ପତ୍ତି ଜୁର କଲୁ ।’

 

‘ଯାହା ଗଲା, ଗଲା । ଏଣିକି ସାବଧାନ ହ । ସତର୍କ ରହ । ଅବ୍ୟାଜରେ ଜମିବାଡ଼ି ବିକ୍ ନା ।

 

ମୋ ଧନରେ, ତୋ’ର ଛୁଆଟିଏ ଅଛି । ତାକୁ ବରଷ ପୂରିବ । ନଉଲୀ ପେଟରେ ପାଞ୍ଚମାସର ଛୁଆ ବୁଲିଲାଣି । ଦେଖୁ ଦେଖୁ ବେଳ ବିତିବ । ତୋର ଆଉ ଗୋଟିଏ ପୁଅ ହେବ । ପୁଣି ଆଉ ଗୋଟିଏ...

 

“ମୋ ଧନରେ, ସେମାନଙ୍କ ଭବିଷ୍ୟ ତୁ ଭାବିବୁ ନାହିଁ ? ସବୁ ବିକିଭାଙ୍ଗି ସାଇଲୁ । ସାଙ୍ଗଙ୍କୁ ଦେଲୁ । ଓକିଲ, ମୁକ୍ତାର ଆଉ ଅନ୍ୟ କାହାକୁ ଦେଲୁ । ମଦ ପାଣି, ଆଉ ଫୁର୍ତ୍ତିରେ ଉଡ଼ାଇ ଦେଉଛୁ । ଏଣିକି ସାବଧାନ ହ । ମୁଁ ଚେତାଇ ଦେଉଛି ।’’

 

...ବୋଉଲୋ, ରାତି ଦି ଘଡ଼ି ହେବ । ତିଥି କ’ଣ, ମୋର ମନେ ନାହିଁ । ବାଙ୍କୁଲି ଜହ୍ନ ଘରର ମଥାନ ତଳକୁ ଓହ୍ନାଇ ଯାଇଥାଏ । ଅଗଣା ଭିତର ଅନ୍ଧାରିଆ ଦିଶୁଥାଏ ।

 

...ଖେଳାଉ ଖେଳାଉ ଶୋଭନ ମୋ ଗୋଡ଼ରେ ଶୋଇପଡ଼ିଥିଲା । ତାକୁ ଶାଶୁଙ୍କ କୋଡ଼ରେ ଦେବାକୁ ଅଗଣା ପାରିହୋଇ ତାଙ୍କ କୋଠରିକୁ ନେଉଥାଏ । ସେ କେବେ କେବେ ଶାଶୁଙ୍କ ପାଖରେ ଶୁଏ, କେବେ ବା ମୋ କୋଳରେ । ପୁଅକୁ ଛାତିରେ ଧରିଥାଏ ।

 

...ପେଟରେ ଆଠମାସର ଛୁଆ ବୁଲୁଥାଏ । ଟିକିଏ ଧଅସି ଚାଲିଲେ, ଅବା ବେଶି କାମ କଲେ ମୋ ପେଟରେ ସେଇଟା ଅସ୍ଥିର ହୁଏ । ମୋର ଭୟ ହେଉଥାଏ ଯେ, କେତେ ମାଇପିଙ୍କ ପରି ମୋର ବି ଛଟପଟ ହୋଇ ଜୀବନ ଯିବ ।

 

...ଭାବେ, ତା’ ଆଗରୁ ଯଦି କେମିତି ମୋର ମରଣ ହୁଅନ୍ତା, ମୁଁ ତ୍ରାହିଗତି ପାଆନ୍ତି । କିଏ ଖୁସିରେ ହସିବ, କିଏ ଦୁଃଖରେ କାନ୍ଦିବ, ଆଉ କିଏ ଝୁରିବ, ଅବା ପସ୍ତାଇବ, ସେ କଥା ମୋ’ର ବିଚାରିବାର ଲୋଡ଼ା ନାହିଁ ।

 

...ଅଳପ ବର୍ଷର ଘରକରଣା ଭିତରେ ସର୍ବ-ସହଣୀ ହୋଇ ମଧ୍ୟ ମୁଁ ବୁଝିସାରିଲିଣି ଯେ ତୋ ଜୋଇଁ ସତକୁ ସତ ଗୋଟାଏ ସଇତାନ୍ । ସେ କାହିଁରେ ସନ୍ତୁଷ୍ଟ ହେବେ, କେହି ଜାଣନ୍ତି ନାହିଁ-। ମଦ ଓ ସାଙ୍ଗମାନେ ତାଙ୍କର ଆତ୍ମାକୁ ଜାବୁଡ଼ି ଧରିଛନ୍ତି । ସେଇମାନେ ତାଙ୍କୁ ନଚାଉଛନ୍ତି । କଣ୍ଢେଇ ନାଚ...

 

...ମୋ ଉପରକୁ ସେ କେତେଥର ହାତ ଉଠାଇଲେଣି, ମୋ’ର ଏପରି ଅବସ୍ଥାରେ, ଅତି ଛୋଟ ଛୋଟ କଥାରେ । ଦେହ ଓ ମନକୁ କାଠ କରି ମୁଁ ସହେ । ଶାଶୁଙ୍କୁ କହେ ନାହିଁ ।

 

...ସେ ଅନୁମାନ କରି ମତେ ପଚାରିଲେ ମୁଁ ମନା କରେ । ହସିଦିଏ ସେ ଯାହା ବୁଝିବାର ବୁଝନ୍ତୁ ।

 

...ଜାଣିପାରେ ଶୋଭା । କହାକୁ କିଛି ପଚାରେ ନାହିଁ । ମୋ ପାଖରେ ଅଧିକରୁ ଅଧିକ ଗୋଳେଇ ହୁଏ । ମତେ ଛୋଟ ଝିଅଟିଏ ପରି ସେ ମଣେ । ସେମିତି ବ୍ୟବହାର କରେ । ଘଷିମାଜି ଦିଏ । ହାତରୁ ଛଡ଼ାଇ ପାଇଟି କରେ ।

 

...ବୋଉ ଲୋ, ଲେଖୁ ଲେଖୁ କୁଆଡ଼କୁ ମୁଁ ମାଡ଼ିଗଲିଣି । ମନ ଥିର ରହୁନାହିଁ । ସେଦିନ ସଞ୍ଜ ପହର କଥା କହୁଥିଲି । ଛାତିରେ ଶୋଭନକୁ ଧରି ଝରକା ପାଖରେ ପିଣ୍ଡାରେ ଠିଆ ହୋଇଥିଲି । ମା’ ପୁଅଙ୍କର କଥାଭାଷା ଶୁଣୁଥିଲି ।

 

ହାତରେ ଦି’ ଦି’ ପଟି ସୁନାର କାଚ, ବେକରେ ଏକସରିଆ ପଦକ-ଝୁଲା ଛୋଟ ହାରଟିଏ ଛଡ଼ା ଆଉସବୁ ଗହଣାଗଣ୍ଠି ମୁଁ ଶାଶୁଙ୍କୁ ଦେଇଥିଲି । ସେ ତାଙ୍କର ଲୁହା ବାକ୍ସରେ ସବୁ ରଖିଥିଲେ ।

 

...ଶାଶୁ ମୋତେ ଦେଇଥିବା ଗହଣା ଆଉ ମାଧୁରୀଦେବୀଙ୍କୁ ଆଗରୁ ଦେଇଥିବା ଗହଣା, ପୁଅଙ୍କ ହାବୁଡ଼ରୁ ରକ୍ଷାପାଇଥିବା ଆଉ କ’ଣରୁ କିଛି ନେଇ ବିକିବାକୁ ତୋ ଜୋଇଁ ତାଙ୍କ ବୋଉଙ୍କୁ ଖୁସାମତ କରୁଥିଲେ ।

 

...ମୁଁ ବାରଣ୍ଡା ଉପରେ ପିଲାକୁ ଧରି ନୁଦୁବୁଦୁ ଅବସ୍ଥାରେ ଠିଆ ହୋଇଥିଲି ସେମାନଙ୍କର କଥାଭାଷା ଶୁଣୁଥିଲି ।

...ବାଘ ସାପ ପରି ମୁଁ ତାଙ୍କୁ ଡରେ । ମଦନିଶା ଲାଗି ଟଳଟଳ ଅବସ୍ଥାରେ ଯେତେ ନୁହେଁ, ତାଙ୍କର ସ୍ୱାଭାବିକ ଭଲ ଅବସ୍ଥାରେ । ନିଶାଲଗା ଅବସ୍ଥାରେ ଗୁଡ଼ାଏ ଏଣୁ ତେଣୁ ବକି ତୁଣ୍ଡର ପ୍ରତାପ ସିନା ଦେଖାନ୍ତି, ଦେହରୁ ଶକ୍ତି ହଜି ଯାଇଥାଏ । ଭଲ ଅବସ୍ଥାରେ ତାଙ୍କ ଭିତରର ସଇତାନ ଜାଗି ରହିଥାଏ । ତା’ରି ଦୟା ଉପରେ ଭଲମନ୍ଦ ବ୍ୟବହାର ନିର୍ଭର କରେ ।

...ତାଙ୍କ ବୋଉଙ୍କୁ କୋବଲାଉଥିଲେ । କହୁଥିଲେ, “ଶହେଟି ଟଙ୍କା ମୋଟେ ଦରକାର । ଓକିଲ ନେବ, ଅନିଲ୍ ନେବେ, ଆମ କାମ କରିବେ । ଜୟୀ ଟରଣୀ ସବୁ ଠିକ୍ କରିଛନ୍ତି । ସେ ସହରରେ ଓକିଲଙ୍କ ଘରେ ମତେ ଅପେକ୍ଷା କରି ରହିଥିବେ । ଟଙ୍କା ନେଇ ମତେ ସଙ୍ଗେ ସଙ୍ଗେ ଧାଇଁବାକୁ ପଡ଼ିବ ।’’

...ଶାଶୁ କହିଲେ, “ମୋ ପାଖରେ ଟଙ୍କା କାହିଁରେ ବାଇଆ ? ବୋହୁ ପାଇଁ, ତୋ ପୁଅ ପାଇଁ ଓଷଧ ମଉଷଧିରେ ଖରଚ ହେଲା । ଏଣିକି କେମିତି ଚଳିବ ସେକଥା ତୁ ବିଚାର କର ।’’

...କହିଲେ, ‘ଠାକୁରେ ଚଳାଇବେ । ତୁ ଏବେ ଟଙ୍କା ଦେଇଥା । ମୁଁ ଯେଉଁଠୁ ହେଲେ ଆଣିବି ନାହିଁ କି ? ତୋ ମାଧୁରୀ ବୋହୁଟା ବିଷ ଢୋକି ମଲା । ଭଲ ହଲାପଟା ଲାଗିଲା ଯେ ଏବଯାଏ ଲେଣ୍ଟା ଛିଣ୍ଡିଲା ନାହିଁ ।’

‘ସେ ଜମି, ଯାହାର ଧାନ, ମୁଗ ବିକି ତୁ ଟଙ୍କା ରଖିଛୁ, ସେଇ ଜମିଟି ବନ୍ଧା ପଡ଼ିଥିଲା । ମୋଟେ ହଜାରେ ଟଙ୍କାକୁ । ମହାଜନ ତା’ ପାଇଁ ମକଦମା କରିଛି ।’

...ବୋଉ ଲୋ, ଶୋଭନକୁ କାନ୍ଧରେ ପକାଇ ମୁଁ ଏଣେ ଗୋଟାଛାଏଁ ଥରୁଥିଲି । ପେଟ ଭିତରେ ଆଠମାସର ଛୁଆଟା ମତେ ବିଧାଗୋଇଠା କୋରୁଥାଏ । ମୋ ମୁଣ୍ଡ ଭ୍ରମୁଥାଏ । କାଳେ ପଡ଼ିଯିବି ବୋଲି କାନ୍ଥକୁ ଆଉଜି ଠିଆ ହେଲି । ଭାବିଲି, ଯେଉଁ ମଞ୍ଜିରୁ ସେଇ ଫଳତ ଫଳିବ । ଯେଉଁ ଜନ୍ତୁଟି ପେଟରେ ବଢ଼ୁଛି, ସେଇଟା ବି କ’ଣ ବାପର ବରଗ ହେବ ନାହିଁ ?

 

...କାହିଁକି ନ ହେବ, ବୋଉ । ଖାଲି ଶୋଭନ ନୁହେଁ, ସାହିର ମାଇପେ ପୋଖରୀତୁଠରେ ମତେ ଏକୁଟିଆ ଦେଖି କହନ୍ତି, ‘ତୁ ହୀନକପାଳୀ ଲୋ ମା’, ୟାଙ୍କର ପୁରୁଷକୁ ପୁରୁଷ ଏମିତି ଉତ୍‍ପାତିଆ ଥିଲେ । ତୋ ଶଶୁରଙ୍କ ଗୁଣ କହିଲେ ନ ସରେ । ବିଶ୍ୱାସରେ ସେ ବିଷ ଦେଉଥିଲେ । କେତେ ନିରୀହଙ୍କୁ ଚିତା କାଟି ଦାଣ୍ଡରେ ବସାଇଥିଲେ ।’

 

...କହନ୍ତି, ‘ହଁ ଲୋ ମା’, ସମସ୍ତେ ଜାଣନ୍ତି । ଅଧର୍ମ ବିତ୍ତଟି ବହୁତ ଫଳେ । ଗଲାବେଳେ ମୂଳ ସହିତେ ଯାଏ । ତମ ଶଶୁରେ ଭୂତବାଡ଼ିଆ ଖାଇ ଯେମିତି କଲବଲ ହେଇ ମଲେ । ଶତ୍ରୁକୁ ସେମିତିକା ଦୁଃଖ ନ ହେଉ ।’

 

‘ଆନ୍ଦିଆ ବିପରୀତ ବୁଦ୍ଧି ଧରିଲାଣି । ତିନି ପୁରୁଷର ଅଧର୍ମ ବିତ୍ତ ମୂଳ ସହିତ ସେ ଗମେଇବ । ସମସ୍ତଙ୍କର ନିଶ୍ୱାସ ଏକାଠି ହୋଇ ମହାନ ତୋଫାନ ହେବ । ସବୁ ଉଡ଼ାଇବ, ଛିନଛତର କରିବ ।’

 

...ଏମିତି କେତେ କଥା ମୁଁ ଶୁଣେ । କାଠ ପାଲଟିଥାଏ । ଜବାବ ଦିଏ ନାହିଁ । ସେମାନଙ୍କର କଥାନିରେ ବାଧା ଦିଏ ନାହିଁ ।

 

...ତୋ ଜୋଇଁଙ୍କର ଢଙ୍ଗ କ’ଣ ସେମାନଙ୍କର ଧାରଣା ଆଡ଼କୁ ବାଟ କଢ଼ାଇ ନେଉନାହିଁ କି ? କାହାଘରର କେଉଁ ଗୁପ୍ତଘଟଣା ଗୁପ୍ତ ହୋଇ ରହିପାରେ ନାହିଁ । ଆକାଶ, ଆଲୁଅ, ପବନ ଚାରିଆଡ଼େ ବ୍ୟାପୀ ନାହିଁକି ? ସେମାନେ ଜାଣିଲେ ସମସ୍ତେ ଜାଣିବେ ।

 

...ଜାଣନ୍ତୁ, ମୋର କି ଥାଏ ? ମୁଁ ତତେ ନିର୍ଭର ଜବାବ ଦେଉଛି ଲୋ ବୋଉ, ମୁଁ ତୋ ଶିକ୍ଷା, ଆଉ ଜେମାଦେଈ ଅପାଙ୍କ ଶିକ୍ଷା ମାନିବି । ଦୁଃଖ କଷ୍ଟ ଆସିଲେ ତାକୁ ମୁଣ୍ଡାଇବି ।

 

...ସହିବି କର୍ତ୍ତବ୍ୟ କରୁଥିବି ।

 

...ଯେତେ ଦୁଃଖ ଯନ୍ତ୍ରଣା ମୋ କପାଳକୁ ଆସୁ, ମୁଁ ମୋର ସ୍ୱର୍ଗବାସିନୀ ଦୁଃଖିନୀ ସଉତୁଣୀ ସୁବର୍ଣ୍ଣ-ପ୍ରତିମା, ଶୋଭାର ପସରା ମାଧୁରୀଙ୍କ ପରି ଧୈର୍ଯ୍ୟ ହରାଇ ନିଜ ହାତରେ ଜୀବନଦୀପ ଲିଭାଇବି ନାହିଁ ।

 

...ବୋଉ ଲୋ, ମାଧୁରୀ ଦେବୀ ମଲେ ସିନା, ମାନେ, ଦେହରେ ମଲେ, ତାଙ୍କର ଆତ୍ମାଟି ଏଇଠି କାରବାର ହେଉଛି । ଶାଶୁ କେତେଥର ତାଙ୍କର ଛାଇମୂର୍ତ୍ତି ଦେଖିଛନ୍ତି ।

 

...କହୁଥିଲେ, ‘ନଉଲୀରେ, ସେ କାନ୍ଦୁଥିଲା ପରି ଲାଗେ । ଆଖି ପୋଛୁଥାଏ । କ’ଣ କହିବ କହିବ ହୁଏ କି କହୁଥାଏ, ମତେ ଶୁଭେ ନାହିଁ । ଆଖିପିଛଳାକେ ସେ ଉଭେଇଯାଏ ।’

 

...ଶୋଭା ବି ସେମିତି କହେ, “ନଉଲୀ ଦେଈ ଗୋ, ଘର ଭିତରେ ସେ ଆତଯାତ ହେବାର ମୁଁ ଦେଖିଛି । ଡରି ନାହିଁ । ତାଙ୍କ ପଛେ ପଛେ ଯାଇଛି । ଅଗଣାର ତୁଳସୀ ଚଉରା ପାଖରେ ରାତିର ଆଲୁଅରେ ଅବା ଅନ୍ଧାରରେ ସେ ମିଶିଯାଆନ୍ତି । କେବେ ସେ ପ୍ରେତଦେହରୁ ମୁକୁଳି, ମୁକ୍ତି ପାଇବେ କେଜାଣି ?’’

 

...ଶୋଭା କଇଁ କଇଁ ହୋଇ କାନ୍ଦେ । ପୁଣି କହେ, “କେତେ ସେବା ତାଙ୍କର ନ କରିଛିଟି । ମୁଁ ମୂଲିଆଣୀଟା ଗୋ ନଉଲୀ ଦେଈ, ସେହି ଆଉଟାସୁନାଦେହୀ ତ ଜଣେ ଛୋଟ ନିଅଣ୍ଟିଆ ମୂଲିଆ ଚାଷୀର ଝିଅ । ତାଙ୍କୁ, ତାଙ୍କର ବାରଣ ନ ମାନି କେତେ ଘଷାମଜା କରୁଥିଲିଟି ।’’

 

‘ସେ ରୂପ ଦେଖିଲେ, ତାଙ୍କର ରଙ୍ଗ ପାଟିର ହସ, ସରୁ କଜଳ ଗାର ଲଗା ସୁନ୍ଦର ନୀଳକଇଁର ପାଖୁଡ଼ା ପରିକା ଆଖିର ଚାହାଁଣି ଦେଖିଲେ, କାଳେ ଆନନ୍ଦ ସାଆନ୍ତେ ହାତ ଟେକିବାକୁ ଭରସିବେ ନାହିଁ, ସେଇଥିପାଇଁ ଗୋ ।’

 

...ବୋଉଲୋ, କେତେଦିନରୁ ଏହି ଚିଠିଟି ମୁଁ ତୋ ପାଖକୁ, ହାଉଲେ ହାଉଲେ, ରାତିରେ, କେବେ ବା ଦିନବେଳା ଦି ପହରେ ଲେଖୁଛି । କିଏ ଆସିଲେ ଶେଯ ତଳେ ଲୁଚାଇ ଦେଉଛି ।

 

...ଏ ଚିଠି ସାତକାଣ୍ଡ ରମାୟଣ ହେବ କି ଅଠରଖଣ୍ଡ ମହାଭାରତ ହେବ, ଜାଣେ ନାହିଁ । କେବେ ତୋ ପାଖରେ ପହଞ୍ଚିବ, କି ନ ପହଞ୍ଚବ ମତେ ଜଣାନାହିଁ । ଲେଖିବାକୁ ମନ ହେଲା, ବେଳ ମିଳୁଛି, ତେଣୁ ଲେଖୁଛି । ମୋ ମନରୁ ବୋଝ ଓହ୍ଲାଇ ଦେଉଛି ।

 

...କାନ୍ଥ ମଝିରୁ ମାଧୁରୀଙ୍କର ଛବି ଚାହିଁ ରହିଛି । ଶୋଭନ ଆଜି ଶାଶୁଙ୍କ ପାଖରେ ନ ଶୋଇ ମୋ ପାଖରେ ଶୋଇଛି ।

 

...ଲେଖୁଥିଲି ପରା, ସେହି ବିତିଲା ବେଳର ଘଟଣା ସବୁର କାହାଣୀ ।

 

...ଅନ୍ୟମାନଙ୍କ ପରି ମାଧୁରୀଙ୍କର ଚଳନ୍ତି ଛାୟାମୂର୍ତ୍ତିକୁ ମୁଁ ନିଜେ କେବେ ଦେଖି ନ ଥିଲି-। ନିଦରେ ଶୋଇଥିଲାବେଳେ ଅବଶ୍ୟ କେବେକେବେ ତାଙ୍କୁ ସପନରେ ଦେଖେ । ଶୋଭନ ତ ମୋ ପାଖରେ ଶୋଇଥାଏ । କେବେକେବେ ମୋ କୋଳରେ ଥାଇ ଛାତିରେ ମୁହଁ ଲଗାଇ ମତେ ଚୁମୁଥାଏ । ଚାରିବର୍ଷ ଚାଲିଛି ଛୁଆକୁ । ଅଭ୍ୟାସ ଛାଡ଼ୁନାହିଁ ।

 

...ଉପାୟ କରି ଦୁଧଖିଆ ଛଡ଼ାଇବାକୁ ଶାଶୁ ଓ ଶୋଭାକୁ କହିଲିଣି । ତୋ ମଦୁଆ ଜୋଇଁ ନିଶାଟଳଟଳ ହୋଇ କେତେଥର କହିଲେଣି, “ସେଇଟାକୁ ବୋଉ ପାଖରେ ଫୋପାଡ଼ି ଦେ ନ ହେଲେ ତା’ର ତଣ୍ଟି ଚିପିଦେବି ।”

 

...ମୁଁ ତାଙ୍କୁ ଡରାଇ କହେ, ‘ଦେଖୁଛଟି ସେ ଫଟୋକୁ । ଛୁଆ ଧିଅରେ ହାତ ଦେଲେ ସେ କ’ଣ କ୍ଷମା କରିବେ ? ଛୁଆର ପାଖେ ପାଖେ ସେ ଜଗି ରହିଛନ୍ତିଟି । ସପନରେ ମତେ ସେ ନେହୁରା କରୁଛନ୍ତି ?’’

 

...ସେ ଡରିଯାଆନ୍ତି । ନିଶ୍ଚୟ ସପନ ଦେଖିଥିବେ । ମଦନିଶା ସତ୍ତ୍ୱେ, ତାଙ୍କର ଘୁଙ୍ଗୁଡ଼ି ମରା ନିଦ ଭାଙ୍ଗେ । ଆକୁଳିଆ ବିଳିବିଳାରେ ସେ ଛାନିଆଁ ହୋଇ ଉଠନ୍ତି ।

 

...ପଚାରିଲେ କିଛି କହନ୍ତି ନାହିଁ । ମୋ ଗାଲରେ କଷନ୍ତି ବ୍ରହ୍ମ ଜାବୁଡ଼ା । ସେତକ ଦାନ କରିବାକୁ ସେ ପଛାନ୍ତି ନାହିଁ ।

 

...ମାଡ଼ ଖାଇବା, ଆଘାତର ବେଦନା ସହିବା ମୋର ଅଭ୍ୟାସ ହେଲାଣି । ଦେହ କାଠପଥର ପରି ବୋଦକା ହେଲାଣି । ତେବେ, ଆଖିରୁ ଅମାନିଆଁ ଲୁହ ଆପେ ଝରିପଡ଼େ ।

 

...ପାଟିକରି କାନ୍ଦି ଉଠିଲେ ଆଉ ରକ୍ଷାରକ୍ଷଣ ନ ଥାଏ । ‘ଶୁଣାଇଁ ହେଉଛୁ ବେ’ କହି ସେ ଅଧିକ ଉତ୍‍କ୍ଷିପ୍ତ ହୁଅନ୍ତି । ଆହୁରି ପ୍ରହାର କରନ୍ତି । ପିଲାଟାକୁ ଘୋଷାରିନେବାକୁ ଉଦ୍ୟତ ହୁଅନ୍ତି ।’

 

...ମୋ ହାଲୁକା ଶୁଖେ । ମୁଁ ଛାନିଆଁ ହୁଏ । ଶୋଭନକୁ ଛାତିରୁ ଉଠାଇ ମାଧୁରୀଙ୍କର ଫଟୋ ତଳେ, କାନ୍ଥ ପାଖରେ କଚିଦେଲା ପରି ବସାଇ ଦିଏଁ ।

 

...ପିଲାଟା ରାହା ଧରି କାନ୍ଦେ । ମଁ ହାତଯୋଡ଼ି ମାଧୁରୀଙ୍କ ଫଟୋକୁ କହେ, “ତମର ପିଲାକୁ ତମେ ନେଇଯାଅ ଗୋ ଅପା, ଏଇ ନିଷ୍ଣୁର ଚଣ୍ଡାଳର ପାପରୁ ମୁଁ ତାକୁ ବଞ୍ଚାଇପାରିବି ନାହିଁ-।’’

 

...ସେ ମୋ ଆଗରେ ପଲଙ୍କକୁ ଆଉଜି ଠିଆ ହୁଅନ୍ତି । ଅଜଣା କୋପର ତାପରେ ଧଇଁସଇଁ ହେଉଥାଆନ୍ତି । ହସହସ ମାଧୁରୀଙ୍କର ବଡ଼କର ସୁନ୍ଦର ଫଟୋକୁ ଚାହାଁନ୍ତି ।

 

...ମୁଁ ପୁଣି କହେ, “ମୁଁ ବି ଆଉ ରହିବି କାହିଁକି ? ଆସିଛି ଯଦି ମତେ ସାଙ୍ଗରେ ନେଇଯାଅ । ମୁଁ ତମ ପାଖକୁ ଯିବି...ଯିବି...ଯିବି । ମୁଁ ଏ ଚଣ୍ଡାଳ ପାଖରେ ମୋଟେ ରହିବି ନାହିଁ ।’’

 

...କାନ୍ଥରେ ମୁଣ୍ଡ ଲଗାଇ ଦିଏଁ । ସେ କ’ଣ ବିଚାରୁଥାନ୍ତି ମୁଁ କେମିତି ଜାଣିବି ? ଦେହରେ ମୋର ବିଧାଗୋଇଠା ବାଜେ ନାହିଁ । ପିଲାଟିର ବିକଳ କାନ୍ଦଣା ମୋ କାନରେ ବାଜୁଥାଏ । ମନ ବିକଳ ହେଉଥାଏ । ତାକୁ ତଳୁ ଉଠାଇ ଛାତିକୁ ଟେକିନେବାକୁ ମନ କହୁଥାଏ । ହାତ ଚଳୁ ନ ଥାଏ-

...ବାହାର ପାଖରୁ ଜୋରରେ କବାଟ ବାଡ଼ିଆର ଶବ୍ଦ ଶୁଭେ । । ସେଇଠୁ, ଶୋଭାର ଡାକ ।

...ଦେଈ, ଦେଈ ଗୋ ।

...କବାଟର କିଳିଣୀ ଖୋଲନ୍ତି ତୋର ଜୋଇଁ । ମୁଁ କଣେଇଁ ଚାହେଁ । ଦେଖିଲି, ସେ ଘରଭିତରୁ ପଦାକୁ ବାହାରି ଯାଉଛନ୍ତି । ଗଲେ ତ, ଶୋଭାର ଗାଲରେ ବ୍ରହ୍ମ ଜାବୁଡ଼ା ମାରି ଅଗଣାକୁ ଡେଇଁଲେ ।

...ଶୋଭା ଗାଲ ଆଉଁସି ଘର ଭିତରେ ପଶେ । ଆଖିରୁ ଲୁହ ଝରି ପଡ଼ିଥାଏ । ସେ ଶୋଭନକୁ ତଳୁ ଉଠାଇ ମୋ ଛାତିକୁ ଟେକିଦିଏ ।

...ଏତେକାଣ୍ଡ ଘଟିଲା । ଅଗଣାର ଅନ୍ୟପାଖ ଧାଉଡ଼ିରେ ଶାଶୁ ତାଙ୍କର ନିଜ କୋଠରିରେ ଅବଶିଷ୍ଟ ଧନଦରବକୁ ଜଗି ଶୋଇଥିବେ । ତାଙ୍କ ଅଫିମ ନିଶାର ନିଦ ଭାଙ୍ଗିବ ନାହିଁ । କେଜାଣି, ଯଦି କ୍ଷୀର ଶବଦ କାନରେ ବାଜିଥିବ । ସପନ ପରି ଲାଗିଥିବ ।

...ଏମିତିକା ଦହଗଞ୍ଜିଆ ଛଟପଟ ଅଶାନ୍ତ ଜୀବନ ଭିତରେ ଯେଉଁ ଆତ୍ମାଟି ମୋ’ର ଗର୍ଭରେ ରହିଥିଲା ପାଣିହାଣ୍ଡି ଭିତରେ ଅନ୍ଧାରରେ ବଢ଼ୁଣୁ ସେ ତା’ର ନିର୍ଦ୍ଦୟ, ଅବିବେକୀ, ଦୁଶ୍ଚରିତ୍ର, ମଦୁଆ ବାପର ଅତ୍ୟାଚାରର. ଆଘାତର ଭାଗ ଅବଶ୍ୟ ପାଇଥିବ ।

...ହଁ, ସେଦିନ ସଞ୍ଜବେଳର ଘଟଣା ଲେଖୁଣୁ ଅନ୍ୟାନ୍ୟ ଘଟଣାଗୁଡ଼ାକ ମାଡ଼ି ଆସୁଛନ୍ତି, ସବୁ ମିଶାମିଶି, କ୍ରମ ରହୁନାହିଁ । ମୁଁ କ’ଣ କରିବି, ବୋଉ ?

 

ଶୁଣ୍‌, କ’ଣ ହେଲା ।

 

...ତୋ ଗୁଣବନ୍ତ ଜୋଇଁ ଯେତେକଥା କହି ଶାଶୁଙ୍କୁ କୋବଲାଇଲେ ସେ ରାଜି ହେଲେ ନାହିଁ । ଟଙ୍କା ଦେଲେ ନାହିଁ । ବନ୍ଧା ପକାଇ ଟଙ୍କା ଆଣି ସୁନାଥାଳି ଚାଷଜମି ମୁକାଳିବାକୁ ଗହଣା ବି ଦେଲେ ନାହିଁ ।

 

...ସଞ୍ଜବେଳେ ଶାଶୁ ହରଡ଼ ପ୍ରମାଣେ ଅଫିମ ଟିକିଏ ଖାଆନ୍ତି । ନ ଖାଇଲେ ଦେହ ଛେଚିକୁଟି ହୁଏ । ପୁଅଙ୍କ ଗୋଇଠା, କି ବଳଦର ନାତ ମାଡ଼ରେ ଅଣ୍ଟା ଜଖମ ହୋଇ ଖଣ୍ଡିଆଖାବରା ହୋଇ ଯେ ଆର ବୋହୁ ଥିଲାବେଳେ ଭଲ ହୋଇ ସିନା ଡାକ୍ତରଖାନାରୁ ଫେରିଥିଲେ, ଅଣ୍ଟା ବିନ୍ଧା କେବେକେବେ ହେଉଥିଲା । ବେଦନାରୁ ରକ୍ଷା ପାଇବାକୁ ସେହିବେଳରୁ ଅଫିମ ଟିକିଏ ଖାଆନ୍ତି । ନିଦ ହୋଇଯାଏ ।

 

....ସେହିଦିନ ସଞ୍ଜରେ ସେ ଖାଇ ନ ଥିଲେ ପରା । ମୁଁ ଝରକାର କାଠ ଧରିଥାଏ ଗୋଟିଏ ହାତରେ । ବାଇଶି ମାସର ପୁଅ ଶୋଭନକୁ କାଖରେ ଧରି ଆର ହାତରେ ତା’ ଦେହକୁ ବେଢ଼ାଇଥାଏ । ସେଇଠି ସେ ଶୋଇ ପଡ଼ିଥାଏ ।

 

...ମତେ କଷ୍ଟ ହେଉଥାଏ । ପେଟ ଭିତରେ ଆଠମାସ ପୂରି ନଅମାସ ଚାଲୁଥିବା ଛୁଆଟା ଛଟପଟ ହେଉଥାଏ । ମୁଁ ଚାହିଁ ରହିଥାଏ ଝରକା ବାଟେ ଘର ଭିତରକୁ ।

...ସେମାନଙ୍କର କଥାଭାଷା କେତେବେଳେ ସରିବ, ଶୋଭନର ବାପା କେବେ ପଦାକୁ ବାହାରିବେ, ମୁଁ ପୁଅକୁ ଶାଶୁଙ୍କ ପାଖରେ ଶୁଆଇ ନିଷ୍କୃତି ଲଭିବି, ସେହିକଥା ଭାବୁଥାଏ ।

...ଶାଶୁଙ୍କର ବିରକ୍ତିଆ କଥାରେ ମୁଁ ଚିହିଙ୍କି ଉଠିଲି । ସେ ତାଙ୍କର ବେଦନାକୁ ଭୁଲି ପଲଙ୍କ ଉପରେ ଉଠି ବସିଲେ । ଦେହଟି ଥରୁଥାଏ । ତୁଣ୍ଡର ଭାଷା ବି ଥରୁଥାଏ ।

...କହିଲେ, ‘ସୁନାର ପିତୁଳା ମୋର ଲକ୍ଷ୍ମୀବୋହୂଟି ତୋ’ରି ପାଇଁ ମଲାରେ ଚଣ୍ଡାଳ । ତତେ ଆଇନି ହାତରୁ ବଞ୍ଚାଇବାକୁ ସୁନାଥାଳି ଜମି ବନ୍ଧା ପଡ଼ିଲା । ସେଇଟା ଯିବ ତ ଯାଉ ।

‘କୁଆଡୁ, ଏ କୁଟୁମ୍ବର ଶତ୍ରୁଟିଏ ଆସି, ଅବା ବହ୍ମରାକ୍ଷସଟାଏ ମୋ ପେଟରେ ରହିଲୁ, ଆଉ ଜନମିଲୁ । କେତେ ଜମିବାଡ଼ି ଧନସମ୍ପତ୍ତି ଶାଗମାଛ ଦରରେ ଚାଣ୍ଡାଳଙ୍କୁ ବିକି ବେପାର କରିବା ଆଳରେ ସାଙ୍ଗମାନଙ୍କ ସଙ୍ଗେ ମିଶି ମଦ ପିଇଲୁ ଅକର୍ମ କଲୁ । ଦାଣ୍ଡରେ ହାଟରେ, ଏକା ତୋର ନୁହେଁ, ବାପ ଅଜା ସପ୍ତପୁରୁଷଙ୍କର ନାଁ ପକେଇଲୁ ।’

...ତୋ ଗୁଣବନ୍ତ ମଦୁଆ ଜୋଇଁ ହେଁ ହେଁ ହସିଲେ । ମୋର ହାଲୁକ ଶୁଖିଲା ପେଟ ଭିତରେ ଛୁଆଟା ଅସ୍ଥିର ହେଉଥିଲା । ଛାତି ଉପରେ ଶୋଭନ ଖୁଜବୁଜୁ ହେଲା । ଛାତି ଭିତରଟା ଧଡ଼କୁଥିଲା ।

...ଭାବୁଥିଲି, ସେ ଗୋଟାଏ କ’ଣ । ବିଷମ କାଣ୍ଡ ଘଟାଇବେ । ବିବେକହୀନ ପ୍ରଶ୍ନ ପରି ତାଙ୍କର ବିଚାର । ଯଦି ଅଖଞ୍ଜ ରୋଗଣୀ ବୁଢ଼ୀ ମାଆଙ୍କୁ ସେ ଆକ୍ରମଣ କରନ୍ତି ତାଙ୍କର ପ୍ରାଣ ରହିବ ନାହିଁ ।

...ମୋର ସେ ବେଳର ଅବସ୍ଥାରେ ପିଲାଟିକୁ ପିଣ୍ଡାରେ ଫୋପାଡ଼ି ମୁଁ କ’ଣ ବାଧା ଦେଇପାରିବି ? ଶୋଭା ରୋଷଘରେ କ’ଣ କରୁଛି, କିଛି ମୁଁ ଜାଣୁ ନାହିଁ । ଚାକର ଟୋକାଙ୍କର ଦେଖା ମିଳୁ ନାହିଁ ।

 

...କିନ୍ତୁଲୋ ବୋଉ, ସେମିତି କିଛି ସେ କଲେ ନାହିଁ । ହସ ବନ୍ଦ କରି କହିଲେ, ‘ବାପ-ଅଜାଙ୍କର ନାମ ଦାଣ୍ଡରେ ହାଟରେ, ଘରେ ଘରେ, କୋର୍ଟ କଚେରିରେ ନିଶ୍ଚୟ ପଡ଼ିଛି । ମୁଁ ମନା କରୁନାହିଁ । କେତେଘର ଚୁନା କରି, କେତେ ଲୋକଙ୍କୁ ତଳିତଳାନ୍ତ କରି ସେମାନେ କାହାପାଇଁ ଘର-ସମ୍ପତ୍ତି କରିଥିଲେ, ଧନରତ୍ନ ଗଦାଇ ଯାଇଥିଲେ ?’

 

...ଶାଶୁ କହିଲେ, ତୋରି ପାଇଁରେ ଆନନ୍ଦ । ଆଉ ଏ ବଂଶରେ ଭୋଗ କରିବାକୁ, ତୋ’ଠାରୁ ଭାଗ ନେବାକୁ କିଏ ଅଛି, କହ ?

 

...ସେ ହସିଲେ, ପାଟିକରି ହସିଲେ । କହିଲେ, ସବୁ ତ ଜାଣିଛୁ ଅବୁଝା କାହିଁକି ତୁ ହଉଛି-? ମୋ ବାପଅଜା ଆଉ ସେମାନଙ୍କ ବାପଅଜାମାନେ ଯେଉଁ ଉପାୟରେ ହେଉ, କମେଇ, ଗମେଇ, ବାକିଟା ମୋ ପାଇଁ ଜମେଇ ଯାଇଛନ୍ତି । ସେତକ ମୁଁ ଖରଚ କରିବି ନାହିଁ ତ ଆଉ କିଏ ଭୋଗ କରିବ ? ଦେ ମୋତେ ।

 

...ଶାଶୁ ଡରିଗଲେ । କଅଁଳେଇ କହିଲେ, “ପିଲାଙ୍କ ପରି ଅଝଟିଆ ହ’ନାରେ ମୋ ଧନ । ସବୁ ଯଦି ବିକି ଭାଙ୍ଗି ଅନୀତି କରି ସାରିବୁ ଶୋଭନ ତୋର ପୁଅଟି କ’ଣ କରିବ ? ଆଉ ଯେଉଁ ପିଲାଟି ତୋର ନଉଲୀ ପେଟରୁ ଜନମିବ, ସେ ପୁଣି କ’ଣ କରିବରେ, ଧନ ।

 

...ବୁଝାଇ କହିଲେ, “ପରଙ୍କ ବୁଦ୍ଧିରେ ପଡ଼ନାରେ ପୁଅ । ମଦପାଣି ପିଇ ତାଙ୍କର ଟିହାଣରେ ମାତି ଯାଆନା ?

 

...ଏତେ ବୁଝାଇବା ସତ୍ତ୍ୱେ ସେ ବୁଝିଲେ ନାହିଁ । ସେ ବିରକ୍ତ ହେଲେ । ଉତ୍ତ୍ୟକ୍ତ ହେଲେ । ତାଙ୍କର ମୁଣ୍ଡକୁ ପିତ୍ତ ଚଢ଼ିଲା । ସେ ନିର୍ଭୟରେ ତାଙ୍କର ଅପାରଗ ମା’ ବୁଢ଼ୀଙ୍କର ହାତଧରି ପଲଙ୍କ ଉପରୁ ଘୋଷାରନ୍ତେ ଶାଶୁ ପାଟି କରି ଉଠିଲେ ।

 

...ମୋର ସବୁ ଧୈର୍ଯ୍ୟ ହଜିଗଲା । ବେଶି ଭାବିବାକୁ ତର ନ ଥିଲା । ଛାତି ଉପରୁ ଟେକି ଶୋଇଲା ଶୋଭନକୁ ଝରକା ତଳର ପିଣ୍ଡାରେ ଓହ୍ଲାଇ ଦେଲି । ବେକରୁ ହରଟା ଉତାରିଲି । ଘର ଭିତରକୁ ଦି’ ଖେପାରେ ଡେଇଁଲି । ତାଙ୍କର ହାତକୁ ଜାବୁଡ଼ି ଧରିଲି ଗୋଟିଏ ହାତରେ । ଆଗକୁ ବୁଲି ଆର ହାତଟି ତାଙ୍କ ଆଖି ଆଗକୁ ଟେକିଲି । କହିଲି, ‘ନିଅ ଏଇଟା, ତମର ଯାହା ମନ ସେଇଆ କରିବ ଯାଅ । ବୋଉଙ୍କର ହାତ ଛାଡ଼ିଦିଅ ।

 

...ଦି’ ବର୍ଷ ପୂରିବାକୁ ଦି’ ମାସ ବାକି ଥିବା ଶୋଭନର କାନ୍ଦ ଶୁଭୁଥାଏ ବାରଣ୍ଡାରୁ । ପେଟ ଭିତରର ଅବେଇଜ ଜନ୍ତୁଟା କହୁଣି କି ଗୋଇଠା ମାରୁଥାଏ ।

 

...ମୋ ସାରା ଦେହରେ ମୂର୍ଚ୍ଛାଳିଆ ବେଦନା ରହିରହିକା ଚିହିଁକି ଯାଉଥାଏ । ମତେ ତ୍ରିପୁର ଅନ୍ଧାର ଦିଶୁଥାଏ ।

 

...ସେ ଦୁଃଖ ଶତ୍ରୁକୁ ନ ମିଳୁ ।

 

...ବିକଳ ହୋଇ ଚିତ୍କାର କଲି । ସେହି ନିଷ୍ଠୁର ଲୋକଟା ମୋ ହାତରୁ ସୁନାର ହାର ଓଟାରି ନେଲା । ମୁଁ ପଲଙ୍କର ବାଡ଼କୁ କଟମଟ କରି ଧରିଲି । ସେ ମତେ ବ୍ରହ୍ମଜାବୁଡ଼ା ମାରି ତରତର ହୋଇ ଦି ଖେପାରେ ଘରୁ ପଦାକୁ ଉହୁଙ୍କି ଯାଉଣୁ ନୁଆଁଣିଆଁ ଚୌକାଠଟା ମୁଣ୍ଡରେ ବାଜିଲା ।

 

...କ’ଣ ହେଲା କେଜାଣି, “ଓହୋ’ କହି ମୁଣ୍ଡରେ ହାତ ଦେଇ ସେ କ୍ଷଣେ ଅଟକି ଗଲେ । ମୋର ପେଟର ବେଦନା କମିଥିଲା । ତାଙ୍କର କ’ଣ ହେଲା, ଜାଣିବାକୁ, ତାଙ୍କୁ ସାହା ହେବାକୁ ଆଗକୁ ପାଦ ପକାଉଣୁ ସେ ଉହୁଙ୍କି ଉଠି ପଦାକୁ ପିଣ୍ଡା ଉପରକୁ ଗଲେ ।

 

...ମୁହୂର୍ତ୍ତକ ପରେ ଶୋଭନ ପିଣ୍ଡା ଉପରୁ ଆଗରେ ପଡ଼ି ଜୋରରେ ଚିର୍‌ ଚିରେଇ ଉଠିଲା । ସାଙ୍ଗେ ସାଙ୍ଗେ କଟା କଦଳୀଗଛ ପଡ଼ିଲା ପରି ତୋ ଜୋଇଁ ତୁଳସୀ ଚଉରା ପାଖରେ ପଡ଼ିଲେ । ବିକଳ ସ୍ଵରରେ ‘ବୋଉ ଲୋ ବୋଲି ଚିତତ୍କାର କଲେ ।’

 

...ମୁଁ ପିଣ୍ଡା ଉପରକୁ ଯାଉଣୁ ଦେଖିଲି, ଶୋଭା ନଲଟଣ ଧରି ଶୋଭନ ପାଖକୁ ଧାଇଁ ଆସିଥିଲା । ଆଲୁଅ ତେଜି ତଳେ ରଖି ସେ ପୁଅକୁ କାଖ କରୁଥିଲା ।

 

 

...ମତେ ସେ କହିଲା, ‘ସାନସାଆନ୍ତେ ଚଉରା କଡ଼ରେ ପଡ଼ିଛନ୍ତି । ଟଳିଟଳି ‘‘ଗଲାବେଳକୁ ପୁଅକୁ ଝୁଣ୍ଟି ପଡ଼ିଲେ ପରା । ତମେ ତ ତମର ଶୋଇଲା ଘରକୁ ଗଲ, ମା’ଙ୍କ ଘରୁ ଏବେ ଆସିଲ କେମିତି ଗୋ ନଉଲୀ ଦେଈ ?

 

...ହଉ ଯା, ତାଙ୍କୁ ଉଠା ।

 

...ମୁଁ ଡରିଗଲି । ମୋ ପେଟ ଭିତରେ ପିଲାଟା ଛଟପଟ ହେଲା । ଆଖିକୁ ସବୁ ଅନ୍ଧାର ଦିଶିଲା । ଆଖି ବୁଜିଲି । ବସିପଡ଼ିଲି । ଶୋଭନକୁ କାଖ କରି ଶୋଭା ମୋ ପାଖକୁ ଆସିଥିଲା । ମୋ ମୁଣ୍ଡ ଆଉଁସି ହାତଧରି ଉଠାଇଲା ।

 

...ତୋ ଜୋଇଁ ଚଉରାକୁ ଆଉଜି ଠିଆ ହୋଇଥିଲେ । ଚାହିଁ ରହିଥିଲେ ମୋର ଶୋଇବା ଘରକୁ । ସେ ଘରେ ମୁଁ ଯେଉଁ ଆଲୁଅଟି ଅଳପ ତେଜି ଜଳାଇ ରଖିଥିଲି, ସେଇଟି ସେମିତି ଜଳୁଥିଲା ।

 

..ମୁଁ ଯାହା ବୁଝିଲି, ଶୋଭା ବି ସେଇଆ ବୁଝିଥିଲା । ମୁଁ ଉତ୍ତର ଦେଲି, ‘ସେ ଆସିଥିଲେ ଗୋ ଶୋଭା, ମୋର ସେନେହୀ ଅପା ମାଧୁରୀ ଦେବୀ । ସେ ଫଟୋରୁ ବାହାରି ଆସିଥିବେ । ପୁଣି ଫେରିଯାଇ ସେଇଠି ଲୀନ ହେବେଣି ।’

 

ଶୋଭା କହିଲା ହେଇଥିବ । ‘କେତେଥର ମୁଁ ଦେଖିଲିଣି । ସେ ହସନ୍ତି ନାହିଁ, କାନ୍ଦନ୍ତି ନାହିଁ, କାହାକୁ କିଛି କହନ୍ତି ନାହିଁ । ଅଦୃଶ୍ୟ ହୋଇ ଶୋଭନର ପାଖେ ପାଖେ ଥାଆନ୍ତି ।’

 

...ତୋ ଜୋଇଁ ଗରଜି ଉଠିଲେ ଲୋ ।

 

...ଶୋଭା କହିବାକୁ ଲାଗିଲା, “ମାଡ଼ମରା ବୁଦ୍ଧି କରିବ ନାହିଁ, ସାଆନ୍ତେ । ମୋ ସାନକୁହା ମାନ । ଭଲ ହୋଇଛି, ମାଧୁରୀ ଦେବୀ ସେଇଠି ଆଶ୍ରା ନେଇଛନ୍ତି । ତାଙ୍କ ମନକୁ ସେ ଶୋଭନ, ଆଉ ସେ ଛୁଆକୁ ଯିଏ ବୋଉଠାରୁ ବଳି ଅଧିକ ଆଦର ସେହ୍ନରେ ପାଳିଛନ୍ତି, ମୁଁ ନଉଲୀ ଦେଈଙ୍କ କଥା କହୁଛି, ତାଙ୍କୁ ଯିଏ ହାତାଦର କରିବ, ତାଙ୍କ ଦୁହିଁଙ୍କ ଧିଅରେ ଟିପ ଛୋଇଁବ, ସତ କହୁଛି, ସେ ତାକୁ ପରାଭବ ଦେବେ ।

 

‘ଆଖି ଛୁଇଁ ସତକଥା କହୁଛି ଗୋ ନଉଲୀ ଦେଈ, ମିଛ କହୁଥିଲେ ମୋ ଆଖି ଫୁଟିବ, ଏବେପରା ଦିନେ ମାଈସଞ୍ଜବେଳେ ମୁଁ ହାଲିଆ ହୋଇ ବସି ଘୁମେଇଁ ପଡ଼ିଲି କି କ’ଣ, ମତେ ସେ ସେମିତି କହିଲେ । ଚାଉଁକରି ମୋ ନିଦ ଭଙ୍ଗିଲା । ମତେ ଦିଶିଲା-ବୋହୁଟି ତମରି ଶୋଇଲା ଘରଆଡ଼େ ଚାଲିଗଲା ।’

 

‘ମୁହଁ ଦେଖିନାହିଁ । ଗୁଣ୍ଠୁଣୀ ହାତୀର ଚାଲି ପରିକା ଚାଲିରୁ ଜାଣିଲି । ତମର ସିନା ବଉଳ ଫୁଲର ମାଳରେ ଶରଧା ତାଙ୍କର ଶରଧା ଥିଲା କେତକୀ ଫୁଲରେ । କେତକୀର ବାସନା ନାକରେ ବାଜିଲା । ପୋଖରୀର ଆରପାଖ କେତକୀ ବଣରେ ତ ଫୁଲ ଫୁଟିନାହିଁ । କେତକୀର ମହକ କେମିତି ଚହଟିଲା ?’

 

‘ସେଇଠୁ ଜାଣିଲି । ଆଜି ଏବେ ତମେ ଭଲ କରିପାର, ସାନ ସାଆନ୍ତେ ବାରିପାରିବେ ନାହିଁ । ପାଟିରୁ ମଦର ଅସନା ଗନ୍ଧ ଉଭେଇ ନ ଥିବ । ତମେ ବାରୁନ ନଉଲୀ ଦେଈ, କେତକୀ ଫୁଲର ଗନ୍ଧର ଆଭାସ ନାକରେ ବାଜୁଛି କି ନାହିଁ ?

 

...ସତକୁ ସତ, ମତେ ସେମିତି ଲାଗିଲା । ମୁଁ ହଁ କଲି । ନିଜେ ଡରିଯାଇଥିଲି । ଦେଖିଲି, ସବୁ ଶୁଣି ମଧ୍ୟ ସେ ନିର୍ବିକାର ହେଇ ଏତେକାଣ୍ଡ ଘଟାଇ ହଲି ହଲି ଚାଲିରେ ଦାଣ୍ଡ କବାଟ ଆଡ଼େ ଯାଉଥିଲେ । ହାତରୁ ଝୁଲାଇଥିଲେ ସେହି ସୁନ୍ଦର ସୁନାର ପଥରବସା ହାରଟି ।

 

...ବୋଉ ଲୋ, କୋଉ ଦୁଃଖ ଆଉ ତୋ ଆଗରେ ବର୍ଣ୍ଣିବି ? ଜୟୀଦାଦିଙ୍କ ବାହାପିଆ ତକତରକିଆ, ନିଆଁଗିଳା, କଅଁଳିଆ, ପାଣିରେ-ସରପକା ଡାହାମିଛ କଥାରେ ଭୁଲି କେଉଁ ନରକକୁଣ୍ଡ ଭିତରକୁ ମତେ ତୁ ଫୋପାଡ଼ି ଦେଇଛୁ, କେଉଁ ନିଷ୍ଠୁର ଯମଦୂତର ଗୋଡ଼ତଳକୁ, ଥରେ ବିଚାର କରିବୁ । ତୁ ନିଃସାହା ହୋଇଥିଲୁ । ମୁଁ ସେଇଆ ହୋଇଛି ।

 

...ମୋ ଦୁଃଖରେ ଭାଗୀ ହେବାକୁ କେହି ନାହିଁ । ସହାନୁଭୂତିରେ ପଦେ ଆହା କରିବାକୁ ଅଚଳ ଶାଶୁ ଅଛନ୍ତି ଯେ ସେ କ’ଣ କରିବେ ? ଦଇବକୁ ଡାକି ପୁଅକୁ ଭଲ ବୁଦ୍ଧି ଦେବାକୁ ଜଣ ଜଣ କରି ଠାକୁର ଠାକୁରାଣୀମାନଙ୍କୁ ଡାକିବା ଛଡ଼ା ଆଉ ତାଙ୍କର କି ଚାରା ?

 

...ଶୋଭା ନିଆଶ୍ରୀ ଚାକରାଣୀଟିଏ । ଖଟିବା, ସେବା କରିବା ଛଡ଼ା ସେ ଆଉ କ’ଣ କରନ୍ତା ?

 

...ବହୁ ପୁରୁଷର, ବହୁ ଅଭାବୀ ଦୁଃଖୀରଙ୍କୀଙ୍କର ଅକଲ୍ୟାଣ ଏ କୁଟୁମ୍ବକୁ ଘେରି ରହିଛି ଲୋ । କିଏ ରକ୍ଷା କରିବ ?

 

...ସେହି ରାତିରେ ଘଟଣା ପରେ ମୋର ଘନ ଘନ ଗର୍ଭବେଦନା ହେଲା । ଦିନଟିଏ ସେହି ଜୀବନଛଡ଼ା ବେଦନା ସହିଲି । ମରିଯାଇଥିଲେ ତରିପାଇଥାନ୍ତି । ହେଲେ, ଏହି ଗ୍ରାମର ଜାଣିବା ଶୁଣିବା ମାଇପେ ଚେଷ୍ଟା କଲେ । ଅବଶ୍ୟ ତୋର ଅତଟି ଜୋଇଁ ବଡ଼ ସହରରୁ କେଉଁ ବଡ଼ ଡାକ୍ତରଣୀଙ୍କୁ ଅଣାଇଁ ଥିଲେ । ସେ ଆସିଲାବେଳକୁ ପୁଅଟିଏ ଜନ୍ମ ହେଇ ସାରିଥିଲା ।

 

....ତୋ ଜୋଇଁ ତାଙ୍କ ବୋଉଙ୍କଠାରୁ ବହେ ଟଙ୍କା ଆଦାୟ କରିନେଲେ । ଡାକ୍ତରାଣୀଙ୍କ ପାଉଣା, ମଟରଗାଡ଼ିରେ ଯିବାଆସିବା ଖରଚ ମୋ ଔଷଧର ଦାମ୍ ଏମିତି ସବୁ...ମାଳଶ୍ରୀ ।

...ତାଙ୍କର ସାଙ୍ଗ ଦିହେଁ ବି ଆସିଥିଲେ ତ ।

...କଇଁ ପାଖୁଡ଼ା ପରିକା ଧୋବ ଫର ଫର ନିର୍ଜୀବ ପିଲାଟିଏ । ଚମ ଧୁଡ଼ୁ ଧୁଡ଼ୁ । ଶଙ୍ଖ କଇଁଟିଏ ପରି ଦିଶୁଥିଲା । ଛୋଟ ମୁଣ୍ଡ ଉପରେ କଳା ମିଚି ମିଚି କେଶ ଛୋଟ ଛୋଟ ଆଖି ଦିଓଟି ଦୁଇଟି ତାର ଭଳି ଝଲସୁଥିଲା । ଖଣ୍ଡାଧାର ପରି ନାକ ।

...କେଡ଼େ ସୁନ୍ଦର ଲୋ ବୋଉ । ହେଲେ କଙ୍କାଳ ଭଳିଆ ଦୁର୍ବଳିଆ ଗୋଡ଼ । ଟିକି ଦେହଟି ଯେ ତାକୁ ଛୁଇଁବାକୁ ଡର ଲଗୁଥିଲା ।

...ତୋ ଜୋଇଁ ସେ ଛୁଆକୁ ଚାହିଁଦେଇ କହିଲେ, “କେଉଁଠୁ ଶାଳୀ ଏଇ ମୂଷାଛୁଆଟା ଆଣିଲା, ଖାଲି ଚିଁ-ଚିଁ ହେଉଛି । ସମସ୍ତଙ୍କୁ ହଇରାଣ କଲା ।’’

...ତାଙ୍କର ଦି ସାଙ୍ଗ ରାଜାବଂଶୀୟ ପ୍ରତାପ ନା ଚୁଲି ପାଉଁଶ, ଆଉ କଳାବଜାରୀ ବିଲୁଆ ପରି ଚତୁର ବେପାରୀ ପୁଅ ରଇଜଳା ବିବେକ ବି ଦେଖିଲେ । ସେଇ ନିଲଠା ବେପାରୀପୁଅଟା ପଚାରିଲା, କାହା ବରଗର ହେଇଛି, ଭାଉଜ ?’

...ଶୋଭା ଚିଡ଼ିଉଠିଲା । କହିଲା, “ଆଉ କାହା ବରଗ ହୁଅନ୍ତା, ବାବୁ ? ଠାକୁରଙ୍କୁ ଡାକ, ଛୁଆଟିକୁ ସେ ଆଇଷ ଦିଅନ୍ତୁ । ସେ ହସଖୁସିରେ ଦାଣ୍ଡରେ ଖେଳୁ । ସେଇଠୁ ସେ ବିଚାର ପଡ଼ିବ, କାହାପରି ହେଇଚି ।’’

‘ତୁମ୍ଭମାନଙ୍କ ଘରେ ମାଆଙ୍କୁ ପଚାରି ଗୁଳା ପକାଉଥିବ, ସାଆନ୍ତେ । ଏଠି ସେପରି କରିବା ଲୋଡ଼ା ହେବ ନାହିଁ ।’

...ସେମାନେ ଲାଜରା ହୋଇଗଲେ । ତୋ ଜୋଇଁ ଶୋଭା ଉପରେ ରକ୍ତ ଚାଉଳ ଚୋବାଇଲେ । ଶୋଭା ଡରିଲା ନାହିଁ । ସମସ୍ତଙ୍କ ଶୁଣେଇ ସେ ପାଟିକରି କହିଦେଲା, ‘କାହାର ନାଲି ଆଖିକି ମୋର କି ଡର ? ହାତ ଥିଲେ, ମହତ ଜଗି ନିହତ ରଖି ପାଇଟି କଲେ, ଯେଉଁଠି ହେଲେ ଏତେ ବଡ଼ ସଂସାରରେ ଥାନ ମିଳିବ । ପେଟକୁ ଗଣ୍ଡିଏ ଦିହକୁ ଖଣ୍ଡିଏର ଅଭାବ ରହିବ ନାହିଁ ।’

‘‘ଆଗ ବୋହୁ ଯାହା କରିଥିଲେ, କିଛି ନ ହେଲାବେଳକୁ ସେଇଆ କରିବି ଯେ, ମରିବା ଆଗରୁ ଦୁନିଆଁ ଲୋକଙ୍କୁ, ତାଙ୍କ ମରଣର କାରଣ, ଡାକି ବଜାଇ ସବୁ କହିଯିବି ?”

...ଚୋର ପରି ତୋ ଜୋଇଁ ଆମ ଆଗରୁ ପଳାଇଲେ ତାଙ୍କର ନିଲଠା ଠକ ସାଙ୍ଗମାନଙ୍କ ପାଖକୁ । ସେମାନେ ଦାଣ୍ଡ ଘରେ ବସି ହୋ-ହୋ ହେଉଥିଲେ । ଆଉ କେଉଁମାନେ ଥିଲେ ମୁଁ ଜାଣେ ନାହିଁ ।

...ଶାଶୁ ବାଡ଼ି ଭରା ଦେଇ ସେ ଘରେ ପଶିଲେ । ଛୁଆକୁ ଦେଖି କହିଲେ, “ଦେଖିବ ରହ-। ଠାକୁରେ ତାକୁ ଆଇଷ ଦେଲେ ସେ ମୋ ଶଶୁରଙ୍କ ପରି ଚେକାଚଉଧୁରୀ ହେବ ।’’

...ଶାଶୁ ଶୋଭାକୁ କହିଲେ, “ହଇଲୋ, ତୁ ଯାହା କହିଲୁ, ମୋ ଆତ୍ମାକୁ ବାଧିଲା । ତୁ କ’ଣ ଏ ଘରର ଝିଅ ନୁହଁ ଯେ ସେମିତି କହିଲୁ ? ସେ ଚାଣ୍ଡାଳମାନଙ୍କୁ ଭଲ ଚାରିପଦ ଶୁଣାଇଦେଲୁ, ଭଲ କଲୁ । ଆଉ କ’ଣ ?’’

 

‘ଏ ଘର ତ ସମ୍ଭାଳିଛୁ । ଯିବୁ ଯଦି ଆଗ ମୋ ମୁହଁରେ ନିଆଁ ଦେଇଯା । ସେ କୁଳାଙ୍ଗାର ହାତରେ ନିଆଁ ଘେନିଲେ ମୋ ଆତ୍ମାର ସଦ୍‍ଗତି ନ ହୁଏ ।’

 

...ଶୋଭାର ଆଖିରୁ ଲୁହ ଝରିଲା । ସେ ମୌନ ରହିଲା । ମୋ ପାଖକୁ ଆସି ଶୋଭନର ଟିକି ହାତଧରି କାଖେଇ ନେଲା । ଭୁଲାଇ କହିଲା, ‘ଆସ, ପୋଖରୀ କୂଳକୁ ଯିବା । ମାଛ ଖେଳୁଛନ୍ତି, ଦେଖିବା ।’

 

ଦି’ ବର୍ଷର ପୁଅ । ଗୁଲୁଗୁଲୁ କଥା କହେ । ସେ ଶୁଣିଥିଲା ଯେ ଠାକୁର ତା’ପାଇଁ କୁନି ଭାଇଟିଏ ପଠାଇ ଦେଇଛନ୍ତି । ସେ ବଡ଼ ହେଲେ ତା’ ସାଙ୍ଗରେ ଖେଳିବ ।

 

...ଯେତେ ବୁଝାଇଲେ ସେ କ’ଣ ବୁଝୁଛି ? ତା’ କୁନିଭାଇକୁ ନେବ, ଆଉ ତା’ ସଙ୍ଗେ ଖେଳିବ ବୋଲି ଜିଦ୍ ଧରି କାନ୍ଦୁଛି । ଶୋଭା ତାକୁ ସତମିଛ ଅଲୌକିକ କାହାଣୀ କହି ପାଖରୁ ଭୁଲାଇ ନେଉଛି ।

 

...ତୋ ପାଖକୁ ଶାଶୁ ପରା ଲୋକ ପଠାଇ ଖବର ଦେଇଥିଲେ । ତା’ ହାତରେ ଚିଠି ଖଣ୍ଡିଏ ପଠାଇଲୁ ନାହିଁ । ତୁ ଯଦି ଲେଖି ନ ପାରିଲୁ ଅଲେଖ ହାତରେ ଦି’ ପଦ ଲେଖାଇ ପାରିଲୁ ନାହିଁ ? ମୋ ବାପା ବଞ୍ଚିଥିଲେ ଜୟୀଦାଦି କ’ଣ ତତେ ଭୁଲାଇ ଏଇ କଂସେଇଖାନାକୁ ମତେ ପଠାଇବାକୁ ସାହସ କରିଥାଆନ୍ତେ ?

 

...ସେଇଆ କରିବେ ବୋଲି ସେ ତାଙ୍କ ଭାରିଜାଙ୍କୁ ଶିଖାଇ ଦୁଃଖନ ଭାଇଙ୍କ ନାମରେ ମିଛସତ କରି ଦୁର୍ନାମ ରଟାଇଥିଲେ କି ? ଦୁଃଖନ ଭାଇଙ୍କ ପରିକା ବୁଦ୍ଧିଆ ଲୋକ କ’ଣ ଏତକ ବୁଝିଲେ ନାହିଁ ?

 

...ଟରଣୀ ଜୟୀଦାଦି କମ୍ ଜଣେ ନୁହଁନ୍ତି । ମୋ ଶଶୁର ଭୂତବାଡ଼ିଆ ଖାଇ ମରିବାରେ, ଏ ଗାଁର ମାଇପେ ଫୁସ୍‍ଫୁସ୍ ହୋଇ କହନ୍ତି, ଜୟୀଦାଦିଙ୍କର କୁଆଡ଼େ ଚକ୍ରାନ୍ତ ଥିଲା । ସେ ଶତ୍ରୁମାନଙ୍କୁ ଟିହାଇଥିଲେ । ମସୁଧା ବତାଇଥିଲେ । କି ସ୍ୱାର୍ଥ ତାଙ୍କର ଥିଲା କିଏ ଜାଣେ ?

 

...ସେ ସାପ ହୋଇ ମାରିଜାଣନ୍ତି । ପୁଣି, ଗୁଣିଆ ହୋଇ ଝାଡ଼ିପାରନ୍ତି । ମଝିରେ ଫାଇଦା ଉଠାନ୍ତି । ମାଧୁରୀଙ୍କ ମରଣ ପରେ ଚାରିମାସର ଟିକି ନାତି ଶୋଭନକୁ ବଢ଼ାଇବାକୁ, ତାର ବୋଉର ଅଭାବ ଦୂର କରିବାକୁ, ପୁଣି ତାଙ୍କର ଅବିବେକୀ ଅରଣା ପୁଅକୁ ଘର ମଣାଇଁବାକୁ ଅଚଳ ଦୁଃଖିନୀ ଶାଶୁ ବ୍ୟାକୁଳ ହୋଇପଡ଼ିଥିଲେ । ବୋହୁଟିଏ ପାଇଁ ଜୟୀଦାଦିଙ୍କ ପାଖରେ ପ୍ରସ୍ତାବ ବାଢ଼ିଲେ ।

 

...ଶୋଭା ତୁନି ତୁନି ମତେ କହେ-ମୋର ଦାମ୍ କୁଆଡ଼େ ଅମୂଲ-ମୂଲ । ତମ ଜୋଇଁଙ୍କର ଗୁଣଗ୍ରାମ ଖଣ୍ଡମଣ୍ଡଳରେ ପ୍ରଚାରିତ ହୋଇଥିଲା । କାହାଘରେ ଭଲ ଝିଅଟିଏ ଏମିତି ସଢ଼ି ପଚିଯାଉଛି ଯେ ସେ ତାକୁ ଜାଣି ଜାଣି କଂସେଇ ଘରକୁ ପଠାଇବ ?

 

...ତେଣୁ, ଧନର ମୋହ ଦେଖାଇ କନ୍ୟାଘର ମୁହଁ ବନ୍ଧନ କରିବାକୁ ପଡ଼ିବ । ସେଥିପାଇଁ ‘ଚଣ୍ଡୀଦୁର୍ଦ୍ଦଣ୍ଡୀ’ ପୂଜା କରାଇବାକୁ ପଡ଼ିବ । ଜ୍ୟୋତିଷ ଗଣନାରେ ସେଇଆ କରାହେବ । ବହୁତ ଖର୍ଚ୍ଚ ।

 

...ଶାଶୁ ମଙ୍ଗିଥିଲେ । ଜୟୀଦାଦି ଗଣକ ଓ ଟରଣୀଙ୍କର କହିବା ପ୍ରକାରେ କେତେଥର ସେ ଟଙ୍କା ନେଇଛନ୍ତି । ଶୋଭା କହେ, କେତେଥର ସେ ଆସି କହିଛନ୍ତି, ଅମୁକ ଗାଁରେ ସମୁକ ଲୋକ ମଙ୍ଗିଛି । ଝିଅର ନାମ କଳାବତୀ । ସେ ଗୋଟିଏ ଚାଉଳରେ ଗଢ଼ା ।

 

...ସେ ପ୍ରସ୍ତାବ ଫସର ଫାଟିଯାଏ । ପାଞ୍ଚ ଟଙ୍କା ନେଇ, ସେ କୁଆଡ଼େ ଶେଷକୁ ମନା କରେ । କୁଆଡ଼େ ଏ ଗ୍ରାମର ଶତ୍ରୁ ଲୋକେ ସେ ଗ୍ରାମରେ ପୁଅଙ୍କର ଦୁର୍ଗୁଣ ଗାଇଲେ ଯେ...

 

...ବୋଉ ଲୋ, ଏମିତିକା ମିଛିମିଛିକା ତିନି ଜାଗାରେ ସମ୍ବନ୍ଧ ପକ୍‌କା ହେବାକୁ ଯାଉଣୁ କିଛି ନା କିଛି ଗୋଟିଏ ଆଗରେ ଫସରଫାଟି ଯାଏ । ସେଇ ଝିଅଟିମାନଙ୍କର ନାମ ଭାରି ସୁନ୍ଦର; ସୌଭାଗିନୀ, ମନ୍ଦାକିନୀ, ସୁହାସିନୀ ।

 

...ମୋ ଦୁଃଖିନୀ ଶାଶୁଙ୍କର ନାହିଁ ନ ଥିବା ଧୈର୍ଯ୍ୟ । ଗୋଟିଏ ବୋଲି ପୁଅକୁ ବାଟକୁ ଆଣିବାର ବ୍ୟାକୁଳତା ତୁ ବେଶ୍‍ ବୁଝିପାରିବୁ । ସେ ପୁଣି ତାଙ୍କର ଛୋଟ ନାତିଟି ଶୋଭନକୁ କେମିତି ପାଳିବେ, ବଢ଼ାଇବେ, ସେଥିପାଇଁ ଛଟପଟ ।

 

...ସେଇଥିପାଇଁ ଟାଉଟର-ଟରଣୀ ଜୟକୃଷ୍ଣ ଗଣକଙ୍କ କହିବା ପ୍ରକାରେ ଟଙ୍କା ଦେଉଥିଲେ । ଶେଷକୁ ମୋରି ମୁଣ୍ଡରେ ବଜ୍ର ପଡ଼ିଲା । ଶୁଣିଲି, ବାହାଘରର ଖରଚ ତୁଲାଇବାକୁ, ବରଯାତ୍ରୀଙ୍କୁ ଭଲରେ ଚର୍ଚ୍ଚା କରିବାକୁ, ତୋତେ ଗୁପ୍ତରେ ଦେବାକୁ ଶାଶୁ ହଜାରେ ଟଙ୍କା ପଠାଇଥିଲେ ।

 

...ପାଇଥିଲୁ କି ନାହିଁ ତୁ ଜାଣିଥିବୁ । ପଚରା ଉଚାର କଲେ ଶତ୍ରୁଟିଏ, ଯିଏ ନାଗ ଓ ତମ୍ପସାପଙ୍କଠାରୁ ବି ଅଧିକ ଭୟଙ୍କର, ସେମିତିଆ ଓ ଅଲେଖ ପାଇଁ ସଷ୍ଟି କରିବୁ । ଠାକୁରେ ତାକୁ ଆଇଷ ଦେଇଥାଆନ୍ତୁ । ମୋର ପଛେ ମରଣ ହେଉ ।

 

...ଭାବିଥିଲି, ହତଭାଗ୍ୟ ପୁଅଟିର ଏକୋଇଶାକୁ ଭଣ୍ଡାରୀ ଗଉଡ଼ଙ୍କ ସଙ୍ଗରେ ତୁ ଅଲେଖକୁ ପଠାଇବୁ । ଟିକି ପୁଅ ପାଇଁ ସୁନାହାର ଓ ବଳା ଦିଓଟି ପସନ୍ଦିଆ ହୋଇଥିଲା । ଗଉଡ଼ ଦୁହେଁ ଯେଉଁ ଭାର ଆଣିଥିଲେ ତାକୁ ତ ନିଶ୍ଚେ ସଜାଡ଼ି ଥିଲୁ । ଶାଶୁ ପ୍ରଶଂସା କରିଥିଲେ ।

 

...ବୋଉ ଲୋ ।

 

ସେ ଛୁଆଟାର କଥା ମନେପଡ଼ିବାରୁ ମୋ ଛାତି କୋରି ହେଉଛି । ନ ହୋଇଥିଲେ ନ ହେଇଥାନ୍ତା । ଶୋଭନ ପରିକା ପୁଅ ଏ ଘରେ ଥାଉଣ କିଏ ତାକୁ ଚାହୁଁଥିଲା ? ନିଦାରୁଣ ଦଇବ ବଳେ ଯାଚି ଦେଲା କାହିଁକି, ଦି’ମାସ ପୂରି ତିନିମାସ ଚାଲୁଣୁ ପୁଣି ନେଲା କାହିଁକି ?

 

...ପିହୁଳା ବାତରେ ଧନୁପରିକା ବଙ୍କେଇ ଯାଉଥିଲା । ଟିକି ହାଡ଼ୁଆ ଦେହଟି ଥରିଥରି କମ୍ପୁଥିଲା । ପୁଣି ଅଳ୍ପବେଳ ପରେ ସେ ଆଖି ଖୋଲୁଥିଲା । ମୋ’ଠୁ କ୍ଷୀର ଶୋଷୁଥିଲା ଯେ, କେତେ ଶୋଷିବ...?

 

….କେତେ ଝଡ଼ାଫୁଙ୍କା, ଠାକୁରଣୀମାନଙ୍କ ପାଖରେ ବାଇଦ ବାଜଣା, ମାର୍ଜନା, ତୁଟୁକା ଓଷଦର ପାଣି, ଧୂପ-ଧୂଆଁ, କାଳସୀ ଲଗାଇ, ତାଙ୍କ ଦେହରେ ଗ୍ରାମଦେବତୀ ମଙ୍ଗଳାଙ୍କୁ ଅବତରେଇ ତାଙ୍କ ହୁକୁମରେ ପଞ୍ଚନିମ୍ବ ପାଣି ପେଇବା, ସବୁ ବ୍ୟର୍ଥ ହେଲା ।

...ତୋ ଜୋଇଁ ବଡ଼ ସହରରୁ ବହେ ଟଙ୍କା ଦେଇ ବଡ଼ ଡାକ୍ତରଙ୍କୁ ଅଣାଇଥିଲେ । ସେ ଯେତେ ଟଙ୍କା ମାଗିଥିଲେ, ଶାଶୁ ତୋ ଜୋଇଁଙ୍କୁ ଦେଇଥିଲେ । ଡାକ୍ତର ଯେତେ ନେଲେ, ଆଉ କେତେ ବଳିଲା, କି ନିଅଣ୍ଟ ହେଲା, ସେ ହିସାବ ରଖୁଛି କିଏ ?

...ଡାକ୍ତର ଅବଶ୍ୟ ଓଷଦପାଣିର ବ୍ୟବସ୍ଥା କରିଗଲେ । ଗଲାବେଳକୁ ସେ କହିଲେ ମରମ କଥା । କହିଲେ, ‘ପିଲାଟି ପେଟରେ ଥିବା ଅବସ୍ଥାରେ ତା’ ମା’ ନିଶ୍ଚିତ ଭାବରେ ଆଘାତ ପାଇଛନ୍ତି । ଦେହରେ ଆଘାତ ଅବା ମନରେ । ଭୟରେ ଚମକିଛନ୍ତି ।’

...ଅନ୍ୟମାନେ ନୀରବ ରହିଲେ । ତୋ ଜୋଇଁ ମୁଣ୍ଡ ନୁଆଁଇଲେ । ମୁଁ କଷ୍ଟରେ କାନ୍ଦ ଅଟକାଇଲି । କିନ୍ତୁ, କଇଁକୁ ରୋଧିପାରିଲି ନାହିଁ । ଡାକ୍ତର ଚାଲିଗଲେ ।

...ବାହାରୁ ପଡ଼ୋଶୀ ଘରମାନଙ୍କରୁ, ଯେଉଁ ଜାଣିଲା-ଶୁଣିଲା ମାଇପେ ଆସିଥିଲେ, ତାଙ୍କ ଭିତରୁ କିଏ ଜଣେ ଶୋଭାକୁ ପଚାରିଲା, ହଇଲୋ ମା’, ଆଗ ବୋହୁ ମାଧୁରୀଙ୍କର ପ୍ରେତପ୍ରତିମା କୁଆଡ଼େ ଏ ଘରେ ବରାବର କାରବାର ହେଉଛି ? ହେଉଥିବ । ବିଷମଞ୍ଜି ବାଟି ପିଇ କେଡ଼େ କଲବଲ ଛଟପଟ ହୋଇ ମରିଥିଲା ତ ।

...ଆଉଜଣେ ଜବାବ ଦେଲା, ଅହ୍ୟରାଣୀ ହୋଇ ମୁକ୍ତି ପାଇଥାନ୍ତା...

-ସତ ଯେ, ଛୁଆ ଛାଡ଼ିଯାଇଛି । ସେଥିପାଇଁ ଏ ଘରେ ସେ କାରବାର ହେଉଛି । ଏ ବୋହୁଟି ସଙ୍ଗେ ଭେଟଣା ହୋଇଥିବ । ତା’ର ଛାନିଆ ଚମକା ପେଟ ଭିତରେ କଅଁଳ ଛୁଆଟିକୁ ଚିହିଁକାଇ ଏଇ ଅସନା ରୋଗ ଦେଇଥିବ ।

...ସେମାନେ ଯାହା ଅନୁମାନ କରନ୍ତୁ, ଘଟଣାଗୁଡ଼ିକ ମିଛ ନୁହେଁ । ଯେଉଁ ରାତିରେ ମୁଁ ଦୁଃଖ ପାଇଲି, ସେହିଦିନ ସଞ୍ଜରେ ଯାହା ସବୁ ଘଟିଥିଲା, ଆଗରୁ ଲେଖିଛି ।

 

...ଶୋଭା କୁଆଡ଼େ ମାଧୁରୀଙ୍କ ଛାଇକୁ ଚଉରା ପାଖରେ ତୋ ଜୋଇଁଙ୍କ କତିରେ ଦେଖିଥିଲା । ମୋ ନାକରେ କେତକୀ ଫୁଲର ବାସନା ବାଜିଲା ପରି ଲାଗିଥିଲା ।

 

...ଏତେ ବଖାଣରୁ କ’ଣ ଆଉ ମିଳିବ ? ଦୁଇମାସର ଛୁଆଟା ମୋରି କୋଳରେ ଚିରଦିନ ଲାଗି ଆଖି ବୁଜିଲା । ମତେ ଡହଳବିକଳ, ହନ୍ତସନ୍ତ କରିବାକୁ ଠାକୁରେ କାହିଁକି ତାକୁ ଦେଲେ, ପୁଣି ହରଣ କରିନେଲେ, କେମିତି ଜାଣିବି ?

 

...ଶାଶୁ ସେହି ଦୁଃଖରେ ବିଛଣାଲାଗୀ ହେଲେ । ତଥାପି, ଘୁଷୁରି ଘୁଷୁରି କାନ୍ଥବାଡ଼ ଧରି ମୋ ପାଖକୁ ଆସନ୍ତି । ମୋ ଦେହରେ ପିଠିରେ ହାତ ବୁଲାଇ ଆଖିରୁ ଲୁହ ଗଡ଼ାଇ ସାନ୍ତ୍ୱନା ଦିଅନ୍ତି-। କହନ୍ତି, ଫଳନ୍ତି ଗଛରେ କ’ଣ ସବୁ ଫଳ ରହେ କି, ମା ? ଦେଖିଥିବୁ ତ, କେତେ ଶୁଖିଝଡ଼େ । କେତେ ପୁଣି ସଢ଼େ । ଠାକୁରେ ପୁଣି ତତେ ଦେବେ ।

 

...ଶୋଭା କିଛି କହେ ନାହିଁ । ସେବା କରୁଥାଏ । ମୋ ପାଖରୁ ଶୋଭନକୁ ନେବାକୁ ବସିଲେ ସେ ରଡ଼ି ଛାଡ଼େ ।

 

...ଦି ବର୍ଷର ପିଲାଟି । ସାଧାରଣ ସ୍ୱାସ୍ଥ୍ୟ । ଗୁଲୁରୁ ଗୁଲୁରୁ କଥା କହେ । ସବୁବେଳେ ଅଗଣାରେ ଖେଳୁଥାଏ । କାଳେ ବାରିଆଡ଼କୁ, ଅବା ଦାଣ୍ଡକୁ ଚାଲିଯିବ ବୋଲି ସଦାବେଳେ ତା’ ଉପରେ ଦୃଷ୍ଟି ଦେବାକୁ ପଡ଼େ ।

 

...ଗାଁର ଅଧିକାଂଶ ତ ଏ ଘରର ଶତ୍ରୁ । ବାଗ ଉଣ୍ଡିଥାନ୍ତି । ସୁବିଧା ମିଳିଲେ ନିଶ୍ଚୟ ଅନିଷ୍ଟ ସାଧିବେ । ଶଶୁରେ ସେ ପୁରକୁ ଗଲାଦିନରୁ ସେମାନଙ୍କର ଅଦଉତି ବଢ଼ିଛି । ପୁଅକୁ ଆଖିଏ ଆଖିଏ ରଖିବାକୁ ହେବ ।

 

...ଅଚଳ ଶାଶୁଙ୍କର ଏହିପରି ଉପଦେଶ ଥିଲା । ଯେଉଁ ଛୁଆଟି ମୋ ପେଟରୁ ଜନମି ବାହୁଡ଼ିଗଲା, ତା’ ଏକୋଇଶାକୁ ଶାଶୁ ତା’ର ନାମ ଦେଇଥିଲେ ମୋହନ । ସେ ଦିନେ ଆଖିରୁ ଲୁହ ଗଡ଼ାଇ କହୁଥିଲେ, ମୁଁ ଅଲକ୍ଷଣୀ ସେହି ନାମ ଦେଲି ବୋଲି ସେ ମଥୁରାପୁରକୁ ଚାଲିଗଲା ଲୋ ମା’ । ଆଉ ବାହୁଡ଼ିବ ନାହିଁ ।

 

...ମୋର ଚିବୁକ ଧରି ଆଉଦିନେ ସେ କହିଲେ, ତୁ ଫଳନ୍ତି ଗଛଟି । ଠାକୁରେ କଲେ ଆଇନ୍ଦା ସାଲକୁ ପୁଅଟି ଫେରିଆସିବ । ତା ନାଁ ମୁଁ ଦେବି ନାହିଁ । ନିଜେ ତୁ ଦେବୁ । ହେଲା ?

 

...ମୁଁ ଜବାବ ଦେଲି, “ଆପଣ ମୋ ପାଇଁ ଏତେ ଭାବନ୍ତୁ ନାହିଁ, ବୋଉ । ଦୁଃଖକଷ୍ଟ ସହି ପେଟରେ ଧରିଥିଲି, ମରଣ ଯନ୍ତ୍ରଣା ସହି ତାକୁ ମୁଁ ସଂସାରକୁ ଆଣିଲି । ସେ ଚାଲିଗଲା । ଦୁଃଖ ହେଲା । ସେ ଯାଉ ।

 

...ଆଉ ମୋର ସନ୍ତାନ କ’ଣ ହେବ ? ଶୋଭନ ପରି ପୁଅ ଯାହାର ଅଛି, ତା’ର ଆଉ ଗୋଟାଏ ସନ୍ତାନର ଲୋଡ଼ା ବା କ’ଣ ?

 

...ଶୋଭନ ସେଇ ଛୁଆକୁ ଖୋଜୁଛି, ବୋଉ । ବାରମ୍ୱାର ମତେ ପଚାରୁଛି । ମୁଁ ତାକୁ ଭୁଲେଇ ଦେଇଛି । ପିଲଟା ଚାଲିଗଲା ପରେ ମୋ ଛାତିରୁ କିଏ ଆଉ କ୍ଷୀର ଶୋଷନ୍ତା ? ତିନି ଚାରିଦିନ ପରେ ଛାତି ଟଣକି ଦରଜ ହେଲା ।

 

...ଶୋଭାକୁ କହିଲି । ସେ ମତେ ଡରାଇ କହିଲେ, ଦି-ବର୍ଷର ପିଲାଟି ହେଲାଣି ଶୋଭନ, ତେବେ ବି ଚୁଚୁମା ଅଭ୍ୟାସ ଛାଡ଼ିନାହିଁ । କାଠ ବା ରବର ଚୁଚୁମା ଛାଡ଼ି ଏବେ ଆଙ୍ଗୁଠି ଭରୁଛି ପାଟିରେ । ତମେ ସେଇ ଛୁଆକୁ ଛାତିରେ ଲଗାଅ ।

 

...ଶାଶୁଙ୍କୁ ମୁଁ ସେକଥା କହିଲି । ସେ ଖୁସି ହେଲେ । କହିଲେ, ସେଇଆ କର । ଶୋଭନ ଯଦି ଶୋଷିବ ତ ଶୋଷୁ । ମା’ କ୍ଷୀର ଅମୃତ । ହେଉ ପଛେ ଦି ବର୍ଷର ପିଲା, ସେ ଜାଣୁ ଯେ ତୁ ତା’ର ମା’ । ଆଉ, ତୋର ସପନର ନିର୍ଜୀବ ଛୁଆଟାକୁ ବି ତୁ ବିସୋରି ପାରିବୁ ।

 

....ସେଇଆ କଲି । ଆଗ ଆଗ ମୁହଁ ବୁଲାଇ ଦେଉଥିଲି । ମତେ ବି ଅଡ଼ୁଆ ଅଡ଼ୁଆ ଲଗୁଥିଲା । ଦିନ କେଇଟାରେ ଦୁହିଁଙ୍କର ଅଭ୍ୟାସ ହେଲା । ସେ ତା’ର ଜନ୍ମଦାତ୍ରୀର ସୁଆଦ ପାଇଲା । କିନ୍ତୁ, ମୁଁ ପାଇଲି ମୋ ବାହୁଡ଼ା ପୁଅର ସ୍ମରଣର ଦୁଃଖ ।

 

...ତିନିବର୍ଷ ହେଲା ତତେ ମୁଁ ଛାଡ଼ି ଆସିଲିଣି । ଶୋଭନକୁ ଚାରିବର୍ଷ ପୂରିବ । ସେ ସବୁକଥା ଜାଣିଲାଣି । ବଡ଼ ମଣିଷ ପରି ତା’ର ବ୍ୟବହାର । ତା’ର ଅତ୍ୟାଚାରୀ ମଦୁଆ ବାପକୁ ସେ ବାଘ, ସାପ ପରି ଡରେ । ତାଙ୍କ ପାଖ ପଶେ ନାହିଁ ।

 

...ତାଙ୍କର ମଦୁଆ ଢଙ୍ଗ, ନୃଶଂସ ବ୍ୟବହାର ସେ ତା’ର ହେତୁ ପାଇଲାଦିନରୁ ଦେଖିଆସିଛି । ତାଙ୍କର ପାଟିତୁଣ୍ଡ, ଭଙ୍ଗାରୁଜାର ଶବଦ ଶୁଣିଛି । ଧାଇଁଆସି ମୋ ଅଞ୍ଚଳ ତଳେ ଲୁଚୁଛି । ତଥାପି, ମତେ ପରିତ୍ରାଣ ମିଳିନାହିଁ । ମୋ ପିଠିରେ, ଦେହରେ ମୁଣ୍ଡରେ ସେ ତାଙ୍କର ହାତସୁଖ ସାରିଛନ୍ତି ।

 

...ଶୋଭନ ଦେହରେ ସେ କେବେ ଟିପ ଛୋଇଁ ନାହାଁନ୍ତି । ସ୍ନେହରେ ହେଉ ବା ନ ହେଉ, ମାଧୁରୀଦେବୀଙ୍କର ପ୍ରେତାତ୍ମାର ଭୟରେ । ମୁଁ ଦେଖିନାହିଁ ଲୋ ବୋଉ, ମାଧୁରୀଙ୍କର ଫଟୋଟି ଯେଉଁ ସୁନ୍ଦର ରୂପର ଧାରଣା ମନରେ ଆଣେ, ସେଇ ମୋ ଆଖିରେ ରୂପ ଦିଏ ।

 

....ନିଜର ଅନ୍ୟାୟ ଆଚରଣ, ଯାହା ମାଧୁରୀଙ୍କର ମରଣର କାରଣ ସେହିସବୁ ତୋ’ ନିର୍ମମ ଜୋଇଁଙ୍କ ଧାରଣାରେ ପ୍ରେତାତ୍ମାର ଜୀବନ୍ତ ରୂପ ଦିଏ । ତାଙ୍କର ପାପକର୍ମ ତାଙ୍କୁ ଡରାଏ । ଶୋଭନକୁ ପ୍ରହାର କରିବାକୁ ଧାଇଁଲେ ଗୋଡ଼ ଛନ୍ଦେ । ମାରିବାକୁ ହାତ ଟେକିଲେ ହାତ ଶୂନ୍ୟରେ ଅଟକେ । ସେ ନିରସ୍ତ ହୁଅନ୍ତି ନାହିଁ ।

 

...ଦିନେ ସକାଳେ ଶୋଭନକୁ ମୋ’ ପାଖରେ ଦେଖି, ତାଙ୍କର ବଜ୍ରମୁଠା ନୁଆଁନ୍ତି, ମୋ ପିଠିରେ । ଗରଜି ଉଠନ୍ତି, ସେ ଛୁଆର ତଣ୍ଟି ଚିପି ମାରିଦେ ବେ, ତା’କୁ ତା’ ବୋଉ ପାଖକୁ ପଠାଇଦେ । ବଦମାସ୍‌, କେଉଁଠି ନେଇ ମୋ ଘଣ୍ଟା ଲୁଚାଇଛି, କି କାହିଁ ଫୋପାଡ଼ି ଦେଇଛି ।

 

...ମୋ’ର ମୁଣ୍ଡ ଝିମ୍‍ ଝିମ୍‌ ହୁଏ । ଆଖି ଆଗରେ ଝୁଲ ଝୁଲକନ୍ତି । ଆଖି ବୁଜି ଆଖି ଖୋଲେ । କହେ, “ମଦ ନିଶା ଛାଡ଼ି ନାହିଁ । ଯଦି ମାରିବ ତ ମତେ ମାର । ବାପ ହୋଇ ମା’-ଛେଉଣ୍ଡ ନିର୍ଦ୍ଦୋଷ ପିଲାର ଦେହରେ ଟିପ ଛୁଅଁ ନାହିଁ । କେତେଥର ତମକୁ କହିଲିଣି, ପୁଣି କହୁଛି, ମାଧୁରୀ ତମକୁ କ୍ଷମା କରିବେ ନାହିଁ ।’’

 

...କହେ ପୁଣି, ‘ମୁଁ ବି କାହିଁକି ସହିବି ? ପେଟ ପାଇଁ ? ଖଣ୍ଡେ ଶାଢ଼ି ପାଇଁ ? ମୋ ବାପର ଯଥେଷ୍ଟ ଅଛି । ‘ଆଜିଯାଏ, ତମର ଏତେ ଅତ୍ୟାଚାର ସହି ତୁନି ରହିଛି । ଚିଠିଖଣ୍ଡେ ବି ଲେଖିନାହଁ ।

 

‘କାହିଁକି ଜାଣିଛ ? ଥରେ ଲେଖି ବସିଲେ, ଉଦ୍‌ବେଗକୁ କ’ଣ ଆକଟ କରି ଅଟକାଇ ପାରିବି ? ଯେତେ ଦୁଃଖ, ନିର୍ଯ୍ୟାତନା ଏ ଦେହ ସହିଛି, ଆତ୍ମା ଅନୁଭବିଛି, ସବୁ ତ ମନରେ ଭେଦିଛି । କଲମ ମୁନରୁ କାଗଜ ଉପରେ ବାହାରି ପଡ଼ିବ ।’

 

...କହେ, “ମୋର ଦୁଃଖିନୀ ବୋଉର ଦୁଃଖ ଅଧିକ ବଢ଼ାଇବାକୁ ମୁଁ ଚାହିଲି ନାହିଁ । ଆହୁରି ଶୁଣ, ‘ଯିଏ ଯାହାର କପାଳ ଭୁଞ୍ଜୁଛି । ମୋର ଏବଯାଏ ଆଶା ଅଛି, ମୋର ସ୍ୱାମୀ ଅବାଟରୁ ବାଟକୁ ଫେରିବେ ।’’

 

...ମୋର ଦଇନି କାଲ ଆଗରେ ମୂଳ ଚୋବାଇଲା ପରି ହେଲା । କହିଲେ, ‘‘ସେ ଛୁଆ କେଉଁଠି ମୋ ହାତବନ୍ଧା ଘଣ୍ଟା ପକାଇଛି କି ଛେଚି ଚୂନା କରିଛି । ତୁ ରାଣ୍ଡୀ ଜାଣିଛୁ । ମତେ ତୋ ପୁରୁଣା ପୁରାଣ ଆଉ ଶୁଣାନା । ବେଶୀ ବକବକ ହେଲେ ବ୍ରହ୍ମଜାବୁଡ଼ାରେ ଶାଳୀର ଦି’ ପାଟି ଦାନ୍ତ ଝାଡ଼ିବି ।”

 

...ମତିହରା ମଦୁଆ ଚଣ୍ଡାଳକୁ କି ଉପଦେଶ କିଏ ଦେଇପାରିବ ? କାନରେ ପଶି ମନରେ ନ ଭେଦି ସବୁ ଉପଦେଶ ଶୂନ୍ୟରେ ମିଶିବ ।

 

...ସେଇଆ ହେଲା । ସେଇଆ ହେବ ବୋଲି ମୁଁ ଜାଣିଥିଲି । ବଞ୍ଚିଥିଲେ ଆଶା ଥାଏ ତ । ସେଇଥିପାଇଁ ସେ ପତିପରମଗୁରୁଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲି ।

 

...‘ପତିପରମଗୁରୁ’ ବୋଲି ତୁ ମତେ ଶିଖାଇଥିଲୁ । ରାଉତରାଣୀ ଜେମାଦେଈ ଅପା କେତେଥର ସେଇଆ ମତେ କହିଥିଲେ ।

 

...ବୋଉ ଲୋ, ଏହି ଚିଠିଖଣ୍ଡି କେବେଠାରୁ ମୁଁ ନିରୋଳା ନିର୍ଜନ ରାତିରେ ଲେଖୁଛି । ତତେ ଲେଖୁଛି, କି ନିଜକୁ ନିଜେ ଲେଖୁଛି, ତାହା ସାନ୍ତ୍ୱନା ଦେଉଛି ନିଜକୁ, ମୁଁ ଜାଣେ ନାହିଁ ।

 

...ଶୋଭନ ପିଲାଟି ଅବୋଧ ବାଳକ । ସେ ମଣିଷ ତଳେ ଗଣା ନୁହଁ । ମାଧୁରୀ ଶୂନ୍ୟଦେହୀ । ଆମର ବିଶ୍ୱାସ ଓ ଧାରଣରୁ, ଅବା ସତରେ ସେ ଫଟୋରୁ ବାହାରି ପ୍ରେତିନୀ ରୂପରେ ଆତଯାତ ହେଉଥିବେ । ସେଇ ମୋ’ର ଲେଖା ଦେଖୁଥିବେ । ସତମିଛ ପରଖୁଥିବେ ।

 

...‘ପତି ପରମଗୁରୁ ଏଇ “ସତୀ-ମନ୍ତ୍ର’’ ଜେମାଦେଈ କ’ଣ ମୋ କାନରେ ଫୁଙ୍କି ନ ଥିଲେ କି ? ତେର ବର୍ଷରୁ ଦହରେ ବୁଡ଼ି ମରଣ-ପେଟରୁ ଉଧୁରିବା ପରଠାରୁ ସପ୍ତମ ଶ୍ରେଣୀର ପରୀକ୍ଷା ସରିଥିଲା ତ, ଅଧିକା ପଢ଼ିବା ସମ୍ଭବ ହେଲା ନାହିଁ ।

 

...ମୁଁ ବୃତ୍ତି ପାଇଥିଲି । ବାପାଙ୍କର ମରଣ ମୋ ପୋଥିରେ ଡୋର ବାନ୍ଧିଲା । ଦୁଃଖନଭାଇ ତତେ ମନାଇବାକୁ ଚେଷ୍ଟା କରିଥିଲେ । ନାରଙ୍ଗ ଗାଁକୁ ଯା-ଆସ କରି ଆଉ ପଢ଼ାଇବାକୁ ତୁ ରାଜି ହେଲୁ ନାହିଁ । ମୋ’ ମନର ଦୁଃଖ ନାଶିବାକୁ ଜେମାଦେଈ, ରଜା ଘରର ଅଲିଅଳୀ ଝିଅ, ଆମ ଘରକୁ ଆସି ମତେ ସାନ୍ତ୍ୱନା ଦେଇଥିଲେ ।

...କହିଲେ, “ଝିଅଟିଏ ପରା ତୁ । ବହୁତ ପାଠ, ବିଲାତୀ ପାଠପଢ଼ି ତ କ’ଣ କେଉଁଠି ଚାକିରି କରିବୁ ? ନାଇଁ ଲୋ , ସୁନା ବୋହୁ ହୋଇ କେଉଁଠି ଶାଶୁଘରେ ସୁନାମ ଅରଜିବୁ । ଆମେ ସବୁ ଖୁସି ହେବୁ ।’’

...ପୁଣି ସେ କହିଥିଲେ, ‘ପାଠଶାଳାକୁ ନ ଯାଇ ସବୁଦିନେ ତୁ ମୋ ପାଖକୁ ଆସିବୁ । ତୁ ହେବୁ ମୋର ଚାଟ, ମୁଁ ହେବି ତୋ’ର ଶିକ୍ଷୟିତ୍ରୀ । ତତେ ପଢ଼ାଇବି, ଲେଖାଇବି, ଶିଖାଇବି ।’

...ତୁ ସବୁ ଜାଣିଛୁ, ବୋଉ, ମତେ ତାଙ୍କ ପାଖକୁ ପଠାଇଛୁ । ସେଠି ରାଉତରାୟ ବଂଶର କେତେ କାଳର ତାଳପତ୍ରରେ ଲେଖନ ମୁନରେ ଲେଖା ପୋଥିଗାଦିରୁ କାଢ଼ି ସେ ମତେ ପୁରାଣ ପୋଥି ଦିଅନ୍ତି । ବେଶି ତ ରାମାୟଣ ହରିବଂଶ, ଭାଗବତ ।

...ମତେ ପଢ଼ାଇ ଦିଅନ୍ତି, ବୋଲାଇ ଶିଖାନ୍ତି, ବୁଝାଇ ଦିଅନ୍ତି । ମତେ ଭାରି ଭଲ ଲାଗେ । ଖୁସିରେ ଆହୁରି ଆହୁରି ପଢ଼େ । ଉଛୁର ହେଲେ ବି, ସେ ଶୁଣିବାକୁ ନ ଥିଲେ ବି, ମୋ ମନକୁ ପଡ଼େ ।

...ଯେଉଁ ପୋଥିରେ କେବେ କଡ଼ରେ ଉଇ ଧରିଥିଲେ ତାକୁ ସେ ମୋରି ହାତରେ କାଗଜରେ ନକଲ କରେଇଛନ୍ତି ।

...କେମିତି ତାଙ୍କର ସ୍ନେହ, ଆଦର, ଶିକ୍ଷା ଭୁଲିପାରିବି ? କି ଘରର ଝିଅ ସେ, କି ଘରର ବୋହୁ । ଛାର ଚାଷିଟିର ଝିଅକୁ ସେ କାହିଁକି ଏତେ ଭଲ ପାଉଥିଲେ ? ନିଜ ହାତରେ ମୁଣ୍ଡ ବାନ୍ଧି ଦେଉଥିଲେ । ଖୋଇ-ପେଇ ତୋ ପାଖରେ ଛାଡ଼ିବାକୁ କାହା ସଙ୍ଗରେ ଛାଢ଼ୁଥିଲେ । କେହି ନ ମିଳିଲେ ତୋ ଜିମା କରିଦେବାକୁ ଦୁଃଖନ ଭାଇକୁ ବରଗୁଥିଲେ ।

...ସ୍ୱାମୀ କ’ଣ ଏହା ବୁଝିବା ପୂର୍ବରୁ ମୁଁ ତାଙ୍କରି ମୁହଁରୁ ଶୁଣିଥିଲି ଯେ ସେ ‘ପରମଗୁରୁ’, ସବୁ ଦେବତାଙ୍କଠାରୁ ବଳି ବଡ଼ ଦେବତା । ମୋ ଭାଗ୍ୟକୁ ସେହି ଦେବତା ଏଡ଼େ ଅବିବେକୀ, ନିଷ୍ଠୁର, ବିଚାରହୀନ ହେଲେ କାହିଁକି ?

...ମୁଁ ତାଙ୍କର ଅଲୋଡ଼ା ହୋଇପାରେ; କିନ୍ତୁ ଜନମ ଦେଇ, ପାଳି ବଢ଼ାଇ ଅତ୍ୟାଚାର ସହି ସବୁବେଳେ ଶୁଭ ମନାସୁଛନ୍ତି ଯେଉଁ ମା’, ଯାହାକୁ ଜୋତାପିନ୍ଧା ପାଦରେ ଗୋଇଠା ମାରି ଅଚଳ କରିଛନ୍ତି, ସେ ସିନା ଅଦରକାରୀ, ନିଜର ପୁଅଟି, ପୁଣି, ଆପଣାର ଜୀବନ ବି ତାଙ୍କୁ ସେରନ୍ତା ଲାଗୁନାହିଁ, ବିଷ ପିତ ହୋଇଛି ।

...ବୋଉଲୋ, ତାଙ୍କ ଘଣ୍ଟା କଥା ତାଙ୍କୁ କହିଲି, ‘ଶୁଣ, ତମ ଘଣ୍ଟାଟି ଟେବୁଲ ପାଖରେ ତଳେ ମୁହଁମାଡ଼ି ପଡ଼ିଥିଲା । ବୋଧହୁଏ ତମ ହାତରୁ ହୁଗୁଳି ତଳେ ଖସିପଡ଼ିଥିଲା । ତମେ ଟଳଟଳ ହେଉଥିଲ । ମନକୁ ମନ ବିଡ଼ି ବିଡ଼ି ହୋଇ କାହାକୁ କ’ଣ ଗାଳି ଦେଉଥିଲ । ଆରାମ ଚଉକିରେ ହାମୁଡ଼େଇ ହନୁମାନ ପରି ହୁଙ୍କାର ଛାଡ଼ୁଥିଲ । କ’ଣ ତୁମକୁ ପଚାରନ୍ତି ? ମାଡ଼ ମୁଲାନ୍ତି ?

...ସେ ଚିହିଙ୍କି ଉଠିଲେ, ହାତମୁଠା କରି କହିଲେ, “କ’ଣ କଲୁ ସେ ଘଣ୍ଟା ? ତତେ, ତୋ ବୋପା, ଭାଇ, ରାଣ୍ଡ ମା’, ଆଉ ତୋ...ଲେଖିପାରିବି ନାହିଁ । ସେ ଯାହା କହିଲେ; ଜୟୀ ନାୟକେ କି ଆମ ଗାଁର ଆଉ କେଉଁମାନଙ୍କୁ ତୁଣ୍ଡରୁ ମୋ ନାମରେ ପ୍ରଚାରିତ ହୋଇଥିବା ଦୁର୍ନାମ କ’ଣ ତାଙ୍କ କାନରେ ବାଜିଥିଲା କି ? କହିଲେ, ତୋ ରାଉତରାଘର ମୂଲିଆ ଘଇତାକୁ ବିକିଲେ ଯେତିକି ଟଙ୍କା ହେବ, ତା’ର ଦିଗୁଣ ଟଙ୍କାରେ ସେଇଟାକୁ ମୁଁ ପ୍ରତାପ ସିଂହଙ୍କଠାରୁ କିଣିଛି । ଜାଣୁବେ, ସେଥିରେ ନଅଟି ରନ୍ ଖଞ୍ଜା ହୋଇଛି । ଦେ’ବେ ସେ ଘଣ୍ଟା ?

...ମୋ ହାଡ଼ରେ ନିଆଁ ଲାଗିଥିଲା । ଭାବିଲି, ତାଙ୍କ ଗାଲରେ ଠାଏକିନା ବ୍ରହ୍ମ ଜାବୁଡ଼ାଏ କଷିବି । ତାଙ୍କ ସାନ୍ତରାପଣିଆର ମହୁଲି ନିଶା ଛଡ଼ାଇ ଦେବି । ନିଶା ଟଳଟଳ ଦେହରେ କି ବା ଶକ୍ତି ଥିବ ଯେ ।

 

...ଆଖି ତରାଟି ତାଙ୍କ ରାଗିଲା ଆଖିକୁ ଚାହାଁନ୍ତେ ସେ ଦାନ୍ତ ରଗଡ଼ିଲେ । ତାଙ୍କ ଛୁଆଟା ଶୋଭନକୁ ଛାତିରୁ ଖସାଇ ତଳେ କଚିଦେବି ଭାବି ତାକୁ ବେଢ଼ାଇଥିବା ବାମ ହାତଟା ହୁଗାଳନ୍ତେ ସେ ଛାନିଆ ଛୁଆଟା ଓଲଟି ମୋ ବେକକୁ କଟମଟ କରି ବେଢ଼ାଇ ଧରିଲା ।

 

...ମୋ କାନରେ ବାଜିଲା ପୁଣ୍ୟମୟୀ ତପସ୍ୱିନୀ ଜେମାଦେଈ ଅପାଙ୍କର ଶିକ୍ଷା-‘ପତି ପରମଗୁରୁ ଲୋ ମା’ ନଉଲୀ । ଧୈର୍ଯ୍ୟ ଧର । ନିଜର ସର୍ବସହଣୀ ଗୁଣରେ ତାକୁ ବାଟକୁ ଆଣିବାକୁ ଚେଷ୍ଟା କର ।’

 

....ମନ ଭିତରେ ଜେମାଦେଈ ଅପାଙ୍କୁ ସୁମରି କହିଲି, ‘ହଉ ଅପା, ତମରି କଥା ମାନିବାକୁ ଚେଷ୍ଟା ଆହୁରି କରିବି । ଅନ୍ୟାୟ ଓ ଅତ୍ୟାଚାରର ବୋଝ ମୁଣ୍ଡାଇ ଠିଆହେବା ସମ୍ଭବ ହେଉ ନାହିଁ । ବଳାଇଲେ ନିଜେ ଟଳି ପଡ଼ିବି, ଥରିମରି ଜଳିବି, ପାଉଁଶ ହେବି ।

 

...ମୋତେ ତୁନି ରହିବାର ଦେଖି ସେ ଗର୍ଜିଉଠିଲେ, କ’ଣ ହେଲା ମୋ ଘଣ୍ଟା ? ଜଲଦି କହ, ନଇଲେ...

 

...ସେ ହାତ ମୁଠାକରି ବିଧା ଉଞ୍ଚାନ୍ତେ କହିଲି, ‘ତମରି ପଛ ପାଖରେ, ଆରାମ ଚଉକିରେ ଆଗପାଖ ବାମକଡ଼ରେ ମୁଁ ଠିଆ ହେଇଥିଲି । ତମ କାମିଜର ଡାହାଣ ପାଖରେ ତଳ ପକେଟରେ ତାକୁ ମୁଁ ରଖିଦେଇଥିଲି । ସେଇଠି ଖୋଜିଲେ ମିଳିବ ।’

 

...ରାତିଅଧରେ ସେ ତାଙ୍କର ଫଟଫଟିଆ ମଟର ସାଇକଲରେ ସହରରୁ ଅବା ଆଉ କେଉଁଠୁ ଫେରିଥିଲେ କାହାକୁ ଜଣା ? ସେ ଗାଡ଼ିର ଏମିତି ଗୁଣ ଯେ ଦିନକ ଭିତରେ ସେହି ଗାଡ଼ି କୁଆଡ଼େ ବ୍ରହ୍ମାଣ୍ଡ ବୁଲିପାରେ । ସେ ଖଣ୍ଡ କିଣିବାକୁ କେତେ ଜମି ସେ କାହାକୁ ସବୁ ଶାଗମାଛ ଦରରେ ବିକିଛନ୍ତି । ଶାଶୁ ଜାଣନ୍ତି ନାହିଁ । ମୁଁ କେଉଁ ମଣିଷରେ ଲେଖା ଯେ, ଜାଣିବି ?

 

...ତାଙ୍କ ବନ୍ଧୁ, ଦି ଜଣଙ୍କର ଥିଲା । ସେହିମାନଙ୍କର ଦେଖାଦେଖି ୟେ ବି କିଣିଲେ । ତାକୁ କିଣିବା ଦିନରୁ ତାଙ୍କର ବନ୍ଧୁ ଦିହେଁ କ୍ଵଚିତ୍ ଆସନ୍ତି । ଆସିଲେ ପୁଣି ସିନେମା ଘର କଥା ଆଲୋଚନା କରନ୍ତି । ମଦ ପିଇବାକୁ ସଙ୍ଗରେ ନେଇ ଚାଲିଯାଆନ୍ତି । କେବେ କେଉଁଠି ରାତିରେ ରହନ୍ତି ବାହାରେ । କେଉଁଠି ରହନ୍ତି, ପଚାରିବାକୁ କାହା ଜିଭରେ ହାଡ଼ ଅଛି ?

 

..ଶାଶୁ ପଚାରିଲେ ଜବାବ ଦିଅନ୍ତି, ‘ବେପାର ବଣିଜ କାରବାର କଥା । ଯେବେ ଲାଭ ହେବାକୁ ଆରମ୍ଭ କରିବ ଲାଭ ଶହ ହିସାବରେ ଗଣା ହେବ ନାହିଁ, ହଜାର ହିସାବରେ ଗଣା ହେବ, ବୋଉ । କିନ୍ତୁ ସେତକ ହେବାକୁ ଟଙ୍କା ଖଟାଇବାକୁ ଆଗ ପଡ଼ିବ ତ । ବୁଣିଲେ ସିନା ପାଇବ ? ନ ବୁଣିଲେ ?’

 

...ଶାଶୁ ତାଙ୍କୁ ଦିନେ ପଚାରିଥିଲେ, “ହଇରେ ବାଇଆ, ଜମିବାଡ଼ି ବିକି ବିକି ସାରିବାକୁ ବସିଲୁଣି । ଏଇ କେଇଟା ବର୍ଷରେ ସବୁ ନିସ୍ତେତୁ କେଉଁ ବେପାରରେ ଇଗାଇଥିବୁ । ଲାଭ କାହିଁ ?’’

 

‘‘ତୋ ସାଙ୍ଗମାନଙ୍କ ମତାଣରେ ଭୁଲି, ମଦପାଣି ପିଇ, ସବୁ ବୁଡ଼ାଇଲୁରେ ଧନ, କୁଟୁମ୍ବ ଚଳାଇବୁ କେମିତି ?’’

 

....ମୁଁ କାନପାରି ଶୁଣୁଥାଏ ମା’ ପୁଅଙ୍କର ଆଲୋଚନା । ଶୁଣିବୁ ବୋଉ, ୟା’ଙ୍କ ଅବସ୍ଥା ଶୀଘ୍ର ବାରଣ୍ଡା ଦି’ କଡ଼ା ହେବ।

 

...ଆଖି ଥାଉଣୁ ଅନ୍ଧ ପରି ଯାହାର ଚଳଣ, ତା’ କପାଳରେ ଆଉ ତା’ ଅନୁଗତମାନଙ୍କ ଭାଗ୍ୟରେ କ’ଣ ଅଛି ଯେ କେହି ଅନୁମାନ କରିପାରିବ ।

 

....ତୋର ନିର୍ବୋଧ ଜୋଇଁ ତାଙ୍କ ବୋଉଙ୍କୁ ଜବାଦ ଦେଲେ, ‘ଯେତେବଳେ ଧନ ଆସିବାକୁ ଆରମ୍ଭ କରିବ, ଦେଖିବୁ ରହ ବୋଉ, ରଖିବାକୁ ତୁ ଜାଗା ପାଇବୁ ନାହିଁ । ତେବେ ନ ବୁଣିଲେ ଫସଲ ଫଳିବ କିପରି ? ସିନେମା ଘରଟିର ବାରପଣ କାମ ଆଗେଇ ଗଲାଣି । ମୁଁ ଟଙ୍କା ଦେଇପାରୁନାହିଁ ବୋଲି କାମ ସରୁନାହିଁ ।’

 

...ଶାଶୁ କହିଲେ, ‘କାହୁଁ ପାଇବିରେ ପୁଅ? ମତେ ମାଡ଼ ମାରିଲୁ, ଥରେ ନୁହେଁ, କେତେ ଥର । ଗହଣାଯାକ ସବୁ ନେଲୁ । ବିକିଲୁ ବନ୍ଧା ପକାଇଲୁ କେଉଁ ଖାନଗୀମାନଙ୍କୁ ଦେଲୁ ମୁଁ ଜାଣିଲି ନାହିଁ ।’

 

...ତୋ’ ଜୋଇଁ କହିଲେ ‘ଅଳପେ ସୁଧରେ ବିକ୍ରମର ବାପାଙ୍କ ପାଖରେ ବନ୍ଧା ରଖା ହୋଇଛି । ତୋ’ ପାଖରେ ବାକ୍‌ସରେ ଥାଆନ୍ତା, ସେଠି ରହିଲା, ଏକା କଥା । ଗାଁ ଲୋକେ ଆମର ଶତ୍ରୁ । ଜାଣିଛୁ ତ, ସେଇମାନେ ଚକ୍ରାନ୍ତ କରି ମୋ ବାପାଙ୍କୁ ଭୂତବାଡ଼ିଆ ଦେଇ ମରାଇଥିଲେ?’

 

...ଶାଶୁ ସୁଁ-ସୁଁ ହୋଇ କାନ୍ଦିଲେ ।

 

...ମୁଁ କାନପାରି ଶୁଣୁଥାଏ। ଶାଶୁ କହିଲେ, ‘ମୋ ଜାଣିବାରେ ତୋ’ ସାଙ୍ଗ ଦୁଇଟା ସେ ନୃଶଂସ କାମ କରାଇଥିଲେ । ବେଶି ତ ସେଇ ମହାଜନପୁଅ ଚୁଲିପାଶା ବିକ । ତାଙ୍କୁ ହଟାଇଲେ, ତତେ ସେ କାଠିରେ ନଚାଇବ । ତୋ ସମ୍ପତ୍ତି ଜୁର କରିନେବ । ସେଇଆ ତ କଲାଣି ।’

 

....‘ପୁଅରେ ମତେ ଦଇବ ଅତି କଲବଲ କରି ବଞ୍ଚାଇ ରଖିଛି । ଆଗତ ଜନମରେ ମୋ କର୍ମର ଫଳ ଭୋଗାଇବା ଆଗରୁ ଏଇ ଜନମରେ ତା’ର ପିତା ଫଳ ଚଖାଉଛି ।’

 

‘ତୋ ବାପା ଯେଉଁ ଧନ ଅରଜି ମୋ ହାତକୁ ବଢ଼ାଇ ଦେଉଥିଲେ, ସବୁ ଦୁଃଖୀରଙ୍କୀ, ଅଭାବୀ ଉପାସୀଙ୍କର ଧନ ଖାଲି ନୁହେଁରେ ତାଙ୍କମାନଙ୍କର ଜୀବନ ।’

 

‘ଆଉ, ଶୁଣ, ଗଙ୍ଗାରୁ ଗଉତମ ଯାଏ ଯେଉଁ ଭୂମିବାଡ଼ି ନାନା ଉପାୟରେ ଆପଣାର କଲେ ସେଥିପାଇଁ ସେମାନେ ଉପାସ ଭୋକରେ ଗଛମୂଳ ଆଶ୍ରା କଲେ ।’

 

ଧନରେ, ଆମର ଭଣ୍ଡାର ପୂରିଛି । ବାକ୍ସରେ ଟଙ୍କା, ସୁନା, ଗହଣା । ପୁଣି ଆମର ସମ୍ପତ୍ତି ବଢ଼ିଛି, ଜମି, ତୋଟା, ପୋଖରୀ, ସମ୍ମାନ । ମୁଁ କେଡ଼େ ଖୁସି ହେଉଥିଲି । ସବୁ ତୋରି ପାଇଁ ରଖା ହୋଇଥିଲା । କିନ୍ତୁରେ ଆନନ୍ଦ, ତୋରି ହାତରେ ସବୁ ଗଲା ।

“ବୁଝିପାରୁନୁ ? ଲକ୍ଷ୍ମୀ ପରି ସୁନାକଣ୍ଢେଇ ବୋହୁ ଆଣିଥିଲି, ମୋ ମାଧୁରୀକୁ । ତୋରି ପାଇଁ ସେ ଆତ୍ମଘାତିନୀ ହେଲା । ମତେ ସେ ଛାଡ଼ି ଯାଇନାହିଁରେ । ଆସୁଛି, ବରାବର ଆସୁଛି । ମୋ ପାଦରେ ହାତ ଦେଉଛି ।’’

‘‘ତୋର ସେ ଅଲକ୍ଷଣା ଜୋଇଁ ଡରିଗଲେ ପରା । ମୁଁ ଝରକା ପାଖରେ କାନ ପାରିଥିଲି, ଶୁଣିଲି, ସେ କହିଲେ, ସେ ନିଜ ହାତରେ ବିଷ ଖାଇ ମଲା । ତା’ କଥା କାହିଁକି ପଡ଼ିଛି ?’’

...ଶାଶୁ କହିଲେ, “ଜଇ ନାୟକଙ୍କ ଦୟାରୁ ସରସ୍ୱତୀ ପରି ରୂପର ଗୁଣର ଯେଉଁ ବୋହୁଟିକୁ ପୁଣି ଆଣିଲି, ସେହି ନହୁଲୀ ତୋ ପୁଅକୁ ବଞ୍ଚାଇଛି । ପାଳୁଛି । ଲୋଟଣୀ ପାରାଟି । ତୋ ଅତ୍ୟାଚାର ସେ ଆଉ କେତେ ସହିବ ? ବେଶି ଅସହ୍ୟ ହେଲେ...’’

...ତାଙ୍କୁ କୁହାଇ ନ ଦେଇ ତୋ ଜୋଇଁ କହିଲେ, ସେଇଟା ପକ୍‌କା ବଦ୍‌ମାସ‌ । ମୋ କଥା ନ ଶୁଣିଲେ, ନ ମାନିଲେ ନିଶ୍ଚୟ ତାକୁ ଶାସନ କରିବି । ଶାଳୀ ସହିବ ତ ରହିବ, ନଇଲେ ମରିବ ତ ମରୁ, ଅବା ତାର ଯୁଆଡ଼େ ମନ ତେଣେ ଯାଉ । ମୁଁ କ’ଣ କରିବି ?

...ମୋର ଗୋଡ଼ରୁ ମୁଣ୍ଡଯାଏ ଥରି ଉଠିଲା । ଆଉ ଶୁଣିବାକୁ ମୁଁ ରହିଲି ନାହିଁ । ରାଗ ତମତମ ହୋଇ ମୋ ଶୋଇବା ଘରକୁ ଚାଲିଆସିଲି । ମୋ ଗୋଡ଼ ମତେ ପୋଖରୀକୂଳକୁ ବାରିଆଡ଼କୁ ତଡ଼ୁଥାଏ । ମନ କହୁଥାଏ, ଡେରି କାହିଁକି ? ଚାଲ...

...ସଞ୍ଜ ପ୍ରହର ।

 

...ଶୋଭା ଘର ଭିତରେ କ’ଣ କରୁଥାଏ । ଅସମୟରେ ଶୋଭନ ଶୋଇପଡ଼ିଥାଏ ପଲଙ୍କ ଉପରେ । ଲଣ୍ଠଣ ଆଲୁଅ ଗୋଟିଏ ଟୁଲ ଉପରେ ଜଳୁଥାଏ ।

 

...ମନ କହୁଥାଏ, କି ସୁଖ ଆଶାରେ ମଦୁଆ, ବାଇଆ, ସଇତାନ୍‌ଟା ପାଖରେ ରହି ଖାଲି ସହୁଥିବୁ ? ଚାଲ୍‌ ପୋଖରୀ କୂଳକୁ । ତା’ରି କଅଁଳ ଶୀତଳ ଜଳର କୋଳରେ ଶାନ୍ତି ପାଇବୁ ।

 

...ସେଇଆ ମୁଁ ସ୍ଥିର କଲି ।

 

...ବାରି କବାଟ ଖୋଲିଲି । ହାତ ଥରୁଥାଏ । ପଦାକୁ ଚାହିଁଲି । ପୋଖରୀ ହୁଡ଼ା କଡ଼ର କନିଅର ବଣ ଅନ୍ଧାରୁଆ ଦିଶୁଥାଏ । କି ତିଥି କି ବାର ମୋର ମନେନାହିଁ । ଜହ୍ନୁଆ ରାତି ଯେ, ପାତଳିଆ ମେଘ ଘୋଡ଼ାଇଥାଏ । ସବୁ ଅସ୍ପଷ୍ଟ ଦିଶୁଥାଏ ।

 

...ଥରିଲା ପାଦଟିଏ ସେ ପାଖକୁ ବଢ଼ାଉଣୁ ମଣିଲି କିଏ ଯେମିତି ମୋ କାନରେ କହୁଛି, ହାରିଯିବୁ, ମା’ ?

 

...ପାଦ ଫେରାଇଲି । ଶୁଣିଲି, ମୋ ନିଜ ଭିତରେ ସେ କହୁଛନ୍ତି, ଜେମାଦେଈ ଅପା ସାଆନ୍ତାଣୀ, ଏଇଥିପାଇଁ ଏତେ ପୋଥିପୁରାଣ ପଢ଼ିଥିଲୁ, ନିଜେ ଉତାରିଥିଲୁ ମା ନହୁଲୀ ? ଯୁଦ୍ଧଭୂଇଁ ଏ ସଂସାରଟି । ନିଜ ହାତରେ କିଏ ନିଜର ଜୀବନ ସେଠାରେ ନେଇଛି ? ଦେହରେ ଜୀବନ ଥିବାଯାଏ ଯୁଝିବାକୁ ହେବ । କର୍ତ୍ତବ୍ୟ କରିବାକୁ ହେବ । ଯାହାକୁ ପାଳୁଛୁ ସେହି ଅସହାୟ ପୁଅଟି ତତେ ଖୋଜୁଛି, ନହୁଲୀ ।

 

...ସତରେ ଶୋଭନ ମତେ ଖୋଜୁଥିଲା । ଜେମାଦେଈ ଅପା କାହିଁ କେତେ କୋଶ ଦୂର ବାଟରୁ ମତେ ପୁଣି କହୁଥିଲେ...

 

‘କୁଆଁ କୁଆଁ ରଡ଼ି ଛାଡୁଥିଲା ଟିକି ପୁଅଟିଏ । ବାପ ନାହିଁ, ମା’ ନାହିଁ । ସେହି ଦୁଃଖନକୁ ? କୋଳରେ ଧରି ବସିଥିଲି । ଶାମୁକା ଫାଳରେ ତାର ନାଲି ଟୁକୁଟୁକୁ କଅଁଳ ଓଠ ଦି’ ଫାଳି ଖୋଲି ଅଳ୍ପ ଅଳ୍ପ ଛେଳିକ୍ଷୀର ଚଟାଉ ଥିଲି ।’

 

...ମୁଁ ପାଦ ଫେରାଇଲି । ମୋର ଶୋଭନ ପଲଙ୍କ ଉପରେ କଣେଇଁ ଶୋଇଛି । ତା’ର ଛୋଟ ତକିଆଟିକୁ କୋଳାଇ ଧରିଛି । ଗୋଟିଏ ଗୋଡ଼ ତା’ରି ଉପରେ ଥୋଇଛି । ଦୁଇ ଓଠରେ ଶୂନ୍ୟରୁ କ୍ଷୀର ଶୋଷୁଛି ।

 

...କାନ୍ଥ ମଝିରୁ ଚାହିଁ ରହିଥିଲା ତାର ଜନନୀ ମାଧୁରୀଙ୍କର ଫଟୋମୂର୍ତ୍ତି, ଯାହାଙ୍କୁ ଶୋଭନ ମା’-ଠାକୁରଣୀ ବୋଲି ଜାଣେ । ମତେ ଅନୁକରଣ କରି ସେ ମଧ୍ୟ ତଳେ ମୁଣ୍ଡ ଲଗାଏ ।

 

...ମୁଁ ମଣିଲି, ସତେ ସେହି ଛବିର ମାଧୁରୀ କାନ୍ଦକାନ୍ଦ ହେଉଛନ୍ତି । ଅନୁନୟ କରୁଛନ୍ତି...

 

‘ସେ ମୋ’ର ନୁହେଁ, ସେ ତୋ’ର ଲୋ ଭଉଣୀ । ତାକୁ ତୁ ବଞ୍ଚାଇଛୁ, ନିଜର ରକତ ପେଇଛୁ; ତା’ କଥା ତୁ ଜାଣୁ । ମୁଁ ଶୂନ୍ୟରୂପିଣୀଟା ?’

 

...ପିଲାଟିର ମୁଣ୍ଡ ଆଉଁସନ୍ତେ ତା’ର ପତଳା ନିଦ ଭାଙ୍ଗିଲା । ସେ ଆଖି ଖୋଲିଲା । ଉଠି ବସିଲା । ସ୍ନେହରେ ତାକୁ ଉଠାଇ ଛାତିରେ ଧରନ୍ତେ, ସେ ପିଲା ତା’ର ଅମୃତଭାଣ୍ଡରେ ମୁହଁ ଲଗାଇଲା ।

 

...ଆତ୍ମଘାତିନୀ ହେବାର ପାଗଳାମି ସେତେବେଳେ ମୋ ମନରୁ ଦୂର ହେଲା । ମୋର ଆଶା ମୋ ମନକୁ ସାନ୍ତ୍ୱନା ଦେଲା ।

 

...ଦିନେ ଅବଶ୍ୟ ସେ ତାଙ୍କର ଭୁଲ ବୁଝିବେ । ବାଟକୁ ଫେରିବେ । ମଣିଷ ଜନମ ପାଇଛନ୍ତି । ମୁଣ୍ଡ ଭିତରେ କେଉଁଠି ନିଶ୍ଚୟ ଟିକିଏ ବିବେକ ଛପି ରହିଥିବ । ସେହି ତାଙ୍କୁ ଚେତାଇବ, ଭଲବାଟକୁ ଫେରାଇ ଆଣିବ ।

 

...ଲେଖୁଥିଲି ଆରଦିନର ସଞ୍ଜ ସହରର ଘଟଣା । ମରଣର ଆଁ ଭିତରକୁ ନ ଡେଇଁ ଶୋଭନ ପାଖକୁ ଫେରିଆସିଥିଲି ତ, ତାକୁ କୋଳରେ ଧରି ବସିଥିଲି । ସେ ମତେ ଶୋଷୁଣୁ ପୁଣି ଶେ।ଇପଡ଼ିଥିଲା । ତାର ସେଇଟା ଖାଲି ଅଭ୍ୟାସ ପାଲଟିଥିଲା । ମୋ ଛାତିରେ ଆଉ ରସ କେଉଁଠି ଥିଲା ଯେ ।

 

...ମୋ ପେଟରୁ ଜନମି ମୋଟେ ଦୁଇଟି ମାସ ରହି ପିଲାଟି ବାହୁଡ଼ିଲା ପରେ ଶାଶୁଙ୍କର ଉପଦେଶ ମାନି ଛାତିର ବେଦନା ଲାଘବ କମାଇବାକୁ ଦୁଇବର୍ଷର ଆଙ୍ଗୁଠି ଚୁଚୁମା ପିଲାକୁ ମୁଁ ଛାତିରେ ଲଗାଇଥିଲି ।

 

...ଦେଢ଼ବର୍ଷରୁ ଅଧିକ କାଳ କଟିଗଲାଣି । ଶୋଭନ ବଡ଼ ହୋଇଆସିଲାଣି । ଛାତିରୁ ରସ ଶୁଖିଲାଣି । ସେ ବିରକ୍ତ ହୋଇ ବେଳେବେଳେ ରୁଟ୍ କରି କାମୁଡ଼ି ଦେଉଛି । କଷ୍ଟ ହେଉଛି । ତଥାପି, ତା’ର ଆଗ୍ରହ ଭାଙ୍ଗି ପାରୁନାହିଁ ।

 

...ବୋଉଲୋ, ରାଗ ତମତମ ହୋଇ ତୋ ଜୋଇଁ ତାଙ୍କ ବୋଉଙ୍କ ଘରୁ ମୁଁ ଥିବା ଘରକୁ ଧପାଲି ଆସିଲେ ।

 

...କହିଲେ, “ଯେତେ ନେହୁରା କଲି, ବୋଉ ମତେ ଟଙ୍କା ଦେଲା ନାହିଁ । ଚାବି ଦେଲା ନାହିଁ ।’’

 

‘ଭାବିଥିଲି, ତା’ ପାଖରୁ ଏଥର ବି ଚାବି ଟାଣିଆଣିବି । ମୋ ମନକଥା ଜାଣିପାରି ସେ କହିଲା, ଯଦି ମୁଁ ସେପରି କରେ ସେ ନିଶ୍ଚେ ମରିବ ।’

 

‘ମୁଁ ଡରିଗଲି, ନହୁଲୀ ।’

 

...ତାଙ୍କ କଥାର ମୁଁ ଜବାବ ଦେଲି ନାହିଁ । ସେ ପୁଣି କହିଲେ, ତୁ କ’ଣ ରଖିଛୁ ମତେ ଦେ-। ମୋର ଜରୁରି ଦରକାର । ଡେରି ହେଉଛି ।

 

...ମୋର ଛାତି ଥରିଲା । କହିଲି, “ତମେ ଜାଣିଛ, ମୋ’ର ଟ୍ରଙ୍କ୍‌ ବାକ୍‌ସରେ ଶାଢ଼ି କେଇଖଣ୍ଡି ଛଡ଼ା ଆଉ କିଛି ନାହିଁ । ମତେ ଅବିଶ୍ୱାସ କରି ତମେ ବାରମ୍ବାର ଘାଣ୍ଟି ଦେଖିଛ । ମନହେଲେ ଆଉଥରେ ଘାଣ୍ଟି ଦେଖିନିଅ । ସେଥିରେ ତାଲା ନାହିଁ । ସବୁ ଶାଢ଼ି ମଡ଼ା । ନୂଆ ନୁହେଁ-। ନେବ ତ ସେଇଆକୁ ନେଇଯାଅ ।’’

 

...ସେ ରାଗିଯାଇ କହିଲେ ‘ଗୋଟାଏ ଜରୁରୀ କାମ ପାଇଁ ବହୁତ ଟଙ୍କା ଦରକାର । ତୋ’ ବେକରେ ଯେଉଁ ସୁନାହାର ପକାଇଛୁ, ମତେ ଦେଇଦେ । ବନ୍ଧା ପକାଇ ଟଙ୍କା ଆଣିବି, ଟଙ୍କା ହେଲେ ମୁକାଳି ଆଣି ତତେ ତୋ ହାରଟି ଫେରାଇ ଦେବି ।’

 

...ମୁଁ ଡରିଲି ନାହିଁ ଗୋ ବୋଉ । ଶୋଭନ ପୁଣି ଶୋଇପଡ଼ିଥିଲା । ତାକୁ ବିଛଣାରେ ଶୁଆଇ ପଲଙ୍କ ଉପରୁ ତଳକୁ ଓହ୍ଲାଇଲି । କହିଲି, ଏତିକି ମାତ୍ର ମୋ’ର ସମ୍ବଳ ମୋ ଦେହରେ ଅଛି-। ଦେଖ, ମୋ ଦି’ ହାତରେ ଚାରି ଚାରି ପଟ ନାଲିଆ ପାଣିକାଚ । ଆଉ ସବୁ ସୁନାରୁପା ଗହଣା ତମ ବୋଉଙ୍କ ପାଖରେ ଥିଲା । ସବୁ ତୁମେ ବନ୍ଧା ପକାଇ...।

 

...ଆଉ ବଳିପଡ଼ି କହିଲେ, “ହଁ, ବନ୍ଧା ପକାଇ ଟଙ୍କା ଆଣି ସିନେମା ଘର ତୋଳିବା ପାଇଁ ମୋ ଭାଗ ବାବତରେ ବିକ୍ରମକୁ ଦେଇଛି । ତେବେ ବି ଭରଣା କରିପାରିନାହିଁ । ଆହୁରି ଅନେକ ଟଙ୍କା ଲୋଡ଼ା । ଶିମୁଳି ତଳ ଜମିତକ ବନ୍ଧା ଦେଲେ ବାକି ଟଙ୍କା ଭରଣା କରିବି । ତୋର ହାରଟି ମୁକାଳି ତେତେ ଫେରାଇ ଦେବି । ଆଉ ସବୁ ଜମି ପରେ ମୁକୁଳା ହେବ ।

 

...ସେ ମନ କରିଥିଲେ ମତେ ଜାବୁଡ଼ାଏ ଥୋଇ ପିଠିରେ ପୁଞ୍ଜାଏ ବିଧାମାରି ସହଜରେ ସେହି ହାରଟି ନେଇପାରିଥାନ୍ତେ । କିନ୍ତୁ, ସେତକ ସେ କରିବା ଆଗରୁ ମୁଁ ନିର୍ଭୟରେ ପୁଣି କହିଲି, “ମୋର ବାହାଘରବେଳେ, ଖଣ୍ଡମଣ୍ଡଳ ଯେଉଁ ରାଉତରାୟ ବଂଶ ରାଜା ଥିଲେ, ସେହି ବଂଶର ରାଜକନ୍ୟା ଜେମାଦେଈ ଏହି ହାରଟି ମୋତେ ପିନ୍ଧାଇ ଦେଇଥିଲେ । ୟାକୁ ଯଦି ମୋ ବେକରୁ ନେବ ତ ନିଅ । ମୁଁ ବି ତୁମେ ଫେରିଲାବେଳକୁ ନ ଥିବି।’’

 

.....ପଚାରିଲେ, “କୁଆଡ଼େ ଯିବୁ ବେ ?’’

 

...ମୁଁ ସେମିତି ଜୋରରେ କହିଲି, “ସେଇଠିକୁ ଯିବି, ଯେଉଁଠିକୁ ଶୋଭନର ବୋଉ ମାଧୁରୀ ଯାଇଛନ୍ତି ।’’

 

...ପଚାରିଲେ, ‘ବିଷ ଖାଇ ମରିବୁ ?’

 

...ଜବାବ ଦେଲି, “ମୁଁ ଯାହା କରିବି, ନ କରିବି ଆଗରୁ ସ୍ଥିର କରିସାରିଛି । କେହି ବାଧା ଦେବାର ସୁବିଧା ସୁଯୋଗ ପାଇବେ ନାହିଁ । ବଳେ ସମସ୍ତେ ଜାଣିବେ ।’’

 

...ସେ ଡରିଗଲେ ପରା । ମାଧୁରୀଙ୍କର ଅସ୍ୱାଭାବିକ ମରଣର ଖବର ପାଇ ପୁଲିସ୍‍, ପରେ କଚେରୀ ସେମାନଙ୍କୁ ଯେତେ ହଲ୍ଲପଟା କରିଥିଲେ ଶୋଭାର ମୁହଁରୁ ମୁଁ ଶୁଣିଥିଲି ।

 

...ଶୋଭା କେତେଥର କଚେରୀରୁ ଡାକରା ପାଇ ଯାଇଥିଲା । ଏଣେ ଗାଁମାନଙ୍କରେ ପ୍ରଚାରିତ ହେଇଥିଲା ଯେ, ଗରିବ ଘରର ଝିଅଟା ଯୌତୁକ ଆଣି ନ ଥିଲା ବୋଲି ତାକୁ ବିଷ ଦେଇ ମାରିଦେଲେ ।

 

...ଜୟୀ ନାୟକଙ୍କ ବୁଦ୍ଧିରେ ସବୁ ଗୁଜବ, ସବୁ ଧରପଗଡ଼ର ମସୁଧା ଆପେ ବନ୍ଦ ହେଲା-। ସୁଅମୁହଁରେ ଧନ ଖରଚ ହୋଇଥିଲା ।

 

...ଏ ସବୁ ତାଙ୍କର ମନେପଡ଼ିଥିବ । ମଦପାଣି ପିଇ ନ ଥିଲେ ପରା । ଅଧିକ କଟାଳ କଲେ ନାହିଁ । ମୋ ଅଣ୍ଟାର କଙ୍କାଳ ଉପରେ ମୁଥ ମାରିଲେ । ପଲଙ୍କର ପଛପଟେ ବୁଲି ସେ କୋଠରିର ପଶ୍ଚିମ ପାଖର କବାଟ ଖୋଲିଲେ । ପଦାକୁ ବାହାରିଗଲେ । କିଛି ସମୟ ପରେ ମଟର ସାଇକେଲ ଚାଳନାର ଶବ୍ଦ ହେଲା ।

 

...ଏ ନୂଆ ପ୍ରକାରର ବାହନ କେବେ ସପନରେ ମୁଁ ଦେଖି ନ ଥିଲି । ନାଁ ବି ଜାଣି ନ ଥିଲି-। ଏଇ ନିଉଁଛୁଣା ଗାଁକୁ ଆସି ଦେଖିଲି ।

 

...ସହରତଳି ଗାଁ । ଏଠାକା ଲୋକଙ୍କୁ ଏହା ଅପୂର୍ବ ନୁହେଁ । ଏ ଯାନରେ ଅଳ୍ପବେଳରେ କାହିଁ କୁଆଡ଼େ ପରିଭ୍ରମଣ କରି ବାହୁଡ଼ି ହେବ । ଭାବିଲି, ଯଦି ଫେରିଆସିବାକୁ ମନ କରିବେ, ରାତି ଯେତେବେଶୀ ହେଲେବି ଫେରିବେ । ନ ଫେରିଲେ ନାହିଁ ।

 

...ଏମିତି ସମୟ କଟେ ।

 

...ଡରିହରି ମୁଁ ଚେଇଁ ରହିବାକୁ ଚେଷ୍ଟାକରେ । ଶୋଭନକୁ ଶୁଆଉଣୁ ମତେ ବି ନିଦ ଘୋଟେ । ଚାଉଁଚାଉଁଆ ନିଦ । ଯଦି ଗୋଟାଏ ଦୁଇଟା ଡାକ, କବାଟବାଡ଼ିଆରେ କୋଠରିର କବାଟ ନ ଖୋଲିଲି, ସେ ନିଶ୍ଚୟ ତାଙ୍କୁ ମଦ ନିଶାର କରାମତି ଦେଖାଇବେ । ମୋ ପିଠିରେ, ଦେହରେ ଓ ମୁହଁରେ ।

 

.....’ପତି-ପରମଗୁରୁ’ଙ୍କୁ ମୋ ଦେହର କରାମତି କ’ଣ ମୁଁ ଦେଖାଇ ପାରନ୍ତି ନାହିଁ ? ମୂଲିଆ ଚାଷୀର ଛେଚାପିଟା ଝିଅଟି ମୁଁ’, ଛୁଆଟି ଦିନରୁ ଘରକାମ, ମୂଲକାମ, ବିଲକାମ ମତେ ତୁ କରେଇଥିଲୁ । ଅନାବନା, ସଜନା, କଳମ୍ୱ, ହିଡ଼ିମିଚି ଶାଗ ଆମକୁ ଖୋଇଥିଲୁ । କୋଳଥ ପଇତି, ମାଣ୍ଡିଆଜାଉ, ନାଲିଆ ବଗଡ଼ା ଉଷୁନା ଚାଉଳର ଭାତ ଖୋଇ ଦେହରେ ବଳ ଖୁନ୍ଦିଥିଲୁ ।

 

....ସିଠିମିଠି ଚଖା, ସରଲବଣି ଖିଆ ଖାଲି ବାତଫୁରୁଷିଆ, ସୋଲର ପିତୁଳା ମୁଁ ନୁହେଁ । ମଦୁଆ ଗେରସ୍ତର ମାଡ଼ର ଠିକଣା ଜବାବ ମୁଁ ଦେଇପାରନ୍ତି ।

 

...ଏପରି ବିଚାର ମନରେ ଯେ ନ ପଶିଛି ଏହା ନୁହେଁ । ପରିଣତି ଯାହାହେବ ସେ ପରର କଥା । କିନ୍ତୁ, ବୋଉ, ଯେତେଥର ମୋ ମନରେ ପ୍ରତ୍ୟାଘାତର ପ୍ରେରଣା ହଠାତ୍ ଆସିଛି, କିଏ ମୋର ହାତଧରି ଅଟକାଇ ରଖିଛି ? କାହାର ସାନ୍ତ୍ୱନାର ବାଣୀ ମୋ କାନରେ ବାଜିଛି, ଜାଣୁ ?

 

...ଜେମାଦେଈ ମୋ ମନରେ କହନ୍ତି, “ରହ ମା’, ସହିଯା’ । ଦିନେ ସେ ନିଶ୍ଚୟ ଭଲ ବାଟକୁ ଆସିବ । ନିଜର ପ୍ରମାଦ ସେ ଅବଶ୍ୟ ବୁଝିବ । ସ୍ୱାମୀ ପରା ଇହଜନ୍ମ ଓ ପରଜନ୍ମର ଗତିମୁକ୍ତିର କାରଣ । ଏତେ ପଢ଼ିଲୁ, ଏତେ ବୁଝିଲୁ, ଲେଖିଲୁ, ଶିଖିଲୁ, କେମିତି ଭୁଲିଯାଉଛୁ ?

 

...ରକ୍ତମାଂସର ମଣିଷଦେହ । କେମିତି କହିବି, କେତେଦିନ ଯାଏ ଦୁଃଖ ନିର୍ଯାତନା ମୁଣ୍ଡ ନୋଇଁ, ପାଟି ବନ୍ଦକରି, ମନର ଜୋରରେ ହାତ ବାନ୍ଧି, ଦେହ ପଥର କରି ସହିବି ? କେଉଁ ଭବିଷ୍ୟର ସୁଖ ଆଶାରେ କଲବଲିଆ ଅଶାନ୍ତ ଜୀବନ ଧରି ବଞ୍ଚି ରହିବି ?

 

...ସେହି ରାତିରେ ।

 

....ବେଶି ଡେରିରେ ସେ ମଦ ଖାଇ, ନିଶାରେ ନିଜଭୁଲା ହୋଇ ଫେରିଥିଲେ । ଭାଗ୍ୟ ଭଲ, କେଉଁଠି ଧକ୍‌କା ଲଗାଇ ଖଣ୍ଡିଆ ଖାବର ନ ହୋଇ ଭଲରେ ଫେରିଛନ୍ତି ।

 

...ଶୋଭା, ଏ ପାଖ କବାଟରେ ହାତ ବାଡ଼େଇ ପାଟିକରି ଡାକିଲେ । ମୋ ହାଲିଆ ନିଦ ଓ ଛାତିଧଡ଼କା ଭୟଙ୍କର ସପନ ଭାଙ୍ଗିଲା । ମୋ’ର ଛାତି ଥରୁଥିଲା । ତୋ ଜୋଇଁଙ୍କ ନାମରେ ଅଶୁଭ ସପନଟାଏ ଦେଖୁଥିଲି ।

 

...ଟଳଟଳ ହୋଇ ଉଠିଲି । କବାଟ ଖୋଲିଲି ।

...ଶୋଭା କହିଲା, ‘ବାବୁ ତାଙ୍କ ଗାଡ଼ିକୁ ପଦାରେ ରଖି ଭିତରକୁ ଆସିଛନ୍ତି ।’

 

‘ଏ ଘରର ପଶ୍ଚିମ ପାଖର କବାଟକୁ ଆଉଜି ବିଡ୍ ବିଡ୍ ହେଉଛନ୍ତି । ନିଶା ଘାରିଗଲାଣି । କେମିତି ସେ କେଉଁଠି ସର୍ବଶୁଭରେ ଫେରିପାରିଚନ୍ତି କେଜାଣି ? ଠାକୁରେ ସାହା ।’

 

‘ମୁଁ ଭାବୁଛି, ତମର ଭକତି ପାଇଁ ତମ ଉପରେ ଦୟାକରି ମା’ ମଙ୍ଗଳା ଠାକୁରଣୀ ତାଙ୍କୁ ଭଲରେ ଫେରାଇ ଆଣିଛନ୍ତି । ମାଆଙ୍କୁ ମୁଁ ତମର ହୋଇ ଗୋଟିଏ କାଳିଆବୋଦା ଯାଚିଛି ।’

 

...ଶୋଭାକୁ ମୁଁ କହିଲି, “ଭଲ କଲୁ । ବୋଉଙ୍କୁ ମୁଁ କହିଲେ ସେ ଗୋଟାଏ କାହିଁକି, ଦୁଇଟା ବୋଦା ବଳି ପକାଇବାକୁ ଅଣାଇ ଦେବେ । ତେ। ଅଣ୍ଟାରେ ଖୋସା କରାଟରେ ହେଲେ କ’ଣ ଧନ ରଖିଥିବୁ । ମୋ ଭଙ୍ଗା ବାକ୍‌ସରେ କାଣୀ-କଉଡ଼ି ବି ନ ଥିବ । କ’ଣ ହେବ ? ଖାଇବା ପିନ୍ଧିବାରେ ମୋର ତ ଅଭାବ ନାହିଁ ।’’

 

...ଶୋଭାକୁ ଏକଥା କହିଲାବେଳକୁ ମୋ ଛାତି କରତି ହେଉଥାଏ । ବାକ୍‌ସ ତାଲା ଭାଙ୍ଗି ତୋ ଜୋଇଁ କେବେ ପଇସା କଉଡ଼ି ଯାହା ରଖିଥିଲି, ସବୁ ନେଇଯାଇଥିଲେ ।

 

...ଏବେବି କେବେକେବେ ତାଙ୍କର ମନେପଡ଼ିଲେ, ମୁଣ୍ଡକୁ ପିତ୍ତ ଚଢ଼ିଲେ, ଭଙ୍ଗାବାକ୍ସସ ଅଣ୍ଡାଳନ୍ତି । ପୁରୁଣା ଶାଢ଼ି, ବ୍ଲାଉଜ ଇତ୍ୟାଦି ଘାଣ୍ଟି ତଳେ ଫିଙ୍ଗନ୍ତି । କିଛି ନ ପାଇ, ବାକ୍‌ସକୁ ନାତେ ଓ ମତେ କହୁଣିଏ ଦେଇ ତମ୍‍ତମ୍‍ ହୋଇ ଘରୁ ବାହାରିଯାନ୍ତି ।

 

...ହଁ, ଶୁଣ୍ ବୋଉ, ସେଇ ଅଧରାତିର କଥା । ଶୋଭାକୁ କହିଲି, ଏଇ ଲମ୍ୱାଘରର ପଶ୍ଚିମ ପାଖର କାନ୍ଥ କଡ଼ରେ ଷ୍ଟୁଲ୍ ଉପରେ ଗୋଟିଏ ନଲଟଣ ମିଞ୍ଜି ମିଞ୍ଜି କରି ଜଳାଇ ଦେଇଛି । ତାକୁ ତେଜିଦେଇ ଆଗ କବାଟ ଖୋଲି ଦେବ । ସେ ଘର ଭିତରେ ପଶିଲେ ତୋର ପାଇଟି ସରିବ-

 

‘ତତେ ସେ କିଛି କହିବେ ନାହିଁ । ତୁ ଅଗଣାକୁ ବାହାରିଯିବୁ । କବାଟ ଦି’ଫାଳ ଆଉଜାଇ ଦେବୁ ।’

 

‘ସେତିକି ତୋ’ର କାମ । ଦେଖ୍‌ ପିଲାଟି କେମିତି ଶୋଇ ଶୋଇ କାନ୍ଦୁଛି । ଓଠ ଫଟାଉଛି, କଇଁ ଉଠିଛି ।’

 

....ଶୋଭା ପଚାରିଲା, ‘ମାଧୁରୀ ଦେବୀ ତାକୁ ସପନଉଥିବେ ।’

 

...କହିଲି, ‘ସେତିକି ସେ କରିବେ ନାହିଁ । ଶୋଭନ କ୍ଷୀର ଶୋଷିବାକୁ ଚାହୁଁଛି । ଭୋକ ନୁହେଁ, ଚୁଚୁମା ଅଭ୍ୟାସ । ମୁଁ ଯାହା କହୁଛି ସେଇଆ କର, ଯା’ । ଶୋଇଲା ପିଲାକୁ ଶୁଆଇ ମୁଁ ପରେ ପରେ ଯାଉଛି ।’

 

...ସେଇଆ କଲାବେଳକୁ ରାତି ବେଶ୍ ଡେରି ହୋଇଯାଇଥିଲା । ପୂର୍ବ ପାଖର କବାଟ ବନ୍ଦ କରି ମୁଁ କୋଠରିର ପଶ୍ଚିମ ପାଖକୁ ଗଲି । ଆରାମ୍ ଚଉକି ଉପରେ ଯେଉଁ ଅବସ୍ଥାରେ ତୋ ଜୋଇଁ ବସିଥିଲେ, ମୁଁ ଦେଖି ମର୍ମାହତ ହେଲି ।

 

...ଏଇ ଚିଠିରେ ଟିକିଏ ଆଗରୁ ମୁଁ ଲେଖିଛି, ବୋଉ ।

 

...ତାଙ୍କ ହାତରୁ ହୁଗୁଳି ଖସିପଡ଼ିଥିବା ଛୋଟ ଘଣ୍ଟାଟି ତାଙ୍କ ପକେଟରେ ଗଳାଇ ଦେଇଥିଲି । ପୁଣି ପୁଅପାଖକୁ ଫେରି ଆସୁଥିଲି ।

 

...କ’ଣ ଆଉ କରିଥାନ୍ତି ? ମଦନିଶାରେ ମତିହରା ଲୋକକୁ ଉଠାଇବାକୁ, ପୋଷାକ ବଦଳାଇ ତାଙ୍କୁ ପଲଙ୍କକୁ ଆଣିବାକୁ ମୋର ସାହସ ହେଲା ନାହିଁ । ପାଟିତୁଣ୍ଡ କରିବେ । ଫୋପଡ଼ା କଚଡ଼ା କରିବେ । କବାଟ ଖୋଲି ପୁଣି ପଦାକୁ ପଳାଇ ପାରନ୍ତି । କିପରି ମୁଁ ସମ୍ଭାଳି ପାରନ୍ତି ?

 

...ଆଲୁଅଟିକୁ ଟିକିଏ ତେଜିଦେଲି । ସେ ମୁହଁ ଫେରାଇ ମତେ ଚାହିଁଲେ । କ’ଣ ଗୁଡ଼ାଏ କହି ଅଭଦ୍ର ଭାଷାରେ କାହାକୁ ଗାଳି ଦେଉଣୁ ଆରାମଚଉକିରୁ ଉଠିବାକୁ ଚେଷ୍ଟା କଲେ ।

 

...ତାଙ୍କୁ ସାହାଯ୍ୟ କରିବାକୁ ମୁଁ ତାଙ୍କ ପଛରେ ଠିଆ ହୋଇ ତାଙ୍କର ଦୁଇ କାନ୍ଧରେ ଭରା ଦେଲି । ଟଳମଳ ହୋଇ ଉଠିଲେ, କିନ୍ତୁ ନିଜକୁ ସମ୍ଭାଳ ନ ପାରି ମୋ ଆଡ଼କୁ ମୁହଁ ବୁଲାଇଲେ । ପୁଣି ଟଳମଳ ହୋଇ ସେହି ଆରାମ ଚଉକିରେ ବସିପଡ଼ିଲେ ।

 

...କହାକୁ ସବୁ ଅଭଦ୍ର ଭାଷାରେ ଗାଳି ଦେଉଥିଲେ । କେଉଁ ଶଳାମାନଙ୍କୁ ଓ ଶାଳୀମାନଙ୍କୁ ଖୁଣ୍‌ କରିବେ ବୋଲି ଧମକ ଦେଉଥିଲେ । ଉହୁକି ଉଠୁଥିଲେ ।

 

...ଏପରି ଉନ୍ମତ୍ତ ଅବସ୍ଥାରେ କିପରି ସେ ନିଜେ ତାଙ୍କର ମଟର ସାଇକେଲ ଚଳାଇ ଆସିପାରିଲେ, ଅବା ଅନ୍ୟ କିଏ ତାଙ୍କୁ ତାଙ୍କ ସ୍କୁଟରରେ ଆଣି ଛାଡ଼ି ନିଜେ କାହିଁ ଚାଲିଗଲା, ମୁଁ କିପରି ଜାଣନ୍ତି ? କେଜାଣି, ସାଙ୍ଗରେ ସେ ମଦ ବୋତଲ ଆଣିଥିଲେ । ଏଠିକି ଆସିଲା ପରେ ପିଇଛନ୍ତି ?

 

...କେବେ କେବେ ଏପରି ସେ କରନ୍ତି । ଲୁଚେଇ ଲୁଚେଇ ତାଙ୍କର ଟିଣ-ଆଲମାରିରେ ରଖିଥାଆନ୍ତି । ଚାବିଟା ତାଙ୍କ ପାଖରେ ଥାଏ । ଶଶୁରେ ସେପୁରକୁ ଗଲା ପରଠାରୁ ତାଙ୍କର ସାହସ ବଢ଼ିଥିଲା । ଆଉ କାହାକୁ ଡର ?

 

...ଶାଶୁଙ୍କୁ ଡର ନ ଥିଲା । ତାଙ୍କ ପାଟିତୁଣ୍ଡର ଶାସନ, କନ୍ଦାକଟା, ଉପାସ ଭୋକ ପ୍ରତି କାଣିଚାରୁ ଏ ମୋହବତ ଥିଲା । ସେ ଅଚଳ ହେଲା ପରଠାରୁ ସେତକ ବି ଗଲା ।

 

...ମୁଲିଆ ଘରର ଝିଅ, ପୁଣି ସାବତ ମା’ ରାହିବାଳୀର ଛାଞ୍ଚୁଣିମାଡ଼, ଗୋଇଠା-ପାହାର ଖାଇ ସର୍ବସହଣୀ ହୋଇ ଏ ଘରର ବୋହୁ ହୋଇ ଆସିଥିଲେ ଲକ୍ଷ୍ମୀପ୍ରତିମା ମାଧୁରୀ । କେଉଁ ମଣିଷରେ ସେ ଗଣା ଯେ ତାଙ୍କର ବିନତି ଅନୁରୋଧ, ଆଖିଲୁହ, ପାଦଧରାକୁ ସେ ଖାତିର କରିଥାନ୍ତେ ?

 

...ମୋ କଥା ତତେ କ’ଣ ଲେଖିବି ? ମୁଁ ଛାର କେଉଁ ମଣିଷର ତୋ ଜୋଇଙ୍କ କଳନାରେ ଗଣା ? ତାଙ୍କ ଆଖିରେ ଛାରପୋକଠାରୁ ହୀନ । ଦି’ ପିଠି ଲଗାଇ ତ ବାହାଘର ହୋଇଥିଲା ।

 

...ମୋ ନାମରେ ଖାଲି ଆମ ଗାଆଁରେ ନୁହେଁ ଲୋ ବୋଉ, ଆଉ ପାଞ୍ଚଖଣ୍ଡି ଗ୍ରାମରେ କୁଆଡ଼େ ଡିବି ଡିବି ଡମ୍ବରୁ ବାଜୁଥିଲା । ମୁଁ କୁଆଡ଼େ ଗୋଡ଼ଖସା ଝିଅ । ସେ ମତେ ଅଥଳ ଜଳରୁ ଉଦ୍ଧାରି କୂଳରେ ଥାପିଛନ୍ତି । ନୋହିଲେ, ଉବୁଟୁବୁ ହୋଇ ବୁଡ଼ି ପଙ୍କରେ ଲାଖିଥାନ୍ତି । ମରିଥାନ୍ତି । ଟରଣୀ ଜୟୀ ନାୟକଙ୍କର କରୁଣା ପରା ।
 

...ସେ କେଡ଼େ ଅବିବେକୀ, କେଡ଼େ ଅଲାଜୁକ, ତୁ ବିଚାର କର । ମଦ ଖାଉଣୁ ୟାଙ୍କର ଦାଣ୍ଡଘର ତୋ ନିର୍ବୋଧ ଜୋଇଁ ଆଉ ତାଙ୍କର ସାଙ୍ଗ ଦିହେଁ ରାଜବଂଶୀ ପୁଅ ଓ ସାଧବଅଂଶୀ ପୁଅ, ତିନିହେଁ ଖୁସିଗପ କରନ୍ତି । ସେଇଠି ତୋ ଜୋଇଁ ବାହାଦୂରୀ କରି ଏଇସବୁ ଗପନ୍ତି ।

 

ଶୋଭା ଶୁଣିଛି । ମୁଁ ଶୁଣିଥିଲି ଶାଶୁଙ୍କ କାନରେ ପଡ଼ିଲାରୁ ସେ ତାଙ୍କ ପୁଅଙ୍କୁ ଗେହ୍ଲେଇ କେତେ କ’ଣ ବୁଝାଇଲେ ।

 

...କହିଲେ, ‘ନହୁଲୀ କେବେ ସିନା କହାର ଝିଅ ଥିଲା । ସେ ଏବେ ତୋର ଭାରିଜା, ଏ ଘରର ବୋହୁ । ତୋର ଘରଣୀ ହେଲା ପରେ ଯଦି ତା’ ନାମରେ ତ ଦୁର୍ନାମ ରଟାଇବୁ ସେ ଲାଜ ତତେ, ଆଉ ଏ କୁଳର ସମସ୍ତଙ୍କୁ ସାତପୁରଷଯାଏ ରହିବ ।’

 

...ଶାଶୁଙ୍କର ଉପଦେଶ ତାଙ୍କ ମନ ଘେନିଥିଲା । ସେହିଦିନରୁ ତରକିଲେ । ନିଜ ଘରଣୀର ନାମରେ ଶୁଣିଲା ଦୁର୍ନାମ ସିନା ରଟାଇଲେ ନାହିଁ, ସେହି ଉପଲକ୍ଷ୍ୟରେ ମତେ ଅତି ହେୟ ମଣିଲେ, ଉଲୁଗୁଣା ଦେଇ ପ୍ରହାର କରିବା ତାଙ୍କର ଖୋଇରେ ପରିଣତ ହୋଇଥିଲା ।

 

...ମୋର ଏଠି ସାହାଭରସା କିଏ ଅଛି ଯେ ତା’ ପାଖରେ ଗୁହାରି କରିବି, ସେ ଆସି ମୋ ପିଠିରେ ପଡ଼ିବ...ସାହାହେବ ?

 

...ରହିବାକୁ ହେଲେ ସହିବାକୁ ତ ପଡ଼ିବ ।

 

...ଯେଉଁଠି ଜନମିଥିଲି, ସୁଖଦୁଃଖରେ ବଢ଼ିଥିଲି, ତେଣିକି ଆଖି ବଢ଼ାଇବି କାହିକି ? ଯାହାର ବାପ ନାହିଁ ତା’ର କେହି ନାହିଁ । ତୁ ଅଛୁ ମୋର ବୋଉ ଜାଣେ, ତୁ ହନ୍ତସନ୍ତ ହେବୁ, କାନ୍ଦିବୁ, ମୁଣ୍ଡ ବାଡ଼େଇବୁ । ତୋର ଦୁଃଖ ବଢ଼ିବ । ମୋର ଦୁଃଖ ଊଣା ହେବ ନାହିଁ । ଅଲେଖଟି ପିଲା । ସେ କ’ଣ କରିବ ?

 

...କେଡ଼େ ଖୁସିରେ ଆସିଥିଲା । ତା’ର ଅସୁବିଧା କରାଇ ଦେଇନାହିଁ । ମୋ ଶାଶୁ ତାକୁ ପୁଅଠାରୁ ବଳି ସ୍ନେହ କରୁଥିଲେ । ଅଚଳ ହେଲେବି ଶାଶୁ ତା’ ପାଖରେ ବସି ଖୁଆଉଥିଲେ । ଶୋଭା ତାକୁ ନିଜ ଭାଇ ପରି ମଣିଥିଲା । ଯତ୍ନ ନେଉଥିଲା । ଶୋଭନ ତାକୁ ଦିନଟିଏ ଅଚିହ୍ନା ବାରିଥିଲା । ତା’ ପରେ ମାମୁଁ ମାମୁଁ ଡାକି ତା’ ସାଙ୍ଗ ଛାଡ଼ିଲା ନାହିଁ ।

 

...ତୋ ଜୋଇଁ, ଅଲେଖ ଥିବା ଯାଏ, ଅଧିକାଂଶ ସମୟ ପଦାରେ ରହୁଥିଲେ । ସବୁବେଳେ କାର୍ଯ୍ୟବ୍ୟସ୍ତ ବୋଲି ଦେଖାଇ ହେଉଥିଲେ । ସେଇ କେତେଦିନ ସେ ଦାଣ୍ଡ ଘରେ ରହୁଥିଲେ । କେତେବେଳେ ପଦାକୁ ଯାଉଥିଲେ, କେତେବେଳେ ଫେରୁଥିଲେ, ତା’ର କେଉଁ ଠିକଣା ? ଘରେ ଉତ୍‌ପାତ ଭିଆଣ କରୁ ନ ଥିଲେ ।

 

...ଆନନ୍ଦରେ, ଶାନ୍ତିରେ ଦିନ କେତୋଟି କେତୋଟି ମୁହୂର୍ତ୍ତ ପରି ମୋର କଟିଯାଇଥିଲା ।

 

...ଆଉ କିଛିଦିନ ତାକୁ ପାଖରେ ଅଟକାଇ ରଖିବାକୁ ପ୍ରବଳ ଆଗ୍ରହ ହେଉଥିଲା । କିନ୍ତୁ, ତାକୁ ପାଖରୁ ଛାଡ଼ି ତୁ କେଡ଼େ ହଇରାଣ, କେଡ଼େ ଦକଦକ ହେଉଥିବୁ ମୁଁ ଅନୁମାନ କଲି । ସେ ବି ଫେରିଯିବାକୁ ଅସ୍ଥିର ହେଲା । ମୁଁ ବଳାଇଲି ନାହିଁ ।

 

...ମୋ ଅନ୍ତର କାନ୍ଦୁଥିଲା, କିନ୍ତୁ ତା’ ମନରେ କୌଣସି ଆଘାତ ନ ଦେବାକୁ ମୁଁ ହସି ହସି ତାକୁ ବିଦା କଲି । ତାକୁ ଦେବାପାଇଁ ସେତିକି ଛାଡ଼ି ମୋର ଆଉ କିଛି ସମ୍ବଳ ନ ଥିଲା । ଶୋଭନଟି ତା’ର ମାମୁଁଙ୍କ ସଙ୍ଗେ ଯିବ ବୋଲି ରଡ଼ି ଛାଡ଼ିଥିଲା ।

 

...କାହିଁକି, ଜାଣୁ ? ଅଲେଖ ପାଖରୁ ଯେତିକି ସ୍ନେହ ଆଦର ସେ ପାଇଛି ତା’ର କାଣିଚାଏ ସେ ତା’ ବାପଠାରୁ ପାଇ ନାହିଁ । ଅଲେଖ ତା’ କଥା ନିଶ୍ଚେ ତୋ’ ଆଗରେ ଗପିଥିବ ।

 

...ସେ ଅବିକଳ ତା ଜନ୍ମଦାତ୍ରୀ ମାଧୁରୀଙ୍କ ପରି ସୁନ୍ଦର । ମାଧୁରୀଙ୍କର ବଡ଼କରା ଫଟୋଟିକୁ ଦେଖିଥିଲେ ସେ ବଳେ ଜାଣିଥାନ୍ତା ।

 

...କିନ୍ତୁ, କାହିଁ ସେ ଫଟୋ, ଯେଉଁଟି ଆମର ଶୋଇବାଘରର କାନ୍ଥ ମଝିରେ ଟଙ୍ଗା ହୋଇଥିଲା । ସେଇଟି ଥିଲା ଶୋଭନର ମା’-ଠାକୁରାଣୀ । ମୋର ସଉତୁଣୀ ନୁହେଁ ଲୋ ବୋଉ, ମୋର ବଞ୍ଚି ରହିବାର ପ୍ରେରଣାଦାୟିନୀ, ଭଉଣୀ ।

 

....ଠାକୁରାଣୀ ମଣି ତାଙ୍କର ଆସ୍ଥାନ ସେହି ଫଟୋଟି ତଳେ ମୁଣ୍ଡରେ ଲଗାଇଲେ ସ୍ୱାମୀଙ୍କ ଅତ୍ୟାଚାରର କଷଣ ଧୈର୍ଯ୍ୟ ଧରି ଦେହରେ ଓ ମନରେ ଭେଦାଇ ସହିବାକୁ ମୁଁ ସମର୍ଥ ହୁଏ ।

 

...ସେହି ଫଟୋଟି ଆଉ ନାହିଁ । ତାଙ୍କର ବାହାଘର ପରେ, ଶଶୁରେ ଜୀବିତ ଥିଲେ ତ, ପୁଅବୋହୁଙ୍କର କେତେ ଫଟୋ ଏକାଠି ଓ ଜଣଜଣକିଆ ଉଠାଯାଇଥିଲା । ଯେଉଁ ହସ ଫଟୋଟି ବଡ଼ କରାଯାଇଥିଲା, ବଡ଼ ସହରର କେଉଁ ବିଖ୍ୟାତ କଳାକାର ତହିଁରେ ରଙ୍ଗ ଦେଇଥିଲେ ।

 

...ପିନ୍ଧିଥିଲେ ଶାଢ଼ି ବ୍ଳାଉଜ । ମଥାର ମଝିରୁ ଅଣ୍ଟାଯାଏ ନାଇଥିଲେ ସୁନାରୁପାର ଗହଣା-

 

...ସୁନ୍ଥାର ସିନ୍ଦୁର ତଳେ, ସୀମନ୍ତକ ମଣି । ତା’ ତଳେ କପାଳ ମଝିରେ ଟିପ ଆକାରର ସିନ୍ଦୂର ଠୋପା । କାନରେ ମୋତିଝରାଲଗା ଚେନ୍‌ ଘେରା ଝୁମୁକା । ନାକରେ ନୋଥ, ବସଣି । ବେକରେ ଆଖିଝଲସା ଚନ୍ଦ୍ରହାର ।

 

...ସେଇସବୁ ଗହଣା, ଆହୁରି କେତେ କ’ଣ ସବୁ ତୁ ଦେଖିଛୁ ଲୋ ବୋଉ । ଆମ ରାଉତପାଟଣାର ଗ୍ରାମଲୋକେ ବି ଦେଖିଥିବେ । ମତେ ବୋହୁ କରି ଆଣିଲାବେଳେ ଜୟୀଦାଦି ଓ ଏ ଗ୍ରାମର ବିନନ୍ଦ ପ୍ରଧାନେ, ଯିଏ ମୋ ଶଶୁରଙ୍କର କେଉଁ ଲେଖାରେ ମଉସା କି ପିଉସା ହେବେ, ଯିଏ ଏ ତରଫର କର୍ତ୍ତା ହୋଇ ଯାଇଥିଲେ, ତାଙ୍କରି ମାର୍‌ଫତରେ ଶାଶୁ ମତେ ଆମ ଘରେ ପିନ୍ଧାଇ ଆଣିବାକୁ ପଠାଇଥିଲେ ।

 

...ଜାଣି ତ ଗାଁ ଲୋକେ, ପୁଣି ଜେମାଦେଈ ଖୁସି ହୋଇଥିଲେ । ସେ ମୋ ପିଠି ଆଉଁସୁଣୁ କହିଥିଲେ, ‘ନଉଲୀଟି ରାଜା ଘର ବୋହୁ ହୋଇ ଯାଉଛି । ଏଇ ଗାଁର ନିନ୍ଦୁକ ଝରସରିଆଙ୍କର ଆଖି ଜଳକା ହେଉ । ଦେବପୁତ୍ର ପରି ଜୋଇଁପିଲାକୁ ଦେଖି ସେମାନେ ତାଟଙ୍ଗା ହେଉନ୍ତୁ ।

 

...ଗଲାକଥା ତୁ ଭୁଲିଯା ଲୋ ବୋଉ । ମୁଁ ଭୁଲିପାରିବି ନାହିଁ । ବଞ୍ଚିଥିବା ଯାଏ ଅଖା ଧୋଉଥିବି ଗୁଣ ଗାଉଥିବି ।

 

...ସେହିସବୁ ଗହଣାଗଣ୍ଠି ମୋର ହୋଇ ରହିନାହିଁ । ମୋତେ ଧମକାଇ ମାଡ଼ ମାରି ତୋ ମଦୁଆ ଜୋଇଁ ଯେମିତି ମୋଠାରୁ ଟାଣିନେବାକୁ ଆରମ୍ଭ କଲେ, ମୁଁ ମୋ ପ୍ରାଣରକ୍ଷା ପାଇଁ ସବୁ ଉତାରି ଅଚଳ ଶାଶୁଙ୍କ ଜିମା କରିଦେଲି ।

 

...ମୋ ଶାଶୁ ନାଗୁଣୀ ପରି ଦିନେ କ୍ରୋଧୀ ଥିଲେ । ଶଶୁରେ ତାଙ୍କ ପାଖରେ କରପତ୍ର ଯୋଡ଼ି ରହୁଥିଲେ । ପୁଅ କିବା ଛାର । ଗେଲବସର ରଙ୍କୁଣୀର ନିଧି ହେଲେ କି ହେଲା, ଶାଶୁ ରଡ଼ିଟାଏ ଦେଲେ ଯୁଆନ୍ ପୁଅଟା ବରଡ଼ାପତ୍ର ପରି ଥରୁଥିଲା ।

 

...ଏ ଘରେ ପାଦଦେଲା ଦିନରୁ ଏବେ ଯାଏ ଶାଶୁଙ୍କର ଦିନେହେଲେ କେବେ କ୍ରୋଧିଲା ଢଙ୍ଗ ମୁଁ ଦେଖିନାହିଁ ।

 

...ଶଶୁରଙ୍କର କଲବଲ ମରଣ ତାଙ୍କର ବିଷଦାନ୍ତ ଭାଙ୍ଗି ଦେଇଥିଲା । ପୁଅଙ୍କର ଜୋତାମିଶା ଗୋଇଠା ସାଙ୍ଗକୁ ବଳଦଙ୍କର ନାତ ଓ ଡାକ୍ତରଖାନାରେ ରହଣି ବେଳରେ ନିତି ଯମ-ଘୋଷରା ଦୃଶ୍ୟ ବା କି ଦାନ୍ତତଳ ସଙ୍ଗରେ ତାଙ୍କର କ୍ରୋଧିଲା ଢଙ୍ଗ ବି ଦୂର କରିଥିଲା ।

 

...ତେବେ ବି ତାଙ୍କର ଫଣା ଟେକି ଗାରଡ଼େଇ ଚାହିଁ ଫଁ ଫଁ ହୋଇ ଛାନିଆ କରାଇବା ପ୍ରକୃତି ରହିଥିଲା । କିନ୍ତୁ ତାଙ୍କ ମନର ଉଲ୍ଲାସଦାୟିନୀ ସେବିକା ବୋହୁ ମାଧୁରୀଙ୍କର ମରଣ ତାଙ୍କର ଫଣା ନୋଇଁଥିଲା ।

 

...ନୋଇଁଲା ଫଣାର ନିସ୍ତେଜ ଆଖିରେ ଦିଶୁଥିଲା ଖାଲି ଚାରି ମାସର ଟିକି ନାତିଟି...ଶୋଭନ ।

 

...ପୁଅର ମୁହଁକୁ ଚାହିଁବାକୁ ସେ ଘୃଣା କରୁଥିଲେ । ଦୁଃଖ କରି ନିଜକୁ ନିଜେ କହୁଥିଲେ, ‘ସିଏ ତାର ଉହା କରୁଛି କରୁ । ସବୁ ସମ୍ପତ୍ତି ଜୁର କରୁ । କୁହାର ବୋଲାର ତ ହେଲା ନାହିଁ । କୋଉ ଏବେ ସମ୍ପତ୍ତି ରହିବ ।’

 

‘କେବେ କେଉଁ ବ୍ୟକ୍ତି, କୁଟୁମ୍ବ, ବା ଗୋଷ୍ଠୀର ହାତରେ ଯୁଗ ଯୁଗ ଧରି ଧନ-ସମ୍ପତ୍ତି ଠୁଳ ହୋଇ ରହିବା ଦେଖାଯାଇନାହିଁ ।’

 

...ମୁଁ ଆସିଲ ପରେ ବି ତୋ ଜୋଇଁଙ୍କର ପ୍ରକୃତି ବଦଳି ନ ଥିଲା । ଦଶମାସର କୌତୁକିଆ ପିଲାଟି ମତେ ଧୀରେ ଧୀରେ ଆଦରି ଗଲା । ତିନିମାସ ପରେ ପିଲାଟିଏ ମୋ ପେଟରେ ରହିଲା । ମୋର ନୁଦୁବୁଦୁ ଅବସ୍ଥାରେ ବି ମୋ ପିଠିରେ ନାଉ ହେଉଥିଲା ।

 

...ଦୁଇମାସର ଟିକି ପିଲାଟି ବାହୁଡ଼ିଲା ପରେ, ଶୋଭନ ସେହି ତାର କୁନି ଖେଳଣାକୁ କେତେଦିନଯାଏ ଖୋଜିଥିଲା ।

 

...ତା’ର ନିର୍ଭୟ ବାପ ତାକୁ କେବେ ଆଗ୍ରହରେ କାଖକୁ ନେଇନାହାଁନ୍ତି । ବେଳ ନ ଥାଏ । ବଡ଼ ସହରରେ ସାଙ୍ଗଙ୍କ ସଙ୍ଗେ ଅବା କେଉଁ ଅର୍ଥଶୋଷା, ରକ୍ତପିଆ ଡାଆଣା ଡାଆଣୀମାନଙ୍କ ମେଳରେ, କେଉଁ ଅପକର୍ମରେ ସମୟ କଟେ ।

 

...କିଏ ଜାଣେ ? କେଜାଣି, ଜାଣୁଥିବେ କାଳେ କୁଚକ୍ରୀ ଟରଣୀ ଗଣକ ଜୟୀଦାଦି ।

 

...ସେ କେବେ କେବେ ଆସନ୍ତି । ଗୁପ୍ତରେ ତୋ ଜୋଇଁଙ୍କ ସଙ୍ଗେ କ’ଣସବୁ ଆଲୋଚନା କରନ୍ତି । ଦାଣ୍ଡଘରେ । ତାଙ୍କ ପାଇଁ ଖିଆପିଆର ଆୟୋଜନ କରାଯାଏ । ଝିଆରୀ ଲେଖାରେ ମୁଁ ତାଙ୍କୁ ବାଢ଼ିଦିଏ । ସେତିକିବେଳେ ଆମ ଗାଆଁର ସମସ୍ତଙ୍କର ଖବର ଅନ୍ତର ପଚାରେ ।

 

...ସେ ହସି ହସି ଅଳପ କଥାରେ ଜବାବ ଦିଅନ୍ତି, ‘ତୁ ଆସିଲାବେଳେ ଯେମିତି ସେମାନଙ୍କୁ ଦେଖିଥିଲୁ, ଏବେ ସେମିତି ଅଛନ୍ତି, ମା’ । ସଂସାରଟା ଏତେ ଜଲଦି ବଦଳେ ନାହିଁ ?’

 

...କେତେଥର ଭାବେ ତାଙ୍କ ହାତରେ ତୋ ପାଖକୁ ଖଣ୍ଡେ ଭାଷା ଦେବି । ଅପେକ୍ଷା କରିବାକୁ ତାଙ୍କର ବେଳ ନ ଥାଏ । ପୁଣି ଶୁଣେ, ସେ ତୋ ଜୋଇଁଙ୍କ ସଙ୍ଗରେ ବଡ଼ ସହରକୁ ଯିବେ-। କୋର୍ଟ କଚେରୀରେ କାମ । କେତେ ଦିନ ରହିବେ ସେ ନିଜେ ଜାଣନ୍ତି ନାହିଁ ।

 

...ମୁଁ ନିରସ୍ତ୍ର ହୁଏ । ଭାବେ, କ’ଣ ଲେଖିବି ଯେ । ଦୁଃଖ ଲେଖିବି, କି ସୁଖ ଲେଖିବି, ନା ଯାହା ଅଙ୍ଗେ ଲିଭାଉଛି ତାହା ଲେଖିବି ? ନେଡ଼ିଗୁଡ଼ କହୁଣିକୁ ବୋହିସାରିଛି । ଆଉ କ’ଣ ?

 

...ଏବେ କିନ୍ତୁ ଲେଖୁଛି ଲୋ ବୋଉ । ଅଙ୍ଗେ ଲିଭଇଲା କଥା ଲେଖୁଛି । ଯେବେ ମନ ହେଉଛି, ବେଳ ମିଳୁଛି, ସେତେବେଳେ । ଶୁଣିଛି, ମନର ବେଦନା ଅନ୍ୟଜଣଙ୍କ ଆଗରେ ପ୍ରକଟ କଲେ ତାହାର ତୀବ୍ରତା କମେ । ତୋ ବ୍ୟତୀତ ଆଉ କିଏ ଅଛି ?

 

...ପାଖରେ ନ ଥାଇ ଦୂରରେ ଅଛି । ତତେ ସୁମରିଲେ ପାଖକୁ ଆସୁଛୁ । ଏଇ ପଲଙ୍କ କଡ଼କୁ । ଦେଖ୍, ପିଲାଟି କେଡ଼େ ନିଶ୍ଚିନ୍ତରେ ମୋ ପାଖରେ ଶୋଭା ଆଙ୍ଗୁଠି ପାଟିରେ ଭରିଛି । ତା’ ପାଖରେ ଅଧାଶୁଆ ଠାଣିରେ ବସି ମୁଁ ଚିଠି ଲେଖୁଛି । ନିଦ ଘୋଟିଆସିଲେ ଲେଖା ବନ୍ଦ କରିବି । ତାକୁ ଶେଯ ତଳେ ଲୁଚାଇ ଶୋଇବି ।

 

...ତୋ ଜୋଇଁ ନିଶା ଟଳମଳ ହୋଇ ଫେରିଲେ ଶୋଭା ଡାକିବ । ନ ଆସି କେଉଁଠି ରହିଲେ ତ ରହିବେ । ପଚାରିଲେ, ଜବାବ ଦେବେ, ତୋ ବୋପାର କି ଗଲା ? ଜାବୁଡ଼ାଏ କଷିବେ ଅବା ମାରିବେ ବିଧାଏ, କି ଗୋଇଠାଏ ।

 

...ହଁ, ମାଧୁରୀ ଦେବୀଙ୍କର ସେହି ସୁନ୍ଦର ଛବିଟିର କଥା ମୁଁ ଲେଖୁଥିଲି । ତୋ ଜୋଇଁ ତାଙ୍କର ପ୍ୟାଣ୍ଟ ପକେଟ ଅଣ୍ଡାଳିଲେ । ରିଷ୍ଟୱାଚ୍‌ ତା’ ନାଁ, ତାକୁ ପାଇ ହାତରେ ବାନ୍ଧିଲେ । ସମୟ ସକାଳ ଆଠଘଣ୍ଟା ହେବ । ଅଗଣାର ଖରା ଟାଣ ହୋଇଆସୁଥାଏ ।

 

...ସେ ଆଜି ସଜବାଜ ହେଇ ସକାଳ ପହରଟାରେ କୁଆଡ଼େ ଯିବେ ବୋଲି ବାହାରିଥିଲେ-। ଶୋଭା ବୋଧହୁଏ ତାଙ୍କୁ ଖାଲି ଚାହା ଦେଇଥିଲା । ତାଙ୍କ ଚାହାରେ ପ୍ରଚୁର ଚିନି ପଡ଼େ । ଚିନି ନ ଥିଲେ ନବାତ । କିନ୍ତୁ ବୁନ୍ଦାଏ ବି କ୍ଷୀର ପଡ଼େ ନାହିଁ । ଘଡ଼ିଏ ସିଝେ । କୋଚିଆରକ୍ତ ପରି ଦିଶେ ।

 

...ତାଙ୍କର ମିଞ୍ଜାସ ଭଲ ଥିଲା ପରି ଲାଗିଲା । ମଣିଲି, ରାତିର ପେତିନୀ ତାଙ୍କୁ ଛାଡ଼ି ପଳାଇଛି । ତାଙ୍କରି ଭଲପାଇଁ ପଦେ କହିଲେ, ଅବଶ୍ୟ ଶୁଣିବେ । ମାନିଲେ ମାନିବେ, ନ ମାନିଲେ ନାହିଁ । ମୋ କର୍ତ୍ତବ୍ୟ ମୁଁ କରିବି । ଆଗହୁଁ ଚେତାଇ ଦେବି ।

 

...ଶୋଭନ ମୋ ଛାତି ଉପରେ ଥାଏ । ମୋ ବେକକୁ କୁଣ୍ଢାଇଧରି କାନ୍ଧ ଉପରେ ମୁଣ୍ଡ ଥାପିଥାଏ । ଏତେ ବଡ଼ ବୁଦ୍ଧିଆ ପିଲା, ବାପକୁ ଡରି ଛାନିଆ ହୋଇ ମୁହଁ ବୁଲଇବା କେବେ କେଉଁଠି ଦେଖିଛୁ ?

 

...ମୁଁ କହିଲି, “ଅବେଳାଟାରେ, ଖାଲିପେଟରେ ଆଜି ଯାଅନା ମ । କାଲି ବେଶି ଡେରିରେ ଫେରିଲ ଯେ । ସେଥିରୁ ଗୁଡ଼ାଏ ବେଶି ପିଇଥିଲ । ଆଜି ବିଶ୍ରାମ ନିଅ ।”

 

...ସେ ମୋ ପାଖକୁ ଆଗେଇ ଆସିଲେ । କଟମଟ କରି ମୋ ମୁହଁକୁ ଚାହିଁଲେ । ଭାବିଥିଲି, ସେ ମତେ ପ୍ରହାର କରିବେ । ଡରିଲି ନାହିଁ । ମାଧୁରୀଙ୍କର ଛବି ଆଡ଼କୁ ଚାହିଁଲି ।

...ସେ କହିଲେ, ‘ବଡ଼ ସହରର କଚେରୀରେ ଆଗରୁ ଯାଇ ପହଞ୍ଚିବା ଦରକାର । ମଉସା ଗଣକ ଶ୍ରୀ ଜୟୀ ନାୟକ, ତମର ଦାଦି ମ, ସେ ଆଗରୁ ଆସି ଅପେକ୍ଷା କରିଥିବେ । କବଲା ଲେଖା ସରିଛି । ସମସ୍ତେ ଦେଖିଛନ୍ତି । ଆଜି ରେଜିଷ୍ଟ୍ରୀ ହେବ ।

ବିବେକର ମାମୁଁ ଆମର ଶିମୁଳିତଳ ଜମି ସାତମାଣ ବନ୍ଧକ ନେବେ । ସାତ ହଜାର ସାତଶ ସତସ୍ତରୀ ଟଙ୍କା ଦେବେ ।

...ପଚାରିଲି, ‘ଏତେ ଟଙ୍କା କ’ଣ ହେବ ?

...କହିଲେ, “ଆମ ସିନେମା ଘରର କାମ ସରିଛି । ଏଥର ଜାଣ ମୁଣ୍ଡି ମରିବ । ସେଇଠୁ ଛବିସବୁ ଦେଖାଇ ଟଙ୍କା ଗୋଟାଇବାର କଥା । ସେଇସବୁ ଧନ ପ୍ରତାପ ସିଂହ ନେବେ । ସେ ଘର ତୋଳାର ଦାୟିତ୍ୱ ତୁଲାଉଛନ୍ତି । ଟିକିନିଖି ହିସାବ ବି ରଖୁଛନ୍ତି ।

...ଡରି ଡରି ପଚାରିଲି, ବୋଉ ଜାଣନ୍ତି ? ସେତକ ତାଙ୍କର ସୁନାଥାଳି ପରା । ଏ ଘରର ବର୍ଷକର ଖରଚ ତୁଲାଉଛି ।

...ମୋ ମୁହଁକୁ କ୍ରୋଧିଲା ଆଖିରେ ଚାହିଁ କହିଲେ, “ସେ ରାଜି ହେଲା ନାହିଁ । ମାଇପି ଲୋକ, ତାର କେତେ ବୁଦ୍ଧି ? ତମର ବି ।’’

 

‘ଶୁଣ, କାହିଁକି ତମ ପାଖକୁ ଆସି ମୋର ଏତେ ସମୟ ବିତାଇଲି । ମୋର ନିତାନ୍ତ କମ୍‌ରେ ଦୁଇଶହ ଟଙ୍କା ଏବେ ଲୋଡ଼ା । ମୁଁ ଜାଣେ, ତମ ପାଖରେ ନାହିଁ ।’

 

...କହିଲି, ଜାଣିଛ ତ ।

 

...ତାଙ୍କର ମୁହଁ ରୁକ୍ଷ ଦେଖାଗଲା । ସେ କ’ଣ ଗୋଟିଏ କାଣ୍ଡ ଘଟାଇବେ, ଏହି ଆଶଙ୍କାରେ ମୁଁ ଡରିଗଲି । ସେ କହିଲେ, ‘ତମେ ମାଗିଲେ ବୋଉ କେବେ ମନା କରିବ ନାହିଁ ।’

 

...କହିଲି, ‘ବୋଉଙ୍କୁ ମୁଁ କେବେ କିଛି ମାଗି ନାହିଁ । ମୁଠିଏ ଖାଇ, ଖଣ୍ଡେ ପିନ୍ଧିବାର ଅଭାବ ମୋର ନାହିଁ । ମୁଁ ସାମନ୍ତରା ଘର ବୋହୁଟି । ଦେଖ, ହାତରେ ମୋର ଦି ଦି ପଟ ପାଣିକାଚ । ବେକରେ ପୋହଳା ମାଳ । ସେତିକି ମୋର ଯଥେଷ୍ଟ । ମୂଲିଆଣୀ, ଛୋଟଜାତିର ଘରଣୀମାନେ ୟା’ଠୁ ଊଣା ପିନ୍ଧନ୍ତି ନାହିଁ ।’

 

‘ସେଥିରେ ମୋର ଦୁଃଖ ନାହିଁ ମ । ଦୁଃଖ ତମର ହେବାର କଥା । ମୁଁ ସେମାନଙ୍କଠାରୁ ହିନ ?’

 

...ସେ ରାଗିଗଲେ । କହିବେ, “ସେଗୁଡ଼ାକ କାହିଁକି ଗପୁଛି ବେ ? ବେକରେ ଯେଉଁ ସୁନାର ଚେନ୍ ପିନ୍ଧୁଛୁ, ସେଇଟା ଚୁପ୍‌କିନି କାଢ଼ି ଦେ । ବନ୍ଧାପକାଇ ଟଙ୍କା ଆଣିବି । ଦି’ ଚାରିଦିନ ପରେ ତାକୁ ମୁକାଳି ତତେ ଫେରାଇ ଦେବି ।”

 

...କହିଲି, ବୋଉଙ୍କୁ ନ ପଚାରି ମୁଁ ତାକୁ ଉତାରି ପାରିବିନାହିଁ, କି ଦେବି ନାହିଁ । ବୋଉଙ୍କର ସେ ଅତି ଅମୂଲ୍ୟ ଦରବ, ମୋ’ର ନୁହେଁ । ତାଙ୍କରି ଆଦେଶରେ ପିନ୍ଧିଛି । ମାଧୁରୀଦେବୀଙ୍କୁ ତାଙ୍କ ମୂଲିଆ-ବାପର ଏଇଟି ଦାନ ।’’

 

‘ଉପାସ ଭୋକରେ ବେଳ କାଟି, ତାଙ୍କ ବୋଉ ବଞ୍ଚିଥିବାଯାଏ ଯେଉଁ ଧନ ସଞ୍ଚିଥିଲେ, ସେଇଥିରେ ମାଧୁରୀଙ୍କ ପାଇଁ ତାଙ୍କ ବାପା ଗଢ଼ାଇଥିଲେ । ଜୀବନ ହାରିବେ ବୋଲି ସେ କେବଠାରୁ ତ ସ୍ଥିର କରିଥିଲେ । ସେଇଥିପାଇଁ ଶାଶୁଙ୍କୁ ରଖିବାକୁ ସେ ଦେଇଥିଲେ ସେଇ ହାରଟି-।’

 

...ପୁଣି କହିଲି, “ଚାହିଁ ଦେଖ, କେମିତି ତାଙ୍କର ସେ ଛବିଟି କାନ୍ଦକାନ୍ଦ ହେଉଛି । ଚେନ୍ ହାରଟି ନେଲେ ପ୍ରେତପୁରରେ ବି ସେ ଦୁଃଖରେ ଛଟପଟ ହେବେ ?’’

 

...ନିଜକୁ ବେଶି ବୁଦ୍ଧିଆ ମଣି ମୁଁ ସିନା ଏତକ କହିଲି । ଭାବିଥିଲି, ସେ ଫେରିଯିବେ; କିନ୍ତୁ ଫଳ ଓଲଟା ହେଲା ।

 

....ସେ ହଠାତ୍ ଅତି ଉତ୍ୟକ୍ତ ହେଲେ । ଫଟୋ ପାଖକୁ ଯାଇ ତାକୁ କାନ୍ଥରୁ ଟାଣିଆଣିଲେ । ମନକୁ ମନ କହିହେଲେ, ଶଳା ଥିବ ନା ପ୍ରେତରୂପରେ ଏଠିକି ଆସି ନାଟ ଲଗେଇବ ।

 

...ଫଟୋକୁ ତଳେ କଚାଡ଼ି କାଚ ଭାଙ୍ଗିଲେ ।

 

...ମୁହଁ ଟେକି ଶୋଭନ ତା’ ବାପର ପାଗଳ ମୂର୍ତ୍ତି ଦେଖି ଚିର୍‌ ଚିରେଇ ଉଠିଲା । ମୋ ବେକକୁ ଜାବୁଡ଼ି ଧରିଲା । ମୁଁ ହାତଟିଏ ତା’ ପିଠିରେ ବୁଲାଇ ଥକ୍‌କା ହୋଇ ଚାହଁ ରହିଥାଏ ।

 

...ଫ୍ରେମ୍‍ ଭିତରୁ ଛବିଟି ଓଟାରି କାଢ଼ିଲେ । ମୋ ଆଖି ଆଗରେ ତାକୁ ଟିକି ଟିକି କରି ଚିରିଲେ । ତାକୁ ସବୁ ପାଦରେ ମକଚି କହିଲେ, ଏଥର ତୁ ମଶାଣିପଦାକୁ ଯାଆଲେ, ପେତିନୀ । ଅଧିକ କଟାଳ କଲେ ତୋ ପୁଅକୁ ବି ତୋ ପାଖକୁ ପଠାଇ ଦେବି ?

 

..ମୁଁ ଜିଭ କାମୁଡ଼ିଲି; ମୋ ଛାତି ଭିତର ଧଡ଼କିଲା । ମୁହୂର୍ତ୍ତେ ଆଖି ବୁଜି ରହିଲି । ମୋ ଆଖିତଳର ଉଆଁସୀ ଅନ୍ଧାର ଭିତରେ ଖାଲି ଜୁଳୁଜୁଳିଆ ପୋକଗୁଡ଼ିଏ ହାଉଯାଉ ହେବାକୁ ଲଗିଲେ-

 

...କେଡ଼େ ସାହସ ଦେଖ ତ । ମୋ ବେକରୁ ସେ ଚେନ୍‌ ହାରଟି ଖୋଲିବାକୁ ହାତ ଦିଅନ୍ତେ, ବୋଉଲୋ, ସତେକି ହାବେଳି ବାଣର ରଞ୍ଜିକରେ କିଏ ନିଆଁ ଲଗାଇଲା, ସେମିତି ମୁଁ ଜଳି ଉଠିଲି ।

 

...ଜେମାଦେଈ ଅପାଙ୍କର ଶିକ୍ଷା-‘ପତିପରମଗୁରୁ, ପୋଥିପ୍ରଗଣମାନଙ୍କର ଉପଦେଶ, ଯାହାସବୁ ମୁଁ ପଢ଼ିଥିଲି, ଉତାରିଥିଲି, ମନେ ରଖିଥିଲି, ସବୁଗୁଡ଼ିକ ଆଡ଼େଇ ମୁଁ ତାଙ୍କର ଗାଲରେ ଠୋ’କରି ବ୍ରହ୍ମଜାବୁଡ଼ା ଥୋଇଲି । ପଛେଇ ଆସି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲି । ଗୋଡ଼ ଥରୁଥାଏ-। ହାତ କମ୍ପୁଥାଏ ।’

 

(୬)

 

...ଛାନିଆ ହୋଇ ପିଲାଟା ପଲଙ୍କ ଉପରେ ହାଉହାଉ ହୋଇ କାନ୍ଦୁଥାଏ ।

 

...କାନ୍ଦିଲେ କାନ୍ଦୁ । ମାଇପେ କହନ୍ତି, ସଉତୁଣୀର ପୁଅ ଜୀବନର କଣ୍ଟା । ପିଲାପୁଅଟା, ଏବେ ଜାଣିନାହିଁ । ପରେ ଜାଣିବ । ତା’ ପାଇଁ ଯେତେ କରଣି, ଯେତେ ଭାଳେଣି, ଯେତେ ସହଣି, ସବୁ ଯିବ ପାଣିକି । ଖାଲି ମିଳିବ ରାଗିଲେ ଚଟ୍‍କଣି, ପିଠିକି ଉଦୁମୁଦୁମା ।

 

...ଭାବିଲି, କାନ୍ଦୁଥାଉ ସେଇଟା, ମୋ’ର କି ଥାଏ ? ବାପଚଣ୍ଡାଳ ଥକ୍‌କା ମାରି ଦ୍ୱାରବନ୍ଧ ପାଖରେ ଠିଆ ହୋଇଥାଏ । ଆଖି ତରାଟି କଟମଟ କରି ମତେ ଚାହିଁଥାଏ । ମୁଣ୍ଡ ହଲାଇ, ଦାନ୍ତ ରଗଡ଼ି ସଁ ସଁ ହେଉଥାଏ । ଗୋଛାଳିଆ ନିଶହଳକ ବାଁ-ହାତର ବିଷିଆଙ୍ଗୁଠିରେ ଆଉଁସୁ ଥାଏ ।

 

...ମୁଁ ଡରିଗଲି ଲୋ ବୋଉ । ମତେ ଯଦି ସେ ଆକ୍ରମଣ କରେ, ମୁଁ କ’ଣ କରିପାରିବି ? ମୋ ପରି ପୁଞ୍ଜାଏଙ୍କର ସେ ଅକ୍ଳେଶରେ ତଣ୍ଟି ଚିପିଦେବ ।

 

...ଉପାୟ ଫାନ୍ଦିଲି । କ’ଣ କଲି କହୁଛି, ଶୁଣ ।

 

Unknown

...ମୁଣ୍ଡର କେଶ କୁଣ୍ଡାଇ, ବେଣୀ ପକାଇ ଜୁଡ଼ା ବାନ୍ଧିବାକୁ ପୂର୍ବଦିନ ଶୋଭାକୁ ତର ମିଳି ନ ଥିଲା । ତାକୁ ଗୋଛା କରି ଫାଶ ପକାଇ ଗୁଡ଼ାଇ ଦେଇଥିଲି ।

 

...ଫାଶ ଫିଟାଇଲି । କପାଳ ଉପରୁ ମୁଣ୍ଡ ଦୋହଲଇ ଶାଢ଼ି ଖସାଇଲି । ବାଇଆଣୀ ପରି ମୁଣ୍ଡ ହଲେଇ, ଅଣ୍ଟାତଳ ଯାଏ ଲମ୍ବିଥିବା ନୁଖୁରା ଫୁରୁଫୁରିଆ ଅଗ ଫୁଲିଲା କେଶଗୋଛାକୁ ଦୋହଲାଇଲି ।

 

...ଶୁଣ୍‌, କ’ଣ କଲି । ଖଟକୁ ଆଉଜି, ଆଖି ତରାଟିଲି । ହାତ ହଲାଇ ମୁଁ ଭୟଙ୍କର ହେଲି-। ଗରଜିଲି ତ, ସତେ ଯେମିତି ମୁଁ ମାଧବୀଙ୍କର ପ୍ରେତିନୀ, ନହୁଲୀର ଦେହରେ ଅବତରିଛି । ତାଙ୍କ ସମ୍ବନ୍ଧରେ କେତେ ଘଟଣା ମୁଁ ଜାଣିଥିଲି, ଯାହା ଶୋଭାର ମୁହଁରୁ ଶୁଣିଥିଲି, ଗପିଲି...।

 

‘ଆରେ ଚଣ୍ଡାଳ, ବଞ୍ଚିଥିବା ଯାଏ ମୋତେ ମାରିଲୁ, କୋରିଲୁ, ମୋ ତଣ୍ଟି ଚିପିଲୁ । ସେ ଦିନ ବି କବାଟ ଆଉଜାଇ ସେଇଆ କରିଥିଲୁ । ତଣ୍ଟି ଚିପୁଣୁ କହିଲୁ, “ଆଣିବୁ ତ ଆଣ୍‌, ନଇଲେ ଗୁଡ଼କନିଅର ମଞ୍ଜି ବାଟି ଖାଇ ମର ।’’

 

‘ମୁଁ ତୋ ପୁଅକୁ ଦଶମାସ ପେଟରେ ବୋହି ଜନ୍ମ ଦେଇଥିଲି । ସେହି କଅଁଳିଆ ଛୁଆଟାର କଥା ବୋପା ହେଇ ତୁ ଥରେ ଭାବିଲୁ ନାହିଁ । ମରିବି ତ ତାକୁ କିଏ ପାଳିବ ?’

 

‘ରୋଗଣା ଶାଶୁ ତତେ ଚାବି ଛୁଆଇଁ ଦେଲେ ନାହିଁ । ଥରେ ତାଙ୍କୁ ଦରମରା କଲୁ । କେତେ ଗହଣା, ଆଉ ଟଙ୍କା ବୋହିନେଇ ଖାନ୍‌ଗୀଙ୍କୁ ଦେଲୁ । କହିଲୁ, ସିନେମା ଘର ତୋଳୁଛୁ । ମଦ ଖାଇଥିବୁ । ଖାନ୍‌ଗୀଙ୍କୁ ଦେଇଥିବୁ । ନଇଲେ ସାଙ୍ଗ ବୋଲାଉଥିବା ସେଇ ଦୁଇଟା ଛତରା, ବାଳୁଙ୍ଗା ଠକଙ୍କୁ ଦେଇଥିବୁ ।’

 

‘ସେଇଥିପାଇଁରେ ଭାଡ଼ୁଆ, ତତେ ମା’ ତାଙ୍କର ଚାବି ଛୁଆଇଁ ଦିଅନ୍ତି ନାହିଁ । ତୋ ଶିଖାଣରେ ତାଙ୍କୁ ଅଣ୍ଟାରୁ ଚାବି ଖସାଇ ତତେ ଦେଇଥାନ୍ତି ? ପାତକିନୀ ହୋଇଥାନ୍ତି ?’

 

‘ବୁଢ଼ୀ ଅବସ୍ଥାରେ, ଅଚଳିଆ ହୋଇ, କୁବେରର ଧନ ଯକ୍ଷ ଜଗିରହିଥିଲା ପରି, କାହାପାଇଁ ସେ ଯକ୍ଷିଣୀ ସଞ୍ଚିଲା ଧନ ଜଗି ରହିଥିଲେ ? ତାଙ୍କର ଗୋଟାଏ ପେଟକୁ କେତେ ପଖାଳ ଲୋଡ଼ା ?’

 

‘ଜଗି ରହିଥିଲେ ତୋରି ପାଇଁ, ତୋରି ପୁଅ ପାଇଁ । ଭଲ ବୁଦ୍ଧି କରିଥିଲେ ତୋରି ପୁଅ ତୋର ଆସନ୍ତା ପୁରୁଷ ସୁଖରେ ରହନ୍ତେ ।’

 

ଏତକ ବୁଝିଲୁ ନାହିଁରେ ମୁରୁଖ । ମତେ ଗୋରୁ-ବାଡ଼ିଆ କଲୁ ।

 

‘ମଣିଷ ଧିଅରେ ଥିଲି ବୋଲି ସିନା ଦୁଃଖ ପାଉଥିଲି, କଷ୍ଟ ପାଉଥିଲି । ମଲି, ତୋ ଅତ୍ୟାଚାରରୁ ଉଦ୍ଧାର ପାଇଲି । ଧିଅଟା ପୋଡ଼ି ପାଉଁଶ କଲ । ମୁଁ ପ୍ରେତିନୀଟି । ମତେ ଛୁଇଁବ କିଏ-।’

 

‘ମୁଁ ଏ ଘର, ବାରି, ଦାଣ୍ଡ, ପୋଖରୀ, ସବୁଆଡ଼େ ବୁଲେ । ସବୁଠିଁ ଥାଏ । କେତକୀଫୁଲର ସୁବାସ ଯେଉଁଠି ଚହଟେ ସେଇଠି ବୁଲିବାକୁ ମୁଁ ସୁଖପାଏ । ବଉଳଫୁଲର ବାସରେ ବି ମୋର ଶରଧା ।’

 

‘ମୁଁ ଖାଲି ସେହି ଛବିଟାରେ ନ ଥିଲିରେ ଚଣ୍ଡାଳ । ମୋ ସାନଭଉଣୀ ନହୁଲୀରାଣୀ ମତେ ଭଲ ପାଏ, ସେହି ଫଟୋରେ । ମୋ ପୁଅ ଯେ ତା’ ପୁଅ ସେ । ଛବି ଦେଖି ସେମାନେ ମତେ ଖୋଜିଲେ, ମୁଁ ସେଠିକି ଆସେ । ସେଇଟି ମୋର ଆସ୍ଥାନ ଥିଲା ।’

 

‘ମୋ ଆସ୍ଥାନ ତୁ ଭାଙ୍ଗିଲୁ । ମୋ ଛବି ତୁ ଚିରିଲୁ । ଭାବିଛୁ କି ମୁଁ ଏ ଘର ଛାଡ଼ି ଏକୁଟିଆ କୁଆଡ଼େ ପଳାଇବି ? ନାଇଁରେ ନାଇଁ । ମୋ ପୁଅର ପାଖ ଛାଡ଼ି ମୁଁ କୁଆଡ଼େ ଯିବି ନାହିଁରେ ।’

 

‘ତୁ ମୋ ସେନେହ ଭଉଣୀ ନହୁଲୀ ଧିଅରେ ଟିପ ଛୋଇଁଲେ, ଦେଖିବୁ ରହରେ, ମୁଁ କ’ଣ କରିବି । ତାକୁ ଏ ପୁରକୁ ମୋ ପାଖକୁ ଆଣିବି । ତତେ ବି ଛାଡ଼ିବି ନାହିଁ । ତୋ ପୁଅକୁ କ’ଣ ଛାଡ଼ିଆସିବି, ଭାବିଛୁ ?’

 

‘ନାଇଁରେ ଚଣ୍ଡାଳ । ତାକୁ ସାଙ୍ଗରେ ଆଣିବି । ମଶାଣି ପଦାରେ ସେ ତ ମନକୁ ଖେଳୁଥିବ-। କିଳିକିଳା ରଡ଼ି ଛାଡ଼ୁଥିବ ।’

 

...ବୋଉଲୋ, ଆଚମ୍ବିତ କଥା, ଶୁଣିବୁ ? ତାଙ୍କୁ ଡରାଇ ଜବତ କରିବାକୁ ସିନା ଗୋଟାଏ ଛଳନା କରୁଥିଲି । ମୋ ଅଭିନୟ ଓ ମୋ ବଚନିକାର ଫାନ୍ଦରେ ମୁଁ ନିଜେ ପଡ଼ିଗଲି । କଟା କଦଳୀ ଗଛ ପରି ଟଳିପଡ଼ୁଣୁ ପଲଙ୍କର ଧାର ମତେ ଅଟକାଇଲା ।

 

...ବାହାରେ, କାନ୍ଥ କଡ଼ରେ ଛପି ଆମ ଅଜାଣତରେ ଶୋଭା ସବୁ ଶୁଣୁଥିଲା । ଶେଷଆଡ଼କୁ ସବୁ ଦେଖୁଥିଲା । ସେ କେଇ ଖେପାରେ ଘର ଭିତରକୁ ଡେଇଁଆସି ମତେ ସମ୍ଭାଳି ନେଲା ।

 

...ମୁଁ ଆଖି ବୁଜିଲି ।

 

...ପରେ ଶୋଭାଠାରୁ ଶୁଣିଲି, ତୋ ଜୋଇଁ କାନ୍ଥକୁ ଆଉଜି ବରଡ଼ାପତ୍ର ପରି ଥରୁଥିଲେ-। ଘନଘନ ନିଶ୍ଵାସ ଛାଡ଼ୁଥିଲେ ।

 

...ପିଲାଟା ମୋ ଛାତି ଉପରେ ଲୋଟି ରାହା ଧରି କାନ୍ଦୁଥିଲା । ଶାଶୁ ଆର ଘରୁ ନଇଁ ନଇଁ ଆସି ପଲଙ୍କ ପାଖରେ ଠିଆ ହୋଇ ମୋ କେଶ ସାଉଁଳୁଥିଲେ ।

 

...ମୁଁ ଆଖି ଖୋଲି ଚାହିଁଲି । ଦେଖିଲି, ଦୟାମୟୀ ଶାଶୁଙ୍କ ଆଖିରେ ଲୁହ ଢଳଢଳ ହେଉଥିଲା । ଶୋଭାକୁ ପଚାରିଲେ, “କ’ଣ ଟିକିଏ ପିଇବ ନାହିଁ ?’’

 

...ଶୋଭା ଜବାବ ଦେଲା, ‘ସପୁରି ରସରେ ମା’ଙ୍କର ଶରଧା ବଳିଛି ଯେ, କାହୁଁ ମିଳିବ-?”

 

‘ଆମ୍ବଗଛମୂଳ କେତକୀ ବାଡ଼ କଡ଼ରେ ପୋଖରୀହୁଡ଼ା ତଳେ ସେ ସପୁରି ଚାରା ନିଜେ ପୋତିଥିଲା । ସେତେବେଳେ ତା’ ପୁଅ ପେଟରେ ଥିଲା । ସେଠି କେତେ ଫଳିଛି । ବାସୁଥିଲା ତ । ଦେଖିଲୁ । ବିଲୁଆ, କୋକିଶିଆଳି ତ ଖାଇଯାଉଛନ୍ତି । ଅଛି କି ନାହିଁ ଦେଖ୍ ।’

 

...ବୋଉ ଲୋ, ଯେଉଁ ମାଧୁରୀକୁ ମୋ ଭିତରେ ମିଛରେ ଅବତରାଇ ସେଦିନ ମୁଁ ଆତ୍ମରକ୍ଷା କଲି, ତାଙ୍କର ପ୍ରେତାତ୍ମା କ’ଣ ସେହିଦିନରୁ ମୁକ୍ତି ଲାଭ କଲା ?

 

...ଅନ୍ୟ କାହାର ପେଟରେ ରହି ନୂଆ ଜନମ ନେବାକୁ ବିଧାତାଙ୍କଠାରୁ ଡାକରା ପାଇ ଚାଲିଗଲା ?

 

...ଅନ୍ୟ କେଉଁ ମଶାଣିର ପେତିନୀମାନଙ୍କ ଦଳ ବଢ଼ାଇଲା ? ନିଛାଟିଆ ବାଟରେ ଅନ୍ଧାର ରାତିରେ ଛାନିଆ ବାଟୋଇର ଛାତିରେ ଛନକା ଆଣି ଭେଟଣା କରିବାକୁ ସେ ପ୍ରେତାତ୍ମା ଚାଲିଗଲା-?

 

...ସାମନ୍ତରାଙ୍କ ଘରଦ୍ୱାର, ଦାଣ୍ଡ ଓ ପୋଖରୀ ହୁଡ଼ାରେ ସେ ପ୍ରେତିନୀ ଯେପରି ପ୍ରବେଶ କରି ନ ପାରିବ ସେଥିପାଇଁ ଡକା ହେଇ ଆସିଥିଲେ ଜଣେ ବିଖ୍ୟାତ ଗୁଣିଆ । ସେ ଯାହାସବୁ ପୂଜା ଓ ବିଧି କରିବାର କଲେ । ସମସ୍ତଙ୍କର ଦେହ କିଳିଦେଲେ । ବେଶି କିଳିଲେ ମୋର ଦେହ ।

 

...ତୋ ଜେଇଁଙ୍କର ଦେହ ଖୁବ୍‌ ଭଲକରି କିଳିଦେଲେ । ତାଙ୍କର ଶତ୍ରୁମାନଙ୍କୁ ଭେଟଣା କରାଇ ହରବର ଛଟପଟ କରି ମାରିବାକୁ ସେହି ପ୍ରେତଗୁଡ଼ାକ ବୁଢ଼ା ଗ୍ରହପୁତ୍ର ଭିନେ ମନ୍ତ୍ର ପଢ଼ିଲେ-। ନିଜକୁ ନିଜେ କେତେ ଜାବୁଡ଼ା ମାରି ପ୍ରେତକୁ ଅନୁନୟ କରି ବିଦାୟ ଦେଲେ ।

 

...ସେହିଦିନଠାରୁ ମାଧୁରୀଙ୍କର ପ୍ରେତିନୀ ଘରେ ଅବା ଆଉ କେଉଁଠି ଦେଖାଦେଲା ନାହିଁ-। ତୋ ଜୋଇଁଙ୍କର ଯାହା ଟିକିଏ ଭୟ ଥିଲା ସେତକ ଦୂର ଦେଲା । ସେ ଅଧିକ ମଦ ପିଇବାକୁ ଆରମ୍ଭ କଲେ ।

 

...ସେ ବେଶୀ ମାଡ଼ହାତିଆ ହେଲେ । କଥାକଥାକେ ହାତ ଉଠାଇଲେଣି । ତାଙ୍କର କେଉଁ ଜିନିଷ ଫୋପାଡ଼ି ଦେଇଛି ବୋଲି ଟିକି ଛୁଆଟାକୁ କେତେଥର ମାରିଲେଣି ।

...ଦିନେ ତାଙ୍କର ଗୋଟିଏ ଝରକଲମରେ ପିଲାଟି ଟେବୁଲ ଉପରେ ଗାର ପକାଉଥିଲା । ନିବ୍‌ଟି ବଙ୍କା ହୋଇଗଲା । ତାକୁ ସେ ନିର୍ଦ୍ଦୟ ଭାବରେ ପିଟିଲେ । ସେ ଧାଇଁଆସି ମୋ ପେଟରେ ଲାଖିଲା । ତାକୁ କୁଣ୍ଢାଇ ଧରିଲି ।

...ଛାନିଆ ହୋଇ ସେ କାନ୍ଦୁଥାଏ । ମୁଁ ତା’ ଉପରେ ହାମୁଡ଼େଇ ପଡ଼ି ପ୍ରାର୍ଥନା କଲି, “ଥାଉ, ଅଜ୍ଞାନ ବାଳୁତ, ତାକୁ ମାର ନାହିଁ ।”

...ଗରଜି ଉଠିଲେ, “ତୋ ପୁଅ ନା ମୋ’ ପୁଅବେ ? ଶାସନ ନ କଲେ ତା’ ଦୁଷ୍ଟାମି ବଢ଼ିବ-। ମୋ ଜିନିଷରେ ଲାଗିବ କାହିଁକି ? ନଷ୍ଟ କରିବ କାହିଁକି ?’’

...ଜବାବ ଦେଲି, ସେ କାହାର ପୁଅ ସମସ୍ତେ ଜାଣନ୍ତି । ମୁଁ କେମିତି ନ ଜାଣିବି ? ବାପର କଲମର ନିବ୍‌ଟା ବଙ୍କା କଲା, ଆଉ କାହାର ନୁହେଁ ତ ।

...କହିଲି ସାହସ କରି, ‘ଯେମିତି ମଞ୍ଜିର ସେମିତି ଫଳ ନ ହେବ କେମିତି ? ତମେ ନିଜେ କ’ଣ କରୁଛ, ଟିକିଏ ବିଚାର କର । କହାର ସମ୍ପତ୍ତି ତମେ ବିକିଭାଙ୍ଗି ଉଜାଡ଼ୁଛ ?’

...ସେ ମତେ ଗୋଇଠାଟାଏ ଦେଲେ । କହିଲେ, “ମତେ ଅକଲ ଶିଖାଉଛୁ, ହଇବେ । ମୋ ବାପଅଜାଙ୍କର ସମ୍ପତ୍ତି ମୁଁ ଗମେଇଲି । ଆହୁରି ଗମେଇବି । ତୋ ବୋପାର କି ଥାଏ ?’’

...ବାହାରେ ସ୍କୁଟର ଗାଡ଼ି ଆସିବାର ଶବଦ ଶୁଭିଲା । ତାଙ୍କର ସେହି ସାଙ୍ଗ ଦୁଇଟା ଅବା ଆଉ କିଏ ଆସି ପହଞ୍ଚିଗଲେ ପରା । ତୋ ଜୋଇଁ ଚଞ୍ଚଳ ହୋଇ ଉଠିଲେ । ଟିକିଏ ବିଚଳିତ ହେଲା ପରି ଲାଗିଲେ ।

 

...ଆମ୍ଭକୁ ଅଧିକ ଶାସନ କରି, ଅଶାନ୍ତ ତୋଫାନ ଉଠାଇବାକୁ ସେ ସମୟ ପାଇଲେ ନାହିଁ । ସେ ଆମକୁ ଭୁଲିଗଲେ ।

 

...ଫଁ-ଫଁ- ହେଉଥିଲେ ମୋ ଉପରେ । ପଦାକୁ ଚାଲିଗଲେ ।

 

...ଶୋଭନ କାନିତଳୁ ବାହାରି ଆଗକୁ ଆସିଲା । ବଲବଲ କରି ଚାରିଆଡ଼କୁ ଚାହିଁଲା । ଖୁସି ହୋଇ ଆସି ମୋ ପିଠିରେ ଲାଉ ହେଲା ।

 

...ତା’ ବାପ ନୁହେଁ । ମୁଁ, ମୁଇଁଲୋ ବୋଉ, ତାର ଏକମାତ୍ର ସାହସ, ଏକମାତ୍ର ବିଶ୍ଵାସ, ଏକମାତ୍ର ଭରସା ବୋଲି ଜାଣିଛି ।

 

...ଯେତେ ଯାହା କଲେ ଦୁନିଆର ଲୋକେ ସାବତ ମାଆକୁ ଭିନ୍ନ ଆଖିରେ ଦେଖନ୍ତି । ତାର ଭଲ କାମକୁ ସଲ ବୋଲି ପ୍ରଚାର କରନ୍ତି । ଦଶରଥ ମହାରାଜାଙ୍କର ରାଣୀ କୈକେୟୀଙ୍କର ଉଲୁଗଣା ମନେପକାଇ ଦିଅନ୍ତି ।

 

...ସମସ୍ତେ ଜାଣନ୍ତି, ମୋର ସଉତୁଣୀ ନାହିଁ । ମୋ କୋଳରେ ଭରତ ନାହିଁ । ମୋତେ ଡହଳବିକଳ କରିବାକୁ ଯିଏ ଅଦିନରେ ଆସି ମାସ ଦୁଇଟି ମମତା ଲଗାଇ ଚାଲିଗଲା, ସେ ହେଲାଣି ସାତ ସପନ ।

 

...ମୁଁ ଜାଣେ, ମୋ ପେଟର ସେ ଆଉଥରେ ଜନମ ଲଭିବ ନାହିଁ । ଶୋଭନଟି ଭିତରେ ରାମରୁ ଶତ୍ରୁଘ୍ନ ଯାଏ ମୋର ଚାରି ପୁଅ ଅଛନ୍ତି । ଆଉ ମୋର ଲେଡ଼ା ନାହିଁ ।

 

...ତୋ ଜୋଇଁଙ୍କ ପାଖରୁ ମୁଁ କରଛଡ଼ା ଦେଇ ରହେ । କେତେବେଳେ ସେ କେଉଁଠୁ ଫେରିବେ, ଏକା କି କେଉଁ ସାଙ୍ଗମାନେ ଆସିଥିବେ, ମଦ ତ ନିଶ୍ଚୟ ପିଇଥିବେ, ତେବେ ତାର ପରିମାଣ କେତେ, ଏ ସବୁ ମୁଁ କଳନା କରନ୍ତି କେମିତି ?

 

...ମୁଁ ସେମାନଙ୍କୁ ମଦ ଢାଳି ଗିଲାସ ବଢ଼ାଇ ଦେଇପାରନ୍ତି ନାହିଁ । ଚୁଲିପଶା ପ୍ରତାପ, ସେଉ ରାଜବଂଶୀୟା ପୁଅଟା, ତାର ହସ, ନିଶ ମୋଡ଼ା, ଚାହାଣି ଆଉ ନବଜିଆ କଥା ସହିପାରନ୍ତି ନାହିଁ । ଦିନେ ସେ କହିଲା, ‘ଶୁଣ ମ ଭାଉଜ, ଆମର ଯେଉଁ ପ୍ରଥମ ଛବିଟା ସିନେମା ଘରେ ପଡ଼ିବ, ତା ନାଁ ବସ୍ତ୍ରହରଣ ।’ ତମେ ହେବ ପାଞ୍ଚାଳୀ, ବୋଇଲେ ପାଞ୍ଚପତିବିଶିଷ୍ଟ ଦ୍ରୌପଦୀ । କଲିକତାରେ ସୁଟିଂ ହେବ ।

 

...ଦାଣ୍ଡ ଘରେ । ରାତି ଅଧ ହୋଇ ନ ଥାଏ । ମହାଜନପୁଅ ବିକ୍ରମ ସେଇଠି ବସିଥାଏ । ବେଶ ହୁସିଆର୍‍ । ପିଇଥିଲେ ଅଳ୍ପ ମନ୍ଦିଏ ପିଇଥିବ । ଜଣାପଡ଼ି ନ ଥାଏ ।

 

...ତୋ ଜୋଇଁ, ଯାହା କହନ୍ତି, ନାକବୁଡ଼ । ଆଖି ଦୁଇଟା ମନ୍ଦାର ଫୁଲିଆ । ମୁହଁରେ ଅସ୍ୱାଭାବିକ ଦାନ୍ତନିକୁଟା ହସ ଓ କପାଳରେ ବୁନ୍ଦାବୁନ୍ଦା ଝାଳ । ଅସଜଡ଼ା କେଶଗୁଡ଼ାକ ତାଙ୍କର ଦେହ ଓ ମୁଣ୍ଡ ଦୋହଲ ସାଙ୍ଗରେ ଦୋହଲୁଥାଏ ।

 

...ମୁଁ ଗୋଟାଛାଏଁ ଥରୁଥାଏ । ମୋ ପଛରେ ଟିକିଏ ଦୂରରେ ଶୋଭା ବଢ଼ିଣାଟା ଧରି ଝିଟିପିଟି ହୁରୁଡ଼ାଉଥିଲା । ସେ ଦି ଖେପାରେ ମୋ ପାଖକୁ ଆସିଲା । ମତେ ପଛକୁ ଓଟାରିଲା । ବଢ଼ିଣା ସମେତ ହାତଯୋଡ଼ି ମଧୁର କଥାରେ ତାଙ୍କୁ ମୋର ହୋଇ ସେ ଜବାବ ଦେଲା ।

 

...କହିଲା, “ବସ୍ତ୍ରହରଣ ସୁଆଙ୍ଗ ଥରେ ଏଇ ଗାଁରେ ଦଶହରାବେଳେ ଆମେ ଦେଖିଥିଲୁ, ମଣିମା । ଯେଉଁ ଟୋକାଟା ଦୂରୁପଦୀ ହେବ ବୋଲି ମୁଛ ଦାଢ଼ି ଭଦର ହେଇଥିଲା, ସେ ଭାଙ୍ଗ ଖାଇ ଢୁଳେଇ ପଡ଼ିଥିଲା । ଯିଏ ହେଇଥାନ୍ତା ଦୁଶାବୀର ସେ ବି ଭାଙ୍ଗପାଣି ପିଇଥିଲା ।’’

 

‘ଶୁଣିବା ହେଉ ମଣିମା । ଦୁହିଁଙ୍କୁ ନିଶା ଧରିଥିଲା । ଅଳ୍ପ ଆଲୁଅରେ ଦିହେଁ ଢୁଳେଇ ପଡ଼ିଲେ ।’

 

‘‘ଡକରା ପଡ଼ିବାରୁ ବେଶ ହେଉଣୁ ସବୁ ବଦଳିଗଲା । ଦରୁପଦୀ ହୋଇ ବାହାରିପଡ଼ିଲା ତୋରଣି ଛଣା-ନିଶୁଆ ଗୋକୁଳତନ୍ତୀ ।’’

 

‘‘ତା’ ପଛେ ପଛେ ଭଦର ହୋଇ ମୁହଁ ଚିକ୍‌କ’ଣ କରିଥିବା ଭଣ୍ଡାରୀ ଟୋକାଟା କାଗଜର ଗଦାଟା ଧରି ଡେଇଁଲା ଆଗକୁ । କହିଲା...’’

 

କହିଲା ସାଆନ୍ତେ, ବଡ଼ ପାଟିରେ ବୋବାଳି ଛାଡ଼ିଲା ଶୁଣ ସଭାଜନେ, ଏ କଳିକାଳକୁ ସବୁ ବିପରୀତ ବୁଝିବ । ମୁଁ ଦୁରୁପଦୀ ହେଲା ଦୁଶା, ଆଉ ଦୁଶା ହେଲେ ଦୁରୁପଦୀ ନିଶୂଆରାଣୀ । ବଚନିକା ଯାହା ଶିଖିଥିଲୁଁ, ସେଇଆ କହିବୁଁ ।

 

‘‘ଛାମୁ, ତାଳିମାଡ଼ରେ କାନ ଅତଡ଼ା ପଡ଼ିଲା । ଆପଣ ଏମିତିକା ଛବି କରନ୍ତୁ, ଭଲ ଲାଭ ହେବ । ଆପଣ ନିଜେ ହେଉନ୍ତୁ ଦୁରୁପଦୀ । ବିକ ସାଆନ୍ତେ ଦୁଶା ହେଲେ ସାଜିବ । ଆଉ ଆମ ଆନ୍ଦ ସାଆନ୍ତେ ହେବେ ଧରମ, ଯୁଧେଷ୍ଟି । ନଇଲେ, ଦାତା କରନ । ଦାତା କରନ ହେଲେ ଭଲ ମାନିବ । ମୁଁ ମୁଦୁସୁଲୀ ହେବାକୁ ରାଜି ।’’

...ବୋଉ ଲୋ, ତିନିଜଣଯାକଙ୍କୁ ନିଶା ଧରିଥିଲା । ଶୋଭାର କଥା ତାଙ୍କମାନଙ୍କର ମନକୁ ପାଇଲା । ପ୍ରତାପ କହିଲା, ବାଃ । ବିକ କହିଲ, ସାବାସ୍ ।

...ତୋ ଜୋଇଁଙ୍କି ନିଶା ଏତେବେଶି ଆକ୍ରାନ୍ତ କରିଥିଲା ଯେ ସେ ଖାଲି ହୁଂକାର ଛାଡ଼ୁଥିଲେ । କିଏ କ’ଣ କହୁଛି, ଅବା କରୁଛି, ସେ ବୁଝିପାରୁ ନ ଥିଲେ । ହୋ ହୋ-ହୋଇ ହସି ଉଠିଲେ ।

...ସେମାନଙ୍କ ଆଗରୁ ମୁଁ ଧୀରେ ଧୀରେ ଖସିଆସିଲି । ଶୋଭା ମୋ ଆଡ଼କୁ ମୁହଁ ବୁଲାଇ କହିଲା, “ତମେ ପଳାଅ ଗୋ । ଏଗୁଡ଼ାଙ୍କୁ ମୁଁ ସମ୍ଭାଳିବି । ମୋ ଧିଅରେ ତାକତ ଅଛି । ଦେଖିଛ ତ ମୋ ହାତର ଗଦା ।’’

...ଶୋଭା ଝାଡ଼ୁ ଟେକିଲା । ପରଦିନ ସକାଳେ ସେ ମତେ କହିଲା, ‘ସେମାନଙ୍କର ଗଙ୍ଗାରୁ ଗଉତମ ଯାଏ ଗପ, ହସ, ଟେବୁଲ୍ ବାଡ଼ିଆ ସରିଲା ।’

‘ଆନ୍ଦ ସାଆନ୍ତେ ଯାହା ଖାଇଲେ ସବୁ ଉଗାଳିଲେ । ରଜାବାଉଁଶିଆ ପରତାପଟା ବେଶି ଖାଇନାହିଁ । ମୁଗ ବାଇଗଣ-ସାରୁ ସଜନା ଘାଣ୍ଟରୁ ବେଲାଏ ଖାଇଲା । କଡ଼େଇ ପୋଛାହେଲା । ସୌଦାଗରପୁଅ ବିକିରମ ଯେ ଟିମାଅସୁରଠୁଁ ବଳି ପେଟୁ । ସେମିତି ରଙ୍କୁଣା ।’

‘ଯାହା ଦେଲେ ପାଦୁକ ପରି ନିମେଷକେ ପାଇ ଦେଉଥାଏ । ପେଟ ନୁହେଁ ତ, ଘୁମ ।’

‘ସେ ଶୁଣ୍ଠିଆ ମିଣିପିଟା ତିନିଦିନ ପାଇଁ ନିଜ ପେଟର ଗମ୍ଭୀରୀ ଭିତରେ ସାଇତି ରଖିଲା ଗୋ ନଉଲୀ ଦେଈ । ଚଣ୍ଡାଳଟା ପାଇଁ ମୁଁ ଶୁଣ୍ଠି ଖାଇଲି, ପୁଣି ଅଧା-ପେଟିଆ ହେଲା ।’

‘ଆନ୍ଦ-ସାଆନ୍ତେ ଟଳିଥିଲେ । ରାତି ଅଧା ହେଲା । ସେ ଦି’ଟା ଗଲେ । ଚୁଲିପଶାଏ କେଉଁଠି ଦୁର୍ଘଟଣାରେ କି ରାସ୍ତା ଉପରେ ଭୂତ, ଚିର୍‌ଗୁଣୀ ଭେଟଣାରେ ପଡ଼ି ଦି’ ମୁହଁ ଛୁଟେଇ ମରନ୍ତେ ଯଦି...’

...ମୁଁ ତା’ କଥାରେ ବାଧାଦେଲି ଲୋ ବୋଉ । କହିଲି, ‘ରାଣ ଅଛି ଶୋଭା, ସେମିତି କହନା । ସେମାନେ ଭଲରେ ପହଞ୍ଚନ୍ତୁ । ତାଙ୍କର ଘରଣୀମାନେ ବି ଆକୁଳ ଆଖିରେ ସେମାନଙ୍କୁ ଚାହିଁ ରହିଥିବେ । ମୁଁ ଛଟପଟ ହୋଲାପରି, ସେମାନେ ବି ଛଟପଟ ହେଉଥିବେ ?’

...ପୁଣି କହିଲି, “ଆମ ସୁନା ତ ଭେଣ୍ଡି ଗୋ ଶୋଭା । ସେଥିରେ ଏତେ ଖାଦ ଯେ ତାକୁ କେଜାଣି ହରବ୍ରହ୍ମା ହେଲେ ସୁଧାରିବେ । ମୁଁ ଚାଷୀଘରର ଖଟିଖଟି ପାଣିପଙ୍କରେ ଲୋଟିଲା ବାପଛେଉଣ୍ଡୀ ଝିଅଟା । କିବା ଛାର ଯେ ତାଙ୍କୁ ସୁଧାରି ପାରିବି ?’’

...ଜାଣେନା, କେମିତି କାହିଁକି ମୋ ଆଖିରୁ ଲୁହ ଝରିଲା । ସେ ଦୁଇଟା ଛତରା ଡକେଇତଙ୍କ ପାଇଁ ନୁହେଁ, ତୋ ଗୁଣବନ୍ତ ଜୋଇଁଙ୍କ ପାଇଁ ।

...ସେ ଅତ୍ୟାଚାରୀ ଦୁର୍ଦ୍ଦାନ୍ତ ହେଲେହେଁ, ଜଣ ଜଣ କରି ଏ ଘରର ମଣିଷ, ଜୀବଜନ୍ତୁ ଏପରିକି ଗଛବୁରୁଛ, କୀଟ ପତଙ୍ଗଙ୍କ ଉପରେ ନିଜର ଶକ୍ତି ପରଖିଲେ ।

 

...ଅବଶ୍ୟ କେଉଁଠି ଜିତିଲେ, କେଉଁଠି ହାରିଲେ । ‘ଆଉଦିନେ ତୋ ମଜା ଦେଖିବି’ ଚଦି ନିରସ୍ତ ରହିଲେ । ସେ ଦି’ଟାଙ୍କ ପାଖରେ ତୋ ଜୋଇଁ ମୂଷାଙ୍କଠଉଁ ହୀନ ।’

 

...କାହିଁକି ? ୟାର ମୁଁ ଅନ୍ତ ପାଉ ନ ଥିଲି । ଶୋଭା ଭାରି ବୁଦ୍ଧିଆ ମ । ତାକୁ ଦେଖିଲେ, ତା’ କଥା ଶୁଣିଲେ, ତା’ ପ୍ରକୃତି ଓ ଢଙ୍ଗ ପରଖିଲେ ତୁ କହିବୁ, ‘ୟାକୁ ମୁଁ ମୋର ଧରମ-ଝିଅ କରିବି ଯେ, ନହୁଲୀ ତାକୁ ଶୋଭାଅପା ବୋଲି ଡାକିବ ।’

 

...କିନ୍ତୁ ସେ ଡାକଟାକୁ ଏ ଘରେ କେହି ପସନ୍ଦ କରିବେ ନାହିଁ । ତୁ ତାକୁ ତୋର ସାନ ଭଉଣୀ ଲେଖା କଲେ ଚଳିବ । ମୁଁ ଡାକିବି ଶୋଭା ମାଉସୀ । ଶାଶୁ ଡାକିଲେ ଡାକିପାରନ୍ତି ‘ଶୋଭା ସମୁଦୁଣୀ । କିନ୍ତୁ ତୋ ମାଡ଼ହାତିଆ ଛତରା ଜୋଇଁ, କେବେ ଅକାଳେ ସକାଳେ ଫାଳେ ଚଟକଣା, ଗୋଟାଏ ବିଧା କି ଦି’ଟା ଗୋଇଠା ତାକୁ ଇନାମ୍ ଦେଇପାରିବେ ନାହିଁ ।

 

...ପିଉସୀ ହିସାବ କରି ଶୋଭାଅପା ଡାକିଲେ ଚଳନ୍ତା । ତେବେ, ଅଚଳ ଅବସ୍ଥାରେ ବି ଶାଶୁଙ୍କର ଗାରୁଗାରୁ ହେବାର କାରଣ ରହିବ ।

 

...ଶଶୁରେ ତାକୁ ଭଉଣୀ ହିସାବ କରୁ ନ ଥିଲେ ।

 

...ସେ ମଲାପରେ ଶୋଭା ରାଣ୍ଡ ହୋଇ ହାତରୁ ଗିଲଟି ବଳା, କାନରୁ ସୁନା-ଫାସିଆ, ଆଉ ନାକରୁ ନୋଲକ, କାଢ଼ିବ କି ନାହିଁ, କୁଆଡ଼େ ଗାଁ ମାଇପିଙ୍କ ଭିତରେ ସେହି ଆଲେଚନା ପଡ଼ିଥିଲା ।

 

...ଶୋଭା ନିଜେ ସେମାନଙ୍କୁ ଜବାବ ଦେଇଥିଲା, “ମୋର ପ୍ରଥମ ଗେରସ୍ତ ବିଲୁଆ କାମୁଡ଼ାରେ ନିଜେ ବିଲୁଆପରି ବୋବେଇ ବୋବେଇ ମଲା । ଯୁଆନ ପାରିଲାର ଦିଅର ଥିଲା ବୋଲି ମୁଁ ରାଣ୍ଡ ହେଲି ନାହିଁ ।’’

...ମତେ ସେ କହେ, “ସେହି ଗାଆଁର ବିଶି ବିଶୋଇ ସେ ଟୋକାକୁ ଭୁଲେଇ ଭାଲେଇ ଗୋରୁଙ୍କ କାମ କରିବାକୁ କେଉଁ ବିଶିରା ରାଇଜକୁ ବର୍ଷ ଦୁଇଟା ପାଇଁ ଯିବାକୁ ଲେଖେଇ ନେଲେ । ଚାରି ଆଞ୍ଜୁଳା ଟଙ୍କା ତା’ ବୋଉ, ବୋଇଲେ ମୋ ଶାଶୁଙ୍କ ଆଗରେ କୁଢ଼େଇ ଦେଲେ । କହିଲେ, ସେଠାକୁ ଯାଇ ମାସକୁ ମାସ ପୁଣି ସେ ଟଙ୍କା ପଠେଇବ ଯେ ।’’

‘ଆଉ ଆଉ ଗାଁମାନଙ୍କରୁ କେତେ ଲୋକ ଯାଉଥିଲେ । ପତିଆରା ନ ହୁଅନ୍ତା କାହିଁକି ? ବିଶି ବିଶୋଇ ଧର୍ମାଳୁ ଲୋକ । ମୁଣ୍ଡରେ ରାମାନନ୍ଦି ଚିତା । କଣ୍ଠରେ ତୁଳସୀ ମାଳି । ହାତରେ କୋଥଳି । ପାଟି ଭୁଟୁଭୁଟୁ । ନାମ ଭଜନ୍ତି । ତାଙ୍କ କଥାରେ କିଏ ବିଶ୍ୱାସ ନ କରନ୍ତା ଯେ ।

‘କିନ୍ତୁ, ଗଲା ପୁଅ ବାହୁଡ଼ି ନୋଇଲା ଗୋ ନଉଲୀ ଦେଇ । ବିଶିରା ନ ହୋଇ ସେ ରାଜ୍ୟ ଆମପାଇଁ ମଥୁରା ହେଲା ।’

‘ଦଶ ବର୍ଷ ପରେ ଖବର ମିଳିଲା, ସେହି ଧର୍ମାତ୍ମା ବିଶି ବିଶୋଇଙ୍କ ପାଖରୁ । କହିଲେ, ଟୋକାଟା ଏଡ଼େ ଚଗଲା, ଏଡ଼େ ଟକଳା ବୋଲି ଜଣା ନ ଥିଲା । ଛି, ଛି...’

‘କହିଲେ, କାମିକା ହଁ । ହଜାର ହଜାର ଟଙ୍କା ରୋଜଗାର କଲା ଯେ ଅନୀତି କାମ ତ କଲା । ଯେଉଁ ଗୋଜାତିର ସେବା କରିବାକୁ ଯାଇଥିଲା, ତାଙ୍କରି ମାଉଁସ ଖାଇଲା । କାୟା ନଷ୍ଟ କଲା । ଏଠିକା ମାୟାକୁ ଛିଣ୍ଡାଇ ସେଠିକାର ମାୟାବିନୀର ଫାନ୍ଦରେ ପଡ଼ିଲା ।

‘ନଉଲୀ ଦେଈ ଗୋ, ପୁଣି ସେ ବିଶି ବିଶୋରା ମୁଣ୍ଡରେ କୋଥଳି ଲଗାଇ ଭୁଟୁଭୁଟୁ ହୋଇ କହିଲେ । ତାଙ୍କ କଥା ମତେ ଶୁଭୁଥାଏ-ଗୁରୁଦେବ । ମତେ କ୍ଷମାକର, ତାକୁ ବି କ୍ଷମାକର । ପେଟ ପୋଷ, ନାହିଁ ଦୋଷ ।’

‘ସେଇଠୁ ଆମକୁ କହିଲେ, ସେ ଟୋକା ସେଇଠି ମାୟାବିନୀ ଯବନୀ ଟୋକୀକୁ ସେ ଦେଶ ରୀତିରେ ବାହାହେ।ଇ ସଂସାର କଲେ । ସେଠିକା ମଉଜ ଯିଏ ପାଇଛି, ସେ ଏଠିକି ଫେରିବାକୁ କାହିଁକି ମନ କରିବ ?’

‘କ’ଣ ବୁଝିଲଣି ନା, ଯିଏ ରୁକ୍‍ମଣୀଙ୍କୁ ପାଇଛି, ସେ ରାଧା ଗଉଡ଼ଣୀକୁ କାହିଁକି ମନେପକାଇବ ? ତମେ କହୁନ, କୁହ–ଯିଏ ରତ୍ନ ସିହାଂସନରେ ବସିଛି, ସିଏ ତାକୁ ମୁରୁଛି, ଉଇ ସାଲୁବାଲୁ ସାପଙ୍କ ନିବାସ ହୁଙ୍କା ଉପରେ ବସିବାକୁ ଫେରିବ କାହିଁକି ?’

‘ଆହୁରି କହିଲେ ସେ ଧର୍ମାତ୍ମା ବିଶୋଇ-ତମେ ଦୁଃଖ କରନା । ହାତୀ ବନସ୍ତରେ ବଢ଼ିଲେ ରଜାର କି ନାହିଁ, ବିଚାର କର । ତମର ପୁଅ ଯେଉଁଠି ଥିଲେ ସେ ତମରି ପୁଅ ? ତମରି ରକତ ।’

–ସେ ଟୋକା ପୁଞ୍ଜାଏ ବାହା ସେଠି ହେଉ । ଜଣକର ପାଞ୍ଚଟା କରି ଛୁଆ ହେଲେ ତମରି ରକତ କୋଡ଼ିଏଟି ନାତି ନାତୁଣୀଙ୍କ ଧିଅରେ ବହିବ । ତମେ ମଲେ ବି ତାଙ୍କରିଠେଇଁ ବଞ୍ଚି ରହିବ ।

‘ନଉଲୀ ଦେଈ ଗୋ, ସେହି କୁଚକ୍ରୀ ମହାତ୍ମା ଏମିତି କେତେ ମଣିଷ ଶିକାର କରି ତାଙ୍କର ନିଜର ସମ୍ପତ୍ତି ବଢ଼ାଇଛନ୍ତି । ଆମର ଘରଡ଼ିହ ତିନିଗୁଣ୍ଠ ଆଉ ଜମି ଦି’ମାଣ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା ।

‘ଜମି ଗଲା । ଅବଶ୍ୟ ସେ ନେଇନାହାଁନ୍ତି । ଘର ଓ ଘରଡ଼ିହ ଉପରେ ବିଶୋଇଙ୍କର ଆଖି ପଡ଼ିଲାଣି କେବଠୁ ।

 

‘ଆଜିଯାଏ ବୁଢ଼ୀ ଶାଶୁ ବଞ୍ଚିଛନ୍ତି । ଦୁଃଖଧନ୍ଦା କରି ଚଳୁଛନ୍ତି । ଆଶା କରି ବସିଛନ୍ତି, ଦିନେ ନା ଦିନେ ତାଙ୍କ ପୁଅଟି ଫେରିବ । କୁବେର ସମ୍ପତ୍ତି ସଙ୍ଗରେ ନେଇ ଆସିଥିବ ।’

 

‘ଆଶାକରି ବସିଛନ୍ତି ଶାଶୁବୁଢ଼ୀ । ଆଖିକୁ ସବୁ ଦିଶୁଛି ଅନ୍ଧାରୁଆ । କହିଲେ, କଥା ଖନେଇ ଯାଉଛି । ତଥାପି କହୁଛନ୍ତି-ମୋ ବୋହୁ ଶୋଭାବତୀ ସାଆନ୍ତପାଟଣାର ସଆନ୍ତଙ୍କ ଘରୁ ଫେରିବ । ଏ ଘର ହସିଉଠିବ । ଗେଣ୍ଡା ପାଣି, ଦି ବୁନ୍ଦା ମହୁ, ଗୁଣ୍ଡୁଚିମୂଷାର ଦି’ ବୁନ୍ଦା ଦୁଧ, ଏକାଠି ମିଶାଇ, ଫେଣ୍ଟି ଆଖିରେ ସାତଦିନ ଅଞ୍ଜନ ଲଗାଇଲେ ଆଖିର ପରଳ ତରଳିବ । ଜଳଜଳ ହୋଇ ସବୁ ମତେ ଦିଶିବ । ସେଇଆ କରିବି ।’

 

....ସାଆନ୍ତପାଟଣାର ସାତଦିନର ପାଳି ହାଟରେ ଶନିବାର ଦିନ ସେଇ ଗାଁର ଅକସ୍ମାତ୍‌ ଯଦି ବୟସ୍କ କେଉଁ ଜଣା ଲୋକ ସାଙ୍ଗରେ ଦେଖାହୁଏ, ପଚାରିଲେ ସେ କହେ; କିଛି କିଣି ତାଙ୍କ ପାଖକୁ ପଠାଇ ଖବର ଦିଏ ସାନ୍ତରାଙ୍କ ଘରେ ମୁଁ ଭଲରେ ଅଛି । ପୁରୁଣା ସଂସାର ମନେପଡ଼ିଛି ଯେ, ପୂର୍ବ ଜନମର କଥାପରି ଲାଗୁଛି ।

 

-ବୁଢ଼ୀ ଶାଶୁଙ୍କୁ ମୋ’ର ଜୁହାର ଜଣାଇବ । କହିଦେବ ଭାଇ, ତାଙ୍କ ପୁଅ ଯଦି ଫେରନ୍ତି, ଖବର ଦେଲେ ମୁଁ ନିଶ୍ଚେ ବସିଲାଠଉଁ ଉଠିଯିବି ।

 

...ବୋଉ ଲୋ । ଅଲେଖର ମନ ତଟିଲା, ସେ ମତେ ଦେଖିବାକୁ ଆସିଥିଲା ।

 

...ଯେଉଁ କେତେଦିନ ରହିଲା, ମୁଁ ମଣୁଥିଲି, ସତେ ମୁଁ ପୁନେଇଁ ଜହ୍ନ ହାତରେ ପାଇଛି । ଛୁଆ ଭାଇଟି କେଡ଼େ ଖୁସିରେ, କେଡ଼େ ଆଗ୍ରହରେ, ବାପଛେଉଣ୍ଡ ନିଆଶ୍ରା ପିଲାଟି ତା’ ଅପା ପାଖକୁ ଆଇଚି । ତା’ ଆଗରେ ମୋ ନିଉଁଛୁଣା ଜୀବନର ଦୁଃଖଦୁର୍ଦ୍ଦଶାର ଅସନ ଘଟଣା ଗପିବି କେମିତି ? କାହିଁକି ତା’ ମନ ଊଣା କରିବି ?

 

...ତା’ ଆଗରେ ଗପିବାକୁ ସେ ଆସିବା ଦିନଯାଏ ଯାହାସବୁ ଗାରେଇ ସାଇତି ରଖିଥିଲି ତାକୁ ପଢ଼ିବାକୁ ଦେବାକୁ ମୋ ମନ ଛକପକ ହେଉଥିଲା । ଅତି କଷ୍ଟରେ ସେହି ହମହମିଆ ଛଟପଟ ମନକୁ ମୁଁ ଆକଟ କରି ରଖିଥିଲି । କାଳେ ମୋ ବାହୁନା-ପୁରାଣ ତା’ ହାବୁଡ଼ରେ ପଡ଼ିବ, ସେଥିପାଇଁ ସବୁତକ ମୁଁ ଲୁଚାଇ ରଖିଦେଇଥିଲି ।

 

...ଅଲେଖ ଫେରିଗଲା । ତୋ ଜୋଇଁଙ୍କର ସୈତାନ-ମୂର୍ତ୍ତି ଦେଖିବାର ଦୁର୍ଭାଗ୍ୟ ତା’ର ଘଟି ନ ଥିଲା । ଆନନ୍ଦରେ ତା’ର ବେଳ କଟୁଥିଲେ ବି ମୋର ଭିକାରୁଣୀ ବେଶ ଦେଖି ସେ ବିସ୍ମିତ ହେଉଥିଲା ।

 

...ଦିନେ ପଚାରିଥିଲା, ଅପା, ତୁ ଏମିତି ଅଭେକା ବେଶ ଧରିଛୁ କାହିଁକି ? ତୋ ହାତରେ ପାଣିକାଚ, ବେକରେ କାଚମାଳି, ନାକ ଫୁଙ୍ଗୁଳା, । କାନ ଫୁଙ୍ଗୁଳା, ଅଣ୍ଟା ଖାଲି, ଗୋଡ଼ ଖାଲି ଯେ ?

 

...ତାକୁ ଭୁଲାଇ ଦେଲି । ତା’ ଆଗରେ ମିଛ କହିବାକୁ ବାଧ୍ୟ ହେଲି ଲୋ ବୋଉ, ଶୋଭନ ପରା ଟାଣିଓଟାରି ପକାଉଛିରେ ଭାଇ । ତେଣୁ ସବୁ ଓହ୍ଲାଇ ଶାଶୁଙ୍କୁ ରଖିବାକୁ ଦେଇଛି ।

 

...ମାଧୁରୀଙ୍କର ମୂଲିଆ ବାପର ସାରା ଜୀବନର ପେଟ କାଟି ସଞ୍ଚିଥିବା ଧନରେ କିଣା ଓ ଗେଲବସରୀ ମାନ-ଥିଲା ଝିଅଟାକୁ ଦାଣ୍ଡ ସୁନ୍ଦର ତିନିସରିଆ ଖାଣ୍ଟି ସୁନା ଚେନ୍ ହାରଟିକୁ ମୁଁ ରଖିବାକୁ ଶାଶୂଙ୍କୁ ନ ଦେଇ ନିଜେ ଲୁଚାଇ ରଖିଥିଲି ।

 

...ସେଇଥିପାଇଁ କେତେ କାଣ୍ଡ ଘଟିଗଲା । ପୁଣ୍ୟବତୀ ମାଧୁରୀଙ୍କୁ ମୁଁ ପ୍ରେତିନୀ କରି ମୋ ଭିତରକୁ ଓଟାରି ଆଣିଥିଲି ।

 

...ଜେମାଦେଈ ଅପା ସାମନ୍ତାଣୀ ଦିନେ ମତେ କହୁଥିଲେ, ‘ମଲାବେଳ ପାଖେଇ ଆସିଲାଣି ଲୋ ମା’ ନଉଲୀ, ଏବେ ମୋ ମନରେ ବିଚାର ଆସିଲାଣି ଯେ ଭୂତ, ପ୍ରେତ, ଚିରଗୁଣୀ, ଏଗୁଡ଼ା ସବୁ ମନର ଧାରଣାର ମୂର୍ତ୍ତି । ଯିଏ ଗଲା, ସିଏ ଗଲା । ମୋକ୍ଷ ହେଲା ଅବା ଆଉ କେଉଁଠି ନୂଆ ଜୀବନ ହୋଇ ଜନମ ଲଭିଲା ।’

 

...ସେ ଯାହାହେଉ, ସେହି ଅଶରୀରୀର ଧାରଣଟି ଦିନେ ତୋ ଜୋଇଁଙ୍କର ଅରଣା ଖୋଇକୁ ଆୟତ୍ତ କରିଥିଲା ।

 

...ଦିନେ ରାତିରେ, ସେଦିନ ସେ ବେଶୀ ମଦ ପିଇ ନ ଥିଲେ, କିନ୍ତୁ ପିଇଥିଲେ, ସେ ମୋ ବେକରେ ସେହି ହାରଟି ଦେଖି ପଚାରିଲେ, “ମାଧୁରୀ ତ ଆଉ ଦିଶୁନାହାଁନ୍ତି ?’’

 

...କହିଲି, “ତମେ ପାଠୁଆ ଲୋକ । ମୁଁ ମୂର୍ଖ । ମତେ କାହିଁକି ପଚାରୁଛ ? ଗୁଣିଆମାନେ ସମସ୍ତଙ୍କର ଦେହ କିଳିଥିଲେ । ଘରଦ୍ଵାର ସବୁ କିଳିଥିଲେ । ତାଙ୍କର ହାରଟିକୁ ତ ସେମାନେ କିଳି ନ ଥିଲେ । ଆଉ ଆଉ ଗହଣା ଯଦି ତାଙ୍କର କିଛି ଥିବ ସେସବୁ ବି କିଳା ହୋଇ ନ ଥିଲା ।’’

 

....ସେ କହିଲେ, ‘ସ-ତେ ତ ।

 

...ମୁଁ ତାଙ୍କର ଡରୁଆପଣ ଦେଖି ନିଜେ ଉତ୍ସାହିତ ହେଲି । ପୁଣି କହିଲି, “ସତ ନୁହଁ କ’ଣ ମିଛ ? ଏଇ ହାରଟି ଭିତରେ ତାଙ୍କର ମମତା ରହିଥିଲା । ଶୋଭନର ଦେହରେ ଗୁଣିଆଙ୍କର ମନ୍ତ୍ର ପାଣି ପଡ଼ିଛି । ସେ ତାଙ୍କରି ସନ୍ତାନ । ତା’ର କୌଣସି ଅନିଷ୍ଟ ସେ କରିବେ ନାହିଁ ।’’

 

...ତୋ ଜୋଇଁ କହିଲେ, “ସେଇଟାକୁ ତୁ ଓହ୍ଲାଇ ବୋଉକୁ ରଖିବାକୁ ଦେଇଦଉନୁ ? ସେ ତ ତା’ ଲୁହା ବାକ୍‌ସରେ ରଖିଦେବ । ମାଧୁରୀ ସେଇଠି ବନ୍ଦୀ ହୋଇ ରହିବ । ଆଉ ଉତ୍ପାତ କରିବାକୁ ବାଟ ପାଇବ ନାହିଁ ।’’

 

...କହିଲି, ଏତେ ପାଠପଢ଼ି ଏଇ ବୁଦ୍ଧି ତମର ହେଲା । ସେ ଶୂନ୍ୟ ଦେହ ଧରି ବୁଲନ୍ତି । ଲୁହା ବାକ୍‌ସରେ ତାଙ୍କୁ ଅଟକାଇ ପାରିବ ନାହିଁ । ନିଆଁ, ପାଣି, ପବନ ତାଙ୍କର ଗମନାଗମନରେ ପ୍ରତିବନ୍ଧକ ହୋଇପାରିବ ନାହିଁ ।

 

‘ତା’ ଛଡ଼ା ସେ ତାଙ୍କ ପୁଅର ପାଖ ଛାଡ଼ି ନାହାଁନ୍ତି । ଶୋଭନ ରାତିରେ ମୋ ପାଖରେ ଶୁଏ ତ, ଏଡ଼େ ବଡ଼ ପୁଅ ହେଲାଣି ଚୁଚୁମିବା ଅଭ୍ୟାସ ଛାଡ଼ିପାରିଲା ନାହିଁ ।’

 

‘ମୋ ଛାତିରୁ ରସ ଶୁଖିଗଲାଣି । ମତେ ଖାଲି ରେକ୍‌ଟିଲେ ଦାନ୍ତେଇ ଦେଉଛି । କାଟୁଛି । ଆଙ୍ଗୁଠି ଚୁଚୁମି ଦୁଇଟାଯାକ ବୁଢ଼ାଆଙ୍ଗୁଠିରେ ତିଷ୍ଠି ହେଲା । ପାଚିଲା କନା ବାନ୍ଧିଦେଇଛି ।’

 

‘ନ ଚୁଚୁମିଲେ ସେ ଛଟପଟ ହେଉଥିବ । ତେଣୁ ମାଧୁରୀଙ୍କ ହାରରେ ଦୁର୍ଗାମୂର୍ତ୍ତି ଅଙ୍କା ବଡ଼ ଆମ୍ବକଷିଆ ପଦକଟିକୁ ତା’ ପାଟିରେ ଦେଇ ହାରଟିକୁ ଧରାଇ ଦେଲେ ସେ ଛୁଟ୍ କରି ଶୋଇପଡ଼େ ।’

 

...ସେ କ’ଣ ବୁଝିଲେ, ମୋ କଥାରେ ସେ ବିଶ୍ୱାସ କଲେ କି ନାହିଁ ମୁଁ ଜାଣିପାରିଲି ନାହିଁ । ଦୀର୍ଘଶ୍ୱାସ ଛାଡ଼ି ସେ ମୋର ରହିବା ଘର ବାରଣ୍ଡାକୁ ବାହାରିଗଲେ । ମୁଁ ଜାଣିପାରିଲି ନାହିଁ ।

 

...ଅଗଣାର ଅନ୍ଧକାର ଭିତରୁ ତାଙ୍କର କାଶ ଶୁଭିଲା । କୃଷ୍ଣପକ୍ଷ ରାତି । ତିଥି କ’ଣ ମୁଁ ଜାଣି ନ ଥିଲି । ଶାଶୁଙ୍କ କୋଠରି ଭିତରୁ ଆଲୁଅର ଝଲକ ଦିଶୁଥିଲା । କାହାରି ପାଟିର ଶବଦ ଶୁଭୁ ନ ଥିଲା । ଶୋଭାର ରୋଷଘରୁ କାମ ସରି ନ ଥିଲା ପରା । ସରିଥିଲେ ସେ ଥରେ ମୁହଁ ମାରିଦେଇ ଅବଶ୍ୟ ଯାଇଥାନ୍ତା ।

 

...ଶୋଭନର ବାପା ସକାଳୁ ଗାଁ ଭିତରେ ବୁଲିବୁଲି କାହାର ସବୁ ଘରକୁ ଯାଇଥିଲେ । ଉଦ୍ଦେଶ୍ୟ ତାଙ୍କୁ ଜଣା । ଫେରିଲାବେଳେ ଗାଧୁଆ ବେଳଟାରେ ସେ ଗ୍ରାମର କେତେଜଣ ଲୋକଙ୍କ ସଙ୍ଗରେ ଆସି ଦାଣ୍ଡଘରେ ପଶିଥିଲେ ।

 

...ଦି ଆଡ଼ର କବାଟ ବନ୍ଦ କରି କ’ଣ ସବୁ କଥାଭାଷା ହେଉଥିଲେ । ଦିନବେଳା ବୋଲି ଶୋଭା କାନ ପାରି ଶୁଣିବାକୁ ସାହସ କରି ନ ଥିଲା । ତଥାପି ବାଆଁରେଇ ହୋଇ ତୋ ଜୋଇଁଙ୍କୁ ଗାଧୁଆବେଳ ଗଡ଼ିବାକୁ ବସିଲାଣି ତମର ସନାନ କରିବା ଉଚିତ, ଏହା ଜଣାଇ ଦେବାକୁ ସେ ଲଙ୍ଗ ପଙ୍ଗ ହୋଇଥିଲା ।

 

...ବୁଝିଲି, ଜମିବାଡ଼ିର ବିକ୍ରିବଟା କଥା ପଡ଼ିଛି । ୟାଙ୍କ ଘରବାରିର ଯେଉଁ ସରହଦୀ ବାଡ଼, ତା’ର ଉତ୍ତରପାଖରେ ମେଳଣ ପଡ଼ିଆ । ସେହି ବିସ୍ତୀର୍ଣ୍ଣ ପଡ଼ିଆରେ କାଁ ଭାଁ ହୋଇ ବଡ଼ ବଡ଼ ବୁଢ଼ା ଆମ୍ବ ଗଛ । ବିଞ୍ଚି ଦେଲା ପରି ଆକାଶର ମଥାନିଛୁଆଁ ଗୁଡ଼ିଏ ନଡ଼ିଆ ଗଛ ।

 

...ମେଳଣ ପଡ଼ିଆର ମଝିଆମଝି ପୋଖରୀଟି ବେଶ୍ ବଡ଼ ଯେ ଖରାଦିନେ ସାତତାଳ ପଙ୍କ ଉପରେ ପାଣି ଆଣ୍ଠୁଏ ଥାଏ । ଯେଉଁ ବର୍ଷ ଅତ୍ୟଧିକ ଖରା ହୁଏ ପୁଣି ଶୁଖି ଉପର ପଙ୍କର ସ୍ତର ଫାଟିଯାଏ ।

 

...ଗତସନ ଖରାଦିନେ ୟାଙ୍କ ବଡ଼ ବାରିର ପୋଖରୀହୁଡ଼ାର ଉତ୍ତର ପାଖ ବାଡ଼ିରେ ଗୋଦା ମେଲା ହୋଇଥିଲା । ପଡ଼ିଆରେ ଚରୁଥିବା ଗୋରୁଗାଈ ସେଇ ଗୋଦାବାଟେ ବାରିରେ ପଶୁଥିଲେ । ୟାଙ୍କର ବାରିପୋଖରୀରୁ ପାଣି ପିଉଥିଲେ ।

 

...ତାକୁ ବାଡ଼ାବନ୍ଦି କରିବାକୁ ମୁଁ କହିଲି । ମୋ ଶାଶୁ ସାମନ୍ତାଣୀ ମୋ ଚିବୁକ ଧରି ବୁଝାଇ କହିଲେ, “ଶୁଣିଲି ଲୋ ମା, ବିନୋଦବିହାରୀ ଠାକୁରଙ୍କର ଭଙ୍ଗା ମନ୍ଦିର ଆଗରେ ଥିବା ମୁଣ୍ଡମରା ପୋଖରୀର ପାଣି ଏବର୍ଷ ଶୁଖିଯାଇଛି । ପଙ୍କ ଫାଟିଛି । ସେ ପାଖର ବାମ୍ଫୀରେ ଅବଶ୍ୟ ପାଣି ଥିବ । ହେଲେ ଗାଈଗୋରୁ ପିଇବେ କେମିତି ? ଖରାଦିନ ଯାଉ, ବା ବର୍ଷା ହେଉ, ବାଡ଼ାବନ୍ଦି କରିହେବ ।”

 

....ପଚାରିଲି, ‘ବୋଉ’ ’ହରିନନା ଯଦି ଠାକୁରଙ୍କର ସବୁ ଭୂମି ଭୋଗ କରୁଛନ୍ତି ତାଙ୍କର ତତ୍ତ୍ୱ ନେବାକୁ, ସେ କାହିଁକି ମନ୍ଦିର ମରାମତି ନ କରିବେ, ପୋଖରୀରୁ ପଙ୍କ ନ କଢ଼ାଇବେ ?’

....ସ୍ନେହରେ ସେଦିନ କେଜାଣି କାହିଁକି, ମୋର ଅଚଳ ଶାଶୁ ତାଙ୍କର ଅଞ୍ଚଳରେ ମୋ ମୁହଁ ପୋଛିଦେଲେ । ତାଙ୍କ ଆଖିରେ ଲୁହ ଛଳ ଛଳ ହେଲା । କହିଲେ, ‘ଏତିକି ବିଶ୍ୱର, ଏତିକି ବୁଦ୍ଧି ଯଦି ସେହି ଚଣ୍ଡାଳ ଟୋକାଟାର ଥାନ୍ତା, ଯଦି ସେ ତୋ ପରିକା ହୀରାଖଣ୍ଡର ମୂଲ୍ୟ ବୁଝନ୍ତା... ’

...ସେ ଆଉ କହିପାରିଲେ ନାହିଁ । ତୁନି ରହି ଦୁଃଖର କୋହକୁ ଢୋକିଲେ । କେତେବେଳକେ ତାଙ୍କର ଉଦ୍‍ବେଗକୁ ଆୟତ୍ତ କରି କହିଲେ, ‘ମା’ ଲୋ, ବେଳେବେଳେ ମୋ ମନ ତମ ଦୁହିଁଙ୍କୁ ତଉଲେ...ତତେ, ଆଉ ମାଧୁରୀକୁ ।’

...ମୁଁ ତାଙ୍କୁ ଆଉ କୁହାଇଦେଲି ନାହିଁ । ମୋର ଦୁଃଖିନୀ ଶାଶୁଙ୍କୁ କହିଲି, ମାଧୁରୀଙ୍କ ସମ୍ବନ୍ଧରେ ମୁଁ ଯାହା ଶୁଣଛି, ଜାଣିଛି, ତାଙ୍କର ଗୋଡ଼ଘଷା ପଥର ସଙ୍ଗରେ ମୁଁ ସମାନ ନୁହେଁ । ଧରିତ୍ରୀ ମାତା ପରି ସେ ସର୍ବସହଣୀ ଥିଲେ । ଉଦାର ଓ କ୍ଷମାଶୀଳା ।

...ଶାଶୁ କହିଲେ, ସବୁ ମହତପଣିଆକୁ ସେ ଜୁଇରେ ଜଳାଇ ପାଉଁଶ କଲା ତ ଶେଷକୁ...ଆତ୍ମଘାତିନୀ ହେଲା । ଅନନ୍ତ କାଳ ପାଇଁ ନରକରେ ପଡ଼ି ଦୁଃଖଯନ୍ତ୍ରଣା ପାଇବାକୁ ସେ ସେହି ଦୁର୍ବୁଦ୍ଧି କଲା ।

...ଅସଙ୍ଗତ ହେଉ ପଛେ, ମୁଁ ବିନମ୍ର ହୋଇ ଶୋଭନର ଜନ୍ମଦାତ୍ରୀ ମାଧୁରୀଙ୍କ ପାଇଁ ପ୍ରତିବାଦ କଲି, ସେପରି କୁହନୀ ବୋଉ । ମୁଁ ଜାଣେ, ସେ ପୁଣ୍ୟମୟୀ ଥିଲେ । ଚନ୍ଦ୍ରମାଠାରେ କଳଙ୍କ ଅଛି, ସେ ଥିଲେ ନିଷ୍କଳଙ୍କ । ସେ ସର୍ବସହଣୀ, ନିଃସ୍ୱାର୍ଥପର ଥିଲେ ।

ଏ କୁଟମ୍ବର ମଙ୍ଗଳ ପାଇଁ, ଅନ୍ୟମାନଙ୍କର ସୁଖ ସ୍ଵାଛନ୍ଦ୍ୟ ଓ ସୁବିଧା ପାଇଁ ସେ ନିଜେ ବାଟରୁ ହଟିଗଲେ ।

 

‘ତାଙ୍କୁ ନରକକୁ ପଠାଇବାକୁ ଯମରାଜ ବିଚାର କରୁଥିବାବେଳେ ସ୍ୱୟଂ ନାରୟଣ ସ୍ୱର୍ଣ୍ଣରଥ ପଠାଇ ସେହି ପୁଣ୍ୟମୟୀଙ୍କୁ ବୈକୁଣ୍ଠକୁ ନ ନେଇ ଥିବେ କାହିଁକି ?’

 

...ବୋଉଲୋ, ଶାଶୁ ଟିକିଏ ଅସ୍ଥିର ହେଲେ । ମତେ କହିଲେ, “ତୋ ଜେମାଦେଈ ଅପା ତତେ ସବୁ ପୋଥିପୁରଣ ପଢ଼ାଇ, ଲେଖାଇ ଯୋଗ୍ୟ କରିଥିଲେ । ଜୟୀ ନାୟକେ ତୋର ପ୍ରଶଂସା କରି କହିଥିଲେ । ସତକଥା, ତୁ ଯେମିତି ସୁନ। ଝିଅ, ସେମିତି ସୁନା ବୋହୁ ।’’

 

...ଶାଶୁଙ୍କର ପ୍ରଶଂସା ଶୁଣି ମୁଁ ତୁନି ରହିଗଲି । ପ୍ରତିବାଦ କରିଥିଲେ କି ଲାଭ ହୋଇଥାନ୍ତା-। ସେ ଯଦି ପଚାରିଥାନ୍ତେ...

 

‘ମାଧୁରୀର କଲବଲ ଆତ୍ମା ଯଦି ବୈକୁଣ୍ଠକୁ ଗଲା, ସେ ପୁଣି ପ୍ରେତିନୀ ହୋଇ ଏ ପୁରରେ ଆତଯାତ ହେଲା କିପରି ?’

 

...କି ଉତ୍ତର ମୁଁ ଦେଇଥାନ୍ତି ?

...ତାଙ୍କ ପାଖରୁ ମୁଁ ଚାଲିଆସିଥିଲି ।

 

...ଏଠାକା ବାରିର ପୋଖରୀହୁଡ଼ା କଡ଼ର ବାଡ଼ରେ ଯେଉଁ ଗୋଦା ମେଲା ହୋଇଥିଲା ସେହି ବାଟରେ ଦିନେ ଛାଇନେଉଟବେଳେ ଶୋଭା ସାଙ୍ଗରେ ବିନୋଦବିହାରୀଙ୍କର ପୁରୁଣା ମନ୍ଦିର ଆଗର ଶୁଖିଲା ଠାଉ ଠାଉ ପୋଖରୀର ହୁଡ଼ା ପାଖର ଆମ୍ବଗଛ ତଳକୁ ମୁଁ ଯାଇଥିଲି ।

 

...ଶୋଭା ପୋଖରୀ ଭିତରକୁ ଗଡ଼ିଲା । ଆମ୍ୱଗଛରେ ଆମ୍ୱ କେଇଟି ପାଚି ହଳଦିଆ ଦିଶୁଥିଲା । ଶୁଣିଥିଲି, ଏ ଗଛର ଆମ୍ବ ଛୋଟ ହେଲେ ବି ମହୁପାଣି ପରି ମିଠା । ଧୀର ପବନରେ ଆପେ ଯଦି ଝଡ଼ନ୍ତା ଶୋଭନ ପାଇଁ ନିଅନ୍ତି । ସେ ଶାଶୁଙ୍କ ପାଖରେ ଖେଳୁଣୁ ଶୋଇପଡ଼ିଥିଲା ନୋହିଲେ ନିଶ୍ଚେ ଧାଇଁ ଆସିଥାନ୍ତା ।

 

...ଶୋଭା ପୋଖରୀ ଭିତରୁ ପାଟି କଲା, ଦେଖିବ ଆସ ଦେଈ, ଧାଇଁଆସ, ଧାଇଁଆସ ?

 

...କ’ଣ କି ବୋଲି ପଚାରି ମୁଁ ସଙ୍ଗେ ସଙ୍ଗେ ପାଖକୁ ଗଲି । ସେ ଶୁଖି ଫାଟି ଆଁ କରିଥିବା ପଟୁ କେଇଖଣ୍ଡ ଉଠାଇ କଡ଼କୁ ଫିଙ୍ଗି ଦେଇଥିଲା । ପଙ୍କୁଆ ଜକଜକିଆ ଦି ଆଙ୍ଗୁଳ ପାଣି ଭିତରେ ସାଲୁବାଲୁ ହଉଥିଲେ ଚାଖଣ୍ଡେ ଚାଖଣ୍ଡେ ଲମ୍ବର କଳା କିଟିକିଟି କଉମାଛ ଗୁଡ଼ାଏ । ପଙ୍କ ସାଲୁସାଲୁ ।

 

...ଖାଇବାକୁ ସିନା ମୁଁ ଭଲ ପାଏ, ଜିଅନ୍ତା କଉକୁ ଛୁଇଁବାକୁ ମୋର ପ୍ରାଣେ ଡର । ପିଲାଦିନେ ସେ ଦୁର୍ବୁଦ୍ଧି କରି କଉକଣ୍ଟା ହାତରେ ପୂରାଇ ମୁଁ ଯେମିତି ଛଟପଟ ବିକଳ ହେଉଥିଲି ମୋ ମନେପଡ଼ିଗଲା । ତୋର ମନେଥିବ । ସେକାଳର ଛନକା ମୋ ମୁଣ୍ଡ ଭିତରେ ବସାବାନ୍ଧି ରହିଛି ।

 

...ସାହାଯ୍ୟ କରିବାକୁ ଶୋଭା ମତେ ଅନୁରୋଧ କଲା । ମୁଁ ମଙ୍ଗିଲି ନାହିଁ । ବିଚରା ଏକୁଟିଆ ଗୋଟି ଗୋଟି କରି ଅତି ସାବଧାନ ହୋଇ ଧରି ତା’ ପଣତକୁ ମୁଣାପରି କରି ସେଥିରେ ଭରିଲା । ପଣତକୁ ଧରିବାରେ ମୁଁ ଅବଶ୍ୟ ତାକୁ ସାହାଯ୍ୟ କରିଥିଲି ।

 

...ମୁଣାରେ ମୁଣିଏ । ଆହୁରି ପଟୁ ଛେଲା ଟେକି ଆଉ ମୁଣାଏ ମୋ କାନିରେ ଭରିବାକୁ ତା’ର ଲୋଭ ହେଉଥିଲା । ମୁଁ ମନା କଲି ।

 

...କହିଲି, ସେମାନେ ଖରାପ ଭାବିବେ । କେଉଁ ଗ୍ରାମବାସୀ ପୁରୁଷ, ସ୍ତ୍ରୀ ବା ପିଲାଙ୍କର ହାବୁଡ଼େ ପଡ଼ିଲେ ସେମାନେ ପ୍ରଚାର କରିବେ, ‘ସାମନ୍ତାରାଙ୍କ ଘରର ଭୁଆସୁଣୀ ବୋହୁଟା ପୋଖରୀ ପୋଖରୀ ବୁଲି ପଙ୍କ ଚକଟୁଛି, ମୀନ ଦରାଣ୍ଡୁଛି । ଅଣ୍ଟିରେ ପୂରାଇ ନେଉଛି ।’

 

‘ଶିମୁଳି ତଳ ଚକ ଜମି ନିଜର ଗ୍ରାମବାସୀଙ୍କୁ ଅଳପ ଧନରେ କବଲା କଲେ ସେ, ଆନ୍ଦ ସାନ୍ତରା କ’ଣ ସିନେମା ବେପାର କରିବେ । ଗଉଣୀ ମୁହଁରେ ଟଙ୍କା ମାପି ପିତଳ ଘୁମରେ ରଖିବେ-। ଆହୁରି ବହକା ହେଲେ ଓଳିଆ ବାନ୍ଧିବେ । ସେଇଠୁ ଖଣି ପକାଇବେ । ତାଙ୍କରି ମାଇପିଟା ବା । ଏହିପରି ନିନ୍ଦା ରଟାଇବେ । ଶୋଭା ମୋ କଥା ମାନିଲା । ଯେତିକି ହେଲା ସେତିକିରେ ସନ୍ତୁଷ୍ଟ ହୋଇ ପୋଖରୀ ଭିତରୁ ଉଠିଆସିଲା ।’

 

...ଦୂରରେ ଥିବା ଗାଈଜଗା ପିଲାଙ୍କର ଦୃଷ୍ଟି ଆମେ ଏଡ଼େଇ ପାରି ନ ଥିଲୁଁ ।

 

...ତିଳରୁ ତାଳ ହୋଇ ଏହି ସାମାନ୍ୟ ଘଟଣାଟି କାୟା ବିସ୍ତାର କରିଥିଲା । ଲୋକଙ୍କର ମୁହଁରୁ ମୁହଁ ଡେଇଁ କିମ୍ଭୁତ ହୋଇଥିଲା । ମୋ କାନରେ ପଡ଼ି ମତେ ତଟସ୍ଥ କରିଥିଲା ।

 

...ଗାଁ ମାଇପେ କିଏ କେବେ ଆସି ଶାଶୁଙ୍କ ସଙ୍ଗେ ଗପ କରନ୍ତି । କଦବା କେହି ବୋହୁମାନେ ମୋ ପାଖକୁ ଆସି ବାରକଥା ଗପନ୍ତି । ମୋଠାରୁ ଘରର ଗୁମର ବୁଝିବାକୁ ଗୋଟାପଣ ଆପଣାର ହୁଅନ୍ତି । ମୁଖଭଙ୍ଗୀ କରି କେତେ କଥା ଗପନ୍ତି । ମୁଁ ବି ଗାଁ ଝିଅ । ଏମିତିଆ ବହୁତଙ୍କର ସମ୍ପର୍କରେ ଆସିଛି । ମୋତେ କ’ଣ ସେମାନେ ବଳେଇ ପାରନ୍ତେ ?

 

...ତୁଚ୍ଛାଟାରେ ଯେଉଁ ନିନ୍ଦା ଆମ ଗାଁରେ, ମୋ ନାମରେ ରଟାଇଲେ ତା’ରି ଫଳ ହେଲା ମୋ ପାଇଁ ଡକେଇତ ଘର, ଦୋବେଇ ମଦୁଆ ଚରିତ୍ରହୀନ ଅତ୍ୟାଚାରୀ ବର ।

 

...ଠାକୁରଙ୍କୁ ଏତିକି ଧନ୍ୟବାଦ ଯେ ସେ ମୋତେ ସାନ୍ତ୍ୱନା ଦେବାକୁ, ସବୁ ଦୁଃଖ ସହି ବଞ୍ଚି ରହିବାକୁ ଦେଇଛନ୍ତି ସ୍ନେହଶୀଳା ଶାଶୁ, ବିଶ୍ୱାସୀ ବାନ୍ଧବୀ । ଚାକରାଣୀ ବୋଲି ମୁଁ ତାକୁ କେବେ ମଣିନାହିଁ...ଶୋଭା । ଅମୂଲ୍ୟ ରତନ ପୁଅ ଶୋଭନ ।

 

...ମୁଁ ‘ସାତ ଚକଟା, ପୋଳୁହ ଘଣ୍ଟା’ ହୋଇସାରିଛି । ଗାଁର ବୋହୁଏ ମତେ ବଳେଇ ପଡ଼ନ୍ତି ନାହିଁ । ତାଙ୍କର ମନକୁ ମୁଁ ପୁରାଣର ଗଳ୍ପଆଡ଼କୁ ଓଟାରି ନିଏଁ । ଜେମାଦେଈ ଅପାଙ୍କ କଥା କହେ । ସେମାନେ ମନଦେଇ ଶୁଣନ୍ତି ।

 

...ମୁଁ ଚାତର କାଢ଼େ ନାହିଁ । ସ୍ନେହ-ବିଶ୍ଵାସରେ ଆସିଥିବା ଚାଷୀଘରର ବୋହୁମାନଙ୍କ ଆଗରେ ମିଛ ବଡ଼ପଣ ଦେଖାଏ ନାହିଁ ।

 

...କହେ, ‘ସହସ୍ର ଚାଷୀମୂଲିଆ ଘରର ଝିଅମାନଙ୍କ ପରି ମୁଁ ସବୁକାମ କରେ । ଯାହା ମିଳେ ସେତକ ଶାନ୍ତି ସନ୍ତୋଷରେ ଖାଏଁ ?’

 

...ପୁଣି କହେ, “ଏଇ ବଡ଼ଘରର ଚଳଣି ଅଲଗା । ମୋ ଶାଶୁଙ୍କ ଦୟା ଯେ ସେ ଗୋଟାଏ ଚଷାଘରର ଛେଉଣ୍ଡୀ ଝିଅକୁ ବୋହୁକରି ଆଣିଲେ ।’’

 

...ଦିନେ ଆସିଥିଲେ ଜଣେ ଅଧ-ବୟସୀ । ସେ ଏଇ ଗାଁର ଝିଅ, ଏଇ ଗାଁର ବୋହୁ । ଏ ପଡ଼ା-ସେ ପଡ଼ା । ସେ ଦିଓଟି ଝିଅଙ୍କର ମା’ । ବଡ଼ଝିଅ ବୁଇକୁ ପାଳିଛନ୍ତି ତା’ ବୋଉ । ସାନ ଯୁଇକୁ ପାଳିଛନ୍ତି ତା’ ଶାଶୁ ।

 

...ତାଙ୍କର ଜମି ଅଳ୍ପ ଅଛି । ଗେରସ୍ତ ମଦନ ଓ ଦିଅର ପଦନ ଦୁଇଟି ବଳଦଗାଡ଼ି କରିଛନ୍ତି-। ହାତୀପରି ପୁଞ୍ଜାଏ ବଳଦ । ବଳଦ ନୁହଁନ୍ତି ଯେ ଚାରିଟା ପୋଷଣହାରୀ ପୁଅ । ଭଲ ରୋଜଗାର ।

 

...ତାଙ୍କର ବୁଢ଼ା ଶଶୁରେ ଅଫିମ ଖାଇ ଢୁଳାଉଥାନ୍ତି । ବାପ ଗଞ୍ଜେଇ ଟାଣନ୍ତି ।

 

...ତାଙ୍କ ନାମ ଦୂତିକା । ପରଘର ଭଙ୍ଗା ଖୋଇ ସେହି କଅଁଳ କହୀର ଅଛି ବୋଲି ପତରଗଳୀ ଶୋଭା ଦିନେ ମତେ ସାବଧାନ କରିଦେଇଥିଲା ।

 

...ଦିନେ ଦି ପହରେ ପାଞ୍ଚ ବର୍ଷର ସାନଝିଅ ଯୁଇକୁ ନେଇ ଦୂତିକା ମୋ ପାଖକୁ ଆସିଥିଲେ । ଏଣୁ ତେଣୁ ବାରକଥା ଗପିଲେ । କିଛି ନ ଜାଣିଲା ପରି କିଛି ନ ଶୁଣିଲା ପରି ଶୋଭା ମୋ ଘରର ବାହାର ବାରଣ୍ଡାରେ ବସି କନ୍ଥା ସିଉଁଥାଏ ।

 

...ତା’ର ହାତ ତିଆରି କନ୍ଥା ଯେ ନକ୍‌ସା କାମରେ ଭରପୁର; ଦେଖିଲେ ଲୋଭ ହେବ । ମୁଁ ଗୋଟିଏ ପାରି ଶୋଉଛି ।

 

...ସେ ଆମ କଥାଭାଷାକୁ କାନେଇଁ ରହିଥାଏ । ଏଣୁତେଣୁ କେତେ କ’ଣ ଗପି ଦୂତିକା କହିଲେ ...

 

‘ଆଗୋ, ବିଗତ ସାଲ ଗ୍ରୀଷମକାଳେ ଦି’ପହରେ ଯେଉଁ ଶୁଖିଲା ପୋଖରୀର ପଙ୍କପଟୁ ଉଠାଇ, ପଙ୍କ ଚକଟି ତମେ କଉମାଛ ଧରୁଥିଲ, ତା’ ନାଁ କାହିଁକି ମୁଣ୍ଡମରା ପୋଖରୀ ହୋଇଛି ଜାଣିଛି ?’

 

‘ବାପାଙ୍କ ମୁହଁରୁ ପିଲାଦିନେ ଶୁଣିଥିଲି । ଏବେବି ବୁଢ଼ା ଶଶୁର ତାଙ୍କ ପିଲାଦିନର ଶୁଣିଲା କଥା, ଗପିହୁଅନ୍ତି । ଯିଏ କହିବ, ଅଫିମ ନିଶା । କିନ୍ତୁ ଆମେ ଜାଣୁ ସେ ନିଶାର ବାଉଳ-ହାଉଳ ନୁହେଁ । ସତ ଘଟଣା ।

 

‘ହରିନନାଙ୍କ ଘରେ ଧାନ କୁଟିବାକୁ, ଅବା ଘର ଲିପିବାକୁ ମୁଁ କେବେ କେବେ ଯାଏ । ଘର ଲିପିବାକୁ ନୁହେଁ ଗୋ ନଉଲୀ ଦେଈ, ଆଗରୁ ସେ ବିଧାନ ରହିଛି । ଛତିଶି ପାଟକର ରଜା ସେ ବଂଶ । ଆମେ ବିନୋଦବିହାରୀଙ୍କର ପ୍ରଜା ।

 

‘ହରିନନା ଅନ୍ୟମାନଙ୍କୁ କହିବାର ମୁଁ ନିଜେ ଶୁଣିଛି ?’

 

...କେତେଥର-କ’ଣ ଶୁଣିଛ ? ପଚାରିଲାରୁ ଦୂତିକା କହିଲେ, “କେଜାଣି କେଉଁ ଅମଳରେ, ଫିରିଙ୍ଗି ରାଜୁତି ହୋଇ ନ ଥିଲା, ତମ ଶଶୁରଘର ସାନ୍ତରା ବଂଶ ଏ ମଣ୍ଡଳକୁ ରାଜୁତି କରୁଥିଲେ । ତାଙ୍କ ପରିକା କେତେ ମଣ୍ଡଳର ଅଧିକାରୀ ଥିଲେ ତମ ଗାଁର ରାଉତରା ଘର । ଖାଲି ନାଆଁକୁ । କିଏ ମାନୁଥିଲା ?’’

 

‘ସାନ୍ତରାମାନେ ଏଇ ଗାଁର ଖଣ୍ଡେଇତଙ୍କୁ ଭେଳାଇ ଖଣ୍ଟବୃତ୍ତି କରୁଥିଲେ । ଯାହା ପାଉଥିଲେ ଲୁଟିକରି, ବାଣ୍ଟି ନେଉଥିଲେ । କାଳେ ଲୋକେ ପ୍ରତାପୀ ରାଉତଙ୍କ ପାଖେ ଗୁହାରି କରିବେ, ସେହି ଡରରେ ସେମାନଙ୍କର ମୁଣ୍ଡ କାଟି ସେହି କେଉଁକାଳର ପାତାଳଫୁଟା ପୋଖରୀରେ ମୁଣ୍ଡ ଗଣ୍ଡି ଫୋପାଡ଼ି ଦେଉଥିଲେ, ପଥର ବାନ୍ଧି ।’

 

‘ଥିବେ, ନା ରାଉତେ ଜାଣିବେ ? ବିଲୁଆ ଶାଗୁଣା ବି ବାସ ପାଇବେ ନାହିଁ, ଅନ୍ତ ପାଇବେ ନାହିଁ ।’

 

‘ନଉଲୀ ଦେଈ ଗୋ, ସାନ୍ତରାବଂଶର ରାବଣ ପରିକା ଖାଉଡ଼ ଛିଣ୍ଡିଛିଣ୍ଡିକା ଆସି ରହିଲାଣି ଦିଓଟିରେ । ଯମ ଅଇଁଠା ଆନ୍ଦ ସାନ୍ତେ, ଆଉ, କୋଉ ପୁଅରେ ଲେଖା ମା’-ଛେଉଣ୍ଡ ତମର ଏ ପୁଅ ଶୋଭନ ।’

 

‘ଜନମ କଲା ମା’ଠାରୁ ବଳି ଛୁଆଟିକୁ ସେନେହ କରୁଛ, ସତ ଯେ, ଜନମ କରିନା ତ । ତମର ନିଜ ପେଟରୁ ପୁଅଟିଏ ଜନମିଲେ ଏ ମନ କ’ଣ ତମର ରହିବ ? ପିଲାଟି ନିଜେ ବଡ଼ ହେଲେ, ଶୁଣିଲେ ଜାଣିଲେ, ଧୀରେ ଧୀରେ ବଦଳିବ ନାହିଁ ?’

 

‘ବାରବରଷର ତପସ୍ୟା କ’ଣ ଶୁଖୁଆପୋଡ଼ାରେ ଯିବ ନାହିଁ ? ନେଡ଼ିଗୁଡ଼ କହୁଣିରେ ହେଲେ ଆଉ ଜିଭ ପାଇବଟି ?’

 

...କାହିଁକି ଦୂତିକା ଆସି ଉପରେ ପଡ଼ି ଏସବୁ କହୁଛନ୍ତି, ତାଙ୍କର ଉଦ୍ଦେଶ୍ୟ କ’ଣ, ପଚାରିବାକୁ ମୁଁ ଦୋ-ଦୋ-ପାଞ୍ଚ ହେଉଥିଲି ।

 

...ବୋଉଲୋ, ସେ ଭାରି ଚତୁରୀ । ମୋ ମୁହଁରୁ ମୋ ମନର କଥା କଳନା କରି ସଙ୍ଗେ ସଙ୍ଗେ ତାଙ୍କର କଥାକୁ ବୁଲାଇଦେଲେ ।

 

...କହିଲେ, “ଭବିଷ୍ୟ କଥା ଏସବୁ, ଏବହୁଁ ବିଚାରିବା ଉଚିତ ନୁହେଁ । ଆମର କର୍ତ୍ତବ୍ୟ ଆମେ କରିଯାଉଥିବା । ଲୋକଙ୍କର କୂଟକପଟିଆ ଖଳବତନରୁ ଆମୁକୁ ମିଳିବ କ’ଣ ? ସେମାନେ ଭଲକୁ ସଲ, ଆଉ ସଲକୁ ଭଲ କହନ୍ତି । ନ ଶୁଣିଲେ ଗଲା ।’’

 

...ବୋଉଲୋ, କେଡ଼େ କୁହାଳିଆ । କେଡ଼େ କୁଟିଳା, ନିର୍ଭୟା, ବିଲୁଆବୁଧିଆ, ଦେଖିଛି ? ମୁଁ ମନେ ମନେ ବିରକ୍ତ ହେଲି । ଧୈର୍ଯ୍ୟଧରି ତାଙ୍କୁ ପଚାରିଲି, ‘‘କାହିଁକି ଆସିଥିଲ, ମତେ କହିଲ ନାହିଁ ତ ? ପୁଅକୁ ଶାଶୁଙ୍କ ପାଖରୁ ଆଣିବି । ବିରକ୍ତ କରୁଥିବ । ତାକୁ କ୍ଷୀର ପେଇବି ।”

 

...ମୁଁ ଉଠ୍‌ ଉଠ୍‌ ହେଲାରୁ ସେ ମୋ କାନିଧରି କହିଲେ, “ଆଉ ଟିକିଏ ବସ ମ । ମୁଁ ସେ ମୁଣ୍ଡମରା ପୋଖରୀ କଥା କହୁଥିଲି । ଶୁଣ-’’

 

...ମୁଁ ବସିଲି ଲୋ ବୋଉ ।

 

...ସେ ତାଙ୍କ ଆଖିର ଭଙ୍ଗୀରେ ଓଠର ସଂକୋଚନ ଓ ନାକଟେକାରେ କି ଭାବ ପ୍ରକାଶ କରୁଥିଲେ ମୁଁ ବୁଝିଲି ନାହିଁ । ଚୁଚୁ କରି କହିଲେ, “ଆଉଦିନେ କେବେ ଦିପହରଟାରେ ସେ ମୁଣ୍ଡମରା ପୋଖରୀ ଆଡ଼କୁ ଯିବ ନାହିଁ ଗୋ ନଉଲୀ ଦେଈ । ଯେତେ ମଣିଷଙ୍କର ମୁଣ୍ଡ କଟା ହୋଇ ସେହି ପୋଖରୀରେ ପକା ହେଇଛି, ସେମାନଙ୍କର ପ୍ରେତମାନେ ଅଦୃଶ୍ୟ ହୋଇ ସେଇଠି ଆତଯାତ ।’’

 

‘ସେମାନଙ୍କର ଅଦଉତି ସାନ୍ତରା ବଂଶ ଉପରେ ଟି । କେତେବେଳେ କ’ଣ ହେବ କିଏ ଜାଣେ ?’

 

...ପୁଣି ସେ କହିବାକୁ ଲାଗିଲେ, ପୋଖରୀଟା ସିନା କାଳକ୍ରମେ ପୋତିହେଲା; ଦେହ ନ ଥିଲା ପ୍ରେତଗୁଡ଼ାଙ୍କୁ ପୋତିବ କିଏ ?

 

‘ହରିନନାଙ୍କ ଘରେ ସେମାନେ କଥାଭାଷା ହେଉଥିଲେ, ମୁଁ ନିଜେ ଶୁଣିଛି ଗୋ, ଧାନ ଉଷେଇଁଲାବେଳେ । ସେମାନେ କୁହାକୁହି ହେଉଥିଲେ, ସାନ୍ତାରାଘରର ପୁରୁଷ ପିଲା ଜଣକୁ ହେଲେ ପ୍ରେତମାନେ କେବେ ରଖେଇଦେବେ ନାହିଁ । ଏ ଗାଁର ଖଣ୍ଟମାନେ ଯାହା ଯେବେ କରିଛନ୍ତି ସବୁ ତ ଏଇ ସାନ୍ତରା-ଖଣ୍ଟଙ୍କ ବୋଲରେ ।’

 

‘ସେମାନେ ପରା କୁହାକୁହି ହେଉଥିଲେ, ପଣ୍ଡିତମାନଙ୍କର ଆଲୋଚନାର ଶୁଣିଲା ବଚନ-ଯଦି ସେହି ମୁଣ୍ଡମରା ପୋଖରୀ, ତାକୁ ଲାଗିଥିବା ଅନାବାଦୀ ତୋଟା, ବଗିଚାଭୂମି, ପୁଣି ସେଇ ଖାତାରେ ଥିବା ପଡ଼ିଆର ପଶ୍ଚିମର ଜମିତକ ବ୍ରାହ୍ମଣମାନଙ୍କୁ ଖୁଣ୍ଟିଆଘର ଦାନ କରନ୍ତି, ତେବେ ବ୍ରହ୍ମଶରେ, ଆଉ ସେମାନଙ୍କର ମନ୍ତ୍ରବଳରେ ପ୍ରେତମାନେ ନିଶ୍ଚିୟ ମୁକ୍ତ ହେବେ । ଏ ଘରର ରିଷ୍ଟ ଖଣ୍ଡିବ ।’

 

...ମୁଁ ପଚାରିଲି ଲୋ ବୋଉ, ‘ଏତେକଥା ତମେ ମନେରଖିଛ, ଦୂତିକ ଅପା ? ତମୁକୁ ସେମାନେ, ଶୁଆଶାରୀଙ୍କୁ ଶିଖାଇଲା ପରି, ଶିଖାଇ ମଣାଇ ସତେ ଦୂତୀ କରି ପଠାଇଛନ୍ତି ?’

 

ଜମିବାଡ଼ି, ବାଗ ବଗିଚା, ପୋଖରୀ, ଏସବୁ କିଣାବିକା, ଦାନଦକ୍ଷିଣା ବେପାର ମତେ କି ଜଣା ଗୋ ? ଚର ହୋଇ ତମେ ଆସିଥାଅ, ଅବା ଚାର ହୋଇ ଆସିଥାଅ, ଘରର ମୁରବି ଯେ ମୋର ଶାଶୁ, ତାଙ୍କୁ କହିଦିଅ ।

 

‘ସବୁ ସମ୍ପତ୍ତିର ଏକମାତ୍ର ଅଧିକାରୀ ଯେ ତାଙ୍କର ପୁଅ, ତାଙ୍କୁ କହ । ମୁଁ ଏ ଘରର ସେବାକାରିଣୀ ବୋହୁଟିଏ...ସେମାନଙ୍କର ବୋଲକରା ମାଇପିଟିଏ ?

 

...ମୁହଁ ହାଣ୍ଡି ପରି ଲଦି, ଅପଦସ୍ଥ ହୋଇ, ଲାଜେଇ ଯାଇ, କେଜାଣି ମନେ ମନେ ମୋ ଉପରେ ରକ୍ତଚାଉଳ ଚୋବାଇବାରୁ ଦୂତିକା ଚାଲିଯାଇଥିଲା ।

 

... ମୋ ମନରେ ଦୁଃଖ ହୋଇ ନ ଥିଲା । ମୁଁ ଆମୋଦିତ ହୋଇଥିଲି ।

 

...ବାରଣ୍ଡା ଉପରେ ବସି କନ୍ଥା ସିଲେଇ କରୁଥିବା ଶୋଭା କାମ ବନ୍ଦ କରି ସେହି ବାରଣ୍ଡା ଉପରେ ହସିହସି ଲୋଟି ଯାଉଥିଲା ।

...ଗତ ସନ ଖରାଦିନର ଘଟଣାବଳୀ ମୁଁ ଲେଖୁଥିଲି, ବୋଉ, ବିନୋଦବିହାରୀଙ୍କର ପରିତ୍ୟକ୍ତ ପୁରୁଣା ଫଟା ମନ୍ଦିର ଆଗର ମୁଣ୍ଡମରା ପୋଖରୀ, ତା’ କଡ଼ର ଆମ-ନଡ଼ିଆ ତୋଟା କଥା । ମୋର କାହିଁକି ମନେପଡ଼ିଗଲା, ଜାଣୁ ?

 

ତୋର ନିର୍ବୋଧ ଜୋଇଁଙ୍କୁ ପଟାପଟି କରି ନିଜ ନାମରେ, ନ ହେଲେ ନିଜର ଆତ୍ମୀୟମାନଙ୍କ ନାମରେ ସେସବୁ ଜମି ଦାନସୂତ୍ରରେ ଲେଖାଇନେବାକୁ ହରିନନା, ବୁଢ଼ା ନନା କୌଶଳ ପ୍ରୟୋଗ କରିଆସୁଥିଲେ । ମୋ ଶଶୁରେ ଥିଲାବେଳରୁ ତାଙ୍କର ସେ ଚେଷ୍ଟା ଅବ୍ୟାହତ ଥିଲା ।

 

...ଶଶୁରେ ଅତି ପୋଖତ ଥିଲେ । ପାଞ୍ଚଥର ହୁଁ କହି, ତୁଣ୍ଡ ନ ଖୋଲି ମୁଣ୍ଡ ହଲାଇ ସାତଥର ନାହିଁ ସୂଚାନ୍ତି । ସେ ସହସ୍ର ଲୋକଙ୍କୁ ପଟିମାରି, ଚିତାକାଟି ନିଜେ ଭଲେଇ ହେବାର ମଣିଷ ଥିଲେ । ଟେକାଟେକି କରି, ପଟାପଟି କରି ତାଙ୍କୁ ଠକିବ କିଏ ?

 

...ସେ ମଲାପରେ ତୋର ନିର୍ବୋଧ ଜୋଇଁଙ୍କୁ ପାକଳାଇ, ପାଲରେ ପକାଇ, ସେହି ମୁଣ୍ଡମରା ପୋଖରୀ ସମେତ ୟାଙ୍କର ବାରିଯାଏ ବିସ୍ତୀର୍ଣ୍ଣ ଭୂମି, ବଗିଚା, ତାକୁ ଲାଗି କେତେମାଣ ଜମି ଠାକୁରଙ୍କ ନାମରେ ଲେଖିନେବାକୁ ସେମାନେ ଚେଷ୍ଟା କରୁଥିଲେ ।

 

...ମହାଳିଆ ମ । ଠାକୁରମାନଙ୍କୁ କେବଳ ଦିଆଯାଏ । ତାଙ୍କ ସମ୍ପତ୍ତିରେ ଅ-ବାହ୍ମଣ ହାତ ଦେଲେ କୁଆଡ଼େ ବଂଶନାଶ ହେବ । ନରକ ଯୋଗ ଘଟିବ । ଏ ଜନ୍ମରେ ଦେଇଥିଲେ, ପରଜନ୍ମରେ ତା’ର ବହୁଗୁଣ ମିଳିବ ।

 

...ଆଖି ଖୋଲି ଦେଖ–ଯେତେ ଯେଉଁଠି ସମ୍ପତ୍ତିବାନ୍ ଅଛନ୍ତି, ସେମାନେ ପୂର୍ବଜନ୍ମରେ ଦେଇଥିଲେ; ଏବେ ସୁଖ ଭୋଗୁଛନ୍ତି । ଯେଉଁମାନେ ଦରିଦ୍ର ଓ ହାତପାତିଲା ଭିକାରି, ସେମାନେ ଅନ୍ୟାୟରେ, ପୁଣି ଦେବତା ଓ ବ୍ରାହ୍ମଣଙ୍କ ସମ୍ପତ୍ତି ହରଣ କରିଥିଲେ ।

 

...ବୋଉଲୋ, ତୋ ଜୋଇଁଙ୍କଠାରେ ଏ ଜନ୍ମ ଆରଜନ୍ମ, ଏପୁର-ସେପୁର, ସର୍ଗ-ନରକ, ମନ୍ତ୍ର-ଯନ୍ତ୍ର କିଛି କାଟୁ କଲା ନାହିଁ । ପ୍ରଚଳିତ ପ୍ରଥାକୁ ସେ ସ୍ୱାଭାବିକ ଚଳଣିର କ୍ରମରୂପେ ଗ୍ରହଣ କଲେ ।

 

...ଦୋଳ, ଦଶହରା, ଦିବାଲି, ରାମନବମୀ, ରଥଯାତ୍ରା, ମହରମ, ସବୁ ପର୍ବପର୍ବାଣି ଯେମିତି ସମସ୍ତଙ୍କର ସ୍ୱାଭାବିକ ଚଳଣିର କ୍ରମ ହୋଇଥିଲା, ତୋ ମଦୁଆ ଜୋଇଙ୍କର ବି ସେଇଆ ହୋଇଥିଲା ।

 

...ତାଙ୍କ ବାପାଙ୍କର ମରଣ ପରେ ସେ ସର୍ବେସର୍ବା ହେଲେ । ତାଙ୍କର ମନ୍ଦସ୍ୱଭାବର ପରିପୂରଣ ଓ ପରିପୁଷ୍ଟି ପାଇଁ ଧନର ଅଭାବ ରହି ନ ଥିଲା । ତାଙ୍କର ପ୍ରବୃତ୍ତିଗୁଡ଼ିକୁ ଉତ୍ତେଜିତ କରିବାକୁ ପୁରୁଷ ବନ୍ଧୁମାନେ, ରକ୍ତଶୋଷା ଧନଲୋଭୀ ବାନ୍ଧବୀମାନେ ମିଳିଗଲେ । ଭୂମିଲୋଭୀମାନେ ମନ୍ତ୍ରପଢ଼ି ତାଙ୍କୁ ବହୁଭାବରେ କଲ୍ୟାଣ କରି, କେବଳ କଲ୍ୟାଣ-ଦକ୍ଷିଣା ଓ ପ୍ରଣାମି ଲାଭ କରୁଥିଲେ । ସେତିକି ।

 

...ଏବେ ତାଙ୍କର ଅର୍ଥାଭାବ ପଡ଼ିଛି । ଶାଶୁ ତାଙ୍କୁ ଏ ମଧ୍ୟରେ ଭଲରେ ଭଲରେ ବୁଝାଇ ବହୁ ଉପଦେଶ ଦେଲେ । ମତେ ପାଖରେ ବସାଇଥାନ୍ତି ।

 

...କାନ୍ଥକୁ ଆଉଜି ତୋ ଜୋଇଁ ମୁଣ୍ଡ ନୋଇଁ ଠିଆ ହୋଇଥାନ୍ତି । ଶୋଭା ଦ୍ୱାରବନ୍ଧ ପାଖରେ ବାରଣ୍ଡା ଉପରେ ଠିଆ ହୋଇଥାଏ । ଚଉରା କଡ଼ର ଅଗଣାରେ ଖେଳୁଥାଏ ଶୋଭନ । ଘରଭିତରୁ ପଲଙ୍କ ଉପରୁ ମତେ ଏହା ଦିଶୁଥାଏ ।

 

...ମୋ ଶାଶୁ ତାଙ୍କରି ଗୁଣାବଳୀ ତାଙ୍କରି ଆଗରେ ଉଗାଳି ସାରିଥିଲେ । ସେ କାଠପଥରର ମୂର୍ତ୍ତି ପରି ଖାଲି ଶୁଣୁଥିଲେ । ପଦଟିଏ ବି ଉତ୍ତର ଦେଉ ନ ଥିଲେ ।

 

...ଶାଶୁ ଶେଷକୁ କହିଲେ, ବଡ଼ ବିଚିତ୍ର କଥା, ଆଖିରୁ ଲୁହର ସୁଅ ଛୁଟିଥାଏ, କହିଲେ, “ତୁ ଯଦି ଜନମି ନ ଥାନ୍ତୁରେ ଚଣ୍ଡାଳ । ଦାଣ୍ଡରୁ ଗୋଟାଇ ମୁଁ ପୁଅ କରିଥାନ୍ତି । ପାଳି, ବଢ଼ାଇ, ପଢ଼ାଇ ମଣିଷ କରିଥାନ୍ତି ।

 

‘ତୋ ବୋପା, ଆଉ ତମର ପୂର୍ବପୁରୁଷଙ୍କର ସବୁ ଅପକର୍ମ ସବୁ ପାପକୁ ଏକାଠି କରି ଦଇବ ମୂର୍ତ୍ତି ଗଢ଼ି ତତେ ମୋ ପେଟରୁ ଜନମ ଦେଲା । ଯାହା ତ କଲୁରେ ଚଣ୍ଡାଳ, ଏଣିକି ଭଲ ବୁଦ୍ଧି କର ।

 

‘ତତେ ମୁଁ ମୋର ଶେଷକଥା ଆଜି କହିଦେଉଛି । ତୋ’ଠେଇଁ ମୋର ଆଶା ଭରସା ଆଉ କିଛି ନାହିଁ । ତୁ ତୋର ଯାହା ମନ ସେଇଆ କର । ଜମିବାଡ଼ି ଗଛବୁରୁଛ ସବୁ ବିକି ମଦ ଖା । ସାଙ୍ଗମାନଙ୍କୁ ଖୁଆ । ମିଛିମିଛିକା ସିନିମା ବେପାର କର । ଆଉ କେଉଁଠି କି ବେପାର କର । ମଦ ଖାଇବାକୁ ପ୍ରଚୁର ଧନ ମିଳିବ ।

 

‘ଏଇ ଘର ଭିତରେ ତୁ ପାଦ ଦେବୁ ନାହିଁ ?’

 

‘ମୋ ଜିନିଷରେ ତୁ ହାତ ଦେବୁନାହିଁରେ ଚଣ୍ଡାଳ । ଯେଉଁଦିନ ସେତକ ତୁ କରିବୁ, ସେହିଦିନ ତୋ ନାମରେ ମୁଁ ବିଷ ଢୋକିବି । କାଗଜରେ ଲେଖିରଖିଛି ପୁଲିସି ପାଇଁ ।

 

‘ନହୁଲୀ ପରିକା ସୁବର୍ଣ୍ଣ ପ୍ରତିମା...ଲକ୍ଷ୍ମୀପରି ରୂପ, ସରସ୍ୱତୀ ପରି ଯାହାର ବିଦ୍ୟା ବୁଦ୍ଧି, ତାକୁ ମୁଁ ଆଉ ଥରେ ବୋହୁ କରି ଆଣିଲି । ତାକୁରେ ମଦୁଆ, ବାରମ୍ବାର ମାରି ଗଇଆଁ କଲୁ । ଶୋଭନର ବୋଉ ତୋରି ମାଡ଼ରେ ମଲା ।’

 

‘ତୋ ମୁହଁକୁ ଲାଜ ନାହିଁରେ ଅଲାଜୁକ, କୁଳାଙ୍ଗାର, ଘୁଅପଙ୍କ ନରକଘଣ୍ଟା ଘୁଷୁରୀ । ତତେ ପୋକ ଭୁଟୁଭୁଟୁ ସଢ଼ାପଙ୍କରୁ ଦୁର୍ଗନ୍ଧ ନରକ ଯୋଗ । ଅମୃତ ଭାଣ୍ଡ ଛୁଇଁବାକୁ, ପାରିଜାତ ଫୁଲ ପରି ପବିତ୍ର ଫୁଲର ବାସ ଭୋଗ କରିବାକୁ ତୁ ନୁହଁ ଉପଯୁକ୍ତ ।

 

‘ଆଜିଠଉଁ ନହୁଲୀ ମୋର ବୋହୁ ନୁହେଁ । ସେ ମୋ ଝିଅ । ତୋତେ ସେ ଛାଡ଼ପତ୍ର ଦେବ-। ମୁଁ ଦିଆଇବି । ଭଗବାନ ଜାଣନ୍ତି । ସେ ଝିଅ ମୋ’ର ଖାଣ୍ଟି ସୁନା । ତା’ ଦେହରେ ମନରେ କଳଙ୍କ ଲାଗିନାହିଁ ।

 

‘ମୋର ଯାହା କିଛିଅଛି, ସବୁ ତାକୁ ଦେବି । ରାଜାଘରର ବୋହୁ କରାଇବି । ସେଇ ରଜାଘର, ସେଇ ରଜା ପୁଅ, ଯିଏ ସବୁ ଜାଣିଶୁଣି ନିଜର ମହତ ପଣରେ ପଛକଥା ପଛକୁ ଫିଙ୍ଗିପାରିବ, ଆଉ ନିଜର ମହତପଣରେ ମୋର ଏଇ ଅଲିଅଳୀ ଦୁଲାଳୀ ନଉଲୀ ହାତଧରି ଛାତିକୁ ନେବ ।’

 

...ବୋଉ ଲୋ, ତୁ ଥରେ ଭାବିଲୁ, ମୁଁ ଛାରଟା ପାଇଁ ମୋର ଅଚଳ ଶାଶୁଙ୍କର ମନରୁ ଯେଉଁ କରୁଣାର ଧାରା ବହିଲା, ତା’ରି ବନ୍ୟାରେ ମୋର ଛାତି ପ୍ଲାବିତ ହୁଅନ୍ତି କି ନାହିଁ । ଲୋତକଝରା ନେତ୍ରରେ ମୁଁ ତାଙ୍କ ଛାତି ଉପରେ ମଥା ନୋଇଁଲି ।

 

...ବୋଉ ଲୋ, ଶାଶୁଙ୍କର ସେଦିନର ଭର୍ତ୍ସନା ତାଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇଲା ନାହିଁ । ବରଂ ଓଲଟା ପ୍ରଭାବ ପକାଇଲା । ତାଙ୍କର ଧାରଣା ହେଲା ଯେ ତାଙ୍କ ବିରୁଦ୍ଧରେ ମୁଁ ତାଙ୍କ ବୋଉଙ୍କୁ ମତାଇ ଦେଇଥିଲି ।

 

...ଦିନେ, ବେଳ ରତରତ ହେଉଥାଏ । ମୋ ରହିବା ଘରେ ତଳେ ବସି ଗୋଡ଼ ଲମ୍ବାଇ କୋଳରେ ଶୋଭନକୁ ବସାଇଥାଏ । ଗୋଟିଏ କାଚଗ୍ଲାସରେ କ୍ଷୀର ଧରି ଏଣୁ ତେଣୁ ଗପ କହି ତାକୁ ପେଉଥାଏ ।

 

..ସବୁଦିନେ ଏବେ ମୁଁ ସେଇଆ କରୁଛି । ମତେ ଝୁଣିବା ଅଭ୍ୟାସ ତାର ଭାଙ୍ଗି ଗଲାଣି । ତଥାପି ମନେପଡ଼ିଗଲେ ନିରସ ଛାତିରେ ମୁଁହ କେବେ କେବେ ଲଗାଉଛି । ହତାଶ୍‍ ହୋଇ ଦି’ ପାଟି ଦାନ୍ତରେ ରୁଟ୍ କରି କାମୁଡ଼ି ଦେଉଛି ।

 

...ସେଦିନ ତା’ର ମନକୁ ଅନ୍ୟ ଆଡ଼କୁ ଟାଣି ନେଇଥିଲି । ଚାଖଣ୍ଡେ ଲମ୍ୱର ରଙ୍ଗିଲା ଏଣ୍ଡୁଅଟିଏ ଦେହ ଫୁଲାଇ ଚଉରା ଉପରକୁ ଚଢ଼ୁଥିଲା । ଚାଳରେ ବସି ବୋବାଉଥିବା ଶୁଭକାଉକୁ ଅନାଇଁ ମୁଣ୍ଡ ଟୁଙ୍ଗାରୁଥିଲା । କାହିଁକି ସେ ଏପରି କରୁଥିଲା ଶୋଭନର ଏହି ପ୍ରଶ୍ନର ଉତ୍ତର ମୁଁ ମନରୁ ଫାନ୍ଦି କହୁଥିଲି ।

 

...ଘରଭିତରକୁ ତମ୍‍ ତମ୍‍ ହୋଇ ପଶିଆସିଲେ ତୋ ଜୋଇଁ । ବାଁ ହାତରେ ଧରିଥିଲେ ଓଳିଏ ମୁଦ୍ରା ଟଙ୍କା ଓ ରେଜକି ମିଶାମିଶି । ମୁଁ ଚମକି ଉଠିଲି । ଶୋଭନକୁ କୋଳରୁ ଓହ୍ଲାଇ ଖାଲି ଗିଲାସ ତଳେ ଉଗାଡ଼ିଲି । ଉଠି ଠିଆ ହେଲି ।

 

...କେଉଁ ଅଜଣା ଆଶଙ୍କାରେ ମୋ ଛାତି ଭିତର କମ୍ପୁଥାଏ । ମୋ ଆଗରେ ଜଣେ କାଳପୁରୁଷ ଠିଆ ହେଲା ପରି ଲାଗିଲା । ଆଖି ରଙ୍ଗ ଦିଶୁଥାଏ । କେଉଁଠି କ’ଣ ମନ୍ଦିଏ ପିଇ ଆସିଥାନ୍ତି । ସାମନ୍ତପାଟଣାର କେତେଜଣ ଟୋକା ଏବେ ୟାଙ୍କର ମଦୁଆ ସାଙ୍ଗ ହେଲେଣି । ସେମାନେ ଦିନେ ପ୍ରତାପ ଓ ବିକ୍ରମକୁ ଗାଁମୁଣ୍ଡରେ ପବପବ କରି ଛେଚିଥିଲେ । ଲହୁ ଲୁହାଣ କରିଥିଲେ । ତେବେ ସେ ଦିହେଁ ଅଚଳ ହୋଇ ନ ଥିଲେ ।

 

...ସେ ଦୁହିଁଙ୍କୁ ସ୍କୁଟରରେ ବସାଇ ସେମାନଙ୍କର ଚାଳକକୁ ରାଣ୍ଡୀପୁଅ ହୁଣ୍ଡା ଯୋଗିଆ ତାଗିଦ୍‌ କରିଦେଲା, ‘ଶଳେ ଜାଣିଥା, ଖଣ୍ଟଙ୍କ ଗାଁ ୟେ, ଏଠି ଦାରୀଘର ନାହିଁ । ରାତି କାରବାର ନାହିଁ । ଭଦ୍ରଘରର ପୁଅ ଯଦି, ଦିନରେ ଆସି ଦିନରେ ଯିବ । ଆଜି ‘ଜାନ୍’ ତମର, ‘ଧନ’ ଆମର । କାଢ଼ି ଦିଅ ?’

 

...ଯାହା ଥିଲା ସବୁ ସେମାନେ କାଢ଼ି ଦେଲେ ।

...ପଥ ସୁମରି ଗଲେ ଯେ ତିନିମାସ ହେଲା ଏ ଦାଣ୍ଡ ଆଉ ସେମାନେ ମାଡ଼ି ନ ଥିଲେ ।

...ପୁଲିସ୍‍ର କେଉଁମାନେ ଆସିଥିଲେ । ଥରେ ନୁହେଁ, ତିନିଥର ।

 

...ଯୋଗିଆ ସ୍ଵୀକାର କଲା । କହିଲା, ସେ ଏକା ଏ କାମ କରିଛି । ମାନେ, ପିଟାପିଟି । ଟଙ୍କା ପଇସା କଥା ମିଛ ।

 

...ମୋ ଶଶୁରଘର ସାମନାରେ ପଚରା ଉଚୁରା କରୁଥିଲେ ପୁଲିସ୍‍ ବାବୁ । ଗାଁରୁ ବହୁତ ଲୋକ ଜମା ହୋଇଥିଲେ । ତୋ ଜୋଇଁ ବି ଥିଲେ । ଯୋଗିଆ ତାଙ୍କ ମାନ ମହତ ଦି’ କଡ଼ା କଲା-। ଚାରି ଦଉଡ଼ି କଟା ସେ । ନିତି ମୂଲିଆ ଟୋକା ସେ ଯୋଗିଆ । ଆମର ଏଠି ବି ମୂଲ ଲାଗିଛି କେତେଥର ।

 

...ଯୋଗିଆ କହିଲା, ‘ୟାଙ୍କ ବାପେ ବଟ ସାନ୍ତରା ଏ ଗାଁର ମୁରବି ଥିଲେ । ଏ ଗାଁର ଖୁଣ୍ଟ ଥିଲେ । ଖୁଣ୍ଟିଆ । ଖଣ୍ଡମଣ୍ଡଳର ଲୋକେ ତାଙ୍କୁ କରପତ୍ରଯୋଡ଼ି ରହିଥିଲେ । ସେ ଗାଁର ଟେକ ରଖିଥିଲେ ।

 

‘ତାଙ୍କ ପରେ ତାଙ୍କ ପୁଅ ଏଇ ଆନନ୍ଦ ସାମନ୍ତେ ପାଠ ପଢ଼ିଲେ, ସାଠ ପଢ଼ିଲେ, ଏ ଗାଁର ମହତ ସାରିଲେ ।’

 

‘କୋଉ ଗାଆଁର ମୂଲିଆ ଘରର ଲକ୍ଷ୍ମୀ ପରିକା ସୁନ୍ଦରୀ, ସରସ୍ୱତୀ ପରିକା ପାଠୋଈ, ଗୁଣବତୀ ଝିଅକୁ ବାହାହୋଇ ଘରକୁ ଆଣିଲେ । ତାକୁ ମାରି ଗଇଁଆ କଲେଣି ।’

 

‘କାହିଁକି, ଜାଣ ପୁଲିସ୍‍ବାବୁ ?’

 

‘ତମର ଆମର ତ ଦୋସ୍ତି । ଦୁଇଥର ଜେହେଲ ଭିତରେ ଘଣା ପେଲେଇଛ । ଏଥରକ ହେଲେ ହେବ-ରାମ୍, ଦୋ, ତିନ୍‌ । ଘଣା ପେଲିବି । ତମର ଆମର ଘଣି ଶୁଣ କ’ଣ ହେଲା ।’

 

‘ଯାହା ସତ, ଠାକୁର ଆଗରେ ହଲପ୍ କରି, ମୋ ମା’ ରାଣ ଦେଇ ନିଶ୍ଚେ କହିବି । ସତ କହିବି, ମୁଁ ରାଣ୍ଡୀପୁଅ ଯୋଗୀ, ସତ କହିବି, ସତ କହି ପଛେ ମରିବି ।’

 

‘ଶୁଣ ମ ପୁଲିସି ବାବୁ । ହେଇଟି ତମ ଆଗରେ ବସିଛନ୍ତି, ଏ ଗାଁର ଖୁଣ୍ଟିଆ ଆନନ୍ଦ ସାନ୍ତେ । କିଏ ତାଙ୍କୁ ମାନୁଛି ? ସେ ହେଉଛନ୍ତି ।’

 

‘ଉଇ, ଓଡ଼ଶ, ଡାଆଁଶ, ମୂଷା-ମୁହଁ -ଟାଣ, ଧିଅ ଫସରଫସା ।’

 

‘ସେଇ ଆମ ସାଆନ୍ତେ । ଯେଉଁ ଦି’ଟାଙ୍କୁ ଆମେ ଛେଚିଲୁଁ, ସଜା ଦେଲୁଁ, ସେଇ ବାଳୁଙ୍ଗା ଦି’ଟାଙ୍କୁ ଘରେ ପୁରାଇ ଶଳା ନାଟ ଲଗେଇଛି । ମଦ ଖାଇ ମାତାଲ । ମାଇଚାଟା ଶଳା । ମାଇପିକୁ ପିଟନ୍ତି ଆଉ କହୁଛି-ଯାବେ, ତାଙ୍କ ପାଖରେ ଶୋ ।’

 

‘ମନାକଲେ ମାଡ଼ ଯେ ଗୋରୁ ଚରିଯିବ । ତା’ ମାଡ଼ ସହି ନ ପାରି ତା’ ଆଗ ଭରିଯା ଛୋଟ ପୁଅକୁ ଛାଡ଼ି, ବିଷ ଖାଇ ମଲା । ବଟ ସାନ୍ତରା ତ ବଞ୍ଚି ନ ଥିଲେ । କୌଣସିମତେ, ଘଟଣାଟା ଚପେଇଦେଲେ ଆମ ଗାଆଁ ଲୋକେ । କେଶ୍ ଫସରଫାଟି ଗଲା ।’

 

‘ସେତକ ନ କରିଥିଲେ ଏଇ ଭାଡ଼ୁଆ ଆନନ୍ଦ ସାନ୍ତରାଏ କଅଣ ଜେଲରେ ଆମ ପରିକା ଘଣା ପେଲି ନ ଥାନ୍ତେ ?’

 

‘ତାଙ୍କର ମାଡ଼ ପାହାର ବିଚାରୀ ନୂଆ ବୋହୂଟି ସହିପାରୁନାହିଁ ।’

‘କାହିଁକି ସେ ମାଡ଼ ? ଶୁଣ’

 

‘କୁଳବୋହୁଟା, ଅଲାଜୁକୀ ହୋଇ କେମିତି ଭେଣ୍ଡା ଭେଣ୍ଡା ଭୁଷୁଣ୍ଡା ବଜାରୀ ଟୋକାଙ୍କୁ ଚର୍ଚ୍ଚା କରିବ ? ଗାଁ ଲୋକେ ମେଳ ହେଲେ । କ’ଣ କରିବେ, କେମିତି ଗାଆଁର ମାନ ମହତ ରହିବ, ଖାଲି ସେଇ ବିଲୁଆବିଚାର କଲେ । ପଚାର ସେମାନଙ୍କୁ । ପଚାର, କେତେ ଏଇଠି ଅଛନ୍ତି-।’

 

‘ମୁଁ ବିଚାରିଲି, ହୁ-ଦସ୍ତ ଅନ୍ଧାରିଆ କାମଟା କରିଦେବି । ଦି’ ଜଣଙ୍କୁ ଭେଳେଇଲି । ଆଉ କେତେଜଣ ଦୂରରେ ଥିଲେ ।’

 

‘ହେ ପୁଲିସ୍‍ ବାବୁ । କାମଟା ସୁରୁଖୁରୁରେ ହେଇଗଲା । ଶଳା ଦିଟା ବଞ୍ଚିଥିବା ଯାଏ ଆଉ ଏ ଗାଁ ମାଡ଼ିବେ ନାହିଁ । ଦଶବର୍ଷ ହେବ, କି ଆହୁରି ପ୍ରବଳ ପ୍ରଚଳ ଅଭ୍ୟାସ କେମିତି ଭାଙ୍ଗନ୍ତା ?’

 

‘ଦି ବର୍ଷ କି ଅଧିକ ଏଥର ମୁଁ ଜେଲରେ ରହିବି, ପୋଲିସି ବାବୁ । ଏଠି ଖଟି ଖାଉଛି, ସେଠି ବି ଖଟି ଖାଇବି ।’

 

 

‘ବୋଉକଥା ବିଚାରିବି କାହିଁକି ? ଢିଙ୍କିକୁଟି ମୁଠିଏ ଆଣି, ସେ ଫୁଟେଇ ଖାଇବ । ଆନ୍ଦ ସାନ୍ତ ତାକୁ ଚଳେଇବ । ନୋହିଲେ ଜେଲରୁ ଫେରିଲେ ତା’ ଖବର ବୁଝିବି ।’

 

...ବୋଉଲୋ, ପୁଲିସ୍‍ ବାବୁ ଯୋଗୀକୁ ବାନ୍ଧି ନେଇଗଲେ । ସାଙ୍ଗରେ ଦି’ ଜଣ ପିଆଦା ଥିଲେ । ଗାଁ ଟୋକାଏ ପାଟି କରୁଥିଲେ-‘‘ଯୋଗୀ ଖୁଣ୍ଟିଆ ସରଦାର କି ଜୟ । ଆନ୍ଦ ସାନ୍ତର ମାଇଚାକୁ ଛି-ଛି ।”

 

...ଝରକାବାଟେ ଶୋଭା ପାଖରେ ଠିଆ ହୋଇ ଦାଣ୍ଡରେ ଘଟୁଥିବା ଘଟଣା ମୁଁ ଦେଖୁଥିଲି । ଲୋକଙ୍କର ପାଟି ଶୁଣୁଥିଲି । ଶୋଭନ ସେଠାକୁ ଯିବାକୁ ଛାଟିପିଟି ହେଉଥିଲା । ମୁଁ ତାକୁ ଅଟକାଇ ରଖିଲି ।

 

...ବେଶି ଅଝଟ ହେବାରୁ ତା’ ପିଠିରେ ଚାପୁଡ଼ାଟିଏ ମାରିଲି । କେବେ ସେ ମୋ ହାତରୁ ମାଡ଼ ଖାଇ ନ ଥିଲା । ସେ କେବେ ବେଶୀ ଅଝଟ ହେଲେ, ବରଂ ମୁଁ ରୁଷେ । ତାକୁ କଥା କହେ ନାହିଁ, କାଖ କରେ ନାହିଁ । ସେତିକିରେ ସେ ବୁଝେ ଯେ ମୁଁ ରାଗିଛି । ସେ ବଳେବଳେ ଆସି କୋଳରେ ପଶେ । ମୋ ବେକରେ ହାତ ଛନ୍ଦେ ।

 

...ସେଦିନ ବି ସେଇଆ ହୋଇଥିଲା । ଘୋରତେଇ ହୋଇ ସେ କୋଳରେ ବସିବାକୁ, କାଖହେବାକୁ ପୋଷା ବିଲେଇ ପରି ମୋ’ ଦେହରେ ଘଷି ହେଉଥିଲା । ମୋ’ ଧୈର୍ଯ୍ୟ ତୁଟିଲା । ମନ ବିକଳ ହେଲା ।

 

.....ତାକୁ ଶୂନ୍ୟେ ଶୂନ୍ୟେ ଟେକି ତା’ ଗାଲରେ ବୋକ ଅଜାଡ଼ିଲି ଲୋ ବୋଉ । ତାକୁ ଛାତିରେ ଜାକିଲି ।

 

...ମୋ ହୀନିମାନିଆ ଜୀବନଟାକୁ କାହିଁକି ମୁଁ ବଞ୍ଚାଇ ରଖିଛି ସେକଥା ମୁଁ ବେଳେବେଳେ ଭାବି ଅସ୍ଥିର ହୁଏ । ଛଟପଟ ହୁଏ । ଶାଶୁଙ୍କର ସେ ସ୍ନେହିଲାବାଣୀ କ’ଣ ମୋ ମନରେ ସାନ୍ତ୍ୱନା ଦେଇପାରନ୍ତା । ଉତ୍ତେଜନାରେ, ସେଦିନ ସେ ଭାବପ୍ରବଣ ହୋଇ ବୋହୂର ଆସନରୁ ଟେକି ମତେ କନ୍ୟାର ଆସନରେ ଥାପିଥିଲେ ।

 

...ମୁଁ କ’ଣ ତୋ’ର କନ୍ୟା ନୁହେଁ ଯେ ଏଠାକୁ ଆସି କନ୍ୟାପଣ ଲାଭ କରିବି ? ମୁଁ ତୋ ପାଖକୁ ଫେରିଗଲେ କ’ଣ ମୋର ଜନ୍ମଗତ ଝିଅପଣିଆର ଅଧିକାରରୁ ବଞ୍ଚିତ ହେବି ? ମୋ ବାପା ପରଶୁ ଜେନାଙ୍କର ବଗିଚା କ’ଣରେ ଛୋଟ କୁଡ଼ିଆଟିଏ କ’ଣ ମୋ ଅଲେଖ ମୋ ପାଇଁ କରାଇଦେବ ନାହିଁ ?

 

...ସେଇଠି ରହିବି । ଗାଁ ଝିଅ ମୁଁ ଗାଁଆରେ । ଖୁରୁପିରେ ଘାସ ଛେଲିବି । ଦାଆରେ ବିଲ ବାଛିବି । ଫସଲ କାଟିବି । ଗାଣ୍ଡୁଆରେ ମାଟି ବୋହିବି, ଖତ ବେ।ହିବି । ସବୁକାମ ମୁଁ ଜାଣେ । ଗୋଟିଏ ପେଟ ପୋଷି ପାରିବି ନାହିଁ ?

 

...ମୋ ଭାଇ ଅଲେଖକୁ ଚାଷୀଘରର ସର୍ବସହଣୀ କାମିକା ଝିଅଟିଏ ବାହା କରାଇବୁ, ମାଧୁରୀଙ୍କ ପରି ସେ ଝିଅଟି କର୍ମକୁଶଳା, ଲକ୍ଷ୍ମୀଟିଏ ହେଇଥିବ । ତା’ ପେଟରୁ ଜନମିବେ କେତେ ଶୋଭନ, ପୁଣି ସୁନାନାକୀ ଶୋଭନା ଝିଅ ।

 

...ହଁ, ତାଙ୍କୁ ମୁଁ ବଢ଼ାଇବି, ପଢ଼ାଇବି, ଖେଳ ଖେଳାଇବି । ଆଉ ମୋର କ’ଣ ଅଧିକ ଲୋଡ଼ା ? ମୋ ବାପର ରକତ, ଭାଇର ରକତ, ମୋ ରକତ ଆଉ ତାଙ୍କର,ଏକା ତ ।

 

‘ଏ ଗୁଡ଼ାକ ପର, ସାତ ପର-ଶାଶୁ, ଗେରସ୍ତ, ମାଧୁରୀ, ଆଉ ଏଇ ଅଶୁଭ ପିଲଟା ଶୋଭନ ।’

 

...ପେଟରେ ରହୁଣୁ ସେ ପିଲଟା ତା’ ଜେଜେଙ୍କୁ ଖାଇଲା । ଜେଜେମା’ଙ୍କୁ ଅଚଳ କରାଇଲା । ଜନମ ଲଭି ଜନ୍ମଦାତ୍ରୀକୁ କଲବଲ କରି ମରାଇଲା । ତାକୁ ଟିକିଏ ସ୍ନେହ କଲି ବୋଲି ମାଡ଼ ଖାଇ ଖୋଇ ମତେ ଦରମରା କରାଇଲାଣି ।

 

...କିଏ ମୋର ଏତେ ଯାତନା ସହିବ । ବେଳେବେଳେ ମନରେ ପାଗଳା ବୁଦ୍ଧି ପଶୁଛି । ଭବିଷ୍ୟଟା ବେଳୁବେଳ ଗାଢ଼ରୁ ଅଧିକ ଗାଢ଼ୁଆ ଅନ୍ଧାର ଦିଶୁଛି । ସେଠି ଆଉ ଆଲୁଅ ଜଳିବ ନାହିଁ-

 

...ସେହି ଅନ୍ଧାର ଭିତରୁ ମାଧୁରୀ ଯେମିତି ନିମନ୍ତ୍ରଣ କରୁଛନ୍ତି-ଆ ମୋ ପାଖକୁ । ଆଉ ବେଶିଦିନ କାହିଁକି ଦହଗଞ୍ଜ ହେବୁ । ଚାଲିଆ । ମୁଁ ଏଠି ଏକା ଯନ୍ତ୍ରଣାର ତାପ ସହିପାରୁନାହିଁ । ତୁ ବି ଚାଲିଆ ମୋ ପାଖକୁ ।

 

...ବୋଉ ଲୋ, ମୋ ସୁନା ବୋଉଟି, ଏତେଦିନ ପରେ ମୁଁ ତୋ ଦୁଃଖିନୀ, ହତଭାଗିନୀ ଝିଅଟି, ମନେ ପଡ଼ିଲି ? ଚଗଲା ଅଲେଖର ହାତରେ ଭାଷା ଲେଖାଇଲୁ ଯେ ସେ ଲେଖିଛି ମୋଟେ ଚାରିଆଙ୍ଗୁଳିଆ ଚିଠି ।

 

...କି କାମ ଏମିତି ତା’ର ବଳେଇ ପଡ଼ିଥିଲା ? ଶେଷକୁ ଲେଖିଲା, ‘‘ଭଲମନ୍ଦ ସବୁଠେଇଁ ସଭିଙ୍କ ଜୀବନରେ, ସବୁ ଘରେ, ସବୁ ଗାଆଁରେ ସାରା ସଂସାରରେ ସବୁବେଳେ ଲାଗିରହିଛି ଲୋ ଅପା । ତୋ ପାଖକୁ ଆଉ ଗୁଡ଼ାଏ କ’ଣ ଲେଖିବି ? ଯାହା ତୋର ଜାଣିବାକୁ ମନ ସବୁ ଆମ ଦାଦି ବାମନ ଭୁତିଆଙ୍କଠଉଁ ବୁଝିବୁ ।”

 

...ବାମନ ଭୁତିଆଙ୍କ ହାତରେ ହାଣ୍ଡିଏ ଆରିଷାପିଠା, ହାଣ୍ଡିଏ ଛେନାପୁରଦିଆ କାକରା, ପୁରି, ଫେଣି ପଠାଇଥିଲୁ । ଶାଶୁ ଭାରି ଖୁସି ହେଲେ । ଶୋଭନ ଏକା ଏକା ସବୁ ଖାଇବାକୁ ମନ କରି “ଆଖୁକିଆରିରେ’ ପଶିଲା । ଢଙ୍ଗ କାଢ଼ିଲା । ଖାଇଲାବେଳକୁ ଚଉଠେ ଆରିଷା, କାକରାର ପୁର ଟିକିଏରେ ତା’ ଖିଆ ସରିଲା ।

 

...ବାମନ ଦାଦିଙ୍କୁ ରାଣନିୟମ ପକାଇ ପେଟେ ଖୋଇଲି । ସେ ଅବଶ୍ୟ ନାହିଁ-ନାହିଁ କରୁଥିଲେ । ରାଣ ନିୟମରେ ବାଧ୍ୟ ହେଲେ ।

 

...ତିନିଦିନ ହେଲା ତୋ’ ଜୋଇଁଙ୍କର ଦେଖାଦର୍ଶନ ମିଳିନାହିଁ ।

 

....ସୋମବାର ପଣାସଂକ୍ରାନ୍ତି । ଶୁକ୍ଳପକ୍ଷ ଦଶମୀ ଦିନ ଗାଧୁଆବେଳେ କୁଆଡ଼ୁ ପେଟେ ଖଜୁରୀ-ରସ ପିଇ ତୋ ଜୋଇଁ ଘରେ ପହଞ୍ଚିଲେ । ପାଟିତୁଣ୍ଡ କଲେ । କାଳେ ପୁଣି କ’ଣ ଉତ୍ପାତ ଭିଆଇବେ, ସେହି ଡରରେ ଶୋଭନକୁ ନେଇ ଶାଶୁଙ୍କ ଘରେ ପଶିଲି । ତାଙ୍କରି କହିବା ପ୍ରକାରେ ଭିତରୁ ମୁଁ କବାଟ କିଳିଲି ।

 

...ସେ ମୋତେ ଖୋଜୁଥିଲେ । ମତେ ଆଗରୁ ବାରମ୍ବାର ଶିଖାଇଥିଲେ ଯେ, ଶାଶୁ ଶୋଇଥିଲାବେଳେ ମୁଁ ତାଙ୍କ ଅଣ୍ଟାରୁ ଚାବିନେନ୍ଥା ଖସାଇ ଆଣିବି; ଲୁହା ବାକ୍‌ସ ଖୋଲିବି ।

 

...ବହୁଦିନ ପୂର୍ବେ, ବିନୋଦ-ବିହାରୀଙ୍କ ପୁରୁଣା ମନ୍ଦିର ଆଗରୁ ମୁଣ୍ଡମରା ପୋଖରୀ, ତାକୁ ଲାଗି ତୋଟା ପଡ଼ିଆ ହରିନନା ବଉଁଶଙ୍କୁ ବିକ୍ରି କରି ଦଖଲ ଦେଇଥିଲେ । ସେହି ବାବତ ଟଙ୍କା ମତେ ସେ ରଖିବାକୁ ଦେଇଥିଲେ ।

 

...କୌଣସି ଆରା ଦେଖାଇ ସେଇ ଟଙ୍କା ଥଳି ଶାଶୁଙ୍କୁ ଦେବାକୁ କହିଥିଲି ।

...ସେ ସେଇଆ କରିଥିଲେ ।

 

...କେତେ ଟଙ୍କା ସେ ଥଳିରେ ଥିଲା ମତେ ଜଣାନାହିଁ । ସେ ଟଙ୍କାଥଳି ଦେଲାବେଳେ ମୁଁ ଶାଶୁଙ୍କ ପାଖରେ ଥିଲି । ଦେଖିଛି ।

 

...ଯେତେ ନିଉନ ହୋଇ, ନାଲିଛାଲି କରି ମିଛ ଆରାରେ ଟଙ୍କା ମାଗିଲେ ଶାଶୁ ତାଙ୍କୁ ଦେବେ ନାହିଁ । ଏହା ସେ ଜାଣନ୍ତି । ସେଇଥିପାଇଁ ସେ ମତେ ଚୋରି କରିବାକୁ ପ୍ରବର୍ତ୍ତାନ୍ତି । ମୁଁ ତାଙ୍କ କଥା ମାନେନାହିଁ ।

 

...ମୁଁ ହାବୁଡ଼େ ପଡ଼ିଲେ, ତାଙ୍କର ପେଟରେ ଯଦି ମଦ ପଡ଼ିଥାଏ, ଆଉ ମୁଁ ଯଦି ତାଙ୍କର, କଥା ନୁହେଁ ତ, ଅକଥା ନ ମାନେ, ସେ ମୋତେ ପ୍ରହାର କରନ୍ତି । ସେ ଯେଡ଼େ ବଳୁଆ ହୋଇଥିଲେ ବି, ମୁଁ କ’ଣ ଆତ୍ମରକ୍ଷା କରିବାକୁ ତାଙ୍କୁ ଓଲଟା ଆଘାତ କରିପାରନ୍ତି ନାହିଁ ।

 

...ପାରନ୍ତି ଲୋ ବୋଉ, ପାରନ୍ତି । କିନ୍ତୁ, ଇତର ଜାତିର ଲୋକଙ୍କ ଘର ପରି, ମୁଁ ଜେନାଘର ଝିଅ, ସାନ୍ତରା ଘରର ବୋହୁଟି । ସ୍ୱାମୀ ଦେବତାଙ୍କର ଦେହରେ ଆଘାତ କିପରି କରନ୍ତି-?

 

...ଦୁଇ କୁଳର, ଦୁଇ ଗ୍ରାମର ସମ୍ମାନକୁ ଦି କଡ଼ା କରି ଦାଣ୍ଡରେ ହାଟରେ ଫୋପାଡ଼ି ଦିଅନ୍ତି ? ତପସ୍ୱିନୀ ଜେମାଦେଈ ଅପା ସାମନ୍ତାଣୀଙ୍କର ସବୁ ଶିକ୍ଷା, ସବୁ ଉପଦେଶ, ଆଉ ମୋ ଉପରେ ପ୍ରଗାଢ଼ ବିଶ୍ୱାସ ଓ ପ୍ରବଳ ସ୍ନେହକୁ ଚୁନା କରନ୍ତି ?

 

...ମୋ ଜୀବନରେ ଆଉ କି ସମ୍ବଳ ରହନ୍ତା ଯେ ତାକୁ ମୁଁ ବଞ୍ଚାଇ ରଖିବାର ପ୍ରେରଣା ପାଆନ୍ତି ? କେବେ ଦୁଃସହ ହେଲେ, ମତି ଅତି ବିଭ୍ରମ ହେଲେ, ମୋ ଆୟତ୍ତରେ ନିଜକୁ ରଖି ନ ପାରିଲେ, ମୁଁ କ’ଣ କରିବି ଏବଠୁଁ ବିଚାର କରିପାରୁନାହିଁ ।

 

...ଏବେ ତ ମୁଁ ମୋ’ର କର୍ତ୍ତବ୍ୟ କରିବାକୁ ଚେଷ୍ଟା କରୁଛି । ସେତିକି ମତେ କାର୍ଯ୍ୟରତ ରହିବାକୁ ଉତ୍ସାହ ଦେଉଛି । ରାତି ପାହି ପୁଣି ହେଉଛି ନୂଆ ସକାକ । ଚକ ଘୂରୁଛି ଲୋ ବୋଉ । ପୁଣି ହେଉଛି ସଞ୍ଜ, ତାମସୀ ହେଉ କି ଚାନ୍ଦିନୀ ହେଉ, ରାତି ।

 

...ଅଲେଖ ଏଠାକୁ ବହୁ ବର୍ଷ ପରେ ଆସିଥିଲା । ଦିନ କେତୋଟି ରହିଥିଲା । ସେତିକିବେଳେ ମୋର ପ୍ରବଳ ଆଗ୍ରହ ହୋଇଥିଲା ଯେ ଏ ଘରକୁ ବୋହୁ ହୋଇ ମୁଁ ଆସିବା ଆଗରୁ, ଏ ଯମପୁରରେ, ଏଇ ନିଉଁଛୁଣା ପ୍ରେତପୁର ଗାଁଟାରେ ଯାହାସବୁ ଯେବେ ଘଟିଯାଇଥିଲା, ଯାହା ମୁଁ ଶୁଣିଥିଲି, ଜାଣିଥିଲି, ପୁଣି ନିଜେ ଅଙ୍ଗେ ନିଭାଇଥିଲି ସବୁ ତାକୁ କହିଦେବି । କିନ୍ତୁ ସେତକ କରି ତା’ର ଫୁର୍ତ୍ତି, ତା’ର ଆନନ୍ଦ, ଉତ୍ସାହ ଓ ତା’ର ଭିଣୋଇଙ୍କ ପ୍ରତି ସମ୍ମାନ ଭାଙ୍ଗିବାକୁ ମନଊଣା କରି ଦୁଃଖରେ ଫେରିବା ମୁଁ ପୁଣି ଚାହିଁଲି ନାହିଁ ।

 

...ମୁଁ ଅନୁମାନ କରିଥିଲି ଯେ ତା’ର ପାଠୁଆ, ବଦଖରଚି, ସବୁବେଳେ କାର୍ଯ୍ୟ ବ୍ୟସ୍ତ ପରି ଆତଯାତ ହେଉଥିବା ଭିଣୋଇଁ, ଟିକିଏ ଆଡ଼ବାଇଆ ପରି ବେଳେବେଳେ ଟଳି ଟଳି ଚଳୁଥିବା ଓ ଅବାନ୍ତର ଢଙ୍ଗ ଦେଖାଉଥିବାରୁ ସେ ନିଶ୍ଚୟ କ’ଣ ବିଚାର କରିଥିବ ।

 

...ମତେ ସେ କିଛି ପଚାରି ନ ଥିଲା । ହସଖୁସିରେ ସେ ବିଦାୟ ନେଲା ।

 

...ମୋର ଏଇ ‘ପୁରାଣ ଚିଠି’, ଯାହା କେତେଦିନର ଆଖିର ଲୁହ ଢାଳି, ଛଟପଟ ଛାତି ଓ ଅସ୍ଥିର ମନର କୋହରେ ଲେଖି ଲେଖି ଆସିଛି, ସମସ୍ତଙ୍କ ପାଖରୁ ଲୁଚାଇ ଛପାଇ ରଖିଛି, ବାମନ ଦାଦି ଆସିଛନ୍ତି ତ ତାଙ୍କରି ହାତରେ ତାହାକୁ ତୋ ପାଖକୁ ପଠାଉଛି ।

 

...ତାଙ୍କଠାରୁ ବଳି ଅଧିକ ବିଶ୍ୱାସୀ ମୋର କିଏ ଅଛି ? ତାଙ୍କରି ମୁହଁରେ ମୋ ଜନମମାଟିର ସବୁ ଶୁଭ ମନାସିଲି । ଆତ୍ମୀୟ-ସ୍ୱଜନଙ୍କର ଜନଙ୍କର ମୁହଁ ମୁଁ ଦେଖୁଛି ।

 

...ପଢ଼ିବୁ, ବୁଝିବୁ । ମୋ ଜେମାଦେଈ ଅପାଙ୍କୁ ପଢ଼ିବାକୁ ଦେଲେ ଦେବୁ, ନ ଦେଲେ ନାହିଁ-। ତୋର ଇଚ୍ଛା ।

 

...ଦୁଃଖନ ଭାଇ କ’ଣ ସବୁ ବଡ଼ ବଡ଼ କାମ ଗ୍ରାମରେ କରାଉଛନ୍ତି, ଶୁଣିଲି । ଆମ ଗାଆଁର ଚେହେରା ଭାରି ଜଲଦି ଜଲଦି ବଦଳି ଯାଉଛି ।

 

...ସତେ, ଦୁଃଖନ ଭାଇ ଦାତାକର୍ଣ୍ଣ ହୋଇଛନ୍ତି । ତାଙ୍କର ସବୁ ଧନସମ୍ପତ୍ତି କ’ଣ ସେ ସମସ୍ତଙ୍କୁ ଦାନ କରିଦେବେ ?

 

...କାହିଁକି ସେ ଏପରି ବାଇଆ ବୁଦ୍ଧି ଧରିଛନ୍ତି ? ସେ କ’ଣ ଲେଙ୍ଗୁଟି ପିନ୍ଧି, ଘର ସଂସାର, ଆତ୍ମୀୟ, ବନ୍ଧୁବାନ୍ଧବ ଓ ଗ୍ରାମ ଛାଡ଼ି ସନ୍ନ୍ୟାସୀ ହୋଇ ଚାଲିଯିବେ ?

 

...ବାମନ ଦାଦି ସେମିତି କ’ଣ ସବୁ କହୁଥିଲେ । ମୋର ବିଶ୍ୱାସ ହେଉନାହିଁ ।

 

...ବାମନ ଭୁତିଆ ଟିକିଏ ବେଡ଼ା ବୋଲି ଗାଆଁରେ ସମସ୍ତେ କୁହାକୁହି ହୁଅନ୍ତି । ଆକାଶର ଜହ୍ମ ଯେମିତି ଜେଜେଙ୍କର ମାମୁଁ, ବାପାଙ୍କର ମାମୁଁ, ପୁଣି ନାତିନାତୁଣୀମାନଙ୍କର ବି ମାମୁଁ, ସେମିତି ସେ ସଭିଙ୍କର ‘ଦାଦି’ ତ ବାହ୍ମଣରୁ ପାଣପଠାଯାଏ । ମୋ ମନେଅଛି, ବାପା ତାଙ୍କୁ ‘ଦାଦି’ ଡାକୁଥିଲେ । ଗୋପାଳ ହେଲେ ବି ତାଙ୍କୁ ମୁଁ ଓଳଗି ହୋଇଛି ।

 

...ଆଉ ଗୁଡ଼ାଏ ଅଧିକ କ’ଣ ଲେଖିବି ? ଅଲେଖକୁ ପୁଣି ଥରେ ପଠାଇବାକୁ ତତେ ଲେଖନ୍ତି, ଅବା ବାମନ ଦିଦିଙ୍କ ହାତରେ ଖବର ଦିଅନ୍ତି ଯେ ତତେ ଏକା ଛାଡ଼ି ସେ ଆସିବାକୁ ରାଜି ହେବ ? ପଚାରିବୁ ତାକୁ । ସେ ଆସିଲେ ମୁଁ ଭାରି ଖୁସି ହୁଅନ୍ତି ।

 

...ବୋଉଲୋ, ତୋ ଜୋଇଁଙ୍କର ସ୍କୁଟର ଗାଡ଼ି କେତେଦିନ ତଳେ ବଡ଼ ସହରରେ କାହା ଦେହରେ ଆଗ ଧକ୍‌କା ଲଗାଇ କାନ୍ଥରେ ବାଜିଲା, ଭଙ୍ଗିଲା । ଗରିବ ଗାଉଁଲି ବାଟୋଇଟି ଡାକ୍ତରଖାନାରେ ମାସେରୁ ଅଧିକ ରହି ସୁସ୍ଥ ହୋଇ ଫେରିଲା ।

 

...ମୋ ଶାଶୁ ସେହି ଗରିବର ଚିକିତ୍ସା ପାଇଁ ଓ ତା’ ପିଲଙ୍କ ପାଇଁ ଜୟୀଦାଦିଙ୍କ ହାତରେ ଟଙ୍କା ପଠାଇଥିଲେ । ୟେ’ ତ ଧରାହୋଇ ପୁଲିସ୍‍ ହାଜତରେ ଦୁଇଦିନ ରହି ଫେରିଲେ ।

 

...ସ୍କୁଟର ମରାମତି ପାଇଁ ଶାଶୁଙ୍କୁ ନେହୁରା କରି ସେ ଟଙ୍କା ନେଇଥିଲେ । କେତେ ନେଇଥିଲେ ମୁଁ ଜାଣେ ନାହିଁ । କିନ୍ତୁ ସ୍କୁଟର ଫେରିଲା ନାହିଁ । ଶାଶୁ ସେ କଥା ପଚାରିଲେ ନାହିଁ । ମୋ’ର କି ଗରଜ ପଡ଼ିଛି ଯେ ପଚାରି ବୁଝିବି ?

 

..କେଜାଣି ସେ କେଉଁଠି ବନ୍ଧା ପକାଇଥିବେ । ଅବା, ମଦଖିଆ ଓ ଅନ୍ୟାନ୍ୟ ଅନୀତି କାମ ପାଇଁ ଟଙ୍କା ନିଅଣ୍ଟ ହେଲାରୁ ବିକିଦେଇଥିବେ ।

 

...ତାଙ୍କୁ ମୋର ପ୍ରାଣେ ଡର । ଆବଶ୍ୟକ ନ ପଡ଼ିଲେ, ସେ ନିଜେ ମତେ କିଛି ନ ପଚାରିଲେ, ତାଙ୍କ ସଙ୍ଗେ ମୁଁ କ୍ଵଚିତ୍ କଥାଭାଷା କରେଁ ।

 

...ସହରକୁ ଏବେ ସେ ସାଇକଲ ଚଢ଼ି ଯାଆନ୍ତି । ଥରେ ଗଲେ, ଫେରନ୍ତି ଦୁଇଦିନ ପରେ-। ପ୍ରତାପସିଂହଙ୍କ ମଟର ଗାଡ଼ିରେ, ରାତିଅଧରେ । ସେଥିରେ ତାଙ୍କର ବନ୍ଧୁ ବିବେକ ବି ଆସିଥାନ୍ତି ।

 

...ତମ ଜୋଇଁଙ୍କୁ ଉନ୍ମତ୍ତ ଅବସ୍ଥାରେ ସେମାନେ ଘରେ ଛାଡ଼ିଦେଇ ଯାଆନ୍ତି । ସେ ଅଭଦ୍ର ଅଶ୍ଳୀଳ ଭାଷାରେ ପାଗଳଙ୍କ ପରି କ’ଣ ସବୁ କେଉଁମାନଙ୍କୁ ଗାଳି ଦେଉଥାନ୍ତି ।

 

....ସେତେବେଳକୁ ତାଙ୍କର ବନ୍ଧୁ ଦି’ ଜଣ ଭୁଲି ଯାଇଥାନ୍ତି ।

 

...ସତରେ ସେହି ଦିହେଁ ଉପକାରିଆ, ଶୁଭମନାସିଲା ବନ୍ଧୁ ହିସାବରେ ଆସନ୍ତି, ଅବା ବାଗ ଉଣ୍ଡି ଘରର ଗୁମର ଜାଣିବାକୁ ଆସନ୍ତି । ପରେ ଯୋଜନା କରିବେ, କିପରି ଉପାୟ ଫାନ୍ଦିଲେ, ନିର୍ବୋଧ ମଦ୍ୟପଟାର ଅହଂକୁ ପ୍ରଶଂସିଲେ, ତାକୁ ନିର୍ବୋଧର ବୈକୁଣ୍ଠ ଦେଖାଇ ହେବ ।

 

...କିଏ ତାଙ୍କର ପିଲାଦିନର ଅନ୍ତରଙ୍ଗ ବନ୍ଧୁ ଦୁଇଟାଙ୍କୁ ତାଙ୍କରି ଆଗରେ କଟୁକଥା କହି, ଛାଞ୍ଚୁଣି ଦେଖାଇ ଘଉଡ଼ି ପାରିବ ?

 

...ଅଚଳ ଶାଶୁଙ୍କର ସେ ଶକ୍ତି ନାହିଁ । ସାହସ ବି ନାହିଁ । ତାଙ୍କ ଉପରେ ଆକ୍ରୋଶ ସାଧିବାକୁ ଗଲେ, ତାଙ୍କର ନିଷ୍କପଟ ସରଳ, ନିର୍ବୋଧ ପୁଅଟି ଯଦି ଓଲଟି ସେମାନଙ୍କ ପକ୍ଷ ନିଏ ?

 

...ଶାଶୁ ମତେ ବୁଝାଇ କହନ୍ତି, ‘ପିଲଗୁଡ଼ାକ ତ, ଅଣ୍ଡିରି ପୁଅ, ଟିକିଏ ଉତ୍‌ପାତିଆ ହୁଅନ୍ତି ଲୋ ମା’ । ଆଉ ଟିକିଏ ବୟସ ବଢ଼ିଲେ ଦାୟିତ୍ୱ ବଢ଼ିବ । ସେମାନେ ପିଲାଳିଆ ଢଙ୍ଗ ଛାଡ଼ିବେ । ଠାକୁରେ ତାଙ୍କୁ ସାହା ହେଉନ୍ତୁ, ଭଲ ବୁଦ୍ଧି ଦିଅନ୍ତୁ ।’

 

...ଗୋଟିଏ ମାତ୍ର ସନ୍ତାନ ବୋଲି ସବୁ ଦୁଃଖ ନିର୍ଯ୍ୟାତନା ନିଜେ ସହି ଦରମରା ହୋଇ ମଧ୍ୟ ସେ ଉଦାର ହୁଅନ୍ତି । ନିଜକୁ ନଷ୍ଟ କରି ସମ୍ପତ୍ତି ଧ୍ୱଂସ କରି, ମଣିଷପଣିଆ ହରାଇ ସେ ପୁଅ ଏ ସରି ହେଲାଣି ଏହା ଦେଖି ମଧ୍ୟ ଶାଶୁ ଆଖି ବୁଜୁଛନ୍ତି । ଅନ୍ୟମାନେ ଆଉ କେତେ ସହିବେ ?

 

...ଅତି ଅସମ୍ଭାଳ ହେଲେ, ଅନ୍ୟମାନେ ନିଜର ଦେଖିଲା କାମ ନ କରିବେ କାହିଁକି ?

...ଶୁଣ ବୋଉ, ମୋର ଏକମାତ୍ର ସାହା ଶୋଭା ମତେ କ’ଣ କହୁଥିଲା ।

 

...ଆଖିରୁ ଦି ଧାର ଲୁହ ଗଡ଼ାଇ ସେ କହିଲ ଦେଈ ଗୋ, ଗତକାଲି ହାଟରେ ମୋ ଶଶୁରଘର ଗାଁର ଲୋକଙ୍କ ମୁହଁରୁ ଶୁଣିଲି ଯେ ମୋ ଶାଶୁ ଆଖିର ଦୁରୁଶ ହରାଇ ସାରିଲେଣି । ଅଣ୍ଡାଳି ହେଉଛନ୍ତି । ବାଡ଼ି ଖଣ୍ଡିକ ବି ତାଙ୍କ ଯିବା ଆସିବାରେ ସାହା ହୋଇପାରୁନାହିଁ ।

 

‘ଉପାସ ଭୋକରେ ତାଙ୍କର ବେଳ କଟୁଛି । ଦୟାପାଇ କେଉଁମାନେ ମୁଠିଏ ଦେଲେ ସେ ଖାଉଛନ୍ତି । ଯେଉଁ ପୁଅଟି କେଉଁ ବିଶିରା ରାଇଜରେ ଅବା ଆଉ କେଉଁଠି ରହିଲେ, ତାଙ୍କୁ କେବଳ ନୁହେଁ, ମତେ ବି ସୁମରି କନ୍ଦାକଟା କରୁଛନ୍ତି । କଟାସମ୍ପା କରୁଛନ୍ତି ।’

 

‘ତମରି ପାଇଁ, ଆଉ ଏ ଶୋଭନ ପିଲାଟି ପାଇଁ ଗୋ ଦେଈ, ମୋ ମନ, ମୋ ଗୋଡ଼ ଦୁଇଟାକୁ ଏଠି ବାନ୍ଧିରଖିଛି ।’

 

‘ସେ ମନ ଏବେ ଏଠିକାର ମମତାର ଦଉଡ଼ି ଛିଣ୍ଡାଇ ମୋର ଛଟପଟ ଅନ୍ଧ ଅଚଳ ଶାଶୁଙ୍କ ପାଖକୁ ଧାଇଁ ପଳାଇବାକୁ ବରାବର କହୁଛି ।’

 

‘ଆନ୍ଦ ସାନ୍ତେ ଆଉ ବଦଳିବେ ନାହିଁ । କେତେଦିନ ମୁଁ ତମୁକୁ ଉହାଡ଼ି ରଖିପାରିବି । ନିଜର ପ୍ରାଣ ତ ଛଟପଟ ହେଉଛି, ମନ ଅସ୍ଥିର ହେଉଛି । ଆଉ କେତେଦିନ ତମର ମହତକୁ ଜଗିପାରିବି ।’

 

‘ଦେଈ ଗୋ, ସେଇଆକୁ ଜଗିବାପାଇଁ ମୁଁ ସେଇ ଚକ୍ରାନ୍ତ କରାଇଥିଲି । ବୁଝିଲ । ଆଜି ତମୁକୁ ଗୁପ୍ତରେ କହୁଛି ।’

 

‘ରାଣ୍ଡୀ ପୁଅ ଯୋଗିଆ ହୁଣ୍ଡା ହେଲେ କି ହେବ, ଭାରି କାମିକା । ଏକବାଗିଆ, ଜିଦିଖୋର । ସେ ତରଛା ନୁହେଁ ।’

 

‘ଏ ଘରେ କାମ କରିବାକୁ ତ ଆସେ । ନ ଜାଣିଲା ପରି, ନ ଦେଖିଲା, ନ ଶୁଣିଲା ପରି ଥାଏ । କିନ୍ତୁ ସେ ସବୁ ଦେଖେ, ସବୁ ଶୁଣେ, ସବୁ ଜାଣେ ।’

 

‘ଦିନେ ମୁଁ କହିଲି ଗୋ ଦେଈ-ଯୋଗୀରେ, ମୁଁ ତ କୋଉଗାଁର ଝିଅ । ପେଟ ପାଇଁ ଏଠି ପଡ଼ିଛି । ସାତ ପର । ଆଜି ଅଛି, କାଲି ନାହିଁ । ଉଡ଼ା ଚଢ଼େଇ ।’

 

କହିଲା, ସତ । ହେଲେ, ଭଲରେ ଅଛୁ ଶୋଭା ଅପା । ବେଶ୍ ଚେରେଇ ଗଲୁଣି । କୁଆଡ଼େ ଉଡ଼ି ପଳାଇଲା ପରି କହୁଛୁ କାହିଁକି ଲୋ ?

 

‘ମୁଁ ଟିକିଏ ସୁଁ ସୁଁ ହେଲି ଗୋ ଦେଈ, ସକେଇ ହେବାର ଢଙ୍ଗ କାଢ଼ିଲି । କହିଲି-ତମର ଆନ୍ଦ ସାନ୍ତଙ୍କ ସାଙ୍ଗ ଦିଟା ମ, ପିଲାଦିନରୁ ଏ ଘରେ, ଏ ଗାଆଁରେ କାରବାର । ସବୁ ଘଟଣା ଜାଣନ୍ତି । ସବୁ ଭେଦ ବି ଜାଣନ୍ତି ।’

 

‘ପଚାରିଲା-କାରବାର ହେଉଛନ୍ତି, ନ ଜାଣିବେ କେମିତି । ଦି’ଟା ଭାରି ବଦ୍‌ମାସ । ନିଜେ ମଦ ଖାଆନ୍ତି, ସାନ୍ତଙ୍କୁ ଖୁଆନ୍ତି । ଆମେ ବି ଖାଉଛୁଁ । ଦୋଷ ଦେଖୁନାହିଁ । ସଉକର କଥା । କାହିଁକି, କ’ଣ ହେଲା କି ?’

 

‘କହିଲି ଠାର-ଭାଷାରେ-ସେମାନଙ୍କର କେଡ଼େ ସାହସ, ଦେଖ । ମଦ ନିଶାରେ ଚାନ୍ଦକୁ ହାତ ବଢ଼ାଇଲେଣି । ଶାଶୁ ଅଚଳ । ସାନ୍ତେ ମଦ ନିଶାରେ ତାଙ୍କ ଆଗରେ ଟଳମଳ ।’

 

‘ସେଇ ଦି’ଟା ଜାଣିକରି ଆନନ୍ଦ ସାନ୍ତଙ୍କୁ ତଣ୍ଟିଯାଏ ପେଇଦିଅନ୍ତି । କାହିଁକି ତୁ କ’ଣ ବୁଝିପାରୁନୁ, ଯୋଗୀ ।’

 

‘ପାଖରେ ସାହା ହେବାକୁ ମୁଁ ନ ଥିଲେ, ଦୁଶା ଆଉ ଭୁଶାଙ୍କ କତିରେ ମହତ ସରନ୍ତା ।’

 

ଯୋଗିଆ କୋଡ଼ିଟାକୁ ହାତରୁ ଖସାଇ ସଁ-ସଁ ହେଲା । କହିଲା-ମତେ ପୁଣି କେଇବର୍ଷ ଘଣା ପେଲାଇବୁ । ପୁଣି, ମୋ ସଙ୍ଗେ ଆଉ କେଇଟାଙ୍କୁ ବି, ଶୋଭା ଅପା ।

 

-ହଉ, ହେଲା । ଗାଁର ମହତ, ପୁଣି ବଡ଼ ଖୁଣ୍ଟିଆ ସାନ୍ତରାଘରର ସନମାନ୍ ପାଇଁ ଯାହା କରିବାର ମୁଁ କରିବି । ମୋ ବୋଉର ଦାୟିତ୍ୱ ତୋ ଉପରେ । ତେ ଆଞଳାରୁ ତାକୁ ମୁଠାଏ ଦେବୁ । ବଞ୍ଚାଇ ରଖିବୁ ।

 

‘ମୁଁ ମଙ୍ଗିଲି । ଉପରେ ଧର୍ମଦେବତାଙ୍କୁ ଚାହିଁ ଶପଥ କଲି ।’

 

“ଦୟା ପାଇ ଯୋଗିଆ ମା, ଆଉ ଆର ଦୁଇ ଜଣ ଲୋକଙ୍କର ଘରମାଇପିଙ୍କୁ ମୁଁ ଦିଏ ନାହିଁ ଗୋ ନଉଲୀ ଦେଈ, ମୋର ଦୟିନୀ ମାନି ଯୋଗିଆ ଓ ତା’ର ସାଙ୍ଗ ଦି’ଜଣ କେମିତି ସେ ପରତାପ ଆଉ ବିକଙ୍କୁ ଦଣ୍ଡ ଦେଇ ନିଜେ ଜେହେଲେ ଭୋଗିଲେ, ସେଇଥିପାଇଁ ।’

 

...ବୋଉ ଲୋ, ସତେ ଯଦି ଶୋଭା ଏଠିକାର ସବୁ ମାୟା ମମତା ଛିଣ୍ଡାଇ ତା’ର ଅନ୍ଧୁଣୀ ଅଚଳ ଶାଶୁଙ୍କର ସେବା କରିବାକୁ ଏ ଘର ଛାଡ଼ି ଚାଲିଯିବ, ମୁଁ ଚଳିବି କିପରି ? ତୋ ଜୋଇଁଙ୍କ ଅତ୍ୟାଚାରର କବଳରୁ କିଏ ମତେ ରକ୍ଷା କରିପାରିବ ? କିଏ ମୋର ମାନ-ମହତର ରକ୍ଷାକାରିଣୀ ହେବ ?

 

...କେହି ନାହିଁ । ଯେଉଁ ବୁଦ୍ଧି ଭଗବାନ ସେତେବେଳେ ମୋ ମୁଣ୍ଡରେ ପୂରାଇବେ, ମୁଁ ସେଇଆ କରିବି ।

 

...ତତେ ଏତିକି ଲେଖି ଏ ଚିଠି ମୁଁ ଶେଷ କରୁଛି । ତୋ ଜୋଇଁଙ୍କୁ ମୁଁ ବାଘ ସାପ ପରି ଡରେ । ତାଙ୍କର ଅବାଧ୍ୟ ସିନା ହେବି ନାହିଁ, ତାଙ୍କର କୁ-କଥା ସିନା ସହିବି, ଅକଥା, ମହତସରା ନିର୍ଦ୍ଦେଶ ମୁଁ ମାନିବି ନାହିଁ । ପ୍ରତିବାଦ କରିବି । ପ୍ରତିରୋଧ କରିଛି । ମଲେ ପଛେ ମରିବି ।

 

... ଏତେ ଦିନକେ ମୋ ଚିଠି ସରିଲା । ଆସି ରାତିଅଧ ହେଲାଣି । ଶୋଭନଟି ବିଛଣାରେ ଶୋଇଛି ମୋ ପାଖରେ । ଶୋଭା ଆଜି ଶାଶୁଙ୍କ ଘରେ । ତୋ ଜୋଇଁ ଘରକୁ ଫେରିନାହାଁନ୍ତି ଲୋ ବୋଉ, କେତେବେଳେ ଫେରିବେ, ଅବା ମୋଟେ ନ ଫେରିବେ କିଏ ଜାଣେ-?

 

...ସ୍କୁଟର ତ କୁଆଡ଼େ ଗଲା । ଏବେ ସାଇକଲଟି ସମ୍ବଳ । କେଜାଣେ ସେଇଟି ଯଦି କିଏ ଚିତା କାଟିଥିବ, ଆଉ କାହା ଘରେ ବଡ଼ ସହରରେ ସେ ରହିଯିବେ ।

 

ବାମନ ଦାଦି କାଲି ସକାଳେ ସହଳ ବିଦା ହେବେ ବୋଲି ଶାଶୁଙ୍କଠାରୁ ମେଲଣି ନେଇଛନ୍ତି ।

 

ସକାଳର ଶୁଭ କାଉ ଦିଓଟି ମଥାନରେ ବସି ରଡ଼ି ରଡ଼ି କେତେବେଳରୁ ଉଡ଼ିଗଲେଣି । ନିଆଁଲଗା ମନ ଏଇ ଅଲକ୍ଷଣୀର ଜଳିପୋଡ଼ିଲା ମୁଣ୍ଡ ଭିତରୁ ଛପିଛପିକା ବାହାରି କୁଆଡ଼େ କୁଆଡ଼େ ଉଡ଼ିଯାଇଥିଲା । ଚେତନାକୁ ଉଡ଼ାଇ ନେଇଥିଲା ସାଥିରେ । ଅଭ୍ୟାସ ହାତଗୋଡ଼କୁ ନିତିଦିନର କାମରେ ଲଗାଇଥିଲା ।

 

ସେଥିପାଇଁ ଭାବିବା ଆବଶ୍ୟକ ପଡ଼େ ନାହିଁ । ସକାଳର ନିତିଦିନିଆ ଘର ପାଇଟି ଅଭ୍ୟସ୍ତ ହାତ ଗୋଡ଼ ଆପେ ଆପେ କରିଦିଅନ୍ତି ।

 

ଗୁହାଳଘର ସଫା କରି, ବଢ଼ିଣା ଧରି ବାରିବାଟେ ଘରର ଅଗଣାକୁ ଆସିଲାବେଳକୁ ସୂର୍ଯ୍ୟ ଆକାଶ ଉପରକୁ ଉଠିଆସିଥିଲେ । ବଳିଆ କେତେବେଳରୁ ଉଠି ବାହାରକୁ ଯାଇସାରିଥିଲା-। ଅଲେଖ ପ୍ରସ୍ତୁତ ହେଉଥିଲା ।

ଆଗରୁ ସେ ସାବଧାନ କରିଦେଇଥିଲା । ଗତ ସଞ୍ଜରେ ସେ ଶିବ ରାଉତରାୟ ସକାଳେ ସକାଳେ, ଖରା ଟାଣ ହେବା ଆଗରୁ ଯାଇ ସେମାନେ ତାଙ୍କ ଘରେ ପହଞ୍ଚିବାକୁ କହିଛନ୍ତି ।

କୁସୁମ ଭାବିଲା, ଅଲେଖ ତାଙ୍କ ଘରକୁ ଗଲେ ଦୁଃଖନ କେତେବେଳ ଯାଏ ତାକୁ ଅଟକାଇ ରଖିବ, ଅନ୍ୟ କେଉଁ କାମ ବରାଦ କରିବ, କିଏ ଜାଣେ ?

ବଳିଆକୁ ତ ନିଶ୍ଚୟ ଯିବାକୁ ହେବ । ସେ କହୁଥିଲା ଯେ ଶିବସାଆନ୍ତେ ଦହ ଉପର ଜମିରେ ଡାଳୁଅ ଧାନ କିଆରିମାନଙ୍କରେ ପାଣି ମଡ଼ାଇବାକୁ ବରାଦ କରିବେ । ତା’ କାଳିଆ ଭାଇ ସାହାଯ୍ୟ କରିବାକୁ ଆସିବ । ଗାଆଁରୁ ଆଉ କେଉଁମାନେ ବି ଆସିବେ, କାମ କରିବେ ।

ଏ ବର୍ଷ ପାଳକ ଭଲ ହୋଇନାହିଁ । ଯେଉଁମାନଙ୍କର ଜମିରେ ନାଳପାଣି ମାଡ଼ୁଛି, ସେମାନେ ସିନା ସେହିସବୁ ଜମିପାଇଁ ନିଶ୍ଚିନ୍ତ, କିନ୍ତୁ ନାନା କାରଣରୁ ଯେଉଁମାନଙ୍କର ଭୂମିରେ ନ।ଳପାଣି ମାଡ଼ୁନାହିଁ, ପୁଣି ଯାହାଙ୍କର ଜଳମଡ଼ାଜମି ଛଡ଼ା ଜଳ ନ ମାଡ଼ିଥିବା ଜମି ଅଛି, ସେମାନେ କେମିତି ନିଶ୍ଚିନ୍ତ ହୋଇପାରିବେ ?

ଅଗିଜଳା ପୂର୍ଣ୍ଣିମା ଆଗରୁ ଏବଂ ପୂର୍ଣ୍ଣିମା ଦିନ ବେଶ୍ କେଇ ଅସରା ବର୍ଷା ଓ ବରକୋଳି ପରି କୁଆପଥର ବୃଷ୍ଟି ଅଳ୍ପ ବେଳ ପାଇଁ ହୋଇଥିଲା ।

ବହୁତ ଗଛରୁ ଡାଳ ଭାଙ୍ଗିଥିଲା । ସଜନା ଗଛଗୁଡ଼ିଏ ଭାଙ୍ଗିଚୂନା ହେ।ଇଥିଲା । କେତୋଟି ଚାଳ କାହାର ସବୁ ଉଡ଼ାଇ ନେଇଥିଲା । ଜୀବଜନ୍ତୁ, ଅବା ମଣିଷଙ୍କର କିଛି ଅନିଷ୍ଟ ହୋଇ ନ ଥିଲା-

ତଥାପି, ଦୁର୍ବିପାକ ପାଇଁ ଅଳ୍ପ ବହୁତେ କ୍ଷତି ତ ହୋଇଥିଲା ।

ଉଚ୍ଚଜମି, ପାଳଭୂମି ଓ ଦହର କୂଳଭୂମିମାନଙ୍କରେ ହଳବୁଲା ହେଉଥିଲା । ଜୟୀ ନାୟକେ ଜ୍ୟୋତିଷ ପ୍ରଚାର କରିଥିଲେ, ଏ ବର୍ଷର ପାଳକ ନାହିଁ ନ ହେବ । ଭୂମିମାନଙ୍କରେ ସୁନା ଫଳିବ । ଏବହୁଁ ଲାଗିପଡ଼ରେ ଚାଷରେ, ସୁନା ଫଳାଅ ।

କେହି କେହି ତାଙ୍କ କଥା ମାନିଲେ । ଅନ୍ୟମାନେ, ଯେଉଁମାନେ ତାଙ୍କର ବାହାପିଆପଣ ଜାଣନ୍ତି, ତାଙ୍କ କଥାକୁ ହସି ଉଡ଼ାଇ ଦେଲେ ।

ସେ ଯାହାହେଉ, କାମ ଯେମିତି ହେବାର କଥା, ଅବଶ୍ୟ ହେଲା । ଦହ ଉପର ନିଜର ଜମିଖଣ୍ଡିକରେ ସେ ଡାଳୁଅ ରୋଇବାର ବ୍ୟବସ୍ଥା କଲେ । କିନ୍ତୁ, ନିଜେ ସେ ମଧ୍ୟ ଅନ୍ୟକେତେକଙ୍କ ପରି ଧିମେଇ ଗଲେ । ନିଜେ ଟରଣି ବେପାରରେ କେଉଁ କେଉଁ ପାଖ ଓ ଜଣାଶୁଣା ଦୂର ଗାଁମାନଙ୍କରେ ବ୍ୟସ୍ତ ରହିଲେ ।

ବର୍ଷାର ମୁହଁ ଲୋକେ ଆଉ ଦେଖିନାହାଁନ୍ତି । ଆକାଶରେ ଭାସି ଭାସି ଗତି କରି ଚାଲିଯାଉଥିବା ମେଘ ଫଉଜକୁ ଅବଶ୍ୟ ଦେଖନ୍ତି, କିନ୍ତୁ ହତାଶ୍‍ ହେବା ସାରା ହୁଏ ।

ଏକା ସେହି ଶିବଦାସ ରାଉତେ ହତାଶ୍‍ ହେବାର ଲୋକ ନୁହଁନ୍ତି । ସେ ଗ୍ରାମବାସୀଙ୍କୁ ଭେଳାଇଲେ । ବୁଝାଇ କହିଲେ, “ସମସ୍ତେ ଜାଣ, ହାତ ଅଳସେ ନିଶ ବଙ୍କା ।’’

‘ସମସ୍ତଙ୍କୁ ଜଣା, ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ଗଢ଼ିବାକୁ ତିନି ପୁରୁଷ ଲାଗିଥିଲା । ବାରଶ କାରିଗରଙ୍କୁ ବାର ବରଷ ଲାଗିଲା କୋଣାର୍କ ମନ୍ଦିର ନିର୍ମାଣ । ଧୀର ପାଣି ପଥର କାଟେ ।’

‘ତେଣ୍ଡାମାନଙ୍କରେ ପାଣିଟେକି ଆମେ ଗ୍ରାମବାସୀଏ ମାହାରାମାନଙ୍କରେ ନେଇ ବିଲମାନଙ୍କରେ ମଡ଼ାଇବା । ପଶ୍ଚିମ ଓ ଦକ୍ଷିଣପଟର ପାଣି ଅମଡ଼ା ଚକମାନଙ୍କରେ ମଡ଼ାଇଲେ, ଡାଳୁଅ ଧାନର ଫସଲ ଗଜାମରୁଡ଼ିରୁ ରକ୍ଷା ପାଇଯିବ ।’

‘ମୋର ଅଳପ ଚାଷ, ତା’ର ଭଉତୁ, ଏପରି ଆପଣାସାର୍ଥିକା ବିଚାରକୁ ମନରେ ଥାନ ନ ଦେଲେ ନିଶ୍ଚିତ ମରୁଡ଼ିରୁ ସମସ୍ତଙ୍କର ଫସଲ ବଞ୍ଚାଇବା । ତା’ପରେ ତୋର ମୋର ବିଚାର ଅଳପ-ବହୁତ ଭୂମିର । କିଏ କେତେ ଦେବ, କିଏ କେତେ ନେବାର ହିସାବର ପ୍ରଶ୍ନ ।’

‘‘ଦହରେ ଆମର ପ୍ରଚୁର ଜଳ ଅଛି । ପଚାଶ ଖଣ୍ଡ ଗହିରକୁ ଜଳାର୍ଣ୍ଣବ କରିପାରିବ । ଦେହରେ ଆମର ବଳ ଅଛି । ଅପାଳକକୁ ଡରି ଅଳସ ହୋଇ ଘରେ ବସିଲେ ଖାଲି ଶୂନ୍ୟକୁ ଚାହଁରହିବା ସାର ।”

‘ହାତଯୋଡ଼ି ନିଊନ ହୋଇ ଖାଲି ଆକାଶକୁ ବିକଳ ଆଖିରେ ଚାହିଁଥିବା, ଆଉ କହୁଥିବା, ମାରନା, ଆମେ ମଲୁଣି, ପାଣି ମୁନ୍ଦିଏ ଦେ ଇନ୍ଦ୍ରରଜା, ତୋର ଶରଣ ପଶୁଛୁ ?’

ଅଲେଖର କଥା କୁସୁମର ମନେପଡ଼ିଲା । ସେ କହୁଥିଲା, ସେଦିନ ରାତି ଘଡ଼ିକରେ, ରାଧାଶ୍ୟାମଙ୍କ ତୋଟାରେ, ମନ୍ଦିର ଆଗରେ ଗାଁର ଲୋକେ ଜମା ହୋଇଥିଲେ । ପ୍ରସାଦର ବ୍ୟବସ୍ଥା କରାଇଥିଲେ ନିଜେ ଶିବଦାସ ରାରତରା ।

ଭାଗ୍ୟକୁ ଜୟୀ ନାୟକେ ତାଙ୍କର କାର୍ଯ୍ୟ ଉପଲକ୍ଷରେ ଅନ୍ୟକୁଆଡ଼େ ଅବା ସହରକୁ ଯାଇଥିଲେ । ନୋହିଲେ, କ’ଣ ମେଖଡ଼ ଘଟାଇବାକୁ ଚେଷ୍ଟା କରିଥାନ୍ତେ ।

 

ଅଲେଖ କହିଁଲା, ‘ଜୟୀ ନାୟକେ ନୂଆଘର ତୋଳିଲେ, ଖଡ଼ ଓଲାରି ଟିଣ ଛାଉଣି କଲେ, ଘରର କାନ୍ଥ, ଚଉଡ଼ା ବାରଣ୍ଡା, ଘରର ଚଟାଣ ପକ୍‌କା ପାଲିସ କଲେ । ପ୍ରତିମାସରେ ଭୂମି କିଣୁଛନ୍ତି । ଦି’ ହଳ ବଳଦ, ଦିଟା ଦୂହାଁଳୀ ଗାଈ ରଖିଲେଣି ।’

 

‘ଜ୍ୟୋତିଷୀ କାମରେ ନୁହେଁ ଲୋ ବୋଉ, ତାଙ୍କ ଟରଣୀ କାମରେ ତାଙ୍କୁ ନିଶ୍ୱାସ ମାରିବାକୁ ତର ନାହିଁ । ଅଳ୍ପଦିନ ମୋଟେ ଗାଁରେ ରହୁଛନ୍ତି । ବାକି ଦିନତକ ବାହାରେ । ବଡ଼ ସହରରେ ପାଖ ଗାଆଁମାନଙ୍କରେ, ପୁଣି କେବେ ଅପାଘର ଗାଆଁରେ ।’

 

‘ଯେବେ ଗାଁରେ ସେ ରହୁଛନ୍ତି, ଅନର୍ଥକ ଅଶାନ୍ତିର ଝଡ଼ ବୁହାଉଛନ୍ତି । ଛୋଟ ଛୋଟ ଘଟଣାରେ ଜଣକୁ, ଅବା ଗୋଟିଏ କୁଟୁମ୍ବକୁ, ଅନ୍ୟ ଜଣେ କାହାର ବା କୁଟୁମ୍ବର ବିରୁଦ୍ଧରେ ମତାଇ ଦେଉଛନ୍ତି ।’

 

ଏ ଘଟଣା ଦୁଃଖନ ସାଆନ୍ତଙ୍କ କାନରେ ବାଜିଲେ ସାମନ୍ତେ ନିଜେ ଯାଇ ସେମାନଙ୍କ ଘରେ ପହଞ୍ଚୁଛନ୍ତି । ଆବଶ୍ୟକ ହେଲେ ବରଂ ନିଜ ହାତରୁ ପାଞ୍ଚ ପଚିଶ ଖରଚ କରୁଛନ୍ତି । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, କୁଟୁମ୍ବ କୁଟୁମ୍ବ ମଧ୍ୟରେ ସେ ମିଳାମିଶା କରାଉଛନ୍ତି ।

 

‘ଅଭାବ-ଅସୁବିଧାରେ, କାହାର ଦେହ ବାଧକରେ ଅଗଣାରେ ଉଭା ହୋଇ ଖବର ଅନ୍ତର ବୁଝି ସାହା ହେବାକୁ ଆଗ ସେହି । କହାକୁ କେବେ ସେ କ’ଣ ଦିଅନ୍ତି ମନେରଖନ୍ତି ନାହିଁ ।’

 

ନେବା ଲୋକ ନିଜ ମନକୁ ଫେରାଇଲେ ଶୁଝିଲେ ଭଲ; ନ ଫେରେଇଲେ ନାହିଁ । ନିଜେ ଜୟୀ ନାୟକେ, କ’ଣ ବା ତାଙ୍କର ଅଭାବ ଅଛି, ମୋ ଜାଣିବାରେ ଲୋ ବୋଉ, ଗଛ, ମାଛ, ଟଙ୍କା, କଉଡ଼ି କେତେଥର ତାଙ୍କଠାରୁ ଆଣିଛନ୍ତି ।

 

‘ନିଜ ମନକୁ ନେବା ଲୋକେ କେବେ ଫେରାନ୍ତି ନାହିଁ । ଦୁଃଖନ ସାଆନ୍ତେ ତ କେବେ ଫେରାଇବାକୁ କହିବେ ନାହିଁ । ସେମାନଙ୍କ ପାଖରେ ବୁଡ଼େ ।’

 

‘ତେଣୁ, ଦୁଃଖନ ସାନ୍ତେ ଯାହା କହିବେ, ଗାଁ ଲୋକଙ୍କର ସେଇଆ । ଶୁଖିଲା ଠାଉ ଠାଉ ଗହୀର ବିଲରେ ଦହର ପାଣି ନିଶ୍ଚେ ମଡ଼ା ହେବ । ଡାଳୁଆ ଫସଲ, ପନିପରିବାର ବଗିଚା, ଠା’-ଠା’ କେ ରବି ଫସଲ, ପୀରଙ୍କ ଆସ୍ଥାନ କଡ଼ର ଭୂମି ଉପରର ଫସଲ ସବୁ ରକ୍ଷା କରିହେବ ।’

 

କୁସୁମ ବିଚାରୁଥିଲା, ପରିଶ୍ରମ ନ କଲେ, ଏକମନ ନ ହେଲେ, କୌଣସି ବଡ଼କାମ କରିହୁଏ ନାହିଁ । ଅଲେଖ ମନ୍ଦିର ପାଖକୁ ଯାଇଛି । ଗାଁ ଲୋକ ସେଇଠି ଏକଜୁଟ ହେବେଣି । ଦଶଟା ତେଣ୍ଡା ସେଇଠି, ଛାଡ଼ିଛାଡ଼ିକ ଲାଗିଛି । ମାଟି ପକାଇ ଉଚ୍ଚଭୂମି ଉପରେ ମାହାରାମାନ କରାହୋଇଛି । ବିଲମାଳକୁ ପାଣି ଛଡ଼ାହେଉଛି । ମଡ଼ାଇବାକୁ ଗ୍ରାମଲୋକ ପ୍ରସ୍ତୁତ ହୋଇ ରହିଲେଣି । ଦୁଃଖନ ରାଉତେ ବି ନିଜେ ପହଞ୍ଚି ସାରିବେଣି ।

 

ବଳିଆ ଅଳ୍ପ ଡେରିରେ ପହଞ୍ଚିଲେ ବି ଚଳିବ । ସେ ଆସିଲେ ଆଗ ଗାଈ ଦୁହିଁବ । ଦୁଇମାଣ ଦୁଧ ବେଳାକୁ ଦେଉଥିଲା । ଯେତେ ଖୁଆଇଲେ ଚାନ୍ଦଗାଈ ବଢ଼ାନ୍ତା କ’ଣ ଓଲଟି କମାଉଛି । ଦେଢ଼ମାଣରେ ରଖିଲାଣି । ବାମନ ଦାଦି ଆସି ଥରେ ଦେଖିଲେ । ଗାଈକୁ ଝାଡ଼ିଲେ । ମନ୍ତୁରା ଲୁଣ ଖୋଇଲେ । ଗଲେ ।

 

ବଢ଼ିଲା ନାହିଁ । ବାମନଙ୍କୁ ଡକାଇବାରୁ ସେ ଆସିଲେ ନାହିଁ । ବଳିଆ ହାତରେ ଖବର ପଠାଇଲେ, ‘‘ଚାନ୍ଦଗାଈ ବଏ ଗଲାଣି । ପଡ଼ିଆ ହୋଇ ଆସିଲାଣି । ଦୁଧର ପରିମାଣ ଏଣିକି କମିଯିବ ।”

 

ସକାଳର କ୍ଷୀରରୁ ମାଣେ ଦୁଃଖନ ସାଆନ୍ତଙ୍କ ପାଇଁ ପଠାଯାଏ ? ବାକିଟା ଅଲେଖର । ରାତିର ଦେଢ଼ମାଣରେ ମହି ପଡ଼େ । ମୁହଁ। ହେଲେ ଦହି, ନହୁଣି, ଘିଅ, କେବେକେବେ ଦହିଛେନା କଢ଼ା ହୁଏ ।

 

କିଏ ଖାଇବ ? ଅଲେଖ ନାକଟେକା ସୁକୁମାରିଆଟା ଯେ ଏସବୁ କିଛି ତା’ ପାଟିକି ରୁଚେ ନାହିଁ । ଶାଗୁଆତିକୁ ଚାହୁ । ଅସୁକେଇ ଅସୁକେଇ ମାଛ ଖାଏ, କିନ୍ତୁ ପୁଞ୍ଜିଏ ପିତା ଶୁଖୁଆ ପୋଡ଼ାରେ କଂସାଏ ପଖାଳ ଠୁଙ୍କି ଦିଏ ।

 

ଗତଦିନ ଛାଇନେଉଟବେଳେ ନିଜେ କୁସୁମ ଦେଖିଆସିଛି, ରାଧାଶ୍ୟାମଙ୍କ ମନ୍ଦିର ଆଗର ତୋଟାରେ ଗୋଟିଏ ସ୍ଥାନରେ ଛାମୁଡ଼ିଆ ମରା ହୋଇଛି । କର୍ମୀମାନଙ୍କ ପାଇଁ ସେଇଠି ଜନ୍ତାଳରେ ଆୟୋଜନ କରାଯିବ । ଦହରେ ବଡ଼ ଜାଲ ପକାଇ ମାଛ ଧରିବାର ବ୍ୟବସ୍ଥା କରାଯାଇଛି ।

 

ଯେଉଁ ଜୟୀ ନାୟକେ ଆଗ ଆଗ ଶିବଦାସ ରାଉତରାଙ୍କ କାମକୁ ନା-ପସନ୍ଦ କରୁଥିଲେ, ତାଙ୍କୁ ଆଡ଼ବାଇଆ, ଅଲାଜୁକ, ପାଣିବାଡ଼ିଆ, ଘରେ ଖାଇ ଘୋଡ଼ା ଆଗରେ ଡେଇଁଲା ଧର୍ମ-ବେଠିଆ ବୋଲି ନିନ୍ଦା କରୁଥିଲେ, ସେ ଦହରୁ ମାଛ ଧରିବାର ବ୍ୟବସ୍ଥା କରାଇବେ ବୋଲି ନିର୍ଭର ଜବାବ ଦେଇଛନ୍ତି ।

 

କୁସୁମ ଏବେ ଜାଣିସାରିଲାଣି ଯେ ସେ ଯୁଆଡ଼ୁ ବରଷା, ସିଆଡ଼କୁ ଛତା ଦେଖାଇବାର ଲୋକ । କାହିଁକି କେଜାଣି ଏବେ ସେ ଦୁଃଖନକୁ ପଟାପଟି କରି ଆପଣାର ଲୋକ କରିବାକୁ ଚେଷ୍ଟା କରୁଛନ୍ତି ।

 

ତାଙ୍କର ଗଣନା ଓ ଭବିଷ୍ୟ-ବଖାଣ ପାଞ୍ଚ କଥାରେ କାହାରି ବିଷୟରେ ଗୋଟାଏ ଫଳିଲା ନାହିଁ । ପଚାରିଲେ ସେ ଜନ୍ମ-ଜାତକ ଭୁଲ ବୋଲି କହି ନିଜର ଦୋଷ ଛଡ଼ାଇ ଦେଉଛନ୍ତି । ଏବେ ସେ ଜାତକଗଣନା ବେପାର ଛାଡ଼ି ମାମଲାତିରେ ମନ ନିବେଶିଲେଣି ।

 

ସମ୍ପତ୍ତି ତ ଯଥେଷ୍ଟ ଅର୍ଜନ କଲେଣି । ତାକୁ ଆହୁରି ଆହୁରି ବଢ଼ାଇବାକୁ ଉପାୟ ଫାନ୍ଦିଲେଣି । ସେ ଜାଣିଲେଣି, ତାଙ୍କର ସବୁ ଉପାୟ, ସବୁ କୂଟନୀତି ବିଫଳ ହେଉଛି ଜଣକ ପାଇଁ-। କେବଳ ତା’ରି ପାଇଁ ସେ ଗାଆଁର ଜଣକୁ ଆଉ ଜଣଙ୍କ ବିରୁଦ୍ଧରେ ମତାଇ ପାରୁନାହାଁନ୍ତି-

 

ସେ ଜଣକ ‘ଚାରିଦଉଡ଼ି କଟା’ ଗଜାବୟସିଆ ଟୋକା ଶିବଦାସ ରାଉତରା । ପରର ଦୁଃଖରେ ସେ ଦୁଃଖୀ । ପରର ସୁଖରେ ସେ ସୁଖୀ । ପରର ଦୁଃଖରେ ଅଣ୍ଟା ଭିଡି ନିଜେ ଆସି ତା ଦ୍ୱାରରେ ଠିଆ । ପରର ସୁଖରେ ତ ‘ଜାଣ ନାହିଁ’ ତୁଣ୍ଡରେ ନାହିଁ । କିଏ ତା’ର ଶତ୍ରୁ ହୋଇପାରିବ-? କାହିଁକି ବା ହେବ ?

 

କୁସୁମ ଆଗରେ ନିଜେ ସେ ଜୟୀ ଦିନେ ଏଇଆ ଗପୁଥିଲେ । କେଡ଼େ ନର୍ଲଜ୍ଜଟି ସେ ଜୟୀ ନାୟକେ ନିଜ ମନକୁ କଥା ଖୋଲିଲେ ।

 

Unknown

‘ଭାଉଜ, ମତେ କ’ଣ ଚିହ୍ନିନାହଁ ? ଅତି ଦୁଃଖୀଟା ମୁଁ । ଯେତେ ପାଠପଢ଼ି, ଗଣନା ଶିଖି, ଆକାଶରେ ତାରାଙ୍କର ଗତିବିଧି ଲକ୍ଷ୍ୟକରି, ନିଶ୍ଵାସ ବାରି ଗଣନା କଲେ ବି କ’ଣ କେବେ ସବୁ ଠିକ୍ ହେଇପାରେ ?’

 

‘ନାଇଁ ଗୋ ଭାଉଜ । କେତେ ଠିକ୍ ହୁଏ, କେତେ ଅଧାଅଧି, କେତେ ମୋଟେ ଠିକ୍ ହୁଏ ନାହିଁ । କେତେ ଓଲଟା ବି ହୁଏ । ସ୍ୱୟଂ ବ୍ରହ୍ମାଙ୍କ ଛଡ଼ା କିଏ ଆଗତ-ଭବିଷ୍ୟ ଜାଣିପାରିବ, କହିପାରିବ ? ପାଠ ଯାହା ଡାକିଲା ସେଇଆ କହିବା କଥା ?’

 

ନହୁଲୀର ଚିଠି ଦେବା ଖବର ଅଛପା ରହି ନ ଥିଲା । ବାମନ ଭୂତିଆ ନହୁଲୀର ଶାଶୁଘର ଖବର ଗ୍ରାମରେ ଗପିଥିଲେ । ଚିଠି ଦେବା ଖବର ଯିଏ ପଚାରିଛି ତାକୁ କହିଥିଲେ । ପ୍ରଶଂସା, ଖାଲି ପ୍ରଶଂସା । ଜଣଜଣ କରି ସମସ୍ତଙ୍କର । ବେଶୀ ତ ନହୁଲୀର । ତା’ର ଆଦର, ଭକତି, ବଡ଼ମନ, ଖୋଲହାତ କଥା ।

 

ଯେଉଁମାନେ ଶୁଣିଥିଲେ, ସେମାନଙ୍କ ଘରଣୀମାନେ ଆନନ୍ଦରେ, ଅବା ଝାରସରୀପଣିଆରେ ଭଲେଇ ହୋଇ କୁସୁମକୁ ପଚାରିବାକୁ ଆସିଥିଲେ । କୁସୁମର ମୁହଁରୁ ଭଲମନ୍ଦ କିଛି ଶୁଣି ନ ଥିଲେ । ଆଖିର ନୀରବ ଅଶ୍ରୁ ଦେଖିଥିଲେ । ବେଶି କଟାଳ କରିବା ମାଇପେ ଖାଲି ଶୁଣିଥିଲେ ଗୋଟିଏ ପରିକା ଉତ୍ତର ।

 

‘ଭଲରେ ଥାଉ, କି ମନ୍ଦରେ ଥାଉ, ତା’ର ଭାଗ୍ୟ ସେ ଭୋଗ କରୁଛି । ମୋର କି ଚାରା-?’

 

ନହୁଲୀର ଚିଠି ଖଣ୍ଡି ଜେମାଦେଈ ସାମନ୍ତାଣୀଙ୍କୁ ପଢ଼ି ଶୁଣାଇବାକୁ କୁସୁମ ଅଲେଖକୁ ଦେଇଥିଲା । ସେ ଏତେ ବଡ଼ ଚିଠି ଖଣ୍ଡି ନିଜେ ପଢ଼ିବେ ବୋଲି ରଖିଥିଲେ ।

 

ଦିନେ ସେ ଦି’ପହରେ ଆରପଡ଼ାର ଗନ୍ଧର୍ବ ବେହେରାର ଭରିଯା କମଳାକୁ ସଙ୍ଗରେ ଧରି ଆସିଥିଲେ । ବୟସ ହେଲାଣି । ଆଖିକୁ ଭଲ ଦୃଶ୍ୟ ହେଉନାହିଁ ।

 

କହିଲେ, ‘ନହୁଲୀର ଚିଠିଖଣ୍ଡି ଅତି କଷ୍ଟରେ ତିନି ଦିନ ଲାଗି ପଢ଼ିଲି । ତଥାପି ମୋ ମନବୋଧ ହେଲା ନାହିଁ । କାନ୍ଦିଲି ଯେ, ମନ ଭିତରେ ।’

 

‘ଶୁଖିଲା ଆଖିରେ ଲୁହ ଆସିଲା । ତା’ର ମନରେ ବଳ-ବହପ, ଛାତିରେ ଦମ୍ଭ-ଧଇର୍ଯ୍ୟ ଅତୁଟ ରଖିବାକୁ ବଳିଆରଭୁଜ କାଳିଆ ପାଖରେ ଗୁହାରି କଲି ଲୋ କୁସୁମ । ମୋ’ର ଆଉ କି ଚାରା ଥିଲା ?’

 

ପୁଣି କହିଲେ, କୁସୁମ ଲୋ, ସେ ଚଣ୍ଡାଳଟା ଯଦି ରାଜି ହେଇଥାନ୍ତା ସେତେବେଳେ, ନହୁଲୀ ଅଜଣା ଗୁଆଁର ଡକଇତ-ଖଣ୍ଟଙ୍କ ଘରକୁ କାହିଁକି ଯାଇଥାନ୍ତା ? ଏତେ ଦୁଃଖ କଷ୍ଟ କାହିଁକି ଭୋଗିଥାନ୍ତା ?

 

“ଦୁଃଖନ ମତେ କହିଲା-’’

 

-ଆଜହୁଁ ତରତର କାହିଁକି ? ବୟସ ବଢ଼ିବ ତ ବଢ଼ୁ । ମୁଁ ଟିକିଏ ସଂସାରକୁ ଚିହ୍ନେ । ତାକୁ ନିଜେ ପରଖେ । ଯେଉଁ ଧନ-ସମ୍ପତ୍ତିର କଣିଚାଏ ମୋ ପୂର୍ବ-ପୁରୁଷେ ମୋ ପାଇଁ ଛାଡ଼ିଯାଇଛନ୍ତି, ସେତକ ମୋର ଚଳନପାଇଁ କେବଳ ଯଥେଷ୍ଟ ନୁହେଁ, ମୋ ମଣିଷ ପଣିଆକୁ ନାଶ କରିବାକୁ ବି ପୂରା ସମର୍ଥ ।

 

‘ସେ ପାଗଳ ପୁଣି କହିଲା-’

 

-ମୁଁ ଜାଣେ ନାହିଁ ଅପା, ତୁ ଏ ଘରେ ଜନମି, ବଢ଼ି ପରଘରୀ ହୋଇ ପୁଣି ଫେରିଲୁ । କେତେ ଦୁଃଖ ଜଞ୍ଜାଳରେ ଘାଣ୍ଟିଚକଟି ହୋଇ ବୁଢ଼ୀ ହେଲୁଣି । ସହସ୍ର କୁଟୁମ୍ବର ଉଠୁପଡ଼, ପଡ଼ାଉଠା, ସମୂଳେ ଧ୍ଵଂସ ତୁ ଦେଖିଛୁ, ଜାଣିଛୁ ଶୁଣିଛୁ ।

 

‘ମୁଁ ବିରକ୍ତ ହୋଇ ସେଇ ଅବେଇଜଟାକୁ କହିଲି-ଆରେ ନିଦାରୁଣ ଟୋକା, ପାଣି ହାଣ୍ଡିର କୁଆଁ କୁଆଁ ରଡ଼ିଲା ଟିକି ଛୁଆଟା ତୁ, ନିସାହା ଥିଲୁ । ତତେ ମୁଁ ପାଳି ବଢ଼ାଇଲି ।’

 

‘ମୋ ବୟସ ସରିଲା । ଆଉ ତୋର ସେବା କରିବାକୁ ମୋର ବଳ ବହପ ନାହିଁ । ଚଳପ୍ରଚଳ ହେବାକୁ କଷ୍ଟ ହେଉଛି । କେତେବେଳେ ଯେ ଟଳି ପଡ଼ିବି କିଏ ଜାଣେ । କିଏ ତୋ’ର ସେବା କରିବ ? ବୃନ୍ଦାବତୀଙ୍କ ପାଖରେ ସଞ୍ଜବତୀ କିଏ ଥୋଇବ ?’

 

‘କୁସୁମ ଲୋ, ମୋ ମନରେ ଯାହା ଥିଲା ଏତେଦିନକେ ତୋ ଆଗରେ ପ୍ରକାଶ କରୁଛି । ପାଠଶାଳାରୁ ପାଠ ଛଡ଼ାଇଲି ପରେ ନଉଲୀକୁ ମୁଁ ପଢ଼ାଉଥିଲି । ଶିଖାଉଥିଲି । ସେହି ଘରର ଇତିହାସ, ଚଳଣି, ସବୁ ଜଣାଇଁ, ମଣାଉଁଥିଲି ।’

 

‘ମନରେ ଚିନ୍ତିଲା କାମ କଥାରେ ପ୍ରକାଶିଲେ ସେ କାମ ବିଗିଡ଼େ । ସେଇଥିପାଇଁ ନୀରବ ରହିଥିଲି । ଦଇବ ନିରୀହା ନଉଲୀକୁ ଅନ୍ୟ ଆଡ଼କୁ ଅଡ଼େଇ ନେଲା ।’

 

‘ମୁଁ କାନ୍ଦିଥିଲି ।’

 

‘‘ଆମ ପୋଥିଘରେ ପୋଥି ସଜାଡ଼ି ଝାଡ଼ି ଏକା ରଖୁଥିଲା ସେହି ହତଭଗିନୀ ଟୋକୀଟା-। ତୋତେ କାଳିଆ ଠାକୁରଙ୍କ ଦ୍ୱାହି ଦେଇ କହୁଛି, ଯାହା କହିବି, ମନରେ ସାଇତିବୁ; ପ୍ରକାଶ କଲେ ଶ୍ରୀପଦରେ ଦ୍ରୋହୀ ହେବୁ ।”

ଜେମାଦେଈ ସାମନ୍ତାଣୀ ଆଖିରେ ଲୁହ ଢଳଢଳ କରି ପୁଣି କହିଲେ, “କୁସୁମ ଲୋ, ନେଡ଼ିଗୁଡ଼ କହୁଣିରେ ଉଠିଲା ପରେ ମୁଁ ନିଆଁ ଲାଗୀ ତା’ର ମନର ଛପିଲା କଥା ଜାଣିଲି । ମୁଣ୍ଡର ପାଚିଲା କେଶରୁ ପୁଳିଏ ଟାଣି ଛିଣ୍ଡାଇଲି ସିନା; କି ଲାଭ ଆଉ ମିଳନ୍ତା ?’’

“କେଜାଣି, ଜନମ ଦେଇଥିଲେ ମୁଁ ସେ ପୁଅର ପ୍ରକୃତ ମନର କଥା ଆଗରୁ ଜାଣିପାରିଥାନ୍ତି । କେମିତି ବା ଜାଣନ୍ତି ? ସିଏ କେମିତି ଜାଣନ୍ତା, ଅବା ଟିକିଏ ବି ଅନୁମାନ କରନ୍ତା-?’’

‘ନହୁଲୀକୁ ବିଦାବିଦି କରି ଗ୍ରାମମୁଣ୍ଡରୁ ଫେରିଆସିବା ଯାଏ ଦୁଃଖର ଯେଉଁ ଉତ୍ସାହ, ଆନନ୍ଦ, ତତ୍‌ପରତା, ତମେ ଏ ଗ୍ରାମର ଆଉ ସାମନ୍ତପାଟଣାର ସମସ୍ତେ ଦେଖିଥିଲେ ।’

‘ପେଟରୁ ଜନମିଲା ବଡ଼ଭାଇ ହେଲେ ବି ଦେବାନେବାବେଳେ ହାତ ଟିକିଏ ରହରହ ହେବ । ଏକମାତ୍ର ଅଲିଅଳୀ କନ୍ୟାର ବାହାଘରବେଳେ ଉଦାର ପିତାର ହାତ ପରି ଦୁଃଖନର ହାତ ଖୋଲି ଯାଇଥିଲା । ଯାହା ଲୋଡ଼ା ସବୁ ଯାଇଥିଲା ଗଉତରାୟଙ୍କ ଘରୁ ।’

‘କୁସୁମ ଲୋ, ବିଦାବିଦି ହେଲା ଦିନ ଘଡ଼ିକବେଳେ, ଗାଧୁଆବେଳ ପରର କଥା ମୁଁ ତତେ କହୁଛି; ପୋଥିଘରେ ନିରୋଳାରେ ପୋଥି ଝାଡ଼ି ସଜାଡ଼ୁଣୁ, ତା’ ଆଖିରୁ ଲୁହ ଝରୁଥିଲା ।’

ଗାଁ ଲୋକ ଦୁଃଖନକୁ ‘ଲୁହା ମଣିଷ’ ବୋଲି ଜାଣନ୍ତି । ଲୁହା ମଣିଷର ଆଖିରେ ଲୁହ ଦେଖିଲି ।

 

‘ସେ ମୋ ମନକଥା ବୁଝିଲା । ଆପେ କହିଲା- ପରଶୁ ଦାଦି ଏ ଘର ପାଇଁ ଯାହା କରିଯାଇଥିଲେ, ଯେମିତି ମୋ ପାଇଁ ସେ ଜୀବନ ଦେଲେ; ସମସ୍ତଙ୍କୁ ଜଣା । ଭଲକରି ନ ବୁଝି ନ ଶୁଝି ତାଙ୍କର ଅଲିଅଳୀ ଝିଅଟିକୁ ଜଣେ ପତ୍ନୀହନ୍ତା ଖୁଣୀ ହାତକୁ ଟେକିଦେବାକୁ ଖୁଡ଼ୀ କ’ଣ ରାଜି ହୋଇଥାନ୍ତେ ?’

 

‘ପୁଣି କହିଲା -ଆନନ୍ଦ ଦୋ’ବେହି ବର । ଏହା ଆମେ ଜାଣିଲୁଁ । ଜଣାଶୁଣାରେ ତା’ର ଆଗଭାରିଜା ପେଟମରା ରୋଗର ଯନ୍ତ୍ରଣା ସହି ନ ପାରି ବିଷ ଢୋକି ମରିଥିଲେ । ଜୟଦାଦିଙ୍କର ଏହି କାହାଣୀ ସମସ୍ତେ ଆମେ ବିଶ୍ୱାସ କରିଲୁ । ସତମିଛ ବୁଝି ଶୁଝି ବାହାଘର କରିଥିଲେ ଭଲ ହୋଇଥାନ୍ତା ।’

 

-ସାଆନ୍ତପାଟଣା ଏଠାରୁ ବହୁତ ବେଶୀ ଦୂର ନୁହେଁ । ମୁଁ ମନ କରିଥିଲେ ସବୁ ଜାଣିଥାନ୍ତି-। ମୁଁ ଭାବୁଛି, ମୁଁ ମୋ କର୍ତ୍ତବ୍ୟରେ ହେଳା କରିଥିଲି ।

 

-ଅପା ମ, ଯେଉଁମାନେ କେଉଁ ଉଦ୍ଦେଶ୍ୟରେ କେଜାଣି, ଆମ ନାମରେ କୁତ୍ସା ରଟାଇଲେ, ତାଙ୍କର ଉଦ୍ଦେଶ୍ୟ ଆଂଶିକ ସଫଳ ହେଲା । ମିଥ୍ୟାରେ କୁତ୍ସାରଟନା ଦମ୍ଭିଲା ଲୋକର ମନକୁ ବି ଟିକିଏ ବିଚଳିତ କରେ । ଆତ୍ମମର୍ଯ୍ୟାଦାର ଦମ୍ଭ ଦ୍ୱନ୍ଦ୍ୱରେ ଦୋହଲେ ।

 

-ମୋର ସେଇଆ ହୋଇଥିଲା । ସତେ, ମୁଁ ଦୁର୍ବଳ ହୋଇଥିଲି । ନଉଲୀ ବିଦବିଦି ହୋଇ କାନ୍ଦିକାନ୍ଦି ଏ ଗାଁ ମୁଣ୍ଡ ଛାଡ଼ିଲା ପରେ ମୁଁ ତାହା ଅନୁଭବ କଲି ।

 

-‘‘ତା’ ଆଖିର ବିକଳ ଚାହାଣି, ଲୁହ ଦି’ ଧାର ମତେ ସଚେତନ କଲା । ବିଦା ହେଇଗଲା, ସତେ ପଚାରିଗଲା ଲୋ ଅପା, ତା’ର ବିକଳ ଚାହାଣିରେ ପଦଟିଏ ପ୍ରଶ୍ନ, ଚିହ୍ନିନା ?’’

 

-କାହାକୁ ଚିହ୍ନିବା କଥା ତା’ର ସେ ଶେଷ ବିଦାୟ ବେଳର ପ୍ରଶ୍ନିଳ ସଜଳ ଆଖି ପଚାରି ବାଟର ମୋଡ଼ରେ ସବାରି ଭିତରେ ଛପିଗଲା ଜାଣିପାରିଲି ନାହିଁ । ଦୁଃଖ ହେଲା ଅପା ।

 

‘କୁସୁମ ଲୋ, ପୁଣି ଯାହା ଅଧାକୁହା କରି ଦୁଃଖନ ଢୋକିଲା, ଯେତେ ପଚାରିଲେ କିଛି ଜବାବ ନ ଦେଇ ବାଆଁରେଇ ଉଠି ପଳାଇଲା ।’

 

‘ନହୁଲୀର ବିଦାବିଦି ପରେ ସେହି ପୋଥିରେ ସେ ତା’ ମନକୁ କହିଲା-ଅପା, ଏ ଘରର, ଏ ବଂଶର ଚଳଣି, ଆଉ ସବୁଠୁଁ ଅଧିକା ଆଚାରବ୍ୟବହାର ସମ୍ବନ୍ଧରେ କେତେବର୍ଷ କାଳ ଏତେ ଶିକ୍ଷା ତାକୁ ଦେଇଥିଲୁ । କାହିଁକି ?’

 

‘ସେତିକି ସେ କହି ହସିହସିକା ପୋଥିଘରୁ ମୋ ଆଗରୁ କେବଳ ନୁହେଁ, ଘର ଭିତରୁ ପଦାକୁ ଚାଲିଗଲା । ଦୁଃଖନର ପାଟି ହସୁଥିଲା ଲୋ କୁସୁମ, ମନ କହୁଥିଲା, କାନ୍ଦୁଥିଲା ନଉଲୀ ପାଇଁ ।’

 

‘କୁସୁମ ଲୋ, ଚାରିବର୍ଷରୁ ଅଧିକ କାଳ କଟିଲା । ଯିଏ ଯେବେ ସାମନ୍ତରାପାଟଣା ଯାଏ, ବେଶୀ ଥର ନିଜ କାମରେ ଅବା କେଉଁ ଅନ୍ୟ କାମରେ ଯାଆନ୍ତି ତ ଜୟୀ ନାୟକେ, ସେହିମାନେ ନହୁଲୀର ଖବର ଆଣନ୍ତି ।’

 

‘ଆମେ ଶୁଣିଛୁ, ଖୁସି ହୋଇଛୁ । ସେତେବେଳେ ଭାବିଛୁ, ପିଲାଟି ଭଲରେ ଅଛି । ଶଶୁରେ ମଲେ, ଶାଶୁଙ୍କର ଗୋଡ଼ ଖସି ଅଣ୍ଟା ଅଖଞ୍ଜ ହେଲା, ଏ ଖବର ତୁ ପାଇଥିଲୁ, ଆମେ ବି ପାଇଥିଲୁ । ଦଇବି ଦୁର୍ଯ୍ୟୋଗ କଥା କିଏ ବାରଣ କରିବ ? ସେମିତି କ’ଣ ଘଟେ ନାହିଁ ?’

 

‘ସଉତୁଣୀ ବଞ୍ଚିନାହିଁ । ସେଥକୁ ଭବନା କ’ଣ ? ଯେଉଁ ଟିକି ପୁଅକୁ ସେ ଛାଡ଼ିଯାଇଥିଲା, ସେ ହୋଇଛି ନହୁଲୀର ଖେଳନା । ଆଖିର ପିତୁଳା । ଦଇବ ଯେଉଁ ବକଟକ କୋଳରେ ଦେଇ, ଦି’ ମାସର ମମତା ଲଗାଇ ବାହୁଡ଼ାଇ ନେଲା, ସେଇ ଦୁଃଖକୁ ଭୁଲାଇବାକୁ, ପୁଅର ମମତା କ’ଣ ଜଣାଇବାକୁ, ଦଇବ ଆଗରୁ ବ୍ୟବସ୍ଥା କରିଥିଲା ।’

 

‘ଭାବିଥିଲୁଁ, ନହୁଲୀ ଭଲରେ ଅଛି । ଅଳ୍ପ ବୟସରେ ଏତେବଡ଼ ଘରର ସବୁ ଜଞ୍ଜାଳ ମୁଣ୍ଡାଇ ସେ ଦାୟିତ୍ୱସମ୍ପନ୍ନ ହୋଇଛି । ପକ୍‌କା ଘରଣୀ । ଭଲ ତ ।’

 

‘ଯେଉଁ ଚିଠିଟି ସେ ବର୍ଷ ବର୍ଷ ଲାଗି ଲେଖିଥିଲା, ସାଇତି ରଖିଥିଲା, ଆଗରୁ କୌଣସି ଉପାୟରେ ତାକୁ ପଠାଇପାରୁ ନ ଥିଲା କାହିଁକି ? କେତେ ଲୋକ ସେ ଗ୍ରାମର ବିଖ୍ୟାତ ହାଟକୁ ଏ ଗ୍ରାମରୁ ପ୍ରତି ହାଟପାଳିରେ ଯାଉଛନ୍ତି, ଆଉଛନ୍ତି ।’

 

ଏବେ କାହିଁକି ବାମନ ଭୁତିଆଙ୍କ ହାତରେ ତା’ର ସେହି ଦୁଃଖ ଦରିଦ୍ରର ଉତ୍ପୀଡ଼ନ-ଘଟଣାରେ ପୂର୍ଣ୍ଣ ପତ୍ରଖଣ୍ଡିକ ପଠାଇଛି ।

 

‘ଏ ଚିଠି କ’ଣ ସେ ଲେଖିଛି ତୋ ପାଖକୁ ଅବା ତତେ ପତିଆରା କରି ଲେଖିଛି ମୋ ପାଖକୁ ? ଦୁଃଖନ ଏ ଚିଠି ବାରମ୍ବାର ପଢ଼ିଛି । ଦୁଃଖ କରିଛି । ତତେ ଫେରାଇଦେବାକୁ କହିଲି ।’

 

‘ମତେ ସେ ସାନ୍ତ୍ୱନା ଦେଲା-ଏ ମଣିଷ ସବୁ ସହିପାରେ । ଆପଣାର କରିନିଏ ।’

 

-ସବୁ ଦେହସହା ହୁଏ । ଆରେଇ ଯାଏ । ନହୁଲୀର ସେଇଆ ହେବ । ଦେଖିବୁ ରହ ଲୋ ଅପା ।

 

‘ସତକଥା । ମୋର ସେଇଆ ହୋଇଛି । କେବେ ପରଘରକୁ ବହୁ ଆଡ଼ମ୍ବରରେ ଯାଇ ସଂସାର କରୁଥିଲି, କେବେ ସନ୍ତାନି କୁଟୁମ୍ୱ ମେଳରେ ସୁଖଦୁଃଖରେ ବେଳ କଟାଇଥିଲି, ଦୂର ପାହାଡ଼ ପରି ସବୁ ଦିଶୁଛି । ଅସ୍ପଷ୍ଟ ନୀଳିମା । ସୁଖର ଅନୁଭବ ନାହିଁ, କି ଦୁଃଖର ଅନୁଭବ ନାହିଁ ।’

 

‘ସେଘରୁ ଫେରି ଜନମମାଟିର ଏ ଘରେ ବିତିଲାବେଳ ବି ସେଇଆ ହୋଇଛି । ସବୁ ଆରେଇ ଯାଇଛି । ଚଳନ୍ତି ଜୀବନର ଘଟଣାବଳୀରେ ମୁଁ ଲେଟଣୀପାରା ହୋଇ ବଞ୍ଚିଛି । ଘୁମୁରୁଛି-। ଦିନେ କେବେ ଟଳିପଡ଼ିବି ।’

 

‘ତୋର ବି ସେଇଆ ହୋଇଛି । ଦୁଃଖ ସହିଛୁ । ଅପମାନ ପାଇଛି । ଯେଉଁମାନଙ୍କୁ ଜନମ ଦେଇଛୁ, ତାଙ୍କରି ଭବିଷ୍ୟ ଚିନ୍ତାରେ ସନ୍ତୁଳି ହେଉଛୁ । ବଳେ ସବୁ ଆରେଇ ଯିବ ।’

 

‘ନହୁଲୀର ସେଇଆ ହେବ ।’

‘ଦୁଃଖନର ବି ।’

‘ଆମର ଚିନ୍ତା ଆମେ ଆଖି ବୁଜିବା ଯାଏ ଆମକୁ ଛାଡ଼ିବ ନାହିଁ ।’

 

‘ଆଉ ଗୋଟିଏ ମୋ ମନର ଆଶଙ୍କାର କଥା ତତେ ଗୁପ୍ତରେ କହୁଛି । ମନରେ ଘୋଡ଼ାଇ ରଖିଥିବୁ ବିଶ୍ୱାସର ଢାଙ୍କୁଣୀରେ । ମୋ ମନର ଦୁଡ଼୍‍ ଗୁଡ଼୍‍ ପଣିଆ ମୋ ପାଟିକୁ ବନ୍ଦ କରିଦେଉଛି ଲୋ ।’

 

କୁସୁମ ପଚାରିଲା, ‘ମୁଁ କି ଦୋଷ ତମର କେବେ କରିଛି ଯେ ମୋ ବିଶ୍ଵାସ ଉପରେ ତମର ପତିଆର ଆସୁନାହିଁ ?’

 

ଜେମାଦେଈ କହିଲେ, “ନାଇଁ ଲୋ, ସେପରି ବିଚାରନା । ମୋର ଦୁର୍ବଳ, ଦୁଡ଼୍‍ଗୁଡ଼ିଆ ମନ ସେମିତି ଦୋହଲୁ ଥିଲା । କହୁଛି ଶୁଣ୍‌ । ଜୟୀ ନାୟକେ ମାମଲତକାର କିଛି ନ ଜାଣିଲା ପରି ପରଙ୍କ ହାତରେ କେତେଥର ମୋ ଆଗରେ ଗୋଟିଏ ବାହାଘରର ପ୍ରସ୍ତାବ ବାଢ଼ିଲେଣି । ମୁଁ ନିର୍ବିକାର ହୋଇ ଶୁଣିଛି । କିଛି ଉତ୍ତର ଦେଇନାହିଁ ।’’

 

‘‘କାହା ବିଷୟରେ ?”

“ନିଜେ ଅନୁମାନ କର ।’’

 

“ବୁଝିଲି, ଅପା । ତାଙ୍କରି ଝିଅ ରୁକୁଣା ବିଷୟରେ । ହଁ, ତା’ର ବୟସ ହେଲାଣି ନହୁଲୀଠାରୁ ଚାରିବର୍ଷ ସାନ । ଆମ ଅଲେଖଠାରୁ ବି ଛଅମାସ କି ଆଠମାସ ସାନ ହେବ ।”

 

କୁସୁମ କହିବାକୁ ଲାଗିଲା, ‘ଅପା ମ, ଜୟୀ ନାୟକ ସିନା କୂଟକପଟିଆ ଟାଉଟରିଆ, ବାହାପିଆ, ସଜ ମାଛରେ ପୋକ ପକାଇବା ମଣିଷ, ଆକାଶକୁସୁମର ମହମହ ବାସନା ଆପେ ଶୁଙ୍ଘିଛନ୍ତି ବୋଲି ଆଖି ଛୁଇଁ ହଲପ କରିବାକୁ । ହେଲେ ତାଙ୍କ ଝିଅ ରୁକୁଣାଟି ଭାରି ଭଲ ପିଲାଟିଏ-।’

 

ଜେମାଦେଈ କହିଲେ, “ସତେ, ସେ ଭଲ ପିଲାଟିଏ । ନଉଲୀର ବାହା ଆଗରୁ ତା’ ସଙ୍ଗରେ କେତେଥର ଆମ ଘରକୁ ଯାଇଛି । ପାଖରେ ବସି ପୋଥି ବୋଲା ଶୁଣିଛି । ପଚାରି ପଚାରି ପାଞ୍ଚକଥା ବୁଝିବାକୁ ଚେଷ୍ଟା କରିଛି ।’’

 

‘ଉପରେ ପଡ଼ି ସେହି ଶାନ୍ତ ସରଳ ଝିଅଟି ମନା ନ ମାନି ତିନି ପାଇଟି କରିଦିଏ ।’

 

‘ସଣ୍ଠଣାର ଝିଅ । ରୂପରେ ଖୁଣିବାକୁ କିଛି ନାହିଁ । ରଙ୍ଗ ନହୁଲୀର ଦେହରଙ୍ଗ ପରି ବେଶୀ ସଫା ନୁହେଁ ଯେ ମଧୁରିଆ-ଗୋରା ।’

 

“ସତେ ଗୋ ଅପା । ଏବଯାଏ ସେ ଆମ ଘରକୁ ଆସେ । ନହୁଲୀର ଖବର ଜାଣିବାକୁ ସେ ଉଚ୍ଛନ୍ନ । ତା’ ବାପାଙ୍କୁ ପଚାରିଲେ ସେ କୁଆଡ଼େ ଜବାବ ଦିଅନ୍ତି-ବଡ଼ଘରର ବୋହୁ, ବାଦ ସାଧିବାକୁ କେହି ତ ନାହିଁ । ସେ ନିଶ୍ଚୟ ଭଲରେ ଅଛି । ନିଜର ଭଲ ଗୁଣରେ ପରକୁ ଆପଣାର କରି କିଣିନେଇଛି ।’’

 

‘ଏମିତିକା ଉତ୍ତର ସେ ଶୁଣେ ।’

 

‘ଯେଉଁଦିନ ଜୟୀ ତାଙ୍କ ଭାରିଜାଙ୍କ ସଙ୍ଗେ ନଉଲୀ ବିଷୟରେ ଆଲେଚନା କରନ୍ତି ରୁକୁଣାଟି ପାଖକୁ ଗଲେ ତା’ ବାପା ତାକୁ ଦେଖି ତୁନି ହୁଅନ୍ତି । ଅନ୍ୟଆଡ଼େ ଚାଲିଯାଆନ୍ତି ।’

 

‘ମତେ ଦିନେ ରୁକୁଣା ଏଇଆ କହିଥିଲା ।’

 

‘ତା’ ବୋଉ ଜୟୀଙ୍କୁ କହିବାର ସେ ଦିନେ ଶୁଣିଲା-ଏତେ ଅଧର୍ମ, ଏତେ ଅନ୍ୟାୟ କ’ଣ ଠାକୁରେ ସହିବେ ?’

 

‘ରୁକୁଣାର ବାପ ଜୟୀ କୁଆଡ଼େ କହିଲେ-ସବୁ ଭଲ ଦେଖି ମୁଁ ପ୍ରସ୍ତାବ ଉଠାଇଲି । ଦି ଆଡ଼କୁ ମଙ୍ଗାଇ ବାହାଘର ସ୍ଥିର କରାଇଲି । ତୁମେ କହ ଏତକ ମୋର ବ୍ୟବସାୟ କି ନୁହେଁ ? ତେଣିକି ତାଙ୍କର ଭାଗ୍ୟ । ତେବେ ମୁଁ ଏତିକି ଜାଣେ, ନଉଲୀ ଆମର ମାଣିକଟିଏ । ଯେଉଁଠି ପଡ଼ିଲେ ନିଜର ସୁରାଣର ଆଲୁଅରେ ନିଜେ ଝଟକିବ । ବେଳ ବଦଳିଯିବ ଯେ ।’

 

କୁସୁମ କହିବାକୁ ଲାଗିଲା, ସରଳା ଝିଅଟି ସେ ରୁକୁଣା । ତା’ ଠେଇଁ ପର ଆପଣ ଭେଦଭାବ ନାହିଁ । ଯାହା ଘରକୁ ସେ ବୋହୂ ହୋଇ ଯିବ, ନିଶ୍ଚେ ସେ ସମସ୍ତଙ୍କର ମନ ନେଇ ସେଠାରେ ଚଳିବ ।

 

“ହେଲେ ଅପା, ମୋ ଶଶୁରଘର ପରି ନାୟକ ଘରର ବୁନିଆଦି ରାଉତରାୟ ବଂଶର ବୁନିଆଦି ପରି ନାହିଁ । କପୂର ଯାଇ ଏ ବଂଶର କନା ପଡ଼ିଛି । ତେବେ ବି ଖଣ୍ଡମଣ୍ଡଳରେ ବାସ ଚହଟୁଛି ।”

 

ଜେମାଦେଈ ଉତ୍ତର ଦେଇଥିଲେ, ‘ସେଗୁଡ଼ା ଆଉ କହନା, କୁସୁମ । ଏବକାଳକୁ ସେଇ ବିଗତ ଯୁଗର ବୁନିଆଦି କଥା ବିଚାରିଲେ ଲୋକହସା ହେବା ସାର ।’

 

‘ଦୁଃଖନର ଢଙ୍ଗ ତ ଦେଖୁଛୁ । ନିଜେ ଦିନରାତି ପରିଶ୍ରମ କରୁଛି ସତ ଘରର ବି କିଛି ଉନ୍ନତି କଲାଣି । କିନ୍ତୁ, ‘ଲୋକଙ୍କୁ ଭେଳାଇ ଗାଁ’ର ଉନ୍ନତି ପାଇଁ ସେ ଯାହା କରୁଛି, ସେମାନଙ୍କୁ ନିଜେ ଦେଇ ନେଇ ଯାହା ଗମାଉଛି, ସେଥିରେ ସେ ବଂଶର ସମ୍ମାନ ଫେରାଇ ଆଣିବ କିପରି ?’

 

‘କୁସୁମ ଲୋ, ତାକୁ ବାହା କରାଇଦେଲେ ହୁଏତ ସେ ବଦଳନ୍ତା ନିଜର ସମ୍ପତ୍ତିକୁ ନ ଗମେଇ, ବଢ଼ାଇବାରେ ସେ ମନ ଦିଅନ୍ତା । ତେବେ କେଜାଣି, ବାପ ଗୋସାପେ ହରାଇଥିବା ସମ୍ପତ୍ତିରୁ କିଛି ନିଜେ ଅର୍ଜନ କରନ୍ତା । ହଜିଲା ସମ୍ମାନ ଫେରିଆସନ୍ତା । ସବୁର ମୂଳ ତ ଧନସମ୍ପତ୍ତି-।’

 

‘ଅସଲ, ଘରକୁ ଲୋଡ଼ା, ଚଲାଖ ଚତୁର, ଚଉଆଖିଆ ଘରଣୀ । ବାହାଘର ନାଁ ପଡ଼ିଲେ ଦୁଃଖନ ମୁଣ୍ଡ ହଲାଇ ଦେଉଛି । କହୁଛି-ମତେ ବନ୍ଧନରେ ବାନ୍ଧି, ଆପଣାସାର୍ଥିକା କରିବାକୁ ଚେଷ୍ଟା କରନା ।’

 

‘ଦିନେ ତାକୁ ମୁଁ କହିଲି ଲୋ କୁସୁମ-ବାପରେ, ତତେ ପାଳି, ମଣିଷ କରି ଦାଣ୍ଡରେ ଠିଆ କରାଇ, ଏ ଘରକୁ ପୁଣି ସୁନ୍ଦର, ମୁଖର ଓ ସୁଖର କରାଇବାକୁ ମୁଁ ମୋ ତୀର୍ଥଭୂମି ଶଶୁରଘରକୁ ପଛ କଲି । ବେଳ ବିତିଲା...’

 

ଜେମାଦେଈ ସାଆନ୍ତାଣୀ ଛଳଛଳ ଆଖିରେ କୁସୁମକୁ ପୁଣି କହିଥିଲେ, କୁସୁମର ମନେଅଛି, ‘ତୁ ମୋ ବଡ଼ ପୁତୁରା ରାଜୀବଲୋଚନକୁ ଦେଖିଥିବୁ । ନଉଲୀ ବାହାଘରର ବରଷକ ପରେ ସେ ଟୋକା ଆସିଥିଲା ।’

 

‘ଦେଖିଥିବୁ ତ, କେଡ଼େ ସୁନ୍ଦର ତା’ର ରୂପ ଆଉ ସ୍ୱାସ୍ଥ୍ୟ । ଯାହା କହନ୍ତି ‘ଚେକା-ଚଉଧୁରୀ’ ପରି ।’

 

‘ସିଂହପୁର ଗ୍ରାମର ସେ କ’ଣ ମେମ୍ୱର ହୋଇଛି । ସେ ଯାହା କହିବ ଗ୍ରାମପଞ୍ଚାୟତର ସବୁ ଲୋକଙ୍କର ସେଇଆ ।’

 

‘କହୁଥିଲା ସେ ଟୋକା, ଆମର ସେଠିକା ଘରର ବହୁତ ଉନ୍ନତି କଲାଣି । ଗ୍ରାମର ଉନ୍ନତି ମଧ୍ୟ ସେ କରାଇପାରିଛି । ଦୁଃଖନର ନାଁ ଚାରିଆଡ଼େ ପଡ଼ୁଛି । ସମସ୍ତଙ୍କ ମୁହଁରେ ଖାଲି ତା’ ପ୍ରଶଂସା । କିନ୍ତୁ ପିଲାଟା ପାଠ ପଢ଼ି ମଧ୍ୟ ଗଜମୂର୍ଖଠାରୁ ହୀନ ହେଲା ।’

 

‘କୁସୁମ ଲୋ, ସେହି ଦୁଃଖନର ଆଗରେ ବି ସେ କହୁଥାଏ । ଦି’ ଭାଇଙ୍କୁ ମୁଁ ଖାଇବାକୁ ଦେଇଥାଏ । ଦୁଃଖନକୁ ବୁଝାଇ, ପୁଣି ଗେହ୍ଲାଳିଆ ଆକଟିଲା ଢଙ୍ଗରେ ହସ ହସ ହୋଇ ରାଜୀବ କହିଲା -ବାବୁରେ, ତତେ କେବଠାରୁ ପଚିଶି ଚାଲିଲାଣି, ନୁହେଁ କି ?’

 

‘ଦୁଃଖନ ଉତ୍ତର ଦେଇଥିଲା-ହଁ, ଭାଇ, ପଚିଶି ପୂରିବା ଉପରେ ।’

‘ରାଜୀବ କହିଲା-ତଥାପି, ମୋ ଆଖିରେ ତୁ କାଲିକାର ପିଲା ।’

 

‘ଦୁଃଖନ ପ୍ରତିବାଦ କରି କହିଲା-ପିଲା ନୁହେଁ, ଭାଇ । ଦୁନିଆ ସାଙ୍ଗରେ ଭଲଭାବରେ ମିଶି, ତାକୁ ବୁଝି, ଆପଣାର କରିବାକୁ ଚେଷ୍ଟା କରୁଣୁ ମୋ ଅନୁଭବ, ସାଧନା ଓ ଧାରଣାଗୁଡ଼ିକ ମୋ ବୟସକୁ ଦୁଇଗୁଣରୁ ଅଧିକ ବଢ଼ାଇ ଦେଇଛି ।’

 

‘ରାଜୀବ ଖୁସି ହୋଇ କହିଲା-ବାଃ । ମୁଁ ଭାରି ସୁଖୀ ହେଲି । ତୁ ତେବେ ନିଶ୍ଚୟ ବୁଝିସାରିବୁଣି ଯେ, ଏ ଦୁନିଆର ଲୋକ ଅତି ଅକୃତଜ୍ଞ । ସେମାନେ ସମସ୍ତେ ନେବାକୁ ଚାହାଁନ୍ତି । ବାଧ୍ୟ ନ ହେଲେ, ନିଜ ପାଇଁ କେଉଁ ଲାଭର ଆଶା ନ ଥିଲେ, କେହି ଦେବାକୁ ଚାହାଁନ୍ତି ନାହିଁ ।

 

‘ଦୁଃଖନ କହିଲା-ମୁଁ ଜାଣେ । ତେବେ ଅନେକ କ୍ଷେତ୍ରରେ ଏହା ସତ୍ୟ ନ ହୋଇପାରେ । ମୋର ନିଜର ଅନୁଭୂତିରୁ ମୁଁ ଏହା ଜାଣେ, ଭାଇ । ତା’ ପରେ, ମୋ ପାଖରେ ଏହାର କୌଣସି ଅର୍ଥ ହୁଏ ନାହିଁ । କିଏ କେଉଁ ଋଣ ଶୁଝିଲା, ଅବା ନ ଶୁଝିଲା, ତା’ ଭିତରେ ତାରତମ୍ୟ ନାହିଁ । ମୁଁ ହେଉଛି ଗୋଟିଏ ଇତିହାସର ଶେଷ ପୃଷ୍ଠା । ଗୋଟିଏ ପ୍ରଚଳିତ କିମ୍ବଦନ୍ତୀ ବା ପ୍ରଚଳିତ ଜନଶ୍ରୁତି ଓ ତା’ର ଧାରଣାର ମୁଁ ସମାପ୍ତ ।’

 

‘କୁସୁମ ଲୋ, ତା’ କଥାର ମରମ ବୁଝିପାରିଲୁ ? ସେ ତା’ର ଭାଇକୁ ଜଣାଇ ଦେଇଥିଲା ଯେ ସେ ସଂସାର କରିବ ନାହିଁ । ରାଉତରାୟ ବଂଶର ଏ ଗ୍ରାମର ସେ ହେବ ଶେଷ ପୁରୁଷର ସର୍ବଶେଷ ବ୍ୟକ୍ତି ।’

 

ଜେମାଦେଈ ପୁଣି କହିଥିଲେ, ତାଙ୍କର ଆଖିରୁ ଲୁହଁ ଝରିପଡ଼ୁଥାଏ, ‘ଦୁଃଖନର ଏପରି ସଂକଳ୍ପ ପାଇଁ ନିଜକୁ ମୁଁ ଦାୟୀ କରୁଛି । ନଉଲୀକୁ ସେ ସତରେ ଏତେ ଭଲ ପାଉଥିଲା, ଏହା ଜାଣି ମଧ୍ୟ କାହିଁକି ତାକୁ ଏ ଘରର ବୋହୂ କରିବାକୁ ମୁଁ ପ୍ରସ୍ତାବ ନ ବାଢ଼ିଲି ?’

 

‘ମୁହଁ ଖୋଲି ସେ ଟୋକାଟା ନ କହିଲେ ମଧ୍ୟ, ମତେ ବାରମ୍ବାର କଥା ଛଳରେ ସୂଚାଇ ଦେଉଥିଲା ଯେ ପରଶୁ ଜେନାଙ୍କର କୁଟୁମ୍ବର ଦୁଃଖ ଓ ଦୁର୍ଦ୍ଦଶା ପାଇଁ ପ୍ରକାରନ୍ତରେ ସେହି ଦୁଃଖନ ଦାୟୀ ।’

 

‘ନଉଲୀର ଚିଠି ପଢ଼ିଲା ପରେ ଟୋକାଟା କେତେଦିନ ଯାଏ ଦୁଃଖରେ ବିମର୍ଷ ରହିଥିଲା-। ବେଶି କଥାଭାଷା କରୁ ନ ଥିଲା । ମନ ଭିତରର ଦୁଃଖ ବଳେଇ ପଡ଼ିଲାରୁ ଆପେ ସେ ଦିନେ ମତେ କହିଲା-ସାମନ୍ତ ପାଟଣାର ଦୋ’ବେହି ବରଟି ସଙ୍ଗେ ବାହାଘର ସ୍ଥିର ହେବା ଆଗରୁ ସେଠାକୁ ନିଜେ ଯାଇ ସେ ଘରର ଓ ଆନନ୍ଦର ସବୁ ହାଲଚାଲ ମୁଁ ନ ବୁଝିଲି କାହିଁକି ?’

 

...ସିଂହପୁର ଯାଇ ରାଜୀବଲୋଚନ ଭାଇଙ୍କୁ ପଚାରିଥିଲେ ସେ ସବୁ କହିପାରି ଥାଆନ୍ତେ-। ଅପା ମ, ମୁଁ ମୋ କର୍ତ୍ତବ୍ୟରେ ହେଳା କରିଥିଲି ।

 

...ମୋ ମନରେ ଯେ ସିଂହପୁର ଓ ସାମନ୍ତପାଟଣା ଥରେ ଯିବାକୁ ଆଗ୍ରହ ହୋଇ ନ ଥିଲା ତାହା ନୁହେଁ । ଜୟୀ ନାୟକଙ୍କୁ ମୁଁ ଚିହ୍ନି ମଧ୍ୟ ଚିହ୍ନିଲି ନାହିଁ । ବିଶ୍ଵାସ କଲି । ଏଇଥିପାଇଁ ଯେ, ବାପ ଛେଉଣ୍ଡୀ ଅନାଥିନୀ ଝିଅଟିକୁ ସେ କେବେ ଅଯୋଗ୍ୟ ପାତ୍ରଟାର କବଳକୁ ଠେଲିଦେବେ ନାହିଁ ।

 

...ବେଳେବେଳେ ମୋ ମନରେ ଅନ୍ୟ ଏକ ପ୍ରକାର ଭାବନା ବି ପଶେ ଲୋ ଅପା । ନଉଲୀର ଲମ୍ବା ଚିଠି ଖଣ୍ଡି ଦୁଇଥର ପଢ଼ିଲା ପରେ ସେପରି ଭାବନା ମନକୁ ଆସିଲା । କ’ଣ କି, କିଏ କେତେ ଉପାୟରେ ଏଇ ସ୍ୱାର୍ଥସର୍ବସ୍ୱ ସଂସାରରେ ଧନ ସମ୍ପତ୍ତି ଅର୍ଜନ କରୁଛନ୍ତି; ବିତ୍ତଶାଳୀ ହେଉଛନ୍ତି ।

 

...ସେହି ବିତ୍ତର ବଳରେ କ୍ଷମତାଶାଳୀ ହୋଇ କେତେ ଅପକର୍ମ କରୁଛନ୍ତି । ଧନର ବଳରେ ସେମାନେ କୀର୍ତ୍ତିର ଧ୍ୱଜା ବି ଉଡ଼ାଉଛନ୍ତି । ଏଣେ ଦୁଷ୍କର୍ମର ବି ସୀମା ନ ଥାଏ । କାହାରି କାହାରି ମନରେ ସହସା ପୁଣି ଏପରି ପରିବର୍ତ୍ତନ ହୁଏ ଯେ ସେମାନଙ୍କର କର୍ମ ଦେଖିଲେ ମଣିଷ ବିସ୍ମିତ ହୁଏ ।

 

...ଜୟୀ ନାୟକ ନହୁଲୀକୁ ଧନୀ ସମ୍ପତ୍ତିବାନ୍ ଘରର ବୋହୁ କରି ପଠାଇଥିଲେ, ହୁଏତ କେତେଗୁଡ଼ିଏ ଉଦାର ଉଦ୍ଦେଶ୍ୟରେ । ବାପ ନ ଥିଲା ସାଧାରଣ ଚାଷୀଘରର ଝିଅଟିକୁ ଧନୀ ଖାନ୍‌ଦାନ୍‌ ଘରର ସର୍ବେସର୍ବା ବୋହୁ କରି ସୁଖରେ ରଖିବା, ସବୁ ସୁଗୁଣରେ ପରିପୂର୍ଣ୍ଣ ନହୁଲୀ ପରି କର୍ମକୁଶଳା ଝିଅକୁ ସେହି ଘରର ବୋହୁ କରାଗଲେ ମାତୃହରା ଉତିଆଣୀ ପିଲାଟି ସେ ଘରେ ତା’ର ମା’କୁ ପାଇବ, ଅଖଞ୍ଜ ଅଚଳ ଦୁଃଖିନୀ ଶାଶୁ ବଧୂ ହରାଇ କେବଳ ବଧୂ ନୂହେ ଅପା, ଅନୁଗତ, ବିଶ୍ୱସ୍ତ ସେବାକାରିଣୀ କନ୍ୟାଟିଏ ବି ପାଇବେ, ପୁଣି ଆନନ୍ଦ ପରି ଅଧମ, ମଦ୍ୟପ ଓ ନିର୍ବୋଧ, ଅବିବେକୀ ଟେକାଟା ନହୁଲୀର ରୂପ, ଗୁଣ, ବିଦ୍ୟା, ବୁଦ୍ଧି, କର୍ମକୁଶଳତା ଓ ସହନଶୀଳତାରେ ଏକାଥରେ ବଦଳିଯିବ ।

 

...ଅପା, ଆନନ୍ଦ ବଦଳିଥିଲେ, ବର୍ଷ ବର୍ଷ ଲାଗି ସବୁ ଦୁଃଖ ଧୈର୍ଯ୍ୟର ସହ ସମ୍ଭାଳି ଯେଉଁ ଅନୁଭବଭରା ଛାତିଥରା, ଲୁହଝରା ଚିଠିଟି ବିଚାରୀ ନହୁଲୀ ଲେଖି ଲେଖି ଅତି କଷ୍ଟରେ ସାଇତି ରଖିଥିଲା, ତାକୁ ସେ କେବେ ବାମନ ଦାଦିଙ୍କ ହାତରେ ପଠାଇ ନ ଥାନ୍ତା ।

 

...ଦୁଃଖିନୀ ନହୁଲୀ ନିଜେ ତା’ର ଉଦ୍ୟମରେ ସଫଳ ହୋଇନାହିଁ । ବିଚାରୀ ନିଶ୍ଚୟ ବ୍ୟର୍ଥ ହୋଇଛି । ହତାଶ୍‍ ହୋଇପଡ଼ିଛି । କ’ଣ ସେ କରିବ ନିଜେ ବୁଝିପାରିନାହିଁ । ସେ ଘାଣ୍ଟି ହେଉଛି । ସେହି କଥା ସେ ଜଣାଇ ଦେଇଛି ।

 

...କିନ୍ତୁ, ଏ ସବୁ ପାଇଁ ଜୟୀ ନାୟକଙ୍କୁ ଦାୟୀ କରିବା, ତାଙ୍କର ଭଲ ଉଦ୍ଦେଶ୍ୟ ଭୁଲି ତାଙ୍କୁ ଦୋଷ ଦେବା, ତାଙ୍କର ନିନ୍ଦା କରିବା ଆମ ପକ୍ଷରେ ଅବା କାହାରି ପକ୍ଷରେ ଉଚିତ ନୁହେଁ ।

 

...ନିଜର ଭାଗ୍ୟକୁ ଆଦରି, ଛାତିକୁ ପଥର ପରି ଦମ୍ଭ କରି, ନହୁଲୀ ଯେପରି ଆଜିଯାଏ ସହି ରହିଛି, ସେହିପରି ରହିବାକୁ ତାକୁ ପଡ଼ିବ ।

 

...ସବୁ ତାକୁ ଆରେଇ ଯାଇଛି । ପରେ ଯାହା ସବୁ ଘଟିବ ସେହିପରି ଆରେଇ ଯିବ । ଦେହସହା ମନସହା ହେବ । ଆମର ଫମ୍ପା ସହାନୁଭୂତି ଓ ଅଲୋଡ଼ା ସାନ୍ତ୍ୱନା, ନା ତା’ର ଦୁଃଖଦୁର୍ଦ୍ଦଶାକୁ ଲାଘବ କରିବା ପରିବର୍ତ୍ତେ ବରଂ ବଢ଼ାଇବ, ଅପା, ଅନର୍ଥକ ତାକୁ କର୍ତ୍ତବ୍ୟଚ୍ୟୁତ କରିବ ।

 

ଜେମାଦେଈ ଅପା ସାମନ୍ତାଣୀ ବୁଝାଇ କହିଥିଲେ, କୁସୁମ ଲୋ, ଦୁଃଖନ ମୋ ଆଗରେ ଏପରି କହି ମତେ ସାନ୍ତ୍ୱନା ଦେବା ଛଳରେ ନିଜକୁ ସାନ୍ତ୍ୱନା ଦେଉଥିଲା । ଏପରି ମୁଁ ମଣିଥିଲି ।

 

‘ପ୍ରକୃତରେ ସେହି ସବୁ କଥା କହି ମୁଁ ତତେ ଏବେ ସାନ୍ତ୍ୱନା ଦେଉଛି ।’

‘ଅଧିକା ମୁଁ ତତେ ଏତିକି କହୁଛି ଯେ ଭଲମନ୍ଦ, ପାପପୁଣ୍ୟ ନହୁଲୀ ସବୁ ଜାଣେ ।’

 

କେତେ କେତେ ଘଟଣାର ଛବି କୁସୁମର ମୁଣ୍ଡ ଭିତରର ଆଖିକୁ ଦିଶିଯାଉଥିଲା । ଦୁଇଟି ବାହାରର ଆଖି ସତେକି ଭିତରେ ଶହଶହ ଆଖି ହେଇଥିଲା । କାନ ଦୁଇଟିକୁ ନୁହେଁ, ମନର ଅଦିଶା କେତେ କାନକୁ ଶହଶହ ବଚନିକା ଶୁଣାଉଥିଲା । କୁସୁମ ବାହାର ଦୁନିଆରୁ ହଜି ନିଜ ଭିତରେ ହେଇଥିଲା ଅନ୍ୟମାନଙ୍କ ପରି ବ୍ୟକ୍ତିଟିଏ । ନିଜକୁ ନିଜେ ଶୁଣୁଥିଲା ।

 

ଦିନର ଆଲୁଅ ମଳିନ ହେଇ ଆସୁଥାଏ । ଘରକାମ କେତେ ଯେ ସେଇଥିରେ ଘାଣ୍ଟିଚକଟି ହେଉଥିବ ? କାମରେ ମନ ନ ଦେଇ ତୁନିତାନି ବସିଲେ କି ଲାଭ ?

 

ପାଟି ସିନା ଫିଟୁ ନ ଥିବ, ମନ କାହିଁ କାହିଁ ଧାଇଁଥିବ । କେଉଁଠି କେତେ କାହାକୁ ଭେଟୁଥିବ । ମୁଖର ହୋଇଥିବ । ଅଟକାଇଲେ ଅଟକିବ ନାହିଁ । ଆକଟିଲେ ଏପାଖରୁ ଯାଇ ସେପାଖରୁ ବୁଲି ଆସିବ ।

 

ସେଇଆ ହୋଇଥିଲା କୁସୁମର ।

 

କେତେବେଳରୁ ଦାଣ୍ଡର ଉଚ୍ଚ ପିଣ୍ଡାରେ ବସି ଦହ ଉପରେ ବିଲମାଳକୁ ସେ ଚାହିଁ ରହିଥିଲା । ସୁନେଲି ଧାନ ପୂବେଇ ପବନର ଥିରିଥିରି ଚଳନରେ ଢେଉ ଖେଳୁଥିଲା । କେତେ ଅରମା ସାପ ଭରପୂର ଥିଲା ଯେଉଁ କୋଇଲିଖିଆ କଣ୍ଟା ଆଉ ଅନାବନା ଗଛବୁଦାରେ ପୂର୍ଣ୍ଣ ଭୂମି, ସେଇ ଆଜି ମା’ ଲକ୍ଷ୍ମୀଙ୍କର ସୁବର୍ଣ୍ଣ ଶାଢ଼ିର ପଣତ ହଲାଉଛି । ଆହା, ଥାଆନ୍ତେ ଯଦି ଆଜି ଅଲେଖ ବାପ ।

 

ଆସ ମ ଥରେ, ମୋଟେ ନିମେଷକ ପାଇଁ ଆଖି ପକାଇବ । ତମ ନାମରେ ଗାଁ ପିଲାଙ୍କ ପାଇଁ ଯେଉଁ ଖେଳ ବଗିଚା ଦୁଃଖନ କରାଇଛି, ସେଥିରେ ମୂହୁର୍ତ୍ତେ ବୁଲିବ ।

 

“ତମେ ସ୍ୱର୍ଗବାସୀ । ତମର ପାଦ ଛୁଇଁବାର ଅଧିକାର ମୋର ନାହିଁ । ଖାଲି ଥରେ ଚାହିଁବି-। ମୋ ଆଖିପତା ତଳକୁ ଖସିଲେ, ତମେ ପଛେ ଉଭେଇଯିବ । ତମ ଆଗରେ ସୁଖଦୁଃଖର କାହାଣୀ ବର୍ଣ୍ଣିବି ନାହିଁ ମ ।’’

 

ଆଖିର ଲୁହ ଗାଲରେ ଗଡ଼ୁଣୁ କୁସୁମର ଚେତା ଫେରିଲା । ଆରେ, ମୁଁ କି କଲି ? ମୋ ଆଖିର ଲୁହ ସେପୁରରେ ତାଙ୍କୁ କଷ୍ଟ ଦେଇପାରେ, ଏଇଆ ବିଚାରି ସେ ଶାଢ଼ିର ପଣତରେ ମୁହଁ ପୋଛିଲା ।

 

ଶୂନ୍ୟର ଚଳନ୍ତା ପାତଳ ମେଘକୁ ଚାହିଁ କୁସୁମ ମନେ ମନେ କହିଲା, ନା, ତମେ ଆସ ନାହିଁ । ସେଇଠି ଥାଇ ଉଡ଼ିଉଡ଼ିକା ସବୁ ଦେଖ । ପୁଅଠାରୁ ଅଧିକ ମଣି ଭଲ ପାଉଥିଲ ଦୁଃଖନକୁ । ତାକୁ ଚାଷବାସର, ଲୋକ ଚଳାଣର ସବୁ ଇଲମ ଦେଇଯାଇଥିଲି । ସେ କେମିତି କଅଣ କରିପାରିଛି ଥରେ ଦେଖିଯାଅ ।

 

‘ତା ଜନମ ମତେ କାଲିପରି ଲାଗୁଛି । ସେଇ ଛୁଆଟା ଏ ଦୁଃଖନ । ନିଜର ଭଲ ଗୁଣରେ ରାଉତପାଟଣା ଗାଁର ପିଲାଛୁଆରୁ ବୁଢ଼ାବୁଢ଼ୀଯାଏ ସମସ୍ତଙ୍କୁ ଆପଣାର କରିନେଲା ।’

 

“ସେ ଯାହା କହିବ, ସେମାନେ ସେଇଆ କରିବେ । ଆଗ ସେ ନିଜେ ସେହି କାମରେ ହାତ ଦେବ । ପାଞ୍ଚ ପଚିଶ ହାତରୁ ଖରଚ କରିବ । ଧନ ନ ଥିଲେ ସମ୍ପତ୍ତି ବିକିବ ।’’

 

‘ଶୁଣ ମ, ଦିନକର ଘଟଣା । ମୂଲ୍ୟବାନ ସମ୍ପତ୍ତି, ଅବଶ୍ୟ ଟିକିଏ ଦୂରରେ ଅବା ପାଖ ଗାଁମାନଙ୍କରେ ଯିଏ ଥିଲା ତାକୁ ସବୁ ବିକି ଗାଁର ଉନ୍ନତି କାମରେ ଖରଚ କରିବାକୁ ମନ ବଳାଇଲା-।’

 

ଜେମାଦେଈ ଦୁଃଖନର ଇଛା ପୂରଣ ପାଇଁ ତା’ର କୌଣସି କାମରେ ବାଧା ଦିଅନ୍ତି ନାହିଁ-। ତଥାପି, ଦିନେ ସେ ମତେ କହୁଥିଲେ-ଦୁଃଖନକୁ ପଚାରିଲେ, ସମ୍ପତ୍ତି ତ କପୂର ଯାଇ କନା ପଡ଼ିଛିରେ ଧନ । ତୋ ବାପ, ଗୋସାପେ ଓ ତାଙ୍କର ଭାଇମାନେ ବିକିଭାଙ୍ଗି ଅଧିକାଂଶ ଜୁର କରିଥିଲେ ।

 

‘ଦୁଃଖନ ତାଙ୍କୁ ଆଉ କୁହାଇ ନ ଦେଇ ପାଦ ଧରିଲା । କହିଲା, ଆଉ କହନା, ଅପା । ସେମାନେ ମୋର ପୂର୍ବପୁରୁଷର ଲୋକ । ମୋର ଦେବତା ସମାନ । କାହିଁକି ସେମାନେ ସମ୍ପତ୍ତି ବିକି ଧନ ଆଣୁଥିଲେ ତତେ ଭଲ କରି ଜଣା । ମୁଁ ସେମାନଙ୍କର କୀର୍ତ୍ତିକଳାପ ସମ୍ବନ୍ଧରେ ଖାଲି ଶୁଣିଛି ।’

 

...ହଁ, ଅପା, ଅନେକ ଜାଗାରେ, ଜଣା ଅଜଣା ଅନେକ ଲୋକଙ୍କ ପାଖରୁ ଶୁଣିଛି । କେତେ ସତ କେତେ ମିଛ ମତେ ଜଣାନାହିଁ । ସବୁ ସତ ହେଉ, ଅବା ସବୁ ମିଛ ହେଉ, ସେଥିରୁ ମତେ କି ମିଳିବ ।

 

...ନିଜେ ସୁଖରେ ରହିଲେ ସାହିପଡ଼ିଶାର ଅଭାବୀ ଦୁଃଖୀ-ରଙ୍କୀଙ୍କର କି ଲାଭ ? ତାଙ୍କର ହନ୍ତସନ୍ତିଆ ଡହଳବିକଳିଆ ଆତ୍ମା ଆଶା-ମୁଖରେ ଉପାସ ଭୋକରେ ଚାହିଁ ରହିଥିବ । ସେମାନଙ୍କର ଭୋକିଲା-ନିଶ୍ୱାସର ତାତିରେ ହାଉଲେ ହାଉଲେ ସବୁ ଜଳିଯିବ କି ନାହିଁ ତୁ କହ ?

 

‘ଜେମାଦେଈ ଆଖିରୁ ଲୁହ ଝରାଇ ମତେ କହୁଥିଲେ, ‘କୁସୁମ ଲୋ’, ପିଲାଟା ଯାହା କହିଲା ସେଥିରେ ଭୁଲ ନାହିଁ । ସେ ପୁଣି କହିଲା-ମଦ ଖାଇ ମାତାଲ ହେବା, ବୁଦ୍ଧବିବେକ ହଜାଇ ସ୍ୱଭାବ, ଚରିତ୍ର ହରାଇବା କ’ଣ ସୁଖରେ ଗଣା, ନା ସମ୍ମାନରେ ଗଣତି ?’

 

‘କୁସୁମ ଲୋ, ପୁଣି ସେ କହିଲା –ଅପା ଲୋ, ଯେଉଁ ମଣିଷଟା ଘିଅରେ ଖାଇ ଦୁଧରେ ଆଞ୍ଚେଇ ନିଷ୍କାର୍ମା ହୋଇ ବସି, ଅବା ନିଶା ଖାଇ ଢୁଳାଇ ଶୋଇ, ଅପଯଶ ଅରଜି, ଦିନ-ମାସ-ବରଷ ଗଣତିରେ ଶହେ ବର୍ଷ ଆଖି ବୁଜିଲା, ସେ କ’ଣ ସତେ ବଞ୍ଚିଥିଲା ବୋଲି ତୁ କହିବୁ ?’

 

‘ପଚାରିଲି-ତୁ କହ, ଧନ ।’

 

‘ଦୁଃଖନ କହିଲା-ସେଇଟା ସ୍ୱାର୍ଥପର ଜୀବନ...ମାଦଳ ବଞ୍ଚଣ’ ସେମିତିକା ଜୀବନ ମୁଁ ବଞ୍ଚି ରହିବାକୁ ଚାହେ ନାହିଁ ।

 

ଜେମାଦେଈ ପୁଣି କହିଥିଲେ, “ଦୁଃଖନ ଆଖି ଛଳଛଳ କରି ଦି’ହାତ ଯୋଡ଼ି ମୁଣ୍ଡରେ ଲଗାଇଲା । କହିଲା-ଜୀବନ ପରି ଜୀବନଟିଏ ବଞ୍ଚିଥିଲେ ମୋର ପରଶୁଦାଦି ।’’

 

-କର୍ତ୍ତବ୍ୟ କରୁଣୁ ରାତିଅଧରେ ସେ ଟଳିପଡ଼ିଲେ । ଦେହ ସିନା ତାଙ୍କର ଟଳିପଡ଼ିଲା, ତାଙ୍କର ଆତ୍ମା ଏଇ ଗ୍ରାମର ଶୂନ୍ୟ ଦେହରେ ଆତଯାତ ହେଉଛି ।

 

-ଆମକୁ ଏକଜୋଟ ହୋଇ କାମ କରିବାକୁ ସେ ଆତ୍ମା ପ୍ରେରଣା ଦେଉଛି ।

 

-ସେହି ଲୋ ଅପା, କ୍ଲାନ୍ତ ହୋଇ କେବେ ଉଠିବାକୁ ମୋର ଉଛୁର ହେଲେ ମତେ ଲାଗେ, ଯେମିତି ସେ ପାଖକୁ ଆସି କଅଁଳେଇ ଡାକୁଛନ୍ତି । ମୋ ଗୋଡ଼ କିଏ ଆଉଁସିଲା ପରି ବି ଲାଗେ । କଅଁଳିଆ ହାତ ପାପୁଲି ।

 

-ବୁଝିପାରେ ନାହିଁ ଲୋ ଅପା । ତେବେ ମୋ ନିଦ ଓ ତା’ ସଙ୍ଗରେ ସକାଳର ସପନ ଭାଙ୍ଗେ । ମୁଁ ଧଡ଼ପଡ଼ ହୋଇ ଉଠେ । ଏବଯାଏ ପରଶୁଦାଦି ମତେ କାମରେ ଲଗାଇଛନ୍ତି ।

 

ଦାଣ୍ଡପିଣ୍ଡା ଉପରେ ବସି କୁସୁମ ମନେପକାଉଛି ବିତିଲା ବେଳର ଘଟଣାବଳୀ । ଆକାଶର ଭାସିଲା ବାଦଲକୁ ଚାହିଁ ଖୋଜୁଛି ତା’ର ଏହି ଜୀବନର ସାଥୀଙ୍କୁ, ଯିଏ ଧୂଆଁରେ ମିଶି ସେଇଠିକୁ ଚାଲିଯାଇଛନ୍ତି । ମନଖୁସିରେ ଘୂରି ବୁଲୁଛନ୍ତି । ସବୁ ଦେଖୁଛନ୍ତି ।

 

ବାଦଲ ମେଳରେ ଭାସିଭାସି ସବୁ ଦେଖି ଖୁସି ହେଉଥିବା ସ୍ୱାମୀଙ୍କର ଅଶରୀରୀ ଆତ୍ମାକୁ ଅନାଇଁ ମନେ ମନେ ଶୂନ୍ୟକୁ କୁସୁମ କହିଲା, “ଦେଖୁଛ କି ତମରି ଅମଳର ଅସନ ଦହକୁ ?’’

 

‘ସେ ଦହ ଆଉ ନାହିଁ । କଇଁ, ବାରମିଶା ଦଳ, କଳମ୍ବ କମଳ ସବୁ ସଫା ହେଲା । ଦୁଇ ବର୍ଷର ଖରାଦିନର କାମ ।’

 

ତେଣ୍ଡା କ’ଣ ପାରିଥାନ୍ତା ? ଦୁଃଖନର ପଇସା ଖରଚ ହେଲା । ଜୟୀ ନାୟକ ଅଣ୍ଟା ଭିଡ଼ି ଯୋଗାଡ଼ କଲେ । ହାକିମମାନେ ସାହାସ ଦେଲେ । ବଡ଼ ସହରରୁ କେତେ ପମ୍ପ କଳ ଆସିଲା । ପାଣି ଟାଣି ସରଯୂନଦୀରେ ଛଡ଼ା ହେଲା ।’

 

‘ଦଶଣାର ପାଣି କମିଲା । ପଙ୍କ ବୁହା ହେଇ ବିଲମାଳରେ, ବାରିବଗିଚାରେ, ନଡ଼ିଆ, ଗୁଆ ଓ ଅନ୍ୟାନ୍ୟ ଗଛଗୁଡ଼ିକର ମୂଳରେ ଭିଡ଼ାହେଲା । ମରଦେ, ମାଇପେ, ପିଲାଛୁଆ ସମସ୍ତେ ପର ଲାଗିଗଲେ ।’

 

ଏବେ ଦେଖ ସେ ଦହକୁ । କାଚକେନ୍ଦୁ ପରି ପାଣି । କେତେ ଯେ ଜାତିଆ ମାଛମାନଙ୍କର ଜାଆଁଳ କେଉଁଠୁ ଯୋଗାଡ଼ କରି ଆଣି ସେହି ଦହରେ ଛଡ଼ା ହୋଇଛି ତା’ର କଳନା କରିହେବ ନାହିଁ । ମାଲିକମାନେ ସମସ୍ତେ ନିଜ ନିଜର ଅଂଶକୁ ଗ୍ରାମପଞ୍ଚାୟତ ନାମରେ ଲେଖିଦେଇଛନ୍ତି ।

 

‘କାହାର ବା କେତେ । ତମେ ତ ଜାଣ, ଏକ ଦୁଃଖନ ହେଉଛି ଦଶଣା ଅଂଶର ମାଲିକ । ଅନ୍ୟମାନଙ୍କର ଚେନାଏ ଚେନାଏ । ଜେମାଦେଈ ଆଗ ମନଦୁଃଖ କରୁଥିଲେ । ଦୁଃଖନର ଆଗ୍ରହ ଓ ଉତ୍ସାହ ଦେଖି ସେ ଓଲଟିଗଲେ । ବରଂ ଖୁସି ହେଲେ ।’

 

“ମୋ ମନର କଥା ଶୁଣିପାରୁଛଟି ତମର ଶୂନ୍ୟ-ଦେହରେ ? ଜେମାଦେଈ ମତେ କହିଲେ-ଦୁଃଖନର ଯହିଁରେ ଆନନ୍ଦ, ସେଥିରେ ରାଜି । ସେଥିରେ ମୋର ଖୁସି । ଠାକୁରେ ତାକୁ ବଞ୍ଚାଇ ରଖନ୍ତୁ ।’’

 

“ସେ ପୁଣି କହିଲେ-କୁସୁମ ଲୋ, ପିଲାଟା ମୋର ଉଦାସିଆ ହୋଇଛି । ମୁଁ ତା’ ମନ ବୁଝି ପାରି ନ ଥିଲି । ନହୁଲୀକୁ ସେ ଭାରି ଭଲ ପାଉଥିଲା । ତାକୁ ଉପର ଦେଖାଣ ଉତ୍ସାହ ଓ ଆନନ୍ଦରେ ପରଘରକୁ ପଠାଇଲା । ତା’ ପରଠାରୁ ତା’ ମନର ଉଦାସ ଭାବ ମୁଁ ଲକ୍ଷ୍ୟ କଲି ।’’

 

‘ଶୂନ୍ୟ ଦେହରେ ଥାଇ ତମେ କ’ଣ ଏହା ବୁଝିଥିଲ ? ମୁଁ ନିଆଁଲାଗୀ କିପରି ବା ଜାଣନ୍ତି ଯେ ରଜାଘରର ପୁଅ ଦୈବୀଯୋଗରୁ ଦବିଗଲେ ବୋଲି ଗୋଟିଏ ଚାଷୀଘରର ଝିଅକୁ ରାଉତରାୟ ଘରର ବୋହୁର ସମ୍ମାନ ଦେବାକୁ ଆଗ୍ରହ କରିଥିଲେ ?’

 

“ତମେ କ’ଣ ସେପରି ଆଶା କରିଥିଲ କି ? ସେପରି ଆଗ୍ରହ ତମର ଥିଲା ? ମୋ ଆଗରେ କେବେ ତ ପ୍ରକାଶ କରି ନ ଥିଲ ?’’

 

‘ତମର ଝିଅଟି ନହୁଲୀ କ’ଣ ସେହିପରି କିଛି ଆଶା ମନରେ ଭରିଥିଲା ? କାହାରି ଆଗରେ ପ୍ରକାଶ କରିବାର ସୁଯୋଗ ନ ପାଇ ସେ ଓଟରା ଖାଇ ଟାଣି ହୋଇଗଲା ସାମନ୍ତରା ଘରର ବୋହୁ ହୋଇ ? ସତେ କି, ହାଣକୁ ଯାଉଛି ।’

 

ସେଇଥିପାଇଁ ପରକୁ ଆପଣାର କରି ଖୁସି ଆନନ୍ଦରେ ଚଳିପାରୁନାହିଁ ?

 

ଦୋବେହି ବର କ’ଣ ବାହା ହେଉନାହାଁନ୍ତି ? ସ୍ୱର୍ଗବାସିନୀ ସଉତୁଣୀର ପିଲଛୁଆ ବି ଥା’ନ୍ତି । ତଥାପି, ଭଲରେ ବେଳ କଟେ । ଗେରସ୍ତ ଯେ ହାତରେ ରହେ । ସାବତ-ପିଲାଏ ବୋଲ ମାନନ୍ତି, କରପତ୍ର ଯୋଡ଼ି ରୁହନ୍ତି ।

 

‘ଏତେ ପାଠ ପଢ଼ି, ଏଡ଼େ ଚଲାଖ ଚତୁର ହେଇ ନହୁଲୀ ନିଜେ ଚଳିପାରୁନାହିଁ ଭଲରେ, ସେମାନଙ୍କୁ ବି ଚଳାଇପାରୁ ନାହିଁ । ଜୋଇଁ ଟାକୁ ବାନ୍ଧି ରଖିପାରୁ ନାହିଁ ।’

 

‘ନାଇଁ ନାଇଁ, ତମ ଗେଲବସରୀ ଝିଅ ନହୁଲୀର ଦୋଷ ମୁଁ ଦେଉନାହିଁ; ଦୋଷ ମୋ ଫଟା କପାଳର । ତମେ ଛାଡ଼ି ଶୂନ୍ୟକୁ ଚାଲିଗଲ ବୋଲି ସିନା ତା ଭାଗ୍ୟର ଡୋର ଧରି ଅନ୍ୟମାନେ ଓଟାରିବାର ସୁବିଧା ସୁଯୋଗ ପାଇଲେ । ନୋହିଲେ, ଜୟୀ ନାୟକଙ୍କର ଏ ଘରେ ଖେଳ ଖେଳିବାକୁ ବହପ ହୋଇ ନ ଥାନ୍ତା ।’

 

ଯାହାଙ୍କ ବିରୁଦ୍ଧରେ ନିଜ ଆଗରେ ନିଜେ ସେ ଅଭିଯୋଗ କରୁଥିଲା, ନୀରବରେ, ଆଖି ଦିଓଟିରେ ଲୋତକ ଛଳଛଳ କରୁଥିଲା, ସେହି ଜୟୀ ନାୟକଙ୍କ ଡାକ ଶୁଭିଲା ରାସ୍ତା କଡ଼ରୁ, ଅଳପ ଦୂରରୁ-ଭାଉଜ,ଏକୁଟିଆ ବସିଛ ? ପିଲାଏ ଫେରିନାହାଁନ୍ତି କି ?

 

କୁସୁମ ଚମକି ଚାହିଁଲା । ଅସ୍ତବ୍ୟସ୍ତ ହୋଇ ଉଠିଲା । ଗାଁ-ଲେଖାରେ ଜୟୀ ତାଙ୍କର ଦିଅର ହେବେ । ନହୁଲୀର ବାପଙ୍କଠାରୁ ବୟସରେ ସେ ସାନ ଅବା ବଡ଼, କୁସୁମକୁ ଅଗୋଚର । ଏ ଗାଁଆକୁ ବୋହୁ ହୋଇ ଆସିଲା ପରେ ସେ ଶୁଣିଲି, ନହୁଲୀର ବାପାଙ୍କୁ ସେ ପରଶୁଭାଇ ଡାକୁଥିଲେ । ସେହି ହିସାବରେ ତାଙ୍କୁ ଭାଉଜ ଡାକିଲେ ।

 

ନାୟକ ବଂଶୀୟାଙ୍କ ସଙ୍ଗରେ ଜେନା ବଂଶୀୟଙ୍କର ରକ୍ତର ସମ୍ପର୍କ ନ ଥିଲା । ଆଗର କେଉଁ ବଂଶ କେଉଁ ଅଲଗା ଅଲଗା ଗ୍ରାମରେ ଅବା ଏକା ଗ୍ରାମର ଭିନ୍ନ ଭିନ୍ନ ପଡ଼ାମାନଙ୍କରେ ରହୁଥିଲେ, କୁସୁମକୁ ଜଣାନାହିଁ ।

 

ଶୁଣାଣିରେ, କେଉଁ ଅମଳରେ ସରଯୂନଦୀର ପ୍ରଳୟଙ୍କରୀ ବନ୍ୟାର ଧ୍ୱଂସଲୀଳା ପରେ, ବିଳାସୁଣୀ ଠାକୁରଙ୍କୁ ବିସ୍ତୀର୍ଣ୍ଣ ପାହାଡ଼ର ପଠା ଉପରେ, ପଳାଶବଣ ଭିତରେ ଯେଉଁମାନେ ସବୁ ଆଶ୍ରା ନେଇଥିଲେ, ସେମାନେ ସବୁ ସୁବିଧା ଦେଖି କିଏ କେଉଁଠି ସ୍ଥାନ ମାଡ଼ିବସି ରହିଥିଲେ ।

 

କାଳକ୍ରମେ ଗୋଟିଏ ପଡ଼ାର ପୁଣି ଗୋଟିଏ ଗ୍ରାମର ବାସିନ୍ଦା ସେମାନେ ହେଲେ । ପ୍ରିୟାପ୍ରୀତିର ସମ୍ବନ୍ଧ ଲଗିଲା । ବୈବାହିକ ସମ୍ବନ୍ଧ ଘଟିଥିଲା କି ନାହିଁ କୁସୁମକୁ ଅଜଣା ।

 

ଏ ଘରକୁ ବୋହୂ ହୋଇ ଆସିଲାବେଳେ ସେ ଦେଖିଥିଲା, ଜୟୀ ନାୟକେ ଜଣେ ଧୀରସ୍ଥିର ସାବନା ରଙ୍ଗର ସ୍ୱସ୍ଥ୍ୟବାନ ଟୋକା ଥିଲେ । ବେଶୀଦିନ ସେ ଗାଆଁରେ ରହୁ ନ ଥିଲେ । ବଡ଼ ସହରରେ ବେଶୀଦିନ ରହି କେଉଁ ଓକିଲ କି ମୁକ୍ତାରଙ୍କ ପାଖରେ ଲେଖାପଢ଼ି କାମ କରୁଥିଲେ-। ଆଇନି ଫାଇନି ଶିଖୁଥିଲେ ।

 

ଗାଆଁକୁ ଆସିଲେ ବିଲବାଡ଼ିର କାମରେ ମନ ଦେଉଥିଲେ । ପୁଣି ଏଘର ସେଘର ହୋଇ ସହର ବଜାର କଥା ଓ କୋର୍ଟ-କଚେରୀର ହାଲଚାଲ କଥା ଗପୁଥିଲେ ।

 

କୁସୁମ ସେଥିରୁ ବା କ’ଣ ବୁଝନ୍ତା । ପାନ ଦିଖଣ୍ଡି ଭାଙ୍ଗି ଖାଲି ଚର୍ଚ୍ଚା କରିବାର ବିଧି । ତାଙ୍କର ଥଟ୍ଟାଳିଆ ବଚନ ଶୁଣି ଜବାବ୍ ନ ଦେଇ ହସହସ ହୋଇ ଆଡ଼େଇ ଯିବା ସାର । ନହୁଲୀର ବାପାଙ୍କ ସଙ୍ଗରେ ସେ କି ଆଲେଚନା କରିବାର କରୁଥାନ୍ତି ।

 

ବେଶ୍ ଆଡ଼ମ୍ବରରେ କେଉଁ ଗ୍ରାମରୁ ସୁମତିକୁ ସେ ବାହାହୋଇ ଘରଣୀ କରି ଆଣିଲେ । ବାହାଘରକୁ ଅନ୍ୟମାନଙ୍କ ସଙ୍ଗରେ ନହୁଲୀର ବାପା ବି ସେ ଗ୍ରାମକୁ ଯାଇଥିଲେ ।

କାଲିପରି ଲାଗୁଛି । ସମୟ କେଡ଼େ ବେଗରେ କୁଆଡ଼େ ଖସିପଳାଇଛି । ସେବେଳର କେତେ ମିଣିପେ ମାଇପେ ସେପୁରକୁ ବାହୁଡ଼ି ଗଲେଣି । ନୂଆ ଝିଅମାନେ ଜନମି ପରଘରୀ ହେଲେଣି । ଲଙ୍ଗଳା ପୁଏ ମାମଲତକାର ହୋଇ ବଡ଼ ବଡ଼ କଥା ଗପିଲେଣି ।

ସେବେଳର ଟୋକା ଚଙ୍ଗଚଙ୍ଗିୟା ଜୟୀ ନାୟକ ଏବକାର ଏଇ ଚେକାଚଉଧୁରୀ, କୁଚକ୍ରୀ ମାମଲତକାର ଧନୀ ଜୟୀ ନାୟକଙ୍କ ଭିତରେ କାହିଁ କେଉଠି ହଜିଯାଇଛି । ଅସମୟରେ କାହିଁକି ଆଜି ସେ ଏକାକୀ ଆସିଛନ୍ତି ? ଆଉ କେଉଁ ପାଞ୍ଚ ମନରେ ସେ ଭରି ଆସିଛନ୍ତି, କେଜାଣି ।

କୁସୁମ ପ୍ରମାଦ ଗଣିଲା । ଭୟ ଓ ସନ୍ଦେହରେ ସେ ମୁଣ୍ଡ ଉପରକୁ ଓଢଣା ଟାଣିଲା, ଉଚ୍ଚ ପିଣ୍ଡାରୁ ପଥର ପାହାଚ ଓହ୍ଲାଇ ତଳକୁ ଆସିଲା । ଓଠରେ ହସିଲା ଢଙ୍ଗ ଦେଖାଇ ସେ ଉତ୍ତର ଦେଲା, କାହିଁକି ସେ ଦିହେଁ କାମରୁ ଫେରିନାହାଁନ୍ତି । ଭାବୁଥିଲି, ଆଉ ଛଟପଟ ହେଉଥିଲି ।

‘ମୋ ଉପରେ ତ ଠାକୁରମାନେ ସଦାବେଳେ ନିର୍ଦ୍ଦୟ । ଯାହା ପାଖରେ ମୁଁ ପୋଡ଼ା କପାଳିଟା ଗୁହାରି କରିବି କହ, ଖାଲି ଛଟ ପଟ କଲବଲ ହେବା ସାର ।’

ଜୟୀ ନାୟକେ ପାଖେଇ ଆସିଲେ । ସାନ୍ତ୍ୱନା ଦେବାକୁ କହିଲେ, ‘ଗତ କଥାସବୁ ଭୁଲିଯାଅ, ଭାଉଜ । ସଭିଙ୍କର ଜୀବନରେ ସୁଖ ଓ ଦୁଃଖ, ପୁଣି ଦୁଃଖ ଓ ସୁଖ ବୁଲିଆସୁଛି, ଆଲୁଅ ପରେ ଅନ୍ଧାର, ଅନ୍ଧାର ପରେ ଆଲୁଅ ପରି । ଏଡ଼େ ହତାଶ୍‍ ହୁଅନା ।’

କୁସୁମ କହିଲା, ହଁ ଯେ ଭାଇ, କେଉଁ ଆଶାରେ ? କେଉଁ ଭରସାରେ ମୁଁ ଦମ୍ଭ ଧରି ରହିବି, କହ ? ତମର ଭାରଇ ସେପୁରକୁ ଚାଲିଗଲା ପରେ ଯେଉଁ ସବୁ ଦୁଃଖ ଜଞ୍ଜାଳରେ ଘାଣ୍ଟି ହୋଇ ମୋର ବେଳ କଟୁଛି କାହା ଆଗରେ କହିବି ?

‘ଶିବ ରାଉତରାଏ ଆଉ ଜେମାଦେଈ ସାହା ହେବାରୁ ଅଲେଖକୁ ବଢ଼ାଇଲି । ବଡ଼ଘର ଦେଖି ତମର କଥନିକାରେ ପରତେ ଯାଇ ନହୁଲି ପରି ଝିଅକୁ ଦେଲି ଯେ... ।’

 

କୁସୁମର କଥାରେ ବାଧା ଦେଇ ଜୟୀ ଟରଣୀ କହିଲେ, “ଆଉ ଅଧିକ କହି ମୋ ଛାତିରେ ମୁଦ୍‌ଗର ପିଟ ନାହିଁ ଗୋ ଭାଉଜ । ମାର ନା, ମୁଁ ଜାଣେ ନିଜେ ମଲିଣି । ଭଲ ଘର ଭଲ ବର ଦେଖି ମୁଁ କେଡ଼େ ଖୁସିରେ ପ୍ରସ୍ତାବ ବାଢ଼ିଥିଲି । ଭାବିଥିଲି, ନହୁଲୀଟି ପରି ଚାଲାଖ ଚତୁର ଝିଅ ଆନନ୍ଦକୁ ହାତମୁଠାରେ ରଖିପାରିବ ।’’

 

ଝିଅଟି ଅତି ଭଲ ଅତି ସରଳ ହୋଇ ଆନନ୍ଦକୁ ବାନ୍ଧି ରଖିପାରିଲା ନାହିଁ ।

‘ଟୋକାଟା ଉତ୍ସୃଙ୍ଖଳ ହେଲା; ସବୁ ସାରିବାକୁ ବସିଲାଣି ।’

 

‘ବାମନ ଦାଦିଙ୍କ ହାତରେ ନହୁଲୀ କ’ଣ ଗୋଟାଏ ଚିଠି ଦେଇ ସେ ଘରର ଢଙ୍ଗଢାଙ୍ଗ, ଚଳଣ, ତା’ ନିଜର ଦୁଃଖସୁଖ ସବୁ ଲେଖିଛି ପରା ମୁଁ ଜାଣେ ନାହିଁ । ତେବେ ମୁଁ ଅନୁମାନ କରିପାରୁଛି...’

 

‘ଝିଅଟା ନିଜେ କେବେ ମୋ ଆଗରେ କିଛି ପ୍ରକାଶ କରି ନ ଥିଲା । ଯେବେ ମୁଁ ଯାଇଛି, କେବେକେବେ ସେ ଘରେ ରହିଛି । ମୁଁ ତା’ର ହସ ଖୁସିଆ ଢଙ୍ଗ ଦେଖିଛି । ତାଙ୍କ ଘରେ ଓ ବାହାରେ ଗ୍ରାମର ସବୁ ଲୋକଙ୍କ ମୁହଁରେ ନହୁଲୀର ଧନ୍ୟଧନ୍ୟ ପ୍ରଶଂସା ଶୁଣିଛି ।’

 

‘ବାପଙ୍କର ମରଣ ପରେ ଆନନ୍ଦ ନିଶ୍ଚୟ ଉତ୍ସୃଙ୍ଖଳ ହୋଇପଡ଼ିଲା, ଭାଉଜ । ନହୁଲୀ ଯଦି ନିଜେ ଟାଣ ହୋଇଥାନ୍ତା ଅବଶ୍ୟ ଆନନ୍ଦକୁ ଶାସନ କରି ବାଟକୁ ଆଣିପାରିଥାନ୍ତା । ଆନନ୍ଦର ଖରାପ ସାଙ୍ଗମାନେ ସେ ଗ୍ରାମ ମାଡ଼ି ନ ଥାନ୍ତେ । ଘର ଭିତରର ଲୋକ ଓ ବାହାରର ଲୋକେ ଆନନ୍ଦକୁ ଶାସନ କରି ବାଟକୁ ଆଣିପାରିଥାନ୍ତେ ।’

 

‘ଝିଅ ଆମର ବେଶୀଗୁଡ଼ାଏ ପୋଥିପୁରାଣ ପଢ଼ି ପତିଦେବତା ଆନନ୍ଦର ଅତ୍ୟାଚାର ତୁନିତାନି ସହିଲା । ହାତରେ ବଢ଼ିଣା, କଠଫାଳିଆ, ନିଆଁ ଗୋଜଣା ଧରି ଦୁର୍ଗା-ମୂର୍ତ୍ତି ଧରିଥିଲେ ଆନନ୍ଦକୁ ସଜାଡ଼ି ପାରିଥାନ୍ତା । ଭାଗ୍ୟକୁ ଆଦରି କାନ୍ଦି କାନ୍ଦି ଆଖିରୁ ଖାଲି ଲୁହ ଝରାଇ ଅତ୍ୟାଚାରୀ ମଦୁଆ ଗେରସ୍ତକୁ ବାଟକୁ ଆଣନ୍ତା କିପରି ?’

 

‘ଭାଉଜ ମ । ତମେ କ’ଣ ଜାଣନାହିଁ ଯେ କଅଁଳ ଲୁହା ବିଲେଇ କାମୁଡ଼େ । କହିବି, ଶୁଣିବ ? ତମ ଆଗରେ ଗୁପ୍ତରେ କହିବାକୁ ମୁଁ ଲାଜ କରୁ ନାହିଁ ।’

 

‘ରୁକୁଣାକୁ ଚାରି କି ପାଞ୍ଚ ବର୍ଷ ହେଇଥାଏ । ଜରୁରୀ କାମରେ ସହରକୁ ଯିବାକୁ ତରତର ହେଉଥିଲି । ଦାଣ୍ଡରେ ଆଉ ତିନିଜଣ ସାକ୍ଷୀ ମତେ ଅପେକ୍ଷା କରି ରହିଥିଲେ । ଗୋଟାଏ ସଙ୍ଗିନ୍ ମକଦମାର ମିଛିମିଛିକା ଆଖିରେ ଦେଖିଲା ବାହାପିଆ ଅଜବ ମିଛ ନିଆଁଗିଳା କଥା ଧର୍ମର ଅବତାର ବିଚାରପତିଙ୍କ ଆଗରେ ହଲପ ନେଇ ସତ ସତ ଫଳାଇ ସେମାନେ କହିଥାନ୍ତେ । ଏମିତି ଅବଲୟ କରି କହନ୍ତେ ଯେପରି ହାକିମଙ୍କର ମନ ମାନିଥାନ୍ତା ଯେ ସାକ୍ଷୀମାନେ ଯାହା କହୁଛନ୍ତି ସେଥିରେ କାଣିଚାଏ ବି ମିଛ ବା ବଢ଼ାଇ କହିବା ପଦେ ନାହିଁ ।’

 

‘ମକଦମାର ଭୟ ଆମ ପକ୍ଷରେ ନ ଦେଇ ତାଙ୍କର ଅନ୍ୟ ଗତି ନ ଥାନ୍ତା । ଏଇଆ କରାଇବାକୁ ଜିଦିରେ ପକ୍ଷ ଅଉଲ କିସମର ଧାନଜମି ବନ୍ଧା ପକାଇ ଟଙ୍କା ଖରଚ କରୁଥିଲା । ଆମର ପାଉଣାର ଅଧେ ଆମକୁ ଆଗୁଆ ଦେଇଥିଲା ।

 

‘ସାତଦିନ କାଳ ଶିଖାଇ-ମଣାଇ ସାକ୍ଷୀମାନଙ୍କୁ ମୁଁ ତାଲିମ୍‌ କରିଥିଲି । କହୁ କହୁ କିଏ ଯଦି ଓଲମ୍‌-ବିଲମ୍ କରିଦେବ ତ କଥା ସରିଲା । ମକଦ୍ଦମା ଖାରଜ ହେବ ।’

 

‘ତରବର ହୋଇ ନଥିପତ୍ରର ବସ୍ତାନି ଓ ଛତା ଧରି ଦାଣ୍ଡକୁ ବାହାରିଲି । କେତେବେଳେ ଆସି ସୁମତି ଦାଣ୍ଡରେ ଠିଆ ହୋଇଥିଲା । ଗୋଟିଏ ହାତରେ ରୁକ୍ମଣାର ଟିକି ହାତଟିଏ ଧରିଥାଏ । ଆର ହାତରେ ମୁଠାଏ ବଢ଼ିଣା । ଦାଣ୍ଡଘର ଓଳାଉଥିଲା ପରା । ମୁଁ ସେଇଆ ଭାବୁଥିଲି ।’      

 

ଦାଣ୍ଡଦ୍ୱାର ପାଖରେ ସେ ଠିଆ ହେଇ ଆଖି ତରାଟି ମତେ ତେଢ଼େଇ ଚାହିଁଲା । ବାଟ ଓଗାଳି କହିଲା-ଶୁଣ, ଏମାନଙ୍କ ପାଖରୁ ସବୁ ଖବର ମୁଁ ବୁଝିଲିଣି, କିଏ କେଉଁ ଗ୍ରାମର । ହସଖୁସିରେ କଅଁଳେଇ ପଚାରିଲାରୁ ସେମାନେ ସବୁ କଥା କହିଲେ, ସାକ୍ଷୀ ଦେବା ତାଙ୍କର ବେଉସା । ‘ପେଟ ପୋଷ, ନାହିଁ ଦୋଷ’ ବେପାର । ତମେ କହ, ଏହା କ’ଣ ସତ ?

 

‘ମୁଁ ଜବାବ ଦେଲି-ଗରିବ ଗୁଡ଼ିଏ ତ ।’

 

‘ସୁମତି କହିଲା-ମୂଲ ଲାଗି ମୁଣ୍ଡଝାଳ ତୁଣ୍ଡରେ ମାରି ରେଜଗାର କଲେ ସେମାନେ ପେଟ ପୋଷନ୍ତେ । ମୂଲ ନ ମିଳିଲେ ଉପାସ ରହନ୍ତେ । ୟେ କି ପାଲା ଲାଗିଛି ? ଡାହା ମିଛ ସାକ୍ଷୀ ଦେଇ ଟଙ୍କା ନେଇ ସେମାନେ ତାଙ୍କର କୁଟୁମ୍ୱ ପୋଷିବେ, ଆଉ ତମେ ସେଥିରୁ ଲାଭ ଉଠାଇବ ? ସେତିକି ଥାଉ । ଆଜି ତମକୁ ମୁଁ ସହରକୁ ଯିବାକୁ ଛାଡ଼ିଦେବି ନାହିଁ । ତମର ମିଛୁଆ ଗରିବ ମୂଲିଆ ସାକ୍ଷୀମାନେ ଘରକୁ ଫେରିଯାଉନ୍ତୁ ।’

 

‘କ୍ରୋଧରେ ମୋ ବ୍ରହ୍ମ ଜଳିଉଠିଲା, ଭାଉଜ । କହିଲି-ମହକିଲ ଟଙ୍କା ଦେଇଥିଲା ମତେ । ମୁଁ ସେଥିରୁ ଅଧିକ ଦେଇଥିଲି ସେହି ସାକ୍ଷୀମାନଙ୍କୁ । ସାତଦିନ କାଳ ଲାଗି ତାଙ୍କୁ ଶିଖାଇଥିଲି । ସେମାନେ କ’ଣ କହିବେ, କେମିତି କହିବେ, ସବୁପାଠ । ସେମାନେ ଫେରିଯିବେ, ଆଉ ମୁଁ ଓକିଲ ଓ ମହକିଲଙ୍କ ପାଖରେ ଭାଣ୍ଡିଆ ହେବି ? ମିଛୁଆ ହେବି ?’

 

‘ଭାଉଜ, କ୍ରୋଧରେ ମୁଁ ସୁମତିକୁ ଠେଲି ପଦାକୁ ଆସିଲି । ରାଗୁଣୀ ବାଘୁଣୀ ପରି ସୁମତି ଗରଜିଉଠିଲା । ବଢ଼ିଣା ମୁଠାକ ଧରି ପଦାକୁ ଡେଇଁଲା । ଆଗରେ ଠିଆ ହୋଇ କହିଲା-ତମେ ପିଣ୍ଡାରୁ ଓହ୍ଲାଇବ ତ ମୁଁ ଏଇ ବଢ଼ିଣା ମୁଠାରେ ତ।’ର ଜବାବ ଦେବି । ଏମିତି ମିଛୁଆ ବୃତ୍ତିରେ ଅରଜିଲା ଅନ୍ୟାୟ ଧନ ଆମର ଲୋଡ଼ା ନାହିଁ । ଅଭାବ ପଡ଼ିଲେ ମୂଲ ଲାଗିବ; ସେଥିକି ଲାଜ ନାହିଁ ।’

 

‘ସୁମତିର ଚଣ୍ଡୀମୂର୍ତ୍ତି ଦେଖି ସାକ୍ଷୀମାନେ ଖସି ପଳାଇଲେ । ଅଧିକ ଲୋକହସା ନ ହେବାକୁ, ଘଟଣାଟା ପ୍ରଘଟ ଯେପରି ନ ହୁଏ ସେଥିକୁ ଡରି ମୁଁ ତୁନି ହେଇ ଘରଭିତରକୁ ଫେରିଲି-।’

 

‘ଭାଉଜ, ସୁମତିର ଦେହରେ କ’ଣ ମୋ’ଠାରୁ ଅଧିକ ବଳ ? ଗୋଟାଏ ଜାବଡ଼ାରେ ସେ ଥରିଥରି ମୂର୍ଚ୍ଛା ହୋଇ ପଡ଼ିଥାନ୍ତା । ତା’ର ଆଖିର ତେଜ ଆଉ କଥାର ଶକ୍ତିକୁ ମୁଁ ଭୟ କରିଥିଲି । ଭାବିଲି, ମୋର ବଡ଼ପଣ ପଛେ ଦି’କଡ଼ା ହେଉ, ଯେଉଁମାନେ ଦେଖୁଥିଲେ, ତାଙ୍କରି ଆଖିଆଗରେ ନାୟକ ଘରର ବୋହୁଟିର ସମ୍ମାନ ଊଣା ନ ହେଉ, ସେଇଥିପାଇଁ ମୁଁ ପରଙ୍କ ଆଗରେ ସୁମତି ପାଖରେ ଜାଣ ସେଦିନ ମୁଣ୍ଡ ନୁଆଁଇଲି ।’

 

‘ମୁଁ ଭାବୁଛି, ଆମ ନହୁଲୀ ଯଦି ଟାଣ ହୋଇଥାନ୍ତା, ଚୋଟ ମାରିବାକୁ ଫଣା ଟେକି ଫଁ-ଫଁ ହେଇଥାନ୍ତା, ଆନନ୍ଦ ଅବଶ୍ୟ ଡରିଥାନ୍ତା । ନହୁଲୀ ଉପରକୁ ହାତ ଉଠାଇବାକୁ ସେ ପଛେଇଥାନ୍ତା । ଦୋଷୀର ମନବଳ ସଦାବେଳେ ଟଳମଳ । ମଦୁଆଙ୍କର ସାହସ ଊଣା ।’

 

‘ଘଟଣାଟା ମୁଁ ଏବେ ଭଲକରି ବୁଝିସାରିଲିଣି । ନହୁଲୀ ପାଇଁ ତମେ ମୋଟେ ଚିନ୍ତା କର ନାହିଁ । ମୁଁ ଶୀଘ୍ର ସାମନ୍ତରାପାଟଣାକୁ ଯିବି । ଅନେକ ଦିନରୁ ଯାଇନାହିଁ । ନହୁଲୀର ରୋଗଣୀ ଶାଶୁଙ୍କୁ ଥରେ ଦେଖିଆସିବି । ଖବର ଅନ୍ତର ବୁଝିଆସିବି ।’

 

ସୂର୍ଯ୍ୟ ପଶ୍ଚିମ ଦିଗ୍‍ବଳୟ ଆଡ଼କୁ ଓହ୍ଲାଇ ସାରିଥିଲେ । ରାଧାଶ୍ୟାମଙ୍କ ମନ୍ଦିର ଆଗର ଆମ୍ୱତୋଟାର ଗଛଗହଳିର ଅନ୍ଧାରିଆ ବିସ୍ତୃତି ପଛରେ, ଫଗୁଆ ପାତଳ ଖଣ୍ଡିଖଣ୍ଡିକା ବଉଦମାଳର ଉହାଡ଼ରେ ଛପିଯାଇଥିଲେ । ଦହର ଆରପାଖ ସରଯୂନଦୀ ଆଡ଼ୁ ବହିଆସୁଥିବା ଧୀର ପବନ ଶୀତଳିଆ ଲାଗିଲା । ଠିଆଠିଆ କେଉଁ ପୁରୁଣା ଘଟଣାର ଆଲୋଚନାରେ ଅନର୍ଥକ ବେଳ ବିତାଇବାକୁ କୁସୁମ ଆଉ ମନ କଲା ନାହିଁ ।

 

ଭାବିଲା, ବିନା ଉଦ୍ଦେଶ୍ୟରେ ଜୟୀ ନାୟକଙ୍କ ପରି ଚତୁର କାମିକା ଲୋକ ଅସମୟରେ ଆସି କାହିଁକି ଠିଆ ଠିଆ ଏତେ ବେଳ କଟାଇଲେଣି, ସେ କହୁନାହାନ୍ତି କାହିଁକି ?

 

ଲୋକେ, ଏପରିକି ଗାଁ ମାଇପେ ଏବେ କୁହାକୁହି ହେଉଛନ୍ତି, କୁତୁରୁପିଆ ଜୟୀ ନାୟକ କୁଆଡ଼େ ବଦଳି ଗଲେଣି ।

 

କେମିତି ଏହା ସମ୍ଭବ ହେଲା ? କେମିତି ସେ ଏବେ ପରର ଦୁଃଖରେ ଦୁଃଖୀ ହେଲେଣି-? ଅଭାବୀର ଅଭାବ ଦୂର କରିବାକୁ ତା’ ଦୁଆରେ ଠିଆ ହେଲେଣି ? ଯେଉଁ ଶିବଦାସ ରାଉତରାଙ୍କର ନାମ ପଡ଼ିଲେ ତାଙ୍କର ନାହିଁ ଡେଉଁଥିଲା, ଏବେ କଥା କଥାରେ ତାଙ୍କରି ଉପଲକ୍ଷ ଦେଉଛନ୍ତି ।

 

ଦିନେ ଡାକିବଜାଇ ସେ ବଡ଼ଦାଣ୍ଡର ବଡ଼ କଦମ୍ବଗଛ ମୂଳର ସିନ୍ଦୁରବୋଳା ହନୁମାନ ମୂର୍ତ୍ତି ପାଖରେ ଠିଆ ହୋଇ ହାତଯୋଡ଼ି ବିନୀତ ହୋଇ କେତେ କଥା କହିଲେ ।

 

କୁସୁମ ମାଇପିମେଳରେ ସୁମତି ପାଖରେ ଠିଆ ହେଇଥିଲା । ରୁକୁଣା ଝିଅଟିର ହାତଧରିଥିଲା ସ୍ନେହରେ । ବିଚାରୁଥିଲା, ଚଞ୍ଚଳିଆ ଝିଅଟି ବଡ଼ ହେଲାରୁ କେଡ଼େ ଧିରସ୍ଥିର ହେଲାଣି । ଧଡ଼ିଆ ଦେହରେ ସ୍ୱାସ୍ଥ୍ୟ ପୂରିଲାଣି । ଚାବୁରୀ ଝିଅଟିର ମୁହଁ ଲାଜ ଗମ୍ଭୀର ହେଲାଣି ।

 

ତା’ ବାପା ସେଇ ସଭାରେ କହିଲେ, ‘ରାଉତରାୟ ବଂଶର ରାଜୁତି ଫେରିଆସିଛି । ଶିବଦାସ ରାଉତରାୟ, ସବୁ ଦେଇ ଦେଇ ସମସ୍ତଙ୍କୁ କିଣିନେଇଛନ୍ତି । ସମସ୍ତଙ୍କର ସେ ଶୁଭ ମନାସନ୍ତି । କେହି ତାଙ୍କର ଶତ୍ରୁ ନାହାଁନ୍ତି ।

 

‘ପିଲାରୁ ବୁଢ଼ାଯାଏ ରାଉତରା ସମସ୍ତଙ୍କର । ଜଣ ଜଣ କରି ସବୁ କୁଟୁମ୍ୱର ସେ ଜଣେ । ସହରରେ, ବଡ଼ ବଡ଼ ମହଲରେ ତାଙ୍କର ନାମ ପଡ଼ିଲାଣି । ବୟସରେ ଅଳପ ହେଲେ ବି, ବୁଦ୍ଧି, ବିବେକରେ ସେ ପୋଖତ । ସେହି ଆମର ଚାଳକ ହେବେ ।’

 

ସେ କହିସାରିଲାରୁ ସିଂହଛୁଆ ଦୁଃଖନ ଠିଆ ହେଲା । ମହାବୀରଙ୍କ ପାଦରେ ହାତ ଦେଇ ନିଜ କପାଳରେ ଲଗାଇଲା । ହାତଯୋଡ଼ି କହିଲା, ‘ରାଜାପ୍ରଜାର ଯୁଗ କେବଠାରୁ ଗଲାଣି । ଆମେ ସମସ୍ତେ ସମସ୍ତଙ୍କର । ସମସ୍ତେ ମାଲିକ, ସମସ୍ତେ କର୍ମୀ, ସମସ୍ତେ ମୂଲିଆ ।’

 

‘ଆମ ଗ୍ରାମର, ଆମ ଅଞ୍ଚଳର ଉନ୍ନତି ପାଇଁ କ’ଣ କରାଯିବ, ସେ କଥା ସମସ୍ତେ ବିଚାରିବା । ଯାହା ସ୍ଥିର ହେବ ସେଇଆ କରିବା । ଆଲୋଚନାରେ ସେ ସବୁ ସ୍ଥିର ହେବ ।’

 

‘ବାହାର କାମକୁ ଜୟୀଦାଦି ଅଛନ୍ତି । ବଡ଼ ସହର ସଙ୍ଗେ ପିଲାଟି ଦିନରୁ ପରଚ । କାହାକୁ ସେ ନ ଚିହ୍ନନ୍ତି, ନ ଜାଣନ୍ତି ? ସହର ସଙ୍ଗେ, ସେଠାକାର ଅଫିସ ଓ ଅଫିସରମାନଙ୍କ ପାଖରେ ଆମର ବହୁତ କାମ । କାମ କରାଇ ପାରିବାର ଉପାୟ ଜୟୀଦାଦିଙ୍କୁ ଜଣା । ସେ କାମ ସେ ଆଦରିବେ । ସେ ଯାହାଙ୍କୁ ଚାହିଁବେ ସେମାନେ ତାଙ୍କ ପାଖରେ ଥିବେ ।’

 

ତା’ ପରେ କିଏ ସବୁ କ’ଣ କହିଲେ କୁସୁମର କାନ ଛୁଇଁ ଚାଲି ଯାଇଥିଲା । ମନରେ ଭେଦି ନ ଥିଲା । ସେ ସୁମତିର ହାତ ହଲାଇ ତା’ର ନିବିଷ୍ଟତା ଭାଙ୍ଗିଲା । କହିଲା, ନହୁଲୀକୁ ମୁଁ ପରଘରକୁ ପଠାଇଲା ପରଠାରୁ ତୁ ମୋର ଦୁଆର ମାଡ଼ିନୁ ଲୋ ସୁମତି । ମତେ କ’ଣ ତୁ ସେଇଆ ପଚାରିବୁ ? ନିଜେ ବିଚାରିଲୁ, ମୋ’ ପରି ପୋଡ଼ାକପାଳୀ ଦୁନିଆରେ ଆଉ କିଏ ଅଛି ?

 

ସୁମତି କୁସୁମର ହାତଟିଏ ଦୁଇହାତରେ ମୁଠାଇ ଧରି କହିଲା, ‘ଅପା, ଭଲ ଘର, ଭଲ ବର ଜାଣି ରୁକୁଣାର ବାପା ସାମନ୍ତରାପାଟଣରେ ନହୁଲୀ ବିଷୟରେ ପ୍ରସ୍ତାବ ପକାଇଥିଲେ । ମଣିଷର ପ୍ରକୃତି, କୁ-ସଙ୍ଗରେ ପଡ଼ିଲେ ବଦଳିବାକୁ ବେଶି ବେଳ ଲାଗେ ନାହିଁ । ଆନନ୍ଦ ସାନ୍ତରଙ୍କର ସେଇଆ ହେଲା ।’

 

‘ବାପଙ୍କର ମରଣ ପରେ ସେ ଏତେବଡ଼ ସମ୍ପତ୍ତିର ଅଧିକାରୀ ହେଲାରୁ, ଆଖିବୁଜା ଖରଚ କରି ସମ୍ପତ୍ତି ତ ନଷ୍ଟ କଲେ, ନିଜକୁ ବି ନଷ୍ଟ କଲେ । ତମ ଦିଅର, ରୁକୁଣାର ବାପଙ୍କର ଭଲ କଥା ଶୁଣିଲେ ନାହିଁ ।’

 

‘ଆପେ ସେଠାକୁ ଯାଇ କିଛି ଭଲ ଉପଦେଶ ଦେବାକୁ ଚେଷ୍ଟା କଲାରୁ, ସେ କରଛଡ଼ା ଦେଇ ରହିଲେ ।’

 

‘ୟେ ଆଉ କ’ଣ କରିପାରନ୍ତେ ? ନହୁଲୀ ପାଇଁ ନିଜେ ବ୍ୟସ୍ତ ହୁଅନ୍ତି । ନିଜକୁ ନିନ୍ଦନ୍ତି । ପୁଣି ନିଜକୁ ସାନ୍ତ୍ୱନା ଦେଇ କହନ୍ତି, ନହୁଲୀ ଚାଲାଖ ଚତୁର ଝିଅ, ଭାରି ହୁସିଆର, ସବୁ ସମ୍ଭାଳିନେବ ।’

 

କୁସୁମ ସେଦିନ କିଛି ଉତ୍ତର ଦେଇ ନ ଥିଲା । ସଭାରେ ଆଉମାନେ ସବୁ କିଏ କ’ଣ କହିଥିଲେ କୁସୁମ ଓ ସୁମତି ଦୁହେଁ କିଛି ଶୁଣି ନ ଥିଲେ । ଘୋ-ଘୋ ଭିତରେ ସେ ଦିହେଁ କଡ଼ରେ ଠିଆ ହୋଇ ଗପ କରୁଥିଲେ ।

 

ରୁକୁଣା ତାର ସାନଭାଇ ଦେବେନ୍ଦ୍ର, ଆଠ ବର୍ଷର ପୁଅଟିର ହାତଧରି କଡ଼ରେ ଠିଆହୋଇ ମହାବୀରଙ୍କ ଆସ୍ଥାନ ପ।ଖରେ କିଏ କ’ଣ କହୁଚି ସେଇଆ ଶୁଣିବାରେ ମନ ନିବେଶି ଥିଲା । ଦେବେନ୍ଦ୍ରର ଉପରଭାଇ ମହେନ୍ଦ୍ର, ବାରବର୍ଷର ପୁଅ, ଅନ୍ୟ ପିଲାମାନଙ୍କ ସହ ଆଗରେ ବସିଥିଲା ।

 

କୁସୁମ ସୁମତିର ହାତଧରି କହିଲା, ‘ଯାଉଛି ଲୋ ଭଉଣୀ । ଏଠାରେ ଆଉ ଅଧିକ ବେଳ ଠିଆହୋଇ, କିଏ କ’ଣ କହୁଛି ଶୁଣିବାକୁ ମୋ’ର ତର ନାହିଁ । ଛୋଟ ପିଲା ଦିଓଟିଙ୍କୁ ଘର ଜଗାଇଦେଇ ଆସିଥିଲି । ସେମାନେ ଆମ ଦାଣ୍ଡରେ ‘ଡାବଲପୁଆ’ ଖେଳୁଥିଲେ ।’

 

‘ପିଲାମନ ତ, କୁଆଡ଼େ ପଳାଇବେଣି । ଗାଈବଳଦ ଗୋଠରୁ ବାହୁଡ଼ିବେ । ବିଲକାମରୁ ଫେରିବାକୁ କୋଠିଆ ବଳିଆର ଡେରି ହେବ । ପୁଅ ଅଲେଖ ଦୁଃଖନ ସାନ୍ତଙ୍କ କଡ଼ରେ ଠିଆ ହୋଇଛି । ସଭାକାମ ନ ସରିଲେ ସେ ବି ବାହୁଡ଼ିବ ନାହିଁ । ମତେହିଁ ଯିବାକୁ ହେବ । ମୋ ସଙ୍ଗରେ ତ ଆସିପାରିବୁ ?’

 

ସୁମତି ଉତ୍ତର ଦେଲା, ‘ମନା କରନ୍ତି ନାହିଁ ଗୋ ଅପା । ସଭା ସରିଲେ ତମ ଦିଅର ନାରଙ୍ଗ ଗାଆଁକୁ ଯିବେ ବୋଲି କହୁଥିଲେ । ବଡ଼ ସହରରୁ କେଉଁ ଅଫିସର ଆସି ନୂଆ ବଙ୍ଗଳାରେ ଅଛନ୍ତି । ତାଙ୍କ ସଙ୍ଗ ସେ ଭେଟ କରିବେ । ମତେ କାଳେ ଲୋଡ଼ିବେ ।’

 

କୁସୁମ କହିଲା, ‘ହଉ । ମୋ ମନରେ ଯେଉଁ ଡାଆଣା ଆଶାଟି ଡହଳବିକଳ ହେଉଛି ତୋ ଆଗରେ ନିରୋଳାରେ ପ୍ରକାଶ କରନ୍ତି । ହଁ, କହିଲେ ମୁଁ ଖୁସି ହୁଅନ୍ତି । ନାହିଁ କଲେ ମୁଁ ଦୁଃଖ କରନ୍ତି ନାହିଁ ଲୋ ।’

 

କୁସୁମର ମନର କଥା ସୁମତି ଅନୁମାନ କଲା ପରା । ନୋହିଲେ, କାହିଁକି ତା’ର ହସହସ ମୁହଁଟି ସହସା ଗମ୍ଭୀର ହୋଇଉଠିଲା ? ସେ ଦେଖିଲା, କୁସୁମର ଦୃଷ୍ଟିରେ ବି ପଡ଼ିଲା, ତାଙ୍କର ପୁଅ ଅଲେଖ ଲୋକ ଗହଳି ଭିତରୁ ଉଠି ଧୀରେ ଧୀରେ ତାଙ୍କରି ଆଡ଼କୁ ଆସୁଣୁ ରୁକୁଣା ଆଗରେ ଅଟକିଲା । ତାକୁ କ’ଣ ପଚାରିଲା ।

 

ରୁକୁଣା ମୁହଁ ବୁଲାଇ ଇଙ୍ଗିତରେ ଆମ୍ବଗଛ ତଳେ ଠିଆ ହେଇ ଗପ କରୁଥିବା ତା’ର ବୋଉ ଓ ଗାଁ-ଡାକରେ ବଡ଼ ମା’ କୁସୁମକୁ ଦେଖାଇଦେଲା । ତା’ ପରେ ସେ ପୁଣି ମହାବୀରଙ୍କ ଆସ୍ଥାନ ତଳକୁ ଚାହିଁଲା ।

 

ସେଇଠି ଧୋବ ଫର୍‍ ଫର୍‍ ଲମ୍ବ ଦାଢ଼ିଆ ବାବାଜି ମନିମ୍ ମିଆଁ କ’ଣ କହୁଥିଲେ ଶୁଣିଲା-

 

କହୁଥିଲେ, ‘ପୀରଙ୍କ ଆସ୍ଥାନ ପାଖରୁ ରାସ୍ତାଟି ରାଧାଶ୍ୟାମ ଠାକୁରଙ୍କ ବେଢ଼ାଯାଏ ଲମ୍ୱିଲା ଯେ ତା’ ଉପରେ ଗୋଡ଼ି ଆଉ ମୁରମ୍ ନ ପଡ଼ିବାରୁ ଅସରାଏ ବର୍ଷାରେ ଅତି ଖସଡ଼ା ହେଉଛି ।’

 

...ବେଢ଼ାପାଖରୁ ବଟେଶ୍ଵର ଶିବଙ୍କ ଆସ୍ଥାନସ୍ଥଳ ଯାଏ ପଡ଼ିଥିବା ଉଚ୍ଚ ବନ୍ଧକୁ ଅଧିକ ଚଉଡ଼ା ନ କଲେ ସିଧାସଳଖ ନଦୀବନ୍ଧକୁ ରାତିବିକାଳି ଯିବା ବଳଦଗାଡ଼ି ବିପଦରେ ପଡ଼ିବ ।

 

...ଆମ ସାହିର ସମସ୍ତେ କାମ କରିବାକୁ ଅଣ୍ଟା ଭିଡ଼ି ବାହାରିଲେଣି । କ’ଣ କରାହେବ, କେବେ କରାହେବ, ତା’ର ବିଚାର କରାହେଉ ।

 

ସେ ବିଚାର ଶୁଣିବାକୁ କୁସୁମର ଧୈର୍ଯ୍ୟ ନ ଥିଲା, ତର ବି ନ ଥିଲା । ତା’ ପୁଅ ଅଲେଖ କ’ଣ ବିଚାର କରି, ପୁଣି ରୁକୁଣା ପାଖରୁ ଅଳପ ଦୂରରେ ଠିଆ ହେଇ, ମନିମ୍ ମିଆଁଙ୍କ କଥନ ଶୁଣିବାକୁ ଲାଗିଲାଣି ।

କୁସୁମ ସୁମତିର ହାତଟି ଧରି କହିଲ, ‘ଭାଇଭଉଣୀ ପରି ଦିଶନ୍ତେ ଲୋ । ସେହି ହିସାବରେ ପିଲାଦିନରୁ, ଲଙ୍ଗଳା ବେଳରୁ ସେମାନେ ପରସ୍ପରକୁ ଭଲ ପାଉଥିଲେ । ସାତ ଆଠ ମାସ ସାନବଡ଼ ତ ।

‘ଶୁଣ୍, ଗୋଟିଏ ଗ୍ରାମ, କି ଗୋଟିଏ ସାହି ହେଲେ କ୍ଷତି କ’ଣ ? ଦି ଘର ଦି’ଟି ଗୋତ୍ରର । ଦୁଇଟି କୁଟୁମ୍ୱର । ହଁ, ଅଳପ ସମ୍ପତ୍ତି । ଭାଗ ନେବାକୁ ଆଉ କେହି ନାହିଁତ । ଭାଗ୍ୟରେ ଥିଲେ, ଜୟୀଙ୍କ ପରି ଶଶୁର ସାହାଭରସା ହେଲେ, ଅଲେଖ ଲୋଡ଼ିଲେ କ’ଣ ଆହୁରି ସମ୍ପତ୍ତି ଅରଜି ପାରିବ ନାହିଁ ?

‘‘ରୁକୁଣାକୁ ପାଇଲେ ନହୁଲୀ ପାଇଁ ମୋର ଦୁଃଖ ଊଣା ହେବ ଲୋ, ଭଉଣୀ ।”

କହୁ କହୁ ମହାବୀରଙ୍କ ଆଗର ଦାଣ୍ଡରେ, ଆମ୍ୱଗଛ ତଳେ, କୁସୁମର ଆଖି ସଜଳ ହୋଇଥିଲା । ସୁମତିର ଆଖି ମଧ୍ୟ ଛଳ ଛଳ ହୋଇଥିଲା । ସେ କୁସୁମର ହାତ ପାପୁଲିକୁ ନିଜର ଦୁଇହାତରେ ମୁଠେଇ ଧରିଲା ।

କହିଲା, ସତେ ରୁକୁଣାର ଏଡ଼େ ଭାଗ୍ୟ ହେବ । ସେ ତମ ପରିକା ଶାଶୁ ପାଇବ । ଅଲେଖ ପରି ଜୋଇଁଟିଏ ପାଇବ କେତେ ତପସ୍ୟାର ଫଳ ।

‘ବଗୁଲିଆ ଢଙ୍ଗ ତା’ ଠେଇଁ ଛୁଆଟି ଦିନରୁ କେହି କେବେ ଦେଖି ନାହିଁ । କାହାକୁ ପଦେ କଟୁ କଥା ସେ କେବେ କହିବାର ଜଣାନାହିଁ । ଅଲେଖ ବାବାଜିଙ୍କର କଲ୍ୟାଣ ପାଇଛି । କାମରେ ହଟିବାର ପିଲା ସେ ନୁହେଁ । ଶିବ ରାଉତରାଙ୍କ ଶିକ୍ଷାଟି ।

‘ଭଉଣୀ ଗୋ, ହଁ ପଦଟି କହିବାକୁ ମୋ ମନ ବଚନକୁ ଠେଲୁଛି । ହେଲେ, ଜିଭ ଅଗରେ ଅଟକୁଛି । ରୁକୁଣା ବାପ ‘ହଁ ନ କହିଲେ ମୁଁ ଛାର କିଏ ?’

 

‘ତାଙ୍କ ମନ ତାଙ୍କୁ ତାପୁଛି ଗୋ ଅପା । ଯେତେ ବୁଝାଇଲେ କ’ଣ ସେ ବୁଝୁଛନ୍ତି ? କହୁଛନ୍ତି-କେଡ଼େ ଖୁସିରେ, କେତେ ଆଗ୍ରହର ଖାନ୍‌ଦାନ ଘରର ସୁନ୍ଦର, ସ୍ୱାସ୍ଥ୍ୟବାନ, ପାଠୁଆ ପୁଅଟି ସଙ୍ଗରେ ଆମ ନହୁଲୀର ସମ୍ୱନ୍ଧ ଯୋଡ଼ିଲି, ଜାତକର ମେଳକ ସବୁମନ୍ତେ ହେଲା, ତଥପି ସୁନା ହେଲା ଭେଣ୍ଡି ... ନକଲି । ମୁଁ ନିଜକୁ ଦୋଷୀ ମଣୁଛି ।’

 

ଅପା ମ, ‘‘ଏ ପ୍ରସ୍ତାବ ଶୁଣି ସେ କ’ଣ କହିବେ ମୁଁ ଜାଣେ ନାହିଁ । ତେବେ, ପଚାରିବି । ବଳେ ତମକୁ କହିବି । ଭାଗ୍ୟରେ ଥିଲେ ହେବ ।”

 

ସୁମତି ସଙ୍ଗରେ ଏ ମଧ୍ୟରେ ଦୁଇ ଚାରିଥର ହାବୋଡ଼ା ଝଟକା ଦେଖା ହୋଇଥିଲା । ନିଜ ପ୍ରସ୍ତାବର ଉତ୍ତର ସେ ଶୁଣିବାକୁ ଆଶା କରିଥିଲା । କିନ୍ତୁ ସୁମତି ସେ ବିଷୟ କେବେ ଉଠାଇ ନ ଥିଲା ।

 

କୁସୁମ ଯେତେହେଲେ ପୁଅର ମା’ । ପୁଅ ମୁରୁଖ ହେଉ କି ଅକର୍ମା ହେଉ, ବୋହୁଟିଏ ଆସିଲେ ସେ ଓଢ଼ଣା ଦେଇ, ଅଣ୍ଟା ନୁଆଇଁ, ମୁଣ୍ଡ ତଳକୁ ଝୁଙ୍କାଇ ଆସିବ ତ ।

 

କୁସୁମ ଜେମାଦେଈଙ୍କ ପାଖରୁ ପରେ ଶୁଣିଲା ଯେ ଜୟୀ ନାୟକେ ଅନ୍ୟମାନଙ୍କ ଜରିଆରେ ଦୁଃଖନ ବିଷୟରେ ରୁକୁଣାର ପ୍ରସ୍ତାବ ଉଠାଇଥିଲେ ।

 

ଜେମାଦେଈ ପ୍ରକାରାନ୍ତରେ ମନା କରିଥିଲେ । କହି ପଠାଇଥିଲେ ‘ଟୋକାଟା ଏଡ଼େ ବୁଦ୍ଧିଆ ହୋଇ ଅବୁଝା ହେଉଛି । କହୁଛି-ତରତର କାହିଁକି ? ବନ୍ଧନରେ ବାନ୍ଧିହେଲେ, ମୁଣ୍ଡରେ ଆଉ ଜଣକର ବୋଝ ବୋହିଲେ, ମୁଁ ସ୍ୱାର୍ଥପର ହେଇଯିବି ଅପା । ମନରେ ଚିନ୍ତିଲା କାମ ଆଉ କରିହେବ ନାହିଁ । ଅପେକ୍ଷା କର ।’

‘ଯେତେ ବୁଝାଇଲେ ସେ ଅଲକ୍ଷଣା ବୁଝୁନାହିଁ । ମୋର ଆଉ ବେଳ ବୟସ ନାହିଁ ଯେ ମୁଁ ଅପେକ୍ଷା କରିପାରିବି । ଦିନୁ ଦିନ ଦେହ ମୋର ଦୁର୍ବଳ ହେଉଛି । ହାତଗୋଡ଼ର ଚଳନ ଶକ୍ତି କମୁଛି । ବିସ୍ମରଣର କୁହେଳି ଅନ୍ଧାର ବେଳୁବେଳ ଅଧିକରୁ ଅଧିକ ଗାଢ଼ ହେଉଛି । ଆଉ ଅପେକ୍ଷା କରିବାକୁ ରତରତ ବେଳ ସମ୍ଭାଳିବ ନାହିଁ । ତଥାପି, ସେ ନିଷ୍ଠୁରଟା ଶୁଣୁନାହିଁ ?’

କୁସୁମ ଅନ୍ୟମାନଙ୍କ ତୁଣ୍ଡରୁ ଶୁଣିଥିଲା । ଜେମାଦେଈ ନିଜେ ବି କହୁଥିଲେ ।

ଆଉ ଦିନେ ପୁଣି ସେ କହୁଥିଲେ, ‘‘ନହୁଲୀର ଚିଠିରୁ ତା’ର ଦୁଃଖ ଦୁର୍ଦ୍ଦଶାର କାହାଣୀ ଜାଣିଲା ପରଠାରୁ ଦୁଃଖନ ଅଧିକ ଉଦାସ ହୋଇଛି ।’’

‘ନହୁଲୀ ଯଦି ବଡ଼ ଘରର ବୋହୁ ହେଇ ସୁଖରେ ଥାଆନ୍ତା, ମନଖୁସିରେ ଚିଠି ଲେଖିଥାନ୍ତା, ଦୁଃଖନ ସଂସାର ବାନ୍ଧିବାକୁ କେବେ ପଛଘୁଞ୍ଚା ଦେଇ ନ ଥାନ୍ତା ।’

‘କୁସୁମ ଲୋ, ଭଗ୍ୟକୁ ନିନ୍ଦିବା ଛଡ଼ା ଆଉ କାହାକୁ ନିନ୍ଦିବା, କହ ।’

ଜୟୀ ନାୟକେ କ’ଣ ସବୁ କହୁଥିଲେ କୁସୁମର କାନରେ ବାଜି ଗୋଧୂଳି ବେଳର ଥିର ପବନରେ ଭାସି ଯାଉଥିଲା । ମନରେ ଲାଖୁ ନ ଥିଲା । ମନରେ ଅନ୍ୟ ଭାବନା ଖେଳୁଥିଲା ।

ସହସା ସେ ସଚେତନ ହୋଇଉଠିଲା । ଜୟୀଙ୍କ ପରି ଗ୍ରାମର ଜଣେ ବିଖ୍ୟାତ ମୁରବି କେତେବେଳୁ ଆସି ଠିଆ ଠିଆ ଗପୁଛନ୍ତି । ତାଙ୍କୁ ବସିବାକୁ ସେ ଆସନ ଦେଇନ।ହିଁ । ବସିବାକୁ ଅନୁରୋଧ ବି କରିନାହିଁ ।

 

ଏହା ମନରେ ରଖି ଅପମାନର ଧାରଣା ମନରେ ଧରି ଫେରିଲେ, ଇଚ୍ଛା କଲେ ସେ ଆକ୍ରୋଶ ସାଧିବେ । ତାଙ୍କର ବେକ ଚାରିକତି କୁଟ ବୁଦ୍ଧି । କିପରି କେବେ ସେ ହଇରଣ କରିବେ, କିଏ ଜାଣେ ?

 

କୁସୁମ କହିଲା, ‘ନିର୍ବୁଧିଆ ମୂରୁଖଟା ମୁଁ, ତମକୁ ଏତେବେଳଯାଏ ବସିବାକୁ ନ କହି ଠିଆ ଠିଆ ଗପାଉଛି । ଟିକିଏ ରୁହ, ମୁଁ ଭିତରୁ ମସିଣାଟା ଆଣେ । ନଲଟଣଟା ବି ଲଗାଇ ନେଇଆସେ-।’

 

ଜୟୀ ନାୟକ ଆଧୀନ୍ୟ ହୋଇ କହିଲେ, “ଥାଉ, ଭାଉଜ । ମୋ ପାଇଁ ତମେ ଚିନ୍ତା କରନା । ଠିଆ ହୋଇ ମୋର ଘଣ୍ଟା ଘଣ୍ଟା ବିତିଯାଏ । ବସିଲେ ବରଂ ଗୋଡ଼ ଲାଗିଯାଏ । ମୋ ପାଇଁ ତମେ ଏତେବେଳ ଠିଆ ହେଲଣି ।’’

 

‘ସେଗୁଡ଼ାକ କହନା, ଜୟୀ । ମୁଁ ଚାଷୀ ଘରର ଝିଅ, ଚାଷୀ ଘରର ଛେଚାପିଟା ଘରଣୀ । ବିଲ ପଡ଼ିଆରେ, ଗୋରୁ ଗୁହାଳରେ, ଢିଙ୍କିଚାଳିରେ ମୋ କାମ । ହାଲିଆ ହେଲାର ମାଇପେ ଆମେ ନୁହଁ । ଅସମୟରେ କାହିଁକି ମୁଁ ମନେପଡ଼ିଲି କହିଲ ନାହିଁତ ।’

 

ନହୁଲୀ ପରଘରକୁ ବିଦାହେଲା ଦିନରୁ ରୁକୁଣାଟି ଆଉ କେବେ ଆସେ ନାହିଁ । ତା’ ବୋଉ ସୁମତିକୁ ନିନ୍ଦିବି ନାହିଁ । କେବେ କେବେ ସେ ଆସେ । ଖବର ବୁଝେ । ହାତରୁ ଛଡ଼ାଇ, ମନା ନ ମାନି, ଚାରିପାଇଟି ସେ କରିଯାଏ ।

 

ଏ ଗାଆଁରେ ବୋହୂ ପରି ଖଣ୍ଡେ ବୋହୂ ସେ । ତା’ ଆଖିରେ ଅନ୍ୟାୟ ଅନୀତି ଯାଏ ନାହିଁ ?

 

‘ସେଇ ସୁମତି ମତେ ତମ ପାଖକୁ ତଡ଼ି ପଠାଇଛି, ଭାଉଜ । କେତେଥର ସେ ମତେ ଗୋଟିଏ ବିଷୟରେ ତୁମ ପାଖକୁ ପଠାଇଛି । ହଉ ହଉ କହି ମୁଁ ଆସିପାରି ନ ଥିଲି । ଏବେ ତ ମୋର ବେଳର ଅଭାବ, ବାର ଧନ୍ଦାରେ ହାତ ଦେଇ ମୁଁ ଛଟପଟ ହେଉଛି । ଅଧେ ଦିନ ଗାଁ ବାହାରେ ସହରରେ ରହୁଛି ।’

 

‘କୁଆଡ଼କୁ ହେବି, କୁହ ଭାଉଜ ? ତମ ପାଖକୁ ଆସିପାରୁନାହିଁ ବୋଲି ସୁମତି ଛଳ କରୁଛି-। ମୁହଁ ଲଦୁଛି । କେବେ ପୁଣି ଯଦି ଛାଞ୍ଚୁଣି-ବଢ଼ିଣାଧାରିଣୀ ଠାକୁରଣୀ ମୂର୍ତ୍ତି ଧରିବ ତ, ମୁଁ ନାଚାର-।’

 

କେହି କେହି ଅତି ବିରକ୍ତ ହୋଇ କୁଳର ଲକ୍ଷ୍ମୀ ଘରର ଘରଣୀଙ୍କ ପିଠିରେ ପ୍ରହାର କରନ୍ତି-। ତୁମେ ଜାଣ, ମୁଁ ଜାଣେ, ଭାଉଜ, ସେପରି କରିବାକୁ ଯେ ବେଳେ ବେଳେ ମୁଣ୍ଡକୁ ପିତ୍ତଚଢ଼ା ଅବସ୍ଥାରେ ହାତ ନ ଉଠେ, ତା’ ନୁହେଁ; କିନ୍ତୁ ସେ ଉଠିଲା ହାତ ମୋ ନିଜର ଦେହରେ ପଡ଼େ । ସେତିକିରେ ସେ ଛାନିଆ ।

 

ଭାଉଜ, ଆଜି ସେ କଟାଳ କଲାରୁ ଆଇଲି । କହିବାକୁ ସାହସ ହେଉ ନାହିଁ ।

 

କୁସୁମ ପଚାରିଲା ‘କାହିଁକି, ଜୟୀ ? ଏକ ପ୍ରକାର ନିଆଶ୍ରୀ, ଦୁଃଖିନୀ ବିଧବଟା ମୁଁ । ମୋ ପରି ଛାର ଲୋକଟା ଆଗରେ ସୁମତି ପଠାଇଥିବା ଖବର ପ୍ରକାଶ ନ କରୁଛ କାହିଁକି ?’

 

ଶୁଣ ଜୟୀ, ସୁମତି ଯେଉଁ ଖବର ପଠାଇଛି ମୁଁ ଜାଣେ । ଏ ମଧ୍ୟରେ କେତେଥର ସେ ଏହି ଘରକୁ ଆସିଛି । ରୁକୁଣା ବି ଆସିଛି । ପିଲାଦିନେ ଅଲେଖ ଯେମିତି ତା’ ସାଙ୍ଗରେ ଖୁରି ଖଳବ ଲଗାଏ, ଏବେ ବି ସେମିତି ଲଗାଉଛି ।

 

‘ତେବେ ଅଲେଖ ପିଲାଦିନେ ଯେମିତି ତା’ର କାନ ମୋଡ଼େ, ବିଧାଏ ଚାପଡ଼ାଏ ଥୁଏ, ଆଉ ରୁକୁଣା ଅମଙ୍ଗଳିଆ ଗାଳି ଦେଇ ତାକୁ କାଟେ ସମ୍ପେ, ଏବକା ଖୁରିଖଳବ ସେମିତିକା ନୁହେଁ-।’

 

‘ଜଣେ ଜଣକୁ କହେ ଗଧା, ଆରକ ଜବାବ ଦିଏ, ତୁ ଟା ବଳଦ । ଜଣେ ବୋକା କହିଲେ ଆରକ ଜବାବ ଦିଏ ତୁ ଓଲମୀ, ବେଡ଼ୀ । ଏମିତିକା କଳି । ତାଆସ ଖେଳର ହାର ଜିତ୍‌ର ଫଳ ।’

 

‘ମିଛିମିଛିକା କଳି କ’ଣ ରାଗରୋଷର ଫଳ କି ଜୟୀ ? ବୁଢ଼ା ହେଲଣି, ଏତିକି ଜାଣିପାରୁନ ? ଘଡ଼ିକେ କଳି, ଘଡ଼ିକେ ଖେଳ । ହସ ଯେ...ପିଲା ଦୁଇଟା ଭୁଲିଯାଆନ୍ତି, ସେମାନଙ୍କର ବୟସ ବଢ଼ିଛି ।’

 

‘ପନ୍ଦର ଦିନରେ, କେବେ ମାସେ ଦି’ ମାସରେ ଏକାଠି ସାଙ୍ଗ ସୁଖ, କଜିଆ, ଖେଳକୌତୁକ । ତାଙ୍କୁ ମୁଁ ଚାହିଁ ରହିଲେ ମତେ ଦଶିଯାଏ ସତେ ସେ ଦିହେଁ କୁନିକୁନି ଶିଶୁ ଦିଓଟି ହେଇଯାଉଛନ୍ତି । ଖେଳ, କଜିଆ, ହସ, କାନ୍ଦ ।’

 

ଆଠ ନଅମାସ ସାନ ବଡ଼ ହେବେ । ସତେ କି ଜୟୀ ସୁମତି ସେହି ପ୍ରସ୍ତାବ ପଠାଇଛି ? ତମେ ରାଜି ହୋଇଛ ? ସତେ, ସେଇ ପିଲା ଦୁଇଟି ଏକାଠି ମୋ ପରିକା ହତଭାଗିନୀର କାନିତଳକୁ ଆସିବେ ? ମୋ କୋଳରେ ବସି ଏକ ସଙ୍ଗେ ଝୁଲ ହାତୀ ହେବେ ?

 

‘ମୋରି ବ୍ୟାକୁଳ ଆଗ୍ରହ ସୁମତିର ମୁହଁରୁ ତା’ରି ସମ୍ମତି ଓ ଆଗ୍ରହ ହୋଇ ତମରି ମୁହଁରୁ ପ୍ରସ୍ତାବରୂପରେ ଆସିଛି ? ମୁଁ ଭାରି ଖୁସି । ମୁଁ ଜାଣେ ରୁକୁଣା ପାଠରେ ଯେମିତି ବିଚକ୍ଷଣ, କାମରେ ତହୁଁ ବଳି କାମିକା ଓ ଚଉଆଖିଆ ।’

 

ଜେମାଦେଈ ନିଜେ ତା ଢଙ୍ଗଢାଙ୍ଗ, ଚତୁରପଣିଆ, କର୍ମକୁଶଳତାରେ କିଣି ହୋଇଥିଲେ । ମତେ ପରା ଦିନେ କହୁଥିଲେ, ‘ହଁ, ଭାଉଜ । ମୁଁ ଦିନେ ଅତି ବାହାପିଆ ପଣରେ, ସୁମତିର ବୋଲ ମାନି, ପ୍ରସ୍ତାବଟି ମନରେ ଧରି ଡରିହିରି ଯାଇଥିଲି । ତାଙ୍କ ତୁଣ୍ଡରୁ ସେହି ପ୍ରସ୍ତାବଟି ବାହାରିଲା ।’

 

‘ଜାଣିଛ ଜୟୀ । ଆଖିରୁ ଲୁହ ଝରୁଥାଏ, ଅପା ସାମନ୍ତାଣୀ ମତେ ଦିନେ କହିଲେ-କୁସୁମ ଲୋ, ଚଣ୍ଡାଳକୁ ଯେତେ ବୁଝାଇଲି ସେ ବୁଝିଲା ନାହିଁ । ତା’ର ଏକା ଜିଦି ଯେ ସେ ଜୀବନର ଜଞ୍ଜାଳରେ ଏବେ ଛନ୍ଦି ବାନ୍ଧି ହେବନାହିଁ ।

 

‘ମତେ ସେ ସେଇଆ କହିଲେ, ଭାଉଜ । ଆହୁରି କହିଲେ-ବାପ ନ ଥିଲା ଝିଅ, ନିରିମାଖୀ, ସବୁ ସୁଗୁଣରେ ଗଢ଼ା ନହୁଲୀଟି ସଭିଙ୍କର ସ୍ନେହଶ୍ରଦ୍ଧା ଆଶୀର୍ବାଦ ନେଇ ପରଘରକୁ ଯାଇଥିଲା ।’

 

...‘‘କି ସୁନ୍ଦର ରୂପ, କେଡ଼େ ଚମତ୍କାର ସ୍ୱାସ୍ଥ୍ୟ, କୁବେର ସମ୍ପତ୍ତିର ଅଧିକାରୀ ପାଠୁଆ ଜୋଇଁର ହାତରେ ଦିଆଗଲା । କେଡ଼େ ସୁଖରେ ଭୋଗ ଭାଗ୍ୟରେ ଅଛି, ଜାଣିଥିବ ତ ଜୟୀ ନାୟକେ ?’’

 

‘ଜେମାଦେଈ ଏମିତି କହିଲେ, ଭାଉଜ । ଭାବିଥିଲି, ନହୁଲୀର ଦୁର୍ଭାଗ୍ୟ ପାଇଁ ସେ ମତେ ଝିଙ୍ଗାସିବେ ।’

‘ସେ ତାହା କଲେ ନାହିଁ । ଓଲଟି ମତେ ବୁଝାଇ କହିଲେ–ଆରେ ଜୟୀ, ତୁ ଏଡ଼େ ଜାଣିବାର ବୋଲି ନିଜକୁ ମଣିଛୁ । ସମସ୍ତେ ଏହା କହନ୍ତି । ଆସନ୍ତା ମୁହୂର୍ତ୍ତରେ କ’ଣ ଘଟିବ ତତେ ଜଣାଅଛି ?’

 

ମୁଁ ହାତ ଯୋଡ଼ି କହିଲି-ନାଇଁ ସାମନ୍ତାଣୀ । ପେଟ ପୋଷ, ନାହିଁ ଦୋଷ, ବେପାର ପଛରେ ଖାଲି ମୁଁ ଧାଇଁଛି । ଏକମୁହାଁ ହୋଇଛି ।

 

ଅପା ସାମନ୍ତାଣି କହିଲେ-ଧାଇଁଥା, କେହି ମନା କରୁନାହିଁ । କେହି ବାଧା ଦେଉ ନାହିଁ । ହେଲେ, ଦି’ କଡ଼କୁ, ପଛକୁ, ପୁଣି ଆଗର ଦୂରକୁ ଦୃଷ୍ଟି ନ ଦେଲେ ସମସ୍ତେ ଅସୁବିଧାରେ ପଡ଼ିବେ ।

 

‘ପୁଣି ସେ କହିଲେ-ପରଶୁ ଜେନାଙ୍କ ପରି ପରୋପକାରୀ ନିର୍ମାୟା ପୁରୁଷଙ୍କର ପାଦରେ ଅଚାନକ କାଳସାପର ଚୋଟ ଲଗିଲାରେ ଜୟୀ । ଭଗ୍ୟର ଅନ୍ୟ ନାମଟି ଅଦୃଷ୍ଟ ।’

 

କୁସୁମର ଆଖିରେ ଲୁହ ଦେଖି ଜୟୀ କଥାର ଗତି ବୁଲାଇଲେ । ପୁଣି କହିଲେ, ତମ ମନରେ ଅଜାଣତରେ ମୁଁ ମୂର୍ଖଟା ଦୁଃଖ ଦେଲି, ଭାଉଜ । ଛାଡ଼ ନହୁଲୀର ଦୁଃଖର କାହାଣୀ ମତେ କହୁ କହୁ ଜେମାଦେଈ ଅପା ସାମନ୍ତାଣୀ ତୁନି ରହିଲେ । ମନକୁ ମନ ସେ କହିହେଲେ-ସମସ୍ତଙ୍କର ଜୀବନରେ ଜଞ୍ଜାଳ ଲାଗିରହିଛି । କାୟା ଓ ଛାୟା ପରି ଜୀବନ ଓ ଜଞ୍ଜାଳ ଅବିଚ୍ଛିନ୍ନ । ସବୁ ଝଞ୍ଜଟର କାଳକ୍ରମେ ସମାଧାନ ବି ହେଉଛି ।

 

‘ଅପା ପୁଣି କହିଲେ ଗୋ ଭାଉଜ-ନହୁଲୀର ବି ସେଇଆ ହେବ । କାଳିଆ ଠାକୁରର କି ବିଚାର କାହାକୁ ଜଣା ? ତା’ ଚକ ବୁଲୁଛି । ଆଲୁଅ ଓ ଛାଇପରି ସୁଖ ଓ ଦୁଃଖ ବି ବୁଲୁଛି ।’

 

କହିଲେ-ତେବେ ଏତିକି ଜାଣିଥା, ଆଲୁଅର ପାଖେ ପାଖେ ଛାଇ ଲାଗିଥିଲା ପରି ଜୀବନର ପାଖେ ପାଖେ ଜଞ୍ଜାଳ ବି ଲାଗିରହିଛି । ଜୀବନ ଓ ଜଞ୍ଜାଳ ଯୁଗଳ-ମୂର୍ତ୍ତି ପରି ଗଭୀର ପ୍ରେମର ପାଶରେ ନିବିଡ଼ ଭାବରେ ଆବଦ୍ଧ ।

 

“ଅପା କହିବାକୁ ଲଗିଲେ ଗୋ ଭାଉଜ-ଜୟୀରେ, ‘ପେଟ ପୋଷ, ନାହିଁ ଦୋଷ’ ଏଇଟା ସତ ଯେ, ବିବେକ ଥିବା ମଣିଷ ବିଚାରଣା କରେ, ନିଜ ପାଇଁ ଯାହା କରୁଛି ସେଥିରେ ଅନ୍ୟକୁ ବିପଦରେ ଜଞ୍ଜାଳରେ ପକାଉ ନାହିଁତ ?’

 

-‘ତୋର ଜାଣତରେ ବାପ ନ ଥିଲା ସୁକୁମାରୀ ସୁନା ଝିଅଟିକୁ ନେଇ ସେହି ଅଲକ୍ଷଣା ଘରେ ଥୋଇବାର ବ୍ୟବସ୍ଥା ତୁ କରିଥିଲୁ, କି ତା’ ଭାଗ୍ୟଦୋଷରୁ ଏହା ଘଟିଲା, ତୋତେ ଭଲ ଭାବରେ ଜଣା । ଅନ୍ୟମାନେ ଓଲଟା ବୁଝିଲେ ।’

 

“ଭାଉଜ, ରୁକୁଣାକୁ ତମରି ଗୋଡ଼ତଳେ ସମର୍ପିଦେବାକୁ ମୁଁ ଓ ସୁମତି ସ୍ଥିର କରିଛୁ । ତମେ ତାକୁ ଭଲ ପାଅ । ଅଲେଖ ତାକୁ ସ୍ନେହ କରେ । ଜେମାଦେଈ ମତେ ଆଉ ସୁମତିକୁ ସେଦିନ ସେଇଆ କହିଲେ ।

 

‘କାହିଁକି କହିଲେ କି, ଡରିଡରିକା ସଂକୁଚିତ ହୋଇ ଶିବଦାସ ରାଉତରାୟଙ୍କ ବିଷୟରେ ସୁମତି ରୁକୁଣାର ପ୍ରସ୍ତାବ ଉଠାଇଲା । ବଂଶ ପରମ୍ପରା, ଜାତିଆଣ, ଧନସମ୍ପତ୍ତି, ପଦମର୍ଯ୍ୟାଦାରେ ଯିଏ ଆକାଶ ପରି ବଡ଼, କେଉଁ ବହପରେ ସୁମତି ମୁହଁ ଖୋଲିଥାନ୍ତା ?’

 

କୁସୁମ କହିଲା, “ସତେ ଜୟୀ, ତାଙ୍କ ଆଡ଼ ପ୍ରସ୍ତାବ ଉଠିଥିଲେ ଅଲଗା କଥା-’’

 

‘ହଁ, ଭାଉଜ । ମୋର ପୂର୍ଣ୍ଣ ଆଗ୍ରହ ଥିଲେ ବି ତୁଣ୍ଡ କେବେ ଖୋଲି ନ ଥାନ୍ତା । ସୁମତିର ସାହସ ହେଲା କାହିଁକି, ଜାଣିଛ ?’

 

‘ମୁଁ କେମିତି ଜାଣିବି ? ମୁଁ ଏତିକି ଜାଣିଛି ଯେ ନହୁଲୀ ପରଘରକୁ ଯିବା ପରେ ଅପା ସାମନ୍ତାଣୀ ତାକୁ ବହୁତ ଝୁରିହେଲେ । ସେ ଆଶା କରିଥିଲେ ନହୁଲୀକୁ ସେ ଚିରଦିନ ପାଇଁ ପାଖରେ, ପୁଣି ସେହି ଘରର ଭାଗବତ ଗାଦିରେ ବାନ୍ଧି ରଖିଥାନ୍ତେ ।’

‘କିଏ ସବୁ ନହୁଲୀ ନାମରେ ଦୁର୍ନାମ ରଟାଇଲେ । ସେଥିସଙ୍ଗେ ଦୁଃଖନର ନାମ ଯୋଡ଼ିଲେ । ଅପାଙ୍କ କାନରେ ଅବଶ୍ୟ ପଡ଼ିଲା । ସେ ହସରେ ଉଡ଼ାଇଦେଲେ ।’

 

‘ଦୁଃଖନ ହସିହସି ମୁଣ୍ଡ ହଲେଇଦେଲା । ତା’ର ସେଇ ଗୋଟାଏ ଜିଦି ଯେ, ସେ ବାହା ହେବ ନାହିଁ ।’

 

ବାହା ହୋଇ ସଂସାର ପାତିଲେ କୁଆଡ଼େ ମଣିଷ ଆପଣାସାର୍ଥିକା ହିଂସାଳୁ, ଆଉ ସ୍ୱାର୍ଥପର ହୋଇଯାଏ ।

 

‘ନହୁଲୀର ବାହା ହେବାର ବୟସ ତ ହୋଇଥିଲା, ତେଣୁ ପରଘର ପଠାଇବାର ବ୍ୟବସ୍ଥା କରାହେଲା । ସବୁ ତ ତମେ ଜାଣିଛ, ଜୟୀ । ଅଧିକା ମୁଁ କ’ଣ କହିବି ? ତାର ଭାଗ୍ୟ ସେ ଭୋଗୁଛି ।

 

‘ନହୁଲୀର ସଙ୍ଗରେ ରୁକୁଣା ଅପାଙ୍କ ପାଖକୁ କେବେ କେବେ ଯାଉଣୁ ତାଙ୍କର ଆଦର-ସ୍ନେହରେ ସେ କିଣି ହୋଇଗଲା ।

 

‘ନହୁଲୀ ପରଘରକୁ ଗଲା ପରେ ରୁକୁଣା ତାଙ୍କ ସ୍ନେହ ଓ କରୁଣା ଭିତରକୁ ଟାଣି ହୋଇଗଲା ।

 

‘ରାଉତରାୟ କୁଳର ବୋହୁ କରିବାକୁ ତାକୁ ସେ ମନେ ମନେ ସ୍ଥିର କରିଥିଲେ ଯେ, ଡରିଡରିକା । ପୁଅ ସଂସାର କରିବାକୁ ରାଜି ହେଲେ ତ ?’

 

ଦୁଃଖନ ରାଉତରାୟଙ୍କର ପୁଣି ସେଇ ମୁଣ୍ଡ ହଲା । ତାଙ୍କରି ତୁଣ୍ଡରୁ ଅପା ଆଗ ମୋ ପ୍ରସ୍ତାବର ସୂଚନା ପାଇଥିଲେ, ଭାଇ ।

 

‘ସେ ଅପାଙ୍କୁ କହିଲେ-କାଲିକାର ଧୂଳିଧୂସରିଆ, ପଙ୍କ ସଲବଲ ଟିକି ଝିଅଟା ରୁକୁଣା ମୋ ଆଖିରେ ଏବେଯାଏ ସେଇଆ ରହିଆସିଛି । ତାକୁ ତ ସବୁ ଶିଖାମଣା କରିଛୁ । ଅଲେଖର ଏକା ବୟସର ହେଲେ ବି ବର୍ଷେ ଖଣ୍ଡେ ରୁକୁଣା ସାନ ହେବ । ଜୟୀ ନାୟକେ ଯଦି ରାଜି ହୁଅନ୍ତେ କୁସୁମ ଖୁଡ଼ୀଙ୍କର ଦୁଃଖ ଦୂର ହୁଅନ୍ତା ।’

 

‘ଅପା ମତେ ଏମିତି କହିଥିଲେ, ଜୟୀ । ମୁଁ ନିଜେ ତ ସେ ଛୁଆର ସ୍ୱଭାବ ପ୍ରକୃତି ଭଲକରି ଜାଣେ । ଧନ ଦଉଲତ, ଯାନି ଯୌତୁକ, ଆଉ ସବୁ ଆଧିବିଧି ମୋର କିଛି ଲେଡ଼ା ନାହିଁ । ସେହି ଅମୂଲ୍ୟ ମଣି ରୁକୁଣାକୁ ତମେ ମୋ ହାତରେ ଆଣି ଦିଅ ।’

 

‘‘ସୁମତିକୁ ମୁଁ ସେତିକି ମାଗୁଥିଲି । ମୋ ମାଗୁଣିର ଜବାବ ମୁଁ ପାଇ ନ ଥିଲି ।”

 

ଜୟୀ ନାୟକଙ୍କର କାଠୁଆ ହୃଦୟ ନରମି ଆସିଲା । କହିଲେ, ‘ସୁମତିର କଥା ଶୁଣି ମୁଁ ଛାନିଆ ହୋଇଥିଲି । ତାକୁ ମୁଁ ଜବାବ ଦେଇ ନ ଥିଲି । ବିଚାରିଲି, ନହୁଲୀର ଧାରଣା ପ୍ରକାରେ ତା’ର ଚିଟାଉ ଅନୁରୂପେ ତାର ସବୁ ଦୁଃଖ ଦୁର୍ଦ୍ଦଶା ପାଇଁ ମୁଁ ଦାୟୀ ।’

 

‘ତା’ ଚିଠିରେ ବର୍ଣ୍ଣିତ ସବୁ ଘଟଣା ନ ହେଲେ ବି ଅନେକ ଘଟଣା ତମରିମାନଙ୍କର ଅସାବଧାନତା ପାଇଁ ଲୋକମୁଖରେ ପ୍ରଚାରିତ ହୋଇଛି, ଭାଉଜ ।’

 

‘ସେମିତି ହୁଏ । ଅତି ଦୁଃଖରେ ଅସତର୍କ ବେଳରେ ତୁଣ୍ଡରୁ ମନର ଉଜନ୍ତି ବେଦନାର ଆତୁର ରଡ଼ି ଦି’ପଦ ବାହାରିଯାଏ । ପର ତୁଣ୍ଡରେ ସେ ହୁଏ ଘଡ଼ଘଡ଼ି ।

 

‘ମୋ ମନରେ ଦୁଃଖ ହୋଇଛି । ଭଲ କରୁଣୁ ବେଳେବେଳେ ଅଣାୟତ୍ତରେ ମନ୍ଦ ବି ହୁଏ, ଭାଉଜ ।’

 

‘ତାହାହିଁ ହୋଇଛି । ଧନସମ୍ପତ୍ତି, ପ୍ରତିପତ୍ତି, ମଣିଷକୁ ଅନ୍ଧ ଓ ଅବିବେକୀ କଲେ ଯେଉଁ ବିପିତ୍ତି ଟାଣିଆଣେ ସେ ଘରର ସେଇଆ ହେଇଛି । ଦୁଷ୍କର୍ମ ଓ ଦୁର୍ଦ୍ଦଶାର ସ୍ରୋତର ତୋଡ଼ ଅତି ପ୍ରଖର ମ ଭାଉଜ, ଅଟକାଇ ହୁଏ ନାହିଁ ।’

 

‘ନଉଲୀ ଆମର ସବୁ ତୋଡ଼କୁ ପିଠେଇ ସହି ତାର ବଡ଼ପଣିଆର ପ୍ରମାଣ ଦେଇସାରିଛି-। ଦୂରରେ ଥାଇ ମୁଁ ଚାହିଁ ରହିଛି । ଜଗି ରହିଛି । ତା’ ପାଇଁ ତମେ ଚିନ୍ତା କରନା ।’

 

‘‘ଭାଉଜ, ତମେ ଭୁଲିଯାଅନା ଯେ ଅତି ଦୁଃସହ ହେଲେ, ସେହି ସଂସାରଟାକୁ ଛି-କରି ସିଆଡ଼କୁ ମୁହଁ ବୁଲାଇ, ପଛ କରି, ନହୁଲୀ ଆମର ଆଗ ତମରି ପାଖକୁ ଫେରିଆସିବ । ତା’ର ନୂଆ ଜନମ ହେବ; ହେବ ନୂଆ ଜୀବନ । ସେଇଠୁ ନୂଆ ସଂସାର ।”

 

‘ତୁମେ ଏ କ’ଣ କହୁଛି, ଜୟୀ ।’’

 

‘ଭାଉଜ, ଏ କୁଳରେ ଏହା ନୂଆ ପ୍ରଥା ନୁହେଁ । ଏ କୁଳ ଅତି ଉଦାର, ସହନଶୀଳ, ସହାନୁଭୂତିଶୀଳ । ସ୍ତ୍ରୀଜାତିକୁ ସେ ମର୍ଯ୍ୟାଦା ଦେଇ ଜାଣେ ।’

 

‘ନହୁଲୀ ଚାହିଁଲେ ଅବିଳମ୍ବେ ତାହା ହୋଇପାରିବ । ତା’ର ନିଜର ସନ୍ତାନ ନାହିଁ । ଯେତେ ଯାହା କଲେ, ସଉତୁଣୀର ପୁଅ କ’ଣ କେବେ ଆପଣାର ହୋଇପାରିବ ? କେଜାଣି ।’

 

‘ତମେ ଜାଣ, ଭାଉଜ, ନହୁଲୀ ତମ ପାଖକୁ ଫେରିଲା ପରେ, ନିଜେ ଅନିଚ୍ଛା ନ ପ୍ରକାଶିଲେ, ସେ କେଉଁ ଘରର ବୋହୁ ହେବ ? ତାକୁ ଜେମାଦେଈ ଏବଯାଏ ଝୁରି ହେଉଛନ୍ତି ।’

 

‘ଜୟୀ, ନହୁଲୀର କଥା ଏବେ ଆଉ କାହିଁକି ଉଠାଇବ ? ତା’ କର୍ମ ନେଇ ସେଇଠି ସେ ପଡ଼ିଥାଉ । ତା’ର ଭେଣ୍ଡି ପୁଣି ସୁନା ହୋଇ ଝଟକୁ । କିଏ ଏବେ ଏ ଗ୍ରାମରେ ନହୁଲୀକୁ ପ୍ରଶଂସା କରୁଛି, ଅବା କିଏ ନିନ୍ଦା କରୁଛି, ଝୁରି ହେଉଛି । କିଏ କହୁଛି, ଏ ଗାଆଁର କଳଙ୍କ ଯାଇ ତା କର୍ମ ଭୋଗୁଛି । ସେଥିରୁ ମତେ କ’ଣ ମିଳିବ ? ଝିଅ ଜନମ ପର ଘର ପାଇଁ, ଏ କଥା ଜଣେଇଁ ଜଣା ।’

 

‘ତା’ କପାଳ ତାକୁ ନେଇ କେଉଁଠି ଥୋଇଲା, ସେଥିପାଇଁ ୟାର ତା’ର ଦୋଷ ଦେଲେ, ପରମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କଲେ କାହାର କି ଉପକାର ହେବ ?’

 

‘ବହୁତ ଦୁଃଖ ସେ ସହିଲାଣି । ବହୁତ କଷ୍ଟ ସେ ଭୋଗିଲାଣି । ଆହୁରି ଭୋଗୁ, ତା’ର କର୍ମଭୂଇଁ ତା’ର ସେଇ ତୀର୍ଥଭୂମିକୁ ସେ ନିଜର ତ୍ୟାଗ ବଳରେ ତପସ୍ୟାର ଫଳରେ ସଜାଡ଼ି ଦେଉ-। ତା’ର ଟାଣପଣ ରହୁ । ତମ ଗାଁର ବି ସେ ଟେକ ରଖୁ ।’

 

‘ନିଜେ ଯଦି ହାରିଯିବ, ସେଇ ଭୂମିକୁ ପଛ କରି ଜନମ ଭୂଇଁ ତା’ର ଏଇ ଗାଁକୁ ମୋ ପାଖକୁ ଫେରିଆସିବ, ମୁଁ କ’ଣ ମୋର ଝିଅଟିକୁ କୋଳାଇ ନେବି ନାହିଁ ?’

 

‘ତେଣିକି ସେ ଚାହିଁଲେ ନୂଆ ସଂସାରର ବିଚାର । ଜେମାଦେଈଙ୍କର ଆଗ୍ରହ ଓ ଶିବଦାସ ରାଉତରାୟଙ୍କର ଇଚ୍ଛାର ତଉଲ ସେଇ ନଉଲୀ କରିବ, ଜୟୀ । ପଚାରିଲେ ପଚାରିବ ତାର ସାଙ୍ଗ ପୁଣି ଟିକି ଭାଉଜ ରୁକ୍ମିଣୀକୁ ।’

 

‘ଦେବଟି ସେଇ ଛୁଆଟିକୁ ମୋ କୋଳକୁ ?’

 

‘ସୁମତି ତ ରାଜି ହୋଇଛି । ମୋର ଖାଲି ସେଇ ଝିଅଟି ଲୋଡ଼ା ମ, ତା’ ସଙ୍ଗରେ ତୁଳସୀପତ୍ରଟିଏ, ଆଉ ତମର ଆଶୀର୍ବାଦ ।’

 

ପଶ୍ଚିମ ଆକାଶରୁ ସୂର୍ଯ୍ୟଦେବଙ୍କର ଶେଷ ରଶ୍ମି ରାଶି ଲିଭିଯାଇଥିଲା । ହାଲୋରର ଆଭାସ ମଠେଇ ମଠେଇ ମଳିନ ହୋଇଆସୁଥିଲା । ନିର୍ମେଘ ଆକାଶର ମଥା ଉପରେ ନୀରବରେ ସେହି ଦିଗକୁ ଦହ ଉପରେ ଉଡ଼ି ଯାଉଥିଲେ ପକ୍ଷୀଗୁଡ଼ିଏ ।

 

ଜୟୀ ମୁହୂର୍ତ୍ତେ ନୀରବ ରହିଲେ ।

 

ସେହି ମୁହୂର୍ତ୍ତର ଯୁଗ ଭିତରେ ତାଙ୍କର ବ୍ୟକ୍ତିତ୍ୱ ମନଯାନରେ ଉଡ଼ିଯାଇଥିଲା ସାମନ୍ତରାପାଟଣାର ସ୍ୱର୍ଗତ ବଟକୃଷ୍ଣ ସାମନ୍ତରାୟଙ୍କର ଉଆସକୁ ।

 

ଶୁଖିଲାମୁହୀଁ ସୁନ୍ଦରୀ ସେହି ଦୁଃଖିନୀ ଝିଅଟି ନହୁଲୀ ମୁହଁରେ ଡରଡର ହସ ବିକଶାଇ ହାତରେ ଜଳଖିଆ ଥାଳିଟି ଧରି ଠିଆ ହୋଇଛି । ତା’ର ପଣତ ଧରି ଓଟାରୁଛି ତା’ ଆଖିର ପିତୁଳା ଜୀବନଜଞ୍ଜାଳର ଏକମାତ୍ର ସାନ୍ତ୍ୱନା, ସପତ୍ନୀର ପୁଅ ଶୋଭନ ।

 

ଦିନେ କେବେ ସେ ଝିଅଟି ତା’ ନିଜ ବିଷୟରେ ବା ଅନ୍ୟ କାହା ସମ୍ବନ୍ଧରେ କିଛି କହି ନାହିଁ । ପଚାରି ନାହିଁ । ଅଭିଯୋଗ କରିନାହିଁ । ଭାଗ୍ୟକୁ ଆଦରି ପଡ଼ିରହିଛି । ସହିଛି, ସହୁଛି ।

 

ଜୟୀ ନାୟକଙ୍କର ଆଖି ଛଳ ଛଳ ହେଲା । ସେ କହିଲେ, “ଭାଉଜ, ତମର ଆଗ୍ରହ ମୁଁ ଭାଙ୍ଗିପାରିବି ନାହିଁ । ଯେତେ ଶୀଘ୍ର ସମ୍ଭବ ତମର ସେବା କରିବାକୁ ରୁକୁଣାକୁ ମୁଁ ପଠାଇ ଦେବି । ସୁମତିର ସେହି ଇଚ୍ଛା ।’’

 

‘ଭାଉଜ ମ, ମୁଁ ଜାଣେ, ଲୋକ ମୋ ସମ୍ବନ୍ଧରେ ନାନା କଥା କହନ୍ତି । ମୋ କାନରେ ତ ପଡ଼ିଛି । ତମ କାନରେ ବା ନ ପଡ଼ିଥିବ କିପରି ? ସେଗୁଡ଼ା ମୁଁ ଶୁଣେ, ମନକୁ ନିଏ ନାହିଁ । ହେଇଥିବି ମୁଁ ସେମିତି, ମୁଁ ଜାଣେ ନାହିଁ । ହୁଏତ ଦଇବ ମତେ ସେମିତି ଗଢ଼ିଛି । ମୋର କି ଚାରା-?

 

‘ବେଳେବେଳେ ଭାବେ, ଦଇବର ଦୋଷରାଣ ବାଛିବାର ଅଧିକାର ମୋର ନାହିଁ । ମୁଁ ଆପେ ଗଢ଼ି ହୋଇଛି । ଏ ଦୁନିଆର ଲୋକ ଅତି ଗରିବ ଧାନକୁଟୁଣୀର ପେଟରଣ୍ଡା ପିଲାଟି ପ୍ରତି ଯେଉଁ ନିଷ୍ଠୁର ନିର୍ଦ୍ଦୟ ବ୍ୟବହାର କରିଥିଲେ, ତା’ରି ପ୍ରତିରୋଧ ପାଇଁ ନିଜକୁ ସଂସାରରେ ବଞ୍ଚାଇରଖି ଠିଆ କରିବାକୁ ମୁଁ ସେମିତି ଆପେ ଆପେ ଗଢ଼ି ହୋଇଗଲି ।’

 

‘ସେ ଅବସ୍ଥା ଏବେ ଆଉ ମୋର ନାହିଁ, ଭାଉଜ । ଅନ୍ୟମାନେ ମତେ, ଇଚ୍ଛାକଲେ କେବେ ଛେଲୁଆ ଧରାଇ ବାଟରେ ଠିଆ କରିପାରିବେ ନାହିଁ । ସେପରି କାହାକୁ କରିବାର ଅଭିପ୍ରାୟ ବି ମୋର ନାହିଁ । କେବେ ଆଉ ହେବ ବି ନାହିଁ ।’

 

‘ଭାଉଜ ମ, ସେଇ ଟୋକାଖଣ୍ଡକ ଦୁଃଖନ ଦାଦି ବୋଲି ମତେ ଡାକୁଛି, ସବୁ ସନମାନ ତୁଚ୍ଛାଟାରେ ମୋ ମୁଣ୍ଡରେ ଅଜାଡ଼ି ଦେଉଛି । ନୋହିଲେ, ତା’ ପାଦରେ ମୁଁ ସହସ୍ର ଜୁହାର କରନ୍ତି ।’

 

‘ସୁନାମୁଣ୍ଡା ନିର୍ମାୟା ପିଲାଟା । ବାହ୍ମଣରୁ ପଠାଣ ଯାଏ ସବୁ ଘରର ସେ ପୁଅ । ସେଇ ମତେ ବଦଳାଇ ଦେଇଛି ।’

 

ମୁଁ ଜାଣେ, ତମେ ବି ଜାଣ, ଜେମାଦେଈ ନିଜେ ହାଡ଼େ ହାଡ଼େ ଅନୁଭବ କଲେଣି, ନହୁଲୀ ପରି ସର୍ବଗୁଣରେ ପରିପୂର୍ଣ୍ଣ ଝିଅଟିଏ ବିନା କେହି ଆଉ ସେହି ଏକଜିଦିଆ ଟୋକାର ମନ ବଦଳାଇ ପାରିବ ନାହିଁ ।

 

‘ସେକଥା ମୁଁ ପରେ ବୁଝିବି । ଆଗ ରୁକୁଣାକୁ ଆଣି ତମରି ପାଦତଳେ ସମର୍ପି ଦିଏ । ମୋର ଅଧିକାର ଆସିବ । ବଳ ପାଇବ ।’

 

ଜୟୀ ନାୟକଙ୍କ ଆଖିରେ ଲୁହ ଢଳ ଢଳ ହେଉଥିଲା । କୁସୁମ ମୁକଙ୍କ ପରି ଠିଆ ଠିଆ ବଲବଲ କରି ଚାହିଁ ରହିଥିଲା । ବିଚାରୁଥିଲା, ସତେ କ’ଣ ଦୁଃଖନ ନିଜର ମହତପଣରେ ଜୟୀ ନାୟକଙ୍କ ପରି ଜଟିଳ କୁଟିଳ ମଣିଷଟିକୁ ସୁଧାର ସରଳ କରିପାରିଛି ?

 

ଜୟୀ ନାୟକେ କୁସୁମର ମନର କଥା ବୁଝିଲା ପରି କହିଲେ, “ମୁଣ୍ଡ ବୁଲାଇ ପଛକୁ ଚାହିଁଲ ଭାଉଜ, ମହଳ ଆଲୁଅରେ ବି ସେମାନେ ବାରିହୋଇ ପଡ଼ୁଛନ୍ତି । ଦହର ଉତ୍ତରପୂର୍ବ ବନ୍ଧରାସ୍ତାରେ ଅଳସ ପାଦରେ ସେମାନେ ଚାଲି ଚାଲି ଆସୁଛନ୍ତି ।’’

 

‘କେଉଁମାନେ, ଜୟୀ ?"

 

‘ଅନ୍ଧାର ଏଯାଏ ଘୋଟି ନାହିଁ । ବେଶ୍‌ ବାରି ହେଉଛି । ଶିବ ରାଉତରାଙ୍କ ପାଖେ ପାଖେ ଆସୁଛି ଅଲେଖ । ସେମାନଙ୍କ ପଛରେ ବଳିଆ ଓ ତା’ ଭାଇ କାଳିଆ । ସବା ପଛରେ ଆସୁଛନ୍ତି ପରା ବାମନ ଭୁତିଆ ?’

 

‘ଆସନ୍ତୁ ସେମାନେ, ଭଲ ହେଲା । ଯେଉଁ ସମ୍ବନ୍ଧ ଆମେ ପାତିବାକୁ ବସିଛୁ, ସମସ୍ତେ ସେମାନେ ଜାଣନ୍ତୁ ।’

 

କୁସୁମ ହାତଯୋଡ଼ି ମୁଣ୍ଡରେ ଲଗାଇ ଶୂନ୍ୟକୁ ପ୍ରଣାମ କଲା । କହିଲା, ‘‘ତମେ ପିଣ୍ଡାରେ ଟିକିଏ ବସ, ଜୟୀ । ମୁଁ ଆଲୁଅଟି ଲଗାଇ ଆଣେ । ମସିଣା ଖଣ୍ଡେ ବି ଆଣିବି ।”

 

‘ସେଇଆ କର ଭାଉଜ, ଜୟୀ ନାୟକ କହିଲେ, ଶିବ ରାଉତରା ଏହି ସମ୍ବନ୍ଧ କଥା ଆଗରୁ ଜାଣନ୍ତୁ । ସେ ଖୁସି ହେବେ ବୋଲି ମୋର ଦୃଢ଼ ବିଶ୍ୱାସ ।’

 

(୮)

 

ବାମନ ଭୂତିଆଙ୍କ ସଙ୍ଗରେ କଅଁଳକୁହା, ବାହାପିଆ, ଅତି ଧୂର୍ତ୍ତ ଫଗୁ ବାରିକ ବି ଆସିଥିଲେ । ଏଥର ବାମନ ଆଣିଥିଲେ ଗୋଟିଏ ହାଣ୍ଡିରେ ଧୋବ ଫରଫର ହାଣ୍ଡିଏ ଫେଣୀମିଠେଇ, ଆରହାଣ୍ଡିରେ ଅଧେ ଛେନାପୁରଦିଆ ଛଣା-କାକରା । ତା’ ଉପରେ ଆରିଷା ପିଠା ଯେ ଅଳତା ପରି ରଙ୍ଗ । ଧାନଉଷୁଆଁ ହାଣ୍ଡି ପରି ବଡ଼ ବଡ଼ ଦି’ ହାଣ୍ଡି ।

 

ବାମନ କହିଲେ, ‘ହାଲୁକା ଦରବ । ଭାରଟାର ଓଜନ ନାହିଁ । ଫୁଲଭାର, କି ଖଇଭାର ପରି ଉଶ୍ୱାସ । ସେଇଥିପାଇଁ ଲୋ ମା’ ନହୁଲୀ, ପାଟକପୂରା ମୁଠୁଣିକିଆ ପାଚିଲା କଦଳୀରୁ ଚାରି ଚାରି ଫେଣା ଦି ପାଖରେ ଥୋଇଛି । ତମରି ବାରିର, କିଏ ଖାଇବ ? ଗୋଟାକରେ ମନବୋଧ ।’

 

ଫଗୁ ବାରିକଙ୍କ ବୟସ ପଚାଶ ଡେଇଁଲାଣି । ଗୋରା ତକତକ ଡେଙ୍ଗା ମଣିଷ । ପତଳା ନକନକ । ମୁଣ୍ଡର କେଶ ପାଚି ଧୋବଲ ହେଲାଣି । ଲମ୍ବାଳିଆ ମୁହଁରେ ଧାରୁଆ ନାକ । ସବୁବେଳେ ଚଞ୍ଚଳ ।

 

ସାହିଟାଯାକର କାମ ତୁଲାନ୍ତି । ତେଣୁ ସବୁବେଳେ ସେ ତରତର । ଯେତେ ଦେଲେ ସେ ଅସନ୍ତୋଷ । ଅତି ତରକା ।

 

ସେ ଆଣିଥିଲେ ଚିଟାଉ, ଲେଖିଥିଲେ ନିଜେ ଶିବଦାସ ରାଉତରାୟ । କୁସୁମ ବେଉଆଙ୍କ କହିବା ମତେ, ତାଙ୍କରି ତରଫରୁ ଲେଖିଥିଲେ ତାଙ୍କ ସମୂଦୁଣୀ ମୋତିମାଳାଙ୍କୁ ।

 

ଲେଖିଥିଲେ ଅତି ଆଧୀନ୍ୟ ହୋଇ–

 

‘ତମ ଦେହର ଖବର ମୁଁ ଶୁଣିଛି ଗୋ ସମୁଦୁଣୀ, ଜୋଇଁଙ୍କର ଖବର ବି ଜାଣିଛି । ସିଏ ତ କୁ-ସଙ୍ଗରେ ପଡ଼ି ମନ୍ଦବୁଦ୍ଧି ଧରି ସବୁ ସାରିଲା । ନିଜକୁ ବି ନଷ୍ଟ କଲା । କପାଳକୁ ନିନ୍ଦିବା ଛଡ଼ା ଆଉ କ’ଣ କରିପାରିବି ?’

 

‘ଜୟୀ ନାୟକଙ୍କ ତୁଣ୍ଡରୁ ମୁଁ ସବୁ ଶୁଣିଛି । ତାକୁ ଖଲାସ କରିବାକୁ ଜୟୀ ବହୁତ ଚେଷ୍ଟା କରିଥିଲେ । ହେଲା ନାହିଁ । ଛଅମାସ ସେ ଜେଲ୍ ଖଟିବ । ମଦ ଖାଇ ତା’ର କୋଉ ସାଙ୍ଗ ରାଜବଂଶୀ ପୁଅ ପ୍ରତାପ କିଏ, ତାକୁ ଛୁରୀ ମାରିଲା ଯେ ସେ ଛୁରୀ ସେହି ପ୍ରତାପର ଗୋଟିଏ ଆଖି ଫୁଟାଇଥିଲା ।’

 

‘ଜୟୀ କହୁଥିଲେ ଉପର କୋର୍ଟରେ ଆନନ୍ଦ ନିଶ୍ଚୟ ଖଲାସ ହୋଇଯିବ । ସେ କଥା ସିଏ ବୁଝିବେ ।’

 

କୁଆଡ଼େ, ସାଙ୍ଗରେ ସାଙ୍ଗରେ ଅଳପ ମଦନିଶାରେ, ଗେଲରେ ଦିହେଁ ଧରାପରା ହେଉଥିଲେ । ତା’ ନିଜ ଛୁରୀ ନିଜର ଆଖିରେ ବାଜିଛି । ତଳ ହାକିମ ଏହା ଘେନିଲା ନାହିଁ ।

 

‘କୁଆଡ଼େ, ଆଉ ଜଣେ ସାଙ୍ଗ, ତା ନା ବିକ୍ରମ, ସିଏ ବି ମଦ ଖାଇଥିଲା, ଆଗ ସେ ଟେହି ଦେଇଥିଲା । ପରେ ସେମାନଙ୍କ ଧରାପରାବେଳେ ତାଙ୍କୁ ଅଲଗା କରାଇବାକୁ ଚେଷ୍ଟା କରିଥିଲା । ସେତେବେଳେ ତା’ ଛୁରୀ ବାଜି ପ୍ରତାପର ଆଖି ନ ଫୁଟିଥିବ କାହିଁକି ?’

 

‘ଜୟୀ ନିର୍ଭର ଜବାବ ଦେଲେଣି, ଆନନ୍ଦ ଆମର ନିଶ୍ଚୟ ଖଲାସ ହୋଇଆସିବ । ଠାକୁରେ ସେଇଆ କରନ୍ତୁ, ପିଲାଟାକୁ ଭଲ ବୁଦ୍ଧି ଦିଅନ୍ତୁ । ତାଙ୍କ ପାଖରେ ମୋର ଏତିକି ଗୁହାରି ।’

‘ମୁଁ ତା’ ପାଇଁ ଏଠି ରାଧାଶ୍ୟାମ ଠାକୁର ଆଉ କୋଚିଳେଶ୍ୱରୀ ଠାକୁରଣୀଙ୍କ ପାଖରେ ମାନସିକ କରିଛି । ଠାକୁରାଣୀଙ୍କୁ କାଳିଆ ବୋଦା ଯାଚିଛି । ଆମର ପୀରଙ୍କ ପାଖରେ ସିରିଣି ଭୋଗ କରିବି ବୋଲି ନିଜେ ଯାଇ କହିଆସିଛି । ଶିବଙ୍କୁ ପାଣିଲାଗି କରାଇବାକୁ ବରାଦ କରିଛି ।’

‘ମୋ ମନକାମନା ନିଶ୍ଚୟ ପୂରଣ ହେବ ଗୋ ସମୁଦୁଣୀ, ମୋ ଜୋଇଁ ଖଲାସ ହୋଇ ଆସିବ । ତା’ର ବାଇଆ ବୁଦ୍ଧି ଭାଙ୍ଗିବ । ଏଇ କଲ୍ୟାଣ କରିବା ଛଡ଼ା ମୁଁ ହତଭାଗିନୀ ଅଧିକ କ’ଣ କରିପାରିବି ?’

‘କାମକୁ ଆଉ ମୁଁ ପାରୁନାହିଁ । ତମଠୁଁ ବଳି ମୋ ଅବସ୍ଥା । ଘରକାମ ମୁଁ ଦେଖିବି ନା ବାହାର କାମ ଦେଖିବି ? ପୁଅଟା କେତେ କ’ଣ କରିବ ? ବିଲବାରି, ଗୋରୁଗାଈଙ୍କ କାମ ବି ଅଳପ ନୁହେଁ ।’

‘କୋଠିଆ ପିଲାଟି ଭଲ କାମିକା ଯେ ପର ଗାଁର ଅନ୍ୟଜାତିର ପିଲା । ତା’ ଉପରେ କି ପତିଆରା ? ଗଙ୍ଗା କହିଲେ ଥିବି, ଗାଙ୍ଗୀ କହିଲେ ଯିବି ବେଭାର ।’

‘ଯେଉଁଥିପାଇଁ ଏ ଚିଠି ଶିବଦାସ ରାଉତରାୟ ସାମନ୍ତଙ୍କ ହାତରେ ଲେଖାଉଛି ସେତକ ମୁଁ କହିନାହିଁ । କହିବାକୁ ପାଟି ଖୋଲୁଣୁ ସେ ପାଟି ଆପେ ବୁଜିହୋଇ ଯାଉଛି । ତଥାପି ମୁଁ ଭରସା କରି ଲେଖାଉଛି । କ’ଣ କି, ମୋ ପୁଅ ଅଲେଖର ବାହାଘର ସହଳ ସହଳ କରି ଘରକୁ ବୋହୁଟିଏ ଆଣିବାକୁ ମନ କରିଛି ।’

‘ଜୟୀ ନାୟକଙ୍କର ଝିଅ ରୁକ୍ମିଣୀ ଭଲ ପିଲାଟିଏ । ମୁଁ ତାକୁ ବୋହୁ କରିବାକୁ ମନକରିଛି-।’

ଏଇ ଗ୍ରାମର ଝିଅ ହେଲେ କି ହେଲା, ଆମର ଗୋତ୍ର ଅଲଗା । ଜୟୀ ନାୟକଙ୍କର ଜେଜେବାପାଙ୍କ ଜେଜେ ହେବେ ଆଉ କେଉଁ ଗ୍ରାମରୁ ଉଠିଆସି ଏ ଗ୍ରାମରେ ରହିଥିଲେ । ବାଧା ଲେଖୁନାହିଁ ବୋଲି ସମସ୍ତେ କହୁଛନ୍ତି ।

‘ରୁକୁଣାଟି ପଢ଼ୁଆ ଝିଅ, କାମିକା ଝିଅ । ଚଲାଖ-ଚତୁର, ଚଉଆଖିଆ । ଅଲେଖଠାରୁ ମୋଟେ ଆଠ ଦଶ ମାସ ସାନ । ରୂପ ଯେମିତି ସୁନ୍ଦର, ସ୍ୱାସ୍ଥ୍ୟ ବି ସେମିତି ଡଉଲଡାଉଲ । ଘର କାମ ଜାଣେ, ବିଲକାମ ବି ଜାଣେ ।’

ନହୁଲୀ ତାକୁ ଭାରି ସ୍ନେହ କରେ । ନହୁଲୀ ପଛରେ ସେ ତ ଧାଇଁଥାଏ । ଗାଁ ଭଦ୍ରତାରେ ରୁକୁଣାର ବାପା ଜୟୀ ମତେ ଭାଉଜ ଲେଖା କରନ୍ତି ।

ସେହି ହିସାବରେ ରୁକୁଣାର ବୋଉ ସୁମତି ମତେ ଅପା ବୋଲି ଡାକେ । ବାହାଘର ହେଲେ ସେ ଦିହେଁ ମତେ ସମୁଦୁଣୀ ଡାକିବେ ।

‘ସେ ଯାହା ଡାକିବାର ଡାକୁଥାନ୍ତୁ, ରୁକୁଣା ପରି ସୁନା ଝିଅଟିକୁ ବୋହୁ କରି ପାଇଲେ ତା’ ହାତରେ ସବୁ ସମର୍ପିଦେଇ ମୁଁ ନିଶ୍ଚିନ୍ତ ହେବି । ସେହିମାନଙ୍କର ସୁଖ ଆନନ୍ଦ ଦେଖି ମୋର ବେଳକାଳ କଟିଯିବ ।’

‘ଯେଉଁଥିପାଇଁ ଏ ଚିଠିଟି ତମ ପାଖକୁ ଲେଖାଉଛି, ସେତକ ମୁଁ ଏବଯାଏ କହିନାହିଁ । କ’ଣ କି, ରୁକୁଣା ସାଙ୍ଗରେ ଅଲେଖର ଶୁଭ-ବାହାଘର ପ।ଇଁ ଜୟୀ ନାୟକ ସବୁ ଗଣନା କରି ଦିନ ବାର ଠିକ୍ କରିଛନ୍ତି । ଗାଆଁର ଜାଣିଲା ଶୁଣିଲା ମୁରବିମାନେ ସେଥିରେ ରାଜି । ଦିନବାର ଜେମାଦେଈଙ୍କ ମନକୁ ପାଇଛି ।’

 

ଛୁଆ ଦୁଇଟାଙ୍କୁ ଏଡ଼େ ଜଲଦି ଜୀବନର ଜଞ୍ଜାଳ ବୋଝେଇ ଶଗଡ଼ର ଯୁଆଳିରେ ଯୋଚିଦେଉଛି ବୋଲି ଜେମାଦେଈ ଆଗ ଟିକିଏ ଆକ୍ଷେପ କରୁଥିଲେ । ସେଇଠୁ, ଖୁସି ହୋଇ ପୁଣି କଲ୍ୟାଣ କଲେ ।

 

‘ମଗୁଶିର ମାସ ଶୁକ୍ଳପକ୍ଷ ନଅଦିନ ଚତୁର୍ଥୀ-ସୋମବାର ବାହାଘର ହେବ । ଇଂରାଜି ହିସାବରେ ନଭେମ୍ବର ମାସ ୩୦ ତା’ରିଖ । ଦୀପାବଳୀ ଅମାବାସ୍ୟା ଯିବାର ୪ର୍ଥ ଦିନ ।’

 

‘ତମକୁ କୋଟି ନମସ୍କାର କରି ଦଇନି କରୁଛି; ମୋ ଝିଅକୁ ଦିନ ସାତଟା ପାଇଁ ଏଠାକୁ ପଠାଇବ ।’

 

‘ଗାଁ ଝିଅ ପାଇଁ ଗାଁ ପୁଅ ତ । ଜୟୀ ନାୟକେ ଓ ଶିବ ରାଉତରାୟ ଦୁଇ ପକ୍ଷର ଆୟୋଜନ କରିବେ । ଯେଉଁ ଗ୍ରାମଲୋକ କୁଣିଆ ହୋଇ ବରସଙ୍ଗରେ ଯିବେ, କନ୍ୟାଘରେ ସେହିମାନେ ତାଙ୍କ ପାଇଁ ବି ସବୁ ଯୋଗାଡ଼ିବେ ।

 

‘ବାଛିବେ କାହାକୁ ?’

 

‘ରାଉତରା ବାରଣ କରିଛନ୍ତି । ସମସ୍ତେ ସେଥିରେ ରାଜି । ଖାଲି ରୋଶଣି ଆଲୁଅ ଜଳିବ-। ଚାରି ପଇସାର ବାଣ ଫୁଟିବ ନାହିଁ; ଅନର୍ଥକ ପଇସା ପୋଡ଼ା ହେବ ନାହିଁ । ରାଉତରାଙ୍କର ଏଇ ଦଇନି ।’

 

‘ସାତଦିନ ଆଗରୁ ସବାରି ଗଉଡ଼ ପଠାଇବି । ନିଜେ ରାଉତରା ଯୋଗାଡ଼ କରିଦେବେ ।’

 

‘ଅଲେଖ କୁଣିଆ ହୋଇ ଯିବାକୁ ଲାଜ କରୁଛି । ଭରି ଲାଜକୁଳାଟା । ବାମନ ଦାଦି ସବାରି ସଙ୍ଗରେ ଯିବେ, କହିଛନ୍ତି । ସେଇ ହେବେ ଆମର କୁଣିଆ । ସମସ୍ତଙ୍କର ଶୁଭ ମନାସିଲା ଦାଦି ପରା ସିଏ...ସମସ୍ତଙ୍କର ଆପଣାର ।’

 

‘ସମୁଦୁଣୀ, ମତେ ଜଣାନାହିଁ, ଜୋଇଁ ଆମର ଜେହେଲରୁ ଫେରିଥିବେ କି ନାହିଁ । ତାଙ୍କ କଲା କର୍ମର ଫଳ ସେ ଭୋଗୁଛନ୍ତି । ସେଥିକି ଆମେ ସିନା ଦୁଃଖ କରିବା; ତାଙ୍କର କଲା କର୍ମର ଫଳ ଆଉ ତାଙ୍କ ପାଇଁ କିଏ ଭୋଗ କରିବ ।’

 

‘ଜେମା ଦେଈ ସାମନ୍ତାଣୀଙ୍କୁ ତମେ ଚିହ୍ନିନାହଁ । ଦେଖିନାହଁ । ତାଙ୍କର ବଚନ ଶୁଣିନାହଁ । ତାଙ୍କୁ କଳିଷଠା ଷାଠିଏ କେବଠାରୁ ଡେଇଁଲାଣି । ମୁଣ୍ଡର ଧୋବଲା କେଶ ବେକାଏ ଆଣ୍ଠୁଯାଏ ଲମ୍ବିଛି । ଦି’ ପାଟି ଧୋବ ଫର ଫର ଦାନ୍ତ ସେମିତି ଅଛି । ଖାଲି ଘୋରି ହୋଇଗଲାଣି । ଦେହର ଚର୍ମ କୁଞ୍ଚି କୁଞ୍ଚିକା ହୋଇ ଆସିଲାଣି । ତଥାପି ଦୁଧରେ ହଳଦୀ ପରଖ ଦିଆ ତାଙ୍କ ଦେହର ରଙ୍ଗ ଏବଯାଏ ଝଟକୁଛି । ଆଖିର ଦୁରୁଶ ଶକତି ବେଶି ଊଣା ହୋଇନାହିଁ ।’

 

‘ସମୁଦୁଣୀ, ସମସ୍ତଙ୍କର ସେ ଶୁଭ ମନାସନ୍ତି । ଆନନ୍ଦଙ୍କର ଜେଲ୍‌ ଯିବା କଥା ଶୁଣି ସେ ଭାରି ଦୁଃଖ କଲେ । ଠାକୁରେ ତାକୁ ସୁବୁଦ୍ଧି ଦିଅନ୍ତୁ ବୋଲି ତାଙ୍କ ଠାକୁରମାନଙ୍କ ଆଗରେ ଗୁହାରି କଲେ ।’

 

‘ଜୟୀ ନାୟକେ, ଯିଏ ମୋର ସମୁଦି ହେବେ, ତାଙ୍କୁ ଶୁଣାଇ ଜେମାଦେଈ କହିଲେ–ଆନନ୍ଦକୁ ତମେ ଖଲାସ କରିପାରିବ କି ନ ପାରିବ ତୁମକୁ ବି ଜଣା ନ ଥିବ । ତମେ ବିଚାର କର, ଜୟୀ । ଦଣ୍ଡ ଭୋଗ କରି ଫେରିଆସିଲେ ସେ ନୂଆ ମଣିଷଟିଏ ହୋଇପାରିବ କି ନାହିଁ ।’

 

‘ପୁଣି କହିଲେ, ମୁଁ ଶୁଣୁଥାଏ ଗୋ ସମୁଦୁଣୀ-ତା’ ଜୀବନରେ ଦାଗ ଲାଗିବ, ଲୋକ ତାକୁ ଦାଗୀ ବୋଲି କହିବେ ।’

 

Unknown

‘କହିଲେ-କୁହନ୍ତୁ, ମିଛ ତ ନୁହେଁ । ଏଥକୁ ଛଳ କାହିଁକି ? ନିଜେ ଯଦି କୁସଙ୍ଗ ଛାଡ଼ିବ, କୁ ଅଭ୍ୟାସ ଛାଡ଼ିବ, କ୍ରୋଧକୁ ଦମନ କରିବ, ମଙ୍ଗଳକର କାର୍ଯ୍ୟରେ ନିଜକୁ ନିୟୋଗ କରିବ, ସେ ସମସ୍ତଙ୍କର ସ୍ନେହ, ସମ୍ମାନ ଓ ସହଯୋଗ ଅବଶ୍ୟ ପାଇବ । ସେ ପ୍ରଶଂସିତ ହେବ ।’

 

‘ସମୁଦୁଣୀ ଗୋ, ତପସ୍ୱିନୀ ଅପା ସାମନ୍ତାଣୀ ମତେ ଯାହା ବୁଝାଇ କହିଲେ, ତମେ ନିଜେ ବିଚାର କର ।’

 

‘ଅତି ସ୍ନେହରେ, ହେପାଜତ୍‌ରେ ତାକୁ ବଢ଼ାଇଲ, ପଢ଼ାଇଲ । ବିଚାର ନ କରି ଯେତେବେଳେ ଯାହା ସେ ଲୋଡ଼ିଲା ସେଥିପାଇଁ ପ୍ରଚୁର ଧନ ତା’ ହାତରେ ଦେଇଆସିଲ ।’

 

‘ତମେ ବିବେଚନା କର । ସେ କୁ-ପଥରେ ଗଲା, ଉତ୍ସୃଙ୍ଖଳ ହେଲା, ଆତ୍ମୀୟମାନଙ୍କୁ ଦଣ୍ଡିଲା, ଧନ ଓ ସମ୍ପତ୍ତି ଧ୍ୱସଂ କଲା, ଆଉ ଯେଉଁସବୁ ଜଘନ୍ୟ କାମ କରିଛି ତମକୁ ସବୁ ଜଣା, ସେଥିପାଇଁ ପରୋକ୍ଷରେ କିଏ ଦାୟୀ ।’

 

ଜେମାଦେଈ ମତେ କହିଲେ-ନିଜ କର୍ମର ଫଳ ନିଜକୁ ଭୋଗିବାକୁ ପଡ଼ିବ । ଆନନ୍ଦ ସଜା ଭୋଗି ଆସୁ । ତା’ ନିଜ ପାଇଁ, ପୁଣି ଯେଉଁମାନେ ତା’ର ପିଲାଟି ଦିନରୁ, ନିଜେ ବିଚାରହୀନ ହୋଇ ତାକୁ ଭଲ ବାଟରେ ଯିବାକୁ, ଭଲ କାମ କରିବାକୁ ଶିକ୍ଷା ନ ଦେଇ କୁ-ସଙ୍ଗରେ ପଡ଼ି ବିପରୀତ ଦିଗକୁ ଯିବାକୁ ସୁଯୋଗ ଦେଇଥିଲେ ସେମାନଙ୍କ ପାଇଁ...

 

‘ସମୁଦୁଣୀ, ମୋର ଏତେ ବୁଦ୍ଧି ନାହିଁ । ଏତେ ଜ୍ଞାନ ନାହିଁ । ଏତେ ବିଚାର କରି କିଛି କହିବାର ଶକତି ନାହିଁ । ସେଇଥିପାଇଁ ମୋ ମନର କଥାକୁ ମୁଁ ଚାଷୁଣୀ ମୂଲିଆଣୀ, ଖାଲି ସିଧାସଳଖ ସରଳ ଭାଷାରେ ଶିବ ସାଆନ୍ତଙ୍କୁ କହୁଛି, ଆଉ ସେ ଲେଖୁଛନ୍ତି ।’

 

‘ମୋ ବିନତି ନିଶ୍ଚୟ ଘେନିବ । ଫଗୁମଣି ବାରିକେ ଆମର ନିଜର ବିଶ୍ୱାସୀ ଲୋକ । ତାଙ୍କ ହାତରେ ବେଉରା ଚିଟାଉ ପଠାଇବ । ମୁଁ ନିଶ୍ଚିନ୍ତ ହେବି ।’

 

ଧୈର୍ଯ୍ୟ ଧରି କ୍ରନ୍ଦନର କୋହ ଅଟକାଇ ଚିଠିଖଣ୍ଡିକ ଥରିଲା ହାତ, ମଥିତ ଛାତି ଓ ଝରିଲା ଆଖିରେ ନହୁଲୀ ତରତର କରି ପଢ଼ିଲା । ବାପଘର ଗାଁରୁ ଆସିଥିବ। ଆପଣାର ଲୋକ ଦିଓଟିଙ୍କୁ ଅଗଣାରେ ପିଣ୍ଡାରେ ବସିବାକୁ କହିଲା । ଚିଠି ଖଣ୍ଡ ନେଇ ଶାଶୁଙ୍କ ଘରେ ସେ ପ୍ରବେଶିଲା ।

 

କଅଁଳ ଗାଧୁଆବେଳ ଗଡ଼ି ଆସୁଥାଏ । କେତେଗୁଡ଼ିଏ କାଠର ଚିତ୍ରିତ କଣ୍ଢେଇ ଧରି ଶୋଭନ ପିଣ୍ଡାରେ ବସି ମନକୁ ମନ ଖେଳୁଥାଏ । କାଠର ମୂର୍ତ୍ତିମାନଙ୍କ ଉପରେ ବିରକ୍ତ ହୋଇ ଗୋଟିକୁ ଧରି ଅନ୍ୟର ଦେହରେ ପିଟି ତାକୁ ଗାଳି ଦେଉଥାଏ ।

 

ମୋତିମାଳା ପଲଙ୍କ ଉପରେ ବସିଥିଲେ । ଗୋଟାଏ ମାଣ୍ଡିକୁ ଆଉଜି ଥିଲେ । ନହୁଲୀ ହାତରୁ ଚିଠି ଖଣ୍ଡ ନେଇ ସେ ଧରିଲେ । ଚାରି ପାଞ୍ଚ ପୃଷ୍ଠା । କହିଲେ, “ତୋ ବୋଉ କ’ଣ ଚିଠି ଲେଖିଛି, ନା ଏ ଘରର ଖବର ଅନ୍ତର, ବେଭାର କେଉଁମାନଙ୍କ ପାଖରୁ ଶୁଣି, ମତେ ଗାଳି ଦେଇ ଅଭିଶାପ ଭରି ପୁରାଣ ଲେଖିଛି, ମା’ ତୁ ତ ପଢ଼ି ସାରିଥିବୁ । ଠିକେ ଠିକେ ମତେ କହି ଦେଉନୁ ।’’

 

‘ଆଲୋ ମା, ମଲାସାପଟାକୁ ପିଟିଲେ ସେ କ’ଣ ଫଣା ଟେକିବ, ନା ଫଁ-ଫଁ ହେବ ? ମଲା ବିଲେଇର ଲାଞ୍ଜ ଓଟାରିଲେ ସେ ସୁଁ କରିବ ନାହିଁ, କି ନଖ ମାରିବ ନାହିଁ ।’

 

ଛାନିଆ ହୋଇ ନହୁଲୀ କହିଲା, “ଏଗୁଡ଼ା ସବୁ କାହିଁକି ଆପଣ କହୁଛନ୍ତି ? ବୋଉ ଅନ୍ୟଜଣକ ହାତରେ ଚିଠି ଲେଖାଇଛି । ଆପଣ ନିଜେ ପଢ଼ିପାରିବେ । ଚଷମା ଦେଉଛି । ନିଜେ ପଢ଼ନ୍ତୁ, କାହିଁକି ଆପଣଙ୍କ ମନରେ କିମ୍ବା-କିନ୍ତୁର ସନ୍ଦେହ ଜାଗିବ ?’’

 

ଘରର ପାଇଟି ସରିନାହିଁ, ବୋଉ । ଶୋଭା ତା’ର ଅନ୍ଧୁଣୀ ଶାଶୁର ସେବା କରିବାକୁ ଯିବାର ମାସଟିଏ କଟିଗଲା । ତା’ ଶଶୁର ଖବର, ତା’ର ନିଜର ଖବର କିଛି ଜଣାନାହିଁ । ସେ ଆଉ ଫେରିବ କି ନ ଫେରିବ କିଏ ଜାଣେ ?

 

ସେ ଏ ଘରର କିଣା ଖରିଦ ଚାକରାଣୀ ନ ଥିଲା । ମନ ମାନିଥିଲା, ସୁଖଦୁଃଖର ସାଥୀ ହୋଇ ପଡ଼ିରହିଥିଲା । ସ୍ନେହର ଡୋରରେ ସେ ସମସ୍ତଙ୍କୁ ବାନ୍ଧି ସୁଖୀ କରି ନିଜେ ସୁଖୀ ହୋଇ ରହିପାରିବ ବୋଲି ବିଚାରି ଥିଲା ।

 

‘ବୋଉ, ସେ ବହୁତ କରିଛି । ମାନ ଅପମାନ କଥା ନ ବିଚାରି ବହୁତ ସହିଛି । ତା’ର ସ୍ୱାମୀ ନାହିଁ । ସେ ଏଇ ସଂସାରକୁ ନିଜର ମଣିଥିଲା । ଏ ସଂସାର ତା’ର ହୋଇପାରିଲା ନାହିଁ । ସେ ଏପରି ମଣିଲା । ତା’ର ମନରେ ପରପଣିଆ ପଶିଲା ।’

 

‘ଯିଏ ଏତେ ବର୍ଷର ସ୍ନେହ ଓ ମମତାର ବନ୍ଧନ ଛିନ୍ନ କରି ଚାଲିଗଲା, ନିଜ ଉପରେ ନିଜେ ଅଭିମାନ କରି, ସେ ଆଉ କେବେ ଫେରିବ ନାହିଁ ।’

 

‘ଯିବା ଆଗ ଦିନ ଆଖିରେ ଲୁହ ଭରି ସେ କହିଲା-ତମର ଭାତ ଅଛି । ସେତକ ଦେଖାଇ ଚୁ ତୁ କରି ଡାକିଲେ, କେତେ କୁକୁର ଲାଙ୍ଗୁଡ଼ ହଲେଇ ଧାଇଁ ଆସିବେ ।’

 

‘ପୁଣି ମୋ ଆଗରେ କଇଁଉଠା କାନ୍ଦି ସେ କହିଲା-ଖାଲି ସେତିକି ପାଇଁ ମୁଁ ରହିଯାଇ ନ ଥିଲି । ହାତ ଥିଲେ ଭାତ ସବୁଠି ମିଳନ୍ତା । ନୁହେଁ କି ନହୁଲୀ ଦେଈ ?’

 

‘ସମସ୍ତଙ୍କର ଭଲ ଦେଖିବି, ସେମାନଙ୍କର ସୁଖର ଆନନ୍ଦର ପୁଣି ମହତପଣର ବଡ଼ତି ଦେଖିବି, ନିଜେ ବଡ଼ତି ଦେଖାଇବି, ଏତକ ଥିଲା ମୋ ପ୍ରାଣର କାମନା ।’

 

‘ପୁଣି କହିଲା-ସବୁ ଆଶା ମୋର ବିଫଳ ହେଲା । କିଛି ତ ହେଲା ନାହିଁ । ହେବ ବି ନାହିଁ-। ଆନନ୍ଦ ସାମନ୍ତେ ବଦଳିବେ ନାହିଁ । ବୁଡ଼ିଗଲା ମଣିଷର ଗୋଡ଼ ତଳକୁ ତଳକୁ । ମୁଁ ହତାଶ୍‍ ହୋଇଛି । କ’ଣ ଦେଖିବାକୁ ରହିବି, ଅବା ଫେରିବି ? ଖାଲି ନିଜ ଉପରକୁ ଓଟାରି ଆଣିବାର ବିପଦ ଉପରେ ବିପଦ ପାଇଁ ଆ’ବଳଦ ମତେ ବିନ୍ଧ ଡାକ ।’

 

‘ବୋଉ, ଶୋଭା ଆଉ ଫେରିବ ନାହିଁ । ସବୁଦିନ ପରି ଘରର ପାଇଟି ମତେ କରିବାକୁ ପଡ଼ିବ ।’

‘ଚିଠି ଆପଣ ଚଷମା ଲଗେଇ ପଢ଼ିବେ । ପରେ ଉତ୍ତର ଦେବେ । ଗଉଡ଼ ଓ ଭଣ୍ଡାରୀକୁ ଚର୍ଚ୍ଚା କରି ଆଗ ବିଦା କରିଦିଆଯାଉ । ଚିଠିର ଜବାବ ଦି ଚାରି ଧାଡ଼ିରେ ଲେଖାଯିବ ।’

 

ମୋତିମାଳା କହିଲେ, ‘ସେଇଆ କର, ମା’ । ହେଲେ, ଏଡ଼େ ବଡ଼ ଚିଠିଟା ଦେଖି ମୁଁ ଛାନିଆ ହେଉଛି । ମୋର ହାଲୁକ ହଲୁଛି ମା’ । ଆନ୍ଦିଆ ଛତରା ବଜାରୀ ଅବିବେକୀ ହେଲା, ଚୋର ଚଣ୍ଡାଳ, ଲକ୍ଷ୍ମୀଛଡ଼ା ହେଲା, ମଦୁଆ ଗୁଣ୍ଡାଟାଏ ହୋଇ ଖୁଣ୍‍ କରି ଶେଷକୁ ଜେହେଲ୍‌ ଖଟିଲା-। ସେଇଥିପାଇଁ ମୋ ଦୋଷ ଦେଇ ସମୁଦୁଣୀ ଗାଳି ଗୁଲଜ କରି ଚିଠି ଲେଖାଇଥିବେ । ସେମିତି ମୋର ମନେହେଉଛି ।’

 

‘ଜନମ ସିନା ଦେଇଛି ଲୋ ମା’, ତା’ ଭାଗ୍ୟଲିପି କ’ଣ ମୁଁ ଲେଖିଛି, ନା ଜାଣିଛି ? ମୁଁ ତା’ର ମାଆ, ସବୁବେଳେ ମୋର ଚୁଲିପଶା ଆଶା ମତେ ଆଶ୍ୱାସନା ଦିଏ-ଏଇଥର ପୁଅ ଚେଙ୍ଖେ ପାଇଛି, ସେ ଅବାଟରୁ ବାଟକୁ ଫେରିବ, ସୁନାପୁଅ ହେବ ।’

 

ମାଆ ଲୋ, ମୁଁ କିନ୍ତୁ ଜାଣି ସାରିଲିଣି ସେ ଆଉ ବଦଳିବ ନାହିଁ । ସେ ଚଣ୍ଡାଳ ଆହୁରି ଆହୁରି ଉତ୍ସୃଙ୍ଖଳ ହେବ ।

 

‘ପୂର୍ବ ପୁରୁଷମାନଙ୍କର ବହୁ ପାପ ଓ ଅନୀତିର ଫଳରେ ଠୁଳ ହୋଇଥିଲା ଯେଉଁ ସମ୍ପତ୍ତି ସେସବୁ ଆନନ୍ଦ ଗମେଇଁବ । ସେ ଜେଲ୍‌ରୁ ଦଣ୍ଡ ଭୋଗି ଫେରିଲେ ବି ବଦଳିବ ନାହିଁ । ନା, ସେ କେବେ ବଦଳିବ ନାହିଁ ଲୋ ମୋର ମା ।’

 

ନହୁଲୀର ଆଖିରୁ ଅଶ୍ରୁ ଝରୁଥିଲା । ସେ ଅଚଳ ପଥର ମୂର୍ତ୍ତି ପରି ପଲଙ୍କ ପାଖରେ ଠିଆହୋଇ ତା’ର ଅନୁତପ୍ତା ଦୁଃଖିନୀ ଶାଶୁଙ୍କର ବ୍ୟଥିତ ଆତ୍ମାର ବିଳାପ ଶୁଣୁଥିଲା ।

 

ପଦାକୁ ଚାହାନ୍ତେ ଆଖିରେ ପଡ଼ିଲା ଧୂର୍ତ୍ତ ନାପିତ ଫଗୁମଣି ଉପରେ । ସେ କେତେବେଳେ ବାରଣ୍ଡା ଉପରକୁ ଉଠି ଅଧାଖୋଲା ଝରକାର ସେପାଖରେ ଠିଆ ହୋଇ ଶାଶୁଙ୍କର ପ୍ରଳାପ-ବଚନ ଶୁଣୁଛି ।

 

କ୍ରୋଧକୁ ଦମନ କରି ନହୁଲୀ ତା’ ଶାଶୁଙ୍କ ପାଖରେ ଥାଇ, କଅଁଳେଇ କହିଲା, ‘ଫଗୁ, ଫେରିଯିବାକୁ ତମେ ଭାରି ତରତର ହେଉଛ, ନା ?

 

‘ହଁ, ହେବାର କଥା । ତମର ବହୁତ କାମ । ଯିବାପାଇଁ ତମେ ଦିହେଁ ପ୍ରସ୍ତୁତ ହୋଇ ରହ । ଏ ଚିଠିର ଉତ୍ତର ଦି’ଚାରି ଧାଡ଼ିରେ ଲେଖି ମୁଁ ଶୀଘ୍ର ତମକୁ ବିଦା କରିଦେବି ।

 

ତା’ର କଣ୍ଠସ୍ୱରରୁ ଫଗୁମଣି ଠିକ୍‍ ବୁଝିପାରିଲା ଯେ ପାଞ୍ଚ ବର୍ଷ ପୂର୍ବେ ସେ ଯେଉଁ ବାପ-ଛେଉଣ୍ଡୀ, ସରଳ, ନିରୀହା, ଲାଜକୁଳୀ-ଲତା ଝିଅ ନହୁଲୀକୁ ବାପଘର ଗ୍ରାମରେ ଦେଖିଥିଲେ, ଯହା ନାମରେ ଦୁର୍ନାମ ରଟିଥିଲା ବୋଲି ବାଟ ଚାଲିଲାବେଳେ ମଥା ପୋତି ଲାଜେଇ ଲାଜେଇ, କଡ଼େଇ କଡ଼େଇ ବାଟ ଚାଲୁଥିଲା, ସେ ଝିଅ ଇଏ ନୁହେଁ ।

 

ନାମଡାକ, ଡାକୁଙ୍କ ସର୍‌ଦାର୍‌,ଖଣ୍ଟଙ୍କ ଚାଳକ, କୁଚକ୍ରୀ ଟାଉଟର୍‌ ବଟ ସାମନ୍ତରାଙ୍କ ବୋହୁ ହୋଇ ଆସି ସେ ଝିଅ ଅଲଗା ହୋଇଛି ।

 

ସ୍ଵାସ୍ଥ୍ୟ ବଦଳିଛି । ଦେହରେ ମେଦ ଓ ମାଂସ ଲାଗିଛି । ସବୁ ଦୁଃଖ ଓ ନିର୍ଯ୍ୟାତନା ସତ୍ତ୍ୱେ ସେ ଝିଅଟି ଦୁର୍ଗାମୂର୍ତ୍ତି ପରି ସୁନ୍ଦର ଓ ତେଜୀୟାନ ଦିଶୁଛି । ତା’ କଥାରୁ ଜଣାପଡ଼ିଛି ଯେ ସେ ବିରକ୍ତ ହେଲାଣି ।

 

ଫଗୁମଣି ଦ୍ୱାରବନ୍ଧ ପାଖକୁ ଆସି ବିନୀତ ହୋଇ କହିଲା-ମୁଁ ଫେରିଯିବାକୁ ମୋଟେ ତରତର ହେଉନାହିଁ ମା’ ନଉଲୀରାଣୀ । କେତେ ଜରୁରୀ କାମକୁ ଛି-କରି, ପଛରେ ପକାଇ, ଏତେଦୂର ବାଟ ଧାଇଁ ଆସିଥିଲି କ’ଣ ତର ତର ହୋଇ ଫେରିଯିବାକୁ ?

 

...ନାଇଁ ମା’ । ଚିଠିର ବେଉରା ଭାବିଚିନ୍ତି କରି ଲେଖ । ଆସିଲାବେଳେ ଜେମାଦେଈ ସାମନ୍ତାଣୀ ତମ ଘରକୁ ଆସିଥିଲେ ।

 

...ତାଙ୍କର ଦୃଷ୍ଟିଶକ୍ତି କମି ଆସିଲଣି । ଚାଲିଲାବେଳେ ମୁଣ୍ଡ ଓ ଦେହ ଦୋହଲି ଯାଉଛି । ଟିକିଏ ବଡ଼ ପାଟିରେ ନ କହିଲେ ଭଲ ଶୁଣା ଯାଉନାହିଁ ।

 

...ମତେ ପାଖକୁ ଡାକି ସେ କହିଲେ, “ମୋ ମା’ ନହୁଲୀକୁ ମୋର କଲ୍ୟାଣ ଦେବୁ । କହିବୁ...’’

 

ନହୁଲୀ ତା’ ଶାଶୁଙ୍କ ପାଖରୁ ବରଣ୍ଡାକୁ ଝପ୍‌ଟି ଆସି କହିଲା, ‘ହଉ ଫଗୁ, କହିବ ତ, ସତାର କର । ବାମନ ଦାଦିଙ୍କ ପାଖକୁ ଯାଅ । ଚିଠିଖଣ୍ଡି ମୁଁ ଶାଶୁଙ୍କୁ ଶୁଣାଇବି । ସେଇଠୁଁ, ତାଙ୍କ କହିବା ମତେ ଜବାବ ଲେଖି ତମୁକୁ ଦେବି । ତାଙ୍କର ଦେହ ଭଲ ନ।ହିଁ ।’

 

ଧୂର୍ତ୍ତ ଫଗୁମଣି ବୁଝିଲା । କହିଲା, “ହଉ ମା’ । ମୁଁ ସେଇଆ କରିଥାନ୍ତି ଯେ, ବୁଢ଼ୀମା’ଙ୍କୁ ଓଳଗି ହେବାକୁ ଆସିଥିଲି ।’’

 

ଫଗୁମଣି ଦ୍ୱାର ପାଖରେ ତଳେ ମୁଣ୍ଡ ଇଗାଇ କହିଲା, “ମୋର ଏଇଠି ମା’ ଠାକୁରାଣୀ । ଡେରି ହେଲା ବୋଲି ମୋ ଦୋଷ ମାଗି ନେଉଛି ।’’

 

...ଚିଠିରେ ତ ଯାହା ଲେଖାହୋଇଛି ପଢ଼ିବ ଗୋ ମା’ ସାମନ୍ତାଣୀ । ଯାହା ବେଉରା ଦେବାର ଦେବ । ଭଣ୍ଡାରୀଟି ମୁଁ, ମତେ କି ଜଣା ?

 

‘ଆସିଲାବେଳେ ମୋ ସାଙ୍ଗରେ ଖଣ୍ଡେଦୂର ଆସି ନହୁଲୀ ଦେଈଙ୍କର ମା’ ଠାକୁରଣୀ ମତେ କହିଲେ-ଫଗୁରେ, ମୋ ସମୁଦୁଣୀଙ୍କୁ ଶହେ ଜୁହାର ଜଣାଇଁ କହିବୁ, ଦିନ ସାତଟା ପାଇଁ ମୋ’ ଝିଅକୁ ପଠାଇବେ । ଏତିକି ମୋର ମାଗୁଣି । ଅଲେଖଟି ବାହା ହେଉଛି । କୁଣିଆ ହୋଇ ସେ ତ ଆସି ପାରିବ ନାହିଁ ।’

 

ପୁଣି କହିଲେ, ଭଉଣୀଠାରୁ ବଳି ଅଧିକ ସ୍ନେହ କରେ ଶିବଦାସ ରାଉତରାୟ । ଠାକୁର ରଜାଙ୍କ ବଂଶୀୟ । ସେ କ’ଣ ଆସିବାକୁ ମଙ୍ଗିବ ?

...ତା’ର ବାର ପାଇଟି, ତାକୁ ତର ହେବ ? ନଇଲେ, ଫଗୁରେ, ତତେ ଧରମ-ପୁଅ କରିବି । ମହାଏଁ ଦେବି । ତୁ ହେବୁ ବାରିକ, ଆଉ ତୁ ହେବୁ କୁଣିଆ ।

...ଏମିତି ସେ କହି ପଠାଇଛନ୍ତି ।

ନହୁଲୀର ଶାଶୁ ମାଣ୍ଡିକୁ ଆଉଜି ସଳଖ ହୋଇ ବସିଲେ । କହିଲେ, ‘ଆରେ ବାରିକପୁଅ, ମୋ କପାଳ ଦୋଷରୁ ମୁଁ ଅଖଞ୍ଜ ହୋଇ ଅଧା ଅଚଳ ହେଇଛି । ତା’ ବୋଲି କ’ଣ ମୋ ମାଆପଣିଆ, ମୋ ମାଆମନ ଅଚଳ ହେବ କି ?’

‘ପୁଅରେ, ସମୁଦୁଣୀଙ୍କର ମା’-ମନର ବ୍ୟାକୁଳ ଆଗ୍ରହ ମୁଁ ଭଲକରି ବୁଝୁଛି । ମୋ ସୁନା କଣ୍ଢେଇ ବୋହୁଟିର ଆନନ୍ଦ, ଆଉ ଆଗ୍ରହ କ’ଣ ମୁଁ ଜାଣିପାରୁନାହିଁ ?’

‘ଗୋଟିଏ ବୋଲି ତା’ର ଭାଇ । ଦେଖିଛିରେ ତାକୁ । କେଡ଼େ ଭଲ, କେଡ଼େ ଭଦ୍ର ଓ ରାଣର ସେ ପୁଅ । ତା’ ବାହାଘରକୁ ତା’ ଅପା ଯିବ ନାହିଁ ?

‘ମୋ ସମୁଦୁଣୀଙ୍କୁ ସେଇଆ କହିଦେବୁ । ବୁଝାଇ କହିବୁରେ ପୁଅ, ଯେଡ଼େ ରାଣର ବା ଅରାଣର ହେଉ, ସୁନ୍ଦର କି ଅସୁନ୍ଦର, ଯୋଗ୍ୟ ଅବା ଅଯୋଗ୍ୟ ହେଉ, ସମ୍ବନ୍ଧରେ ବାପ, ପୁଅ, ପତି କି ଆଉ ଯାହା ହୋଇଥାଉ କାହାବିନା ଏ ସଂସାରରେ କୌଣସି କାମ ଅଟକି ରହେ ନାହିଁ ।’

‘ଆନ୍ଦିଆର ବାପା ସେ ପୁରକୁ ଗଲେ । ଆନ୍ଦିଆ ବିନର୍ବ୍ୟୟ କରି ସବୁ ସମ୍ପତ୍ତି ନଷ୍ଟ କଲା । ନିଜକୁ ଜାଣିଜାଣି ନଷ୍ଟଭ୍ରଷ୍ଟ କଲା । ଘର ଜୁର କଲା । ନିଜେ ଜେହଲ୍ ଭୋଗିଲା । ଆମର ବେଳକାଳ ଦୁଃଖେକଷ୍ଟେ ବିତିଲା ତ, ବିତୁଛି ଓ ବିତିବରେ ପୁଅ ।’

 

‘ବୋହୁରାଣୀ ମୋର ମୋ ଆଖି ଦୁଇଟାକୁ ନେଇ ସାତଦିନ କାଳ ବାପଘରକୁ ଯିବ, ଯାଉ-। ଯେମିତି ହେଲେ ଆମର ବେଳ କଟିଯିବ ।’

 

‘କହିବୁ ମୋ ସମୁଦୁଣୀ କୁସୁମ ସା’ନ୍ତାଣୀଙ୍କୁରେ ସୁଜାଣ ବାରିକ ପୁଅ, ନହୁଲୀ ଝିଅ । କେମିତି ତାଙ୍କର ଆଗ୍ରହ ମୁଁ ଭାଙ୍ଗିପାରିବି ? ଯେବେ ଖବର ପଠାଇବେ ତାକୁ ମୁଁ ନିଶ୍ଚେ ପଠାଇବି-।’

 

...କହିବୁରେ ବାପ, ନହୁଲୀକୁ ସିନା ମୁଁ ଝିଅପରି ପାଳିଥାନ୍ତି । କୋଳରେ ବସାଇ ହାତରେ ଭୁଞ୍ଜାଇ ଦିଅନ୍ତି, କଣ୍ଢେଇଟି ପରି ତିନିଥର ସଜାଇ ଦେଉଥାନ୍ତି । ଫଗୁମଣିରେ, ଅଚଳିଆ ହେଲି । ଆତଯାତ ହେବା ଅତି କଦର୍ଥ । ଓଲଟି ନଉଲୀ ମତେ ତା’ ଝିଅ ପରିକା ସେଇଆ କରିଛି ।

 

...ସାତଦିନ କି ଦଶଦିନ ମୋ ଆଖି ଉପାସ ରହିବ । ମୋ ମନ ଯଶୋବନ୍ତୀ ହୋଇ ଝୁରିବ । ସେହି ସାତଦିନ ପୂରିଲେ ତାକୁ ପୁଣି ମୋ ପାଖକୁ ଫେରାଇ ପଠାଇବେ । ତା’ ସଙ୍ଗରେ ଆସିବାକୁ କେହି କୁଣିଆ ନ ମିଳିଲେ ନାହିଁ । ସବାରିବାହକମାନଙ୍କ ସଙ୍ଗରେ ବାମନ ଭୁତିଆ ତ ଆସିବେ ? ସେ ସଭିଙ୍କର ମୁରବି । ସେ କୁଣିଆ ହେବେ । ମୋ ସମୁଦିଙ୍କର ଦାଦି ଲେଖାତ, ମୋର ବି । ଜ।ଣି ତ ନଉଲୀର ।

 

...ତା’ ଛୁଆଟା, ମୋ ନାତିଟୋକା ଶୋଭନ ମ, ଜାଇଁଲୁରେ ବାରିକ ପୁଅ ସେ ବି ବାମନ ଦାଦିଙ୍କୁ ‘ଦାଦି’ ବୋଲି ଡାକିଲାଣି । ଦେଖ୍‌ ସେ କ’ଣ କରୁଛି । ଦାଦି ହାଲିଆ ହୋଇ ବସିଥିଲେ ଆରପାଖ ବାରଣ୍ଡା ଉପରେ । ତାଙ୍କ କାନ୍ଧରେ ବସି ମୁଠାଏ କେଶ ଧରି ଦୋହଲୁଛି ।

ପଛକୁ ମୁହଁ ଫେରାଇ ଫଗୁମଣି ଚାହିଁଲା, ଆଉ ହସିଲା । କହିଲା, ‘‘ସବୁ ପିଲାଙ୍କର ସେ ଘୋଡ଼ା ହେବାକୁ କେଶଝିଙ୍କା ଖାଇ ଘୋଡ଼ା ପରି ରଡ଼ି ଛାଡ଼ିବାକୁ ଭଲ ପାଆନ୍ତି । ଡରୁଆ, ନେଷେମା, ମାଇଚା ପିଲାଙ୍କୁ ବାମନ ଦାଦି ପସନ୍ଦ କରନ୍ତି ନାହିଁ ।”

ଫଗୁମଣୁ ବାରିକ ପୁଣି ପଚାରିଲା, ଆମ ଦେଈଙ୍କ ସାଙ୍ଗରେ ଟିକି ଶୋଭନ ସାଆନ୍ତକୁ ପଠାଇବଟି ?

‘ଟିକି ସାଆନ୍ତେ ନିଶ୍ଚୟ ରାଉତପାଟଣା ଯିବେ ଗୋ ମା’ । ଏଡ଼େ ଟିକିଏ ପିଲାର ରୂପ, ଢଙ୍ଗ, ବିଚକ୍ଷଣ ବୁଦ୍ଧି ସେ ଗ୍ରାମର ଲୋକ ଦେଖି ବିଚିତ୍ର ମଣିବେ ।’

ନାତିଟୋକାର ପ୍ରଶଂସା ଶୁଣି ମୋତିମାଳାଙ୍କ ମୁହଁରେ ହସ ବିକଶି ଆସୁଣୁ ମଉଳିଗଲା । କହିଲେ, “ହଇରେ ବାପ, ନହୁଲୀ ଗଲେ ମୋ ଆଖି, କାନ, ହାତ, ଗୋଡ଼ ସବୁ ତ ଚାଲିଯିବ । ଶୋଭନଟି ଯଦି ତା’ ସଙ୍ଗରେ ଯିବରେ ବାରିକ ପୁଅ, ମୋ ଜୀବନଟି ତା’ ପଛରେ ଉଡ଼ିଯିବ । ଉଡ଼ିଲା ଚଢ଼େଇ ଆଉ ମୋର ଏଇ ଅଖଞ୍ଜ ପିଣ୍ଡକୁ ବାହୁଡ଼ିବ ନାହିଁ ।’’

‘ସେ ଛୁଆଟି କିଏ, ଅନ୍ୟ କିଏ ଜାଣିଥିବେ କି ନାହିଁ, ମୋ ବୋହୁ ନହୁଲୀ ଜାଣିଛି । ନହୁଲୀର ଶଶୁରଙ୍କର ଛଟପଟ କଲାବଲ ଆତ୍ମା-ପୁରୁଷ, ତାଙ୍କର ଅକାମୀ ଦେହକୁ ଛାଡ଼ି ଆଗ ବୋହୁ ମାଧୁରୀର ପେଟରେ ରହିଥିଲେ ।’

‘କ’ଣ ବୁଝିଲ ନା ପୁଅ, ଶୋଭନଟି ମୋ ନହୁଲୀର ଶଶୁର । କେମିତି ତାକୁ ଛାଡ଼ି ମୁଁ ରହିପାରିବି ? ମୋ ମାଆ ନଉଲୀ ଏକଥା ଜାଣିଛି ଯେ ।’

 

ନହୁଲୀର ମୁହଁ ମଉଳିଲା । କାନ୍ଦକାନ୍ଦର ଅମାନିଆ କୋହ ବୁକୁ ତଳେ ହାବୁକେଇ ଉଠିଲା । ବିଚାରିଲା, ‘ସେ ସତେ ଯଶୋଦା ହୋଇ ରହିଗଲା । ଦେବକୀ ହୋଇପାରିଲି ନାହିଁ ।’

 

କ୍ଷଣକରେ ନଉଲୀର ବାମ୍ଫେଇଲା ଆଖିଆଗରେ ଭାସିଗଲା ବିଗତ ବେଳର ହଲକ-ଦୋହଲା ଲିଭିଆସୁଥିବା ଛବିଟିଏ..କଇଁଫୁଲ ପରି ଧୋବ ଫର୍‍ ଫର୍‍...ଚମ ଧୁଡ଼୍‍ ଧୁଡ଼୍‍ ...ଆଠ ମାସିଆ ଛୋଟ ପୁଅଟି । ଟିକି ମୁଣ୍ଡଟି ଉପରେ କଜଳକାଳିଆ କେଶ । ଝଟକିଲା ନକ୍ଷତ୍ର ପରି ତା’ର ଦୁଇଟି ଛୋଟ ଛୋଟ ଆଖି । ଧାରୁଆ ନାକ । କେତେ ଆଶା କେତେ ସ୍ୱପ୍ନର ଜିଅନ୍ତା କଣ୍ଢେଇ । ତାକୁ ସେ ଆଠଟି ମାସ ପେଟରେ ଧରିଥିଲା । ମରଣଯନ୍ତ୍ରଣା ସହି ସଂସାରକୁ ଆଣିଥିଲା । ଅଲକ୍ଷଣା ହନ୍ତସନ୍ତ କରି, ମୁହଁ ଦେଖାଇ ଯଦି ତିନୋଟି ମାସର ମାୟା ଲଗାଇ ବାହୁଡ଼ି ଯାଇ ନ ଥାନ୍ତା ତା’ ସଙ୍ଗରେ ଶୋଭନର ଯିବା ପ୍ରଶ୍ନ ଉଠିଥା’ନ୍ତା ବା କାହିଁକି ?

 

ନହୁଲୀର ବିଷର୍ଣ୍ଣ ମୁହଁକୁ କଣେଇଁ ଚାହିଁ ମୋତିମାଳା ନିଜେ ବ୍ୟଥିତ ହେଲେ । ବିଳିବିଳେଇଲା ପରି କହି ଉଠିଲେ, “ଆରେ ଫଗୁମଣି, ତା ଭାଇର ବାହାଘରରେ ଯୋଗ ଦେବାକୁ ମୋ ବୋହୁ ନିଶ୍ଚୟ ଯିବ । ତା’ ପୁଅ ସେଇ ଅବେଇଜ ଚଗଲା ବିଛୁଆତିକୁ ମୋର ସମ୍ଭାଳିବ କିଏ-? ସେ ବି ଯିବରେ, ନିଶ୍ଚୟ ଯିବ ।’’

 

...ଦେଖ୍, ସେ ଟୋକା, ଏଡ଼େ ଟିକିଏ ଛୁଆ, ଏଡ଼େ ଉଚ୍ଚ ତୁଳସୀ ଚଉରା ଉପରେ ପୁଣି ଠିଆ ହୋଇ ପତର ଛିଣ୍ଡାଉଛି । ଭାରି ଚଗଲା ।

 

...ଫଗୁ ଚଉରା ପାଖକୁ ଧାଇଁଗଲା । ନହୁଲୀ ତାକୁ କଣେଇଁ ଚାହିଁ ଶାଶୁଙ୍କ ପାଖକୁ ଆସି କହିଲା, ଆପଣ ଚିଠିଖଣ୍ଡି ଧୀରେ ଧୀରେ ପଢ଼ନ୍ତୁ । ଏତେ ପରିଶ୍ରମ କରି ରାଉତରା ସାମନ୍ତେ ମୋ ବୋଉ କହିବା ମତେ,ଲେଖିଛନ୍ତି ।

 

ମୋତିମାଳା କହିଲେ, ‘ପଢ଼ିବି ମା’, ନିଶ୍ଚୟ ପଢ଼ିବି । ତରତର କାହିଁକି ? ବିଷୟଟି ତ ବୁଝିସାରିଛି ।’

 

‘ମୋ ପାଇଁ, ମୋ କହିବା ପ୍ରକାରେ ତୁ ଜବାବ ଲେଖିବୁ । ଜୟୀ ନାୟକଙ୍କୁ ଏଠାକୁ ଘଣ୍ଟାକ ପାଇଁ ହେଲେ ଆସି ମୋ ସଙ୍ଗେ ଥରେ ଦେଖା କରିବାକୁ କହିବେ ବୋଲି ତୋ ବୋଉକୁ ଖବର ଦେବୁ । ଜରୁରୀ କାମ ଅଛି ।’

 

ଲେଖିଦେବୁ ମୋ ତରଫରୁ, ଜୟୀ ନାୟକଙ୍କୁ କହିବେ, ତାଙ୍କ ଝିଅର ବାହାଘର କ’ଣ ମୋ ଝିଅର ବାହାଘର ପରି ହେବ କି ? ଅଖଞ୍ଜ ହେଲି; ତା’ ବୋଲି କ’ଣ ମୋ କର୍ତ୍ତବ୍ୟ ଭୁଲିବି ?

 

ଅଲେଖଟି ବି ତ ମୋ’ରି ପୁଅ ।

 

‘ମୋ ତରଫରୁ ଜବାବ ଲେଖି ଆଜି ସେ ଦୁହିଁଙ୍କୁ ତୋ ମନଖୁସିରେ ବିଦାକି ଦେଇ ବିଦା କରି ଦେ । ଟ୍ରଙ୍କର ଚାବି ନେଇଯା । ସେ ବୋଝ ଆଉ ମତେ ବୁହାନା ।’

 

ନହୁଲୀର କଅଁଳ ଅନୁରୋଧରେ ଫଗୁମଣି ବାମନ ଭୁତିଆଙ୍କ ପାଖକୁ ଯିବାକୁ ଭୁଲି ଯାଇଥିଲେ । ଶାଶୁଙ୍କ ପାଖକୁ ଯାଇ ସେ ବିନୀତ ହୋଇ କହିଲା–

 

‘ଆପଣ ବ୍ୟସ୍ତ ହେଉନ୍ତୁ ନାହିଁ । ସେ ଦିହେଁ ଯେତେ ପରିଚିତ ହେଲେ ବି ସେବାକାରୀ ଖଟଣିଆ ଲୋକ । ଯେତେ ବିଦାକି ଦେଲେ ସେମାନେ ଆହୁରି ପାଇବାକୁ ଓଜର କରନ୍ତି ।’

 

‘ମୁଁ ଆପଣଙ୍କ କହିବା ପ୍ରକାରେ ଚିଠି ଲେଖିସାରେଁ, ଆପଣ ସେମାନଙ୍କୁ ବିଦା କରିବେ । ଆର ଥର ପରି ଦେବେ । ଏ ଘରର ସବୁ ଘଟଣା ସେମାନଙ୍କୁ ଜଣା କିଏ ଢ।ଙ୍କୁଣୀ ଦେଇ ଘୋଡ଼ାଇ ରଖିବ, ବୋଉ ? ସେମାନେ ଓଜର ଆପଭି କରିବେ ନାହିଁ ।’

 

ମୋତିମାଳା କହିଲେ, “ସତ ଲୋ ମା’ । ଆମ ଘରର ଖବର ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏଇ ଗାଁ ଲୋକେ ପ୍ରଚାର କରୁଥିବେ । ଆମ ଘରର ଦୁଃଖ-ଦୁର୍ଦ୍ଦଶା ପାଇଁ ତୁଣ୍ଡରେ ତାଙ୍କର ଆହାପଦ ସିନା, ମନରେ କୁରୁଳା ।’’

 

‘ଦଇବ ସେଇଆ କରିଛି । କାହାକୁ କହିବା ? ହଉ, ତୁ ଯାହା ଠିକ୍ ବିଚାରୁଛୁ ସେଇଆ କର । ଗଉଡ଼ ଭଣ୍ଡାରୀଙ୍କୁ ମୁଁ ବିଦା କରିଦେବି ।’

 

ଶାଶୁ ମୋତିମାଳାଙ୍କର କହିବା ପ୍ରକାରେ ନହୁଲୀ ତାଙ୍କ ପାଇଁ ତା’ର ବୋଉଙ୍କ ପାଖକୁ ଚିଠି ଖଣ୍ଡେ ଲେଖିଲା । ସେ ଚିଠିକୁ ତାଙ୍କୁ ପଢ଼ି ଶୁଣାଇଦେଲା । ସେଥିରେ ସେ ସନ୍ତକ କରି ଭଣ୍ଡାରୀ ଫଗୁମଣିକୁ ଦେଲେ ।

 

ନିଜେ ନହୁଲୀ ଜେମାଦେଈଙ୍କ ପାଖକୁ ପତ୍ର ଖଣ୍ଡିଏ ଲେଖି ବାମନକୁ ଦେଇ କହିଲା, ଏ ଚିଠିଟି ନିରୋଳାରେ ଅପାଙ୍କୁ ଦେବ, ଦାଦି । ଆଉ କାହା ଆଗରେ ଏ ଚିଠିକଥା ପ୍ରକାଶ କରିବ ନାହିଁ ।

 

ପୁଣି କହିଲା, ‘ଦାଦି, ଏଥିପାଇଁ କ’ଣ ତମୁକୁ ଦେବି ? ଶାଶୁଙ୍କୁ ନ କହି ତାଙ୍କୁ ନ ଜଣାଇ ଏ ଘରର କାଣିକଉଡ଼ିଟିଏ ବି ମୁଁ କାହାକୁ ଦଉନାହିଁ ।’

 

ବାମନ କହିଲେ, “ତୋ ପରିକା ସୁନା ଝିଅଟିଏ, ପୁଣି ସୁନା ବୋହୁଟିଏ ମୁଁ ଖଣ୍ଡମଣ୍ଡଳରେ ଦେଖିନାହିଁ, ମା’ । ମୁଁ ମୋ’ର ବିଦାକି ପାଇସାରିଛି ।’’

 

ତୋ ଆଖିରୁ ଝରି ଚିଠି ଦେଲାବେଳେ ଯେଉଁ ଲୁହ ଦି ଟୋପା ମୋ ହାତରେ ଝଡ଼ିଲା, ମା’, ସେତକ ମୋର ମୋତି-ମାଣିକ ଦିଓଟି । ମୋ ହାତରେ ନୁହେଁ ଲୋ ‘‘ମା’ ନହୁଲୀ, ମୋ ଛାତି ତଳେ ଲାଖି ରହିଛି । ଆଉ ମୋର କିଛି ଲୋଡ଼ା ନାହିଁ ?’’

 

ଛାଇନେଉଟବେଳେ ସେ ଓ ଫଗୁ ବାରିକ ବିଦା ହୋଇଗଲେ । ଦାଣ୍ଡଆଗରେ ରାସ୍ତା ମୋଡ଼ରେ କିଆବାଡ଼ିର ଉହାଡ଼ରେ ସେ ଦୁହେଁ ଛପିଯିବାଯାଏ ଦାଣ୍ଡ ବାରଣ୍ଡା ଉପରେ ଠିଆ ହୋଇ ନହୁଲୀ ଚାହଁ ରହିଥିଲା ।

 

ମନରେ ସହସା ଭାବନା ପଶିଲା-ଭାବପ୍ରବଣତାକୁ ଆୟତ୍ତ କରି ନ ପାରି ସେ ଜେମାଦେଈଙ୍କୁ ଯେଉଁ ପତ୍ରଟି ଲେଖିଛି ତାକୁ ପଢ଼ି ସେ କ’ଣ ମନେକରିବେ ? ବୁଢ଼ୀ ବୟସରେ ତାଙ୍କ ମନରେ କାହିଁକି ଅଯଥା ଦୁଃଖ ଆଣିବ ?

 

ଭାବିଲା, ତାଙ୍କ ପରି ବୁଦ୍ଧିମତୀ ପୁଣି ସ୍ନେହଶୀଳ, ଅବାଗିଆ ଦୁଃଖନ ଭାଇଙ୍କୁ କ’ଣ ମନେ ମନେ ନିନ୍ଦିବେ ନାହିଁ ? ଯାହାଙ୍କ ପାଇଁ ସେ ସାରାଜୀବନ ତପ ଆଚରି ଆସିଛନ୍ତି ତାଙ୍କ ପ୍ରତି ମନରେ ଟିକିଏ ଦୁଃଖ ହେବ ନାହିଁ ? ନିଜର ଆଦର୍ଶ ପଛରେ ଗୋଡ଼ାଇ ନିଜକୁ ସେ ତିଳତିଳ କରି ଜାଳି ଦେଉଛନ୍ତି ବୋଲି ସେ କ୍ଷୁବ୍‌ଧ ହେବେ ନାହିଁ ?

 

ଆଖିରୁ ତା’ର ଲୁହ ଝରୁଥିଲା । ଅମାନିଆ ଅଭିମାନିଆ ଅନୁଶୋଚନା ଅସ୍ଥିର ମନକୁ ଆନ୍ଦୋଳିତ କରୁଥିଲା । ଦାଣ୍ଡପିଣ୍ଡାର ଗୋଟିଏ ଖୁଣ୍ଟକୁ ଆଉଜି ସମ୍ମୁଖର ଦାଣ୍ଡ ରାସ୍ତାକୁ ସେ ଲୁହଝରା ନେତ୍ରରେ ଚାହିଁ ରହୁଣୁ ଅତୀତକୁ ଅଣାୟତ୍ତରେ ଭାସିଯାଇଥିଲା ।

 

‘ପାଞ୍ଚଟି ବର୍ଷ ତଳର ଉଜାଣି ଅତୀତର କଥା । ମୁହଁ ଖୋଲି ଭରସା କରି କେହି କେବେ ଯାହା ତମକୁ ସିଧାସଳଖ, ଅବା ପ୍ରକାରାନ୍ତରେ ପଚାରିବାକୁ ସାହସ କରି ନ ଥିଲେ, ମୁଁ ପରଘରୀ ଖଣ୍ଟଘରର ବୋହୁ ମଦୁଆ ଅତ୍ୟାଚାରୀ ଅପରିଣାମଦର୍ଶୀ ଖୁଣୀ କାରାଗାରବାସୀ, କେତେ ଅତୀତର ଅମାପ-ପାପର ଉତ୍ତରାଧିକାରୀଙ୍କର ଘରଣୀ କିପରି ବା ତାହା ଖଣ୍ଡେ ପତ୍ରରେ ତମକୁ ପଚାରି ପାରନ୍ତି, ଗୋ ଅପା ସାନ୍ତାଣୀ ?’

 

‘ଭାବିଥିଲି, ବାମନ ଭୁତିଆଙ୍କ ହାତରେ, ମୋ ମନରେ ଫଣା ଟେକୁଥିବା ସବୁ ପ୍ରଶ୍ନର ଉତ୍ତର ତମକୁ ମାଗିଥାନ୍ତି ।’

 

‘କାହିଁକି ମତେ ତମେ ଏତେ ସ୍ନେହ କରୁଥିଲ ? ମଳିମୁଣ୍ଡିଆ ଖୁସିବାସିଆ ଚାଷୀଘରର ଝିଅଟାଏ ତ ମୁଁ ।’

 

କାହିଁକି ଏତେ କଷ୍ଟ ସ୍ୱୀକାର କରି ମତେ ପଢ଼ାଇଥିଲ, ଶିଖାଇଥିଲ, ଏତେ ଉପଦେଶ ଦେଉଥିଲ ? ସେଇ ଘରର କୌଣସି ଘଟଣା, ଧନ ଦରବ ଇତ୍ୟାଦି ମୋ ପାଖରେ ଗୋପନ ରଖୁ ନ ଥିଲ ?

‘କାହିଁକି ନିଜ କୋଳରେ ବସାଇ ମୁଣ୍ଡ ବାନ୍ଧି ଦେଉଥିଲ ? ଆଖିରେ କଜଳ ଓ ଗୋଡ଼ରେ ଅଳତା ମଣ୍ଡୁଥିଲ ? ମୁଣ୍ଡରେ ବଉଳଫୁଲର ମାଳ କେତେ ସରି କରି ଗୁଡ଼ାଉଥିଲ ?’

‘କାହିଁକି ଗୋ ଅପା, ସଞ୍ଜ ହୋଇଆସିଲେ ଉଚ୍ଛନ୍ନ ହୋଇ ଦୁଃଖନ ଭାଇଙ୍କ ସଙ୍ଗରେ ମତେ ଆମ ଘରକୁ ଫଠାଇ ଦେଉଥିଲ ?’

‘ଟର୍ଚ୍ଚ ଆଲୁଅ ଧରି ଆଗେ ଆଗେ ସାବଧାନ ହେଇ ଚାଲିବାକୁ ନିର୍ଦ୍ଦେଶ ଦେଉଥିଲ, କହୁଥିଲ-, ଆଲୁଅ ଜଳାଇ ଦୁଇପାଖକୁ ଭଲକରି ଦୃଷ୍ଟି ଦେଇ ଯିବୁରେ ବାବୁ, ସାବଧାନ ହେବୁ । ଫେରିଲାବେଳେ ବି ସେମିତି କରିବୁ । ତରତର ହେବୁ ନାହିଁ ।’

‘ହତଭାଗିନୀର ବାପାଙ୍କର ମରଣ କଥା ମନେପଡ଼ି ଯାଉଥାଏ ପରା । ସେତେବେଳେ ଯଦି ହାତରେ ଟର୍ଚ୍ଚ ଆଲୁଅଟିଏ ଥାନ୍ତା, ଦୁର୍ଘଟଣାଟା ଘଟିଥାନ୍ତା କାହିଁକି ? ଆମେ ଦୁଃଖ ଦୁର୍ଦ୍ଦଶାରେ ପଡ଼ି ନିଃସାହା ହୋଇଥାଆନ୍ତୁ କାହିଁକି ?’

ଅପା ଗୋ, ତମର ଏପରି ପ୍ରଗାଢ଼ ସ୍ନେହ ଓ ଅତି ଆପଣାର ବ୍ୟବହାର କ’ଣ ଲୋକମୁଖରେ ଆମ ଦୁର୍ନାମର କାରଣ ନୁହେଁ କି ? ମୁଁ ପିଲା ହୋଇ ନ ଥିଲି, ଆଉ ଦୁଃଖନଭାଇ ତ ପିଲା ନ ଥିଲେ ।’

ନହୁଲୀ ନିଜର ଭାବନାର ତୋଡ଼ରେ ତଡ଼ିହୋଇ ଯାଉଣୁ ଚମକି ଉଠିଲା । ନିଜକୁ ମନେ ମନେ ଝିଙ୍ଗାସିଲା ।

 

ଛି, ଛି, ସେ ଏସବୁ କ’ଣ ଭାବୁଛି ? କାହା ମନର କଥା କିଏ କିପରି ବିଚାରିବ ? ନିଜର ବିଚାରକୁ ଅନ୍ୟର ଉଦ୍ଦେଶ୍ୟ ଓ ଭାବନା ବୋଲି ଗ୍ରହଣ କରି ଅତୀତକୁ ଚିତ୍ର କରିବାର କି ଅଧିକାର ତା’ର ଅଛି ?

 

ଘଟଣାର ଅଦେଖା ଡୋରରେ ସେ ଓଟାରି ହୋଇ ଆସିଛି । କାହାକୁ ଦୋଷିବାର କି ଅଧିକାର ତା’ର ଅଛି ? ବିଗତକୁ ପଛକୁ ପକାଇ, ବର୍ତ୍ତମାନକୁ ସାହସର ସହ ଆଦରି, ଆଗତ ପାଇଁ ପ୍ରସ୍ତୁତ ହୋଇ ରହିବା ତା’ର ଏକମାତ୍ର କର୍ତ୍ତବ୍ୟ ।

 

କାହିଁକି, ସେ ଜେମାଦେଈଙ୍କୁ ସେପରି ଲେଖି ଛୋଟ ଚିଠିଖଣ୍ଡିକ ବାମନ ଭୁତିଆଙ୍କ ହାତରେ ପଠାଇଲା ? କ’ଣ ସେ ଭାବିବେ ?

 

ଏତେ ସହିଲାଣି । ଆହୁରି ସହିବ । ଧୈର୍ଯ୍ୟ ନ ହରାଇ ଘଟଣାର ପ୍ରବାହକୁ ଅପେକ୍ଷା କରିବ । କିଏ ଜାଣେ, କେତେବେଳେ କେଉଁ ଆକସ୍ମିକ ଘଟଣା ଜୀବନ-ପ୍ରବାହର ଗତିକୁ କେଉଁଆଡ଼କୁ ତଡ଼ିନେବ ।

 

ଦୁଇ ଝିଅ ବୁଇ ଓ ଯୁଇଙ୍କୁ ସଙ୍ଗରେ ଧରି ଅଧାବୟସୀ ଶ୍ୟାମଳୀ ଦୂତିକା ରଙ୍ଗଶାଢ଼ିର ପଣତ ହଲାଇ ଗୁଣ୍ଠୁଣୀ ହାତୀ ପରି ଦୋହଲି ଦୋହଲି ତା’ ଆଡ଼କୁ ଆସୁଥିବା ନହୁଲୀର ଦୃଷ୍ଟିରେ ପଡ଼ନ୍ତେ ତା’ର ଭାବନା ଭାଙ୍ଗିଲା ।

 

ଛାତିରେ ଛନକା ପଶିଲା-ଆସିଗଲେ ବାରବୁଲୀ, ନଗର ନାଉଲୀ । ବାରଘରର ଖବର ତିଳକୁ ତାଳ କରି ଗପିବେ । ଏ ଘରର ସମାଚାର ନେଇ ଅନ୍ୟମାନଙ୍କ କାନରେ ଥୋଇବେ । ଆଖି ଚକ୍ରପରି ଚାରିଆଡ଼େ ଭ୍ରମୁଥିବ ।

 

ନିଶ୍ଚୟ ସେ କିଛି ମାଗିବେ । ଦେଲେ ଦିଅ, ନ ଦେଲେ ନାହିଁ । ସେଥିକୁ ତାଙ୍କର ଛଳ ନ।ହିଁ । କିଛି କରିବାକୁ ତାଙ୍କୁ କହିଲେ ସେ କଥା ତଳେ ପକାଇବେ ନାହିଁ । ଚାରି ପାଇଟି ବିନା ଆପତ୍ତିରେ କରିବେ । ପାଟି ଥିର ନ ଥିବ । କିଛି ନା କିଛି ସେ ଗପୁଥିବେ ।

 

ଚାରି ଆଖିର ମେଳ ହେଲାଣି । ତାଙ୍କୁ ଉପେକ୍ଷା କରି ଚାଲିଯାଇ ହେବ ନାହିଁ । ଅପେକ୍ଷା କରି ରହିବାକୁ ପଡ଼ିବ । କ।ହିଁକି ସେ ଅସମୟରେ ଝିଅମାନଙ୍କୁ ସଙ୍ଗରେ ନେଇ ଧାଇଁ ଆସିଛନ୍ତି, ଶୁଣିବାକୁ ହେବ ।

 

ହସହସ ହୋଇ ପାଖକୁ ଆସୁଣୁ ଦୁଇ ହାତ ଯୋଡ଼ି ମୁଣ୍ଡରେ ଲଗାଇ ଦୂତିକା ପ୍ରଣାମ କଲେ । ବୁଇ ଓ ଯୂଇ ତାଙ୍କୁ ଅନୁକରଣ କଲେ ।

 

ନହୁଲୀ ଚମକି ଉଠିଲ । ତା’ ମନରେ ପ୍ରଶ୍ନ ଜାଗିଲା, ଆଜି କାହିଁକି ଦୂତିକାଙ୍କର ନୂଆ ଛଳନା ? ମନରେ କି ମତଲବ ରଖି ସେ ଆଜି ଆସିଛନ୍ତି ? ଶୋଭା ନାହିଁ ଯେ ତାଙ୍କର କୂଟକପଟିଆ ଭାଷାର ଠିକଣା ଜବାବ ଦେବ ।

 

ଦୂତିକା ପାଖକୁ ଆସି ବିନା ଅବତରଣିକାରେ କହିଲା, “କ’ଣ କରିବି ଗୋ ସାନ ସାନ୍ତାଣୀ, ତମର ଦର୍ଶନ କରିବାକୁ ମୋ ମନ ଛାଟିପିଟି ହୁଏ ଯେ ବେଳ ମିଳେ ନାହିଁ । ସେଥକୁ ମୁଁ ଦୋଷୀ ।’’

 

‘ମିଶ୍ରଘର ବେଠି କାମରେ ମୋର ବେଳ ଯାଉଛି । ଏଣେ ନିଜ ଘରର ଦୁନିଆଯାକର ପାଇଟି । ଶଶୁରେ ବାଧକା ପଡ଼ିଛନ୍ତି । ତାଙ୍କର ସେବାଯତ୍ନ । ଗାଁରେ ୟା ଘରୁ ତା’ ଘରୁ ଜରୁରୀ ଡକରା । ନ ଗଲେ ନ ଚଳେ । ଏଠାକୁ ଆସିବାକୁ ମନ କଲବଲ ହଏ ଯେ ତର ମିଳେ ନାହିଁ ।’

 

ଆଉ ଅଧିକ କଇଫତ୍‌ ଶୁଣିବାକୁ ନହୁଲୀର ଆଗ୍ରହ ନ ଥିଲା । ତାଙ୍କର ଆଗମନର ଉଦ୍ଦେଶ୍ୟ ଜାଣିବାକୁ ସେ କୂତୂହଳୀ ହୋଇ କହିଲା, “ସମସ୍ତଙ୍କର ନିଜ ନିଜର କାମ ବଳେଇଛି, ଭଉଣୀ । ଲୋକବଳ ନ ଥିଲେ ନିଜର ପ୍ରୟୋଜନ ନ ହେଲେ, କିଏ କାହିଁକି ଅନ୍ୟର ଘରକୁ ଯିବ-? ନିଜର ଦୁଃଖକୁ ହାରିଗୁହାରି ନାହିଁ । ପରର ଦୁଃଖରେ କିଏ ମୁଣ୍ଡ ପାତିବ ?’’

 

‘ସେଇଆ ସତ ଯେ, ତମ ଘର ବଡ଼ ସାଆନ୍ତର ଘର । ଏ ଗାଁର ଖୁଣ୍ଟିଆ ଘର । ଆଜି ସିନା ଚକ ଟିକିଏ ଅଟକିଯାଇଛି ଗୋ ସାନ ସାଆନ୍ତାଣୀ, ଚକ ପୁଣି ଉଠିବ । ପୁଣି ଗଡ଼ିବ । ଆହୁରି ଆହୁରି ବଡ଼ତି ହେବ, ଦେଖିବ ରହ ।

 

‘ମାସ କେଇଟା ପରେ ସାନ ସାଆନ୍ତେ ଫେରିଆସିବେ । ସମସ୍ତେ ଠିକ୍ କରିଛନ୍ତି, ତାଙ୍କ ବେକରେ ଗାଁ ମୁଣ୍ଡରେ ଫୁଲମାଳମାନ ପଡ଼ିବ । ସଧବା ମାଇପେ ହୁଳହୁଳି ପକାଉଥିବେ । ଯେ।ଡ଼ି ଶଙ୍ଖମାନ ବାଜିବ । ତା’ ସାଙ୍ଗକୁ ଯୋଡ଼ି ନାଗରା । ହରିନନାଙ୍କ ବଉଁଶେ ମନ୍ତ୍ର ପଢ଼ିବେ । ମୁଣ୍ଡରେ ପବିତ୍ର ପାଣି ଛିଞ୍ଚୁଥିବେ । ପଟୁଆର କରି ଆସିବେ ।’

 

‘‘ସିଧା ସଳଖ ସାନ ସାଆନ୍ତେ ବିନୋଦବିହାରୀଙ୍କ ପାଖକୁ ଯିବେ । ସେ ଠାକୁର ଦର୍ଶନ କରିବେ । ସେଇଠୁ ଦେବୀଙ୍କ ଆଗକୁ ବିଜେ କରିବେ । ଦୁଇଟା କଳା ଗାରଡ଼ ବୋଦା ପଡ଼ିବ । ସାଆନ୍ତେ ରକ୍ତଚିତା ଘେନିବେ । ସେଇଠୁ ଫେରିବେ ଘରକୁ ।”

 

ନହୁଲୀ ବିସ୍ମିତ ହୋଇ ପଚାରିଲା, ‘କାହିଁକି ଏପରି ହେବ ଗୋ ଦୁତିକା ?’

 

ଦୁତିକା ଉତ୍ତର ଦେଲା, ହେବ ନାହିଁ ? ରଜାବଂଶୀ ପୁଅଟା ସଙ୍ଗରେ ଖୁଣ୍ଟିଆଙ୍କର ଯୁଦ୍ଧ ଲାଗିଥିଲା । ଏ ଗାଁର ଜୟ ହେଲା । ଯୁଦ୍ଧ ବେପାର, ହାରଜିତ ଲାଗିରହିଛି । ଜିତିଲେ ସନ୍‌ମାନ, ଜୀବନ ଦେଲେ ବା ଆହତ ଅଚଳ ହେଲେ ବି ସନମାନ ।

 

‘ଗ୍ରାମବାସୀ ଏଇଆ ଆଲୋଚନା କରୁଛନ୍ତି । କାଲି ତ ରାତିଅଧରେ ଯୂଇର ବାପା ଠାକୁରଙ୍କ ମନ୍ଦିର ପାଖରୁ ଫେରିଲେ । ସେଇଠି ବିଚାରଣା ହେଉଥିଲା ।’

 

ଦୂତିକାର କଥାରେ ଗୁରୁତ୍ୱ ନ ଦେଇ ନହୁଲୀ ତାକୁ ବିଦାୟ ଦେବାକୁ ବିନୀତ ହୋଇ କହିଲା, “ଯାହା ଯେତେବେଳେ ହେବାର ହେଉ ଭଉଣୀ, ସେଥିରେ ମୋର ମୁଣ୍ଡ ଖେଳାଇବା ଦରକାର ନାହିଁ । ନିଜର ଦୁଃଖ ନିଜକୁ ବଳାଇଛି । ସେହି ଚିନ୍ତା ମୋର ବଡ଼ ।’’

 

‘ଦାଣ୍ଡରେ ଠିଆ ହୋଇ ମୁଁ ବେଶି ବେଳ ଗପ କରିପାରିବି ନାହିଁ । ତେଣେ ବାର ପାଇଟି ପଡ଼ିଛି । ଯୋଗିଆ ବୋଉକୁ ସାହାଯ୍ୟ ନ କଲେ ତୁଟିବ ନାହିଁ । ଶାଶୁଙ୍କ ପାଖରେ ଅଝଟିଆ ଛୁଆଟି ଆଜି ଶୋଇପଡ଼ିଥିଲା । ନିଦ ଭାଙ୍ଗିଲେ କଟାଳ କରିବ ।’

 

‘କାହିଁକି ଆସିଥିଲ, କହୁନ ?’

 

ଦୂତିକା କହିଲା, ତମକୁ କ’ଣ ମଣିଷ ଏମିତି ଗନ୍ଧାନ୍ତି କି ନହୁଲୀ ଦେଈ ? ଏମିତି ତଡ଼ି ଦେଉଛ କାହିଁକି ? ମତେ ଖବର ଦେଲେ ମୁଁ କ’ଣ ଆସି ଚାରି ପାଇଟି କରିଦେଇ ଯାଆନ୍ତି ନାହିଁ ? ହଳିଆ କି କେଠିଆ ହାତରେ ଖବର ପଠାଇବ ଗୋ । କିବା କାମ ଯେ, ହାତ ହଲେଇଲେ ନିଅଣ୍ଟ ।

 

‘ତମରି କାମରେ ମୁଁ ଆସିଥିଲି । ମୋ ଦିଅର ପଦନ ନରି ସାହୁ ବାସନ ବେପାରୀଙ୍କର କେଉଁ ଦୂର ଗାଁକୁ ତାଙ୍କ ତାଟଲଗା ଶଗଡ଼ଗାଡ଼ି ନେଇ ଭଡ଼ାରେ ଯାଇଥିଲେ । ବାଲିଆ ବାଟ ବୋଲି ତା’ର ହାତୀ ପରିକା ବଳଦ ଦିଓଟି ଗାଡ଼ି ଭିଡ଼ି କରି ନଉଣୁ ଅଧାପ୍ରାଣ ହେଲେ । ଭୀମ ବଳୁଆ ପଦନ ଦଣ୍ଡା ସମ୍ଭାଳି ବାଗ କରୁଣୁ ନାକରେ କାନ୍ଦି କାନ୍ଦି ନୟାନ୍ତ ହୋଇଥିଲା । ସେଇ ତମ ପାଇଁ ଚିଠି ଆଣିଛି ।’

 

ନହୁଲୀ ଚମକି ଉଠିଲା । ବିସ୍ମିତ ହେଇ ସ୍ୱଗତୋକ୍ତି କଲା, ‘ମୋ ପାଇଁ ଚିଠି ?’

 

ଦୂତିକା କହିଲା, ହଁ ଗୋ, ତମ ପାଇଁ ଚିଠି । ପଦନ ଆଣିଛି । କ’ଣ କି, ନରିସାହୁଙ୍କ ଗାଁରୁ ଚାଉଳ ବସ୍ତାମାନ ଲଦି ଗାଡ଼ି ଫେରାଇଲାବେଳକୁ ପଦନ ଭଲ ବାଟରେ ଆସିଲା, ହେଉ ପଛେ କୋଶେ କି ଦି କୋଶ ବୁଲାଣି । ତମ ଶୋଭାଙ୍କର ଶାଶୁଘର ଗାଁଟି ମଝି ବାଟରେ ପଡ଼େ । ସେଇଠି ସେ ଦି’ ଘଡ଼ି ରହି ହାଲିଆ ମାରିଲା ।

 

ଅତି ଉଦ୍‍ବିଗ୍ନ ହୋଇ ନହୁଲୀ ବ୍ୟାକୁଳ କଣ୍ଠରେ ପଚାରିଲା, ‘ଶୋଭା ସଙ୍ଗେ ପଦନଙ୍କର ଦେଖା ହୋଇଥିଲା ? ଶୋଭା କେମିତି ଅଛି ? ଶାଶୁ ତା’ର କେମିତି ଅଛନ୍ତି ? ଏତେ ଜଲଦି ଆମୁକୁ ସବୁ ସେ ପାସୋରିଗଲା କି ? ଆସ ଭିତରକୁ ଯିବା । ସବୁ କଥା ମୁଁ ତମଠାରୁ ଶୁଣିବି । ପଦନ ଗପିଥିବେ ତ ।’

 

ଦୂତିକା କହିଲା, ‘ସେଇ ଶୋଭାର ଅନୁରୋଧରେ ସେ ସେହି ଗାଁରେ ଦି ଘଡ଼ି ଅଟକିଗଲେ । କାହା ହାତରେ ତମ ପାଖକୁ ଚିଠି ଲେଖାଇ ସେ ପଦନଙ୍କ ହାତରେ ଦେଇଥିଲା । ଦେଲାବେଳେ କୁଆଡ଼େ କାନ୍ଦୁଥିଲା ତ ।’

 

‘ତା’ ଶାଶୁ ?’

 

‘ବଞ୍ଚିଛନ୍ତି । ଶୋଭା କହୁଥିଲା, ଆଉ ଦିନେ ଓଳିକର କଥା । ବାଉଳା ଚାଉଳା ହେଲେଣି-।’

 

ନହୁଲୀ ଅନୁରେଧ କଲା, “ତମେ ପଦନଙ୍କୁ ମୋ ପାଖକୁ ଥରେ ପଠାଇଦେଲେ ମୁଁ ତାଙ୍କଠାରୁ ଶୋଭାର ଖବର ପଚାରି ବୁଝନ୍ତି ।’’

 

ଦୂତିକା କହିଲା, ‘ସେ ନିଜେ ତ ଆସିଥାନ୍ତେ, କିନ୍ତୁ ପୁଣି ଗାଡ଼ି ନେଇ କୁଆଡ଼େ ଯିବାକୁ ସଜବାଜ ହେଉଛନ୍ତି । ସେଇଥିପାଇଁ ମତେ ପଠାଇଲେ । ତିଠିଖଣ୍ଡି ତମକୁ ଦେବି ଆଉ ତମ ପାଖରୁ ଟଙ୍କା ତିରିଶିଟି ନେଇ ତାଙ୍କୁ ଦେବି । ଶୋଭା ନେହୁରା ହୋଇ ମାଗିବାରୁ ସେ ସେତକ ତାକୁ ଦେଇଆସିଛନ୍ତି ।’

 

 

‘ଶୋଭା ବଡ଼ ଅବସ୍ଥାରେ ଅଛି ଗୋ ସାନ ସାଆନ୍ତାଣୀ । ଯାହା ଏଠୁ ତମ ପାଖରୁ ନେଇଥିଲା ସବୁ ସରିଲାଣି । ବୁଢ଼ୀଟାକୁ ବଞ୍ଚାଇ ରଖିବାକୁ ସବୁ ଖରଚ କଲାଣି । କୋଉ ଏବେ ବଞ୍ଚିବ ? କୋଉ ଜନ୍ମରେ କି ପାପ କରିଥିଲା ବୋଲି ଏଇ ଜନମରେ ନରକ କୁଣ୍ଡରେ ବୁଢ଼ୀ ଘାଣ୍ଟି ହେଉଛନ୍ତି ।’

 

‘ଚିଠିରେ ଶୋଭା ସବୁ ଲେଖାଇଥିବ । ପଢ଼ିଲେ ଜାଣିବ । ମଲା ମୁଁ ନିଆଲାଗୀ, ମୋ’ ହେତୁ ପୋଡ଼ିଯାଉ । ଏତେବେଳଯାଏ ଚିଠିଖଣ୍ଡକ ଦେଇ ନାହିଁ । ତମକୁ ଦାଣ୍ଡଟାରେ ଠିଆ କରାଇ ଗପୁଛି ।’

 

ଦୂତିକା ଅଣ୍ଟାରୁ କାନି ଓଟାରି ସେଥିରେ ବନ୍ଧା ହୋଇଥିବା ଚିଠିଖଣ୍ଡି କାଢ଼ି ନହୁଲୀର ହାତକୁ ବଢ଼ାଇଦେଲା । ଚିଠିଟି ଲଫାପା ଭିତରେ ବନ୍ଦ ହୋଇଥିଲା । ତା’ ଉପରେ ଲେଖା ହୋଇଥିଲା-“ସାନ ସାମନ୍ତାଣୀ’ ।

 

ଦୂତିକା ହାତରୁ ନହୁଲୀ ସେହି ଚିଠି ଖଣ୍ଡି ନେଇ କହିଲା, “ଭିତରକୁ ଆସ, ଦୂତିକା । ମା’ ସାମନ୍ତାଣୀଙ୍କଠାରୁ ଆଣି ମୁଁ ତମକୁ ଟଙ୍କା ଦେବି । ଡେରି ହେବ ନାହିଁ ।

 

‘‘କେତେବେଳଯାଏ ଦାଣ୍ଡରେ ଠିଆ ହୋଇ କଥାଭାଷା ହେବ ? ବାରଲୋକ ରାସ୍ତାରେ ଯା-ଆସ କଲେଣି । ପିଲାଟାର ତେଣେ ନିଦ ଭାଙ୍ଗିବଣି ।”

 

ନହୁଲୀର ପଛେ ପଛେ ଦୂତିକା ତା’ର ଦୁଇ ଝିଅ ବୁଇ ଓ ଯୁଇଙ୍କ ସଙ୍ଗରେ ସାମନ୍ତରାଙ୍କର ଖଞ୍ଜା ଭିତରକୁ ପଶିଲା । ନହୁଲୀର ମନରୁ ତା’ର ଭାଇର ବାହାଘର, ରାଉତପାଟଣାକୁ ଯିବା ନ ଯିବା ପ୍ରସଙ୍ଗ, ସେଠାକାର ଆତ୍ମୀୟସ୍ୱଜନ, ପ୍ରିୟଜନମାନେ, ବିଶେଷତଃ ତା’ର ନମସ୍ୟା ଜେମାଦେଈ ଅନ୍ତର୍ହିତ ହୋଇଥିଲେ ।

 

ମନ ଅଧିକାର କରିଥିଲା ତା’ର ଏପୁରର ସଙ୍ଗିନୀ, ରକ୍ଷାକାରିଣୀ, ସେବିକା, ପୁଣି ବଡ଼ଭଉଣୀପ୍ରତିମ ଦୁଃଖିନୀ ଶୋଭା, ଆଉ ତା’ର ଦୁଃଖଯନ୍ତ୍ରଣାରେ ଛଟପଟ ହତଭାଗିନୀ ଅନ୍ଧୁଣୀ ବୁଢ଼ୀ ଶାଶୁ ।

 

ଶୋଭାର ଚିଠିଖଣ୍ଡିକ ସେ ଥରେ ପଢ଼ି ଶାଶୁଙ୍କୁ ଶୁଣାଇଥିଲା । ତାଙ୍କର ଶୁଖିଲା ଆଖିରୁ ଲୁହ ଝରାଇଥିଲା । ଆପେ ଛାତି ତଳର ତୋଫାନକୁ ଆୟତ୍ତ କରି ଆଖି ପୋଛିଥିଲା ।

 

ଏ ଭିତରେ ସେ ନିଜେ କେତେଥର ପଢ଼ିସାରିଲାଣି । ଦୁଃଖର ପ୍ରବଳ ତୋଫାନ ଆଉ ନାହିଁ । କେବଳ ଶୋଭାର ଛଟପଟିଆ ଜୀବନର ଚିତ୍ରଗୁଡ଼ିକ ମନ ଭିତରେ ଗତି କରିଯାଏ ।

 

ତା’ର ଦୁଃଖିନୀ ଶାଶୁଙ୍କର ସେ ଦିନର ସାନ୍ତ୍ୱନା-ବାଣୀ ମନରେ ଝଙ୍କାରିତ ହୁଏ ।

 

‘ମାଆ ଲୋ ନହୁଲୀ, ଶୋଭା ଲେଖାଇଥିବା ଚିଠି ତ ମତେ ପଢ଼ି ଶୁଣାଇଲୁ । ମୋ ଆଖିରୁ ଲୁହ ଝରାଇଲୁ । ତୋ ଆଖରୁ ବି ଲୁହ ଝରିଲା । ଦରକାର ହେଲେ ଲୋକ ପଠାଇବ ବୋଲି ସେ ଲେଖିଥିଲା । ତା’ ପରି ଗରିବ ନିଆଶ୍ରୀ ଝିଅଟାର ବୋଲ ମାନି କିଏ ଆଉ ଆସିବ, କହ ?’

 

‘ମୋ କୁହା ମାନି ତୁ ତା’ ପାଖକୁ ଲୋକ ପଠା । ଯୋଗିଆ ମା’କୁ କହିଲେ ସେ ଜଣେ ବିଶ୍ୱାସୀ ଲୋକ ଠିକ କରିଦେବ । ନାହିଁ ଯଦି ଠିକ୍ ମନେ କରୁଛୁ ତ ଆମର ବିଶ୍ୱାସୀ କୋଠିଆ ଭଜନ ନାୟକକୁ ପଠା ।

 

‘ତା ହାତରେ ବେଶି ନୁହଁ, ଟଙ୍କା ପଚାଶଟି, କିଛି ଚାଉଳ, ଡାଲି, ଆଚାର ଏମିତି ଯାହା ତୋର ମନ, ପଠାଇଦେ । ପୁରୁଣା ଶାଢ଼ି ଦି’ ଖଣ୍ଡ ବି ପଠାଇବାକୁ ଭୁଲିବୁ ନାହିଁ ।’

 

‘ଚିଠି ଖଣ୍ଡେ ଲେଖିଦେବୁ ମା’, ମୋର ହୋଇ ଲେଖିବୁ ଯେ ତରତର ହୋଇ ଫେରିବ ନାହିଁ । ତପସ୍ୟା ଆଚରି ଅଚଳ ଅନ୍ଧୁଣୀ ଶାଶୁର ସେବା କରୁଥା । ଧରମ ହେବ । ଯେତେଦିନ ବୁଢ଼ୀ ବଞ୍ଚିଛନ୍ତି ଭଲରେ ବଞ୍ଚନ୍ତୁ । ଛାଆଁକୁ ମରିଗଲେ ତ ତରିଯିବେ ।’

 

ଆହୁରି ଲେଖିଦେ-ବିଶି ବିଶୋଭା ଚଞ୍ଚର୍ଗ କରି ତା’ ଶାଶୁଙ୍କଠଉଁ ଘରଢିଅଟା ଲେଖେଇ ନେଇଛି । ସେପୁରକୁ ଗଲାବେଳେ ସେ ଘରଢିଅଟାକୁ ମୁଣ୍ଡରେ ବୋହି ନେଇଯାଉ ।

 

‘ଶୋଭାର ତ ଲୋଡ଼ା ନାହିଁ । ସେ ସାନ୍ତରାପାଟଣାର ଖୁଣ୍ଟିଆଙ୍କର ଝିଅ ହୋଇସାରିଛି ।’

 

‘ଆଉ ଯାହା ମନ, ଲେଖିଦେବୁ, ମା’ । ପୁଣି ଲେଖିବୁ ଆନନ୍ଦର ଖବର କେଉଁଠୁ ଶୁଣି ଓଲମୀଟା କାନ୍ଦିଲା କାହିଁକି ? ଗେହ୍ଲାରେ ବଢ଼ି ସେ ଅଳସୁଆ, ଉତ୍ସୃଙ୍ଖଳ, ଦାୟିତ୍ୱହୀନ ହୋଇଥିଲା । ଛଅଟା ମାସ ମଣ ହୋଇଆସୁ । ଦାଗୀ ତାଲିକାରେ ସରକାର ଘରେ ତା’ ନାଁ ଉଠିବ, ଉଠୁ । ଚାକିରି ପାଇଁ ହାତଯୋଡ଼ି ଗୋଡ଼ ଭାଙ୍ଗି କେଉଁଠି ଠିଆ ହେବ ନାହିଁ ତ ।’

 

‘ବିଲମାଟି ହିଡ଼ରେ ଲଦି ଲଦାଇ ପାରିଲେ ସେ ଖୁସି ଆନନ୍ଦରେ ଚଳିବ । ଅସଲ ହେଲା, ମଦଖିଆ ବେଭାର ଛାଡ଼ିବ । ଠକ, ଧପାଦିଆ, କୁଚକ୍ରୀ ସାଙ୍ଗଙ୍କୁ ଛାଡ଼ିବ । ଭବିଷ୍ୟ ପାଇଁ ସତର୍କ ହେବ ।’

 

ଏମିତି ଲେଖି ଭଜନା ହାତରେ ଚିଟାଉ ପଠାଇଦେ । ମୋ ମନକୁ ଗୋଟିଏ କଥା ଆସୁଛି-। ମୋ ନାମରେ ତ ଚିଠି ଲେଖିବୁ ଲେଖି ଦେ ମୋ ଶୋଭାକୁ, କେବେ ସିନା ତୁ କଅଣ ଥିଲୁ, ଏବେ ତୁ ଖୁଣ୍ଟିଆଘରର ବଡ଼ଝିଅ । ନିଜ ସନମାନ, ନିଜ ବଡ଼ପଣରେ ମୁଣ୍ଡ ସିଧାକରି ଚାଲିବୁ-

 

‘ବିଶି ବିଶୋଭାକୁ, ଯଦି ତା’ ମନ, ସେ କହିଦେବ-ଆମର ଘୁଅ ପଡ଼ିଆର ଚଉଠକ ସଙ୍ଗେ ବିଶୋଭା ତା’ର ସବୁ ଭୂମିବାଡ଼ି ଯୋଡ଼ି କିଛି କଲେ ସବୁତକ ତା’ର କେଉଁ କ’ଣରେ ଛପିଯିବ । ଯେଉଁ ଅନ୍ଧୁଣୀ ବୁଢ଼ୀର ସେ ସର୍ବନାଶ କରିଛି, ସର୍ଗପୁରରେ ଢିଅଟା ତା’ର ଲୋଡ଼ା ହେବ ନାହିଁ । ନରକରେ କେଜାଣି ସେହି ବିଶ୍ୱାସରେ ବିଷଦିଆ ବିଶୋଇଙ୍କର ଲୋଡ଼ା ହୋଇପାରେ ।

 

ରୋଗଣା, ଅଚଳିଆ ଦେହର ବ୍ୟଥିତ ଦୁର୍ବଳ ମନଟି ତାଙ୍କର ଶୋଭାର ଦୁଃଖରେ ଆଲୋଡ଼ିତ ହେଇଥିଲା । ତାଙ୍କର ସହାନୁଭୂତି ଉଛୁଳି ପଡ଼ିଥିଲା ।

 

ନହୁଲୀ ଏହା ବୁଝିଲା ।

 

ସାନ୍ତ୍ୱନା ଦେବାକୁ ସେ ତା’ର ଶାଶୁଙ୍କୁ କହିଲା, “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେମିତି କହିଲେ, ସେମିତି ଚିଠି ଲେଖିବି । ଆମ ଘରୁ ଯେଉଁ ଭାର ଆସିଛି...’’

 

ତା’ ତୁଣ୍ଡରୁ କଥା ଛଡ଼ାଇନେଇ ନହୁଲୀର ଶାଶୁ ମୋତିମାଳା ପୁଣି କହିଲେ ‘ଭଲା ମନେପକାଇଲୁ । ସେଥିରୁ କିଛି, ତା’ ସଙ୍ଗରେ ପୁଞ୍ଜାଏ ନଡ଼ିଆ ଆଉ ପୁଡ଼ିଏ ବଡ଼ି ତା’ ପାଇଁ ପଠାଇଦେବୁ ।

 

ନହୁଲୀ ମୁଣ୍ଡ ହଲାଇ ତୁଣ୍ଡ ନ ଖୋଲି ସମ୍ମତି ଜଣାଇଲା । ଭାବିଲା, ତା’ ଶାଶୁ ତାଙ୍କ ପୁଅଙ୍କ ସମ୍ବନ୍ଧରେ ଲେଖିବାକୁ ଯାହା ଉପଦେଶ ଦେଲେ, ସେତକ ସେ ଶୋଭାକୁ ଲେଖିବ କି ନାହିଁ-

 

ନହୁଲୀର ମନ ମାନିଲା ନ।ହିଁ । ସେ ବିଚାରିଲା, ଏକମାତ୍ର ସନ୍ତାନର ସର୍ବସହା ଜନନୀ ନିଜକୁ ଆଶ୍ୱାସନା ଓ ତାକୁ ସାନ୍ତ୍ୱନା ଦେବାକୁ ଏହା ପ୍ରକାଶ କଲେ ପରା । ପୁଅଙ୍କ ସମ୍ବନ୍ଧରେ ଦୁଃସମ୍ବାଦ ପାଇଲା ଦିନରୁ ସେ ନିରୋଳାରେ ଆଖିରୁ ଲୁହ ଢାଳୁଛନ୍ତି । ଆହାର ଅଧା ବି ଭୁଞ୍ଜୁ ନାହାଁନ୍ତି ।

 

ଯାହା ପ୍ରକୃତ ଘଟଣା ତାହାହିଁ ଲେଖିବ । ଶୋଭା ଜାଣୁ , ତା’ର ଅନୁପସ୍ଥିତିରେ ଏ ସଂସାର କିପରି ଚାଲିଛି ।

 

ଶିବ ରାଉତରାୟ ଅଲେଖର ବାହାଘର ପାଇଁ ସବୁ ଆୟୋଜନ କରାଉଥିଲେ । ତାଙ୍କ ଘରର ସବୁ କବାଟ ସହାୟକ କର୍ମୀମାନଙ୍କ ପାଇଁ ଖୋଲା ରହିଥିଲା ।

 

ଯେଉଁ ପରଶୁ ଜେନା ତାଙ୍କୁ ଶିଖାଇ ମଣାଇ, ନିଜେ ଖଟି ତାଙ୍କୁ ଖଟାଇ, କର୍ମର ମହତ୍ୱ ତାଙ୍କ ଚିନ୍ତାରେ ଆଙ୍କିଥିଲେ, ଜାଣ ତାଙ୍କରି ପାଇଁ, ବିକଳ ଉଦ୍‌ବେଗର ଅସାବଧାନତା ହେତୁ ଅନ୍ଧକାରରେ କାଳସର୍ପର ଆଘାତରେ ଜୀବନ ହାରିଥିଲେ, ତଙ୍କରି ଏକମାତ୍ର ପୁତ୍ରର ବାହାଘରର ଦାୟିତ୍ୱ ସେ ନିଜର ମୁଣ୍ଡକୁ ନେଇଥିଲେ ।

 

କୁସୁମ ଖୁଡ଼ୀଙ୍କର ଆଗ୍ରହ ଓ ଇଚ୍ଛା ପୂର୍ଣ୍ଣ କରିବାକୁ ସେ ଚେଷ୍ଟା କରୁଥିଲେ । ଗ୍ରାମର ସବୁଲୋକ ବରଯାତ୍ରୀ ହୋଇ ଜୟୀ ନାୟକଙ୍କ ଘରକୁ ଯିବେ । ଏତେ ଲୋକଙ୍କର ଚର୍ଚ୍ଚା କରିବାକୁ ଜୟୀ ନାୟକଙ୍କର ସଙ୍ଗତି ନ ଥିବ । ଲୋକବଳ ତ ନାହିଁ । ତାଙ୍କୁ ସାହାଯ୍ୟ କରିବାକୁ ହେବ ।

 

ତାଙ୍କ ସଙ୍ଗେ ପରାମର୍ଶ କରି ଦୁଇପକ୍ଷର କାର୍ଯ୍ୟର ଦାୟିତ୍ୱ ନେବାକୁ ଦୁଇଦଳ ସେଚ୍ଛାସେବକ ନିରଳସ କର୍ମୀ ନିଯୁକ୍ତ ହୋଇଥିଲେ । ଉଭୟ ପକ୍ଷକୁ ପରାମର୍ଶ ଦେବେ ନିଜେ ଜୟୀ ନାୟକ । ଆବଶ୍ୟକ ହେଲେ, ଅବା ସମ୍ବଳର ଅଭାବ ହେଲେ ମୁକ୍ତହସ୍ତ ଶିବ ରାଉତାରାଙ୍କର ଉପଦେଶ ନେବାକୁ ହେବ ।

 

ସେ ଯାହା କହିବେ ସେଇଆ ହେବ । ଜଣେ ନିସ୍ୱାର୍ଥ ବୁଦ୍ଧିମାନ ବ୍ୟକ୍ତିକୁ ମୁରବି ବୋଲି ମାନି ନ ନେଲେ ଛୋଟବଡ଼ କୌଣସି କାମ ସୁରୁଖୁରୁରେ ହୁଏ ନାହିଁ । ବାରଭାଇ ଆଖଡ଼ାରେ ଗୋଇ ଖୋଳାଖୋଳି, ପାଟିତୁଣ୍ଡ, ମନ ଫଟାଫଟି, ଅକାରଣ ଶତ୍ରୁତା କେବଳ ସାର ହୁଏ ।

 

ଏକଥା ରାଉତପାଟଣାର ସମସ୍ତେ ବୁଝିଲେଣି ।

 

ଗାଆଁର ସେମୁଣ୍ଡ ପରଶୁ ଜେନାଙ୍କ ଘର ପାଖରୁ ଜୟୀ ନାୟକଙ୍କର ଘର ଆଗଦେଇ ପୀରଙ୍କ ଆସ୍ଥାନ ଯାଏ ଗ୍ରାମରାସ୍ତା ଠାଏ ଠାଏ ଖଣ୍ଡିଆଖାବଡ଼ା ହୋଇଥିଲା । କେତେ ଜାଗାରେ ଆଣ୍ଠୁଏ ଗହିଡ଼ାର ଖାଲ ଖମାଣ ହୋଇଥିଲା । ସେଥିରେ ବାଲି ଭରି, ତା’ ଉପରେ ମୁରମ ବିଛାଇ ଦୋରସ୍ତ କରାଇବାର ଦାୟିତ୍ୱ ଧୋବ ଫରଫର ଲମ୍ବା ଦାଢ଼ିଆ ମନିମ୍ ମିଆଁ ହାତକୁ ନେଲେଣି ।

 

ଜାଣ, କାମ ହେଲା ।

 

ମନିମ ମିଆଁ କହିଥିଲେ ‘ବାଣ ଫୁଟାଇ ପଇସାରେ ନିଆଁ ଲଗାହେବ ନାହିଁ । ଗ୍ୟାସ ଆଲୁଅ ନ ଜଳିବ କିପରି ? ଆମରି ସାହିରେ କିସମ୍ କିସମ୍‌ର ଝାଡ଼ ଅଛି । ଗଣ୍ଡା ଗଣ୍ଡା ପେଟ୍ରେମାକ୍‌ସ ଅଛି । ପର ଗାଁର ଲୋକେ ଭଡ଼ାରେ ନେଉଛନ୍ତି । ନିଜ ଗାଆଁର କଥା ତ । ଆମ ପିଲାଙ୍କୁ କହିଦେବି ସେମାନେ ତା’ର ବ୍ୟବସ୍ଥା କରିବେ । କେତେ କାର୍‌ବାଇଡ଼୍ ଲାଗିବ ତା’ର ହିସାବ ସେମାନେ ଜଣାଇବେ ।

 

...ସେତକ ସହରରୁ କିଣାଇ ଆଣିବେ ଜୟୀ ନାୟକେ । ଆର ଗାଁରେ ବାଇଦ ଓ ମହୁରୀର ଅଭାବ ନାହିଁ । ଆଗରୁ ବହିନା ଦେଲେ ଠିକ୍ ବେଳରେ ସେମାନେ ଆସି ପହଞ୍ଚିବେ ।

 

...‘ଜୟୀ ନାୟକ ସେହିସବୁ କାର୍ଯ୍ୟର ବ୍ୟବସ୍ଥା କରାଇବେ ବୋଲି ସମ୍ମତ ହେଲେ । ଦୁଇ ପକ୍ଷର ତତ୍ତ୍ୱ ସେ ମଧ୍ୟ ନେଉଛନ୍ତି ।’

 

ପରଶୁ ଜେନାଙ୍କ ପୁଅ ବାହାଘର କିନ୍ତୁ ନ ଜାଣିଲା ଲୋକେ ଅନୁମାନ କରିବେ ସତେ ରାଉତରା ସାଆନ୍ତଙ୍କ ଘର କେଉଁ ପୁଅଟିର ନିମିତ୍ୟ ହେଉଛି । ନୋହିଲେ, ଶିବଦାସ ରାଉତରା ହାତଖୋଲା ଖରଚ କରୁଛନ୍ତି କାହିଁକି ? ସବୁ ବରାଦ କରୁଛନ୍ତି କାହିଁକି ? ଜେମାଦେଈ ବାରମ୍ୱାର ଜେନାଙ୍କ ଘରକୁ ଆସି ପରଶୁଙ୍କ ଘରଣୀ କୁସୁମକୁ ଉପଦେଶ ଦେଉଛନ୍ତି ।

 

କୁସୁମର ସମୁଦୁଣୀ ମୋତିମାଳା ନହୁଲୀର ହାତରେ ଯେଉଁ ଚିଠିଖଣ୍ଡି ଲେଖାଇଥିଲେ ତାକୁ ମାଗି ନିଜେ ଜେମାଦେଈ ପଢ଼ିଛନ୍ତି । ପଢ଼ିସାରି ସେ ଗମ୍ଭୀର ହୋଇ ବସି ରହୁଛନ୍ତି ।

 

କାହିଁକି ସେଦିନ ଦି’ପହରେ ଭିତର ପାଖର ବାରଣ୍ଡାରେ ବସି ଗୁଆ କାଟୁଥିବାବେଳେ ତାଙ୍କର ଶୁଖିଲା ଆଖିରେ ଲୁହ ଛଳଛଳ ହେଲା ?

 

କୁସୁମ ବାରି ସଫା କରୁଥିବା ମୂଲିଆମାନଙ୍କର କାମ ଦେଖି ଦୁଃଖନର ବରାଦ ପ୍ରକାରେ ଛାମୁଡ଼ିଆଟି ତିଆରି ହେଉଛି କି ନାହିଁ ବୁଝି, ଅଗଣାକୁ ଫେରି ଆସିଥିଲା ।

 

ବଳିଆକୁ ଆଦେଶ ଦେଇଆସିଥିଲା, “ବାବୁରେ, ବଗିଚାର ଏମୁଣ୍ଡରୁ ସେମୁଣ୍ଡ ରାସ୍ତାକଡ଼ଯାଏ ନିଜେ ତୁ ପରୀକ୍ଷା କରି ଦେଖିବୁ, ଏତେ ଟିକିଏ ଅରମା, ହୁଙ୍କା, ମୂଷାଗଡ଼ ଅବା ପୁରୁଣା ହୁଙ୍କାର ଗାତ ରଖାଇ ଦେବୁନାହିଁ ।’’

 

“କେତେ ଲୋକ ଯାଆସ କରିବେ । ପିଲଛୁଆଁ ଆସି ଏପାଖ-ସେପାଖ ଧାଇଁବେ । ଜାଣି ତ ସେମାନଙ୍କର ବଗୁଲିଆ ଖୋଇ । ଖେଳ ସଙ୍ଗେ ସଙ୍ଗେ ଖୁରିଖଳବ ଲାଗି ରହିଥାଏ । ତାଙ୍କ ଉପରେ କେହି ନଜର ରଖିପାରିବେ ନାହିଁ ।’’

 

‘ଜାଇଁଲୁରେ ବଳି, ନ-ନୁଆଁଣି, ବିଷାକ୍ତ ପୋକଜୋକଙ୍କୁ ମୋର ପ୍ରାଣେ ଡର । ଦୁଃଖନ ରାଉତରାୟ ଅଲେଖକୁ ଏଇଆ କହୁଥିଲାବେଳେ ମୁଁ ଶୁଣିଛି । ଅଲେଖକୁ ସଙ୍ଗରେ ନେଇ କେତେବେଳୁ ସେ ତାଙ୍କ ଘରକୁ ଗଲେଣି । ତୋ ଭାଇ କାଳିଆକୁ ଘର ଜଗାଇ ଅପା ସାଆନ୍ତାଣୀ ତ କେତେବେଳୁ ଆସିଲେଣି ।’

 

‘ମୁଁ ଯେମିତି କହିଲି, ତୁ କରିବୁ । ତାଙ୍କ ପାଖକୁ ଅଗଣାକୁ ମୁଁ ଯାଉଛି ।’

 

ଅଗଣାକୁ ଆସି କୁସୁମ ଜେମାଦେଈଙ୍କ ଆଗରେ ମସିଣା ଉପରେ ବସିଲା । ତାଙ୍କର ଆଖି ଛଳଛଳ ଦେଖି କୁସୁମ ଛାନିଆ ହେଲା । କି ଦୁଃଖ ଏବେ ତାଙ୍କ ଆଖିରେ ଲୋତକ ଆଣିଛି ସେ ବୁଝନ୍ତା କିପରି ?

 

ପଚାରିବାକୁ ଦେ-ଦୋ-ପାଞ୍ଚ ହେଲି ।

 

କେତେଦିନ ତଳେ, ତାଙ୍କରି ଗାଦିଗୋସେଇଁଙ୍କ ଘରେ ପୋଥିଗାଦିଙ୍କୁ ଓଳଗି ହୋଇ ମୁଣ୍ଡ ଟେକିଲାରୁ ତାଙ୍କ ଆଖିରୁ ଦି’ଧାର ଲୁହ ଝରିଆସିବାର ସେ ଦେଖିଥିଲା । ଠିକ୍‌ ମନେନାହିଁ, କେତେମାସ ତଳେ । ତେବେ, ଚାରିମାସ ବି ହୋଇପାରେ ।

ସେଦିନ କୁସୁମ ନିଜେ ବି ତାଙ୍କର ଗାଦିଗୋସେଇଁଙ୍କୁ ଓଳଗି ହେଇଥିଲା । ଗୋଟାଏ ପୁରୁଣା, ବର୍ଷାମାଡ଼ଖିଆ ନିର୍ଜୀବ ହୁଙ୍କା, ଅବା କେଉଁ ଆଚମ୍ବିତ ଅଲୌକିକ ପ୍ରବାଦଗୁଡ଼ିଏ ରଟୁଥିବା ଦାଢ଼ିଆ ନଙ୍ଗୁଳୀ-ବାବାଜିଙ୍କର ଶିଉଳିଲଗା ମସିଆ ସମାଧିପୀଠ ପରି ସେ ପୋଥିଗାଦିଙ୍କୁ ମଣିଥିଲା-

 

ପଚାରିଥିଲା, ‘କ’ଣ ଭାବି କେବକାର ପୋଥିଗୁଡ଼ିକର ଗାଦିଗୋସେଇଁଙ୍କୁ ତ ଓଳଗି ହେଲ, ଆଖିରେ ଲୁହ ଆଣିଲ କାହିଁକି, ଅପା ସାମନ୍ତୁଣୀ ?’

 

ସେ ଆଖି ପୋଛିଥିଲେ । କହିଥିଲେ, “କୁସୁମ ଲୋ, ରାଉତରା ବଂଶର ସାତପୁରୁଷ କି ଆହୁରି ଅଧିକ ପୁରୁଷର ଗୁଣୀ ରାଉତରାମାନଙ୍କର ମନର ଆଗ୍ରହ, ଆଖିର ଜ୍ୟୋତି, ହାତର ପରଶ ସେହି ପୋଥିମାନଙ୍କରେ ଲାଖିରହିଛି ।’’

 

‘ସେହିମାନଙ୍କୁ ସୁମରଣା କରୁଥିଲି । ସେମାନଙ୍କୁ କହୁଥିଲି-ତମର ବଂଶର ଥିତିକୁ ଭବିଷ୍ୟତକୁ ଲମ୍ବାଇଦେବାକୁ ଦୁଃଖନକୁ ଭଲ ବୁଦ୍ଧି ଦିଅ । ଘରକୁ ବୋହୁଟିଏ ଆଣିବାକୁ ସେ ରାଜି ହେଉ । ସେ ଖାଲି ମୁଣ୍ଡ ହଲାଇ ଦେଉଛି ଲୋ କୁସୁମ । କହୁଛି ତରତର କାହିଁକି ?’

 

‘ଗାଦିଗୋସେଇଁଙ୍କୁ ମୁଁ କହୁଥିଲି-ଯିଏ ବୋହୁ ହୋଇ ଆସିଥାନ୍ତା, ତାକୁ ସିନା ତମୁକୁ ସମର୍ପି ଦେଇଥାନ୍ତି ଗୋସେଇଁମାନେ, ସେଇଠୁ ମୁଁ ମୋର ତୀର୍ଥଭୂମି ସିଂହପୁରକୁ ଯାଇ ମହାପାତ୍ରଘର ମଶାଣିରେ ଜୁଇ ଘେନିଥାନ୍ତି ।’

 

‘କୁସୁମ ଲୋ, ଦୁଃଖନର ବାହାଘର ପ୍ରସଙ୍ଗ ଉଠିଲେ ଏବେ ସେ ଆଉ ହିଁ କି ନାହିଁ କିଛି କହୁ ନାହିଁ । ଖାଲି ଟିକିଏ ହସୁଛି । ଜିଗର୍‌ କଲେ କହୁଛି ତରତର କାହିଁକି ?’

 

‘ଯାହାକୁ ତା’ର ମନଲାଖି କରି ମୁଁ ଶିଖାଇଥିଲି, ଯାହାକୁ ସେ ଏତେ ସ୍ନେହ କରୁଥିଲା, ମନ ଖୋଲି ମତେ ସେକଥା ସେ କେବେ କହି ନ ଥିଲା ।’

 

ରାଉତରା ଘରର ସବୁ ଚଳନର ରୀତି ସେ କେଡ଼େ ଆଗ୍ରହରେ ଶିଖିଥିଲା । ପିଲାଟା ତ ସେ, କେମିତି ତା’ର ସ୍ନେହ କାହା ପାଖରେ ବିଶେଷରେ ମୋ ପାଖରେ ପ୍ରକାଶ କରିଥାନ୍ତା ?

 

‘ଭାଇଭଉଣୀ ପରି ସେମାନଙ୍କର ସରଳ, ନିର୍ମଳ, ନିଃସଙ୍କୋଚ କାରବାର । ମୁଁ ଚଣ୍ଡାଳୁଣୀ କିପରି ମନରେ ଧାରଣା ଆଣନ୍ତି ଯେ ସେମାନେ ପରସ୍ପରକୁ ଭଲପାଉଥିଲେ ? ଅପବାଦ ପ୍ରଚାର ନିଶ୍ଚୟ ଦୁହିଁଙ୍କ ମନରେ ସଙ୍କୋଚର ଭାବ ଆଣିଥିଲା ।’

 

‘ମୁଁ କାହାରି ଦୋଷ ଦେଉନାହିଁ । ଦଇବ ଦଉଡ଼ି ମଣିଷ ଗାଈଟି । ସେହି ନିୟତିର ଦଉଡ଼ି କାହାକୁ କୁଆଡ଼କୁ ଓଟାରି ନେଉଛି କିଏ କେମିତି ଆଗରୁ ଜାଣନ୍ତା ?’

 

‘କୁସୁମ ଲୋ, ନହୁଲୀର ସେହି ଚିଠିକୁ କେତେଥର ସେ ଟୋକା ପଢ଼ିଛି । ସେହି ଚିଠି କଥା ଦିନେ ପଡ଼ିବାରୁ ସେ ମୋ ଆଖିର ଅମାନିଆ ଲୁହକୁ ଦେଖି ହସହସ ହେଲା । କହିଲା-ଅପା, ତୁ ମୋଟେ ଦୁଃଖ କରନା । ପୁରୁଣା ଘଟଣା ଓ ତା’ର ସେ କାଳର ଅନୁଭବ ନହୁଲୀ କେବଠାରୁ ଲେଖିଲେଖି ଆସୁଥିଲା ।’

 

...ସେବକା ନହୁଲୀ ଏବକା ନହୁଲୀ ନୁହେଁ । ଅରଣ୍ୟର ଅଜଗର ପରି ସେ ତା’ର କର୍ମର କଷଣ ସହି ପାଷଣ ପରି ଟାଣ ହୋଇସାରିଛି । ଏବକାର ଜୀବନ ତାକୁ ଆରେଇ ଗଲାଣି ।

 

....ସମସ୍ତଙ୍କ ଜୀବନକୁ ନିଜନିଜର ପରିବେଶ ଓ ଚଳନର ଜଞ୍ଜାଳ ବେଢ଼ି ରହିଛି । ତା’ରି ଭିତରେ ପ୍ରତ୍ୟେକ ବ୍ୟକ୍ତି ସୁଖ ଓ ଆନନ୍ଦ ଖୋଜେ । ତୋ ପରିକା ଅଭିଜ୍ଞତାର ଖଣି ଓ ଗୁଣୀକୁ ମୁଁ ଛାର କ’ଣ ବୁଝାଇ କହିବି ?

 

...ନହୁଲୀ ପାଇଁ ତୁ ମୋଟେ ଚିନ୍ତା କରନା । ସେ ତା’ର ଭାଗ୍ୟକୁ ଆଦରି ସାରିଛି ।

 

‘କୁସୁମ ଲୋ, ଦୁଃଖନ ହସହସ ନିର୍ବିକାର ହୋଇ ପଦାକୁ ବାହାରିଯାଉଣୁ ମୁହଁ ପୋଛିଲା ତା’ର ପିନ୍ଧାଲୁଗାର କାନିରେ । ସତେ ସେ ମୁହଁ ପୋଛୁଥିଲା, କି ଆଖିରୁ ଲୁହ ପୋଛୁଥିଲା, ମୁଁ ଜାଣିପାରିଲି ନାହିଁ ।’

 

ସେହି ଦୃଶ୍ୟଟି ମୋର ଏବେ ମନେପଡ଼ିଗଲା । ଭାବୁଥିଲି, ଦୁଃଖନକୁ ସଂସାରୀ ନ କରି, ଦୁଃଖରେ ହନ୍ତସନ୍ତ ହୋଇ ମୁଁ କ’ଣ ଆଖି ବୁଜିବି ? ମୋର ଡହଳ-ବିକଳ ଛଟପଟ ଝୁରିଲା ଆତ୍ମାଟା ଅମୋକ୍ଷ ହୋଇ ଏଇଠି ବୁଲୁଥିବ ?’

 

ଜେମାଦେଈ ଆଖି ପୋଛି, ଗୁଆ ଭାଙ୍ଗିବାରେ ମନଦେଲେ । କୁସୁମ ଥକା ହୋଇ ବସିରହିଲା । ଦୀର୍ଘଶ୍ୱାସ ଛାଡ଼ିଲା । ବିଚାରୁଥିଲା, କ’ଣ କହି ସେ ବୃଦ୍ଧାଙ୍କୁ ସାନ୍ତ୍ୱନା ଦେବ ?

 

ତାକୁ ବୁଦ୍ଧି ଦିଶିଲା । ସେ କହିଉଠିଲା, ‘ଅପା ଗୋ, ତମେ ହତାଶ୍‍ ହୁଅନା । ଦୁଃଖ କରନା । ସଂସାର କରିବାକୁ ଦୁଃଖନ ସାଆନ୍ତଙ୍କୁ ଯିଏ ପ୍ରବର୍ତ୍ତାଇ ପାରିବ, ମଙ୍ଗାଇ ପାରିବ, ସେ ଶୀଘ୍ର ଆସି ପହଞ୍ଚିବ । ଏତେ ଭାବନା କାହିଁକି ?’

 

ଗୁଆଭଙ୍ଗା ସ୍ଥଗିତ ରଖି ଜେମାଦେଈ ଆଗ୍ରହରେ ମୁହଁ ବୁଲାଇଲେ । ପଚାରିଲେ, ଏଡ଼େ ପାରିଲାର କିଏ ଅଛିଲୋ, ଅତଟକୁ ତଟ କରାଇ ପାରିବ ? ପାଷାଣକୁ ତରଳାଇବ ?

 

କୁସୁମ ଉତ୍ତର ଦେଲା , ‘ସେ ଜଣକ ମୋର ପରଘରୀ ଝିଅ, ତମର ଗେଲବସରୀ ନହୁଲୀ । ତମେ ଜାଣ, ଦୁଃଖନ ତାକୁ ସ୍ନେହ କରନ୍ତି । ତା’ କଥା ତଳେ ପକାନ୍ତି ନାହିଁ । ଶୀଘ୍ର ସଂସାରୀ ହେବାକୁ ଦୁଃଖନ ସାଆନ୍ତଙ୍କୁ ସେ ନିଶ୍ଚୟ ମଙ୍ଗାଇପାରିବ । ପରଘରୀ ଝିଅର ମମତା ଅଧିକ । ସଙ୍କୋଚଭାବ କଟିଯାଇଥାଏ ।’

 

‘ତାକୁ ପଠାଇବାକୁ ତା’ର ଶାଶୁ ରାଜି ହୋଇଥିଲେ । ତମେ ଜାଣ ଅପା, ତା’ରି ହାତରେ ଚିଠି ଲେଖାଇଥିଲେ । ନହୁଲୀ ଗୋଡ଼ ଟେକି ବସିଥିବ । ଗୁଆ ଆଉ ନିମନ୍ତ୍ରଣ ଚିଟାଉ ନେଇ ଫଗୁମଣି ଏବେ ଯାଇଥିଲେ ।

 

‘ନହୁଲୀର ବଡ଼ ପିଉସାଙ୍କ ନାମରେ ଚିଟାଉ ଚଳିଛି । ସେ ଆସି ଦି’ ଦିନ ରହି ତାଙ୍କର କେଉଁ ଜରୁରୀ କାମରେ ଗାଁକୁ ଫେରିଗଲେ । ମଙ୍ଗନର ଆଗଦିନ ଆସିବେ । ସେହି ତ କର୍ତ୍ତା ହେବେ ।’

 

‘ଫଗୁ ବାରିକ କହୁଥିଲେ-ସମୁଦୂଣୀଙ୍କର ଦେହ ଭଲ ନ ଥିଲା । ନହୁଲୀ ତାଙ୍କର ସେବା କରିବାରେ ଲାଗିଥିଲା ।’

 

‘ବୁଢ଼ୀ ତାକୁ କହିଲେ, ଦିନ ଦୁଇଟାରେ ସେ ଝାଡ଼ିଝୁଡ଼ି ହୋଇ ଉଠିବେ । ଏବେ ତାଙ୍କୁ ପାଳିଜର ହେଉଛି । ଔଷଧ ଖାଇଲେ ଦିନ ତିନିଟାରେ ଭଲ ହୋଇଯାଉଛି ।’

 

ଅପା ଗୋ, ଫଗୁମଣି ହାତରେ ତ ଆମ ସମୁଦୁଣୀ ମଙ୍ଗନଓତା ଓ ବେଭାର ଆଉ ଭାର ପାଇଁ ଟଙ୍କା ଶହେଟି ପଠାଇ ଦେଇଥିଲେ ।

 

‘ଖବର ଦେଇଥିଲେ, ସେ ନିଜେ ତ ଅପାରଗ ହୋଇପଡ଼ିଛନ୍ତି । ବୋହୁ ନହୁଲୀ ସେବା କରିବ ନା ପୁଅକୁ ସମ୍ଭାଳିବ, ନା ଘରକଥା ବୁଝିବ ? ଚାକରାଣୀ ଶୋଭାଟି ଯିଏ ଘରର ସବୁ ତତ୍ତ୍ୱ ନେଇଥିଲା, ସେ ତା’ ଶାଶୁଘରୁ ଫେରିନାହିଁ । ନହୁଲୀ ଉପରେ ସବୁ ଦାୟିତ୍ୱ ପଡ଼ିଛି । ଭାରଥୋର ଯୋଗାଡ଼ିବ କିଏ ?’

 

ଜେମାଦେଈ ପଚାରିଲେ, “ଝିଅ ଚିଠି ଦେଇ ନାହିଁ ?’

 

କୁସୁମ କହିଲା, ‘ନାହିଁ ଗୋ ଅପା । ଫଗୁମଣିଙ୍କ ହାତରେ ଖବର ଦେଇଛି ଯେ ସେ ଗୋଡ଼ ଟେକି ଚାହିଁ ବସିଛି । ଖାଲି ଅପେକ୍ଷା କରି ରହିଛି ଶୋଭାକୁ ।’

 

‘ସେ ତ ତାଙ୍କ ଘରର ବିଶ୍ୱାସିନୀ ଚାକରାଣୀ । ତାର ଅନ୍ଧୁଣୀ ଦରପାଗେଳି ଅଚଳ ଶାଶୁଟି ଏବଯାଏ ବଞ୍ଚିରହିଛି । ନରକ ଯନ୍ତ୍ରଣା ଭେଗୁଛି ।’

 

କେମିତି ତାକୁ ଛାଡ଼ି ଶୋଭା ନହୁଲୀର ଘରକୁ ବାହୁଡ଼ି ଆସିବ ଲୋ କୁସୁମ ? ନିଜ ପାଇଁ ନରକର ବାଟ ସଫା କରିବ ?’

 

କୁସୁମ ପଚାରିଲା, “ମୋ ଝିଅ ନହୁଲୀ କ’ଣ ତେବେ ଆସିପାରିବ ନାହିଁ ? ଯଦି ତା’ର ଶାଶୁଙ୍କର ଦେହ ଭଲ ନ ଥାଏ ?’’

 

ଜେମାଦେଈ କହିଲେ, “କାହା ସଙ୍ଗେ କାହାକୁ ତୁଳୁଛୁ ? ଶୋଭା ଆଉ ନହୁଲୀ କ’ଣ ସମାନ ? କାହିଁ ନିଆଶ୍ରୀ ଚାକରାଣୀଟି, ଆଉ କାହିଁ ଧନୀ ସାମନ୍ତରା ଘରର କୁଳବଧୂ ରାଜରାଣୀ ନହୁଲୀ ।’’

 

‘ତା’ ଶାଶୁ ତା’ ହାତରେ ଯେଉଁ ଭାଷା ଲେଖାଇ ପଠାଇଥିଲେ, ସେଥିରୁ ମୁଁ ବୁଝିଲି, ନହୁଲୀକୁ ସେ ଝିଅଠାରୁ ବଳି ଅଧିକ ସ୍ନେହ କରନ୍ତି । ଆହୁରି ବୁଝିଲି, ତାଙ୍କ ମନରେ ଅସୀମ ସାହସ ଓ ଧୈର୍ଯ୍ୟ ଅଛି । ସେ ସର୍ବସହଣୀ । ଭାଙ୍ଗିପଡ଼ିବାର ମଣିଷ ନୁହଁନ୍ତି ।’

 

‘ନହୁଲୀର ମନରେ ସେ କେବେ ଦୁଃଖ ଦେବେ ନାହିଁ । ଏତେବଡ଼ ଗ୍ରାମରେ ବହୁତ ଲୋକ ତାଙ୍କର ଅନୁଗତ ଥିବେ । ନହୁଲୀକୁ ସାତ ଆଠ ଦିନ ପାଇଁ ଏଠାକୁ ପଠାଇଲେ ତା’ ଅନୁପସ୍ଥିତିରେ ଘରେ ତାଙ୍କୁ ସାହାଯ୍ୟ କରିବାକୁ ସେ ସହଜରେ ଲୋକ ଯୋଗାଡ଼ କରିନେବେ ।’

 

କୁସୁମ କହିଲା, ‘ତମର ବିଚାରଣାକୁ ବାଛିବ କିଏ ? ଆଜି ଶନିବାର । ମଝିରେ ଦିନ ତିନୋଟି ବିତିଲେ, ବୁଧବାର ଦିନ ସବାରି ଗଉଡ଼ ଯିବେ । ଦୁଃଖନ କହୁଥିଲେ, ନିଜେ ବାମନ ଦାଦି ତମ ଘରକୁ ଯାଇଥିଲେ । ସେ ସବାରିଟି ବାଛି ଆସିଛନ୍ତି ।’

 

ଜେମା ଦେଈ କହିଲେ, “ବାମନ ଭୁତିଆ ଯାଇଥିଲେ ତ । ଦୁଖଃନ ଆଉ ସେ ସବାରିକୁ ପରିଷ୍କାର କରି ସଜାଇଦେଲେ । ଗଲାବେଳକୁ ଖାଲି ସବାରିଟି ଶୂନ୍ୟେ ଶୂନ୍ୟେ ଉଡ଼ିଗଲା ପରି ଯିବ । ଆସିଲା ବେଳକୁ ଜଣେ । ଛୁଆକୁ ତା’ ଜେଜେମା ଛାଡ଼ିବ କି ନାହିଁ କେଜାଣି । ଆସିଲେ ତା’ ଓଜନ କେତେ ହେବ ।

 

‘ବାମନ କହୁଥିଲେ, ତାଙ୍କୁ ମିଶାଇ ଛଅ ମୂର୍ତ୍ତି ବେହେରାରେ କାମ ଚଳିବ । ସେମାନଙ୍କ ପାଇଁ ଦୁଃଖନ ଆଗତୁରା କ’ଣ ଟଙ୍କା ଦେଇଛି । ନହୁଲୀ ଆସିଲା ପରେ ବାକି ପାଉଣା ସେ ଛିଣ୍ଡାଇ ଦେବ ।’

 

କୁସୁମ ଆଖି ଛଳଛଳ କରି କହିଲା, “ଦୁଃଖନ ସାଆନ୍ତେ ଏଇ ବାହାଘର ପାଇଁ କେତେ ଧନ ଖରଚ କଲେଣି, ମୁଁ କଳନା କରିପାରୁ ନାହିଁ । ନହୁଲୀର ବାହାଘରବେଳେ ଖୋଲା ହାତରେ ସେ ଆହୁରି ଅଧିକ ଖରଚ କରିଥିଲେ । କେଉଁ ସାହସରେ, ମୁଁ କିପରି ବାରଣ କରିପାରିଥାନ୍ତି ?’’

 

‘ସାତ ଜନମରେ ମୁଁ ଋଣ ଶୁଝିପାରିବି ନାହିଁ । ଏବେ ମୁଁ ମୋ ମନଖୋଲି ସେତେବେଳର ଅବସ୍ଥା କଥା କହୁଛି ।’

 

‘ସାମନ୍ତପାଟଣାର ଆନନ୍ଦ ସାମନ୍ତରାଙ୍କ ବିଷୟରେ ଜୟୀ ନାୟକେ ପ୍ରସ୍ତାବ ଆଣିଲାବେଳେ ସେଥିରେ ଦୁଃଖନ ଉଁ...ଚୁଁ କିଛି କହି ନ ଥଲେ । ତେମେ ତ ଜାଣିଲ । ବାଧା ଦେଲ ନାହିଁ ତ ?’

 

‘ମୁଁ ଭାବିଥିଲି, ଯେଉଁଥିପାଇଁ ଝିଅକୁ ଏତେ ସ୍ନେହ କରିଥିଲ, ପଢ଼ାଇ ଶିଖାଇ ମଣାଇଥିଲ, ସେତକ ମନରେ ରଖି ତମ ତୁଣ୍ଡରୁ ପଦେ ପ୍ରତିବାଦ କଥା ଉଠାଇବ । କିନ୍ତୁ ତୁମେ ତୁନି ରହିଥିଲ । ମୁଁ ବିଚାରିଲି, ଲୋକଙ୍କର କୁତ୍ସାରଟନା ଶୁଣି ତୁମେ...’

 

କୁସୁମର କଥାରେ ବାଧା ଦେଇ ଜେମାଦେଈ କହିଉଠିଲେ, “ତୁନି ରହ କୁସୁମ, ଆଉ ତୁ ତୁଣ୍ଡ ଖୋଲନା । ସେକାଳର କଥା ମୋ ମନେପକାଇ ମୋ ଛାତିରେ ମୁଦ୍‌ଗର ପିଟ୍‍ ନା ।’’

 

ହଇଲୋ, ନହୁଲୀକୁ ମୋ ଅପେକ୍ଷା ଅଧିକ କିଏ ଜାଣେ ? ସୁନାରେ କେବେ କଳଙ୍କ ନ ଲାଗିଲେ ବି ମଇଳା ଏପରି ଝଟକ ଊଣା କରିପାରେ, କିନ୍ତୁ ନହୁଲୀଟି ମୋର ଅମଳିନ ରତ୍ନଟିଏ । ସେମିତି ମୋର ଦୁଃଖନଟି ।

 

‘ଜୟୀ ନାୟକଙ୍କ କଥାରେ ଭୁଲି, ଲକ୍ଷପତି ଘରର କନ୍ଦର୍ପ ପରି ପୁଅକୁ ଜୋଇଁ କରିବାର ଆଗ୍ରହ ତୋ ଠାରେ ଦେଖି ମୁଁ ମୋର ମନରୁ ବାସନା ତୋ ଆଗରେ ପ୍ରକାଶ କରିନାହିଁ ।’

 

ଦୁଃଖନ କାହିଁକି ସଂସାର ପାତିବାକୁ ମନ କରୁନାହିଁ, କରଛଡ଼ା ଦେଉଛି ? ଯେଉଁ ଯେଉଁ ପ୍ରସ୍ତାବ ଆସିଲେ ମୁଣ୍ଡ ହଲାଇ ଦେଉଛି ?

 

‘ଅନ୍ୟମାନେ ସିନା ବୁଝିବେ ନାହିଁ । ମୁଁ କ’ଣ ବୁଝୁ ନାହିଁ ?’

 

‘ନହୁଲୀର ସୁଖ ଦେଖିବାକୁ ସେ ଟୋକା ଚାହେଁ । ତା’ର ଦୁଃଖ ଦୁର୍ଦ୍ଦଶାର ଖବର ପାଇଲେ, ସେ ବହୁତ ଦୁଃଖ କରେ । ତା ଚଳନର ଢଙ୍ଗରୁ ମୁଁ ଏହା ବୁଝିପାରେ ।’

 

“ଦିନେ ମତେ ସେ କହିଲା ଲୋ କୁସୁମ-ତତେ ମୁଁ ଗୁପ୍ତରେ ଆଜି କହୁଛି-ଅପା ଲୋ, କାଲିକାର ପିଲା ଝିଅଟା ନହୁଲୀ ଏତେ ଦୁଃଖ ସହି ନିର୍ଯ୍ୟାତନା ଭୋଗି କାହିଁକି ସେହି ନରକପୂରରେ ପଡ଼ିରହିଥିବ ? ଅଲୋଡ଼ା ଜଞ୍ଜାଳରେ ନିଜକୁ ଘାଣ୍ଟୁଥିବ ? ଶିଙ୍ଗବୁଡ଼ା ଖାଇ ଉବୁଟୁବୁ ହେଉଥିବ ?’’

 

‘ପଚାରିଲି, ଆଉ ସେ କ’ଣ କରିବରେ ବାବୁ ? ପରଘରୀ ଝିଅ ତା’ ଭାଗ୍ୟ ସେ ଭୁଞ୍ଜଛି, ଭୁଞ୍ଜିବ । ଅଭ୍ୟାସ ହୋଇଯିବ ।’

‘ଦୁଃଖନ ହସିଲା । କହିଲା, ମଣିଷର ଜୀବନଟା ଏଡ଼େ ଶସ୍ତା ନୁହେଁ, ଅପା । ଆଉ ସେ ଚାହିଁଲେ, ଅନ୍ୟମାନେ ଟିକିଏ ହାତ ବଢ଼ାଇଲେ, ନାକବୁଡ଼ା ପାଣିରୁ ସେ ଉଠି ଆସିପାରିବ ।’

‘ପଚାରିଲି-ସେଇଠୁ ?’

‘କହିଲା, ତୁ ଭଲ କରି ଜାଣିଛୁ । ତାକୁ ତ ଦୁଃଖ ଭୋଗିବାକୁ ଛାଡ଼ିଦେବୁ ନାହିଁ । ତୁ ବି ଦିନୁଦିନ ଅଧିକରୁ ଅଧିକ ଦୁର୍ବଳ ହୋଇପଡ଼ୁଛୁ ।’

‘ସେ ଆଉ କହିଲା ନାହିଁ । କୁସୁମ ଲୋ, ତୋ ତୁଣ୍ଡ ଯାହା କହିପାରିଲା ନାହିଁ, ସେତକ ତା’ର ନୀରବତା କହିଲା ।’

‘ଅନ୍ୟ କେହି ଶୁଣିପାରନ୍ତେ ନାହିଁ । ମୋ ଚେତନା ସେତକ ଶୁଣିଲା । ଏବଯାଏ ତା’ର ସେହି ଅକୁହା କଥା ମନରେ ରଣିତ ହେଉଛି ।’

କୁସୁମ ବୁଝିଲା । ଦୁଃଖରେ ତା’ର କୋହ ଉଠୁଥିଲା । ସେ ମୌନ ରହିଲା ।

ଜେମାଦେଈ ପୁଣି କହିଲେ, “ତୋ ପୁଅ ଅଲେଖର ବାହାଘର ହେଉଛି । ଜୟୀ ନାୟକର ଝିଅ ରୁକୁଣାର ବି । ସାନ ସାନ ପିଲା ଦୁଇଟା ଏଇ ଗାଁର ପୁଅ, ଏଇ ଗାଁ ଝିଅ । କେଡ଼େ ଖୁସି କେତେ ଆନନ୍ଦ, ଉତ୍ସବ, ଉତ୍ତେଜନା ।’’

ଦୁଃଖନ ଆଉ ନହୁଲୀଙ୍କଠଉଁ ସେ ଦିହେଁ ସାତ ସାନ । କୁସୁମ ଲୋ, ସେ ଦୁହିଁଙ୍କୁ ଆମେ ସେମିତି ବାହା କରାଇଥାନ୍ତେ । ସାତଖଣ୍ଡି ଗାଁ ବାଇଦ ବାଜଣାରେ କମ୍ପୁଥାନ୍ତା । ରୋଶଣିରେ ସବୁ ହାଲୋଳମୟ ହୋଇଥାନ୍ତା ।

 

‘ଦୁଃଖନର ବାପା ଯଦି ବଞ୍ଚିଥାନ୍ତା, ଅବା ତା’ର ମା’, ସେ ଟୋକା କ’ଣ ମୁଣ୍ଡ ହଲାଇ ଦେଇପାରିଥାନ୍ତା ? ମୋର କର୍ମଭୂଇଁ, ମୋର ତୀର୍ଥଭୂଇଁ ସିଂହପୁର ପାତ୍ରପଡ଼ା ଛାଡ଼ି ଏଠାକୁ ମୁଁ ଆସିଥାନ୍ତି କାହିଁକି ? ଦୁଇଟି ଯୁଗରୁ ଅଧିକ କାଳ କଟିଗଲାଣି ଲୋ ।’

 

ଜେମାଦେଈ ପୁଣି ଆଖି ପୋଛିଲେ । କୁସୁମ ତାଙ୍କର ପାଦରେ ହାତ ଦେଇ ଆଖିରେ ଲୁହ ଭରି କହିଲା, “ଅଲେଖଟି ବି ତମର ପୁଅ । ତା’ ବାହାଘର ତମେ ତ କରାଉଛ । ତମରି ଏଇ ଶୁଭକାମରେ ତମେ ମନଦୁଃଖ କର ନାହିଁ ।’’

 

‘ତମର ମନକାମନା, ମୋର ଇଚ୍ଛା, ଆଉ ଦୁଃଖନଙ୍କର ଆଗ୍ରହ ଅବଶ୍ୟ ପୂରଣ ହେବ । ନହୁଲୀର ହିଁ - ନାହିଁ ବିଚାରକୁ ମୁଁ ଘେନିବି ନାହିଁ ଗୋ ଅପା ।’

 

‘ସବାରି ଗଉଡ଼ ଦୁଃଖନ ବନ୍ଦୋବସ୍ତ କରିସାରିଲେଣି । ମଙ୍ଗଳ ରାତି ବୁଧ ପାହାନ୍ତି ସେମାନେ ସାମନ୍ତପାଟଣା ଯିବେ । ଶୁଭଦିନ, ଅମୃତ ବେଳା । ସେହିଦିନ ସଞ୍ଜ ଆଗରୁ ସେମାନେ ଫେରିଆସିବେ ।’

 

ଜେମାଦେଈ କହିଲେ, “ମୁଁ ସବୁ ଜାଣେ । ବାମନ ଦାଦି ମତେ କହୁଥିଲେ । ଜୟୀ ନାୟକ ନିଜେ ଗଣନା କରି ପାଞ୍ଜି ଦେଖି ତାଗିଦ୍ କରି କହିଛନ୍ତି, ସେଦିନ ସନ୍ଧ୍ୟାରେ ବଟେଶ୍ୱର ମହାଦେବଙ୍କଠାରେ ଦୀପାବଳୀ ଉତ୍ସବ ଆରମ୍ଭ ହେବ । କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତ । ନିଶ୍ଚୟ ଫେରିବ-।’’

 

‘ଅପା, ନହୁଲୀ ଘରର କୋଠିଆ, ତା ନାଁ ଭଜନା, ଯିଏ ବେଭାର ଆଣିଥିଲା ମ, ତା’ରି ହାତରେ ଖବର ପଠାଇଥିଲା ମୋ ଝିଅ । ଗୋଡ଼ ଟେକି ସେ ବାଟ ଚାହିଁ ବସିଛି । ଦିନେଓଳିକରେ ନିଶ୍ଚୟ ଶୋଭା ଫେରିଆସିବ ବୋଲି ନହୁଲୀ ପାଖକୁ ଖବର ପଠାଇଛି ।’

 

‘ଘଡ଼ିକ ପାଇଁ ବି ଯଦି ମୋ ଝିଅ ଏ ଗାଁକୁ ଆସେ, ଏହି ଅଗଣାରେ ପାଦ ଦିଏ, ସେ ଆଉ ସେହି ଯମପୁର ସାମନ୍ତାରାପାଟଣାକୁ ବାହୁଡ଼ିବ ନାହିଁ । ବଞ୍ଚିଥିବାଯାଏ ଏହା କରାଇଦେବି ନାହିଁ ।’

 

“ସେହି ଅତ୍ୟାଚାରୀ, ଅମଣିଷ, ଖୁଣ୍ଟିଆ ଘରର ମଦୁଆ, ଚରିତ୍ରହୀନ, ମାଇପମରା ଖୁଣୀ ଟେକାଟା ପାଖକୁ କେଉଁ ଭରସାରେ ଆଉ ଥରେ ମୁଁ ନହୁଲୀକୁ ପଠାଇବି ?’

 

‘ଏଇଠି ମା-ଝିଅ ଦିହେଁ ଆମେ ବିଷଖାଇ ନ ମରିବୁ କାହିଁକି ? ସେତକ କଲେ ଏ ସଂସାର ଭାସିଯିବ ନାହିଁ ।’

 

କୁସୁମର ଆଖିରୁ ଲୁହ ଦି’ଧାର ଗଡ଼ିଆସିଲା । ଜେମାଦେଈ ଦୁଃଖିତ ହେଲେ । ସାନ୍ତ୍ୱନା ଦେବାକୁ, ପୁଣି କୁସୁମର ବ୍ୟଥିତ ମନରେ ଶକ୍ତି ଆଣିବାକୁ ତାକୁ ଆକଟି କହିଲେ, “ରାତି କେଇଟା ପାହିଲେ ଏ ଘରେ ଶୁଭକାମ ହେବ । ଖୁସି ଆନନ୍ଦର କୋଳାହଳରେ ଏ ଘର ଉଠିବ ପଡ଼ିବ । ଆଖିରୁ ତୁ ଲୁହ ଝରାନା ।’’

 

କୁସୁମ କହିଲା, ‘ନହୁଲୀ ପାଇଁ ମୋ ଆତ୍ମା ଛଟପଟ ବିକଳ ହେଉଛି, ଅପା । ଏ ମଧ୍ୟରେ ଜୟୀ ନାୟକେ ସହରକୁ କ’ଣ ସବୁ ବାହାଘରିଆ ସଉଦା କରିବାକୁ ଯାଇଥିଲେ । ଲୋକ ହାତରେ ଘରକୁ ପଠାଇଲେ । ସେଠାରେ ଦି’ଦିନ ରହି ସାନ୍ତରାପାଟଣା ଯାଇ ସେଇଠାରୁ ଫେରିଲେ ।’

 

ନହୁଲୀକୁ ସେ ଦେଖିଆସିଥିବେ ତ । ଝିଅ ଆମର କେମିତି ଅଛି ? ଏଠାକୁ ଆସିବାକୁ ସେ ଗୋଡ଼ ଟେକି ବସିଥିବ ?

 

ହଁ, ଅପା । ଜଣ ଜଣ କରି ସମସ୍ତଙ୍କ କଥା ପଚାରୁଥିଲା । ବେଶି ତ ତମରି ଦେହ ଖବର, ଆଉ ତା’ ବାଇଆ ଦୁଃଖନ ଭାଇର ଖବର । ଝିଅ ଭଲ ଅଛି । ଲୋକବାକ ଆସି ଘରେ କାମ କରୁଛନ୍ତି ଯେ, ସେ ନିଜେ ବାତଚକ୍ର ପରି ବୁଲୁଛି । ସବୁ କାମ ନିଜେ ଦେଖୁଛି ।

 

‘ଅଚଳିଆ ଶାଶୁବୁଢ଼ୀ ତାକୁ ସାହାଯ୍ୟ କରିବାକୁ ଆସିଲେ ବାରଣ କରୁଛି । ରାଣ ନିୟମ ପକାଇ ତାଙ୍କୁ କାମ କରାଇ ଦେଉନାହିଁ । ଓଲଟି ତ।ଙ୍କର ସେବା କରୁଛି ।

 

‘ଶାଶୁଙ୍କର ତାକୁ ଧନ୍ୟଧନ୍ୟ ପ୍ରଶଂସା । ସାନ୍ତରାପାଟଣାରେ ସମସ୍ତଙ୍କ ମୁହଁରେ ବି ସେମିତିକା ପ୍ରଶଂସା ।’

 

‘ଅପା ଗୋ, ଜୟୀ ନାୟକେ କହୁଥିଲେ, ତା’ ସଉତୁଣୀର ସେଇ ପାଞ୍ଚବର୍ଷ ଚାଲିଥିବା ପୁଅଖଣ୍ଡକ ଶୋଭନ, ବେଶ୍ ବୁଦ୍ଧିଆ ପିଲା ଯେ, ଭାରି ବଗୁଲିଆ ହୋଇଛି । ତାକୁ ଗୋଡ଼େ ଗୋଡ଼େ ନ ଜଗିଲେ କେବେ ସେ ଗଛରୁ ପଡ଼ି ଗୋଡ଼ହାତ ଭାଙ୍ଗିବ, ନୋହିଲେ ପାଣିରେ ପଡ଼ି ପ୍ରାଣ ହାରିବ । ମାଡ଼ହାତିଆ ହେଲାଣି ।’

 

‘ତା’ କଥା ନ ରଖିଲେ ଖାଲି ନହୁଲୀକୁ ନୁହେଁ, ବୁଢ଼ୀକୁ ବି ବିଧା ଗୋଇଠା ମାରୁଛି । ଏକୋଇରବଳା ବିଶିକେଶନ । ଗେହ୍ଲାପଣକୁ ତ ସରିଛି । ତାକୁ ଶାସନ କରିବ କିଏ ? ମାଡ଼ହାତିଆଟା ତା’ ବାପ ଆନନ୍ଦର ପିଲା ଦିନର ଗୁଣ ସେ ପ୍ରକାଶିଲାଣି ।

 

‘ନହୁଲୀର ଶାଶୁ ପୁଣି ଜୟୀଙ୍କୁ କହୁଥିଲେ, ଦିନେ ଓଳିକରେ ଶୋଭା ଆସି ପହଞ୍ଚିବ । ତା’ର ଶାଶୁ ତ ଘାଣ୍ଟି ହୋଇ ସେପୁରକୁ ଗଲା । ଖବର ଆସିଥିଲା । ଶୋଭା ଶୀଘ୍ର ଆସି ପହଞ୍ଚିଯିବ-।’

 

‘ତେଣିକି ନହୁଲୀ ତା’ ଭାଇର ବାହାଘରରେ ଯୋଗ ଦେବାକୁ ଆସିଲେ କିଛି ଅସୁବିଧା ହେବ ନାହିଁ । ତା’ ମନଖୁସିରେ ଯେତେଦିନ ସେ ତା’ ବୋଉ ପାଖରେ ରହୁଛି ରହୁ ।’

 

‘ଅପା ଗୋ, ଜୟୀ ନାୟକେ ମତେ ପୁଣି ଗୁପ୍ତରେ କହିଲେ- ଆନନ୍ଦ ଛ’ଟି ମାସ ଜେଲ୍ ଭୋଗିବ ବୋଲି ଲୋକେ ଜାଣିବାକୁ ମୁଁ ପ୍ରଚାର କରାଇଥିଲି । ଦେଖୁ ଦେଖୁ ଆଖି ପିଛୁଡ଼ା ପଡ଼ିଲା ପରି ମାସ କେଇଟା କଟିଯିବ । ଏଇ ଧାରଣା ତା’ର ବୋଉ ଓ ନହୁଲୀର ମନରେ ଆଣିବାକୁ ସେତକ କରିଥିଲି ।’

 

...ସତରେ କିନ୍ତୁ ହାକିମ ବିଚାରପତି ତାକୁ ଅଠରମାସ ଜେଲଦଣ୍ଡ ଠୁଙ୍କିଛନ୍ତି । ଆନନ୍ଦ ସେଇ ପ୍ରତାପର ଜୀବନ ନେବାକୁ ତା’ ବେକରେ ଆଘାତ କରୁଥିଲା । ବିକ୍ରମ ବାଧା ଦେବାକୁ ଚେଷ୍ଟା କଲାରୁ ସେ ଛୁରୀ ଆଖିରେ ବାଜି ଆଖି ତାଡ଼ିଲା ।

 

...ଚଣ୍ଡାଳ ଆନନ୍ଦ ଅତି ନିର୍ବୁଦ୍ଧିଆପଣରେ, ବିଚାରପତିଙ୍କ ଆଗରେ ଏପରି ପ୍ରକାଶ କରିଛି-। ଉପର କୋର୍ଟକୁ ଗଲେ କି ଲାଭ ମିଳିବ ? ଅନର୍ଥକ ଅର୍ଥ ବ୍ୟୟ ।

 

...ଓକିଲମାନଙ୍କଠାରୁ ଏହା ମୁଁ ବୁଝିଲି । କ’ଣ କହି ନହୁଲୀକୁ, ଆଉ ତା’ ଶାଶୁଙ୍କୁ ସାନ୍ତ୍ୱନା ଦିଅନ୍ତି ?

 

...ଯେମିତି ଚଳୁଛି, ସେମିତି ସେ ଚଳିବ । ସମୟ ବିତିଯିବ । ଠିକ୍ ସମୟରେ ଆନନ୍ଦ ଫେରିବ ଜେଲ୍‌ରୁ ।

 

‘ସାମନ୍ତ।ଣୀ ଗୋ, ସବୁ ସତ ସମାଚାର ଶୁଣିଲି । କେମିତି ମୋ ଝିଅ ସେହି ଚଣ୍ଡାଳଟା ପାଖରେ ଡକାୟତ ଘରେ ସାରାଜୀବନ ବିତେଇବ ? ମୋ ପାଖକୁ ଆସିଲେ ଆଉ ତାକୁ ମୁଁ ସେଠିକି ଛାଡ଼ିବି ନାହିଁ ।’

 

‘ଏଇଠି ଥାଇ, ବିଲମାଟି ହିଡ଼ରେ ଲଦି ସେ କ’ଣ ଚଳିପାରିବ ନାହିଁ । ଛୁଆରଙ୍କୁଣୀ ନହୁଲୀଟି ମୋର କାହିଁକି ସେଠାରେ ପରପିଲିଟାକୁ ଆପଣାର କରି ନିଲଠାପଣରେ ‘ମୋର ମୋର’ କହି ରହିବ ? ଖଣ୍ଡିଆ କାନ୍ଥରେ ଚଢ଼ି ହକର ହକର ହେବା ସାର ।’

 

କୁସୁମର ଉତ୍ତ୍ୟକ୍ତ ଭାବ ଦେଖି ଜେମାଦେଈ ଆକଟି କହିଲେ ତୁ ଏ ସବୁ କ’ଣ ଭବୁଛୁ ଲୋ, ପାଗଳୀଙ୍କ ପରି ଏଣୁତେଣୁ ବକୁଛୁ ?

 

‘ତୋର ପୁଅ ବାହାଘର । ସେଥିପାଇଁ ଯାହା କରିବାର ମନଖୁସିରେ କର । ତୋର ନଅଟା ଛଅଟା ନାହାଁନ୍ତି ମ । ଯେମିତି ତୋ ମନଖୁସିରେ ଉଣେଇଶ ବର୍ଷର ଛୁଆଟାକୁ ବାହା କରାଇ ରୁକୁଣା ପରି ରୂପରେ ଗୁଣରେ ସୁଲକ୍ଷଣୀ ଝିଅକୁ ଘରକୁ ଆଣୁଛୁ, ଘର ଉଜ୍ଜ୍ୱଳ କରିବୁ, ସେମିତି ମୋ ନହୁଲୀକୁ ମୁଁ ମୋ ପାଖକୁ ନେଇଯିବି ।”

 

‘ଅପା ।’

 

‘ତା ଚିନ୍ତା ତତେ ଲାଗିବ ନାହିଁ । ଆଉ କାହାରିକୁ ବି ଲାଗିବ ନାହିଁ । ଟିକିଏ ଭୁଲ ହୋଇଯାଇଥିଲା । ସେଥିପାଇଁ କେତେ ଦୁଃଖ ସେ ସହିଲାଣି ସତେ । ଅନୁଶୋଚନାରେ ଆମର ମନ ଓ ଜୀବନ ଛଟପଟ ହେଉଛି ।’

 

‘ଏବେ ବି ଆମର ପ୍ରମାଦ ଆମେ ସୁଧାରିପାରିବା । ମୋ ଦୁଃଖନର ମନ ମୁଁ ବୁଝିସାରିଛି-। ବରଷ କେଇଟା । ଆଉ ତା’ ଭିତରେ ଯାହାସବୁ ଘଟିଗଲା, ସପନ ପରି ମଣିବା ।’

 

‘ନହୁଲୀ ଆସି ପହଞ୍ଚିବ । ତା’ କଥା ମୁଁ ବୁଝିବି, ମୋ କଥା ସେ ବୁଝିବ । ଦୁଃଖନର ଦାୟିତ୍ୱ ଏକା ସେଇ ନେବାକୁ ପାରଗ ।’

 

‘କୁସୁମ ଲୋ, ଗୋଟାଏ ଉଦ୍ଦଣ୍ଡ, ଉଦ୍ଧତ, ମଦୁଆ, ଚରିତ୍ରହୀନ ଅତ୍ୟାଚାରୀ ଗେରସ୍ତର ତାପ ସେ ସହିଛି । ଦେହରେ ଓ ମନରେ ଭେଦାଇ ସହନଶୀଳା ହୋଇଛି । ଛେଚାପିଟା ସର୍ବସହଣୀ ଘରଣୀ ।’

 

‘ସନ୍ତାନଟିଏ ଗର୍ଭରେ ଧରିବାର ଦୁଃଖ, ଜନନୀ ହେବାର ସପନ ଆନନ୍ଦ, ସନ୍ତାନକୁ ସଂସାରକୁ ଆଣିବାର ଜୀବନଛଡ଼ା ଯନ୍ତ୍ରଣା ସହିଛି । ନୁହେଁ କି ?’

 

କୁସୁମ କାବା ହୋଇ ଜେମାଦେଈଙ୍କର ହସହସ ମୁହଁକୁ ଚାହିଁଲା । କହିଲା, ‘ନିଷ୍ଠୁର ଦଇବ ସେହି ପିଲାବକଟକୁ ମାସ କେଇଟା ପରେ ନେଇଗଲା । ପୁଅ ମରଣର ଦାରୁଣ ଦୁଃଖ ବି ତାକୁ ଦେଇଗଲା ।’

 

ଜେମାଦେଈ ହସିଲେ । କହିଲେ, ‘ଦଇବର ଦୋଷ ଦେଇ ତୁ ପାଗଳୀ ହୁଅନା । କାଳିଆ କେତେବେଳେ କାହିଁକି କ’ଣ କରେ ବୁଝିବାର ଶକ୍ତି କ’ଣ ତୋର ଅଛି, ନା ମୋର ଅଛି ?’

 

‘ଛୁଆଟିକୁ ତିନୋଟି ମାସ କୋଳରେ ଧରି ତାକୁ ଦେହର ରସ ଖୋଇ ମାତାର ଆନନ୍ଦ ସେ ପାଇଥିଲା । ମାତାର ମମତାର ଆସ୍ୱାଦ ଲାଭ କରିଥିଲା । ପୁତ୍ର ମରଣର ନାହିଁ-ନ ଥିବା ଦାରୁଣ ଦୁଃଖ ସେ ଭୋଗିଲା ।’

 

‘ଏମିତି ହେଲା କାଳିଆର ରୀତି ।’

 

ହାତଯୋଡ଼ି ଜେମାଦେଈ କପାଳରେ ଲଗାଇଲେ । ତାଙ୍କ ଦେଖାଦେଖି କୁସୁମ ବି ସେଇଆ କଲା । ଡରିଡରି ପଚାରିଲା, ‘‘ମୁଁ ଗଜମୂର୍ଖଟା ସେକଥା କେମିତି ବୁଝିବି ?”

 

‘କିଏ ବୁଝିବ ଲୋ କୁସୁମ ? ମୁର୍ଖ ଓ ପଣ୍ଡିତ ସମସ୍ତଙ୍କ ବୁଦ୍ଧି ବଣା ହୁଏ । ସେଇ କାଳିଆ ଦୟା କଲେ ତମକୁ ଜଣାଇଁଦିଏ ।’

 

କୁସୁମ ପଚାରିଲା, “ତମକୁ ଜଣାଥିବ, ଅପା । କି ପାପ ମୋର ନହୁଲୀ କରିଥିଲା ଯେ ପୁତ୍ରଶୋକ ପରି ଦାରୁଣ ଦଣ୍ଡ କାଳିଆ ତାକୁ ଦେଲା ?’’

 

ଜେମାଦେଈ କହିଲେ, “ଦଣ୍ଡ ନୁହେଁ ଲୋ, ଗୋଟିଏ କଠୋର ଅନୁଭବ । ମୁଁ ଅନୁମାନ କରୁଛି, ସେତକ ହେଲା ତାର ସ୍ଵର୍ଗପୁରକୁ ଯାଇଥିବା ସତୀଶିରୋମଣି, କର୍ମନିପୁଣା, ମମତାପ୍ରବଣା ସପତ୍ନୀ ମାଧୁରୀର ସନ୍ତାନଟି ପାଇଁ ।’’

 

‘ନହୁଲୀର ବଡ଼ପଣରୁ ଗରିବ ମୂଲିଆ ଚାଷୀର ସର୍ବସହଣୀ ଝିଅଟିର ମହତପଣିଆ ମୁଁ ଜାଣିଲି । ନିଆଶ୍ରା ଛୁଆଟି ପାଇଁ ମମତାମୟୀ ମାଆଟିଏ ଦେବାକୁ କାଳିଆ ନହୁଲୀ ପରି ମା’ଟିଏ ଖଞ୍ଜିଦେଲା ।’

 

ସେଇ ଛୁଆଟିକୁ ମା’ର ଅମୃତ ଖୋଇବାକୁ ନହୁଲୀକୁ ପୁତ୍ରବତୀ କଲା । ପୁଣି ଉତିଆଣି ପିଲାଟିକୁ ଆପେ ପାଖକୁ ନେଇଗଲା ।

 

‘ସଉତୁଣୀର ସେହି ପିଲାକୁ ପାଇ ନହୁଲୀ ତ ପୁତ୍ରଶୋକ ଭୁଲିଲା-ଲୋ କୁସୁମ ।’

 

‘ପିଲାଟି ବଡ଼ ହେଲାଣି । ବଡ଼ଘରର ପୁଅ । କ’ଣ ତାର ଅଭାବ ଅଛି ? ବହୁବର୍ଷର ସେ ଘରର ବିଶ୍ଵାସୀ ପରିଚାରୀ ନିଃସାହା ଶୋଭା ଏଣିକି ପିଲାର ଓ ଅଚଳିଆ ବୁଢ଼ୀଙ୍କର ତତ୍ତ୍ୱ, ନେଇପାରିବ ।’

 

‘ଚଣ୍ଡାଳ ଆନନ୍ଦ କାରଗାରରେ ଶିକ୍ଷା ପାଇ, ନିଜର କର୍ମଗୁଡ଼ିକ ପାଇଁ ତା’ର ବିଷଦାନ୍ତ ଝଡ଼ାଇ, ଅନୁତାପ କରି ଫେରିଆସିବ । ସେତେବେଳେ ହୁଳହୁଳି ଦେଇ, ବନ୍ଦାପନ କରି ‘ଆ ବଳଦ ମତେ ବିନ୍ଧ୍‌’ କହି ପାଛୋଟି ଆଣିବାକୁ ନହୁଲୀ ସେଠାରେ ନ ଥିବ ।’

 

‘ତଥାପି ଲୋ କୁସୁମ, ଯଦି ତା’ର ଦୁର୍ଦ୍ଦଣ୍ଡ ପ୍ରକୃତିର ତା’ ଠେଇଁ କିଛି ବାକି ରହିଥିବ ତା’ର କ୍ରୋଧ ପାଇଁ ହାତର ଗଲୁ ନିଜର ଗାଲରେ, ଛାତିରେ ଅବା କାନ୍ଥରେ ମାରିଲେ ମାରିବ ।’

 

‘ନହୁଲୀଟି ମୋର ଏଇଠି ଥିବ । ସମାରୋହରେ ତାକୁ ରାଉତରାୟ ଘରର ବୋହୁ କରିନେବାକୁ ମୁଁ ଆୟୋଜନ କରୁଥିବି । ଜୟୀ ନାୟକେ ତ ତୋର ସମୁଦି ହୋଇ ସାରିଥିବେ । ସେ ଆମକୁ ସାହାଯ୍ୟ କରିବେ ।’

 

‘କେହି ତ ଏଠାରେ ପାଖରେ ନାହିଁ । ତତେ ମୁଁ ଗୁପତରେ କହୁଛି । ବାଇଆ ଦୁଃଖନର ମନ ମୁଁ ବୁଝିସାରିଛି । ମୁଁ ଚଣ୍ଡାଳୁଣୀ ଯଦି ବହୁ ଆଗରୁ ସେତକ ବୁଝିଥାନ୍ତି, ନହୁଲୀ କାହିଁକି ପରଗାଆଁକୁ ଖଣ୍ଟଘରକୁ ଯାଇଥାନ୍ତା ?’

 

କାହିଁକି ଦୁଃଖନ ସମ୍ପତ୍ତି ବିନର୍ବ୍ୟୟ କରିଥାନ୍ତା ? ଦାତାକର୍ଣ୍ଣ ପାଲଟି ସମ୍ପତ୍ତି ଉଜାଡ଼ି ଥାଆନ୍ତା ?

 

‘ମୋ କୋଳଟି କ’ଣ ଏମିତି ଖାଲି ପଡ଼ିଥାନ୍ତା ଲୋ କୁସୁମ ? ରାଉତରା ବଂଶର ଟିକି ସାଆନ୍ତଟି ସେଇଠି ବସି ହାତୀଝୁଲ୍‌ ହେଉ ନ ଥାନ୍ତା ? ହସିଲା ଓଠରେ ମୁହଁ ନ ଖୋଲି ଟିକି ଟିକି ଉଜ୍ଜ୍ୱଳ ଆଖିରେ ମତେ ପଚାରୁଥାନ୍ତା– ଚିହ୍ନିଲଟି ମୁଁ କିଏ ?’

ସବୁ ଶୁଣି କୁସୁମ ଲୁହଝରା ଆଖିରେ ପଚାରିଲା, ‘‘କିଏ ଗୋ ଅପା ?”

ଜେମାଦେଈ କହିଲେ, “ତୁ ସତାର କର । ସେଇଆ ହେବ ଯେ । ବଳେ ଦେଖିବୁ ତା’ର ଟିକି ମୁହଁରେ ଦିଓଟି ଉଜ୍ଜ୍ୱଳ ତାର ପରି ଆଖିଯୋଡ଼ିକ ।’’

ବଳେ ଜାଣିବୁ...ସେଇ ସେ, ଯିଏ ଛୁଆଟି ଦିନରୁ ଦୁଃଖନକୁ ଶିଖାଇ ମଣାଇଁ ମଣିଷ କଲେ । ଶେଷକୁ, ତା’ରି ପାଇଁ ଅନ୍ଧାର ରାତିରେ କାଳସାପର ଆଘାତରେ ସେପୁରକୁ ଗଲେ ।’

‘କୁସୁମ ଚମକି ଉଠିଲା । ପଚାରିଲା, ‘ନହୁଲୀର ବାପା...?’

ଜେମାଦେଈ କହିଲେ , “ଆଉ କିଏ ହୁଅନ୍ତା ମ । ସେଇ ପରଶୁ ଜେନାଏ । ନହୁଲୀ ପେଟରୁ ସେ ରାଉତରା ବଂଶରେ ଜନମିବେ ।’’

‘କୁସୁମ ଲୋ, ମୋର ସପନ ନିଶ୍ଚୟ ସଫଳ ହେବ । ସାମନ୍ତରାପାଟଣାର ନରକପୁରରୁ ଥରେ ନହୁଲୀଟି ମୋର ଗୋଡ଼ କାଢ଼ି ଆସୁ ତ । ଠାକୁରେ ସାହା ।’

 

ଆଗତଭବିଷ୍ୟର ସୁଖସ୍ୱପ୍ନରେ ବିଭୋର ହୋଇ କୁସୁମ ନିଜ ଭିତରେ ହଜିଯାଇଥିଲା । ଆଉ ସେ ପଚାରିଲା ନାହିଁ ।

 

ଅଲେଖର ‘ବୋଉ ଡାକରେ ତା’ର ନିବିଷ୍ଟତା ଭାଙ୍ଗିଲା । ସେ ମୁହଁ ବୁଲାଇ ଚାହାଁନ୍ତେ, ତା’ର ଦୃଷ୍ଟିରେ ପଡ଼ିଲା ଅଲେଖର ପଛରେ ନିଜେ ଶିବ ରାଉତରା ମଧ୍ୟ ଆସିଛନ୍ତି । ସେ ଅଗଣାର ଦାଣ୍ଡପାଖରେ ଦ୍ୱାରବନ୍ଧ ନିକଟରେ ଅଲେଖ ପାଖରେ ଠିଆ ହୋଇଛନ୍ତି ।’

 

ଶିବ ରାଉତରା, ଯାହାଙ୍କୁ ସେ ଦୁଃଖିନ ବୋଲି ଡାକେ, ତା’ରି ହସିଲା ମୁହଁର ଉଜ୍ଜ୍ୱଳ ଆଖିରେ ଜେମାଦେଈଙ୍କର ସଂକଳ୍ପ ଆଉ ତା’ ନିଜର ବିଶ୍ୱାସ ପ୍ରତିଫଳିତ ହେଲା ।

 

ଜେମାଦେଈ ରାଉତରାୟ ବଂଶର ଭବିଷ୍ୟ ବଂଶଧରମାନଙ୍କର ସ୍ୱପ୍ନ ଦେଖୁଥିଲେ ଜାଗରଣରେ ।

 

ସେ ଗୁଆ ଭାଙ୍ଗୁଥିଲେ । ଅନ୍ତର୍ଦୃଷ୍ଟି ଆଗରେ ନହୁଲୀର ପେଟରୁ ଜନମ ରାଉତରାୟ ବଂଶର ସନ୍ତକ ପୁଅ ପରେ ଝିଅ ତ ତଳେ ପୁଅ ତାଙ୍କର ଶୋଇବାଘରର ଶିଶୁକାଠର ପଲଙ୍କ ଉପରେ ନାଟ କରୁଥିଲେ ।

 

ସେହି ସେ କେଉଁ ପୁରୁଷର ପଲଙ୍କ ଯାହା ଉପରେ ତାଙ୍କର ବାପ, ଦାଦି, ବଡ଼ବାପେ, ପୁଣି ଗୋସେଇଁ ବାପେ ସେମିତି ଦିନେ ଛୁଆ କାଳରେ ନାଟ କରୁଥିଲେ ।

 

ନୂଆ ରାଉତରାଣୀ, ସୁଦକ୍ଷା ଘରଣୀ, କଲ୍ୟାଣୀ ନହୁଲୀରାଣୀ ଘରକାମରେ ଅଗଣାରେ କେଉଁଠି ଲୋଟଣୀ ପାରାଟି ପରି ଲୋଟିଯାଉଥିବ । ଆଉ ସେ ଦୁର୍ବଳ ହାତ ଦିଓଟିରେ ତାଳି ମାରି ଛୁଆ ତିନୋଟିଙ୍କୁ ଧୋଇକି ନାଟ କରାଉଥିବେ ।

 

ବଳିଆରଭୁଜ କାଳିଆ ଠାକୁରଙ୍କୁ ସୁମରଣା କରି ମନମନ୍ଦିରରେ ତାଙ୍କୁ ପ୍ରଣାମ କରି ଜେମାଦେଈ ଗୁହାରି କଲେ-କେତେ ବିନତି, କେତେ ନିବେଦନ ତୁ ଘେନା କରିନାହୁଁ । ଏଇ ଗୋଟିଏ ମାଗୁଣି, ଗୋଟିଏ ଦଇନି ତ ମୋର ରଖ, ସପନର ସଂସାରରେ ତୁ ସତ ଫଳାଇଦେରେ କାଳିଆ ।

 

ଶୋଇବାଘରର କାନ୍ଥରେ ଯେଉଁଠି ମାଧୁରୀଙ୍କର ଫଟୋଖଣ୍ଡିକ ଝୁଲା ହେଇଥିଲା ସେଇଠି ଏବେ ଟଙ୍ଗା ହୋଇଛି ସତ୍ୟ-ଶିବ-ସୁନ୍ଦରର ପ୍ରତୀକ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ସୁନ୍ଦର ଛବିଟି । ସେ ଖଣ୍ଡିକ ଓ ଶାଶୁଙ୍କ ପାଇଁ ଛୋଟ ଆକାରର ଆଉ ଖଣ୍ଡିଏ ଛବି ନିଜେ ସେ ହାଟରୁ କିଣି ଆଣିଥିଲା ।

ଛବି କିଣାର ଗୋଟାଏ ଇତିହାସ ଅଛି । ଏଘରକୁ ବୋହୁ ହୋଇ ଆସିବାର ଏତେବର୍ଷ ମଧ୍ୟରେ କେବେହେଲେ ଦିନେ ସେ ଦିନବେଳା ସାନ୍ତରାଙ୍କ ଉଆସ ଛାଡ଼ି ଗାଁ ଦାଣ୍ଡକୁ ଗୋଡ଼ ବଢ଼ାଇ ନ ଥିଲା । କେବଳ ଥରଟିଏ ସେ ଶୋଭା ସଙ୍ଗରେ ମୁଣ୍ଡମରା ପୋଖରୀ ଓ ମନ୍ଦିର ପାଖକୁ ଯାଇଥିଲା ।

ଅବଶ୍ୟ ସଞ୍ଜପହରେ ଶାଶୁଙ୍କ ନିର୍ଦ୍ଦେଶରେ ଶୋଭା ସଙ୍ଗରେ ଦେବଦର୍ଶନ କରିବାକୁ କେତେଥର ସେ ଯାଇଥିଲା । ଅନ୍ୟ ମାଇପେ ଏକଥା ଜାଣି ତା’ ସଙ୍ଗରେ ଯାଆନ୍ତି । ମୁକ୍ତହସ୍ତ ହେବାକୁ ଶାଶୁ ତାକୁ ପରିମର୍ଶ ଦିଅନ୍ତି ।

କହନ୍ତି, ‘ସାନ୍ତରା ଘରର ପ୍ରଣାମୀ ଦକ୍ଷିଣା ସବୁଠାରୁ ବେଶୀଲୋ ମା’ ନହୁଲୀ । ସନମାନର ମୂଲ୍ୟ, ଖାନଦାନିର ଢଙ୍ଗ । ସମସ୍ତେ ଚାହିଁ ରହିଥିବେଟି । ଯେତେ ଖର୍ଚ୍ଚ ହେବାର ହେଉ, ଏ ଘରର ବଡ଼ପଣ ଥାଉ, ମହତ ରହୁ ।’

କେତେ କାହାକୁ ଦେବାକୁ ହେବ ସେ କହିଦେଇଥାନ୍ତି । ନିଜେ ଶାଶୁ ଟଙ୍କା ଓ ରେଜକି କାଢ଼ି ଧରାଇ ଦିଅନ୍ତି । କହନ୍ତି ପୁଣି, ‘‘ଅପାରଗ, ଅଖଞ୍ଜ ଓ ଦୁଃଖୀରଙ୍କୀଙ୍କୁ ଦେବୁ । ଧର୍ମ ଅଧିକ ହେବ ।”

ତାକୁ ଦେଖି ସଞ୍ଜପହରେ ଗାଁ ମାଇପେ ଭିଡ଼ ଲଗାନ୍ତି । ବାଇଦବାଜଣା ଅଧିକରୁ ଅଧିକ ହୁଏ । ପୂଜକ ପୁରୋହିତମାନଙ୍କର ମନ୍ତ୍ରପାଠ ସଙ୍ଗେ ତତ୍‌ପରତା ବଢ଼େ । କଥାଭାଷା ହୁଅନ୍ତି କେଉଁମାନେ-ସାନ୍ତରାଘରର ବୋହୁଟି । ସାକ୍ଷାତ୍ ଲକ୍ଷ୍ମୀ ଠାକୁରଣୀ ?

 

ସେ ଶାଶୁଙ୍କର ଉପଦେଶ ମାନେ ।

 

ହାଟକୁ ଥରେ ଯାଇ ଦେଖିଆସିବାକୁ ତାର ଆଗ୍ରହ ବଳିଲା । ଶାଶୁ ସମ୍ମତ ହେଲେ । କହିଲେ, “ଭଜନା ହାତରେ ଖବର ପଠାଇଲେ ଦୂତିକା ଆସିବ । ତା’ ସଙ୍ଗରେ ଯିବୁ, ମା’ । ଘରେ ଯୋଗିଆ ମା’ ରହିବ ।’’

 

ଭଜନା ତୋର ଆଗେ ଆଗେ ଯାଉଥିବ । ଶୋଭନକୁ ସଙ୍ଗରେ ନେଲେ ସେ କଟାଳ କରିବ । ସେ ମୋ ପାଖରେ ରହିବ ।

 

‘ଦିନବେଳାଟାତ ମା’, ଘରେ ହଳିଆ ପିଲାଟା ରହିଲେ ରହିବ, ନଇଲେ ନାହିଁ । ମୋ ଦେହ ଟିକିଏ ଭଲ ଅଛି । ଜର ନାହିଁ । ପୁଣି ଚାରିଦିନ ପରେ ସେ ଆସି ଭୂତ ପରି ମାଡ଼ିବସିବ । ଦେହ, ହାତ, ଗୋଡ଼ ସର୍ବାଙ୍ଗରେ ଛେଚିବ, କୁଟିବ । ଏବେ ତ ମୁଁ ଟିକିଏ ଭଲ ଅଛି । ଘଡ଼ିଏ ଦି ଘଡ଼ି ମୋ ପାଖରୁ ଅନ୍ତର ହେବୁ ବୋଲି ଚିନ୍ତା କରିବୁ ନାହିଁ । ଦକ ଦକ ହେବୁ ନାହିଁ ।

 

ଦୂତିକା ଜାଣିଲେ ସେ ଡବଡବୀ ଗ୍ରାମରେ ରାଷ୍ଟ୍ର କରିବ । ଦେଖିବୁ ରହ, ଗାଁର କେତେ ଝିଅବୋହୁ ତୋ ସାଙ୍ଗରେ ଯିବାକୁ ମାଡ଼ି ଆସିବେ ।

 

“ଆଉ, ଶୁଣ୍ ମା’, ଖୁଣ୍ଟିଆ ଘରର ବୋହୁଟି ତୁ, ତୋର କେଡ଼େ ସନ୍‌ମାନ । ବହୁ ଦୁଃଖୀ-ରଙ୍କୀ ଅପାରଗ ରୋଗଣା ମାଗତମାନେ ହାତ ପାତିବେ । କହାରିକୁ ହତାଶ୍‍ କରିବୁ ନାହିଁ । କିଛି କିଛି ତାଙ୍କମାନଙ୍କ ହାତରେ ଦେବୁ ।’’

 

‘ଏ ବଂଶର ତାହା ଚଳଣି । କିଛି ରେଜକି ସାଙ୍ଗରେ ନେଇଥିବୁ । ଦୂତିକା ଜାଣେ ଯେ । ସେ ତତେ ସାହାଯ୍ୟ କରିବ ।’

 

ପାଖରେ ଦୂତିକା, ଦୁଇ କଡ଼ରେ ଓ ପଛରେ ଗାଁର କେତେ ଝିଅବୋହୁଙ୍କ ଗହଣରେ ସେ ଯାଇଥିଲା । ସବା ଆଗରେ ଶୋଭନକୁ କାଖ କରି ଭଜନା ବାଟ କଢ଼ାଇ ନେଉଥିଲା ।

 

ଆଗରୁ ଭଜନିକୁ ସେ ତା’ର ଯିବାର ଉଦ୍ଦେଶ୍ୟ ଜଣାଇ ଦେଇଥିଲା । କେତେ ଆଡ଼ ଦେଖାଇ ଭଜନି ତାକୁ ଛବି ଦୋକାନକୁ ନେଇଯାଇଥିଲା ।

 

ସେ ଦେକାନୀ ବଡ଼ ସହରରୁ ଆସିଥିଲେ । ବନ୍ଧା ଓ ଅବନ୍ଧା ସବୁ ଠାକୁର-ଠାକୁରାଣୀଙ୍କର ଛବି, କେତେ ରଙ୍ଗୀନ, କେତେ କେବଳ ଛାପା, ସେହି ଦେକାନରେ ଝୁଲା ହେଇଥିଲା । କେତେ ଥାକ ଥାକ ହୋଇ ଥୁଆ ହେଇଥିଲା ।

 

ଭାରି ଭିଡ଼ । ବେଶୀ ତ ମାଇପେ । ସେହି ଦୋକାନରୁ ଦୂତିକାର ସାହାଯ୍ୟରେ ବଡ଼ ଓ ଛୋଟ ଛବି ଦିଓଟି ସେ କିଣିଥିଲା । ଦୂତିକାର ଶରଧା ଦେଖି ତା’ ପାଇଁ ଜିଭକଢ଼ା ମଣିଷମୁଣ୍ଡର ମାଳପିନ୍ଧା କାଳୀ ଠାକୁରାଣୀ ଓ ପର୍ବତ ହାତରେ ଧରି ଶୂନ୍ୟରେ ଆସୁଥିବା ହନୁମାନଙ୍କର ଛୋଟ ଛୋଟ ବନ୍ଧା ଛବି ଦିଓଟି ସେ କିଣିଦେଇଥିଲା ।

 

କାନ୍ଥରେ ଟଙ୍ଗା, ସେହି ତିନିଠାକୁରଙ୍କର ଛବିଟି ପାଖରେ ସକାଳେ ସଞ୍ଜରେ ଯେତେବେଳେ ମନ ସେତେବେଳେ ସେ ପ୍ରଣାମ କରେ । କେତେ କ’ଣ ଜଣାଣ କରେ ।

 

ସବୁ ଦୁଃଖ ଅଭାବ ଦୂର କରି ଧନଜନ ଗୋପଲକ୍ଷ୍ମୀ ଓ ଶକ୍ତି ଦେବାକୁ ଗୁହାରି କରୁଣୁ ନହୁଲୀର ମନେପଡ଼ନ୍ତି ଆତ୍ମତ୍ୟାଗିନୀ ତପଶ୍ଚାରିଣୀ ଜେମାଦେଈ; କାନରେ ବାଜିଯାଏ ତାଙ୍କରି ଉପଦେଶବାଣୀ ।

 

ସେ କହନ୍ତି, “ଜଣ କାହାକୁ ମାଗିବୁ ଲୋ ଝିଅ ? ସେ କାଳିଆ ତ ସୁଖଦୁଃଖ, ଆନନ୍ଦ ଓ ମନସ୍ତାପ ସବୁ ଦେଇଛି ସମସ୍ତଙ୍କୁ । ଦୁନିଆରେ ସବୁ ରହିଛି ପରିପୂର୍ଣ୍ଣ । ବୁଝି ବିଚାରି କର୍ମରତ ହେଲେ ଫଳ ନ ମିଳିବ କାହିଁକି ?’’

 

ଅପା କେବେ କେବେ ପୁଣି କହନ୍ତି, ‘ଯେତେ ଯାହା କର, ଅର୍ଜିତ କର୍ମ ସଙ୍ଗରେ ପୂର୍ବଜନ୍ମର ସଞ୍ଚିତ କର୍ମର ଫଳ ମଧ୍ୟ ମିଶିଯିବ । ତାକୁ ବି ତୁମକୁ ଭୋଗ କରିବାକୁ ପଡ଼ିବ ?’

 

ନହୁଲୀ ଭାବେ, ଏସବୁ ଜଟିଳ ଧାରଣାର ଗୋଲକଧନ୍ଦାରେ ଭ୍ରମିବା ଆବଶ୍ୟକ ନାହିଁ । ପ୍ରଚଳିତ ବିଶ୍ଵାସହିଁ ଭଲ । ସେ ସେହି ବିଶ୍ୱାସରେ କାଳିଆ ପାଖରେ ଗୁହାରି କରିବ । ଆଶାୟୀ ମନରେ ସାନ୍ତ୍ୱନା ଭରିବ । ବିଫଳ ଆଶା ପାଇଁ କର୍ମକୁ ଦୋଷିବ । ସେହି କର୍ମର କଷଣ ମୁଣ୍ଡପାତି ସହିବାକୁ ହେବ । ପରିତ୍ରାଣ ପାଇବାର କି ଉପାୟ ବା ଅଛି ?

 

ଭରସା ଏକା କାଳିଆ ଠାକୁର ।

 

ନହୁଲୀ ସେହି ଛବିଟି ତଳେ କାନ୍ଥରେ ମୁଣ୍ଡ ଲଗାଏ । ଜଣାଣ କରେ, ‘କାଳିଆରେ, ଚାଟୁକାରୀ ପରି ତୋ ରୂପଗୁଣ, କରାମତି ଆଉ କେଉଁ ଯୁଗରେ କେବେ କାହାପାଇଁ ତ କ’ଣ କରିଥିଲୁ, କାହାକୁ କ’ଣ ଦେଇଥିଲୁ କି ନ ଦେଇଥିଲୁ, କିଛି ସତେ ତୁ ନ ଜାଣିଲା ପରି ନିଲଠାପଣରେ ତୋ ଆଗରେ ବଖାଣିବି ନାହିଁ ।’

 

‘ମୋର ଯାହା ଲୋଡ଼ା ତତେ ସବୁ ଭଲ କରି ଜଣା । ସେତକ ଲାଭ କରିବାକୁ ମୋ ମନରେ ଥାଇ ତୁ ମତେ କର୍ମରତ କର । ଫଳାଫଳ ଯାହା ହେବ ସହିବି ।’

 

‘ସହିବାକୁ ମୋ ମନରେ ସାହସ ଦେବୁରେ କାଳିଆ, ବଳ ଦେବୁ, କର୍ମକଷଣ ଭୋଗିବାକୁ ମୋ ମନରେ ସଂକଳ୍ପ ଓ ଛାତିରେ ଦମ୍ଭ ଦେବୁ ।’

 

ଏତିକି ମୋର ଦଇନି ?

 

କାଳିଆ ଠାକୁରଙ୍କର ଛବିରୁ ବାସି ଫୁଲର ମାଳ କାଢ଼ି ନହୁଲୀ ସଜ ଫୁଲର ମାଳଟି ଛବି ଉପରେ ଝୁଲାଇ ଦେଲା ।

 

ଚାରିବର୍ଷ ପୂରି ପାଞ୍ଚବର୍ଷ ଚାଲିଥିବା ସ୍ୱାସ୍ଥ୍ୟବାନ୍ କୁଲୁକୁଲିଆ ଖୁଜୁବୁଜିଆ ବଳିଷ୍ଠ ପୁଅଟି ଶୋଭନ, ଦୁଇହାତ ଯୋଡ଼ି, ମୁଣ୍ଡରେ ଲଗାଇ ଧୀର ସ୍ଥିର ହୋଇ ପାଖରେ ଠିଆ ହେ।ଇଥିଲା । ସେହିପରି କରିବାକୁ ନହୁଲୀ ତାକୁ ଶିଖାଇଥିଲା ।

 

ପିଲାସୁଲଭ ଚଗଲାମି ଓ ଚଞ୍ଚଳ ପ୍ରକୃତି ତା’ର ଅଛି । ତେବେ, ସେ କୁହାର ବୋଲାର ହେଲାଣି ।

 

ପାଖରେ ବସି ଅକ୍ଷରଗୁଡ଼ିକ ଲେଖି ଶିଖିଲାଣି । ସଂଖ୍ୟାଗୁଡ଼ିକ ଗଣି ଜାଣିଲାଣି । ବେଳେବେଳେ ଦୁଷ୍ଟାମି କରୁଛି । ଅଝଟ ହେଉଛି । ଗେହ୍ଲେଇ କହିଲେ, ଗେଲ କଲେ ନିରସ୍ତ ହେଉଛି ।

 

ଆଜି ସେ ଭଲ ପିଲା ହୋଇଛି । ନହୁଲୀ ପରି ନିତ୍ୟକର୍ମ ସାରି ସକାଳେ ତା’ରି ପରି ଠାକୁରଙ୍କୁ ପ୍ରଣାମ କରୁଛି ।

 

ନହୁଲୀ ସେହି ଛୁଆଟିର ବେକରେ ଛଡ଼ାଫୁଲର ମାଳ ଝୁଲାଇ ଦେଲା । ତାକୁ ଟେକି ଛାତିରେ ଲଗାଇଲା । ତା’ର ପୁଚୁକା ଗାଲରେ ବୋକ ଦେଲା ।

 

ମନେ ମନେ ଶୋଭନକୁ ସେ କହିଲା, ତୁଇରେ ଧନ, ଆମର ଦୁଃଖପାସୋରା । ଏ ଘରର ଭବିଷ୍ୟ । ଯାଉ, ସବୁ ପାପଧନ ପ୍ରାୟଶ୍ଚିତ୍ତରେ ଉଡ଼ିଯାଉ । ପରର ଲୁହ ଓ ଲହୁର ସମ୍ବଳ ପରର ମଙ୍ଗଳ ପାଇଁ ବିତିଲେ ଭାଗ୍ୟର କଥା ।

 

‘ବାପ ତୋର ସେହି ଲୁହ ଓ ଲହୁର ବିଷକୁଣ୍ଡରେ ବଢ଼ିଥିଲେ । ସେହି ବିଷ ପିଇପିଇ ସେ ବିଷବୃକ୍ଷ ହୋଇଥିଲେ । ତା’ରି ଫଳ ସେ ନିଜେ ଭୋଗୁଛନ୍ତି ।’

 

‘ଛଅ ମାସ ନୁହେଁରେ ଧନ, ଅଠର ମାସ ଦେହର ରକ୍ତ ସେ ପାଣି କରିବେ । ଲୁହ ଓ ଝାଳ ବୁହାଇବେ । ଠାକୁରେ ସାହା ହେଲେ, ଦୟା କଲେ, ସେ ନିର୍ମଳ ମଣିଷ ହେଇ ଫେରିଆସିବେ ।’

 

‘ସେତିକି ଆମର କାଳିଆ ପାଖରେ ଜଣାଣ । ସେ ଘେନିଲେ ଘେନିବ, ନୋହିଲେ ନାହିଁ । ତା’ର ବିଧାନ ଆମର ଅବୋଧ୍ୟ ସତ, କିନ୍ତୁ ଖୁଣିବାର ବୁଦ୍ଧି ବିବେକ ଆମର ନାହିଁ ।’

 

‘ମୋର ତପଶ୍ଚାରିଣୀ ଜେମାଦେଈ ବାରମ୍ବାର ମତେ ଏଇଆ ବୁଝାଇ କହିଛନ୍ତିରେ ଧନ, ଏଇଠି ତାଙ୍କୁ ମୁଁ ଜୁହାର କରୁଛି ।’

 

ନହୁଲୀ ଶୋଭନକୁ ଛାତିରୁ ଓହ୍ଲାଇ ତଳେ ଠିଆ କଲା । ପୁଣି ତାକୁ ଟେକି ପଲଙ୍କ ଉପରେ ଥାପିଲା । ଗେହ୍ଲେଇ କହିଲା, “ତୋର ସବୁ କଣ୍ଢେଇ ସେଇଠି ରଖା ହୋଇଛି । ବସିକରି ଏକା ଏକା ଖେଳୁଥା । କାନ୍ଥ ଉପରୁ ଦି’ ଠାକୁର ଆଉ ଠାକୁରାଣୀ ନିଶ୍ଚେ ଦେଖିବେ । ହସୁଥିବେ ।’’

 

ଶୋଭନ ପଚାରିଲା, ‘କଥା କହିବେ ନାହିଁ, ବୋଉ ?’

 

ନହୁଲୀ ଉତ୍ତର ଦେଲା, ‘ହଁ, କହିବେ ଯେ, ଦିନରେ ନୁହେଁ । ରାତିରେ ତୁ ଶୋଇପଡ଼ିଲେ ସେମାନେ ସପନରେ ତୋ ପାଖକୁ ଆସିବେ । କଥା କହିବେ, ଖେଳିବେ, ହସିବେ । ଏବେ ସେମାନେ ଖାଲି ତୋ କଥା ଶୁଣିବେ । ତୋ ଖେଳ ଦେଖିବେ ।’

 

‘‘ମୁଁ ଏବେ ଯାଉଛିରେ ବାପ । ତୋ ମାଆଙ୍କର ଦେହ ଭଲ ନାହିଁ । କାଲି ରାତିସାରା ଛଟପଟ ହେଉଛନ୍ତି । ପାହାନ୍ତା ବେଳକୁ ନିଦ ହୋଇଯାଇଥିଲା । ନିଦଭାଙ୍ଗିଲା କି ନାହିଁ ମୁଁ ଦେଖେଁ-।”

 

ମୋତିମାଳା ତକିଆ ଭରା ଦେଇ, ପଲଙ୍କର ପଛପାଖ ବାଡ଼ାକୁ ଆଉଜି ବସିଥିଲେ । ଗୋଡ଼ ଦିଓଟି ଜାକିଥିଲେ । ହାତ ଦିଓଟି ଦୁଇପାଖକୁ ଲମ୍ବାଇଥିଲେ । ମୁଣ୍ଡଟି ପଛକୁ ସାମାନ୍ୟ ନଇଁଥିଲା । ଛିଣ୍ଡିଛିଣ୍ଡିକା ବାକି ରହିଥିବା ମୁଠିଏ ହେବ ଧଳା ଓ କହରିଆ-କଳା କେଶ ତଳକୁ ଓହଳିଥିଲା ।

 

ସେ ଆଖି ବୁଜିଥିଲେ । ଟାଣିଟାଣିକା ପାଟିବାଟେ ଲମ୍ବ ଲମ୍ବ ନିଶ୍ୱାସ ନେଉଥିଲେ ଓ ଛାଡ଼ୁଥିଲେ । ଖସାଫୁଲ ପରି ତାଙ୍କର ଛୋଟ ଛୋଟ ସୁଗଠଣ ନାସାପୁଡ଼ାର ହୀରାକଣିବସା ସୁନାଫୁଲ ଦିଓଟି କମ୍ପିତ ହେଉଥିଲା ।

 

ନହୁଲୀ ଥକ୍‌କା ହୋଇ ଚାହିଁ ରହିଲା ମୁହୂର୍ତ୍ତେ । ବିଚାରିଲା, ସତେ କଣ ସେ ଶୀଘ୍ର ଆରୋଗ୍ୟ ହେବେ, ଆଉ ସେ ତା’ର ସାନ ଭାଇ ଅଲେଖର ବାହାଘରରେ ଯୋଗ ଦେବାକୁ ଯାଇପାରିବ ?

 

ଶୋଭନକୁ ଘଡ଼ିଏ ନ ଦେଖିଲେ ଭଲ ଦିନରେ ସେ ବାଇଆଣୀ ପରି ହୁଅନ୍ତି । ଏବେ ତ ଜାଣି ସେ ବେମାର । ଶୋଇବା ଅବସ୍ଥାରେ ହାତ ଅଣ୍ଡାଳି ଶୋଭନକୁ ଦରାଣ୍ଡୁଛନ୍ତି । ତା’ ନାମ ଉଚ୍ଚାରି ବିଳିବିଳଉଛନ୍ତି ।

 

ତାକୁ ଦଣ୍ଡେ ନ ଦେଖିଲେ ସେ ବଣା । ପୁଣି, ରୋଗଣା ଅଚଳିଆ ମଣିଷର ଦାୟିତ୍ୱରେ ଚଞ୍ଚଳିଆ ଚଗଲିଆ ପିଲକୁ ଛାଡ଼ି ସେ ନିଶ୍ଚିନ୍ତରେ ବାହାଘରର ଆନନ୍ଦରେ ଯୋଗଦେଇ ପାରିବ କିପରି ?

 

‘‘ଏ ଗ୍ରାମରେ ଯେତିକି ଲୋକ ବିଶ୍ୱାସୀ, ସେତିକି ଶତ୍ରୁ । କାହା ଉପରେ ବିଶ୍ୱାସ ରଖି ନିର୍ଭର କରିହେବ ? ସୁବିଧା ମିଳିଲେ କିଏ କେଉଁ ଉପଦ୍ରବ ଭିଆଇବ କହିହେବ ନାହିଁ । ମୁଣ୍ଡମରା, ତଣ୍ଟିକଟା, ପରଧନ ହରଣ ଏମାନଙ୍କର ପରମ୍ପରା । ଜୀବନକୁ ଉପ୍ରୋଧ ନାହିଁ । ଦଣ୍ଡକୁ ଖାତିର ନାହିଁ ।’’

 

ସାମନ୍ତରାଣୀଙ୍କ ପାଖରେ ବହୁତ ଧନ ଏବଯାଏ ଅଛି ବୋଲି ଅନେକଙ୍କର ବିଶ୍ଵାସ । ଚଣ୍ଡାଳ ପୁଅଟି ତାଙ୍କର ଦୁର୍ବୁଦ୍ଧି କରି ଯେତେ ଯାହା ବିନର୍ବ୍ୟୟ କଲେ ବି ଏବଯାଏ ସରିନାହିଁ । ଜେଲଦଣ୍ଡ ଭୋଗିଲେ ଭୋଗନ୍ତୁ, ଧନ ତ ସଙ୍ଗରେ ନେଇନାହାଁନ୍ତି ।

 

ନହୁଲୀ ଭାବିଲା, ତା’ ଶାଶୁଙ୍କର ଜାଣିବାକୁ ତାଙ୍କ ପୁଅ ମୋଟେ ଛଅମାସ ଜେଲଦଣ୍ଡ ପାଇଲେ । ଗ୍ରାମରେ ସେଇଆ ପ୍ରଚାର କରାହୋଇଛି ।

Unknown

 

କେତେଦିନ ତଳେ ଜୟୀଦାଦି, ଯିଏ ଦିନ କେତୋଟି ପରେ ତା’ର ମଉଷା ହେବେ, ତିନିଚାରି ଘଣ୍ଟା ପାଇଁ ଆସିଥିଲେ । ବେଶି ବେଳ ଶିଶୁଙ୍କ ସଙ୍ଗେ ଗପ କଲେ । ନହୁଲୀକୁ ସେ ଗୁପ୍ତରେ କହିଲେ, “ଛଅମାସ ନୁହେଁ ଲୋ ମା, ଅଠର ମାସ ।’

 

କହିଲେ ପୁଣି, “ଏହା ପ୍ରଚାର କରିବା ଲୋଡ଼ା ନ।ହିଁ । ଦେଖୁ ଦେଖୁ ସମୟ କଟିଯିବ । ଲୋକେ ଆଗରୁ ଜାଣିଲେ କି ଉତ୍‌ପାତ କରିବେ କେଜାଣି ।’

 

ମନରେ ଆଶଙ୍କା ଭରି ପୁଣି ଆଶ୍ୱାସନା ଦେଇ ଜୟୀଦାଦି ଫେରିଥିଲେ ।

 

ତାଙ୍କ ଝିଅ ରୁକୁଣା ପାଇଁ ଶାଶୁ ତାଙ୍କୁ କ’ଣ ଦେଲେ ନହୁଲୀକୁ ଜଣାନାହିଁ । ଗହଣା କି ଟଙ୍କା ଯାହା ନିଅନ୍ତୁ, ଭାରି ଖୁସିରେ ସେ ଫେରିଥିଲେ ।

 

ମୋତିମାଳାଙ୍କ ପାଦରେ ହାତ ଥାପି ନହୁଲୀ ଡାକିଲା, ‘ବୋଉ ।’

 

ବୃଦ୍ଧା ଆଖି ଖୋଲିଲେ । ସଳଖ ହୋଇ ବସିଲେ । ଗୋଡ଼ ଦିଓଟି ସଙ୍କୋଚି ନେଲେ । ପଚାରିଲେ, ‘ଶୋଭନ କାଇଁ ?’

 

‘ଆରଘର ପଲଙ୍କ ଉପରେ ବସିଛି । ଗୁଡ଼ିଏ କଣ୍ଢେଇ ଧରି ଖେଳୁଛି । ବୋଉ, ସେ ଟିକିଏ ବଡ଼ ପିଲା ହେଲାଣି । କଣ୍ଢେଇ ଧରି ଖେଳିବାରେ ତା’ର ମନ ଲାଗୁନାହିଁ ।’

 

‘ଜାଣେ । ଭାରି ଚଞ୍ଚଳିଆ ପିଲା । ତାକୁ ଗୋଡ଼େ ଗୋଡ଼େ ଜଗିଥିବୁ । ନୋହିଲେ, ଦାଣ୍ଡକୁ ଧାଇଁବ । ଗଛରେ ଚଢ଼ିବାକୁ, ପୋଖରୀରେ ପହଁରିବାକୁ ଚେଷ୍ଟା କରିବ । ତା’ ନାମରେ ମୁଁ ଅଶୁଭ-ସପନ ଦେଖୁଛି ଲୋ ମା’ ।’

 

ନହୁଲୀ ଚିହିଙ୍କି ଉଠିଲା । ତା’ ଛାତି ଭିତର ଥରିବାକୁ ଲଗିଲା । ଧୈର୍ଯ୍ୟ ଧରି ସେ ତା’ ଶାଶୁଙ୍କୁ ପ୍ରବୋଧିଲା, ‘ତା’ ପାଇଁ ଗୋଟିଏ ଚାକର ପିଲା ରଖିବା ।’

 

‘ଶୋଭାର ଦୁଃଖ ତାକୁ ବଳେଇଛି । କେବେ ସେ ଆସିପାରିବ ନିଜେ ଜାଣିପାରୁନାହିଁ । କିନ୍ତୁ ଏଠାକୁ ଫେରିଆସିବାକୁ ସେ ଛଟପଟ ହେଉଛି ।’

 

‘ଏବେ ପୁଣି ଦୂତିକାର ଦିଅର ପଦନ ତା’ ଗାଡ଼ି ସେଇ ଗାଁ ବାଟେ ଫେରାଇ ଆଣିଲାବେଳେ ଶୋଭାକୁ ଭେଟିଥିଲା । ତା’ରି ହାତରେ ଶୋଭା ଖବର ପଠାଇଛି ।’

 

ସେ କଥା ପରେ କହିବି, ବୋଉ ଆପଣଙ୍କ ଦେହରେ ତ ଜର ଭରିରହିଛି ।

 

ଝୋଲା ମାରିଯାଉଛି, ମା’ । ଉଠି ତଳକୁ ଓହ୍ଲାଇ ପାରୁନାହିଁ । କବିରାଜଙ୍କ ଔଷଧ ମତେ ବଞ୍ଚାଇ ରଖିଛି ସିନା, ଭଲ କରିପାରୁନାହିଁ ।

 

‘କବିରାଜେ ମତେ କାଲି କହୁଥିଲେ-ବାତ-ପିତ୍ତ-କଫ ଜର । ଚାରିଦ୍ୱାର ରୁନ୍ଧିବାକୁ ବସିଛି-। ଅଦାରସ, ମହୁ ଓ ସେହି ବଟିକାରୁ ଗୋଟିଏ ଏକାଠି ଘୋଟି ଚାଟିଚାଟି ଖାଇଲେ ଦିନ କେଇଟାରେ ଜର ଭଲ ହୋଇଯିବ । ଦିନକୁ ତିନିପାନ ।

 

‘ପୁଣି କହିଲେ-ହାଉଲେ ହାଉଲେ କମିବ ।’

 

‘ଦି’ ଦିନ ପରେ ସେ ପୁଣି ଆସି ପହଞ୍ଚିବେ । ଦୂର ଗାଁ । ତାଙ୍କୁ କେତେ ଆଡ଼ୁ ଡାକରା । ସମସ୍ତଙ୍କୁ ଦେଖିବାକୁ ହେବ ତ । ସମସ୍ତେ କହୁଛନ୍ତି-‘’ଆଚାର୍ଯ୍ୟ’ ଅମୃତହସ୍ତା ।’

 

ମୋତିମାଳା କହିଲେ, “ବିଷ୍ଣୁପୁରର ଆଚାର୍ଯ୍ୟଘର ସାତପୁରୁଷରୁ କବିରାଜ । ନାମ ଡାକ । ହେଲେ, ମା’, ଆଇଷ ନ ଥିଲେ ସେ କ’ଣ କରିପାରିବେ ? ରୋଗ ସଙ୍ଗେ ସିନା ଲଢ଼ିବେ, ତାକୁ ତଡ଼ିବେ । ଯମର ଓଟରାକୁ କାହାର ବଳ ପାଇବ ?’’

 

ନହୁଲୀର ଆଖିରୁ ଲୁହ ଝରିଲା । ସେ କହିଲା, ‘ସେମିତି କହନା ବୋଉ । ମୋର ସେବା କେବେ ବ୍ୟର୍ଥ ବିଫଳ ହେବ ନହିଁ । କାଳିଆଠାକୁରର.. ଦୟାରୁ ତମେ ଶୀଘ୍ର ଆରୋଗ୍ୟ ହେଇଉଠିବ ।’

 

‘ତୁଣ୍ଡ ଖୋଲି ସେହି ସବୁଜାଣତା ଠାକୁରକୁ କେବେ କିଛି ମାଗଣ କରିନାହିଁ । “ତମେ ସୁସ୍ଥ ହୋଇ ଶୀଘ୍ର ଉଠ, ଏଇ ମୋ ମନର ମାଗୁଣି ସେ ଜାଣିଛି । ନିଶ୍ଚୟ ସେ ସଫଳ କରିବ ।’’

 

କେତେଦିନ ହେଲା ଦୂତିକା ଆସି ଘରକାମରେ ନହୁଲୀକୁ ସାହାଯ୍ୟ କରୁଛି । ଶାଶୁ ଏକାଥରେ ବିଛଣାଲାଗୀ ହୋଇଛନ୍ତି । ନହୁଲୀର ବେଶୀ ବେଳ ତାଙ୍କରି ସେବାରେ, ତାଙ୍କରି ପାଖରେ କଟୁଚି ।

 

ଶୋଭନ ପରି ଚଞ୍ଚଳ ଓ ଅସ୍ଥିରମତି ପିଲାଟି ଉପରେ ନଜର ରଖିବ କିଏ ? ରୋଷଘରେ ପଶି ଗଣ୍ଡିଏ ଫୁଟାଇବ କିଏ ? ତା’ ଶାଶୁଙ୍କ ପାଇଁ ପଥି, କେବେ ବାଲି, ଦୁଧ ଆଉଟା ଇତ୍ୟାଦି କାମ ତ ଜରୁରୀ ।

 

ଯୋଗିଆ ମା’ର ବାହାର କାମ, ଗୁହାଳ କାମ, ଘରଦ୍ୱାର ଓଳାଇ ସଫା ରଖିବା କାମକୁ ବେଳ ନିଅଣ୍ଟ । ଦୂତିକା ଉପରେ ପଡ଼ି ନହୁଲୀକୁ ସାହାଯ୍ୟ କରୁଣୁ ସେ ତା’ର କଥା ରଖିଲା । ତା’ ଝିଅ ଦିଓଟି ଯୁଇ ଓ ବୁଇ ଶୋଭନ ସଙ୍ଗେ ଖେଳନ୍ତି । ନହୁଲୀ ସେ ଦୁଇଟିଙ୍କୁ ନିଜର ପିଲାପରି ମଣେ । ଉପରେ ପଡ଼ି ଯାଚିଯାଚି ଦୂତିକାକୁ ଚାଉଳ, ଡାଲି, ପନିପରିବା, ଟଙ୍କାପଇସା ଦିଏ ।

 

ଦୂତିକା କିଣିହୋଇଗଲା । ହେଲେ, ତା’ର ନିଜର ସଂସାର ଅଛି । ତାକୁ ପୁଣି ଚଳାଇବାକୁ ହେବ । ତେଣୁ ସେ ଏଘର ସେଘର ହୁଏ । ଦୂର ହେଲେ ପଛେ ହେଉ ।

 

ଶୋଭାର ଶାଶୁଙ୍କର ମରଣ ଖବର ନହୁଲୀ ଦୂତିକାର ଦିଅର ପଦନଠାରୁ ସେଦିନ ଶୁଣିଲା ।

 

ଶୋଭା ଚିଠି ନ ଲେଖାଇ ପଦନ ହାତରେ ଖବର ପଠାଇଥିଲ ଯେ ଶୁଦ୍ଧି ଦିନ କଟିବା ସଙ୍ଗେ ସଙ୍ଗେ ସେ ଫେରିଆସିବ ।

 

ବିଶି ବିଶୋଇଙ୍କ ସଙ୍ଗେ ଘରବାରି ନେଇ ତା’ର ଶେଷ ବୁଝାମଣା ହେବ । ତା’ ଶାଶୁ କୁଆଡ଼େ ହାଉଲେ ହାଉଲେ ବିଶୋଇଙ୍କଠାରୁ ଟଙ୍କା ନେଇ ଡିହ ଓ ଘର ବୁଲାଣି ବାରିଟି ତାଙ୍କୁ ବିକି ଦେଇଛନ୍ତି ।

 

ଶୁଦ୍ଧିଦିନ ଗଲାଣି । ଶୋଭା ପାଖରୁ ଆଉ କୌଣସି ଖବର ମିଳିନାହିଁ ।

 

କବିରାଜେ କହୁଥିଲେ, ଦିନ ଦୁଇଟାରେ ଶାଶୁଙ୍କର ଜର ଭଲ ହୋଇଯିବ । ତା’ପରେ ଆଉ ଦିନ ଦୁଇତିନିଟାରେ ସେ ଚେଙ୍ଗା ହୋଇ ଉଠିବେ ।

 

ନହୁଲୀ ଭାବିଥିଲା, ସେତକ ହେବ । ଶୋଭା ମଧ୍ୟ ଆସି ସାରିଥିବ । ଶାଶୁଙ୍କୁ ଛାଡ଼ି ଦିନ ସାତଟା ପାଇଁ ଭାଇର ବାହାଘରରେ ଯୋଗଦେବାକୁ ସେ ରାଉତପାଟଣା ଯିବ । କିନ୍ତୁ ଆସି ରବିବାର ହେଲା, ତା’ର ଆଶା ପୂରଣ ହେଲା ନାହିଁ ।

 

ଶୋଭା ଫେରିଲା ନାହିଁ ତ । ନିଶ୍ଚୟ ସେ କେଉଁ ଅସୁବିଧାରେ ପଡ଼ିଛି । କିଛି ଟଙ୍କା ଦେଇ ଲୋକ ପଠାଇବାକୁ ପଡ଼ିବ । ବିଶି ବିଶୋଇଟା ଭୟଙ୍କର ଲୋକ । ଘର ଓ ଘରଡିହ ଛାଡ଼ି, ତା’ କବଳିରେ ନ ପଡ଼ି, ସେ ସଙ୍ଗେ ସଙ୍ଗେ ଫେରିଆସିବାକୁ ଲେଖିଦେବ ।

 

ଆଉ ବେଳ କାହିଁ । ମଝିରେ ମୋଟେ ଦିଓଟି ଦିନ, ସୋମ ଓ ମଙ୍ଗଳ । ବୁଧବାର ଦିନ ନିଶ୍ଚୟ ସକାଳ ଓଳି ତାକୁ ନେବାକୁ ସବାରି-ଗଉଡ଼ ଆସି ପହଞ୍ଚିବେ । ନିଜେ ଶିବ ରାଉତରାୟେ ଯେତେବେଳେ ନିମିତ୍ୟର ତତ୍ତ୍ୱ ନେଉଛନ୍ତି, ଦିନବାର ଓ ସମୟର ବ୍ୟତିକ୍ରମ କେବେ ଘଟିବ ନାହିଁ । ତେବେ ?

 

କାହାର ଦାୟିତ୍ୱରେ ସେ ରୋଗଣୀ ଶାଶୁ, ତାଙ୍କ ଆଖିର ପିତୁଳା ଶୋଭନ, ଘରଦ୍ଵାର, ଧନସମ୍ପତ୍ତି, ଗାଈଗୋରୁ ଇତ୍ୟାଦି ଛାଡ଼ି ଯିବ ? ସାତପର ଦୂତିକା, ଯୋଗିଆ ମା’, ଚାକର, କୋଠିଆ, ଗଉଡ଼ ପିଲା-କାହାଠେଇଁ କି ବିଶ୍ୱାସ ?

 

କ’ଣ ସେ କରିବ ?

 

ତା’ର ବଳବତୀ ଆଶା ସାନ୍ତ୍ୱନା ଦେଲା–ଏବହୁଁ ହତାଶାର ଭାବନା କାହିଁକି ? ଆଜିକୁ ଓ ବୁଧବାରକୁ ମିଶାଇଲେ ଚାରିଦିନ ଅଛି । ତା’ପର ଦିନ ସିନା ମଙ୍ଗୁଳା, ଅନୁକୂଳ, ଜାଇରଗଡ଼ା, ଶୁଭକାମ । ମନ କହୁଛି, ଶୋଭା ନିଶ୍ଚେ ଆସି ପହଞ୍ଚିବ ।

 

ସେହି ରବିବାର ଦିନ । ଗାଧୁଆବେଳ ଗଡ଼ିଗଲାଣି ।

 

ଦୂତିକା ସଙ୍ଗରେ ତା’ ଦିଅର ପଦନ ଆସି ଉପସ୍ଥିତ ହେଲା । ନହୁଲୀ ତା’ ଶାଶୁଙ୍କ ପାଖରେ ପଲଙ୍କ ଉପରେ ବସି ପାଦ ଆଉଁସୁଥିଲା । ମୋତିମାଳାଙ୍କର ଦେହ ତାତି ସାମାନ୍ୟ ଊଣା ହେଲା ପରି ସେ ମଣିଲା ।

 

ବୁଢ଼ୀ ଆଖି ବୁଜିଥିଲେ । ଟାଣି ଟାଣି ନିଶ୍ୱାସ ନେଉଥିଲେ ଓ ଛାଡ଼ୁଥିଲେ । ପାଚି ଭୁଟ୍‍ ଭୁଟ୍‍ କରି କ’ଣ ସେ ମନକୁ ମନ କହିହେଉଥିଲେ । ବୁଝି ହେଉ ନ ଥିଲା । ବେଳେବେଳେ ଡାହାଣ ହାତ ଅଣ୍ଡାଳି କ’ଣ ଖୋଜୁଥିଲେ ।

 

କବିରାଜେ ଗାଧୁଆବେଳେ ନିଜ ହାତରେ ଔଷଧ ଖୁଆଇଲେ । ସାନ୍ତ୍ୱନା ଦେଇ ଶାଶୁଙ୍କୁ କହିଲେ, “ଆପଣ ଆଠଣା ଅଂଶରେ ଭଲ ହୋଇଗଲେଣି । ଏଇ ନୂଆ ବଟିକାରେ ଦିନ ଦି’ଚାରିଟାରେ ସମ୍ପୂର୍ଣ ଭଲ ହୋଇ ଉଠିବେ । ଦିନକୁ ଚାରିପାନ । ପେଟ ଖାଲି ରଖିବେ ନାହିଁ । ବାର୍ଲି ପାଣିରେ କ୍ଷୀର ମିଶାଇ ତହିଁରେ ନବାତ ପକାଇ, କାଗେଜି ଲେମ୍ବୁରୁ ସାମାନ୍ୟ ଚିପୁଡ଼ି ପେଟେ ପିଇବେ ।’’

 

ନହୁଲୀ ସେଇଆ କରିଦେଇଥିଲା । ସେ ଢକ ଢକ କରି ଏକ ନିଶ୍ୱାସରେ ଗିଲାସେ ପିଇଦେଲେ । ଅଳ୍ପ ସମୟ ପରେ ଅଇ ଉଠାଇଲା । ସେ ସବୁ ଉଗାଳିଲେ । କୁଳି କଲାବେଳେ କଞ୍ଚାପାଣି କେଇ ଢୋକ ପିଇଛନ୍ତି । ଏବେ ସେ ନିସ୍ତେଜ ହୋଇପଡ଼ିଛନ୍ତି ।

 

ଦୂତିକା ପାଖକୁ ଆସି କହିଲା, “ବୁଢ଼ୀ ସାଆନ୍ତାଣୀଙ୍କର ପାଦ ମୁଁ ଆଉଁସି ଦେଉଛି । ପଦନ ତମୁକୁ କ’ଣ କହିବ ବୋଲି ଡରି ଡରି କରି ଆସିଛି । ଚୁଲିପଶାଟା କାଲିଠାରୁ ଫେରିଲାଣି । ବୋପାଙ୍କଠଉଁ ଦେଖି ଅଫିମ ଅଭ୍ୟାସ କଲାଣି ତ, ସେଇଥିପାଇଁ ଭୁଲା-ଶଙ୍କର ହେଲାଣି ।’’

 

-କ’ଣ ଭୁଲିଲା ଗୋ ?

-ସେ ବଳେ କହିବ । ସେହି ବଡ଼ ମାହାଜାନର ମାଲ୍ ହାଟରୁ ଶଗଡ଼ରେ ନେଇ ଯାଇଥିଲା । ଫେରିଲା ବାଟରେ ପୁଣି ଶୋଭାଙ୍କ ଶଶୁରଘର ଗାଁ ଦେଇ ଆସିଲା ।

 

ଦେଖା ହୋଇଥିଲା ?

 

-ହଁ । ଶୋଭ ଖବର ଦେଇଛନ୍ତି । ଚିଠି ଦେଇ ନାହାଁନ୍ତି । ଆଉସବୁ କ’ଣ ପଦନ ଗପୁଥିଲା, ସେ ନିଜେ କହିବ ।

 

ପଦନ ସାବନା ରଙ୍ଗର ବଳିଷ୍ଠ ଯୁବକ । ଗୋଲ ମୁହଁ । ମୁଣ୍ଡରେ ବାବୁରି ବାଳ । ଠିଆ ଠିଆ କାନ । ଗେଣ୍ଡା ନାକ ତଳେ କହରା ନିଶା । ବୟସ ହେବ ତେଇଶ । ସେ ଦାଣ୍ଡଘରର ପିଣ୍ଡାଉପରେ କାନ୍ଧରେ ରଙ୍ଗଗାମୁଛା ପକାଇ ଖୋଲା ଦେହରେ ଠିଆ ହୋଇଥିଲା ।

 

ନହୁଲୀକୁ ଦେଖି ସେ ତଳକୁ ଓହ୍ଲାଇଲା । ଅଣ୍ଟା ଉପରୁ ଦେହ ବଙ୍କାଇ ଦୁଇହାତ ଯୋଡ଼ି ମୁଣ୍ଡରେ ଲଗାଇ ଓଳଗି ହେଲା । ପୁଣି ସଳଖି ଠିଆ ହେଲା । ହାତଯୋଡ଼ି ଆଧୀନ୍ୟ ହେଇ କହିଲା, “ମୋର ଅପ୍ରାଧ ହୋଇଛି, ସାନସାନ୍ତାଣୀ ମା’ ।”

 

ନହୁଲୀ ପଚାରିଲା, ‘କି ଦୋଷ କଲୁ କି ? ଶୋଭା ସଙ୍ଗେ ତୋର ଦେଖା ହେଇଥିଲା ବୋଲି ତୋ ଭାଉଜ କହୁଥିଲେ । ସେ କ’ଣ ଖବର ପଠାଇଥିଲା ପରା ?’

 

-ହାଲିଆ ହୋଇ ତ ଫେରିଥିଲି । ଶୋଇପଡ଼ିଲି । କୁମ୍ଭକର୍ଣ୍ଣ ନିଦ ହୋଇଗଲା ।

-ଅଫିମ ନିଶା ?

 

-ହଁ ମା’, ହରଡ଼ପରିକା ଟିକିଏ । ମଜରା ଛାଡ଼ି ପଳେଇବ ବୋଲି ବାପା ଟିକିଏ ମତେ ଦେଲେ । ସେମିତି ସେ ଦିଅନ୍ତି । ମୋ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲାବେଳକୁ ଦିନ ଦି’ ଘଡ଼ି ।

 

...ଆଉ ଟିକିଏ ଶୋଇଥାନ୍ତି ଯେ ଭାଉଜ ମତାଇଦେଲେ, ଯୁଇ ଆଉ ବୁଇ ମୋ ଉପରେ ଘୋଡ଼ା ଚଢ଼ି ମୋ ବାଳ ଟାଣି ହକର ହକର ହେଲେ ।

 

ନହୁଲୀ ହସିଲା । କହିଲା, ‘‘ଭଲ କଲେରେ ପଦନ । ନୋହିଲେ ତୋ ନିଦ କେବେ ଭଙ୍ଗିଥାନ୍ତା କେଜାଣି । ଏବେ କହ, ଶୋଭା କେମିତି ଅଛି ? କେବେ ଆସିବ, ଟଙ୍କାପଇସା ମଗାଇଛି କି ?”

 

ପଦନ କହିଲା, ‘ଭଲ ଅଛନ୍ତି କି ମନ୍ଦ ଅଛନ୍ତି ସେକଥା ସେ ମତେ କହିନାହାଁନ୍ତି । ମୋ ହାତରେ ଖବର ପଠାଇଲାବେଳେ ସେ କାନ୍ଦୁଥିଲେ । ହାତ ପିଠିରେ ଲୁହ ପୋଛୁଥିଲେ ।’

 

‘କହୁଥିଲେ, ବିଶି ବିଶୋଇ, ଯିଏ ମଣିଷ ବେପାର କରି ଗଙ୍ଗାରୁ ଗଉତମ ଯାଏ ସମ୍ପତ୍ତି କିଣିଲାଣି, ସେ ଶୋଭାଙ୍କର ଘରବାରି ସବୁ ଦଖଲ କରିଛି । ଘରେ ତାଲା ପକାଇଛି ।’

 

‘ଶୋଭାଙ୍କୁ କହିଲା-ଏଗୁଡ଼ା ତୋର କ’ଣ ହେବ ? ତୋର ପଠାଣ ଗେରସ୍ତର ସମ୍ପତ୍ତି ସଙ୍ଗେ କେଉଁ ରାଜାମହାରାଜାର ସମ୍ପତ୍ତି ସରି ହେବ ନାହିଁ । କେତେ ପୁଞ୍ଜା ମାଇପଙ୍କୁ ଧନ ଦେଇ ଦେଇ ଛାଡ଼ିଲଣି । ତୁ ଯିବୁ ତ ତତେ ତା’ କତିକୁ ପଠାଇଦେବି ।’

 

‘ଶୋଭା କହୁଥାନ୍ତି । ବରକୋଳି ପରି ଲୁହଠୋପାମାନ ତାଙ୍କ ଆଖିରୁ ଟପ ଟପ ହୋଇ ଗଡ଼ିପଡ଼ି ଥାଏ ଗାଁ ଦାଣ୍ଡର ଧୂଳି ଉପରେ, ବଡ଼ କଦମ୍ବ ଗଛର ତଳେ ।’

 

‘ଶୋଭା କହିଲେ-ବିଶୋଇ ବୁଢ଼ାକୁ ତିନିକୋଡ଼ି ଧକ୍କା ମାରିଲାଣି । ପେଟଟା ଓଦର ପରି ଫୁଲିଲାଣି । ଦି’ ପାଦକୁ ରକତ ଗଡ଼ିଲାଣି । ମୋଟା ମୋଟା କାଚରେ ଚଷମା ଲଗାଇଛି । ପେଙ୍ଗେଇ ପେଙ୍ଗେଇ ଚାଲୁଛି, ତଥାପି ତା’ର କଥା ଶୁଣ ।’

 

-କହୁଛି କ’ଣ ନା, ଆଲୋ ଶୋଭା, ଘଇତା ଘର ଛାଡ଼ି ପଳାଇ କାହା ଘରେ ସବୁ କେଉଁଠି କେଉଁଠି ଯାଇ କ’ଣ ହୋଇ ରହିଲୁ । ଏ ଗାଁର ନା ପକେଇଲୁ । ମହତ ସରାଇ ଯୁଗ ବିତାଇଲୁ । ମୋ ଘର ତତେ ଗନ୍ଧାଉଛି କାହିଁକି ?

 

...ପୁଣି କୋବଲାଇ କହୁଛି, ତତେ ବଖରାଏ ଦେବି, ଖାଇବାକୁ ପିନ୍ଧିବାକୁ, ମନ ମାଫି ସଉକ କରିବାକୁ ତୋର ଅଭାବ ହବ ନାହିଁ । ସାପ ସଣବଣ ଅରମିଆ ଗାଡ଼ ଭରଭର ଢିଅଟାରେ, ଦେଢ଼ବଖୁରିଆ ପୁରୁଣା ନିଛାଟିଆ ଘରଟାରେ, ଆପଦ ବିପଦର ଘେରରେ, ତୁ ଭୁଆସୁଣୀଟା ରହିବୁ କେମିତି ?

 

ପୁଣି ସେ ବୁଢ଼ା ସନାତନ ପାକୁଆ ପାଟିରେ ହସ କୁଳି କରି କହିଲା– ବୟସ ଥିଲା ଝିଅଟା ତୁ । ରୂପର ଝଟକ ମଉଳି ନାହିଁ । ଏ ଗାଁର ଭେଣ୍ଡିଆ ଲୁଙ୍ଗୁରାଙ୍କର ଧାପ ଧାଉଡ଼କୁ କେମିତି ଆଡ଼େଇ ରହିବୁ ? ତୋ ପାଇଁ ଦିନେ ଗାଁର ମହତ ଦି’ କଡ଼ା ହେବ ।

 

‘କୁଆଡ଼େ ସେ ସଇତାନ ଆହୁରି କହିଲା -ସେଇଥିପାଇଁ ତ ଆଗ ମୁଁ ସେ ଘରକୁ ନିଜ ଅକ୍ତିଆରକୁ ନେଲି । ତାଲା ଠୁଙ୍କିଲି । କୁଆଡ଼େ ବୁଢ଼ା ପୁଣି କହିଲା- ଭଲ ଦଶା ଥିଲେ ତୁ ଆମ ଘରକୁ ଚାଲିଆ । ତୋର କିଛି ଅଭାବ ରହିବ ନାହିଁ ।’

 

ପଥର ମୂର୍ତ୍ତି ପରି ନହୁଲୀ ଅଚଳ ନିର୍ବାକ ହୋଇ ସବୁ ଶୁଣିଲା । ତା’ ଭିତରେ ରକତ ଟକମକ ହୋଇ ଫୁଟୁଥିଲା । କେବେ ସିନା ସେ ଜେନାଘରର ଦୁଲାଣୀ ଥିଲା । ଚାଷୀଘରର ଥଣ୍ଡା ରକତର ଝିଅ । ସାନ୍ତାରାଙ୍କ ଘରର ବୋହୁ ହୋଇ ଘିଅରେ ଖାଇ ଦୁଧରେ ଆଞ୍ଚେଇ ବେଳ ବିତିଲା-। ରକତର ତାତି ଚହଟିଲା । ନହୁଲୀ କହିଲା, ‘ଶୋଭା ସେ ଅଲକ୍ଷଣାର କଥା ସହିଲା କେମିତି ?’

 

‘ଶୋଭା ମତେ କହିଲେ; ତାଙ୍କର ଆଖିରେ ନିଆଁ ଜଳୁଥାଏ, ପଦନରେ, ସେହି ଦରମରା ଅଧା ଅଚଳିଆ ମହାପାପୀ ଯକ୍ଷ ବିଶୋଇକୁ ଜବାବ ଦେଲି-ମୋର ଏଇ ଦରଭଙ୍ଗା ଘରୁ କୋଲପ ଫିଟା । କ’ଣ ସବୁ କାଗଜ ରଖିଛୁ ଫେରାଇ ଦେ କହୁଛି । ଏ ଘରଡିହ, ବାରି, ଜମି ସବୁ ଏ ଗ୍ରାମର ଠାକୁର ବୀର ହନୁମାନଜୀଙ୍କ ନାମରେ ଲେଖିଦେବି । ଗ୍ରାମବାସୀ ସଭାକରି ସମ୍ପତ୍ତିର ମାରଫତଦାର ଠିକ୍ କରିବେ ।’

 

‘ଗୋଦଡ଼ା ବୁଢ଼ା ପଚାରିଲା-ଆଉ ମୋ ଟଙ୍କା ବାଏଁ ବାଏଁ ଉଡ଼ିଯିବ । ହଇଲୋ ପଠଉଣୀ-?’

 

‘ଶୋଭା କହିଲେ-ଉଡ଼ିଯିବ କାହିଁକି ହେ ବିଶୋଇ ? ମୋର ପଠାଣ ଗେରସ୍ତ ଯେଉଁ ଦେଶରେ ଯେଉଁଠି ଥିବ ତାକୁ ତୁମେ ଲେଖିଲେ ସେ ସବୁ ପାଉଣା ତମର ପଠାଇଦେବ ଯେ ।’

 

...ବିଶୋଇ ଏଡ଼େ ଏଡ଼େ ଆଖି କରି ମୋ ମୁହଁକୁ ଅନାଇଲାରେ ପଦନ । ରାଗିଲା ନାଗସାପ ପରି ଫଣା ଟେକି ଫଁ -ଫଁ ହେଲା । କହିଲା, ମତେ ତୁ ଚିହ୍ନିଛୁ ଟି ?

 

...ମୁଁ କହିଲି, ଯକ୍ଷ ରାଢ଼ରେ, ତତେ ଆଉ କିଏ ଚିହ୍ନୁ କି ନ ଚିହ୍ନୁ ମୁଁ ଚିହ୍ନିଛି । ଆଉ ଚିହ୍ନିଛନ୍ତି ଆମ ସାନ୍ତରାପାଟଣାର ମୁଣ୍ଡପାଣିଛଡ଼ା ଖଣ୍ଟ ପୁଅମାନେ । ସେମାନଙ୍କର ଖୁଣ୍ଟ ବଟ ସାନ୍ତରାଙ୍କର ଝିଅ ମୁଁ ହୋଇସାରିଛି ।

 

...ତାଙ୍କ ଅନ୍ତେ ତାଙ୍କ ପୁଅ ଖୁଣ୍ଟିଆ ଆନନ୍ଦ ସାନ୍ତରା ନିଜର ମାନ ସନମାନ ପାଇଁ କେଉଁ ରଜାଘରର ପୁଅର ଜୀବନ ନ ନେଇ ଆଖି ତାଡ଼ିଲା । ଖଣ୍ଡମଣ୍ଡଳରେ ପ୍ରଚାର ଜାଣିଥିବ ତ । ସେ ମୋ ଭାଇ ।

 

...ନିଲଠା ବୁଢ଼ା ମତେ କହିଲାରେ ପଦନ, ତୋ ଭାଇ ହେଉ କି ତୋ ବୋପା ହେଉ, ଘଣା ପେଲୁଛି ଜେହେଲରେ, ଆମୁକୁ ଜଣା ।

 

‘ରାଗିଯାଇ ଶୋଭା କୁଆଡ଼େ କହିଲେ-ଭାସିଗଲା କ’ଣ । ତାଙ୍କପରି ଦି’ ଶହ ଭାଇ ସେଠି ମୋର ଅଛନ୍ତି ।’

 

-‘ସେଥିରୁ ପୁଞ୍ଜାଏ ଆସିଲେ ତତେ ମିଶାଇ ତୋ ବଉଁଶଯାକଙ୍କୁ ପାଠପଢ଼ାଇ ଯିବେ । ଜୀବନକୁ ନଇଲେ ଜେଲକୁ ତାଙ୍କମାନଙ୍କର ଡର ନ ଥାଏ । ଯିଏ ମାଡ଼ ଦେବାକୁ ଆସେ ସେ ମାଡ଼ ସହିବାକୁ ଏପରି କି ମରିବାକୁ ପ୍ରସ୍ତୁତ ହୋଇ ଆସିଥାଏ ।’

 

ପଦନ କହିବାକୁ ଲଗିଲା, ‘ସାନ୍ତାଣୀ ମୋ ହାଡ଼ରେ ନିଆଁ ଚରିଗଲା । ମୁଁ ଗର୍ଜି ଉଠିଲି । କହିଲି, ତାକୁ ଠିକ୍ ଚେତାଇଛ । କହିବୁ ଯଦି ଏକା ମୁଇଁ ମୋ କରାମତି ତାକୁ ଦେଖାଇଦେବି ।’

 

‘ଯିଏ ଏତେ ଲୋକଙ୍କର ଘର ଭାଙ୍ଗିଛି, ଜୀବନକୁ ବିକି ସମ୍ପତ୍ତି ଭେଇଛି, ତାକୁ ଉପ୍ରୋଧ କାହିଁକି ?’

 

‘ତା’ର ଗୋଡ଼ ସିନା ଗୋଦଡ଼ା । ହାତ ଦୁଇଟା ଭଲ ଅଛି । କହୁଣି ପାଖରୁ ସେ ଦୁଇଟା ଛିଣ୍ଡାଇଦେଲେ ପୁଅ ଭାବ ପାଇବ । ମୋ କଟୁରି ସେତକ କରିପାରିବ । ଖଣ୍ଡାପୁଅର କିରାମତି ସମସ୍ତେ ଜାଣିବେ ।’

 

‘ଶୋଭା କହିଲେ-ଧୀରେ ଧୀର ଭଗବାନ ତାଙ୍କୁ ଦଣ୍ଡ ଦେଉଛନ୍ତି । ଚେତାଇଲେ ସେ ଚେତୁ ନାହିଁ । ସେ ଆହୁରି ଗୋଟିଏ ଯୁଗ ବଞ୍ଚି ରହୁରେ ପଦନ, ନିଜ କଲା କର୍ମର କଷଣ ଭୋଗ କରିଯାଉ ।’

 

‘ଶୋଭା ଆହୁରି କହିଲେ ନହୁଲୀ ଦେଈଙ୍କୁ କହିଦେବୁ, ମୋ ପାଇଁ ସେ ବ୍ୟସ୍ତ ହେବେ ନାହିଁ । ତାଙ୍କ କଥା, ମୋ ମା’ ସାମନ୍ତାଣୀ, ଆଉ ଶୋଭନର କଥା ଭାବି ଛଟପଟ ହେଉଛି ।’

 

‘କହିଦେବୁ-ସାତୋଟି ଦିନ ପରେ ଭଦ୍ରଲୋକମାନେ ମୋ ଗୁହାରିର ବିଚାରଣା କରିବେ । ସେମାନେ ଯାହା କହିବେ ସେଇଆ ହେବ । ତା’ର ଦୁଇ ଦିନ ପରେ ମୁଁ ନିଜେ ଯାଇ ସାନ୍ତରାପାଟଣାରେ ଆମ ଘରେ ପହଞ୍ଚିବି ।’

 

‘ମୁଁ ତାଙ୍କୁ ଟଙ୍କା ଯାଚିଲି, ସାନ ସାଆନ୍ତାଣୀ । ସେ କହିଲେ-ଏଇ କେଇଟା ଦିନ ଚଳିବାକୁ ପାଖରେ ଟଙ୍କା ଅଛି । ଆଉ ରଖି କ’ଣ କରିବି ? ନିଜେ ଅନ୍ୟ ଘରେ ପାଇଟି କରୁଛି । କହିଦେବୁ ମୋ ମା’ ସାମନ୍ତାଣୀଙ୍କୁ ଆଉ ନହୁଲୀ ରାଣୀଙ୍କୁ, ମୋ ପାଇଁ ବ୍ୟସ୍ତ ହେବେ ନାହିଁ । ଜାଣ, ତୋ ପଛେ ପଛେ ମୁଁ ଯାଇ ପହଞ୍ଚିଯିବି ।’

 

‘ସାମନ୍ତାଣୀ ଗୋ, ତାଙ୍କର ଆଖିରୁ କେରାକେରା ଲୁହ ଝରିପଡ଼ୁଥାଏ । ଶୋଭା କହିଲେ-ପଦିରେ, ମା’ ସାମନ୍ତାଣୀ ମୋ ନହୁଲୀରାଣୀ ଆଉ ଟିକି ସାଆନ୍ତ ବକଟକ ଶୋଭନ, ସଦାବେଳେ ମୋ ଆଖିକୁ ଦିଶିଯାଉଛନ୍ତି । ଧାଇଁଯିବାକୁ ମନ ଉଚ୍ଛନ୍ନ ହେଉଛି ।’

 

...ହେଲେ, ଚିରଦିନ ପାଇଁ ଏ ଗାଁ ଛାଡ଼ି ଯିବା ଆଗରୁ ଯେଉଁ ଚଣ୍ଡାଳ ଏକା ମୋର ନୁହେଁ, ମୋ ପରିକା କେତେ ହତଭାଗିନୀଙ୍କର ସର୍ବନାଶ କରିଛି, ତା’ ସଙ୍ଗେ ଶେଷ ବୁଝାମଣା କରି ଯିବି ।

 

‘ପୁଣି ଶୋଭା କହିଲେ-ବାବୁରେ, ମୁଁ ଜିତେ କି ହାରେ, ଆଜି ତ ଶୁକ୍ରବାର । ମୁଁ ଆର ରବିବାର ସଞ୍ଜ ସରିକି ଯାଇ ନିଶ୍ଚୟ ସାମନ୍ତପାଟଣାରେ ପହଞ୍ଚିଯିବି ।’

 

ନହୁଲୀ ନିଶ୍ଚଳ ହୋଇ ପଦନ ଆଗରେ ଠିଆ ହୋଇ ରହିଲା । ସେ ଶୂନ୍ୟ ଦୃଷ୍ଟିରେ ପଦନର ମୁହଁକୁ ଚାହଁ ରହିଥିଲା ।

 

ବାହାରର ସବୁ ପ୍ରତିବନ୍ଧକ ଭେଦ କରି ତା’ର ଅନ୍ତରର ଦୃଷ୍ଟି ଭ୍ରମିଆସିଲା କାହିଁ କେଉଁ ଅଜଣା ସ୍ଥାନର କେଉଁ କାରାଗାର ଭିତରେ ତା’ର ସ୍ୱାମୀ ଅନ୍ୟ ବନ୍ଦୀମାନଙ୍କ ପରି ହାତରେ ଓ ଗୋଡ଼ରେ ବେଡ଼ି ପିନ୍ଧି ଠିଆ ହେଇଛନ୍ତି । ଲଣ୍ଡିତ ମୁଣ୍ଡରେ ଧୋବକନାର ଟୋପିଟିଏ । କେଡ଼େ ଦୁର୍ବଳ ଦିଶୁଛନ୍ତି । ଆଖିରେ ଲୁହ । ଆଖି ଦିଓଟିରୁ ଅନଳ ସ୍ଫୁଲିଙ୍ଗ ଛୁଟିଛି । ହାତରେ କଟୁରି ଧରି ଗ୍ରାମ ଦାଣ୍ଡର ବଡ଼ କଦମ୍ବ ଗଛ ତଳେ ଠିଆ ହୋଇଛି ଶୋଭା । ବଡ଼ ସାମନ୍ତରା ଖୁଣ୍ଟିଆ ଘରର ପାଳିତା କନ୍ୟା । ଘନ ଘନ ନିଶ୍ୱାସ ଛାଡ଼ୁଛି ।

 

ପାଟିତୁଣ୍ଡ ହସଖୁସିରେ ଘର ଉଛୁଳି ଉଠୁଛି । ରାତି ପାହିଲେ ମଙ୍ଗନ । ନାୟକପାଟଣାର କେଉଁ ସଧବା ଆତ୍ମୀୟାମାନେ ନିଜ ଘର ପରି ତାଙ୍କ ଘରେ କାରବାର ହେଉଛନ୍ତି । ଦିଆନିଆ ରଖାଥୁଆ କରୁଛନ୍ତି ।

 

ଢିଙ୍କିଶାଳର ସପମସିଣା ଉପରେ ବସିଛନ୍ତି ପରା ତପଶ୍ଚାରିଣୀ ଜେମାଦେଈ ସାମନ୍ତାଣୀ-। କେଡ଼େ ଦୁର୍ବଳ, କେଡ଼େ ମଳିନ ସେ ଦିଶୁଛନ୍ତି । ତାଙ୍କ ପାଖରେ ତା’ର ଦୁଃଖିନୀ ବୋଉ । ଦିହେଁ ଦିଶୁଛନ୍ତି ପ୍ରଫୁଲ୍ଲ । କ’ଣ ଆଲୋଚନା କରୁଛନ୍ତି ।

 

ତା’ରି କଥା ମନେପକାଉଛନ୍ତି କି ? ଝିଅ ବୁଧବାର ସଞ୍ଜ ସରିକି ପହଞ୍ଚିଯିବ । ସବୁ ଶୁଭକାର୍ଯ୍ୟର ଦାୟିତ୍ୱ ସେଇ ନଉଲୀ ହାତକୁ ନେବ । ଏଇ ଆଲୋଚନା ହେଉଥିବ ପରା ।

 

ନହୁଲୀ ତା’ର ଭ୍ରମିଲା ଭାବନାକୁ ଆୟତ୍ତ କରି ଜଗନ୍ନାଥଙ୍କୁ ସ୍ମରଣ କଲା । ନୀରବରେ ନିବେନନ କଲା, ମୋର କର୍ମଫଳ ତ ମତେ ଭୁଞ୍ଜାଉଛ ଭଗବାନ, ତମ ପାଖରେ ମୋର କିଛି ଅଭିଯୋଗ ନାହିଁ, କିଛି ମାଗୁଣି ନାହିଁ । ମୋର ମନରେ କର୍ତ୍ତବ୍ୟ ପାଳନ କରିବାକୁ ଦୃଢ଼ ଶକ୍ତି ଦିଅ, ପରିଣାମ ଯାହା ହେବାର ହେଉଥାଉ ।

 

ତା’ର ମାନସଚକ୍ଷୁ ଆଗରେ ଉଭା ହେଲେ ଜେମାଦେଈ ସାମନ୍ତାଣୀ, ଷାଠିଏ ଟପି ସାତ କି ଆଠ ବର୍ଷର ସ୍ୱାସ୍ଥ୍ୟବତୀ ସୁନ୍ଦରୀ କର୍ମଠ ବୃଦ୍ଧା । ମୁଣ୍ଡର ମୁକ୍ତ ଦୋଳିତ କେଶ ତୁହିନ ଧବଳ । ହସହସ ମୁହଁ ।

 

କହୁଛନ୍ତି ସତେ, ଉପସ୍ଥିତ କର୍ତ୍ତବ୍ୟ ଆଗରେ ଯେଡ଼େ ଲୋଭନୀୟ ହେଉ ପଛେ, ସୁଖସମ୍ଭୋଗର କାମନାକୁ ବର୍ଜନ କରିବା ଲୋଡ଼ା ଲୋ ମା’ ନହୁଲୀ । ଜୀବନର ସାର୍ଥକତା ସେହି ତ୍ୟାଗରେ ହିଁ ନିହିତ ।

 

ନହୁଲୀ ଶିହରିତ ହେଲା । ଦୃଢ଼ସଂକଳ୍ପ ହେଲା ।

 

ବିମୁଢ଼ ପଦନର ପ୍ରଶ୍ନରେ ତା’ର ଜାଗ୍ରତ ସ୍ୱପ୍ନ ଭାଙ୍ଗିଲା -ସାଆନ୍ତାଣୀ, ମତେ ସତେ ଏବେ ବିଦାୟ ଦେବ ନାହିଁ ? ଘରେ କେତେ କାମ ବାକି ପକାଇ ଆସିଛି । ଆଜି କେଉଁଠି କାମ ବୁଝିଲି ନାହିଁ । ବେକାର ହେଲି । କାଲି ପାଇଁ କାମ ଖୋଜିବାକୁ ଯିବି ।

 

ନହୁଲୀ କହିଲା, ଆଜି ତୁ ବେକାର ବସିବୁ କାହିଁକି ? ଏ ଘରେ କ’ଣ କାମର ଅଭାବ ? ଯୋଗିଆ ମା’ ଲୋକ ଖୋଜୁଥିଲା । ତାକୁ ପଚାରି ଯେଉଁ କାମ ସେ ବତାଇବ, ଆଜି କର ।

 

‘‘ରୋଷଘରେ ତୋ ଭାଉଜ ଦୂତିକା ଅଛି । ତାକୁ କହ, ତୋ ପାଇଁ ସେ ଚାଉଳ ପକାଇବ-।”

 

ପଦନ ଖୁସି ହୋଇ କହିଲା, “ହଉ ମା’ । ଭାଉଜ ଜାଣନ୍ତି, ମୁଁ ଗୋଟାଏ ଟିମା ଅସୁର ।’’

 

ନହୁଲୀ ହସିଲା, କହିଲା, ‘ତେବେ ଦୂତିକାକୁ କହିଦେ, ତୋ ପାଇଁ ଅଲଗା ହାଣ୍ଡିଏ ଭାତ ରନ୍ଧିଦେବ । ଗୁହାଳର ସଙ୍ଘା ଉପରେ ଖେପାଜାଲ ଅଛି । ପୋଖରୀରେ ପକାଇ କ’ଣ ଧରୁଛୁ ଧର-। ଦେଖିବା ତୋର ପାରିଲା ପଣ ?’

 

ପଦନ କହିଲା, ‘ପୋଖରୀରେ ଦି’ ପୁରୁଷ ପାଣି । ତୁଠ ପାଖରେ ଜାଲ ଖେପିଲେ କଉ, କେରାଣ୍ଡି, କଣ୍ଟିଆ ମିଳିଲେ ମିଳିବ । ଭଗ୍ୟରେ ଥିଲେ ପୋହଳା ବି ପଡ଼ିପାରେ ।’

 

ନହୁଲୀ କହିଲା, ‘ଯାହା ତୋ କପାଳେ ଥିବ । ଆଉ ଶୁଣ୍ ପଦନ, ଆଜି ଯୋଗିଆ ମା’କୁ ପଚାରି ତୁ ଯାହା କରୁଛୁ କର । କାଲି ତୁ ଭୋରରୁ ଉଠି ରାଉତପାଟଣା ଯିବୁ ?’

 

ପଦନ କହିଲା, ଗଦାଏ ବାଟ, ସାମନ୍ତାଣୀ । ଧଅସି ଚାଲିଲେ ଗାଧୁଆବେଳ ସରିକି ପହଞ୍ଚିଯିବି । ଛାଇ ନେଉଟିଲା ବେଳେ ସେଠାରୁ ବାହାରିଲେ ରାତି ପହରକୁ ଆସି ଗାଁ ଧରିବି । ଅନ୍ଧାର ଆଉ ଶୀତକୁ ମୋର ଡର ନାହିଁ ।

 

ହାଲିଆ ହେଇଯିବୁରେ ପଦନ । ଆମ ଘରେ ସେଇଠି ରହିଯିବୁ, ପଅରଦିନ ଯେତେବେଳେ ଫେରୁଛୁ ଫେର । ଯିବାଟା ଜରୁରୀ, ଫେରିବା ତ ନୁହେଁ , ତୋ ହାତରେ ଚିଠି ଖଣ୍ଡି ଏ ଆମ ଘରକୁ ପଠାଇବି । ମୋ ବୋଉକୁ ଦେବୁ ।

 

‘ହଉ, ସାନ୍ତାଣୀ, ବୋଝ ଭାର ଯାହା ଦେବ ନେଇଯିବି ।’

 

ଏତିକିବେଳେ ମୋତିମାଳାଙ୍କର ରହିବା ଘର ଭିତରୁ ଦୂତିକା ଅଗଣାକୁ ଆସିଲା । ଅତର୍ଛ ହେଲାପରି ମୁହଁ ନ ଖୋଲି ମୁଣ୍ଡ ଟୁଙ୍ଗାରି ହାତ ହଲାଇ ପାଖକୁ ଡାକୁଣୁ, ସେ ନିଜେ ବି ନହୁଲୀ ଆଡ଼କୁ ଆଗେଇ ଆସିଲା ।

 

ନହୁଲୀର ଛାତିରେ ଛନକା ପଶିଲା । କ’ଣ ଅଘଟନ ଘଟିଲା କି ଆଉ । ଏହି ଆଶଙ୍କାରେ ସେ ବିଚଳିତ ହେଲା । ଉଚ୍ଛନ୍ନ ହୋଇ ଦୂତିକାର ଆଡ଼କୁ ତୁରିତେ ଯାଆନ୍ତେ, ଦୂତିକା ପାଖେଇ ଆସିଲା ।

 

ସେ କହିଲା, ‘ବ୍ୟସ୍ତ ହୁଅନା ଗୋ । ବଡ଼ ସାନ୍ତାଣୀ ଆଖିବୁଜି ତମରି ନାଁ ଧରି ଡାକୁଛନ୍ତି । ଦେହରେ ଖଇଫୁଟା ତାତି ଭରି ରହିଛି । ହାତ ବଢ଼ାଇ ଖଟ ଉପରେ କ’ଣ ଅଣ୍ଡାଳୁଛନ୍ତି ।’

 

ବିଚଳିତ ହୋଇ ନହୁଲୀ କହିଲା, ମତେ ଖୋଜୁଥିବେ । ଅବା ଶୋଭନକୁ ।

 

‘ଶୁଣ୍‌, ପଦନଠାରୁ ମୁଁ ଶୋଭାର ସବୁ ଖବର ପାଇସାରିଛି । ଆଜିଠାରୁ ପଦନ ଆମ ଘରେ କାମ କରିବ । କିଛିଦିନ ଯାଏ ସେ ଆମକୁ ସାହାଯ୍ୟ କରିବ । ତାକୁ ମୁଁ ଅଟକାଇଛି । ଆଉ ସବୁ କଥା ସେ ତମୁକୁ କହିବ ।’

 

ମୁହୂର୍ତ୍ତେ ଅପେକ୍ଷା ନ କରି ନହୁଲୀ ତା’ ଶାଶୁଙ୍କ ଘର ଚାଲିଗଲା ।

 

ସତେ ପଲଙ୍କ ଉପରେ ବସି ବାଉଳି ଚାଉଳି ହେଉଥିଲେ । ଗୋଡ଼ ଲମ୍ବାଇ କ’ଣ ମନକୁ ମନ କହୁଥିଲେ । ହାତ ଲମ୍ବାଇ ଅଣ୍ଡାଳି ଅଣ୍ଡାଳି କ’ଣ ଖୋଜୁଥିଲେ ।

 

ଧୈର୍ଯ୍ୟ ନ ହରାଇ ନହୁଲୀ ଦ୍ଵାରବନ୍ଧ ପାଖକୁ ଆସି ଦୂତିକାକୁ ଓ ପଦନଙ୍କୁ ଡାକ ଛାଡ଼ିଲା-

 

ରାତି କେତେ ହେଲା ସେ ଜାଣିପାରୁ ନାହିଁ । ବାହାରେ ଏକାଦଶୀର ଘନ ଅନ୍ଧକାର । ବାତାୟନ ବାଟେ ଖଞ୍ଜା ଭିତରକୁ ଚାହିଁଲେ ଆର ଧାଡ଼ି ଘରର ମଥାନ ଉପରେ ନିର୍ମେଘ ଆକାଶର ପଟିଟିଏ ଦିଶୁଛି ।

 

ତହିଁରେ ବଡ଼ ଛୋଟ ଉଜ୍ଜ୍ୱଳ ସ୍ୱଳ୍ପପ୍ରଭ ଓ ନିଷ୍ପ୍ରଭ ଅଗଣନ ତାରା । କେତେ ଜକଜକ, କେତେ ମିଟିମିଟି ।

 

ବାତାୟନ ପଥରେ ମାର୍ଗଶିର ଶୀତଳ ଏକାଦଶୀ ରାତ୍ରିର କୋହଲା ପ୍ରବାହ ସଙ୍ଗରେ ଘରଭିତରକୁ ପଶିଆସୁଛି ଝିଙ୍କାରି ପଲର ଝାଇଁଝାଇଁ ଶବଦ ।

 

ମନରେ ଭୟ ପଶୁନାହିଁ; କିନ୍ତୁ କାରୁଣ୍ୟର କମ୍ପନ ଜାଗୁଛି । ସବୁ ସଂକଳ୍ପ ସତ୍ତ୍ୱେ ଧୈର୍ଯ୍ୟ ଟଳମଳ ହେଉଛି ।

 

କାହିଁକି ଏ ଅସ୍ଥିରତା ? କବିରାଜ ଆଚାର୍ଯ୍ୟଙ୍କ ଉପଦେଶ ମାନି ଦୂତିକାର ପ୍ରତିବାଦ ସତ୍ତ୍ୱେ ଶୀତଦିନଟାରେ ମଧ୍ୟ ସେ ଶାଶୁଙ୍କର ମୁଣ୍ଡ ଧୋଇ ଦେଇଥିଲା, ଓଦା ତଉଲିଆ ଅଳପ ଚିପୁଡ଼ି ସର୍ବାଙ୍ଗ ପୋଛି ଦେଇଥିଲା ।

 

ଶୁଖିଲା ପରିଷ୍କାର ଶାଢ଼ି ଓ ବକ୍ଷବାସ ପିନ୍ଧାଇ ଯତ୍ନ କରି ମୁଣ୍ଡ କୁଣ୍ଡାଇ ଦେଲା । ମହୁରେ ଅଦାରସ ମିଶାଇ ତହିଁରେ ବଟିକା ଘୋରି ଶାଶୁଙ୍କୁ ଚଟାଇଲା । ଦୂତିକା ଓ ଯୋଗିଆ ମା’ ତାକୁ ସାହାଯ୍ୟ କରୁଥିଲେ ।

 

ନଗର-ନାଉରୀ ପରଝରସରୀ ଦୂତିକାର ମନଟି ସହାନୁଭୁତିଶୀଳା ନିରଳସ କର୍ମତତ୍ପରା, ପର ଦରବକୁ ନିର୍ମାଲ୍ୟ ମଣିବା ଦୂତିକାକୁ କହିଲା, “ଆଲୋ, ତୁ ଓଲମୀ, ଆଖି ଥାଉଁ ଥାଉଁ ଜଳକୀ ହ’ ନା । ସେ ଟୋକୀ ଭାବିଛି, ସବୁ ସୁନାରୁପା ଧନସମ୍ପତ୍ତି ନେଇ ବାପଘରକୁ ଛୁ କରିବ ।’’

 

‘ସଉତୁଣୀ ପୁଅଟାକୁ ସୋଗ ଦେଖାଇ ସଙ୍ଗରେ ନେବ । ବିଷ ଦେବ, କି ତଣ୍ଟି ଚିପି ମାରିଲେ କିଏ ଅଛି ଯେ ଦେଖିବ, ଜାଣିବ । ପରପୁଅ ମଲା, ରୋଗ ବାହାରେ ବାହାରେ ଗଲା ।’

 

‘କାନ୍ଦି ବୋବେଇ ସେ ଚତୁରୀ ଟୋକୀ ସଂସାର କମ୍ପେଇବ । ଆପେ ତୁନି ହେବ । ମିଛିମିଛିକା ଦୁଃଖକୁ ପିଠିବାଟେ ପଛକୁ ଫୋପାଡ଼ିବ । ସେଇଠୁ, ରାଣ୍ଡ ମା’ର ଭେକଦେଖାଣିଆ ବାଧ୍ୟତାରେ ଅନ୍ୟ ସଂସାର କରିବ ।’

 

ପର-ଉପକାରୀ, ସହନଭୂତିଶୀଳା ଦୂତିକାଟି ତା’ ଭିତରର ପରଝରସରୀ, କୁଟିଳା ଦୂତିକାକୁ ଆକଟି କହିଲା ‘କାହାକୁ ତୁ କ’ଣ ମଣିଛୁ ଲୋ ? ସବୁ ସୁ-ଗୁଣର ଖଣି, ସର୍ବସହଣୀ, ସୁନାବରନୀ, ଲକ୍ଷ୍ମୀଠାକୁରାଣୀର ମନରେ କଳଙ୍କ ବୋଳିଲେ ତୁ ପାତକିନୀ ହେବୁ, ନରକକୁ ଯିବୁ ଲୋ ।

 

ଦୂତିକାର ଦି’ମୁହାଁ ଭାବନାକୁ ଦୋହଲାଇ ନହୁଲୀ କହିଲା, ‘ବୋଉଙ୍କୁ ମୁଁ ଶୁଆଇ ଦେଇଛି-। ତମେ ସେହି ଡେକ୍ଚିରେ ଥିବା ବାର୍ଲି, ଆଉ କ୍ଷୀର ଗରମ କରି ଆଣ । କାଗେଜିଲେମ୍ବୁ କାଟି ରଖିଛି ଟେବୁଲ ଉପରେ । ନବାତ ଡବା ସେଇଠି ଅଛି । ମୁଁ ତାଙ୍କୁ ଚାମୁଚ୍‌ରେ ଧୀରେ ଧୀରେ ପେଇବି ।’

 

ଆଣୁଛି, ଦେଈ । ବୁଢ଼ୀସାମନ୍ତାଣୀଙ୍କର ଜର କମିଲା ପରି ଲାଗୁଛି । ତମେ ଯାଅ ଶୋଇବ, ମୁଁ ସବୁ କରିଦେବି । ତମେ କେତେ ଆଉ ଖଟିବ ?’

 

‘କ’ଣ ତମଠାରୁ ବେଶୀ ? ହଉ, ହେଲା । ଏତକ କାମ ସରିଲେ ମୁଁ ମୋ ଶୋଇବାଘରକୁ ଯିବି । ବୋଉଙ୍କ ପାଖରେ ତମେ ରହିବ ?’

 

ଦୂତିକା କହିଲା, ‘ଯୋଗିଆ ମା’ ବି ମୋ ସାଙ୍ଗରେ ରହିବେ । ସେ ଶୋଭନ ସାନ୍ତଙ୍କୁ ଜଗି ବସିଛନ୍ତି । ଯୁଇ ଓ ବୁଇ କାନି ପାରି ସେ ଘରେ ତଳେ ଶୋଇଛନ୍ତି । ପଦନଙ୍କ ହାତରେ ଘରକୁ ମୁଁ ଖବର ପଠାଇଛି ।

 

‘ଏବେଳା ପୁଣି ହାଣ୍ଡିଏ ପଖାଳ, ବେଲାଏ ହେବ ଛେଲା-କେରାଣ୍ଡି ଭଜା ଠୁଙ୍କି ପଦନ ତାଙ୍କ ଭାଇଙ୍କୁ ବି ଏଠାକୁ ପଠାଇବାକୁ ଯାଇଛନ୍ତି । ଭଲ ଦି ଜଣ ଯେମିତି ଟକଳା ସେମିତି ପେଟୁ । ପେଟ ନୁହେଁ ତ, ଓଳିଆ ।’

 

ନହୁଲୀ ଆକଟି କହିଲା, ‘ସେମିତି କହନା, ଦୂତିକା । ତମର ଏଇ ସାଆନ୍ତ ଘରେ କ’ଣ ଧାନଚାଉଳର ଅଭାବ ?’

 

‘ଜମିଗୁଡ଼ାକରେ ଆପେ ଫସଲ ଫଳେ କି ? ଯେଉଁମାନଙ୍କର ହାତ ଗୋଡ଼ର କରାମତି, ଆଉ ବିଚାର ବୁଦ୍ଧିରେ ଫସଲ ଫଳେ, ଅମାର ଭରେ, ସେମାନେ ପେଟପୂରା ମୁଠିଏ ଖାଇବେ ନାହିଁ ?’

 

‘ଦୂତିକା ଗୋ, ମୁଁ ଚାଷୀଘରର ପାଣି କାଦୁଅ ଚକଟା ଝିଅ । ଚଷାପୁଅର ପେଟ ନ ପୂରିଲେ ହାତରେ ଗୋଡ଼ରେ ଭୀମର ବଳ ଆସିବ କେଉଁଠୁ ? କିପରି ସେ ଧରିତ୍ରୀ ସଙ୍ଗରେ ଲଢ଼ିବ, ତା’ର ଗନ୍ତାଘରୁ ସୁନାଫସଲ କାଢ଼ିବ, ଲକ୍ଷେ ଜୀବଙ୍କୁ ପୋଷିବ ?’

‘ପରିହାସରେ ବି ପୁଅ, ପତି, ଦିଅର, ବା ଆଉ କେହି କାମିକା ଲୋକର ଆହାର ଉପରେ କେବେ ଦୃଷ୍ଟି ଦେବ ନାହିଁ, ଦୂତିକ ।’

ଦୂତିକା ଲାଜରା ହେଲା । ସାନସାମନ୍ତାଣୀ, ଲକ୍ଷ୍ମୀରୂପିଣୀ ନହୁଲୀ ଦେଈଙ୍କର ବଚନକୁ ସେ ମାନିନେଲା ।

କହିଲା, ମୂରୁଖ ମାଇପିଟା, ମୋର କେତେ ବୃଦ୍ଧି ଯେ ତମର ବିଚାରଣାକୁ ଖୁଣିବାକୁ ମୁଁ ବହପ କରିବି ? ବୋଲମାନି କାମ ତୁଲାଇବା ମୋ’ର ପାଇଟି ।

ଯାହା କହିଲ, ‘ଯାଉଛି ଗୋ ଦେଈ, ମୁଁ ସେଇଆ କରିବି । ପିଲା ଘରଟି ସେ ପାଖରେ ଅନ୍ଧାର କରିବି ନାହିଁ । ବାରଣ୍ଡାର ଆଲୁଅଟା ରୋଷଘରକୁ ନେଇଯାଉଛି । ସଙ୍ଗେ ସଙ୍ଗେ ବାର୍ଲି ଗରମ କରି ଆଣିବି ।’

ନହୁଲୀ ମୁହଁ ନ ଖୋଲି ମୁଣ୍ଡ ହଲାଇ ସ୍ୱୀକୃତି ଜଣାଇଲା । ମୋତିମାଳାଙ୍କ ମୁହଁକୁ ଚାହିଁଲା-। ସେ ଆଖି ବୁଜି ଚିତ୍‌ହୋଇ ଶୋଇଥିଲେ । ଘନଘନ ନିଶ୍ୱାସ ଛାଡ଼ୁଥିଲେ ।

ଚିଠିଲେଖା ସରିଲା । ଆଖିର ଅମାନିଆ ଲୁହ ବୁନ୍ଦାରୁ କେତେ ଠୋପା ପଡ଼ି କେତେ ଜଗାରେ ସାମାନ୍ୟ ବିଲିବିଲା ହୋଇଥିଲା ।

ତା’ର ଚାରା ନ ଥିଲା । କୋହ ସିନା ଅଟକାଇ ହେଲା, ଯେତେ ପୋଛିଲେ ଲୁହ ଅଟକାଇ ପାରି ନ ଥିଲା । ଏ ପାଖରେ କର୍ତ୍ତବ୍ୟର ଡାକ, ଭବିଷ୍ୟର ଭାବନା । ସେପାଖେ ମମତାର ମାୟା, ବିଗତର ସୁମରଣା । ଦ୍ୱନ୍ଦ୍ୱଭାବକୁ ଆୟତ୍ତ କରି ସେ ସ୍ଥିରସଂକଳ୍ପ ହେଲା । କର୍ତ୍ତବ୍ୟକୁ ଆଦରିନେବାକୁ ସେ ସ୍ଥିର କଲା ।

 

ଲଣ୍ଠନର ଉଜ୍ଜ୍ୱଳ ଆଲୁଅ ନିଷ୍ପ୍ରଭ ହୋଇଆସୁଥାଏ । ପଲଙ୍କ ଉପରେ ପିଲା ତିନୋଟି ନିଶ୍ଚିନ୍ତରେ ଶୋଇଛନ୍ତି । ଏ ପାଖେ ଯୂଇ, ସେପାଖେ ବୁଇ, ମଝିରେ ଶୋଭନ । କେହି ତା’ର ପେଟରୁ ଜନମି ନାହାଁନ୍ତି । ଜଣେ ତା’ର କ୍ଷୀର ଶୋଷୁଥିଲା, ଅନ୍ୟ ଦିହେଁ ଦୂତିକାର ।

 

ସେମିତି ହୁଏ । ବ୍ରାହ୍ମଣର ମାତୃହରା ପୁଅକୁ ବି ଅଛୁଆଁ ଜାତିର ଦୁଗ୍‌ଧବତୀ କେହି କ୍ଷୀର ଦେଇ ବଞ୍ଚାଏ । ମା’ କ୍ଷୀର ଅମୃତ ସଙ୍ଗରେ ସମାନ ।

 

ମନକୁ ଉଦାର କଲେ ସବୁ ପିଲା ଆପଣାର ହୁଅନ୍ତି । ସେ କାହିଁକି କୁଣ୍ଠିତ ହେବ ? କେବଳ ଯୁଇ ଓ ବୁଇ ନୁହଁନ୍ତ, ଅନ୍ୟ ପିଲାଙ୍କୁ ବି ଆପଣାର କରିବ ।

 

ଦୂତିକା ଶାଶୁଙ୍କ ପାଖରେ ଜଗି ବସିଛି । ସେ ତିନିଥର ଆସି କହିଗଲାଣି ‘ବୁଢ଼ୀ ସାନ୍ତାଣୀ ଶୋଇଛନ୍ତି ଯେ ବେଳେବେଳେ ଚମକି ଉଠୁଛନ୍ତି । ଗୋଡ଼ରେ, ହାତରେ ବେଳେବେଳେ କ’ଣ ଅଣ୍ଡାଳୁଛନ୍ତି । ବିଳିବିଳଉଛନ୍ତି ।’

 

ଥରେ ନହୁଲୀ ନିଜେ ଯାଇ ତା’ ଶାଶୁଙ୍କୁ ଦେଖିଥିଲା । ତାଙ୍କର ଜର କମିଲା ପରି ସେ ମଣିଲା । ଡାକିଲାରୁ ଜବାବ ଦେଲେ । ଆଖି ଖୋଲି ଚାହିଁଲେ । ଉଠିବାକୁ ଚେଷ୍ଟା କଲେ । ପାରିଲେ ନାହିଁ । କଣେଇଁ ଶୋଇଲେ ।

 

କହିଲେ, “ମୁଁ ବଞ୍ଚିବି ନାହିଁ ଲୋ, ଝିଅ । ମରିଗଲେ ତରିଯିବି । ସେଥିକି ମୁଁ ଡରୁ ନାହିଁ । ସରଗ ଯିବି କି ନରକ ଯିବି ସେ ବିଚାର ମୋ ମନକୁ ଆସୁନାହିଁ ।’’

‘ମୋ ସୁନା କଣ୍ଢେଇ ଲୋ, ଛୁଆଟାକୁ ଧରି କେମିତି ତୁ ଏ ଖଣ୍ଟ ଗାଆଁରେ ଚଳିବୁ ? ସେଇ ବିଚାର ମୋ ମନକୁ କଲବଲ କରୁଛି ।’

ନହୁଲୀର ଧୈର୍ଯ୍ୟ ତୁଟିଲା । ସେ କହିଲା, “ତମ ଗୋଡ଼ତଳେ ପଡ଼ୁଛି ବୋଉ, ମୋ ପାଇଁ ତମେ ମୋଟେ ଚିନ୍ତା କରନାହିଁ । ଯାହା ମୋ ଭାଗ୍ୟରେ ବିହି ଲେଖିଥିବ, ମୁଁ ଅବଶ୍ୟ ଭୋଗିବି ।’’

‘‘ସବୁ ପରିସ୍ଥିତିକୁ ଆପଣାର କରି ତା’ର ପରିବେଶରେ ଚଳିବାକୁ ଚେଷ୍ଟା କରିବାକୁ ମୁଁ ମୋ ଜେମାଦେଈଙ୍କ ପାଖରୁ ଶିକ୍ଷା ପାଇଛି । କାଳିଆ ଠାକୁର ମତେ ସାହା ହେବ ।”

ନହୁଲୀ ମୋତିମାଳାଙ୍କର ଦେହର ତାପ ଆହୁରି ଥରେ ପରଖିଲା । କହିଲା, ‘ଜର କମୁଛି-। ଆଉ ପାନେ ଓଷଦ ତମକୁ ଦେବି, ବୋଉ । କାଲି ସକାଳକୁ ଆଉ ଜର ନ ଥିବ ।’

ମୋତିମାଳା ରାଜି ହେଲେ ।

ଦୂତିକାର ସାହାଯ୍ୟରେ ନହୁଲୀ ବୁଢ଼ୀଙ୍କୁ ଓଷଧ ଖୋଇଲା । ନିଜ ପ୍ରକୋଷ୍ଠକୁ ଫେରିଆସିଲା ।

ଘର ଆଜି ନିଛାଟିଆ ଲାଗୁନାହିଁ । ଦାଣ୍ଡ ଘରେ ପଦନ ଓ ଯୂଇର ବାପା ମଦନ ଶୋଇଛନ୍ତି । ଝିଅ ଦୁହିଁଙ୍କୁ ନେବାକୁ ସେ ରାତିରେ ଆସିଥିଲେ । ଦୂତିକାର ବୋଲ ମାନି ସେ ଅଟକିଗଲେ ।

ସକାଳୁ ଉଠି ସହଳ ସହଳ ରାଉତପାଟଣା ଯିବାପାଇଁ ପଦନର ଆସିବା କଥା । ସେ ଆସି ଶୋଇଛି । ଘରର ବିଶ୍ୱାସୀ କୋଠିଆ ଭୀମବଳୁଆ ଭଜନୀ ଢିଙ୍କିଶାଳରେ କୋରଟବୁଣା ଖଟିଆ ଉପରେ ଶୋଇଛି । ତା’ର ତମ୍ବାଳିଆ ବଳିଷ୍ଟ ଦେହକୁ ଶୀତ, କାକର, ଖରା, ବରଷା, କିଛି ବାଧେ ନାହିଁ । ଖଟରେ ପଡ଼ିଲେ ଘୁଙ୍ଗୁଡ଼ି ମାରେ । କିନ୍ତୁ, ଗୋଟିଏ ଡାକରେ କାନ ପାରେ, ଦ୍ୱିତୀୟ ଡାକରେ ଆଖି ଖୋଲେ, ତୃତୀୟ ଡାକରେ ଧଡ଼ସି ଉଠେ, କବାଟ କ’ଣରୁ ଠେଙ୍ଗା ଓଟାରେ ।

ନହୁଲୀ ନିଶ୍ଚିନ୍ତ ହୋଇ ନିଜର କୋଠରି ଭିତରକୁ ଆସିଲା । କବାଟ ଆଉଜାଇଲା । ପିଲା ତିନୋଟିକୁ ସଜାଡ଼ି ଦେଲା । କାନ୍ଥରେ ଟଙ୍ଗା ହୋଇଥିବା ସତ୍ୟ ଶିବସୁନ୍ଦର ଓ ତ୍ରିମୂର୍ତ୍ତିଙ୍କର ଛବି ତଳେ ମୁଣ୍ଡଇ ଲଗାଇଲା ।

ପ୍ରାର୍ଥନା କଲା-ମୋ’ର ବିଚଳିତ ମତିକୁ ସ୍ଥିର କର ଠାକୁରମାନେ, ସବୁ ଝଡ଼ଝଞ୍ଜା ସହି ଜୀବନର ଜଞ୍ଜାଳ ଭିତରେ ଦୃଢ଼ ପଦରେ ଆଗେଇ ଯିବାକୁ ମୋର ମନରେ ବଳ ଦିଅ, ସାହସ ଦିଅ, ନିଷ୍ଠା ଦିଅ ।

ନହୁଲୀ ତଳେ ବସି ମଳିନ ହୋଇ ଆସୁଥିବା ଲଣ୍ଠଣ ଆଲୁଅରେ ଅସମ୍ପୂର୍ଣ୍ଣ ପତ୍ରଟିକୁ ସମ୍ପୂର୍ଣ୍ଣ କରିବାକୁ କଲମ ଧରିଲା ।

ମାର୍ଗଶିର କୃଷ୍ଣପକ୍ଷ ଦ୍ଵାଦଶୀ । ସୋମବାର ।

ପିଣ୍ଡା ଉପରେ ବସି ଜେମାଦେଈ ଦହକୁ ଅନାଇ ରହିଥିଲେ । ଅଖି ପକାଉଥିଲେ ସେପାଖର ଗଛଗହଳି ଓ ଦୂରରେ ତା’ରି ମଝିରେ ଥିବା ରାଧାଶ୍ୟାମ ଠାକୁରଙ୍କ ର ମନ୍ଦିରରେ ଚୁଲିକୁ, ପୁଣି ଠାକୁରଘାଟକୁ ।

ବିଚାରୁଥିଲେ, କେଡ଼େ ବେଗରେ କାଲିକାର ବାପ ମା’-ଛେଉଣ୍ଡ । ପେଟରଣ୍ଡାଛୁଆ ବକଟକ ଦୁଃଖନ ଏଇ ପୁରୁଣା ଅସନା, କାଦୁଆ ପଚ ପଚ କଣ୍ଟାବଣ ସଣସଣ, ନନୁଆଣୀ ସଲବଲ ବାଲିଆ ଗାଆଁର ରୂପ ବଦଳାଇଲା ।

 

ସବୁ ସଫା ସୁତୁରା ।

 

କେବଳ ବାହାରର ରୂପ ନୁହେଁ, ମଣିଷଗୁଡ଼ାଙ୍କର ଭିତରର ରୂପ ମଧ୍ୟ ସେ ବଦଳାଇ ଦେଇଛି । ବିନା କାମରେ କେହି ଅଳସ ହୋଇ ବସିବେ ନାହିଁ, କାହାର ଘରେ ଚୁଲି ଅଜଳା ରହିବ ନାହିଁ, ଏ ଗାଆଁର ମତ ଅମେଳ ପାଇଁ କାହା କାହା ଭିତରେ ଅଶାନ୍ତି ସୃଷ୍ଟି ହେଲେ ତା’ର ସମାଧାନ କରିବେ, ଗ୍ରାମର ଜଣାଶୁଣା ମୁରବିମାନେ ।

 

ଦୁଃଖନ ସବୁ କରାଏ । ସବୁ ବିଦ୍ୟାରେ ପୋଖତ ନୁହେଁ କହି ନିଜେ ଦୂରେଇ ରହେ । ଯାହାର ଲୋଡ଼ା, ଘରେ ଥିଲେ ସେ କାଢ଼ି ଦିଏ ।

 

ପରେ ବୁଝାଇ କହେ, “ଅପା ମ’, ଆମ ଘରେ, ଆମ ଭଣ୍ଡାରରେ, ଆମ ଅମାରରେ ଅଛି ବୋଲି କ’ଣ ସବୁ ଆମର ? ଯେଉଁମାନେ ‘ଆମର ଆମର’ ହେଉଥିଲେ ନିଶାଦ୍ରବ୍ୟ ଖାଇ, ଅଳସରେ ବସି ବିଳାସରେ ଉଡ଼ାଉଥିଲେ, ସେମାନେ ଅସମୟରେ ଶୂନ୍ୟକୁ ଉଡ଼ିଗଲେ ।’’

 

‘‘ଭବିଷ୍ୟତ କଥା ବିଚାରିବା ନାହିଁ କିରେ ଧନ ? ସେଇଥିପାଇଁ ଅର୍ଜନ ଓ ସଞ୍ଚୟ । ଜାଣୁ ତ, ଧନସମ୍ପତ୍ତି ଭବିଷ୍ୟତର ସୁଖସମ୍ମାନର ଉତ୍ସ । ଉଦାରମନା ହେବା ମହତପଣର ଲକ୍ଷଣ ।’’

 

‘କିନ୍ତୁରେ ବାପ, ସୀମା ଲଙ୍ଘନ କଲେ ଭବିଷ୍ୟ କେବେ କ୍ଷମା ଦେବ ନାହିଁ । ଦୁଃଖ ପାଇବୁ-।’

 

‘ତୋର ଦୁଃଖ ଦୂର କରିବାକୁ ତୋ ପରି ଉପରେ ପଡ଼ି କେହି ଆଗେଇ ଆସିବେ ନାହିଁ । କିଛି ନ ଜାଣିଲା ପରି କରଛଡ଼ା ଦେଇ ଅତି ବ୍ୟସ୍ତ ଥିଲା ପରି ବାଟ ଭାଙ୍ଗି ଏକମୁହାଁ ହୋଇ ଚାଲିଯିବେ ।’

 

ଗାଁର ରୂପ ବଦଳାଇ ଦେଇଛୁ, ଏହା ସତ । ସମ୍ମାନ ଲଭିଛୁ । କିନ୍ତୁ, ତୋର ଧାନ-ଅମାର ଶୂନ୍ୟ ହେଇ ଆସିଲାଣି । ଅନ୍ୟ ଶସ୍ୟଗୁଡ଼ିକର ଭଣ୍ଡାରର ଅବସ୍ଥା ମଧ୍ୟ ସେହିପରି । କେତେ ମୂଲ୍ୟବାନ ଭୂମି ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ଉଦ୍ଦେଶ୍ୟରେ ଦାନ କଲୁ ।

 

‘ଏପରି କଲେ ଆଉ ତୋ ଉତ୍ତରପୁରୁଷମାନଙ୍କ ପାଇଁ ରହିବ କ’ଣ ?’

‘ଏ ବାଇଆ ବୁଦ୍ଧି ତୁ ଛାଡ଼ ।’

 

ଦୁଃଖନ ମନଦେଇ ସବୁ ଶୁଣିଲା । ଜେମାଦେଈ ମଣିଲେ ତାଙ୍କର ଅଶ୍ରୁଳ ବୁଝାଣ ତା’ର ମନ ଘେନିଲା । ସେ କିଛି ସମୟ ନୀରବ ହେଇ କ’ଣ ଚିନ୍ତା କଲା ।

 

ବିନୀତ ହୋଇ କହିଲା, “ଅପା, ତୁ ସତ କହିଲୁ ଯେ, ମୋ କଥା ଟିକିଏ ଶୁଣ୍ । ମନରେ ହେଜ କର । ସେଇଠୁ କହିବୁ, ମୁଁ ଠିକ୍ କରିଛି କି ଭୁଲ କରିଛି ।’’

 

‘କହରେ ବାପ ।’

 

ପରଶୁ ଜେନାଏ ମରିନାହନ୍ତି ଲୋ । ମତେ ହାତ, ଗୋଡ଼, ଅଣ୍ଟା, ପିଠିର କରାମତି ବୁଝାଇ, ଶିଖାଇ, ମୋ ମନରେ ତାଙ୍କର ଉପଦେଶ ସାଇତି ରଖିଛନ୍ତି ।

 

‘ବିଭିନ୍ନ ସ୍ଥାନରେ କେତେ ଭୂମି ମୁଁ ଭୂମିହୀନଙ୍କୁ ଦାନ କରିଦେଇଛି, ସତ । କିନ୍ତୁ ସେମାନଙ୍କ ସାହାଯ୍ୟରେ କେତେ ଅନାବାଦୀ ଜମିକୁ ବି ଆବାଦ କରାଇଛି ।

 

‘ପଠାର ବାଲିଆ ଭୂମି, ଏକା ମୋର ନୁହେଁ; ସମସ୍ତଙ୍କର, ଅପା, ଦହର ପଙ୍କ କାଦୁଅ, ଦଳ ଓ ନଈଖଣ୍ଡ ତଳର ପଟୁମାଟିରେ କେଡ଼େ ଉର୍ବର ହେଲାଣି ଦେଖିଛ ତ ?’

 

‘ଦେଖିଛିରେ ବାପ । ପାଣି ମଡ଼େଇ ସୁନା ଫଳଉଛ । ହେଲେ, ତୋ ଫସଲ କିଏ ଖାଉଛି-?’

 

‘‘ଯାହାର ଅଭାବ ସିଏ ଖାଉଛି । ଯେତିକି ଲୋଡ଼ା, ତା’ଠାରୁ ମୁଠାଏ ଅଧିକା ଦଉନାହିଁ । ମାହାଳିଆ ନୁହେଁ ମ, ତାକୁ ଖଟାଉଛି । ଆମ କାମରେ, ନୋହିଲେ ଗ୍ରାମର କାମରେ ଲଗାଉଛି । କାଳିଆକୁ ପଚାର । ସେ କହିବ । ସେ ବି ଖଟୁଛି, ମୁଁ ବି ।’’

 

‘ଧର୍ମବେଠିଆ ?’

‘ସମସ୍ତେ ସମସ୍ତଙ୍କର ।”

 

ଭାବୁଥିଲେ ଜେମାଦେଈ, ଏମିତି ତାର ଢଙ୍ଗ । ନିଜର ଭବିଷ୍ୟତ । ବଂଶର, ଏ ଡିହର ଭବିଷ୍ୟତ, ଏଡ଼େ ବୁଦ୍ଧିଆ, ଏଡ଼େ ବିଚାରବନ୍ତ ବୋଲି ସମସ୍ତେ କହୁଛନ୍ତିଟି, ଟିକିଏ ହୋଇ ମନରେ ପୂରାଉ ନାହିଁ ।

 

ଦହ ସେପାରି ମନ୍ଦିର ପାଖର ଘାଟ ଆଡ଼କୁ ଜେମାଦେଈ ଚାହିଁଲେ । ଘାଟ ତାଙ୍କୁ ଦେଖାଯାଉ ନାହିଁ । ନିର୍ମଳ ନୀଳ ଜଳରାଶି ସୂର୍ଯ୍ୟ-କିରଣରେ ଝଲସି ଉଠୁଛି । ଗଭୀର ଜଳରେ ଅଗଣିତ ମାଛ ଜାଆଁଳ ବଢ଼ୁଛନ୍ତି ।

 

ଏବେ ଏ ଗାମର ପଞ୍ଚାୟତର, ଜାଣ, ଜୟୀ ନାୟକ ମାଲିକ । କୁଟବୁଦ୍ଧିସମ୍ପନ୍ନ ଚଉଆଖିଆ, ଠାର-ଓକିଲ, ଜାଲ୍-ଗଣକ କିନ୍ତୁ ପାରଗ ଲୋକ, ହେଲେ ସବୁ ବଡ଼ବଡ଼ ସାଧାରଣ କାମରେ ଦୁଃଖନକୁ ନ ପଚାରିଲେ, ଦୁଃଖନର ମୁହଁରୁ ‘ହଁ’ ପଦ ନ ଶୁଣିଲେ ସେ କିଛି କରନ୍ତି ନାହିଁ ।

 

ତାଙ୍କରି ଚେଷ୍ଟାରେ କେଡ଼େ ସୁନ୍ଦର ଡଙ୍ଗା ଦିଓଟି ଆଉ କାଠୁଆ ଦିଓଟି ଦହକୁ ଅଣାଯାଇଛି-। ପନ୍ଦର ବର୍ଷରୁ ଅଳ୍ପ କୌଣସି ପିଲା ତାକୁ ଚଳାଇ ପାରିବେ ନାହିଁ । ସେପାଖର ଠାକୁର-ଘାଟରେ ଗୋଟିଏ ଡଙ୍ଗା ଓ ଗୋଟିଏ କାଠୁଆ, ଆଉ ଏ ପାଖର ଶିବମନ୍ଦିର-ଘାଟରେ ଆର ଦିଓଟି ବନ୍ଧାହୁଏ-

 

ଜେମାଦେଈ ହତାଶ୍‍ ହେଲେ । କାହିଁ, ଡଙ୍ଗା କି କାଠୁଆ ଠାକୁରଙ୍କ ଘାଟରୁ ବାହାରି ଦହ ଭିତରକୁ ଆସି ନାହିଁ ତ ? ସକାଳ ପହରେ ଜଳଖିଆ ଖାଇ ଦୁଃଖନ ଓ ଜୟୀ ନାୟକେ ନାରଙ୍ଗ ଗ୍ରାମକୁ କେଉଁ କାର୍ଯ୍ୟ ଉପଲକ୍ଷ୍ୟରେ ବାହାରି ଗଲେ ।

 

କହିଯାଇଥିଲେ, ସହଳ ସହଳ ଫେରି ଆସିବେ । ରାସ୍ତାବାଟେ ତ ଆସିଲେ ନାହିଁ । ଦହ ବାଟରେ ବି ଡଙ୍ଗା କି କାଠୁଆ ଦିଶୁ ନାହିଁ । ସୂର୍ଯ୍ୟ କେତେ ତଳକୁ ଖସି ଆସିଲେଣି । କାହିଁକି, ପୁଣି କେଉଁଠି ସେମାନେ ଡେରି କଲେ ?

 

ତାଙ୍କର ଭୁବନ ଭାଙ୍ଗିଲା ଗନ୍ଧର୍ବ ବେହେରାର ଘରଣୀ କମଳା । ଘର ଭିତରୁ ବାହାରି ବାରଣ୍ଡାକୁ ଆସି ମିନତିଭରା ସ୍ୱରରେ କହିଲା, ‘ଶୀତଦିନିଆ ଖରା ଦେହକୁ ଭଲ ସୁହାଏ ସିନା, ହିତ କରେ ନାହିଁ । ଆଉ କେତେ ବେଳଯାଏ ବସିଥିବ ? ଭିତରକୁ ଆସ ।’

 

‘ମୁଁ ସବୁ ପାଇଟି ଶେଷ କରିଦେଇଛି । ଗୋପାଳିଆ ଆଜି ଚାହାଳିକୁ ଗଲା ନାହିଁ । ମୋ’ ସଙ୍ଗରେ ମୋ ବୋଲ ନ ମାନି, ବାପର ମାଡ଼ ଡରରେ ଧାଇଁ ଆସିଥିଲା ।’

 

ଜେମାଦେଈଙ୍କ ମନରେ ଚେତା ପଶିଲା । ସେ ମନେମନେ ନିଜକୁ ଝିଙ୍ଗାସିଲେ । କେଡ଼େ ବଡ଼ ଭୁଲ୍‌ଟାଏ ଆଜି ନ କଲେ ସତେ । ଛୁଆଟି କେତେ ବେଳରୁ ଆସିଲାଣି । ପାଞ୍ଚଛଅ ବର୍ଷର ସୁନ୍ଦର ସ୍ୱାସ୍ଥ୍ୟବାନ୍ ପିଲାଟି । ତା’ ମା’ ବରଗ । ହେଲେ, ଶିଶୁକାଳର ଥାକୁଲିଆ ରୂପ ନାହିଁ ।

 

ଭୋକରେ ଛଟପଟ ହେଉଥିବ । କମଳାର ବି । ଏ ଘରୁ ଉପାସରେ ବାହୁଡ଼ିବେ ? କିଏ ନିନ୍ଦା କରିବ, କିଏ ପ୍ରଶଂସା କରିବ । ସେଇଟା ତ ବିଚାର ନୁହେଁ । ଦିଓଟି କଲବଲ ଆତ୍ମାର ଦୁଃଖର ତାପ ତାଙ୍କୁ ସହିବାକୁ ପଡ଼ିବ ।

 

ସେ ବ୍ୟସ୍ତ ହୋଇଉଠିଲେ । ଘର ଭିତରକୁ ଆସୁଣୁ କହିଲେ, ‘‘କମଳୀ ଲୋ, ମୋ ମନରେ ତ ନିଆଁ ଜଳୁଛି; ମୁଁ ଭୁଲିଯାଉଛି । କ’ଣ କରିବି କହ ? ଯେତିକି ବୟସ ବଢ଼ିଛି, ମୋ ବୁଦ୍ଧି ସେତିକି ବାମ ହେଉଛି । ନୋହିଲେ, ଗୋପାଳ ଆଜି ଭୋକରେ ଛଟପଟ ହୁଅନ୍ତା ? ତୁ ଖାଲି ପେଟରେ ଯିବାକୁ ବାହାରନ୍ତୁ ?’’

 

‘ହଇଲୋ, ଗନ୍ଧର୍ବ କ’ଣ ମୋ ପୁଅ ନୁହେଁ ନା ତ ମୋ ବୋହୁ ନୋହୁ ? ଏ ଘରର କେଉଁ ଚିଜ ତୋତେ ଅଛପା ? ଚୁଡ଼ା, ପାଚିଲା କଦଳୀ, ଦହି, ଘଅ, ଛେନା, ନବାତ ସବୁ ତୁ ନିଜେ ସଜାଡ଼ି ରଖିଛୁ । ଯାହା ଲୋଡ଼ା, ପିଲାଟିକୁ ପେଟପୂରା କରି ତୁ ଖାଇବାକୁ ଦେଲୁ ନାହିଁ ?’

 

‘ତୋର ପଖାଳରେ ଶରଧା । ସେଇଟା ସଙ୍କୁଡ଼ି । ଜଳ ପାଣିରେ ଫୁଟି ଗଳା ହେଲେ ସଙ୍କୁଡ଼ି ହୁଏ । ଗଳାହେବାଯାଏ ତୁ ସବୁ କରୁଛୁ । ମୁଁ ତତେ ବାଢ଼ି ଦେବି । ଚାଲ୍‌ ।’

 

ସେମାନେ ଖଞ୍ଜା ଭିତରେ ପଶିଲେ । କମଳା ଓ ତା’ ପୁଅ ଗୋପାଳକୁ ଖାଇବାକୁ ଦେଉଣୁ ଜେମାଦେଈ ଆଖି ପୋଛୁଥିଲେ ।

 

କମଳାର ଦୃଷ୍ଟିରେ ପଡ଼ନ୍ତେ ପଖାଳ କଂସାରେ ତା’ ହାତ ଅଟକିଲା । ପଚାରିଲା, ‘କାହିଁକି ଆଖିରୁ ଲୁହ ଝରାଉଛ, ଅପା ?’

 

‘ମୁଁ ଝରାଉନାହିଁ ଲୋ କମଳୀ, ଆପେ ସେ ଝରୁଛି । ବିଚାରୁଥିଲି, ତୋରି ପରିକା ଯଦି ବୋହୁଟିଏ ଏ ଘରକୁ ଆସିଥାନ୍ତା ଆଉ ତା’ ପେଟରୁ ଗୋପାଳ ପରି ନାତିଟିଏ, ରାଧିକା ପରି ନାତୁଣୀଟିଏ ଜନମିଥାନ୍ତେ, ଏ ନିଛିଟିଆ ଘର କେମିତି ହସଖୁସିରେ ଉଛୁଳୁଥାନ୍ତା । ତୁ ଗୋପାଳକୁ ନେଇ ଚାଲିଯିବୁ, ମୁଁ ସେହି ପିଣ୍ଡାରେ ବସି ଦହକୁ, ନୋହିଲେ ସେପାରିକୁ ଚାହିଁ, ଚେଇଁ ଚେଇଁ ଖାଲି ସପନ ଦେଖୁଥିବି ।’

 

କମଳୀ କହିଲା, ‘କେତେ ଘରୁ କୁଆଡ଼େ ପ୍ରସ୍ତାବ ଆସୁଥିଲା । ଏବଯାଏ ବି ଆସୁଛି । ଗୋପାଳର ବାପା କହୁଥିଲେ, କେଡ଼େ ବଡ଼ ବଡ଼ ଘର । ତହୁଁ ବଳି ତହୁଁ ବଳି ସୁନ୍ଦର ପଣର ଝିଅଟିମାନେ ।’

 

‘ଆଉ ଆସୁନାହିଁ ଲୋ କମଳୀ । ସମସ୍ତେ ଜାଣିଲେଣି, ତମର "ଶିବଦାସ ସାମନ୍ତେ ରାଜି ହେବେ ନାହିଁ ।’’

 

‘କାହିଁକି, ସାନ୍ତାଣୀ ? କ’ଣ ମନକୁ ପାଉନାହିଁ ? ଘର, ଦବାନବା ନା କନିଆଁ ?’

 

‘ମୁଁ ଜାଣେ ନାହିଁ ଲୋ ଝିଅ । ପ୍ରସ୍ତାବ ପଡ଼ିଲେ ଖାଲି ସେ ହସିଦେଉଛି । କହୁଛି, ଏଡ଼େ ତରତର କାହିଁକି ? ହଇଲେ କମଳୀ, ତୁ କହିଲୁ, ତା’ର କ’ଣ ବଅସ ହୋଇନାହିଁ ?’

 

‘କି ବଅସଟା ହୋଇଯାଇଛି, ପରଶୁ ଜେନାଙ୍କ ପୁଅ ଅଲେଖା ନା ନକୁଳି ଜେନାର ? କାଲିକାର ମେଞ୍ଚଡ଼ ଛୁଆ । ନେଉଳ ପରିକା ସେ ବଗୁଲିଆ ପିଲା ଜାମୁ, ନରକୋଳି, ପିଜୁଳି ଗଛରେ ଟାଉଟାଉ କରି ଅଗଯାଏ ଚଢ଼ି କୋଳି, ପିଜୁଳି ଛିଣ୍ଡାଏ ବୋଲି ତାକୁ ଡାକନ୍ତି ନେଉଳିଭାଇ-। ସେଇଥିରୁ କୁଆଡ଼େ ତା ନାଁ ନକୁଳି ବି ହେଲା ।’

 

ଜେମାଦେଈ କହିଲେ, “ତା ନାମଟି ସତରେ ସେଇଆ ଲୋ କମଳୀ । ଜନ୍ମ-କୋଷ୍ଠୀ ଜାତକରେ ସେଇଆ ଲେଖା ହୋଇଛି । ସେହି ନାମରେ ବାହାଘର, ହେବ ।’’

 

‘କ’ଣ କି, ଛଅ ମାସର ହୋଇଥିଲା, ତାର ପାଣିପରି ମଳ ବୋହିଲା । ଓଷଧ, ଝଡାଫୁଙ୍କା କିଛି ମାନିଲା ନାହିଁ । ଆଶା ଛାଡ଼ି ବସିଥିଲେ ।’

 

‘ଶୁଣିବୁ ଅଲୌକିକ ଆଚମ୍ବିତ କଥା ?’

 

‘କ’ଣ ବୁଝିଲା କେଜାଣି, ପାଞ୍ଚବର୍ଷର ଟିକି ଝିଅଟି ନହୁଲୀ ଦାଣ୍ଡରେ ଠିଆ ହୋଇ ଭେଁ ଭେଁ ରଡ଼ି ଛାଡ଼ିଥିଲା । ସେତିକିବେଳେ ଦଣ୍ଡବାଟେ ଯାଉଥିଲେ ଜଣେ ଅଲେଖ ବାବା ।’

 

‘ଦେଖ ସେ ଛୁଆଟିର ବୁଦ୍ଧି, ଅବା କାଳିଆ ଠାକୁରର ଦୟା । ସେ ଧାଇଁଯାଇ ବାବାଙ୍କର ହାତଧରି ଟାଣିଲା । କହିଲା, ମୋ ଟିକିଭାଇକ ତୁ ଦେଖିବୁ ଆ ।’

 

‘ସେ ବାବା ଆସି ବାହର ପିଣ୍ଡାରେ ବସିଲେ ।’

 

ପରଶୁ ସେ ଛୁଆକୁ ଆଣି ବାବାଙ୍କ କୋଳରେ ଥୋଇଦେଲା । ଲମ୍ବହୋଇ ପାଦତଳେ ପଡ଼ିଲା । ବାବା ‘ଅଲେଖ’ଙ୍କୁ ଡାକ ଛାଡ଼ିଲେ । ଅଣ୍ଟାରେ ଟଙ୍ଗା ଛୋଟ ଥଳିରୁ କାଢ଼ି ଘୋରି ମହୁରେ ଚଟାଇବାକୁ ଜଡ଼ିଟିକେ ଦେଲେ । କିଛି ନେଲେ ନାହିଁ । ପଇଡ଼ ପାଣି ମୁନ୍ଦିଏ ବି ପିଇଲେ ନାହିଁ ।

 

‘ମୁଁ ସେତେବେଳେ ତାଙ୍କ ଘରେ ଥିଲି ଲୋ କମଳୀ, ଦେଖିଛି । ସେଇ ପିଲାଟାର ଡାକ ନାମ ସେଇଥିପାଇଁ ହେଲା ଅଲେଖ । ଜନ୍ମକୋଷ୍ଠୀର ନାମ ଓ ଇସ୍କୁଲରେ ଲେଖା ନାମ ଯେ ନକୁଳ-।’

 

‘ଏତେଦିନକେ ଜାଣିଲି ଗୋ ଅପା, ଜାତକ ନାମ ଜାତକରେ ଥାଉ, ଅଲେଖ ବାବାଙ୍କ ନାମର ଟେକ ରହୁ । ମୁଁ ମୋ ଛୋଟ ବୁଦ୍ଧିରେ କହୁଛି, ସେହି ନାମରେ ବାହାଘର ହେଉ ।’

 

‘କହୁଥିଲି ସାନ ସାଆନ୍ତଙ୍କ କଥା । ସେ କାହିଁକି ମୁଣ୍ଡ ହଲାଇ ଦେଇ ଯେତେ ପ୍ରସ୍ତାବ ଆସିଲେ, ଆଡ଼େଇ ରହୁଛନ୍ତି ? କାହା ଉପରେ ଏ ଅଭିମାନ ସେ କରିଛନ୍ତି ?’

 

ଜେମାଦେଈ ଏ ପ୍ରଶ୍ନରେ ବିସ୍ମିତ ହେଲେ । କମଳାର ମନରେ କ’ଣ ଅଛି ପଚାରିବାକୁ ଆଗ୍ରହୀ ହେଲେ ନାହିଁ ।

 

ଉପରେ ପଡ଼ି ତାଙ୍କୁ ସାନ୍ତ୍ୱନା ଦେବାକୁ କମଳୀ ଆପେ କହିଲା, “ମାଇପେ ସବୁ କ’ଣ ଆଲୋଚନା କରୁଛନ୍ତି ଜାଣ କି ସାନ୍ତାଣୀ ? ମୋ କାନରେ ପଡ଼ିଛି ।’’

 

ତୁଣ୍ଡ ନ ଖୋଲି ଜେମାଦେଈ କମଳୀର ମୁହଁକୁ ପଚାରିଲା ଆଖିରେ ଚାହିଁଲେ ।

କମଳୀ କହିଲା, ‘ନହୁଲୀ ଦେଈକୁ ତମେ ଦିନେ ଭାରି ଭଲ ପାଉଥିଲା । ଏଇଟା ସତ ?’

 

‘ସତ ଲୋ କମଳୀ । ଭଲ ପାଇବା ଭଳି ଝିଅ ଖଣ୍ଡେ ସେ ଥିଲା ଏ ଗ୍ରାମରେ । ନୁହେଁ କି-? ତୁ କହ ?’

 

‘ସେମାନେ ସେକଥା ମାନୁଛନ୍ତି । କହୁଛନ୍ତି, ନହୁଲୀକୁ କୁଆଡ଼େ ଏ ଘରର ବୋହୁ କରିବ ବୋଲି ତାକୁ ସବୁ ଆଧିବିଧି ତମେ ଶିଖାଉଥିଲ ।’

 

‘ନିଶ୍ଚୟ ସାନ ସାଆନ୍ତଙ୍କର ମନ ତମେ ବୁଝିଥିଲ । ନହୁଲୀର ମନ ବି ବଳିଥିଲା । ନୋହିଲେ, ଛାର ପରଶୁଆଟାର ଝିଅକୁ ଏତେ ଭଲ ପାଆନ୍ତ, ବିଶ୍ୱାସ କରନ୍ତ ?’

‘ପୋଖରୀଘାଟରେ ବଟେଶ୍ୱରଙ୍କ ମନ୍ଦିର ପାଖରେ ବଟଗଛତଳେ ଏମିତିକା ଆଲୋଚନା ମୁଁ ସେବେ, ଚାରି କି ପାଞ୍ଚ ବର୍ଷ ତଳେ ଶୁଣୁଥିଲି । ଗୋପାଳିଆଟି ଗୁରୁଣ୍ଡୁ ଥିଲା । ସାଆନ୍ତେ ତାକୁ ଭାରି ଭଲ ପାଉଥିଲେ ।’

ଜେମାଦେଈ କହିଲେ, ଆଲୋ ଝିଅ, ସେଇସବୁ ପୁରୁଣା ପୁରାଣ ଖୋଲିବାର ଏବେ ପ୍ରୟୋଜନ ନାହିଁ । କାହା ଭାଗ୍ୟ କେଉଁଠି କାହାକୁ ଜନମ ଦିଏ, ତାକୁ ପୁଣି କେଉଁଠୁ କୁଆଡ଼େ ଅଡ଼େଇନିଏ, କିଏ ଜାଣିବ ?

‘ମନକଥା ମନରେ ରଖି ଝୁରିହେଲେ, ଗୁଣିହେଲେ, ଫଳ ନ ଫଳିଲା ବୋଲି କପାଳକୁ ନିନ୍ଦି ନିଜେ ବାଇଆ-ବାତୁଳ ହେଲେ ନିଜ ଉପରେ ଆକ୍ରୋଶ ସାଧିଲେ କି ଲିଭ ମିଳିବ ?’

‘କିଛି ନାହିଁ, ଅପା । ଗଲା କଥା ଗଲାଣି । ଆଉ କାହିଁକି ସେ ବିଷୟରେ ଭାବନା ? ମୋରି ସମାନ ବୟସ ହେଲା, ଦି’ଟା ପିଲାର ମା’ ମୁଁ, ତାଙ୍କ ବଡ଼ ଭଉଣୀ ସମାନ । ମୁଁ ନିଶ୍ଚେ ସାନ୍ତଙ୍କୁ ବୁଝାଇଦେବି ଯେ ସେ ଏଡ଼େ ଜାଣତା ବୋଲି ଲୋକେ ଯେତେ ପ୍ରଚାର କରନ୍ତୁ ପଛେ, ସେ ଗଜମୁର୍ଖଠାରୁ ବଳି ଅଧିକ ମୂର୍ଖ ।’

“ହଇଗୋ ଅପା, ଯଦି ଦିହେଁ ଦିହିଁଙ୍କୁ ଏତେ ଭଲ ପାଉଥିଲେ ତେବେ ଆଉ କୁଆଡ଼ର କେଉଁ ଅଜଣା ଟୋକା ସଙ୍ଗରେ ହାତଗଣ୍ଠି ପଡ଼ିଲାବେଳେ ସୁନାଝିଅ ପରି ନହୂଲୀ ହାତ ଦେଖାଇ ଦେଇଥିଲା କାହିଁକି ?’’

‘ଡରିବି ନାହିଁ, ନିଶ୍ଚେ କହିଦେବି ଦୁଃଖନ ସାଆନ୍ତଙ୍କୁ । ହଁ, ଅପା ସାନ୍ତାଣୀ, ଯେଉଁ ଜମି ଦି ମାଣ ଚାଷ କରି ଖାଇବାକୁ ନାଳପାଖ ଅନାବାଦୀରୁ ଦେଇଛନ୍ତି, ରାଗକରି କାଢ଼ି ନେଲେ ନେବେ ପଛେ, ନିଶ୍ଚେ ତ କହିବି-’

 

-କିହୋ ସାମନ୍ତେ ନହୁଲୀ କାହିଁକି ସେ ଅଚିହ୍ନା ବରଟାର ହାତ ଉପରୁ ନିଜର ହାତଟା ଟାଣିଆଣିଲା ନାହିଁ ?

 

‘ଆଉ କହିବି, ସେତେବେଳେ ତମେ କେମିତି ମେଣ୍ଢାଛୁଆ ପରି ସେଇ ବେଦୀପାଖରେ ଠିଆ ହୋଇ ବଲବଲ କରି ଚାହିଁ ରହିଥିଲ ?’

 

‘ସଫା ସଫା ତାଙ୍କୁ ଶୁଣାଇଦେବି, ଅପା-ହଇହୋ ସାମନ୍ତେ, ସତେ ସତେ ଯଦି ସେଇ ଛଟକୀ ଟୋକୀ ନହୁଲୀକୁ ତମେ ସେନେହ କରୁଥିଲ, ଆଉ ସେ ମଉନମୁହୀଁ ଗୁମାନୀ ଟୋକୀ ତମକୁ ଭଲ ପାଉଥିଲା, ସେବକାର ବେଦୀ ଉପରଯାଏ କଥା ଗଲା କାହିଁକି ?’

 

‘କହିଦେବି, ତମ ଦିହିଁଙ୍କର ଭଲପାଇବା ଯେ ଛୋଟ ପିଲାଙ୍କର ବୋହୂ - ବୋହୂକା ଖେଳ ପରିକା ।’

 

ଜେମାଦେଈ କମଳୀର ସହାନୁଭୁତି ଜରଜର କଥାଗୁଡ଼ିକ ନିରୁଦ୍‌ବେଗ ହୋଇ ଶୁଣିଲେ । ସେ ମୂକ ପାଲଟିଥିଲେ ।

 

ସେ ବିଚାରିଲେ, ଏହି ଘରର ଗୁମର କେତେ ରୂପରେ ଦାଣ୍ଡରେ ହାଟରେ କେତେ ପ୍ରକାର ଲୋକଙ୍କ ଭିତରେ ଆଲୋଚିତ ହେଉଛି । ଯାହାର ଯାହା ଅନୁମାନ ସେ ସତ ଫଳାଇ ଆପେ ସବୁ ଜାଣିଲାପରି ନିଜର ବାହାଦୂରୀ ଦେଖାଇ ଗପୁଛି ।

 

ଏକବାଗିଆ ଅବୁଝା ପିଲଟା ପାଇଁ ଏ ସବୁ ସମ୍ଭବ ହେଉଛି ସିନା ।

 

ଭାବିଲେ ପୁଣି, ଆଜି ସୋମବାର । ସବାରି ପ୍ରସ୍ତୁତ ହୋଇ ରହିଛି । ବାମନ ଭୁତିଆ ଅଗ୍ରୀମ କିଛି ଟଙ୍କା ନେଇ ବାହକମାନଙ୍କୁ ଦାଦନ ଦେଇ ବରାଦ କରିଛନ୍ତି ।

 

କାଲି ସେମାନେ ଯିବେ । ବୁଧବାର ଦିନ ସଞ୍ଜସରିକି ନହୁଲୀ ନିଶ୍ଚୟ ଆସି ପହଞ୍ଚିବ ।

 

ସେ ଆଉ ସେହି ନିଉଁଛୁଣା ସାନ୍ତପାଟଣା ଗାଆଁକୁ ଖଣ୍ଟ ଡକେଇତ ଘରକୁ ଫେରିବ ନାହିଁ-

 

ତା’ ପରେ ଜୟ ନାୟକେ ସବୁ ବ୍ୟବସ୍ଥା କରାଇ ଦେବେ । ବରଷେ ଯାଉ, ଦି’ ବରଷ ଯାଉ । ଯାହା ସେ ମନରେ କାମନା କରିଛନ୍ତି, ସେତକ ନ ହେବାଯାଏ ସେ ମରିବେ ନାହିଁ ।

 

ଦୁଡ଼୍‍ଗୁଡ଼ିଆ ମନରେ ଦୋଦୋପାଞ୍ଚିଆ ଭାବନା ଦୋହଲିଲା ମନରେ ଯେବେ ଯାହା ପାଞ୍ଚିଛନ୍ତି କାଳିଆ ଠାକୁର ଦାଉ ସାଧିଲାପରି ସେତକ କରାଇଦେଇ ନାହିଁ ।

 

ହେଲେ, ଏ ଘରର ଥାଇତି ପାଇଁ ସେ ନିର୍ଦ୍ଦୟ ଠାକୁର ମୋର ଏଇ ମାଗୁଣିଟି ନିଶ୍ଚୟ ଘେନିବ । ବିନିମୟରେ ତାକୁ ଅରପିଦେବି ମୋର ଜୀବନ ।

 

ଜେମାଦେଈଙ୍କର ଅନ୍ୟମନସ୍କତା କି ନୀରବତା ଦେଖି କମଳା ବିଦାୟ ନେବାକୁ କହିଲା, “ଯାଉଛି ଗୋ ଅପା, ତେଣେ ଗୋପାଳର ବାପକୁ ଟିକିଝିଅ ରାଧୀ ବ୍ୟସ୍ତ କରୁଥିବ ।’’

 

ସେ କହିଥିଲେ, ବାମନ ଭୁତିଆ କୁଆଡ଼କୁ କେଉଁଠୁ ସବାରି ନେଇ ଯିବାକୁ ବଇନା ଦେଇ ଯାଇଛନ୍ତି । ନ ଗଲେ ନଚଳେ ।

 

‘ସେ ତାଙ୍କର ସଜବାଜ ହେବେ । ଆଉ କାହାକୁ ସବୁ କୁଆଡ଼କୁ ଡାକିବାକୁ ଯିବେ ।

 

ଜେମାଦେଈ ମୁହଁ ନ ଖୋଲି ମୁଣ୍ଡ ହଲାଇ କମଳୀକୁ ବିଦାୟ ଦେଲେ । ନିଜେ ମଧ୍ୟ ଉଠି ତା’ ସଙ୍ଗରେ ଦାଣ୍ଡଘର ଅତିକ୍ରମି ଦାଣ୍ଡପିଣ୍ଡାକୁ ଆସିଲେ ।

 

ଦୃଷ୍ଟି ପଡ଼ିଲା ଆଗ ସେଇ ଦହ ଉପରେ । ହଁ, ଡଙ୍ଗାଟିଏ ଦହର ମଝିଆମଝି ହେଲାଣି । କଣୁଆସୂର୍ଯ୍ୟର କିରଣରେ ବେଶ୍ ପରିଷ୍କାର ବାରି ହେଉଛି । ତହିଁରେ ମୋଟେ ଛଅ କି ସାତ ଜଣ ପଝାରି ଅଛନ୍ତି । ଡଙ୍ଗା ବଟେଶ୍ୱରଙ୍କ ଘାଟଆଡ଼କୁ ମୋହିଁଲା ପରି ଲାଗୁଛି ।

 

ଜେମାଦେଈ ଭାବିଲେ, ଦୁଃଖନ ସେଇଥିରେ ଆସୁଥିବ । ତା’ ସଙ୍ଗରେ ଜୟୀ ନାୟକେ ବି ଆସୁଥିବେ ପରା । ସେମାନଙ୍କୁ ଅପେକ୍ଷା ନ କରି କେମିତି ଆଗ ସେ ପେଟକାବୁରୀଙ୍କ ପରି ଖାଇ ବସିବେ ।

 

କେଜାଣି ଉପାସଭୋକରେ କେଉଁଠୁ ହାଲିଆ ହୋଇ ସେମାନେ ଫେରୁଥିବେ । ଫେରନ୍ତୁ-। ସେ ଅପେକ୍ଷା କରିବେ । ଡେରି ତ ହେଲାଣି । ଆଉ ଟିକିଏ ବିଳମ୍ବ ହେଲେ ହେବ ।

 

ସେ ମୁହଁ ଫେରାଇ ଘର ଭିତରକୁ ଆସୁଣୁ ଦୃଷ୍ଟି ପଡ଼ିଲା ପୂର୍ବଦିଗର ରାସ୍ତା ଉପରେ । ଅନତିଦୂରରେ ଦେଖିଲେ, ଆଗପଛ ହୋଇ ଭୀମବଳୁଆ ଭାଇ ଦିଓଟି କାଳିଆ ଓ ବଳିଆ ବଡ଼ବଡ଼ ପାହୁଣ୍ଡ ପକାଇ ତାଙ୍କରି ଆଡ଼କୁ ଆଗେଇ ଆସୁଛନ୍ତି ।

 

ଗୋଖାପୁଅ ଦିଓଟି ବିଶ୍ୱାସୀ ଓ କାମିକା । ବଡ଼ ପୁଅଟି ବେଶ୍‌ ଗୋରା ତକତକ ହୋଇଥିଲେ ବି କାହିଁକି କିଏ ତା’ର ନାମ “କାଳିଆ ଦେଇଥିଲା । ଆଉ ଆରଟି, ଯାହାର ଦେହର ରଙ୍ଗ ମୁଗୁନିପଥର ପରି କଳା ମିଚିମିଚି, ତା’ର ନାମ ଦେଇଥିଲେ ‘ବଳିଆ’, ସେ ଏବଯାଏ ବୁଝିପାରି ନାହାଁନ୍ତି ।’’

 

ଜେମାଦେଈ ଭାବନ୍ତି, କେବଳ ଦେହର ରଙ୍ଗ ଛାଡ଼ିଦେଲେ ଦିଓଟି ରୂପ ଏକା ପରି ଲାଗେ-। କାର୍ଯ୍ୟଦକ୍ଷତା ବିଚାରିଲେ କେହି କାହାକୁ ଊଣା ନୁହେଁ ।

 

ହେଇଟି, ନିକଟେଇ ଆସିଲେଣି ପିଲା ଦିଓଟି । ଏଥର ପାଖକୁ ପାଖ ଲାଗିଯାଉଛନ୍ତି । ହସଖୁସିରେ ଗପ କରି ଆସୁଛନ୍ତି । ମୂଲିଆ ମୂରୁଖ ହୋଇ ବଞ୍ଚି ରହିଥାନ୍ତୁ । ଠାକୁରେ ତାଙ୍କୁ ଥାଇତି କରନ୍ତୁ । ଆଇଷ ଦିଅନ୍ତୁ ।

 

କାଳିଆ ଓ ବଳିଆ ସମାଚାର ଆଣିଥିଲେ, ‘ସାନ୍ତରାପାଟଣାରୁ ଝିଅରାଣୀ ତାଙ୍କ ଘରର ଚାକର ହାତରେ କ’ଣ ଚିଠି ଓ ଜିନିଷପତ୍ର ପଠାଇଛନ୍ତି ।’

 

‘ସାଆନ୍ତେ, ଜୟୀ ନାୟକେ ଓ ବାମନ ଭୁତିଆ ସେଇଠି ସମସ୍ତେ ଆଜି ଭୋଜନ କରିଛନ୍ତି-। ଆପଣ ସାଆନ୍ତଙ୍କୁ ଅପେକ୍ଷା କରିବେ ନାହିଁ ।’

 

ଜେମାଦେଈ ଆଶ୍ୱସ୍ତ ହେଲେ । ଯାହାହେଉ, ପିଲଟା ଯେଉଁଠି ହେଲେ ଗଣ୍ଡାଏ ଖାଇଛି । ଯାହାକୁ ଦିନେ କ୍ଷୀରୀ, ପୁରି, ମିଷ୍ଠାନ୍ନ ରୁଚୁ ନ ଥିଲା, ଗୁଆଘିଅ ଅଳପ ହେଲେ ଅବା ରହଣିଆ ବାସିଲେ ଯିଏ ଥୁଥୁ କରି କାଢ଼ି ପକାଉଥିଲା, କେମିତି ସେ ଯାହା ଦେଲେ ଖାଇବା ଅଭ୍ୟାସ କଲା, ଦେଖିଲେ କାବା ଲାଗେ ।

 

କୁସୁମ ହାତର ରନ୍ଧା ଅବଶ୍ୟ ବେଶ୍ ସୁତୁରା । ଦୁଃଖନ ସେଥିରେ ଅଭ୍ୟସ୍ତ । ପିଲାଟାକୁ ମୁଠିଏ ସେ ନିଶ୍ଚୟ ଖୋଇଥିବ ଯେ ।

 

ନିଜେ ଖାଇବାକୁ ଯିବା ଆଗରୁ କାଳିଆ ଓ ବଳିଆଙ୍କର ଖବର ବୁଝି ସେ ନିଶ୍ଚିନ୍ତ ହେଲେ-। ନିଜେ ହାତରେ ବାଢ଼ି ଖାଇବାବେଳେ ନହୁଲୀର କଥା ବିଚାରୁଥିଲେ । କାଲି ଛାଡ଼ି ପଅରି ଦିନ ସଞ୍ଜ ସରିକି ସେ ଆସି ପହଞ୍ଚିବ । ତା’ ପର ଦିନ ହାଣ୍ଡିମଙ୍ଗୁଳା ଅନୁକୂଳ ହେବ ।

 

ସେ ଦିନ ଗୁରୁବାର । ସେ ଆସିଲେ ସାତଜଣ ସଧବାଙ୍କୁ ଭେଳାଇବ । ସେହିମାନେ ସବୁ ଆଧିବିଧିରେ ମଙ୍ଗୁଳା କାମ ବଢ଼ାଇବେ । ଆଗରୁ କାହିଁକି ପୁଣିଲୋକ ପଠାଇଲା ?

 

ଜେମାଦେଈଙ୍କ ମନରେ ଅଜଣା ଆଶଙ୍କା, କ’ଣ ବିଘଟଣ ଘଟିଲା କି ?

 

ସେ ମନକୁ ବୁଝାଇଲେ, ସେପରି କିଛି ଘଟିଥିଲେ ନିଜେ ଦୁଃଖନ ଧାଇଁଆସିଥାନ୍ତା । ନହୁଲୀର ଭାଇ ବାହାଘର ତ, ସେଥିପାଇଁ ମନଖୁସିରେ ସେ କ’ଣ ପଠାଇଥିବ । ଲୋକ ବରଗିଥିବ-। ଆଶଙ୍କାର କାରଣ ନାହିଁ ।

 

ଆଚମନ ସାରି ଜେମାଦେଈ ଶୋଇବାଘରକୁ ଗଲେ । ପଲଙ୍କ ଉପରେ ବସିଲେ । ଟିକିଏ ବିଶ୍ରାମ ନେବାକୁ ଦେହ ଚାହୁଛି, କିନ୍ତୁ ମନ କାହିଁକି କେଉଁ ଅଜଣା ଉଦ୍‌ବେଗରେ ଛନଛନ ହେଉଛି ।

 

ପଲଙ୍କ ଉପରେ ଶିମିଳି ତୁଳା ଭରା ତକିଆକୁ ଆଉଜି ଆଖି ବୁଜିଲେ । ମୁଣ୍ଡ ଭିତରର ଅନ୍ଧାର ଭିତରେ ଅସ୍ପଷ୍ଟ ତାରକା, ଆବର୍ତ୍ତ ଓ ରେଖାଗୁଡ଼ିଏ ଚଞ୍ଚଳ ହୋଇ କେଡ଼େ ବେଗରେ ଏପାଖ ସେପାଖ ହେଉଛନ୍ତି । କେତେ କେତେ ଶୁଭ ଓ ଅଶୁଭ ସମ୍ଭାବନାର ସଂଘର୍ଷ ଉପୁଜାଉଛନ୍ତି-

 

ଜେମାଦେଈ ଅଳସେଇ ଅଳସେଇ ଉଠି ମଝି ଘରକୁ ଆସିଲେ । ବଳିଆକୁ ପାଖକୁ ଡାକନ୍ତେ ଦୁଇଭାଇଯାକ ଆଗପଛ ହୋଇ ଅଗଣା ଭିତରୁ ପାଖକୁ ଆସିଲେ । ସେମାନଙ୍କ ଦେହରୁ ଗମ୍‌ଗମ୍‌ ଝାଳ ଫିଟି ପଡ଼ୁଥାଏ ।

 

ସେ ଦୁହିଁଙ୍କର ଝାଳନାଳ ଅବସ୍ଥା ଦେଖି କହିଲେ, “ହଇରେ ଚଣ୍ଡାଳେ, କାଠ ଗରିଣ୍ଡାଟା ଚିରୁଥିଲ ପରା । ହଳିଆମାନେ ଆସିଥିଲେ ସେଇମାନେ ଚିରି ଦେଇ ନ ଥାନ୍ତେ ?’’

 

କାଳିଆ କହିଲା, ‘ଆମେ ଦିହେଁ ବଳ କଷାକଷି ହେଉଥିଲୁଁ, ସାନ୍ତାଣୀ । ସେଇଟାର ନାଁ ସିନା ବଳିଆ, ଟିମାଅସୁର ପରି ଭୋଜନ, ହେଲେ ଦେହରେ ଅଳପ ବଳ । ମାଟି ନ ତାଡ଼ିଲେ କାଠ ନ ହାଣିଲେ ପାଣି ନ ଟାଣିଲେ ଦେହଟା ଫାପସା ହୋଇଯିବ । ବଳ ଢୁଳେଇ ପଡ଼ିବ ।’’

 

‘ସାନଭାଇଟିର ବଳକୁ ଟିକିଏ ଦୋହଲଇ ଜଗାଇ ଦେବାକୁ ମୋ ସଙ୍ଗରେ ମିଶି କାଠ ହାଣିବାକୁ ଡାକିଲି । କାମ ସରିଲା । ବଳିଆ ବି ବେଶ୍‌ ତ ତାଜା ହେଇଗଲା । ସେ ଏବେ ଫେରିଯାଉ ।’

 

ଜେମାଦେଈ କହିଲେ, “ଆସିଛ ଯଦି, ଖାଲି ହାତରେ ଫେରିବ କାହିଁକି ? କାଳିଆରେ, କ’ଣଘର ଭାଡ଼ି ଉପରେ ଯେଉଁ ପାଟକପୁରା ପାଚିଲା କଦଳୀ କାନ୍ଧିଗୁଡ଼ିକ ତୁ କାଟି ରଖିଥିଲୁ ସେଥିରୁ କେତେ କାନ୍ଧି ପାଚିଲଣି ?’

 

କାଳିଆ କହିଲା, “ଦେଖିଥିଲି, ଦି’ କାନ୍ଧି ହଳଦିଆ ହୋଇଆସୁଛି ?’’

 

ଜେମାଦେଈ କହିଲେ, “ଗୋଟିଏ କାନ୍ଧି ଅଖାରେ ଗୁଡ଼ାଇଦେଲେ ବଳିଆ ନେଇଯିବ । ଆର କାନ୍ଧଟି କାଲି ଆଡ଼କୁ ତୁ ନେଇ ଦେଇ ଆସିବୁ ।’’

 

‘ଗୁରୁବାର ଦିନକୁ ଭଲ ପାଚି ଯାଇଥିବ । ନହୁଲୀଟି ଆମର ଆସି ସାରିଥିବ । ତା’ ସଙ୍ଗରେ ସେ ନିଶ୍ଚେ ଆଣିଥିବ ତା’ର ପୁଅକୁ ।’

 

‘ନହୁଲୀ ଜାଇରଗଡ଼ା, ହାଣ୍ଡି ମଙ୍ଗୁଳାକୁ ଯେଉଁ ସଧବାମାନଙ୍କୁ ନିମନ୍ତ୍ରଣ କରି ନିଜେ ଡାକିଆଣିଥିବ କେବଳ ସେମାନେ ନୁହଁନ୍ତି, ଅନ୍ୟ ଯେଉଁମାନେ ଆସିଥିବେ ସେମାନଙ୍କର ଚର୍ଚ୍ଚା କରିବାକୁ ନିଶ୍ଚୟ ସେ ପାଚିଲା କଦଳୀ ଲୋଡ଼ିବେରେ କାଳିଆ ।’

 

ଅଳ୍ପ ସମୟ ସେ ମୌନ ରହିଲେ । କ’ଣ ବିଚାରି ଅଳ୍ପ ଅସ୍ଥିର ହୋଇ ପୋଥିଘରର ଦ୍ୱାରବନ୍ଧ ପାଖରେ ଆସି ବସିଲେ । ତାଙ୍କର ମନରେ ସହସା ପ୍ରଶ୍ନ ଜାଗିଲା-ନହୁଲୀର ତ ବୁଧବାର ଦିନ ଆସିବାର କଥା, ସେ କାହିଁକି ତା’ ଆଗରୁ ଚିଠି ଦେଇ ଆଜି ଲୋକ ପଠାଇଛି ? କ’ଣ କି, ବିଘଟଣ ଘଟିଲା କି ?

 

ବଳିଆ କଦଳୀ କାନ୍ଧିକ ଅଖାରେ ଭରୁଥିଲା । କାଳିଆ ତାକୁ ସାହାଯ୍ୟ କରୁଥିଲା । ଜେମାଦେଈ ସେମାନଙ୍କ ପାଖକୁ ଗଲେ । କାଳିଆକୁ ପଚାରିଲେ, ‘ଲୋକ ହାତରେ ନହୁଲୀ ଦେଈ ଚିଠି ପଠାଇଛି ପରା ?’

 

‘ହଁ, ସାଆନ୍ତାଣୀ ।’

‘କ’ଣ ଲେଖିଛି ତୁ ଜାଣୁ କି ?’

 

‘ଜାଣେ ନାଇଁ, ମା’ । ନିଜେ ଦୁଃଖନ ସାଆନ୍ତ ଚିଠି ପଢ଼ି ଖଞ୍ଜଭିତରେ ମଆଙ୍କୁ ଶୁଣାଉଥିଲେ । ମୁଁ ବାହରେ ଜୟୀ ନାୟକଙ୍କ ପାଖରେ ଥିଲି । ବାମନ ଦିଦି ଓ କାଳିଆଭାଇ ବି ସେଇଠି ଥିଲେ ।’

 

‘ଦୁଃଖନ ସାଆନ୍ତ ପଦାକୁ ବାହାରିଲେ । ଆଗ ବାମନ ଭୁତିଆଙ୍କୁ କହିଲେ –ଦାଦି, ତମର ସାଙ୍ଗୁଆମାନଙ୍କୁ ଆଜି ଖବର ଦିଅ ଯେ ଯେଉଁ ସବାରି ମଙ୍ଗଳବାର ଦିନ ପାହାନ୍ତରୁ ସାନ୍ତରାପାଟଣା ଯିବାର ଥିଲା, ତାହା ଅନ୍ୟ କେବେ ପଠାହେବ; ସେଦିନ ପଠାହେବ ନାହିଁ ।’

‘ବାମନ ଦାଦି ପଚାରିଲେ-କାହିକି, ସାଆନ୍ତେ ?

‘ଦୁଃଖନ ସାଆନ୍ତେ କହିଲେ ଟିକିଏ ଅସୁବିଧା ହୋଇଛି ।’

‘କହିଲେ-ସାଆନ୍ତରାଙ୍କ ଘରୁ ଲୋକ ଚିଠି ନେଇ ଆସିଛି, ଦେଖୁନା । ମୁଁ ଯାହା କହିଲି ସେଇଆ କର । ସେମାନେ ଯେଉଁ ଦାଦନ ନେଇଛନ୍ତି, ତାକୁ ଫେରେଇବା ଦରକାର ନାହିଁ ।’

‘ତା’ ପରେ ସେମାନେ ଆଉ କ’ଣ ଆଲୋଚନା କଲେ ମୁଁ ଜାଣେ ନାହିଁ । ଭାଇକି ଡାକି, ଏଠାକୁ ଖବର ଦେବାକୁ ଆସିଲି ଯେ, ବାବୁମାନେ ସେଇଠି ପତର ପକାଇ ସାରିଥିଲେ ?

ଜେମାଦେଈ ଚିନ୍ତିତ ହେଲେ । ଘଟଣାଟି ଜାଣିବାକୁ ମନ ଉଚ୍ଛନ୍ନ ହେଲା । ସେ ବଳିଆକୁ କହିଲେ, “ତୁ ଅପେକ୍ଷା କର । ମୁଁ ବି ତୋ ସାଙ୍ଗରେ ଯିବି ।’’

କାଳିଆକୁ କହିଲେ, “ତୁ ଘରେ ଜଗି ରହିଥିବୁ । ଘଡ଼ିକ ପରେ କମଳା ଆସିବ । ଆଉ କେଉଁମାନେ ଆସିଲେ ଆସିବେ । କିଏ ଜାଣେ ? ସବୁ ଖବର ତୁ ବୁଝିବୁ ।’’

ଶୀତଦିନ । ମଗୁଶିର ମାସ କୃଷ୍ଣପକ୍ଷ ଦ୍ଵାଦଶୀ । ଛୋଟ ଦିନ । ସହଳ ସହଳ ବେଳ ବୁଡ଼ିବ । ଅନ୍ଧାରପକ୍ଷର ରାତି ଘୋଟିଆସିବ । ଆଜି ସୋମବାର । ମଝିରେ ଦୁଇଟି ଦିନ ବିତିଲେ ଗୁରୁବାର ଦିନ ଦୀପାବଳୀ ଅମାବାସ୍ୟା ।

ଏଇଥି ସକାଶେ, ନହୁଲୀ ଘରୁ ଆସିଥିବା ଭାରୁଆ ଲୋକଟି ତରତର ହେଉଥିଲା, କେମିତି ଏଠିକା କାମ ସରିଲେ ସେ ଜଲଦି ଜଲଦି ଫେରିବ । ସେଇକଥା ସେ ଜଣାଇଦେଲା । ତା’ ନାମ ପଦନ ।

ସେ ନହୁଲୀ ଘରର କୋଠିଆ ନୁହେଁ କି ବେଠିଆ ନୁହେଁ । ସେହି ସାନ୍ତରାପାଟଣାର ଜଣେ ଶଗଡ଼ିଆ । ଜରୁରୀ କାମ ଥିବାରୁ ନ ଆସିଲେ ନ ଚଳେ ଜାଣି ନହୁଲୀ ଦେଈଙ୍କର ବୋଲମାନି ସେ ବସିଲାଠାରୁ ଉଠିଆସିଥିଲା ।

‘ସେ ପୁଣି କହିଲା, ଘର, ଚିଠି, ଆଉ ଖବର ତ ଦେଇସାରିଛି, ଅକାରଣ ଏଠାରେ ବେଳ ବିତାଇ ଉଛୁର କରିବ ନାହିଁ । ଗୋଡ଼େ ଗୋଡ଼େ ଫେରିଯିବ । ଅନ୍ୟ କେଉଁଠିକୁ ତା’ ଶଗଡ଼ଗାଡ଼ି ନେଇ ଯିବାକୁ କାହାଠାରୁ ବହିନା ଆଣିଛି ।

“ଅପା ଗୋ, ସେଇ ଭାରୁଆ ପଦନ ମୁଠିଏ ତରତର କରି ଭୋଜନ କରି, ଯାହା ବିଦାକି ଦେଲି, ଓଜର ଆପତ୍ତି ନ କରି, ସେତକ ନେଇ ଫେରିଗଲା ।’’

‘ସେହି ଭାରୁଆ ଟୋକା ପଦନା ନହୁଲୀ ଘରର ବିଶ୍ୱାସୀ ଲୋକ ବୋଲି ମୁଁ ଜାଣିଲି । ନ ହୋଇଥିଲେ, ତା’ ହାତରେ ନହୁଲୀ ରୁକୁଣା ପାଇଁ ଏଡ଼େ ଦାମିକା, କେତେ ଜାତିର ଝଟକିଲା ପଥରବସା, କାନଫୁଲ ହଳେ ପଠାଇଥାଆନ୍ତା କିପରି ।’

‘ଦେଖିବ ରହ, ଅପା । ଜୟୀ-ନାୟିକେ, ଠାକୁରେ ନ କରନ୍ତୁ, ବେଦୀ ଉପରୁ ତ ବର ବାହୁଡ଼େ, ଏବହୁଁ ତାଙ୍କୁ ସମୁଦି ବୋଲି କହିବାକୁ ସାହସ ହେଉ ନାହିଁ, ସେ କାନଫୁଲକୁ ପରଖିଲେ । କହିଲେ-ପଥର ନୁହେଁ ମ ଭାଉଜ, ବହୁ ମୂଲ୍ୟବାନ ହୀରାର କଣିକା ବସିଛି, ତା’ ସଙ୍ଗରେ ଆଉ କେଉଁ ପଥର ଯେ ମୁଁ ନାଁ ଭୁଲିଗଲି ।’

ଅପା ଗୋ, ଜୟୀ ଆହୁରି କହିଲେ, ‘ଗେହ୍ଲା-ବୋହୁ ନହୁଲୀର କାନରେ ତା’ ଶାଶୁ ମୋତିମାଳା ୟାକୁ ନାଇ ଦେଇଥିଲେ । ସାତପୁରୁଷରୁ ସାଇତା, ଏମତିକା କେତେ ମୋତିମାଳାଙ୍କ ପାଖରେ ଥିବ ।’

କୁସୁମର ମୁହଁରୁ ଏହି ଖବର ଜାଣି ଜେମାଦେଈ ଦ୍ୱନ୍ଦ୍ୱରେ ପଡ଼ିଲେ । ପଚାରିଲେ, “ନିଜେ ତ ଆସିବ, ମୂଲିଆଟାର ହାତରେ ତାକୁ ସେ କାହିଁକି ପଠାଇଲା ? ଆଉ କେବେ ଦେଖିବିଲୋ କୁସୁମ । ସାମନ୍ତରା ଘରର ଘରଣୀ ମୋତିମାଳାଙ୍କୁ ସେଇଟା ଭାରି ବଡ଼ । ଚାଷୀଘର ଝିଅ, ଚାଷୀଘର ବୋହୁ ତୁ, ତତେ ଯେ ସାତ-ସପନର ଦରବ ।’

କୁସୁମ କହିଲା, “ସତେ ଗୋ ଅପା ସାମନ୍ତାଣୀ । ତମକୁ ସେ ଦରବ ଖେଳଣା ପରି । ଦୁଃଖନଟି ପେଟରେ ଥିଲାବେଳେ ତା’ ବୋଉ ରଙ୍ଗଲତାଙ୍କୁ ସେମିତିକା ଝଟକିଲା କେତେ ଅଳଙ୍କାର ପିନ୍ଧିବାର ମୁଁ ଦେଖିଥିଲି ।’’

‘ଗତକାଲି ପରି ଲାଗୁଛି, ଅପା, ତମେ ତ ନ ଥିଲ, ବିଶ୍ୱନାଥ ରାଉତରା ସାମନ୍ତେ ସ୍ୱର୍ଗବାସୀ ହେଲେ । ପେଟରେ ଛୁଆ ଥିଲା ବୋଲି ଲତାସାମନ୍ତାଣୀଙ୍କ ଅଙ୍ଗରୁ ତମେ ସେ ସବୁ ଝଟକିଲା-ଗହଣା କଢ଼ାଇ ଦେଇ ନ ଥିଲ । ବୋହୁଙ୍କ ଅଙ୍ଗରେ ସବୁ ଝଟକୁଥିଲା ।’

ଜେମାଦେଈ ବାଧାଦେଇ କହିଲେ, ସେତିକି କହିଥା, କୁସୁମ । ସେ ସବୁ ଛାତି କୋରିଲା ଦୁଃଖର କାହାଣୀ ମନେ ପକାନାହିଁ ।

 

‘ଦୁଇଟି ଯୁଗ କଟିଗଲଣି ଲୋ । ପେଟରଣ୍ଡା ଛୁଆଟିକୁ ତୁ ବି ତୋ ଥନର କ୍ଷୀର ଖୋଇ ବଞ୍ଚାଇଥିଲୁ । ମୁଁ ତା’ର ଧାଈ ପରିକା ଥିଲି । ପାଳୁଥିଲି, ବଢ଼ାଉଥିଲି । ତା’ର ଭାରିଜା ପାଇଁ ଯକ୍ଷ ହୋଇ ଜଗି ରହିଥିଲି । ଏବେ ବି ରହିଛି ।’

 

‘କୁସୁମ ଲୋ, ସାତପଛରେ ତୋ ପେଟରୁ ଜନମିଲା ନହୁଲୀଟି । ବଢ଼ିଲା, ପଢ଼ିଲା କାଳକ୍ରମେ ମୋ ଛାତି ଭିତରକୁ ଟାଣି ହୋଇଗଲା । ଜାଣୁ ତ, କେତେଥର ତାକୁ ମୋ ସାଇତିଲା ଗହଣା, କିଛି ବାହାନାରେ ପିନ୍ଧାଇଛି ।’

 

‘ଆଖି ପୂରାଇ ଦେଖେ ଲୋ । ମୋ ମନ କୁରୁଳିଉଠେ ।’

 

‘ନବରଙ୍ଗିଆ କାଳିଆକୁ ମନରେ ସୁମରି କହେ-ଏ କୁଳକୁ ଏଇଟି ସାଜିବରେ, ତୋ ସେବା ପୂଜା କରିବାକୁ ଏଇ ଏକା ପାରଙ୍ଗମ ହେବ ।’

 

‘ଛାର କାନଫୁଲ ହଳକ ସାନ୍ତରା ବଂଶକୁ ଅପୂର୍ବ । ନହୁଲୀର ଆଖିକୁ ନୂଆ ନୁହେଁ । ଦେହକୁ ବି । ଯାହା କିଛି ମୁଁ ସାଇତି ରଖିଛି ସବୁ ତାକୁ ସମର୍ପି ଦେବାକୁ ମୁଁ ବଞ୍ଚି ରହିଛି ।’

 

‘ଖାଲି ସେତିକି ନୁହେଁ, ତା’ ସଙ୍ଗରେ ବାଇଆ-ବାତୁଳ ଦୁଃଖନକୁ ବି ତା’ ହାତରେ ସମର୍ପି ଦେବି । ସଂସାର ଚାଳନାର ସୁଖଦୁଃଖ ସହି ଧୈର୍ଯ୍ୟଧରି ସବୁ ସମସ୍ୟା ସମାଧାନ କରିବାର ଅଭ୍ୟାସ ତା’ର ସାନ୍ତରାପାଟଣାରେ ହୋଇସାରିଛି ।’

 

‘ସେମିତିକା ବୋହୁ ହେବାକୁ ମୁଁ ତାକୁ ଗଢ଼ଥିଲି ଲୋ କୁସୁମ । ସେଇଆକୁ ମୁଁ ଚାହେଁ । ଯମଘରର ନରକଯନ୍ତ୍ରଣା ଭୋଗର କବଳରୁ ସେ ଆଗ ଚାଲିଆସୁ ତୋ ପାଖକୁ ଲୋ କୁସୁମ । ଏଠାରୁ ରାଉତରାୟଙ୍କ ଉଆସକୁ ଆଧିବିଧିରେ ଯିବାକୁ କେତେ ଡେରି ଲଗୁଛି ଲାଗୁ ।’

 

କୁସୁମର ଆଖିରୁ ନୀରବ ଅଶ୍ରୁର ଝର ଛୁଟିଥିଲା । ଜେମାଦେଈଙ୍କ ଦୃଷ୍ଟି ପଡ଼ନ୍ତେ ସେ ପୁଣି ଆକଟି କହିଲେ, “ତୋର ପୁଅର ବାହାଘରଟି । ଖୁସିରେ ତୋର ଛାତି ପୁଲକି ଉଠୁଥାନ୍ତା । ଗତକଥାକୁ ମନେପକାଇ ଆଖିରୁ ଲୁହ ଝରନା ।’’

 

‘ନହୁଲୀ ପାଇଁ ଦୁଃଖ କରୁଛୁ କି ? ବହୁ ଆଡ଼ମ୍ବରରେ ହସଖୁସିରେ ଧନୀଘରର ସୁନ୍ଦର ସ୍ୱାସ୍ଥ୍ୟବାନ ପୁଅଟି ହାତକୁ ଟେକିଦେଲୁ । ସେ ଝିଅ ପୁଣି ଦୁଃଖ ପାଇଲା । ସେଥିପାଇଁ ଆଜି ଦୁଃଖ କରୁଛୁ ?’

 

‘ଭୁଲିଯା ଲୋ ବାଇଆଣୀ, ଗତକଥା ସବୁ ଭୁଲିଯା । ନହୁଲୀର ସବୁ ଶିକ୍ଷା ହୋଇଥିଲା । ରାଉତରାୟ ଘରର ବୋହୂ ହେବାର ଉପଯୁକ୍ତ ହେବାକୁ ଯାହା ଆବଶ୍ୟକ ମଣିଥିଲି, ତାକୁ ମୁହଁଖୋଲି କେବେ କିଛି ମୁଁ ନ କହିଥିଲେ ବି ସବୁ ଶିଖାଇଥିଲି ।’

 

‘ମଣିଷ ଜୀବନର ସବୁ ଜଞ୍ଜାଳ ଓ ଜ୍ୱଳନ ମଝିରେ ନିଜ କର୍ମର ପ୍ରାରବ୍‍ଧ ଓ ସଞ୍ଚିତର କଷଣ ସହିବାର ଧୈର୍ଯ୍ୟ ତାକୁ ଶିଖାନ୍ତି ବା କିପରି ଲୋ ।’

 

‘ସେ ସବୁ ପ୍ରତ୍ୟେକର ନିଜ ନିଜର ଅନୁଭବ । ନହୁଲୀ ତା’ର ସହିଛି । ସେ ଧୈର୍ଯ୍ୟର ଅବତାର ହୋଇଛି ।’

 

‘ଭାଙ୍ଗି ପଡ଼ୁଥିବା, ମାଟିରେ ମିଶି ଭବିଷ୍ୟତରେ ନିଶ୍ଚିହ୍ନ ହେବାକୁ ବସିଥିବା ରାଉତରା ବଂଶର ନୂଆ ସର୍ଜନା, ନୂଆ ଜୀବନ ପାଇଁ ସେଇ ଏକା ସମର୍ଥ ।’

 

‘କେତେବର୍ଷ ଆଉ ବିତିବ ବିତୁ । ନହୁଲୀ ମୋର ଆସୁ । ଏଇଠିକୁ ଆସୁ ତ ଆଗ । ଆଧିବିଧିରେ ରାଉତରାୟ ଘରକୁ ନେବାର କେତେ ଡେରି ହେବ ହେଉ ।

 

‘ଜୟୀ ନାୟକେ ନିର୍ଭର ଜବାବ ଦେଇଛନ୍ତି । ମୋ ମନକାମନା ପୂରଣ କରିବେ । କୁଆଡ଼େ ଯୋଗ ବି ସେଇଆ ଲେଖାଉଛି । ଡାକ ତାଙ୍କୁ, ସେ ପୁଣି ତୋ ଆଗରେ କହିବେ ।’

 

ଅତି ବୁଢ଼ୀ ହୋଇ ଆସୁଥିବା ଜେମାଦେଈ ଅପାଙ୍କର ବ୍ୟାକୁଳ ଆଗ୍ରହ କ’ଣ ତାଙ୍କୁ ଶେଷକୁ ପାଗଳୀ କରିବ ? କୁସୁମ ଏପରି ବିଚାରିଲା । ପଣତରେ ଆଖି ପୋଛି ସେ କହିଲା- ଅପା, ନହୁଲୀ ଘରୁ ଆସିଥିବା ଲୋକକୁ ଦୁଃଖନ ବିଦାକଲା । ସେଇ ଲୋକଟି ହାତରେ ନହୁଲୀ ପାଖକୁ ଚିଠି ଖଣ୍ଡିଏ ମୁଁ ଲେଖାଇ ପଠାଇଦେଲି ।

 

‘ଜୟୀ ନାୟକେ ବି ନହୁଲୀର ଚିଠି ଖଣ୍ଡି ଶୁଣିଛନ୍ତି । ପାଟି ଖୋଲି ଜବାବ ଦେଇନାହାଁନ୍ତି ।’

 

‘ଆଜି ଛାଡ଼ି, କାଲି ପରା ସେ ମୋର ସମୁଦି ହେବେ । ତୁଣ୍ଡ ଖୋଲି କେମିତି ମୁଁ ତାଙ୍କୁ ଦୋଷିବି ? ମନ କହୁଛି, ମୋର ବାପଛେଉଣ୍ଡୀ ନିଆଶ୍ରୀ ଝିଅଟିର ସବୁ ଦୁଃଖର ସେଇ ଏକା କାରଣ ।’

 

ଜେମାଦେଈ କୁସୁମର ମନରେ ସାନ୍ତ୍ୱନା ଦେବାକୁ କହିଲେ, “ତୁ ତା’ ପାଇଁ ମୋଟେ ଆଉ ଦୁଃଖ କରନା । ଚିନ୍ତା କରନା । ଜୟୀଙ୍କର ଚକ୍ରାନ୍ତ ମୁଁ ବିଫଳ କରିଦେବି । ସେ ଆଗ କନ୍ୟା ଦାନ କରି ତୋର ସମୁଦି ହୋଇସାରନ୍ତୁ । ତେଣିକି ସେ ଆମର ବୋଲକରା ହେବେ ।’’

 

‘ହଁ, ତତେ କହିଦେଉଛି, ମୁଁ ରାଜବଂଶୀ ରାଉତରାୟ ଘରର ଝିଅଟି । ଏଣିକି ଦୁଃଖନ ମୋ ଆଜ୍ଞା କେବେ ଅବଜ୍ଞା କରିପାରିବ ନାହିଁ । ଯେମିତି ଛୁଆ ଦିନେ ତାକୁ ମୋ ଖେଳକଣ୍ଢେଇ କରିଥିଲି, ଧେଇକି ନାଟ କରାଇଥିଲି, ସେମିତି କରିବି ।

 

‘ହଁ, ହଁ, ଉଠ୍‌ କହିଲେ ଉଠିବ ସେ ଟୋକା, ବସ୍ କହିଲେ ବସିବ ।’

 

‘କୁଆଡ଼େ ଗଲା ସେ ? କୁଆଡ଼େ ଗଲେ ଜୟୀ ନାୟକେ ? ଅଲେଖକୁ ବି ଦେଖୁନାହିଁ ଯେ-?’

 

କୁସୁମ କହିଲା, ‘ତା ବାହାଘର ବୋଲି ଅଲେଖ ଲାଜ ଲାଜ ହେଉଥିଲା । ଦୁଃଖନ ସାମନ୍ତେ ତାକୁ ବୁଝାଇ ଦେଲରୁ ସେ ମୋ କହିବା ପ୍ରକାରେ ନହୁଲୀ ପାଖକୁ ମୋ ନାମରେ ଚିଠି ଖଣ୍ଡିଏ ଲେଖିଲା । ତା’ ଘର ଭାରୁଆ ପଦନା ବିଦା ହେଲା ପରେ ଅଲେଖ ବାରିରେ କି ଆଉ କେଉଁଠି କ’ଣ କରୁଥିବ ।’

 

ଦୁଃଖନ ଜୟୀ ନାୟକଙ୍କ ସଙ୍ଗରେ ତାଙ୍କ ଘରକୁ ଯାଇଛି । ଗୁରୁବାର ଦିନ ଜାଇ ମଙ୍ଗୁଳା ହେବ । ଅନ୍ତତଃ ସାତଜଣ ସଧବା ଘରଣୀ ଲୋଡ଼ା ହେବେ । ଦୁଃଖନ କହିଲେ, ସୁମତି ସେମାନଙ୍କୁ ଆମ ପାଇଁ ନିମନ୍ତ୍ରଣ କରିବ ।’

ଜେମାଦେଈ ସନ୍ତୋଷ ପ୍ରକାଶ କଲେ । କହିଲେ, ‘ଗୋଟିଏ ଗ୍ରାମରେ ନିମିତ୍ୟ । ସମସ୍ତେ ଜଣାଶୁଣା । ଦୁଇପକ୍ଷ, ଦୁଇପକ୍ଷକୁ ସାହାଯ୍ୟ କରିବା ଭଲ । ନହୁଲୀ ଜଲଦି ଆସିଥିଲେ କେଡ଼େ ଭଲ ହୋଇଥାନ୍ତା ।’

କୁସୁମର ଆଖି ପୁଣି ଲୋତକାଦ୍ର ହେଲା । କହିଲା, ଅପା ଗୋ, ଆଉ ଅଧିକା କିଛି ତାକୁ ଲେଖିବାକୁ ମତେ ବୁଦ୍ଧି ଦିଶିଲା ନାହିଁ । ଏଠିକାର ସବୁ ଖବର ଅଲେଖ ହାତରେ ଲେଖାଇ ଶେଷକୁ ଲେଖାଇଲି-ତୁ ଆସିଥିଲେ କେଡ଼େ ଭଲ ହୋଇଥାନ୍ତା ଲୋ ମା’ । ତୋ ବିନା ଏ ଘର କ’ଣ ସୁନ୍ଦର ଦିଶିବ, ନା ଆନନ୍ଦପୂର୍ଣ୍ଣ ହୋଇପାରିବ ? ଜେମାଦେଈ ସାନ୍ତାଣୀ ବି ଚାତକିନୀ ପରି ତୋ’ ଆସିବାକୁ ଅପେକ୍ଷା କରି ରହିଥିଲେ ।’

ଜେମାଦେଈ ଗଦ୍‌ଗଦ କଣ୍ଠରେ କହିଲେ, ନହୁଲୀର ଆଗମନକୁ ମୁଁ ଏବଯାଏ କେବଳ ଅପେକ୍ଷା କରି ରହିନାହିଁ ତ, କୁସୁମ ଲୋ, ମୋର ଭୁଲକୁ ସୁଧାରି ଶିବଦାସ ରାଉତରାୟ ସହିତେ ସେ ବଂଶର ଧନସମ୍ପତ୍ତି, ମାନ ମହତ, ଆଉ ଭବିଷ୍ୟତ ତା’ ହାତରେ ସମର୍ପି ଦେବାକୁ ମୁଁ ଅପେକ୍ଷା କରି ବଞ୍ଚି ରହିଛି ।’

ଡରିଲା ଥରିଲା ସ୍ୱରରେ କୁସୁମ ମୁହଁ ଖୋଲିଲା, ‘ନହୁଲୀ ଏବେ ତ ଆସିପାରିଲା ନାହିଁ । ବାହାଘର ଅବା ଚଉଠୀକୁ ଆସିବାର ଆଶା ବି ନାହିଁ ।’

ଜେମାଦେଈ କହିଲେ, “ଯେବେହେଲେ ତ ସେ ଯମପୁର ନରକ ଭିତରୁ ଦିନକ ପାଇଁ ହେଉ ପଛେ ବାହାରି ଆସିବ । ମୋର ଏଇ ହାଡ଼ୁଆ ହାତ ଦିଓଟିରେ ତାକୁ ବେଢ଼ାଇ ଧରିବି । ଛାତିରେ ଭିଡ଼ିବି । ସେ ମୁକୁଳି ପାରିବ ନାହିଁ । କେହି ତାକୁ ଛଡ଼ାଇ ନେବାକୁ ଭରସିବେ ନାହିଁ ।’’

ହଁ ହଁ -ସେଇଆ ହେବ । ତା’ ପରେ ଜୟୀ ନାଏକଙ୍କ କାମ । ସେଇଠୁ ପୁରୋହିତ, ନାହାକ, ନାପିତଙ୍କର ଆଧିବଧି । ତା’ ପରେ, ତା’ ପରେ...କୁସୁମ ଡରିଗଲା ।

 

ବିଚାରିଲା, ଅପା ସାମନ୍ତାଣୀ ସବୁ ଶୁଣି, ସବୁ ଜାଣି, ଏମିତି ବାଇଆଣୀ ପରି ଗପୁଛନ୍ତି କାହିଁକି ? ହସହସ ତ ହେଉଛନ୍ତି । ଜାଗ୍ରତ ଥାଇ, ତ।ଙ୍କର ବିଫଳ ଆଶାକୁ ସଫଳ କରିବାର ସପନ ସେ ଦେଖୁଛନ୍ତି ?

 

କାହିଁକି ଆଉ ସେ ନ ହେଲା ସପନ ଦେଖୁଥିବେ ? ବାପ ଓ ମା’ଙ୍କ ପାଖରେ ସବୁ ଝିଅ ଗେହ୍ଲାରେ ବଢ଼ନ୍ତି । କେତେ ଆଶା...କେତେ ସ୍ୱପ୍ନ । ପରଘରୀ ହେଲା ପରେ ସେ ଆଶା ସେ ସପନକୁ ନୂଆ ପରିବେଶ, ନୂଆ ଜୀବନ ବଦଳାଇ ଦିଏ । ସେ ନିଜର ସଂସାର, ନିଜର ବନ୍ଧନ ଓ ସେଠିକାର ସମସ୍ତଙ୍କର ଭବିଷ୍ୟ ବିଷୟ ଆଗ ବିଚାର କରେ । ସେସବୁ ତା’ର ଦାୟିତ୍ୱ ।

 

ନହୁଲୀ ସେହି କଥା ଲେଖିଛି । ଜେମାଦେଈ ଅପା ସାମନ୍ତାଣୀ ତା’ର ଚିଠିଟି ପଢ଼ିଲେ ଜାଣିବେ । ବୁଝିବେ ଯେ ତାଙ୍କର ଶିକ୍ଷାର ବଡ଼ପଣ ନହୁଲୀ ରଖିଛି ।

 

ଘର ଭିତରକୁ ଯାଇ ପଲଙ୍କ ଉପରେ ନିଜେ ଥୋଇଥିବା ଚିଠିଖଣ୍ଡି ଆଣି କୁସୁମ ଜେମାଦେଈଙ୍କର ହାତକୁ ବଢ଼ାଇ ଦେଲା । କହିଲା, ଏଇ ଚିଠି ସେ ପଠାଇଛି । ମୋ କୁହା ମାନି ଅଲେଖ ସେ ଚିଠି ପଢ଼ି ମତେ ଶୁଣାଇଛି । ଦୁଃଖନ ଶୁଣିଛି । ଜୟୀ ନାୟକେ ବି ଶୁଣିଛନ୍ତି ।

 

“ତମେ ନିଜେ ପଢ଼, ଅପା । ମତେ କହ, ଛାତିକି ପଥର କରି ଏବକା ଦାୟିତ୍ୱ ତୁଲାଇବା ଛଡ଼ା ଆଉ କି ବୁଦ୍ଧି ମୁଁ କରିପାରିବି ?’’

 

ଚିଠିଖଣ୍ଡି ଖୋଲି ଜେମାଦେଈ ଅଳପ ଥରିଲା ହାତରେ ମେଲାଇଲେ । ଅଧିକା ଆଲୁଅ ପାଇଁ ଢିଙ୍କିଶାଳରୁ ପିଣ୍ଡାକୁ ଆସିଲେ । କୁସୁମ ସପ ପାରିଦେଲା ।

 

ଜେମାଦେଈଙ୍କର ଚାଳିଶା କେବଠାରୁ ଛାଡ଼ିଗଲାଣି । ପ୍ରଚକ୍ଷୁର ବିନା ସାହାଯ୍ୟରେ ସେ ନହୁଲୀର ଗତ ରାତ୍ରିର ପତ୍ରଟି ମନେ ମନେ ପଢ଼ିବାରେ ଲାଗିଲେ ।

 

‘ବୋଉ ଲୋ,

 

‘ଏଠିକା ଜୀବନର ସୁଖଦୁଃଖର କାହଣୀ, ଯାହାକୁ କେତେ ବର୍ଷର କେତେ ଉଜାଗର ରାତିରେ ଲେଖି ଲେଖି ସାଇତି ରଖିଥିଲି, ସବୁ ମୁଁ ଦିନେ ତୋ ପାଖକୁ ପଠାଇ ଦେଇଥିଲି । ତା’ ପରେ ଯାହାସବୁ ଘଟିଯାଇଛି, ମୁଁ ଅଙ୍ଗେ ଲିଭାଇଛି । ଲେଖିବସିଲେ ପୁରାଣ ହେବ ।’

 

‘ଭାବୁଛି, ଲେଖିବା ଲୋଡ଼ା ନାହିଁ । ଘଟିଗଲା ଘଟଣାମାନ ବାହୁଡ଼ି ଆସିବ ନାହିଁ । ସବୁ ବଦଳାଇ ଆଉ ଥରେ ନୂଆକରି କରାଇ ହେବନ।ହିଁ । ଦେହ ସହିଛି, ମନକୁ ଦୋହଲାଇଛି । ପୁଣି ଦେହ ଓ ମନରେ ଲୀନ ହୋଇଛି ।

 

‘ମୋ ସାନଭାଇ ଅଲେଖର ବାହାଘର । ଯୋଗ ଦେବାକୁ ଶୁଣିଲାଦିନରୁ ଗୋଡ଼ ଟେକି ରହିଥିଲି । ବରବେଶରେ ତାକୁ ଦେଖିଥାନ୍ତି । ମେଞ୍ଚଡ଼ ରୁକୁଣାର ନୂଆବୋହୁ ରୂପ ବି ଦେଖିଥାନ୍ତି । କେଡ଼େ ଖୁସି ହେଇଥାନ୍ତି ଟି ।

 

‘ଜୟୀଦାଦି କେତେଘଣ୍ଟା ପାଇଁ ଏ ଘରକୁ ଆସିଥିଲେ । ଜଣଜଣ କରି ସମସ୍ତଙ୍କର ଖବର, ଆମ ଗ୍ରାମର ଉନ୍ନୟନ ବିଷୟ ଆଉ ସେଥିପାଇଁ ଶିବଦାସ ସାଆନ୍ତଙ୍କର ଦାନ, ସ୍ୱାର୍ଥ ତ୍ୟାଗ ଓ ଆତ୍ମ-ନିୟୋଗ କଥା ସେ କହୁଥିଲେ । ସବୁ ଶୁଣିଲି, ଜାଣିଲି । ସେସବୁ ଥରେ ଦେଖିବାକୁ, ପୁଣି ମୋ ଜେମାଦେଈ ସାମନ୍ତଣୀଙ୍କର ପାଦସେବା କରି ଆନନ୍ଦ ଲଭିବାକୁ ମୁଁ ଉଚ୍ଛନ୍ନ ହେଉଥିଲି ।’

‘ଜୟୀଦାଦି ଏହା ଜାଣନ୍ତି ।’

‘ସେ ବାହୁଡ଼ିଗଲା ପରେ ମୋ ମନରେ ଅନ୍ୟରୂପରେ ଭାବନା ଆତଯାତ ହେଲା । ମୋ ଆଗ୍ରହକୁ ଦୋହଲାଇଲା । ହୀନମନ୍ୟତା ଜଗାଇଲା ।’

‘ସତେ ଯେ ବୋଉ, କେଉଁ ଗର୍ବ, କେଉଁ ଗୌରବ ନେଇ ମୁଁ ରାଉତପାଟଣାରେ ମୋର ପୋଡ଼ାମୁହଁ ଦେଖାଇବି ? ଜଣେ ଅପରିଚିତର ହାତରେ ଛନ୍ଦି ତମେମାନେ ମତେ ପଠାଇଥିଲ । ସେହି ଯେ ମୋ ଜୀବନର ସର୍ବସ୍ୱ ଏହା ମଧ୍ୟ ମତେ ଶିଖାଇ ଦେଇଥିଲ ।’

ସେ ଶିକ୍ଷା ମୁଁ ଭୁଲି ନାହିଁ । ଭୁଲି ପାରିନାହିଁ । ଛୁଟିଲା କାଣ୍ଡ ଅଣବାହୁଡ଼ା । ସେ କାଣ୍ଡ ଯେଉଁଠି ପଡ଼ୁ ସେ ଫେରିବ କିପରି ? ଦେବପୀଠରେ ପଙ୍କକାଦୁଅରେ, ଅବା ପଡ଼ୁ ଜଳନ୍ତା-ନିଆଁରେ । ମୋ ଜୀବନଟା ସେହି କାଣ୍ଡରୁ ଗୋଟିଏ ।

‘ସେ ଆପେ ଛୁଟି ଆସି ନ ଥିଲା ।’

‘ଦାୟିତ୍ୱର ବୋଝ ମୁଣ୍ଡରେ ବୋହି ମୁଁ ଟଳମଳ ହେଉଛି । ଆପେ ଆପେ ସେ ବୋଝ ଲଦିହୋଇଛି ଲୋ ବୋଉ । ମୋ ଚଳନ୍ତି ଜୀବନର ଅଂଶ ହୋଇଛି ।’

‘ତୋ ଜୋଇଁ ଜେଲରେ । ଛଅମାସ ବୋଲି ଆଗରୁ ପ୍ରଚାରିତ ହୋଇଥିଲା । ଏବେ ପୁଣି ଶୁଣାଗଲାଣି, ଅଠର ମାସ । ଜୟୀଦାଦି, ଯିଏ ମୋର ମଉସା ହେବାକୁ ଯାଉଛନ୍ତି, ସେ ଜାଣିଥିବେ ପ୍ରକୃତରେ କେତେ ତାଙ୍କୁ ପଚାରି ବୁଝିବୁ ।’

‘ଅଠର ଦିନ ହେଉ ବା ଅଠର ମାସ କି ଅଠର ବର୍ଷ ହେଉ ସେଥିରେ ବିଶେଷ କିଛି ପ୍ରଭେଦ ନାହିଁ । କ’ଣ ସେ କରୁଥିଲେ କି ? କୁ-ସଙ୍ଗରେ ପଡ଼ି ନୀତିବିରୁଦ୍ଧ କାର୍ଯ୍ୟ କରିବା, ଆତ୍ମୀୟସ୍ୱଜନଙ୍କ ଉପରେ ଅତ୍ୟାଚାର କରିବା ଓ ଚଳନ୍ତି ଅଚଳନ୍ତି ସମ୍ପତ୍ତି ଜୂର କରିବା ଥିଲା ତାଙ୍କର ପ୍ରକୃତି । ଜେଲଦଣ୍ଡ ଭୋଗି ନିଜେ ଅନୁତାପ କରି ଯଦି ନୂଆମଣିଷ ହୋଇ ଫେରିବେ ତ ଭାଗ୍ୟର କଥା ହେବ ।’

‘ଜଗନ୍ନାଥଙ୍କ ପାଖରେ ଆମର ସେତିକି ଗୁହାରି । ଏସବୁ ଭବିଷ୍ୟତର ଆମର ଆଶା-ଆକାଂକ୍ଷାର କଥା ।’

‘ମୁଁ ଏବେ କ’ଣ ଲୋ ବୋଉ ? ସମସ୍ତେ ଜାଣନ୍ତି ଯେ ମୁଁ ଜଣେ ଖୁଣୀ କଇଦୀର ଘରଣୀ-। ସମସ୍ତଙ୍କର ମୁଁ ନାକଟେକାର ଜୀବଟିଏ । ଅଶୁଦ୍ଧ ଅସ୍ପୃଶ୍ୟ । ମୋ ମନ ମତେ ପଛକୁ ଟାଣୁଥିବ ।’

‘ଭାଇ ବାହାଘରର ଆନନ୍ଦ ଉତ୍ସବ ଭିତରେ ମୁଁ ନିର୍ବିଘ୍ନ ଆନନ୍ଦ ପାଇବି ନାହିଁ । ଅନ୍ୟମାନେ ମୋ ଆଡ଼କୁ କଣେଇଁ ଚାହିଁ କାହିଁକି ହସିଲେ, କିଏ କାହାକୁ ତୁନିତୁନି କ’ଣ କହିଲା ସେଇଠିକୁ ମୋର ଆହତ ମନ ଧାଇଁଯାଉଥିବ । କେମିତି ତାକୁ ମୁଁ ଆକଟ କରିବି, ଅଟକାଇ ପାରିବି ?’

‘ମୋର ବିକଳ ମନର ଅବସ୍ଥା ଯାହା ହେଉ ପଛେ, ତମର ବଡ଼ପଣର ସମ୍ମାନ ରଖିବାକୁ ଏ ଗ୍ରାମରେ ମୋର, ଅର୍ଥାତ ସାନ୍ତରାପାଟଣାର ବଡ଼ ଖୁଣ୍ଟିଆଙ୍କ ବୋହୁର ମର୍ଯ୍ୟାଦା ଅତୁଟ ରଖିବାକୁ ମୁଁ ଅବଶ୍ୟ ଯାଇଥାନ୍ତି । କିନ୍ତୁ ଅନ୍ୟ କେତେଗୁଡ଼ିଏ କାରଣ ମତେ ଅଟକାଇ ରଖୁଛି ।’

‘ତାଙ୍କ ପୁଅ ଜଣେ ରାଜବଂଶୀ ଟୋକା ପ୍ରତାପକୁ ଖୁଣ୍‌ କରି ଧରାହୋଇ ଯିବାରୁ ଶାଶୁ ବାଇଆଣୀ ପରି ହେଉଥିଲେ । ଖିଆପିଆ କରୁ ନ ଥିଲେ । ମୋର ମନର ଅବସ୍ଥା ଯାହା ଥିଲା, ମୁଁ ବା ତାଙ୍କର କି ସେବା କରନ୍ତି, ତାଙ୍କୁ କି ସାନ୍ତ୍ୱନା ଦିଅନ୍ତି ? ଶୋଭନର ଯତ୍ନ ନେବାରେ ଘରର ହାନିଲାଭର ଦାୟିତ୍ୱ ତୁଲାଇବାରେ ମୋର ବେଳ ବିତିଲା ।’

‘ତେବେ ଶୋଭା ଥିଲା । ଝିଅ ସିଏ ଚାକରଣୀ ସେବାକାରିଣୀ ମୁରବୀ ସିଏ । ସବୁ ମଳମଳି ସେ ସମ୍ଭାଳୁଥିଲା । ତା’ ପାଇଁ କୌଣସି କାମ ଅଚଳ ରହୁ ନ ଥିଲା ।

‘ଶୁଣାଗଲା, ତୋ ଜୋଇଁ ଛ’ ମାସ ଜେଲ୍‌ ଭୋଗିବେ । ତାଙ୍କୁ ଖଲାସ କରାଇ ଆଣିବାକୁ ଶାଶୁ ଗଉଣୀ ମୁହଁରେ ଟଙ୍କା ଉଜାଡ଼ କରିଛନ୍ତି । ପଚାରିବୁ ଜୟୀଦାଦିଙ୍କୁ । ସେଇ ତ ସବୁ ଖରଚ କରିଛନ୍ତି । ଯେତେବେଳେ ଯାହା ସେ ଚାହୁଁଥିଲେ କାଳ ବିଳମ୍ବ ନ କରି ଶାଶୁ ଦେଉଥିଲେ ।

ଦୂର ଗ୍ରାମରେ ଥିବା କେତେ ଭୂମି ଶେଷକୁ ଶାଗମାଛ ମୂଲରେ ବିକ୍ରି କରାହେଲା । ଶଶୁରେ ବଞ୍ଚିଥିଲାବେଳେ ଶାଶୁଙ୍କ ନାମରେ ସେ ଭୂମି ନିଲାମରେ ଧରାଯାଇଥିଲା ।

‘ସବୁ ଚେଷ୍ଟା ବିଫଳ ହେଲା । ସବୁ ଖର୍ଚ୍ଚ ପାଣିରେ ପଡ଼ିଲା । ତାଙ୍କର ଗେଲବସର କୁଳଚନ୍ଦ୍ରମା ଜେଲ ଖଟିଲେ । ଶାଶୁ ଦିନରାତି କାନ୍ଦିଲେ । ପୁଅପାଇଁ ପୁଣି ଅନର୍ଥକ ଧନବ୍ୟୟ ଓ ସମ୍ପତ୍ତିକ୍ଷୟ ପାଇଁ ।’

“ଏଇପରି ଏ ଘରର ଅବସ୍ଥା । ଏତିକିବେଳେ ଅନ୍ଧୁଣୀ-ଶାଶୁ ସମ୍ପୂର୍ଣ୍ଣ ଅଚଳ ହୋଇ ଘାଣ୍ଟି ହେଉଥିବାର ଖବର ପାଇ ଶୋଭା ତା’ର ଶାଶୁଙ୍କର ସେବା କରିବାକୁ ଗଲା । ମରଣ ଯନ୍ତ୍ରଣାରେ କଲବଲ ଛଟପଟ ହେଉଥିବା ନିଆଶ୍ରୀ ଅନ୍ଧୁଣୀ ଶାଶୁଙ୍କୁ ଛାଡ଼ି ସେ ଫେରନ୍ତା କିପରି ? ବୁଢ଼ୀ ମଲେଣି, ତଥାପି ସେ ଆସିପାରୁ ନାହିଁ ।’’

“ମୋର ଅଚଳିଆ ଶାଶୁ ଏବେ ବିଛଣାଲାଗି ହେଲେଣି । ମୁଇଁ ତାଙ୍କର ସେବାକାରିଣୀ । ଅବଶ୍ୟ ଶୋଭାର ଶାଶୁ ପରି ମୋ ଶାଶୁ ସାହାସମ୍ବଳହୀନା ନୁହଁନ୍ତି । ତଥାପି ସେ ଚାହାଁନ୍ତି, ମୁଁ ତାଙ୍କରି ପାଖରେ ଥିବି । ଶୋଭନ ବି ଥିବ ।

‘ସେ ଭାବୁଛନ୍ତି, କବିରାଜଙ୍କର ଚିକିତ୍ସା ଏବଂ ମୋର ଓ ଅନ୍ୟମାନଙ୍କର ସେବା ସତ୍ତ୍ୱେ କାଳେ ତାଙ୍କର ଶେଷବେଳ ପହଞ୍ଚିଯିବ ? କାହାକୁ ସେ ବଡ଼ ସାନ୍ତରାଘରର ଦାୟିତ୍ୱ ଦେଇ ଆଖି ବୁଜିବେ ?’

ତାଙ୍କର ରୋଗଶଯ୍ୟା ପାଖରେ ବସିଥିଲାବେଳେ ଆଜି ସେ କହିଲେ–ତୋ ଘରର ଦାୟିତ୍ୱ ତୁ ସମ୍ଭାଳ, ମା’ । ପାପ ହେଉ କି ପୁଣ୍ୟ ହେଉ, ଏ ବଂଶର ଅର୍ଜିତ ଧନର ବୋଝ ତୁ ବୋହିବୁ ।

 

ପୁଣି କହିଲେ-“ବଂଶର ସମ୍ବଳ ଏଇ ପିଲାଟିକୁ ଯେମିତି ବଞ୍ଚାଇ ଆସିଛୁ ସେମିତି ବଞ୍ଚାଇ ମଣିଷ କରିବୁ ।’’

 

‘ଆହୁରି କହିଲେ–ଯଦି ସେ ଚଣ୍ଡାଳ ଜେଲରୁ କେବେ ଫେରେ, ଆଉ ତା’ ପ୍ରକୃତି ନ ବଦଳାଏ...

 

“ସେଇଠି ସେ ନୀରବ ରହିଲେ । କି ଉପଦେଶ ସେ ମତେ ଦେଇପାରିଥାନ୍ତେ ଲୋ ବୋଉ ?’’

 

ତାଙ୍କର ଦେହ ବିଗିଡ଼ା ସତ୍ତ୍ୱେ ଅଲେଖର ବାହାଘରରେ ଯୋଗ ଦେବାକୁ ମତେ ସେ ଅନୁମତି ଦେଇଛନ୍ତି । ଖାଲି ନେହୁରା କରି କହିଲେ– ଶୋଭନଟିକୁ ମୋ ପାଖରେ ଛାଡ଼ିଯିବୁ, ମା’ । କାଳେ ତୋ ନ ଥିଲାବେଳେ ମୋ ଜୀବନ ଚଢ଼େଇଟି ଫୁର୍‍ କରି ଉଡ଼ିଯିବ ? ଶୋଭନର ମୁହଁଟି ଦେଖୁଥାଉଁଣୁ ମୋ ଆଖିରୁ ଜୀବନର ଆଲୁଅ ଲିଭିଯିବ । ସେତିକିରେ ମୋର ଆତ୍ମା ଶାନ୍ତି ପାଇବ-

 

ବୋଉ ଲୋ, ଶୋଭନ ଅବଶ୍ୟ ତାଙ୍କ ନୟନର ଜ୍ୟୋତି, କିନ୍ତୁ ମୁଁ କାହାକୁ କିପରି ବୁଝାଇ ପାରିବି, କିଏ ବା ବିଶ୍ୱାସ କରିବ ଯେ ଶୋଭନ ମୋ ଜୀବନର ସମ୍ବଳ, ମୋ ଛାତିର ସ୍ପନ୍ଦନ ପରି । ସେ ମୋ ଦେହରୁ ଜନମି ନାହିଁ । ସେ ମୋ ମମତାରୁ ଜନମ, ମୋ ଜୀବନର ଜ୍ୟୋତି ।

 

‘ତେବେ, ଯଦି ଶୋଭା ତା’ ଶାଶୁର ଶୁଦ୍ଧି ପରେ ଠିକ୍ ସମୟରେ ଫେରିପାରିଥାନ୍ତା ତା’ର ଦାୟିତ୍ୱରେ ଶାଶୁ ଓ ଶୋଭନଙ୍କୁ ଛାଡ଼ି ମୁଁ ହୁଏତ ବୁଧବାର ଦିନ ଯାଇପାରିଥାନ୍ତି ।’

 

‘ଆଜି ରାତିରେ ଶାଶୁଙ୍କର ଦେହର ଅବସ୍ଥା ବିଶେଷ ଖରାପ । ଗ୍ରାମରୁ ଆଉ ଦୁଇଜଣ ସ୍ତୀଲୋକ ଆସି ଏ ଘରେ ଅଛନ୍ତି । ମତେ ସାହାଯ୍ୟ କରୁଛନ୍ତି, ଶାଶୁଙ୍କୁ ଜଗି ବସିଛନ୍ତି ।’

 

‘ଏ ଚିଠିଖଣ୍ଡି ରାତିରେ ଲେଖିବସୁଣୁ ବାରମ୍ବାର ଉଠି ଶାଶୁଙ୍କୁ ଦେଖିବାକୁ ଯାଉଛି । ତାଙ୍କର ଚେତା ହଜିନାହିଁ । ଆଖି ମାଡ଼ିମାଡ଼ି ପଡ଼ୁଛି । କେତେବେଳେ ଚମକି ଚାହୁଁଛନ୍ତି ।

 

‘ମତେ ଖୋଜୁଛନ୍ତି, ପୁଣି ଖୋଜୁଛନ୍ତି ତାଙ୍କ ନାତିକି । ପିଲାଟି ପଲଙ୍କ ଉପରେ ମୋ ଘରେ ଶୋଇଛି ।’

 

‘ଏ ମଧ୍ୟରେ ଶୋଭା ଯଦି ଫେରିଆସେ, ଆଉ ଶାଶୁଙ୍କର ଦେହ ଟିକିଏ ଭଲ ରହେ ପତ୍ରବାହକ ପଦନ ବାହୁବଳେନ୍ଦ୍ରର ବଳଦ ଗାଡ଼ିରେ ଚଉଠି ଆଗରୁ ମୁଁ ଆପେ ଯାଇ ପହଞ୍ଚିଯିବି । ମୋ ପୁଅକୁ ସଙ୍ଗରେ ନେଇଯିବି ।’

 

‘ସମସ୍ତଙ୍କୁ ମୋର ଯଥାବିଧି ଜଣାଇବୁ । ଜେମାଦେଈ ସାମନ୍ତାଣୀଙ୍କୁ ଏଇଠି ମୋ’ର କୋଟି ପ୍ରଣାମ ମୁଁ ଜଣାଇ ଦେଉଛି । ସବୁବେଳେ ସେ ମୋ ପାଖେ ପାଖେ ଅଛନ୍ତି । ଭଲମନ୍ଦ ମତେ ବତାଇ ଦେଉଛନ୍ତି । କେବେ ତାଙ୍କର ଦର୍ଶନ ଲାଭ କରିବାର ସୌଭାଗ୍ୟ ମୋର ହେବ ମୁଁ ସ୍ଥିରକରି କହିପାରୁନାହିଁ ଲୋ ବୋଉ, କିନ୍ତୁ ଭଲରେ ମନ୍ଦରେ ସବୁବେଳେ ମୋ ପାଖରେ ତାଙ୍କର ଉପସ୍ଥିତି ମୁଁ ଅନୁଭବ କରୁଛି ।’

 

ନହୁଲୀ ତେଣିକି ଆଉ କଅଣ ଲେଖିଥିଲା ଜେମାଦେଈ ତାଙ୍କର ଛଳଛଳ ଆଖିରେ ପଢ଼ିପାରି ନ ଥିଲେ । ସେ କୁସୁମର ହାତକୁ ପତ୍ରଟି ଥରଥର ହାତରେ ବଢ଼ାଇ ଦେଲେ ।

 

କହିଲେ, କୁସୁମ ଲୋ, ସବୁ ସେହି ଚକାଡୋଳା କାଳିଆର ଖେଳ । ତାର ମାୟରେ ପଶିବ କିଏ ? ମୋର ବହୁଦିନର ଜାଗ୍ରତ ସପନ ସେ ଭାଙ୍ଗି ଦେଇଛି । ମତେ ମୋରି ଭିତରେ ଚେତାଇ କହୁଛି, ଆଉ କାହିଁକି ଏଠାରେ ପଡ଼ିରହିବୁ ଲୋ ଜେମିବାଇଆଣୀ । ଭୁଲି ଗଲୁ କି-ସବୁ ତ କରି କରାଉଥାଏ ମୁହିଁ ?

 

କୁସୁମ କହିଲା, “ସତେ ଗୋ ଅପା, ତା’ ବିନୁ ଅନ୍ୟ ଗତି ନାହିଁ ?’’

 

ଜେମାଦେଈ ହସିଲେ । କହିଲେ, “ସତେ । ସେତକ ନହୁଲୀ ମତେ ତା’ ଚିଠିରେ ସୂଚାଇ ଦେଇଛି ।’’

 

‘ଆଉ କାହିଁକି ଏଠାରେ ମୁଁ ପଡ଼ିରହିବି ? ମୋର ତୀର୍ଥଭୂମି ମୋର ପୂଣ୍ୟଭୂମି ସିଂହପୁରକୁ ମୁଁ ଫେରି ନ ଯିବି କାହିଁକି ? ମହାପାତ୍ର ବଂଶର ଶ୍ମଶାନରେ ଚିତାଗ୍ନି, ଘେନିଲେ ମୋର ଗତିମୁକ୍ତି ହେବ ଲୋ କୁସୁମ ।’

 

କୁସୁମ ନିରୁତ୍ତର ରହିଲା । ବିକଳ ସଜଳ ଆଖିରେ ବୃଦ୍ଧାଙ୍କର ଲୁହଝରା ମୁହଁକୁ ଚାହିଁରହିଲା ।

 

ଗୁରୁବାର

କାହ୍ନୁଚରଣ

କଟକ

 

ତା ୬-୮-୧୯୮୧

 

Image